Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Lipi Sahoo

Comedy

4.8  

Lipi Sahoo

Comedy

ମନ୍ତ୍ରୀ......ନିଖୋଜ

ମନ୍ତ୍ରୀ......ନିଖୋଜ

8 mins
423


ସହର ସାରା ଚପା ଗୁଞରଣ । ପତଳା କୁହୁଡି ଭରା ଶୀତ ସଞ ନଇଁ ଆସୁଥାଏ , ତା ସହ କୁହୂକମୟ ସାରା ଅଞ୍ଚଳ । ଏଣେତେଣେ ଚା ପାନ ଦୋକାନ ଖଟିରେ ଆବଶ୍ୟକତା ଠାରୁ ଅଧିକ ଗହଳି । ଠାଏ ଠାଏ ପଲେ ଏକାଠି ହୋଇ ଭଅଁର ପରାଏ ଗୁଣୁ ଗୁଣୁ ହୋଉଥାନ୍ତି । ପାହାଡ଼ ବଣ ଘେରା ଶାନ୍ତ ସୁନ୍ଦର ଛୋଟ ସହର ଟିଏ । ହାଟ ନାହିଁ କି ପର୍ବ ନାହିଁ ତଥାପି ହାଳୁ ହାଳୁ ଲୋକ । ଆଉ ତୁଣ୍ଡ ବାଇଦ ସହସ୍ର କୋଶ ଭଳି ଆଖ୍ୟାନ ତ ଆଗରୁ ଅଛି । ଏବେ ତ ତା ଠାରୁ ଆଉରି ଗୋଟେ ଖୀପ୍ର ମାଧ୍ୟମ ଆସି ଯାଇଛି 'ସୋସିଆଲ ମିଡ଼ିଆ' । ଆଜି ଖରାବେଳୁ ଏଇ ଅଞ୍ଚଳ ର ବିଧାୟକ ତଥା ପୂର୍ବତନମନ୍ତ୍ରୀ ଧୁରନ୍ଧର ବାବୁ , ଗାୟେବ ! ଯାଦୁକର ଯେମିତି ଆଖି ଆଗରେ ମଣିଷ କୁ ଗାୟେବ କରେ ଠିକ୍ ସେମିତି ମାତ୍ର ଦଶ ମିନିଟ୍ ଭିତରେ ମନ୍ତ୍ରୀ ଗାୟେବ ହେଇଛନ୍ତି । ଏହା କ'ଣ ଗୋଟେ ଛୋଟ ଘଟଣା କି ??? ସବୁ ମିଡିଆବାଲା ଆସି କେତେବେଳ ଠୁ ଏଇ ସହର ସାରା ପଙ୍ଗପାଳ ଭଳି କ୍ଷେପି ଗଲେଣି । ସହର ସାରା ବୁଲି ବୁଲି ଲୋକଙ୍କ ପ୍ରତିକ୍ରିୟା ନେଉଥାନ୍ତି । ତେଣୁ ସେଠିକା ବାସିନ୍ଦା ଏବେ ଖୁବ୍ ଜୋସ୍ ରେ ଅଛନ୍ତି । ଟିଭି ରେ ବାଇଟ୍ ଦେବା କ'ଣ ଛୋଟ କଥା ନା କ'ଣ ?? ସବୁ ଚଇନି ଚିକଣ ହେଇ ମେଳି ବାନ୍ଧି ଠାଏ ଠାଏ ଚର୍ଚ୍ଚା ଚଲେଇଥାଆନ୍ତି । କେତେବେଳେ କୋଉ ଟିଭିବାଲା ଆସି ଧରିପକେଇ କିଛି ପଚାରି ଦେବ କିଏ ଜାଣେ ? ଜଣଙ୍କୁ ପଚାରିଲେ ପଚାଶ ଆସି ଠିଆ ହେଉ ଥାଆନ୍ତି । ମଝିରେ ମଝିରେ ନାରାବାଜି ବି ଦେଇ ଦୋଉଥାଆନ୍ତି । ଯାହା ହେଲେ ବି ଟିଭିରେ ଟିକେ ମୁହଁ ଟା ଦିଶି ଯିବନା । ଦେଶ ବିଦେଶ ସବୁଠି କେତେ ଲୋକ ଦେଖିବେ । ରାଜ୍ୟ ସାରା ଏଇ ଚାଞ୍ଚଲ୍ୟକର ଖବର କୁଟାଗଦା ରେ ନିଆଁ ଭଳି ହୁ ହୁ ହେଇ ମାଡି ଗଲାଣି । ବିଚରା ସହରର ଆରକ୍ଷୀ ବିଭାଗ ର ନିଦ ଉଡି ଗଲାଣି । ଉପରୁ ଖୁବ୍ ପ୍ରେସର ପଡୁଛି ସେଥିରେ ଏଇ ଟିଭିବାଲା ଙ୍କ ତାମସା ସେମାନଙ୍କ ମୁଣ୍ଡକୁ ଟିଣ କରି ସାରିଲାଣି ।


                  ସହର ମଝିରେ ମନ୍ତ୍ରୀ ଙ୍କ ଛୋଟିଆ ପ୍ରାସାଦ ସମ ଘର । ସଂନ୍ଧ୍ୟାରେ ଟିଭିବାଲା ଯାଇ ତାଙ୍କ ପରିବାର ଲୋକ ଙ୍କର ଇନଣ୍ଟରଭ୍ୟୁ ନେଲା । ତିଳ କୁ ତାଳ କରିବା ସେମାନଙ୍କୁ ଠିକ୍ ଜଣା । ଯେମିତି.....

 ଘରେ କାହା ସହ ମନାନ୍ତର ବା ମତାନ୍ତର ହେଇଥିଲା କି ???   

 କୌଣସି ମାନସିକ ଆଘାତ ପାଇଲା ଭଳି ଘଟଣା ଥିଲା କି ????

 ମାଓ ପ୍ରବଣ ଅଞ୍ଚଳ ହିସାବରେ ମାଓବାଦୀ ଙ୍କ ଉପରେ ସନ୍ଦେହ ଅଛି କି ?????  

 ପଇସା ପାଇଁ ଅପହରଣ କି ????

             ଏଇ ପରି ଅନେକ ପ୍ରଶ୍ନ । ସବୁ ଶୁଣି ପୁଚୁକି ମାଡାମ (ମନ୍ତ୍ରୀ ଙ୍କ ସ୍ତ୍ରୀ) ପାଟି ଖୋଲିଲେ ଶକ ଶକ ହେଇ କହିଲେ ତାଙ୍କର ଜୀବନକୁ ତ ସେ ଜନତାଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି । କାମକୁ ସେ ପୂଜା ବୋଲି ଭାବନ୍ତି । ରାତିଦିନ ସେଇ ଲୋକଙ୍କ ଚିନ୍ତା । ତାଙ୍କୁ ପୁଣି କିଏ ନେଲା ? ଏତକ କହି ସେ ନାକ ପୋଛିଲେ । ଟିଭିବାଲା କୋଉ ଛାଡିବା ଲୋକ ସାଙ୍ଗେ ସାଙ୍ଗେ ପଚାରି ଦେଲା ଏଇ କେଇ ମାସ ତଳେ ମନ୍ତ୍ରୀ ଙ୍କ ନାଁରେ ଯୋଉ ସ୍କାମ ମାମଲା ଆସିଥିଲା ? ସାର୍ ଙ୍କୁ ମନ୍ତ୍ରୀ ପଦ ହରେଇବାକୁ ପଡ଼ିଥିଲା । ଏଇ ଘଟଣାର ତା ସହିତ କିଛି ସଂପୃକ୍ତି ନାହିଁ ତ ? ପୁଚୁକି ମାଡାମ ପୁରା ଚିହିଁକି ଉଠି କହିଲେ ଆପଣ ମାନେ କ'ଣ ଜାଣି ନାହାନ୍ତି କି ?? ସେଥି ପାଇଁ ତାଙ୍କୁ କ୍ଲିନଚିଟ ମିଳିସାରିଛି । ନିଜ ସ୍ବାଭିମାନ ଦୃଷ୍ଟିରୁ ଇସ୍ତଫା ଦେଲେ । ଏଇ ସବୁ ବିରୋଧୀ ମାନଙ୍କ ଚାଲ ବଦନାମ କରିବା ପାଇଁ । ହେଲେ ଆପଣମାନେ ମୋ ସ୍ୱାମୀ ମିଳିବାରେ ସାହାଯ୍ୟ କରିବାକୁ ଆସିଛନ୍ତି ନା ପୋତା ମୁର୍ଦାର ଖୋଳି ବାହାର କରିବାକୁ ଆସିଛନ୍ତି ??? ଟିଭିବାଲା ବେଶ୍ ବିଚକ୍ଷଣ ପାଣିରେ ସର ପକେଇବା ପାଇଁ କହିଲେ ନାଇଁ ନାଇଁ ମାଡାମ ଆପଣ ଭୂଲ ବୁଝୁଛନ୍ତି । ଆମେ ଚାହୁଁଚୁ ସବୁ ଦିଗରୁ ଅନୁସନ୍ଧାନ କରାଯାଉ। ତା ହେଲେ ସାର୍ ଶିଘ୍ର ମିଳିଯାଇ ପାରନ୍ତି । ପୁଚୁକି ମାଡାମ କଥାକୁ ଆଉ ନ ଲମ୍ବେଇ ହାତଯୋଡି ଧାର ଧାର ଲୁହ ଗଡ଼େଇ ସରକାର ଙ୍କୁ ଅନୁରୋଧ କଲେ ତାଙ୍କୁ ଶିଘ୍ର ଖୋଜି ବାହାର କରନ୍ତୁ । ଯାହା ହେଲେ ବି ଏପରି ଏକ ଅକସ୍ମାକ ଅଘଟଣା ସେମାନଙ୍କ କଳ୍ପନାତୀତ । 

              

             ପରିବାର ପରେ ଏବେ ମନ୍ତ୍ରୀ ଙ୍କ ପିଏ ଛଟପଟ ବାବୁଙ୍କ ପାଳି । ସେମିତି ଅନେକ ପ୍ରଶ୍ନ ବାଣ ତାଙ୍କ ପାଇଁ ବି ଥିଲା ।

  କାଲି କେତେବେଳ ଯାଏଁ ଆପଣ ତାଙ୍କ ପାଖରେ ଥିଲେ ??

  ଆପଣଙ୍କ ଅଜାଣତରେ ସେ କିପରି କୁଆଡେ ଗଲେ ??

  ସାର୍ ଙ୍କ ଉପରେ କୌଣସି ରାଜନୈତିକ ବା ପାରିବାରିକ ଚାପ ଥିଲା କି ??

  କୌଣସି ଲୋକ କି ସଂସ୍ଥା ଧମକ ଦେଇଥିଲେ କି ????

  ଏପରିକି କୌଣସି ତ୍ରିକୋଣୀୟ ପ୍ରେମ ବ୍ୟାପାର ଥିଲା କି ????

            ବିଚରା ଛଟପଟ ବାବୁଙ୍କ ଅବସ୍ଥା ଶରବିଦ୍ଧ କପୋତ ପରି ଥିଲା। ମୁହଁ ଖୋଲିଲେ କିଳା ବନ୍ଦ ରଖିଲେ କିଳା । ଶେଷରେ ରାତିରେ ପୋଲିସ ଆସି ପରିବାର ସହ କଥାବାର୍ତ୍ତା କରିବା ସହ ବିଚରା ପିଏଙ୍କୁ ଉଠେଇ ନେଲା । ତା ପରେ ତ ପଚରାଉଚରା ପର୍ବ ଚାଲିଲା । ସେ ତ କିଛି ଜାଣି ନାହାନ୍ତି କହିବେ କ'ଣ ?? ଛଟପଟ ବାବୁ ଯେତେ ଛାଟିପିଟି ହେଇ କହିଲେ ବି ପୋଲିସ ଠେଙ୍ଗେନ୍ଦ୍ର ବାବୁ ନଛୋଡବନ୍ଧା । ସତରେ ବି ସେମିତି ସନ୍ଦେହ ଜନକ ଘଟଣା କିଛି ବି ଘଟି ନଥିଲା , ତ ସେ କହିବେ କ'ଣ ??


ଠେଙ୍ଗେନ୍ଦ୍ର ବାବୁ ଗମ୍ଭୀର ହୋଇ ପଚାରିଲେ ସେଇ କଥାତ ତୁମ ଅଜାଣତରେ ରେ ସାର୍ କୁଆଡେ ଚାଲି ଯିବେ ତାହା ତ ସମ୍ଭବ ନୁହେଁ । ଆପଣ ତ ସାର୍ ଙ୍କ ଅତି ନିକଟତମ ଲୋକ । ସାର୍ ଙ୍କ ପ୍ରତି ଲୋମକୂପ ତୁମକୁ ଜଣା । ଆଉ ଡେରି ନ କରି ସବୁ ଓକାଳି ପକା।

      କାନମୁଣ୍ଡ ଆଉଁସି ଛଟପଟ ବାବୁ କହିଲେ ଆଜ୍ଞା , ସାର୍ ୯ଟା ବେଳେ ଅଫିସ୍ ଆସିଥିଲେ । ତା'ପରେ ଘଣ୍ଟେ ପରେ ମୋତେ କହିଲେ ଘରକୁ ଯାଉଛି । ମୁଁ ସେ କାଙ୍ଗାଳି ଦୋକାନ ରେ ଯାଇ ଚା ପିଉଛି ଦଶ ମିନିଟ୍ ପରେ ଗାଡ଼ି ଦୋକାନ କୁ ପଠେଇବ । ମୁଁ ହଁ ମାରିଲି , ସାର୍ ଚାଲି ଚାଲି ଦୋକାନ ଆଡେ ଗଲେ । କାଙ୍ଗାଳି ଦୋକାନ ଏଠୁ ଶହେ ମିଟର ଦୂର । ଏମିତି ସାର୍ ବହୁତ ଥର କରନ୍ତି । ମୁଁ ଦଶ ମିନିଟ୍ ପରେ ଗାଡ଼ି ପଠେଇଲି ହେଲେ କାଙ୍ଗାଳି କହିଲା ସାର୍ ତ ଏଠିକି ଆସି ନାହାଁନ୍ତି । ଡ଼୍ରାଇଭର ପୋତାମୁହାଁ ମୋତେ ସେଇଠାରୁ ଫୋନ୍ କଲା । ମୁଁ ଧାଇଁଲି କାଙ୍ଗାଳି ଦୋକାନ କୁ ତା'ପର ଠାରୁ ତ ଆଉ ସାର୍ ଙ୍କ ଖବର ନାହିଁ । ସାର୍ ସେଦିନ ମୋବାଇଲ୍ ଘରେ ଛାଡ଼ି ଆସିଛି ବୋଲି କହିଥିଲେ । ମୁଁ ସାଙ୍ଗେ ସାଙ୍ଗେ ସାର୍ ଙ୍କ ଘରକୁ ଫୋନ୍ କଲି ସେଠି ବି ପହଞ୍ଚି ନଥିଲେ । ଯାହା ଘଟଣା ଘଟିଛି ଏଇ ଦଶ ମିନିଟ୍ ଭିତରେ । 

         କିଛି ଭାବି ଛଟପଟ ବାବୁ କହିଲେ , ହେଲେ ସାର୍ ଙ୍କର ନୂଆ ନୂଆ ମୋବାଇଲ୍ କିଣିବା ଭାରି ସଉକ । ପୁଣି ସବୁ ଥିରେ ନୂଆ ନୂଆ ସିମ୍ । ଅଳ୍ପ ଦିନ ହେବ ସେ ତାଙ୍କର ଗୋଟେ ବହୁତ ପୁରୁଣା ମୋବାଇଲ୍ କୁ ଧରୁଥୁଲେ । ସେ ନମ୍ବର ବି ମୋ ପାଖରେ ନାହିଁ କି କାହା ପାଖରେ ବି ନ ଥିବ। 


           ଏଇ ଅଳ୍ପ ଦିନ ହେଲା ସାର୍ ଙ୍କ ଏକ ଅଜବ ନିଶା ଲାଗିଥିଲା । ସେଇ ମୋବାଇଲ୍ ରେ କ'ଣ ଗୋଟେ ଗେମ୍ ଖେଳୁ ଥିଲେ । ସେଥିରେ ବିଭିନ୍ନ ପ୍ରକାରର ପ୍ରଶ୍ନ ସବୁ ଆସୁଥିଲା ଯେମିତି ପୁରାଣ, ଇତିହାସ ଭୂଗୋଳ, ମାନସାଙ୍କ ଇତ୍ୟାଦି । କହନ୍ତୁନି ମୁଁ ପୁରା ନାକେଦମ୍ ହେଇ ସାରିଲିଣି । କେତେବେଳେ ଗୁଗଲ ରେ ଖୋଜୁ ଥିଲି ତ କେତେବେଳେ ମୋ ସ୍ତ୍ରୀ ଛୁଆ ପିଲାଙ୍କୁ ପଚାରି ପଚାରି ସବୁ ଉତ୍ତର ଦେଉଥିଲି । କେତେବେଳେ କୋଉ ପ୍ରଶ୍ନ ଆସିଯିବ ଜଣା ନାହିଁ । ମୋତେ ତ ଲାଗୁଥିଲା ମୁଁ ଯେମିତି ମାଟ୍ରିକ ପରୀକ୍ଷା ଦେଉଥିଲି । ମୁଁ ଯେତେ ପଚାରିଲେ ସାର୍ ଏଇଟା କ'ଣ ? କାହାକୁ ୟେ ଉତ୍ତର ସବୁ ପଠଉଛନ୍ତି ?? ସେ କିଛି କୁହନ୍ତି ନି । ଖାଲି କୁହନ୍ତି ୟା ଉତ୍ତର ଶିଘ୍ର ଖୋଜ । ଏଇ କେତେଦିନ ହେବ ମୋ ନିଦ ହଜେଇ ଦେଇଥିଲେ ସାର୍ । ଠିକ୍ ସେ ଖାଇ ପିଇ ବି ପାରୁ ନଥିଲି । ମୋ ସ୍ତ୍ରୀ ନାକଫୋଡି ତ ଦୁଇ ଗୋଡ଼ ରେ ଡେଇଁବା ଆରମ୍ଭ କରି ଦେଇଥିଲେ । ଗରଗର ହେଇ କୁହନ୍ତି ତୁମେ କ'ଣ ଆମ ମାଷ୍ଟ୍ର ସବୁବେଳେ କ'ଣ ଘରକୁ ଆସିଲେ ଖାଲି ପ୍ରଶ୍ନ ପଚାରୁଚ ? ହେଲେ ସେ କ'ଣ ବୁଝିବେ ମୋ ଅବସ୍ଥା ?? ମୋ ପିଲାମାନେ ବି ମୋତେ ମୂର୍ଖ ବୋଲି ଭାବିବା ଆରମ୍ଭ କରି ଦେଇଥିଲେ । ଆଉ ସାର୍ କ'ଣ ସେଇ ଇତିହାସ ଭୂଗୋଳ ମନେ ଅଛି ?? ସେମାନେ ଛିଗୁଲେଇ ହେଇ କହୁଥିଲେ ବାପା ତମେ କିଛି ଜାଣିନ , କେମିତି ପରୀକ୍ଷା ପାସ୍ କରୁଥିଲ ?? ଶେଷରେ ପିଲାମାନଙ୍କ ପାଖରେ ବି ଅପଦସ୍ତ ହେବାକୁ ପଡିଲା । ମୋତେ ତ ଲାଗୁଛି ଏଇ ଗେମ୍ ସହ ସାର୍ ଙ୍କ ଗାୟେବ ହେବାର କିଛି ନା କିଛି ଲିଙ୍କ ଥାଇପାରେ । ଏତିକି କହି ଛଟପଟ ବାବୁ ଗ୍ଲାସେ ପାଣି ପିଇଗଲେ । 

           ଏହା ପୋଲିସ ଠେଙ୍ଗେନ୍ଦ୍ର ବାବୁଙ୍କୁ ଟିକେ ସନ୍ଦେହ ରେ ପକେଇଲା । ତାଙ୍କର ବି ଅକଲଗୁଡୁମ୍ ହୋଇଗଲା । ସେ ତାଙ୍କ ଗହଳ ନିଶରେ ଟିକେ ହାତ ବୁଲେଇଲେ । ଆଜିକାଲି ମୋବାଇଲ୍ ରେ କି କି ଅଜବ ଗେମ୍ ସବୁ ଆସୁଛି ଯେ କାହାର ଜୀବନ ନେଇଯାଇଛି ତ କିଏ ନିରୁଦ୍ଧିଷ୍ଟ ହେଇ ଯାଉଛି । ସାର୍ ତ ଛୋଟ ପିଲା ନୁହେଁ ତଥାପି ଆଜିକାଲି କିଛି ବି ଘଟି ଯାଇପାରେ । ଅନୁସନ୍ଧାନରେ ଆଉ ଏକ ନୂଆ ଏଙ୍ଗେଲ ଜୋଡି ହୋଇଗଲା । ଠେଙ୍ଗେନ୍ଦ୍ର ବାବୁ ହାବିଲଦାର ନହକା କୁ କହିଲେ କାଙ୍ଗାଳି ଆଉ ପୋତାମୁହାଁ କୁ ଉଠେଇ ଆଣ । ପାଖାପାଖି ୯ଟା ବେଳକୁ ଛଟପଟ ବାବୁଙ୍କ ମୋବାଇଲ୍ ଘଣ୍ଟି ବାଜିଲା । ଥାନାରେ ବସି ଥାଆନ୍ତି । ଅଜଣା ନମ୍ବର ଦେଖି ଟିକେ ଚମକିଲେ । ଠେଙ୍ଗେନ୍ଦ୍ର ବାବୁ ସାମ୍ନାରେ ବସିଥିଲେ । ଚପାଗଳାରେ କହିଲେ ଉଠାନ୍ତୁ ଅପହରଣକାରୀ ହେଇପାରନ୍ତି । ଛଟପଟ ବାବୁ ମେଞ୍ଚେ ଛେପ ଢ଼ୋକି ଥରଥର ଗଳାରେ କହିଲେ 'ହାଲୋ' ।

    'ହାଲୋ ମୁଁ କହୁଛି' ସେପଟୁ ମନ୍ତ୍ରୀ ଙ୍କ କଣ୍ଠ ଶୁଣି ବାବୁଙ୍କ ର ଛନକା ପଶିଲା ।

ମୋବାଇଲ୍ ସ୍ପିକରରେ ରଖି ପଚାରିଲେ ସାର୍ ଆପଣ କୋଉଠି ଅଛନ୍ତି ? ଏଠି ସହର ହୁଲସ୍ତୁଲ ହୋଇଗଲାଣି । ମୁଁ ଫାଣ୍ଡିରେ ଆସି ବସିଛି ।

ହସି ହସି ଧୁରନ୍ଧର ବାବୁ କହିଲେ ଆଚ୍ଛା ଆଚ୍ଛା ମୁଁ ଟିଭିରେ ଏବେ ଦେଖିଲି । ସେଇଥି ପାଇଁ ଫୋନ୍ କଲି । ମୁଁ ଏକ ଜରୁରୀ ବ୍ୟକ୍ତିଗତ କାମ ରେ ରାଜଧାନୀ ଚାଲିଆସିଛି ମଗନାର ଭଡ଼ା କାରରେ। ମୁଁ ପୁରା ଠିକ୍ ଅଛି । କାଲି ଖରାବେଳ ସୁଦ୍ଧା ପହଞ୍ଚି ଯିବି । ଠେଙ୍ଗେନ୍ଦ୍ର ବାବୁଙ୍କୁ କହ ସେ ଟିଭିବାଲା ଙ୍କୁ ଡକେଇ ସବୁ ସମ୍ଭାଳି ନିଅନ୍ତୁ । ମୁଁ କାଲି ଗଲେ କଥା ହେବି କହି , ଫୋନ୍ କାଟିଦେଲେ । 

      ଠେଙ୍ଗେନ୍ଦ୍ର ବାବୁ ସବୁ ଶୁଣୁଥୁଲେ । ବାଡି ହଲେଇ କହିଲେ ବୁଝିଲେ ଛଟପଟ ବାବୁ ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ । ୬/୭ ଘଣ୍ଟା ହେଲାଣି ଟେନସନ୍ ରେ ଆମେ ଯାହା ଘାଣ୍ଟି ହେଲୁଣି । ଏପଟେ ହାଇକମାଣ୍ଡ ଙ୍କ ତାଗିଦା କୁ ଟିଭିବାଲା ଙ୍କ ତାମସା । ମୁଣ୍ଡ ର ଦହି ଚହଲି ଘୋଳ ହେଇ ସାରିଲାଣି। ସାର୍ ଯାଇ ରାଜଧାନୀ ରେ ବସିଛନ୍ତି । ଲୋକେସନ୍ ତ ଦେଖଉଛି ଏକ ଫାର୍ମ ହାଉସ୍ ର । ହୋଇଓ ! ଛଟପଟ ବାବୁ ସାର୍ ଙ୍କର କିଛି ଚକ୍କର ଚାଲିନି ତ ?? ବୃଦ୍ଧ କାଳେ ବାଲ୍ୟଲୀଳା । ଫାର୍ମ ହାଉସ୍ ରେ କ'ଣ ପରସନାଲ କାମ ? ଯାହାର ଖବର ତୁମ ପାଖରେ ବି ନାହିଁ । ଛଟପଟ ବାବୁ ମୁଣ୍ଡ କୁଣ୍ଡେଇ ନିଜ ସାର୍ ଙ୍କୁ ବଞ୍ଚେଇବାକୁ ଯାଇ କହିଲେ ହେଃ ! ନା ନା ସେମିତି କିଛି କଥା ନଥିବ । କାଲି ଆସିଲେ ଜଣାପଡି ଯିବନି ।

       ସେ ଯାହା ହେଉ ଟିଭିବାଲା ଙ୍କୁ ଡକେଇ ଠେଙ୍ଗେନ୍ଦ୍ର ବାବୁ କହିଲେ , ସାର୍ ଙ୍କ ଖବର ପାଇ ସାରିଛୁ । ସେ ଠିକ୍ ଅଛନ୍ତି । କାଲି ଫେରିଆସିବେ । ସେମିତି କିଛି ଅଘଟଣ ଘଟିଛି ନାହିଁ । ବ୍ୟକ୍ତିଗତ କାମରେ ସେ ଯାଇଛନ୍ତି । 

        

            ଟିଭିବାଲା ମାନଙ୍କର ପାଟିରେ ଆମ୍ବିଳା ପାଣି ବାଜିଲା ଭଳି ମୁହଁ ଆମ୍ୱିଳିଆ ହେଇଗଲା । ଏଇ ସନସନି ଖବର ତାଙ୍କ ଟି.ଆର.ପି କେତେ ବଢେଇ ଦେଇଥିଲା । ଏତେ ଶିଘ୍ର ଏମିତି ଜବନିକା ପାତ ହେବ ବୋଲି ସେମାନେ ଭାବି ନଥିଲେ । ଏତେ ସରଗରମ ଘଟଣା ଏମିତି ପାଣି ଫୋଟକା ଭଳି ମିଳେଇ ଯିବା ସେମାନେ ହଜମ କରି ପାରୁ ନଥାନ୍ତି । ମୁହଁ ପୋତି ଜଣ ଜଣ କରି ଉଠି ଚାଲିଲେ । 

            

               ହେଲେ ବିଲେଇ ମୁଣ୍ଡ ରେ ଶିକା ଛିଡିଲା ପରି ଜଣେ ସାମ୍ବାଦିକ ଭାଇ ଙ୍କ ମୋବାଇଲ୍ ରେ ଗୋଟେ ଫୋଟୋ ଆସିଲା । ଏକଦମ୍ ସଦ୍ୟ ଉଠା ଫଟୋ । ଓଃ ! ଏକ ବିଜୟର ହସ ଖେଳିଗଲା ତାଙ୍କ ମୁହଁ ରେ । ସଙ୍ଗେ ସଙ୍ଗେ ଫଟୋଟି ପ୍ରସାରିତ ହେଇଗଲା ତୁରନ୍ତ ଟିଭି ଚ୍ୟାନେଲ ରେ । ତୁରନ୍ତ ଟିଭି ର ସାମ୍ବାଦିକ ଫଡଫଡିଆ ବାବୁ ଗର୍ବର ସହ କହିଲେ ଆମେ ହିଁ ପ୍ରଥମେ ଧୁରନ୍ଧର ବାବୁଙ୍କୁ ଖୋଜି ବାହାର କରିଛୁ ।

               ଫଟୋରେ ଥିଲେ ଧୁରନ୍ଧର ବାବୁ ଆଉ ଆଞ୍ଚଳିକ ଚଳଚ୍ଚିତ୍ର ଜଗତର ନଂ-୧ ହିରୋଇନ୍ ମିସ୍ ଲାଲପରୀ । ଦୁହେଁ ବସି ଡିନର କରୁଛନ୍ତି । ପୁଣି ସନସନି ଖେଳି ଗଲା ଚାରିଆଡ଼େ । ପୁଣି ନା ନା କଳ୍ପନା ଜଳ୍ପନା ଚାଲିଲା । କଥା ଫେଣେଇବା ପାଇଁ ଚ୍ୟାନେଲ ବାଲା ମାନଙ୍କୁ ସୁଯୋଗ ମିଳିଗଲା ।

               ଧୁରନ୍ଧର ବାବୁ ଖୁବ୍ ଖୁସି ଥିଲେ । ସୁନ୍ଦର ହିରୋଇନ୍ ସହ ବସି ଡିନର କରିବାର ସୁଯୋଗ ପାଇଛନ୍ତି।

ପୁଣି ଏଇଟା ସେ ପୁରସ୍କାର ଜିତିଛନ୍ତି । ଏଜାବତ ସେ କେବେ କିଛି ପୁରସ୍କାର ପାଇ ନାହାନ୍ତି। ଏଇଟା ପ୍ରଥମ କ'ଣ କମ୍ ଗର୍ବର କଥା । ମନଖୋଲି ସେ ଲାଲପରୀ ସହ କଥାବାର୍ତ୍ତା ହେବେ ବୋଲି କେତେ ଭାବିଥିଲେ । ହେଲେ ୟେ ନିଆଁ ଲଗା ଟିଭିବାଲା କ'ଣ ସେତକ କରେଇ ଦେଉଛନ୍ତି । କେତେ କଷ୍ଟ କରି ଛଟପଟ କୁ ପଚାରି ପଚାରି ସବୁ ପ୍ରଶ୍ନ ର ଉତ୍ତର ଗୋଟି ଗୋଟି କରି ଦେଇଛି । ହେଲେ ଶାନ୍ତି ରେ ଡିନର୍ ଟିକେ ବି କରେଇ ଦେଲେନି । ମୁଁ ତ ପୁରସ୍କାର ପାଇଛି ସେମାନଙ୍କ ର କିଆଁ ନିଆଁ ଲାଗୁଛି ? କିଏ ସେ ବଗୁଲିଆ ୟେ ଫଟୋ ପୋଷ୍ଟ କଲା ? ସେ କ'ଣ ଆଉ ଧରାଛୁଆଁ ଦେବ ? ଶଳେ କାହାର ଖୁସି ଟିକେ ଦେଖି ପାରିବେ ନି। ଦୁଇଟା ଜନ୍ତୁକୁ ମୋର ଖୁବ୍ ଡର ଜଣେ ହାଇକମାଣ୍ଡ ଆଉ ଜଣେ ମୋର ସ୍ତ୍ରୀ । କାଲି ଏଇ ଦୁଇ ଜଣଙ୍କଠୁ ନିସ୍ତାର ନାହିଁ। 

          ଲାଲପରୀ କଅଁଳେଇ କହିଲେ ସାର୍ ଆପଣ କିଛି ଖାଉ ନାହାନ୍ତି। ଆଉ ଟିକେ ଚିକେନ୍ ନିଅନ୍ତୁ। ବହୁତ ବଢିଆ ଲାଗୁଛି । ମନେ ମନେ ଧୁରନ୍ଧର କହିଲେ ମୋତେ ତ ଏବେ ଜିଅନ୍ତା କୋଇଲା ଉପରେ ବସିବା ପରି ଲାଗୁଛି ଆଉ ଖାଇବି କ'ଣ ? କେତେ ପ୍ଲାନ୍ କରି ସବୁ କଲି ହେଲେ ସବୁ ଫସର ଫାଟିଗଲା । ଏବେ ମୋତେ ସତରେ କେହି ଅପହରଣ କରି ନିଅନ୍ତା କି ସେ ଦୁଇ ଜଣଙ୍କ ଠାରୁ ବଞ୍ଚି ଯାଆନ୍ତି । ମନ୍ତ୍ରୀ ପଦ ତ ଯାଇଥିଲା ଏବେ ସ୍ବାମୀ ପଦ ଟି ନ ଯାଉ ........ ଶଳା ମୋର ଶନି ବକ୍ରି ହେଇ ଯାଇଛି ବୋଧେ..............।।



Rate this content
Log in

More oriya story from Lipi Sahoo

Similar oriya story from Comedy