Sanjaya Ananda Kumar Tripathy

Comedy

4.0  

Sanjaya Ananda Kumar Tripathy

Comedy

ବଡ଼ ଲୋକଙ୍କର ନାତି

ବଡ଼ ଲୋକଙ୍କର ନାତି

3 mins
262



ଇଏ ହେଲେ ବଡଲୋକଂକର ନାତି । ତାଙ୍କର ଜେଜେବାପା ଜଣେ ପ୍ରତିପତ୍ତିଶାଳୀ ଲୋକ ଥିଲେ । ବାପା କିନ୍ତୁ ଉପରକୁ ଉଠି ପାରିଲେ ନାର୍ହି । ଜେଜେ ବାପାଙ୍କର ସମ୍ପତ୍ତି ସେ ସ୍ୱର୍ଗାରୋହଣ କଲାପରେ ବାପା ବସି ବସି ଖାଇଲେ । ହେଲେ ବାପାଙ୍କର ଗୁଣ ପୂରା ଭାବେ ନ ଥିବାରୁ ଉପରକୁ ଉଠି ପାରିଲେ ନାହିଁ । ସରପଞ୍ଚ, ଏମ୍‌.ଏଲ୍‌.ଏ.ରେ ପାର୍ଟି ଟିକେଟ ଆଣି ସମ୍ପତ୍ତି ସାରିଲେ ସିନା, ଅମାନତ ହାରିଗଲେ । ହେଲେ ନାତି ବି କମ୍ ନୁହଁ କାରଣ ଯୁବକ ଅବସ୍ଥା ପର୍ଯ୍ୟନ୍ତ ବସି ବସି ଖାଇଛନ୍ତି ।

କଥାରେ ଅଛି ବସି ଖାଇଲେ ନଈବାଲି ସରେ । ଏମାନେ ତ ବସି ବସି ଖାଇଲେ, ଲୋକଙ୍କୁ ଖୁଆଇଲେ । ବାପାଙ୍କର ମୃତ୍ୟୁପରେ ଏବେ ନାତିଙ୍କର କାତି ଛାଡ଼ିଯାଇଛି । ହେଲେ ଜାତି ରହିଛି, ଖ୍ୟାତି ରହିଛି । କାରଣ କବି ଭାଷାରେ

 ‘ଦେଶରେ ବିଦେଶରେ ଚାରିଆଡ଼େ ତାଙ୍କର ଖ୍ୟାତି, ଡିଗ୍ରୀ ନାହିଁ, ପଦବୀ ନାହିଁ 

କେବଳ ସେ ବଡଲୋକଂକର ନାତି ।’

ତାଙ୍କର ପୁରୁଣା ଗାଡ଼ି ଅଛି, ରାଜପ୍ରାସାଦ ଭଳି ଘର ଅଛି । ଡାଇନିଂ ଟେବୁଲରେ ଖାଇବା ହେଉଛି, କିନ୍ତୁ ଜଳଖିଆରେ ଚୁଡ଼ାଚକଟା(ବିନାକ୍ଷୀର, ଅଳ୍ପ ଚିନିରେ), ଅଟା ଚକୁଳି । ଖରାବେଳେ ପଖାଳ ବଢ଼ା ହେଉଛି ଶୁଖୁଆ ପୋଡ଼ା ସାଂଗରେ । ନାତି କହନ୍ତି, ଏହା ମୋର ପ୍ରିୟ ଖାଦ୍ୟ । ଖାଣ୍ଟି ଦେଶୀ ଖାଦ୍ୟ । କିନ୍ତୁ ଏହା ଜିଭ ଅଗର କଥା ନିଜ କାନକୁ ସାନ୍ତ୍ୱନା ଦେବାପାଇଁ । ବାହାରକୁ କିନ୍ତୁ ଦେଖେଇହେବା ଲୋକ । ଏବେ ବି ଆଶା, ଯେତେବେଳେ ହେଉ ଟିକେଟ ମିଳିବ । ସେ ନିର୍ବାଚନ ଲଢିବେ ଓ ମନ୍ତ୍ରୀ ହେବେ । ପୁଣି ଅୟସ କରିବେ । ଭବିଷ୍ୟତରେ ସାତ ପୁରୁଷ ପାଇଁ ରଖିଯିବେ ଯେମିତି ତାଙ୍କ ଭଳିଆ ଯେତେ ଜନ୍ମ ହେଲେ ଏ ଦଶା ଭୋଗିବେ ନାହିଁ । ଅଭିନୟରେ ସିନେମାର ନାୟକଠୁ ବଳି ଗଲେଣି । ସବୁ ଖାନ୍‌ଦାନୀ ଭାଷାରେ କହିବାକୁ ପଡ଼ୁଛି । ଭାଗ୍ୟ ଭଲ, ଘରେ ଥିବା ଖାନ୍‌ଦାନୀ ଚାକର, ରୋଷେଇଆ ଏ ପର୍ଯ୍ୟନ୍ତ ଅଛନ୍ତି ଓ ଖାନ୍‌ଦାନୀ ଭାଷା ବୁଝି ଇଜ୍ଜତ ରକ୍ଷା କରୁଛନ୍ତି । ମାନିବାକୁ ପଡ଼ିବ, ତାଙ୍କର ଧୈର୍ଯ୍ୟକୁ ଓ ଘର ସହିତ ଜଡ଼ିତ ଥିବା ଖାନଦାନୀ ଲୋକଙ୍କର ଧୈର୍ଯ୍ୟକୁ । ସମସ୍ତଙ୍କର ଆଶା ଏବେ ରାତି ହୋଇଛି । ନିଶ୍ଚୟ ଦିନେ ସକାଳ ହେବ ।

ଦିନକର କଥା । ମଧ୍ୟାହ୍ନ ଭୋଜନ କରିବାକୁ ନାତି ବସିଥିଲେ । ଆଗରୁ କହିଛି ପଖାଳ ସାଂଗରେ ଶୁଖୁଆ ପୋଡ଼ା । ଘରେ ଥିବା ରୋଷେଇୟା ବାଢ଼ିବା ଆରମ୍ଭ କରୁଛି । ହଠାତ୍ କଲିଂ ବେଲ୍ ବାଜି ଉଠିଲା । ବାଧ୍ୟହୋଇ ଉଠିଗଲେ । ବିରକ୍ତ ଲାଗିଲା । ଖାଇବା ସମୟରେ କିଏ ଆସିଲା । ଯାଇ କବାଟ ଖୋଲି ଦେଖିଲା ବେଳକୁ ସେଠ୍ ଲାଲଚଂଦ ହାଜର । ବାଧ୍ୟହୋଇ ଡ଼୍ରଇଂରୁମରେ ବସିଲେ । ଏପଟେ ରୋଷେଇୟା ବାଡ଼ିପଟକୁ ପ୍ରକୃତିର ଡାକରାରେ ଚାଲିଗଲା । କହିବା ବାହୁଲ୍ୟ ରୋଷେଇ ଘର କବାଟଟା ଖୋଲା ରହିଥିଲା । ଫେରିଲା ବେଳକୁ ଦେଖିଲା ଶିକା ଉପରେ ଥୁଆ ହେଉଥିବା ଶୁଖୁଆକୁ ବିଲେଇ ଝାମ୍ପିନେଇ ପଳାଇ ଯାଉଛି । କରିବ କଅଣ ? ବାଡ଼ି ଧରି ମାରିଲା ବେଳକୁ ସେଇଟା ଯାଇ କବାଟ ଉପରେ ପଡ଼ିଲା । ଅଯଥା ଶବ୍ଦ ସୃଷ୍ଟି ହେଲା । ବାଧ୍ୟହୋଇ କବାଟ ଆଉଜି ଦେଇ ଗଲା ନାତିଙ୍କୁ ଖବର ଦେବ । କଅଣ ଗୋଟାଏ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିବ । ଏବେ ଖାଇବା ସମୟ ଗଡ଼ିଯାଉଛି । ଅସମୟରେ ଲୋକଟା ହାଜର ହୋଇଯାଇଛି । ଦେଖୁନ, ଆସୁ ଆସୁ ଶନିଦଶା, ଶୁଖୁଆକୁ ବିରାଡ଼ି ନେଇ ଗଲା । ଆରେ ଟେନ୍‌ସନ୍ କିଏ ନେବ, ମୁଁ ନା ଆଉ କିଏ । ଧୀରେ ଧୀରେ ଯାଇ ଡ଼୍ରଇଁ ରୁମରେ ପହଂଚିଗଲା । ଖାନ୍‌ଦାନୀ ଭାଷାରେ କହିବାକୁ ପଡ଼ିବ, ନହେଲେ ଇଜ୍ଜତ ଯିବ । କହିଲା “ସାହେବ୍ ଜୀ ଟାଇଗର୍ ମାଲ୍ ଲୁଟି ନେଲା ।” ନାତି ସାଂଗେ ସାଂଗେ ବୁଝିଗଲେ ଯେ ଶୁଖୁଆକୁ ଟାଇଗର ମାନେ ବିରାଡ଼ି ଖାଇଦେଲା । କିନ୍ତୁ ସେଠ୍ ଲାଲଚଂଦ ମୁଣ୍ଡରେ ଏକଥା ପଶିବ କୁଆଡ଼ୁ । ସେ ବୁଝିଲା ଏହାଙ୍କର କେତେ ବେପାର । ଟାଇଗର୍ ବୋଲି କୋଉ ଦାଦା ବୋଧହୁଏ ଟ୍ରକରେ ଆସୁଥିବା ମାଲ୍ ଲୁଟି ନେଲା ।

ନାତି ପୁଣି ପ୍ରସଙ୍ଗକୁ ଆସି ପଚାରିଲେ “ମାଲ୍ ଦଶ କୋଟିରେ କିଣା ହୋଇଥିଲା ବୋଧହୁଏ ।” ରୋଷେଇୟା କହିଲା, “ହଁ ସାହେବ ।" "ଗଲାତ ଗଲା କଅଣ କରିବା ।” ପୁଣି ନାତି କହିଲେ । ସେଠ୍ କେଉଁଠୁ ଜାଣିବ ଯେ ଶୁଖୁଆଟା ଦଶ ଟଙ୍କାରେ କିଣା ହୋଇଥିଲା । ସେ ବୁଝିଗଲା ଯେ ଦଶ କୋଟି ଟଙ୍କାର ମାଲ୍ ଲୁଟ ହେଲା ପରେ ବି ନାତିର ଟିକେ ଦୁଃଖ ନାର୍ହି । ହଁ ବଡ଼ଲୋକ, କୋଟି କୋଟି କାରବାର । ଆଜି ଏଠୁ ଚାଲିଗଲା । କାଲି ଅନ୍ୟ କେଉଁଠୁ ଆସିଲେ ମିଳେଇ ହୋଇଯିବ ।

ନାତି କହିଲେ “ଆଚ୍ଛା ସେ କଥା ଛାଡ଼ । ଅମ୍ବାଲାର ଜିନିଷ ଅଛି ନା ନାହିଁ । ତାକୁ ପଠାଇବାର ବ୍ୟବସ୍ଥା କର । “ହଁ ସାହେବ୍ ।” ରୋଷେଇୟା କହିଲା । ବୁଝିଗଲା ଯେ ଘରେ ଥିବା ଆମ୍ବୁଲକୁ ପାଗ କରିବାକୁ ପଡ଼ିବ । ସେଥିରେ ପଖାଳ ପାର ହୋଇଯିବ । ସେଠ୍ ବୁଝିଗଲା ଯେ ଅମ୍ବାଲାରୁ ଆସିଥିବା ମାଲକୁ ବ୍ୟବସ୍ଥା କରି ଟାଇଗର୍ ଲୁଟିିଥିବା ମାଲ ବଦଳରେ ପଠାଇବାକୁ ପଡ଼ିବ । ବାପ୍‌ରେ ବାପ୍‌, ଧନ୍ୟ ଏମାନଙ୍କର ଖାନ୍‌ଦାନ୍ ଓ ଚାଲିଚଳଣ । ସେ ଦେଇଥିବା ପଇସା କିଛି ପାଇବା ଆଶାରେ ଆସିଥିଲା । ଦଶ କୋଟି ଟଙ୍କାର ମାଲ୍ ଲୁଟି ହେବା ଘଟଣା ଶୁଣିବା ପରେ ଔପଚାରିତା ଦୃଷ୍ଟିରୁ ଆଉ ପ୍ରସଙ୍ଗ ନ ଉଠାଇ ଚାଲିଗଲା । ନାତି ବି ଖୁସ୍ । ଶୁଖୁଆ ଦି ଟା ଗଲା ସିନା । ଖାନ୍‌ଦାନୀ ଭାଷା ଯୋଗୁଁ ଇଜ୍ଜତଟା ବର୍ତ୍ତିଗଲା କାରଣ ସେଠାରୁ ଆଣିଥିବା ଦଶ ଲକ୍ଷ ଟଙ୍କା ବଦଳରେ ଦଶ ଟଙ୍କା ଦେବା ପାଇଁ ମଧ୍ୟ ଶକ୍ତି ନ ଥିଲା ।

ଧନ୍ୟ ବଡଲୋକଂକର ନାତି, ଧନ୍ୟ ତାଙ୍କର ଭାଷା, ଧନ୍ୟ ତାଙ୍କର ଚାକର, ଧନ୍ୟ ତାଙ୍କର ଟାଇଗର୍ ଯାହା ପାଇଁ ସେଠ୍ ଲାଲଚଂଦର ମୁଣ୍ଡ ଖାଇଗଲା ଚକ୍କର୍ ।



Rate this content
Log in

Similar oriya story from Comedy