Sanjaya Ananda Kumar Tripathy

Comedy


4  

Sanjaya Ananda Kumar Tripathy

Comedy


ସାହେବାଣୀଙ୍କ ଦେହ ଭଲ ନାହିଁ

ସାହେବାଣୀଙ୍କ ଦେହ ଭଲ ନାହିଁ

6 mins 64 6 mins 64

ସାହେବାଣୀଙ୍କ ଦେହଭଲ ନାହିଁ । କଥାଟା ଏକରୁ ଦୁଇ, ଦୁଇରୁ ତିନି, ଏମିତି ସବୁଆଡ଼େ ବ୍ୟାପିଗଲା । ରାଜଧାନୀରେ ପ୍ରାୟ ସମସ୍ତେ ଏହା ଜାଣିଗଲେ । ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଗଲା । ଏଣେ ସାହେବ ବିଦେଶ ଯାଇଛନ୍ତି । ସରକାରଙ୍କ ପାଇଁ କ’ଣ କ’ଣ କଥାବାର୍ତ୍ତା ହେବେ । ଖବର ପାଇବା ମାତ୍ରେ ଅଫିସର ଘରକୁ ମାଡିଗଲେ । ତା ପଛେ ତଳ ଅଫିସର, କିରାଣୀ, ପିଅନ ସମସ୍ତେ ମାଡିଗଲେ । ସାହେବଙ୍କ ଘର ଆଗ ରାସ୍ତାଟା ଜାମ୍ ହୋଇଗଲା । ସାଂଗେ ସାଂଗେ ଏସ୍‌.ପି. ପୋଲିସ୍ ଦଳ, ଦମକଳ ଗାଡ଼ି ସବୁ ହାଜର ହୋଇଗଲେ । ରାସ୍ତାରେ ଯାଉଥିବା ଲୋକେ ବି କିଏ ଗାଡିରେ, କିଏ ସାଇକେଲ୍‌ରେ ବସି ଅନାଇ ଦେଖିଲେ । ଅବଶ୍ୟ ସେମାନେ ଘଟଣାର ଆଦି ଅନ୍ତ ପାଇଲେ ନାହିଁ । ସ୍କୁଲରୁ ଫେରୁଥିବା ପିଲା ମଧ୍ୟ ଅଟକି ଗଲେ । ଲୋକଙ୍କ ଭିଡ଼ ଦେଖି ଆଳୁଦମ୍ ଦହିବରା, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌, ମୁଢ଼ି ବିକାଳୀ ମଧ୍ୟ ଅଟକିଗଲେ । ଅଦିନିଆ ବେପାର । କିନ୍ତୁ ଘଟଣା କ’ଣ କେହି ଜାଣି ପାରୁନାହାନ୍ତି । ଟିଭି ବାଲା, ସ୍ୱାଭାବିକ୍ ତ ଏମିିତି ସଚିବାଳୟରେ ବୁଲୁଥିଲେ ସେ ବି ହାଜର ହୋଇଗଲା । ଗୋଟାଏ ଟିଭି ଚ୍ୟାନେଲ୍‌ର ଓ.ବି. ଭ୍ୟାନ୍ ନେଇ ସିଧା ପ୍ରସାରଣ ଆରମ୍ଭ କରିଦେଇଥିଲା । ସାହେବଙ୍କର ଠିକ୍ ତଳ ଅଫିସର ବି ବଙ୍ଗଳା ଭିତରକୁ ପଶିଲେ, ମାତ୍ର ବାରଣ୍ଡାରେ ହିଁ ରହିଗଲେ । ଭିତରେ ସାହେବାଣୀ ଶୋଇଛନ୍ତି । ଚାକିରୀ ପିତା ଲାଗିଲେ ତାଙ୍କୁ ଡାକି ନିଦରୁ ଉଠାଇବା କଥା । ପଶିଗଲେ ସିନା, ବାହାରି ବି ପାରୁ ନାହାନ୍ତି । ବାହାରେ ସାମ୍ବାଦିକ, କେତେ ପ୍ରଶ୍ନ ପ୍ରଚାରିବେ କ’ଣ ଉତ୍ତର ଦେବେ, ଯଦି ନ ଦେବେ ଇଜ୍ଜତ ଯିବ । ଏଇତ ଆଉ ଇଆଡୁ ସିଆଡୁ ମିଛ କଥା କହିପାରିବେନି । ତେଣୁ ବାଧ୍ୟ ହୋଇ ବାରଣ୍ଡାରେ ଏପଟସେପଟ ହେଉଥାଆନ୍ତି ।

ଯା’ ହେଉ, ସାହେବଙ୍କୁ ଖବରଟା ଦେବାକୁ ପଡିବ, ହେଲେ ସେ ତ ବିଦେଶରେ । ଉଡ଼ାଜାହାଜରେ ଆସିଲେ ବି ୧୦ ଘଣ୍ଟା ଲାଗିବ । ଏଣେ ଫୋନ୍‌ରେ ଯିଏ କହିବ ତାକୁ ଆଦେଶ ଯାହାଦେବେ ପାଳନ କରିବାକୁ ପଡ଼ିବ । ଅଖାଡୁଆ ଲୋକଟା ମୁଣ୍ଡ ଯଦି ଗରମ ଥିବ କ’ଣ ଇଆଡୁ ସିଆଡୁ କହିଦେବେ ସିଏ କାମଟା ହେଉ ଅବା ନହେଉ । କାରଣ ସାହେବଙ୍କ ଅଫିସର ଏ କଥା ଜାଣିଛନ୍ତି । ଏମିତି କେତେଥର ସେ ଧୋକା ଖାଇଛନ୍ତି । ସେଥିପାଇଁ କ’ଣ କରି ଚିନ୍ତା କରୁଛନ୍ତି । ଏସ୍‌.ପି.ଙ୍କ ସାଙ୍ଗରେ ପରାମର୍ଶ ବି କରୁଛନ୍ତି ।

         ହଠାତ୍ ରାଜଧାନୀ ହସ୍‌ପିଟାଲରୁ ସି.ଏମ୍‌.ଓ. ତାଙ୍କର ବିଶେଷଜ୍ଞ ଦଳ ଧରି ପହଂଚିଗଲେ । କିନ୍ତୁ ଯାଇ ସେଇ ବାରଣ୍ଡାରେ ହିଁ ଅଟକିଗଲେ । କାରଣ ଏସ୍‌.ପି. ଓ ସାହେବଙ୍କର ନିକଟ ଅଫିସର ବାରଣ୍ଡାରେ ବୁଲୁଛନ୍ତି । ଏଣେ ସାହେବଙ୍କର ଘରେ ବାଲ୍ୟକାଳରୁ କାମ କରୁଥିବା ସନିଆର ବି ଦେଖାନାହିଁ । ସେ ଚାହିଁଲେ ଭିତରୁ ଖବର ଆଣିପାରିବ । ବିଶେଷଜ୍ଞ ଦଳର ସାହେବଙ୍କର ଫ୍ୟାମିଲି ଡାକ୍ତର ଥିଲେ । ତାଙ୍କୁ ସି.ଏମ୍‌.ଓ. ପରାମର୍ଶ କଲେ । ସେ କହିଲେ ସାର୍‌, ମାଡ଼ାମ ଉଠିବା ପରେ ଜାଣିହେବ ସମସ୍ୟା କଅଣ ? କିନ୍ତୁ ଯଦି ଜବରଦସ୍ତ ନିଦରୁ ଉଠେଇବ ତାହେଲେ ବିପଦ ଅଛି । ଠିକ ବୁଝିଲେ ତ ହେଲା, ନହେଲେ ରାଜଧାନୀଠୁ ୬୦୦ କି.ମି. ବଦଳି ଯିବାକୁ ପଡ଼ିବ । କେତେ ସାହେବାଣୀଙ୍କୁ ସନ୍ତୁଷ୍ଟ କରି ଏଠି ପୋଷ୍ଟିଂ ଟା କରିଛି, ଏତେ ସହଜରେ ହାତଛଡା କରିବି କେମିତି ? ସି.ଏମ୍‌.ଓ. କହିଲେ ତୁମେ ଠିକ୍ କହୁଛ ଯେ ଯଦି ମାଡ଼ାମ୍‌ଙ୍କର ଭଲ ମନ୍ଦ ହୋଇଗଲା ତା’ହେଲେ ବାରଶହ ବଢ଼େଇଙ୍କର ମୁଣ୍ଡକାଟ ହେଲାଭଳି ସମସ୍ତେ ରାଜଧାନୀ ଛାଡିବାକୁ ପଡିବ । କ’ଣ କରିବେ ? କଣ ନକରିବେ ଏମିତି ତ୍ରିଶଙ୍କୁ ଅବସ୍ଥାରେ ବିନା ଖିଆପିଆରେ ସମସ୍ତେ ବାରଣ୍ଡାରେ ଠିଆ ହୋଇଛନ୍ତି ।

         ଏଣେ ବାହାରେ ଜନସମାଗମ ବଢ଼ିବାରେ ଲାଗିଥିଲା । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ୍ ମଧ୍ୟ ମୁତୟନ କରିବାକୁ ପଡ଼ିଲା । ଦିନ ଗୋଟାଏରୁ ୫ଟା ହୋଇଗଲା କିନ୍ତୁ ମାଡ଼ାମଙ୍କର ନିଦ ଭାଙ୍ଗିଲାନି । ଭାରି ଅସୁବିଧାରେ ସବୁ ଲୋକ ପଡ଼ିଗଲେ । ଏସ୍‌.ପି. କିନ୍ତୁ ଜାଣିପାରୁ ନଥିଲେ ଯେ ଖବରଟା ସତ ନା ମିଛ ମାନେ ମାଡାମଙ୍କ ଦେହ ସତରେ ଖରାପ ନା ନା ନୁହେଁ । ଯାହାହେଉ, ସନିଆ ସଞ୍ଜବେଳେ ବାରଣ୍ଡାକୁ ବାହାରିଲା । ସମସ୍ତେ ଘେରିଗଲେ ପଚାରିଲେ ପ୍ରକୃତରେ କଥାଟା କଅଣ ?

ସନିଆ କହିଲା “ମାଡ଼ାମ୍ ସକାଳେ ପ୍ରଥମେ ଶିବ ମନ୍ଦିର ଯାଇଥିଲେ । ଆସିବାପରେ ଯେମିତି ଜଳଖିଆ କରନ୍ତି କରିଥିଲେ । ଏଗାରଟା ବେଳେ ମୋତେ କହିଲେ ଶୀଘ୍ର ଖାଇବାକୁ ଦେ ଭୋକ କଲାଣି । ଅଧା ରୋଷେଇ ହୋଇଥିଲା । ପୁଣି କଦଳୀ ୧ ଡଜନ, ବ୍ରେଡ୍ ୪ଟା ଓ ଜେଲି ଖାଇଲେ । ବାରଟା ନହେଉଣୁ ପୁଣି ଖାଇବାକୁ ମାଗିବାରୁ ତରବରରେ ଯାହା ରୋଷେଇ କରିଥିଲି ଦେଲି । ପେଟରେ କି ଭୋକ ଥିଲା କେଜାଣି ୨ ଥାଳି ଭାତ, ଡାଲି ଫ୍ରାଏ, ସାଲାଡ୍ ୨ ଥାଳି ଖାଇଗଲେ । ମୁଁ ତ ଆଁ କରି ଖାଲି ଦେଖୁଥିଲି । ଖାଇସାରି ମାଡ଼ାମ ଖାଲି ହସିଲେ । ତା’ପରେ ପୁଣି କାନ୍ଦିଲେ । ପୁଣି ୩/୪ ଗ୍ଲାସ୍ ପାଣି ପିଇ ଦେଲେ । ଟଳମଳ ହୋଇ ଚାଲିବାକୁ ଲାଗିଲେ । ଲୁଗାପଟା ଅସଂଯତ ଅବସ୍ଥାକୁ ଆସିଗଲା । ମୁଁ କେତେ କଷ୍ଟରେ ହାତ ଧରି ନେଇ ବେଡ଼୍‌ରେ ଶୁଆଇ ଦେଲି । ତା’ପରେ ତ ଶୋଇଛନ୍ତି । କହିବା ବାହୁଲ୍ୟ ସିଧା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ର ସାମ୍ବାଦିକ ଜଣକ ଏ ଭିତରେ ପଶି ମୋବାଇଲ୍ ସୁଇଚ୍ ଅନ୍ କରି ଦେଇଥିଲେ । କଥାଟା ଆହୁରି ପ୍ରଘଟ ହୋଇଗଲା ସନିଆର କଥା ଶୁଣିବା ପରେ ବିଶେଷଜ୍ଞଦଳଙ୍କର ଧୈର୍ଯ୍ୟଚ୍ୟୁତି ଘଟିଗଲା । ସମସ୍ତେ ନିଜ ନିଜ ଦୃଷ୍ଟିକୋଣରୁ ଚିନ୍ତା କରିବାକୁ ଲାଗିଲେ ଓ ଚିକିତ୍ସା ପାଇଁ ମଧ୍ୟ ଚିନ୍ତା କଲେ । କାରଣ ଯିଏ ନିଦାନ କରିପାରିବ ତା’ ଉପରେ ସାହେବଙ୍କର ଅଭୟ ହାତ ରହିବ । ସି.ଏମ୍‌.ଓ.ଙ୍କ ଆଦେଶକୁ ଅପେକ୍ଷା ନକରି ବିଶେଷଜ୍ଞ ଦଳ ମାଡ଼ାମଙ୍କ ରୁମ୍‌ରେ ପଶିଗଲେ । କିଏ ମୁଣ୍ଡ, କିଏ ହାତ, କିଏ ଗୋଡ଼ରେ ହାତ ମାରି ଦେଖିଲେ । ନିଜ ନିଜର ଷ୍ଟୋଥୋସ୍କୋପ୍ ଲଗାଇ ପ୍ୟାଡ଼୍‌ରେ ଲେଖିଲେ । କିଏ କହିଲା ଗ୍ୟାଷ୍ଟିକ୍‌, କିଏ ଏସିଡ୍‌, କିଏ ରକ୍ତଚାପ ବଢ଼ିବା କଥା କହିଲା ବେଳକୁ କିଏ କହିଲା ମାନସିକ ଚାପ ପଡ଼ିଛି । ଏତେ ଘଟଣା ହେଲା ପରେ ବି ସାହେବାଣୀ ନିଘୋଡ଼ ନିଦରେ ଶୋଇଥିଲେ । କାହାରି ନିଦ ଭାଙ୍ଗିବାର ସାହାସ ବି ନଥିଲା । ସମସ୍ତେ ଉଜାଗର ହୋଇ ବାରଣ୍ଡାରେ ରହିଲେ କିନ୍ତୁ ଅବସ୍ଥାରେ ପରିବର୍ତ୍ତନ ହେଲା ନାହିଁ । ରାତି ପ୍ରାୟ ୨ଟା ବେଳକୁ ସାହେବାଣୀଙ୍କ ନିଦ ଭାଙ୍ଗିଲା । ଆଖି ଖୋଲୁ ଖୋଲୁ ସନିଆ, ସନିଆ ବୋଲି ପାଟିକଲେ । ଦୌଡିକରି ସନିଆ ରୁମ୍ ଭିତରକୁ ମା’ ମା’, ବୋଲି ଉତ୍ତର ଦେଇ ପଶିଲା । ସାହେବାଣୀ କହିଲେ ହଇରେ ସନିଆ ୨ଟା ବେଳେ କ’ଣ ଲାଇଟ୍ ଜଳେଇଛୁ ଅଦିନିଆ ମେଘ ଆସିଲା କି ? ସନିଆ କହିଲା ମା’ ଦିନ ନୁହେଁ ରାତି ୨ଟା ହେଲାଣି । ଆପଣ ଦିନ ଗୋଟାଏରୁ ଶୋଇ ଏବେ ଉଠୁଛନ୍ତି । ଏଁ ମୋତେ ଏତେ ନିଦ ହୋଇଗଲା ଶାନ୍ତି ଲାଗୁଛି ସେଥିପାଇଁ । ସାହେବାଣୀ କହିଲେ ।

ସାଂଗେ ସାଂଗେ ଖବରଟା ବାହାରକୁ ଚାଲିଗଲା, ସାହେବାଣୀଙ୍କ ଚେତା ଆସିଲା । ସତେ ଯେମିତି ସମସ୍ତଙ୍କ ପ୍ରାଣ ପଶିଲା । ବିଶେଷଜ୍ଞମାନେ ମଧ୍ୟ ଅନୁମତି ନେଇ ଭିତରକୁ ପଶିଗଲେ । ଏତେ ଲୋକଙ୍କୁ ଦେଖି ସାହେବାଣୀ ବିରକ୍ତ ହେଲେ । ଏଣେ ବାହାରେ ଲୋକଙ୍କର ପାଟିତୁଣ୍ଡ ଶୁଣି ସାହେବାଣୀ ପଚାରିଲେ । କ’ଣ ହେଲା ? କାହିଁକି ଏ ପାଟିଗୋଳ ଶୁଭୁଛି । ସନିଆ କହିଲା ମା’ ସେକଥା ଛାଡ଼ନ୍ତୁ । ଆପଣ ଟିକେ ଶାନ୍ତିରେ ରହନ୍ତୁ । କିନ୍ତୁ ଯାହାହେଲେ ସାହେବାଣୀ, ଭିତରୁ ବାହାରକୁ ଆସିଲେ । ଦେଖିଲା ବେଳକୁ ପୋଲିସ୍‌, ହଜାର ହଜାର ଲୋକ । ମାଡ଼ାମଙ୍କ ନାମକୁ ପାପ ଛୁଇଁଲା । ସାହେବଙ୍କର କିଛି ହୋଇନାହିଁ ତ ? ମାଡାମ୍ ବାରଣ୍ଡାକୁ ଆସିବା ଦେଖି ସିଧା ପ୍ରସାରଣ କରୁଥିବା ଗେଟ୍‌ଠାରେ ଥିବା ଟିଭି ବାଲା ପୋଲିସ୍‌କୁ ଆଡ଼େଇ ଭିତରକୁ ପଶିଆସିଲେ କାରଣ ସେମାନେ ସାହେବାଣୀଙ୍କ ଟିଭି ପରଦାରେ ବାହାରିବା ଦୁର୍ବଳତା ଭଲକରି ଜାଣିଥିଲେ । ସେ ତାଙ୍କୁ ହାତ ଠାରି ଛାଡ଼ି ଦେବାକୁ କହିଲେ ।

ଟିଭିବାଲା ପଚାରିଲେ “ମାଡ଼ାମ୍‌, ଆପଣ ଦିନ ଗୋଟାଏରୁ ରାତି ୨ଟା ପର୍ଯ୍ୟନ୍ତ ଶୋଇଥିଲେ ମାନେ ୧୩ ଘଣ୍ଟା ଅଚେତ ହୋଇ ଶୋଇଲେ । ଆଗରୁ ତ ଏମିତି ଘଟଣା ହୋଇ ନଥିଲା ।” ମାଡ଼ାମ୍ କହିଲେ “କିଏ କହିଲା ମୁଁ ଅଚେତ ହୋଇ ଶୋଇଥିଲି । ମୁଁ ୧୩ ଘଣ୍ଟା ଯେମିତି କାଟିଛି ଜୀବନରେ କେବେ କାଟି ନଥିଲି । କି ସୁନ୍ଦର ସ୍ୱପ୍ନ ? କେତେ ଜାଗା ବୁଲି ଉଡ଼ିଛି ସଂକ୍ଷେପରେ କହିବା ଅସମ୍ଭବ ।” ଟିଭିବାଲା କହିଲେ “କିନ୍ତୁ ମାଡ଼ାମ୍ ଏତେ ସମୟ ଶୋଇ ସ୍ୱପ୍ନ ଦେଖିବା/ବୁଲିବା ସଉକ କେମିତି ହେଲା ସେ ରହସ୍ୟ ସମସ୍ତଙ୍କୁ କହିବେ କି ? ଆପଣ ଜାଣନ୍ତି ଯେ ସମସ୍ତ ଦର୍ଶକ ଦୀର୍ଘ ୧୦ ଘଣ୍ଟା ଧରି ଆପଣଙ୍କ ମୁହଁରୁ ପଦିଏ କଥା ଶୁଣିବା ପାଇଁ ଅପେକ୍ଷା କରି ବସିଛନ୍ତି ।” ମାଡ଼ାମ ଟିକିଏ ଫୁଲିଗଲେ । କହିଲେ “ସବୁ ସେଇ ଭୋଳାନାଥଙ୍କ ଇଚ୍ଛା । ତାଙ୍କର ନିର୍ଦ୍ଦେଶରେ ସବୁ ଚାଲିଛି ।” ଟିଭିବାଲା କଥାଟା ବୁଝିପାରିଲେନି । ପୁଣି ପଚାରିଲେ “ମାଡାମ୍‌, କଥାଟା ବୁଝି ହେଲାନି । ମାଡ଼ାମ୍ କହିଲେ କାଲି ପଣାସଂକ୍ରାନ୍ତି ଥିଲା । ମୁଁ ମନ୍ଦିରକୁ ପୂଜା ପାଇଁ ଯାଇଥଲି । ସେଠି ପୂଜା ପରେ ପ୍ରଭୁଙ୍କର ପଣା ପୂଜାରୀ ଦେଲେ । ପଣାଟା ଭଲ ଲାଗୁଥିଲା । ମୁଁ ମାଗିକରି ଆଉ ଦୁଇ ଗ୍ଲାସ୍ ପିଇଦେଲି । ତା’ପରେ ଘରକୁ ଆସିଲି । କେଜାଣି କାହିଁକି ଭୋକ ମାଡିଆସିଲା । କେତେ କ’ଣ ଖାଇଛି ମନେନାହିଁ । ତା’ପରେ କଣ ହେଲା ବି ଜାଣିନି । କିନ୍ତୁ ଯାହା କିଛି ଏହା ପ୍ରଭୁଙ୍କ ପଣାର କରାମତି । କେତେ ଭଲ ସ୍ୱପ୍ନ, ଶାନ୍ତି ଲାଗୁଛି । ଜୀବନରେ ଏକ ନୂତନ ସ୍ୱାଦ ପାଇଛି ।

କହିବା ବାହୁଲ୍ୟ ଏ ଭିତରେ ସାହେବ ବିଦେଶ ଗସ୍ତ ବାତିଲ କରି ଆସି ପହଂଚିଗଲେ କାରଣ ସନିଆ ପ୍ରଥମରୁ ହିଁ ତାଙ୍କୁ ଖବର କରିଦେଇଥିଲା । ଲୋକଙ୍କର ସମାଗମ ଦେଖି ତାଙ୍କ ମନରେ ତ ପାପ ଛୁଇଁ ସାରିଥିଲା କିନ୍ତୁ ମାଡ଼ାମଙ୍କୁ ଦେଖିବା ପରେ ଜୀବନ ପାଇବା ଭଳି ଲାଗିଲା । ମାଡ଼ାମ, ସାହେବଙ୍କୁ ଦେଖି ଅବାକ୍ ହୋଇଗଲେ । ତୁମେ କ’ଣ ଅଚନାକ ଫେରି ଆସିଲ । ସାହେବ କହିଲେ ହଁ ଛାଡ ସେ କଥା । ତୁମେ ଏବେ ଠିକ୍ ଅଛ ତ ? ମାଡ଼ାମ୍ କହିଲେ “କାହିଁ, ମୋର ତ କିଛି ହୋଇନି ।” ସାହେବ ସାଂଗେ ସମସ୍ତଙ୍କୁ ବିଦା ହେବା ପାଇଁ କହିଲେ । ଲୋକେ ଯେମିତି ବୋମା ଥିବା ଖବର ପାଇବା ପରେ ପଳାଇ ଯାଆନ୍ତି ସେମିତି ୧୦ ମିନିଟ୍ ଭିତରେ ଅଞ୍ଚଳଟି ସାହେବଙ୍କ ଆଦେଶରେ ଜନଶୂନ୍ୟ ହୋଇଗଲା ।

ସାହେବାଣୀ, ସାହେବଙ୍କୁ କହିଲେ ଭୋଳାନାଥଙ୍କ ପ୍ରସାଦ ସତରେ ମହାନ୍ । କେତେ ଶାନ୍ତି, ତୁମେ ବି ସବୁଦିନ ସେବନ କର । ଶାନ୍ତି ପାଇବ । ମୋତେ ସବୁଦିନ ସେଇ ପ୍ରସାଦରୁ ଦୁଇଗ୍ଲାସ୍ ସେବନ କରିବାର ବ୍ୟବସ୍ଥା କରିବାକୁ ଆଦେଶ କରିଦିଅ । ସାହେବ ଜାଣିପାରିଲେନି, ଭାବିଲେ ଏ ପାଗଳୀ ହୋଇଯାଇଛି ନା’ କଣ ? କହିଲେ ହଉ ଆଉ ଟିକିଏ ଶୋଇପଡ଼ ସବୁହବ । ହାଇ ମାରି ମାଡ଼ାମ୍ ପୁଣି ଶୋଇବାକୁ ଗଲେ ।

ସନିଆଁଠାରୁ ସାହେବ ସବୁ କଥା ଆଦାୟ କଲେ । ମନ୍ଦିର ପୂଜାରୀକୁ ଡ଼କାଇ ବୁଝିଲେ ଯେ ମାଡ଼ାମ ଗତକାଲି ସଂକ୍ରାନ୍ତିରେ ମନ୍ଦିର ଯାଇଥିଲେ । ସେଠି ଭାଙ୍ଗ ମିଶା ପଣା ଗିଲାସେ ନୁହେଁ ତିନିଗ୍ଲାସ୍ ପିଇ ଦେଇଛନ୍ତି । ଆଉ ଯାହା କାଣ୍ଡ ହୋଇଛି ଏଥିପାଇଁ ।

କହିବା ବାହୁଲ୍ୟ ପରଦିନ ଠାରୁ ସାହେବାଣୀ ପଣା ନିୟମିତ ପିଇଲେ ଓ ଅନିଚ୍ଛା ସତ୍ତ୍ୱେ ମଧ୍ୟ ସାହେବ ପୂଜାରୀ ପଣା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଲେ ଅବଶ୍ୟ ଭାଙ୍ଗର ମାତ୍ରା କମ୍ କରି ପକାଇବା ପାଇଁ କହିଥିଲେ ।

*****



Rate this content
Log in

More oriya story from Sanjaya Ananda Kumar Tripathy

Similar oriya story from Comedy