Sanjaya Ananda Kumar Tripathy

Comedy

4.0  

Sanjaya Ananda Kumar Tripathy

Comedy

ମହାପୁରୁଷଙ୍କ ସ୍ୱପ୍ନ

ମହାପୁରୁଷଙ୍କ ସ୍ୱପ୍ନ

4 mins
326


ମହାପୂରୁଷଙ୍କ ସ୍ୱପ୍ନ କଅଣ ? ଆମେ ଜାଣୁ ଯେ ମଣିଷ ସ୍ୱପ୍ନ ଦେଖେ I ତେବେ   ଵୈଜ୍ଞାନିକଙ୍କ ମତ ଅନୁସାରେ ଅବଚେତନ ମସ୍ତିଷ୍କ ରେ ଥିବା କଥାକୁ ହିଁ ସମ୍ପୃକ୍ତ ମଣିଷ ସ୍ୱପ୍ନ ଦେଖେ I ମହାପୁରୁଷ ମାନେ ଯାହା ସ୍ୱପ୍ନ ଦେଖିଛନ୍ତି ପୁସ୍ତକ ଆକାରରେ ପ୍ରକାଶ କରି ନାହାନ୍ତି , କିନ୍ତୁ ବର୍ତ୍ତମାନ ଯୁଗରେ ତାଙ୍କ  ପାଇଁ  ହେଉଥିବା ସଭାସମିତିରେ ମହାପୂରୁଷଙ୍କ  ସ୍ୱପ୍ନକୁ ସାକାର କରିବା ପାଇଁ ଆଲୋଚନା ପ୍ରାୟ ହେଉଛି I  ପ୍ରସଂଗ ହେଉଛି,ଏମାନେ ଦେଖିଥିବା ସ୍ୱପ୍ନ ସତେ ଯେମିତି ବକ୍ତାଂକ ଉଦ୍ଦେଶ୍ୟରେ ଲେଖି ଚିଠି ବାକ୍ସରେ ପକାଇଥିଲେ ଓ ଦୀର୍ଘ ବର୍ଷ ପରେ ଡାକରେ ଆସି ସଂପୃକ୍ତ ବକ୍ତାଂକ ପାଖରେ ପହଂଚି ଯାଇଛି  I 

ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଉଛି ଯିଏ ମହାପୂରୁଷଙ୍କ  ସ୍ୱପ୍ନ କଥା ଭାଷଣ ଦିଅନ୍ତି  ତାଙ୍କ  ଜେଜେବାପା ମଧ୍ଯ ଉକ୍ତ ମହାପୂରୁଷଙ୍କୁ   ଦେଖିନାହାନ୍ତି କି ତାଙ୍କ ସଂସ୍ପର୍ଶରେ  ଆସିନାହାନ୍ତି I ଧରନ୍ତୁ  ଗାନ୍ଧୀଙ୍କ   କଥା , ଅହିଂସା ମାର୍ଗ ଅନୁସରଣ କରି ଶକ୍ତିଶାଳି ବ୍ରିଟିଶ ଶାସନକୁ ମଧ୍ଯ ସେ ଦୋହଲାଇ ଦେଇଥିଲେ  I ଯୁଦ୍ଧର ବାତାବରଣରେ ସେ ଅହିଂସା ର ମନ୍ତ୍ର  ବୁଣି ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିଥିଲେ I .ଅନ୍ୟାୟକୁ ହିଂସା ଶୁନ୍ୟ ଓ ଶାନ୍ତିର ସହିତ ପ୍ରତିରୋଧ କରୁଥିଲେ I ମାତ୍ର ଆଜି ଗାନ୍ଧୀଙ୍କ  ଫଟୋ ଟାଙ୍ଗି   ସତ୍ୟାଗ୍ରହ କରୁଥିବା ଲୋକେ ରେଳ ରୋକୋ, ରାସ୍ତା ବନ୍ଦ  କରୁଛନ୍ତି   ଏବଂ  ଏହା ବେଳେବେଳେ ହିଂସା ର ରୂପ ମଧ୍ୟ ନେଉଛି.କେବେ ତୈଳ ଦର ବୃଦ୍ଧି ,କେତେବେଳେ ନ୍ୟାୟାଳୟ ଶାଖା  ପ୍ରତିଷ୍ଠା   ତ କେତେବେଳେ   ସ୍ୱତନ୍ତ୍ର  ରାଜ୍ୟ ଗଠନ ପାଇଁ ଆଂଦୋଳନ କରୁଛନ୍ତି I ସର୍ବୋପରି ଆଇନ ଅମାନ୍ୟ ମଧ୍ୟ କରୁଛନ୍ତି ଯାହାଦ୍ୱାରା ଅନେକ ମୃତାହତ ହେଉଛଂତି I କାମ କରି ପେଟ ପୋଷୁଥିବା ଲୋକ ,ରାସ୍ତାରେ ଯାଉଥିବା ଲୋକ ଅବିଚାରର ଶିକାର ହେଉଛନ୍ତି I ଜାତୀୟ ସଂହତି ନଷ୍ଟ କରିବାକୁ ପଛାଉ ନାହାନ୍ତି I 

ଚାନ୍ଦା ଆଦାୟ କରି ସଂଗଠନର ନେତା ହେବା ଏକ ପେଶାରେ ପରିଣତ ହୋଇଯାଇଛି I ଦିନବେଳେ ଗାନ୍ଧିବାଦୀ   ହୋଇ ଖଦଡ ପିନ୍ଧୁଥିବା  ଲୋକ ସଂଧ୍ୟାରେ ବାର ରେ ସମୟ ଅତିବାହିତ କରୁଛନ୍ତି I  କଥା କଥାରେ ‘ରାଜଧାନୀ ଚାଲ’ ଡାକରା ଦେଉଛଂତି I ବିଧାନସଭା ଚାଲିଲେ ତ କୁମ୍ଭ ମେଳା ଆରମ୍ଭ ହୋଇଯାଉଛି ଗାନ୍ଧିଙ୍କ ଅହିଂସା ମାର୍ଗ ବଦଳିଯାଇ ହିଂସାର ରୂପ ନେଉଛି ମହାପୁରୁଷ କ୍’ଣ ଏପରି ସ୍ୱପ୍ନ ଦେଖିଥିଲେ ? ତାଙ୍କର ଆତ୍ମା ଏସବୁ ଦେଖି ଶାନ୍ତିରେ ଥିବ I

ଥରେ ମାଙ୍କଡମାନଙ୍କ ମହାସଭାରେ ତାଙ୍କର ମହାପୁରୁଷ ଶ୍ରୀ ହନୁମାନଙ୍କ ସ୍ୱପ୍ନ କଥା ଆଲୋଚନା କଲେ ମର୍ଯାଦା ପୁରୁଷୋତ୍ତମ   ଶ୍ରୀରାମଙ୍କର ରାମରାଜ୍ୟର ପରିକଳ୍ପନା ରେ ମଜ୍ଜି ଗଲେ I ଦେଶର ସାମ୍ପ୍ରତିକ ପରିସ୍ଥିତି ରେ ଅତିଷ୍ଠ ହୋଇ ନିଜେ ନବଯୁଗର ନିର୍ମାଣ ପାଇଁ ମହାସଭାରେ ପ୍ରସ୍ତାବ ପାରିତ କଲେ I ହେଲେ ତାକୁ କାର୍ଯ୍ଯରେ ଲଗାଇବାକୁ ହେଲେ ତ ବିଧାନସଭା/ ସାଂସଦକୁ ଯିବାକୁ ପଡିବ I ତେଣୁ ଆଗାମୀ ନିର୍ବାଚନରେ ଲଢିବା ପାଇଁ ସ୍ଥିର କଲେ ଏ ସମ୍ବନ୍ଧୀୟ  ପ୍ରସ୍ତାବ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କଲେ I ଟିଭି / ଖବରକାଗଜ ରେ ଏସବୁ ଦେଖି ତଥାକଥିତ ନେତାଂକର ମୁଣ୍ଡ ଗୋଳମାଳ ହୋଇଗଲା I ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ପାଇଁ ବିଭିନ୍ନ କାର୍ଯ୍ୟାଳୟ ତଥା ନେତାଂକୁ ଧମକ ମଧ୍ୟ ମାଙ୍କଡଙ୍କ  ତରଫରୁ ଦିଆଗଲା I ପରିସ୍ଥିତି ଏମିତି ଅସମ୍ଭାଳ ହେଲା ଯେ ନେତାମାନେ ଦଳପତିଙ୍କ ନିକଟରେ ସଭା କଲେ I ସର୍ବସମ୍ମତି କ୍ରମେ ହନୁମାନଙ୍କ ପାଖରେ ଏହି କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ସ୍ଥିର ହେଲା .ଏଣୁ ଏକ ବିଶାଳ ହନୁମାନ ଚାଳିଶା ପାଠ ପାଇଁ ଆୟୋଜନ କରାଗଲା . କାରଣ ଏହା ମାଧ୍ୟମରେ ହିଁ ତାଙ୍କୁ ସନ୍ତୋଷ    କରାଯାଇପାରିବ I ଦୀର୍ଘ ଦିନ ଏପରି କାର୍ଯ୍ୟକ୍ରମ ହେବା ପରେ ହନୁମାନ ତରଳିଗଲେ ଓ ସେମାନଙ୍କ ସମ୍ମୁଖରେ ଉଭା ହେଲେ .କହିଲେ ଏବେ ରାମରାଜ୍ୟ ଥିଲେ ସିନା ମୋ ପରି ଭକ୍ତ ଥାଆନ୍ତେ  I ରାଜନୀତିକୁ  କଳୁଷିତ କରି ଆପଣମାନେ ଗଣତନ୍ତ୍ର ଶାସନ ଚାଲୁ ରଖିଛନ୍ତି ତାହାର ଏ ଫଳ ମୋର ବଂଶଜ ଯଦି ରାଜନୀତିକୁ ଆସିବାକୁ ଆଗ୍ରହୀ , ମୁଁ କାହିଁକି ମନା କରିବି I ଆପଣମାନେ ବରଂ ଏପରି ଗୁହାରୀ କରୁଥାଆନ୍ତୁ , ମୁଁ ମନସ୍କାମନା ପୂରଣ ପାଇଁ ଚେଷ୍ଟା କରିବି I ସବୁଠୁ ମୂଳ କଥା ହେଲା ଏବେ ବୃଦ୍ଧଙ୍କ କିଏ ପଚାରୁଛି ଯେ ମୁଁ କହିଲେ ସେମାନେ ମାନିଯିବେ, ବରଂ ବଂଶଜଙ୍କର ଶତୃ ହୋଇଯିବି I ଏ ସମସ୍ୟା କେମିତି ସମାଧାନ କରିବ , ତୁମେ ବିଚାର କର I 

ଦୁର୍ଭାଗ୍ୟବଶତଃ ନେତାଙ୍କ ଭିତରେ ଜଣେ ଅଗ୍ର କୁହାଳିଆ ଥିଲେ , ସେ କହିଲେ ଯଦି ଆପଣଙ୍କର କିଛି ଆପତ୍ତି ନାହିଁ ,ଆମେ ମାଙ୍କଡମାନଙ୍କୁ ଠିକ ବାଟ ଦେଖାଇଦେବୁ ,ବଂଶ ନିପାତ କରିଦେବୁ I କଥା ନ ସରୁଣୁ ହନୁମାନଂକ ଚେହେରା ବଦଳିଗଲା I ରାଗରେ ଥରିବାକୁ ଲାଗିଲେ .କହିଲେ ମୂର୍ଖ ,ତୋର ଏତେ ସାହସ ଯେ ଵଂଶାଜଙ୍କୁ  ନିପାତ କରିବୁ I ଥରେ ହାତ ଲଗାଇ ଦେଖ ,ମୁଁ ତୋର କଣ   କରିବି I ହନୁମାନଙ୍କର ଚେହେରା ଓ କଥା ଶୁଣି ଆୟୋଜନ ସ୍ଥଳରୁ ଯିଏ ଯାହା ରାସ୍ତାରେ ଛୁ ହୋଇଗଲେ I 

ଶାସନରେ ମାଙ୍କଡ଼ମାନଙ୍କର ପ୍ରତିନିଧିତ୍ୱ କଥା ଭାବିଲାବେଳକୁ ନେତାଂକର ନିଦ ହଜିଯାଉଥିଲା . ଘନ ଘନ ପରାମର୍ଶ କରି ପ୍ରଭୁ ଶ୍ରୀରାମଂକର ଶରଣ ପାଇଁ ସ୍ଥିର କଲେ କାରଣ ସମସ୍ତେ ଜାଣିଛନ୍ତି  ଶ୍ରୀରାମଂକର ଆଦେଶ ନା ହନୁମାନ ମନା କରିବେ ନା ମାଙ୍କଡଦଳ  I ତେଣୁ ଶ୍ରୀରାମ ମନ୍ଦିରରେ ଦେଶ ସାରା ପୂଜାର୍ଚ୍ଚନା  ଆରମ୍ଭ ହୋଇଗଲା I ସର୍ବୋପରି ଦେଶର ରାଜଧାନୀରେ ଥିବା ରାମଲୀଳା ମୈଦାନ ରେ ମହାଯଜ୍ଞ  ଆୟୋଜନ ହେଲା I ପ୍ରଭୁଙ୍କ ଉପରେ ଏସବୁର ପ୍ରଭାବ ପଡିଲା ନାହିଁ I ନେତାଙ୍କର ଅବସ୍ଥା ବାର ବାଜିଗଲା .ଜଣେ ନେତା କହିଲେଆମେ ପିଲାମାନଙ୍କୁ ଏ କାମରେ ଲଗାଇବା I ହଜାର ହଜାର ପିଲାଙ୍କୁ ଯୋଗାଡ କରି ଶ୍ରୀରାମଙ୍କର  ପ୍ରାର୍ଥନାରେ ଲଗାଇଦେଲେ I ବାଧ୍ୟ ହୋଇ ପ୍ରଭୁ ଶ୍ରୀରାମଂକୁ ଯଜ୍ଞସ୍ଥଳକୁ ଆସିବାକୁ ପଡିଲା , କହିଲେ ତୁମର ସମସ୍ୟା କଅଣ ? ଏ ନାଟକ କାହିଁକି କରୁଛ ?

ପିଲାମାନେ ତ ରାମନାମ ଜପ କରୁଥିଲେ I ନେତା ମାନେ କହିଲେ ପ୍ରଭୁ ଦେଶ ନାଶ ହୋଇଯିବ I ଯେଉଁ ସିଂହାସନରେ ଆପଣ ବସି ଶାସନ କରୁଥିଲେ ଓ ପରବର୍ତ୍ତୀ ସମୟରେ ଆମେ ତାକୁ ଛଡାଇ ନେବା ପାଇଁ ଅସଭ୍ୟ ମାଙ୍କଡଦଳ ସକ୍ରିୟ ହୋଇଯାଇଛନ୍ତି  I ଏହା ହେଲେ ତ ମାନବ ସଭ୍ୟତା ଲୋପ ପାଇଯିବ I ରକ୍ଷା କରନ୍ତୁ ପ୍ରଭୁ I 

ଶ୍ରୀରାମ କହିଲେ , ଆପଣ ତାଙ୍କୁ   ଅସଭ୍ୟ ବୋଲି କହୁଛନ୍ତି  I ପ୍ରଥମେ ନିଜକୁ ପଚାରନ୍ତୁ  ସଭ୍ୟ ନା ଅସଭ୍ୟ I ମାଙ୍କଡ ନ କହି ବାନର କହିଲେ ଅସୁବିଧା କ'ଣ ? ଯେଉଁମାନେ ଭଦ୍ର ଭାବରେ ମୋତେ ସହଯୋଗ କରି ଲଙ୍କାରେ ରାବଣର ବିନାଶ କରିଥିଲେ .ତାଙ୍କ ପାଇଁ ଆପଣଙ୍କର ଟିକେ ବି ସମ୍ମାନ ନାହିଁ . ସେମାନେ ମୋର ପରମ ଭକ୍ତ ହନୁମାନଙ୍କର ବଂଶଜ ଅଟନ୍ତି ତାଂକ ପ୍ରତି ଯଦି ଆପଣଂକର ସମ୍ମାନ ନାହିଁ, ଏ ନାଟକ ବନ୍ଦ କରନ୍ତୁ  I 

ମାତ୍ର ନିର୍ଲଜ୍ଜ ନେତା ତ କଥା

ବଦଳାଇବାରେ ଧୁରନ୍ଧର  I ପ୍ରଭୁ କ୍ଷମା କରିବେ ବୋଲି ମାଙ୍କଡ ସ୍ଥାନରେ ବାନର ଶବ୍ଦ ବ୍ୟବହାର କରିବାକୁ ଲାଗିଲେ I ପ୍ରଭୁ ତ ପିଲାଙ୍କ କଷ୍ଟ ଦେଖି ଆବିର୍ଭାବ ହୋଇଥିଲେ , ଏସବୁ ଶୁଣିବାକୁ ନାହିଁ , କିନ୍ତୁ  ନେତା ନାରାଜ I ପ୍ରଭୁ ଏହାର ସମାଧାନ ନ କଲେ ଅସୁବିଧା ହେବ ବୋଲି କହିବାକୁ ଲାଗିଲେ I ପ୍ରଭୁ କହିଲେ , ଯଦି ମୋର ରାମଭକ୍ତମାନଙ୍କୁ ଏହା ବୁଝାଇପାରିନି ଯେ ମୁଁ ବାବ୍ରୀ ମସଜିଦ ତଳେ ନାହିଁ , ତେବେ ଏ ବାନରମାନଂକୁ କେମିତି ବୁଝାଇ ପାରିବି .ଏତେ ବର୍ଷ ପରେ ଯଦି କିଛି ପରିବର୍ତ୍ତନ ହେବାକୁ ଯାଉଛି ଓ ସେମାନେ ଆଗକୁ ବଢି ଚାଲିଛନ୍ତି , ମୋ କଥା କାହିଁକି ମାନିବେ ? ତୁମ କଥା ତୁମେ ବୁଝ I ଜୟହିଂଦ .ଏହାପରେ ଅନ୍ତର୍ଧ୍ୟାନ  ହୋଇଗଲେ I 

ଯଦି ମହାପୁରୁଷଙ୍କ ସ୍ୱପ୍ନ ସାକାର କରିବାର ଅଛି ମନପ୍ରାଣ ହୋଇ ସଂଯତ ଓ ସଭ୍ୟ ହେବାକୁ ପଡିବ I ତାଙ୍କ ନା ଚଳୁ କରି ବଂଚିଲେ , ନିଜେ ହିଁ ହଇରାଣ ହେବାକୁ ପଡିବ .ସ୍ୱର୍ଗଲୋକରୁ ତାଂକର ଆଶିର୍ବାଦ ବଦଳରେ ଅଭିଶାପ ମିଳିବ ଓ ତାଂକ ସ୍ୱପ୍ନ ବିକୁଥିବା ବ୍ୟକ୍ତିର ସର୍ବନାଶ ହିଁ ହେବ I 



Rate this content
Log in

Similar oriya story from Comedy