Kamala Satpathy

Comedy

4.6  

Kamala Satpathy

Comedy

ପାରିଶ୍ରମିକ

ପାରିଶ୍ରମିକ

12 mins
21.4K


ସକାଳୁ ସକାଳୁ ଆଜି ମହାପାତ୍ରବାବୁଙ୍କ ଘର ଅଗଣାରେ ଅମାନିଆ ଝଡଟେ ମୁଣ୍ଡ ଉଠେଇ ଉଦ୍ଦଣ୍ଡ ନୃତ୍ୟ କରୁ କରୁ ତାଙ୍କ ଜଳଖିଆ ଟେବୁଲ୍ ପାଖକୁ ଜୋରରେ ଆଗେଇ ଆସିଛି । ତା’ର ଆସିବା ଶବ୍ଦରେ ଚମକି ପଡିଲେ ସେ । ହାତରେ ଧରିଥିବା ଖବରକାଗଜ ଦୁଲ୍ କରି ତଳେ ପଡିଗଲା । ଏ କ’ଣ ? ସେ ନିଜ ପତ୍ନୀକୁ ଦେଖୁଛନ୍ତି ନା ପତ୍ନୀ ରୂପରେ ଠିଆ ହେଇଥିବା ନାରୀମୁକ୍ତିର ଆବାହନକାରୀ, କେହି ଅପରିଚିତ ସଭାନେତ୍ରୀକୁ ଦେଖୁଛନ୍ତି ? ଘରଗୃହସ୍ଥୀ ବାନ୍ଧିବାର ୟା’ ଭିତରେ ପଚିଷ ବର୍ଷ ବିତିଗଲାଣି । ଛୋଟ ବଡ କରି କେତେ କେତେ ଝଡ ତୋଫାନକୁ ଏଇ ଆଖି ଦେଖିଛି, ଏଇ ଦେହ ସହିଛି । ସେସବୁ ଆସେ ଯେମିତି, ଯାଏ ବି ସେମିତି । କିନ୍ତୁ ଆଜିର ଏ କରାଳ ରୂପ ! ଓଃ, ଆଖି ବୁଜି ହେଇଯାଉଛି .. ବନ୍ଦ ହେଇଯାଉଛି ନିଃଶ୍ୱାସ ସେ ତେଜରେ !

ନା, ଆଜିର ଏ ଝଡ, ବିନା କୌଣସି କ୍ଷୟକ୍ଷତି ନ କରି କମିଯିବ ନାହିଁ । ଯେତେ ବୁଦ୍ଧି ଖର୍ଚ୍ଚ କଲେ ବି ସଫଳତା ଆଜି ତାଙ୍କର ପାଖ ପଶିବ ନାହିଁ । ଇଏ ତ ଆଉ ଏମିତି ସେମିତି ଝଡ ନୁହେଁ, ବରଂ ନାରୀ ମୁକ୍ତିର ଏକ ସଶବ୍ଦ ଉଚ୍ଚାରଣ । ତାଙ୍କ ପୁରୁଷତ୍ୱ ପ୍ରତି ଘୋର ଉପେକ୍ଷା । ହେଲେ ସବୁକିଛି ଜାଣି ଆଜି ସେଇ ଉପେକ୍ଷା କରିବାକୁ ପତ୍ନୀ ତାଙ୍କର ବଦ୍ଧ ପରିକର । କ’ଣ ନା .. ବିନା ପାରିଶ୍ରମିକ ନେଇ ସେ ଆଉ ଘରର କୌଣସି କାମ କରିବ ନାହିଁ ।

ପାରିଶ୍ରମିକ ? ଇଏ ପୁଣି କୋଉ କଥା ? ଏହାକୁ ପାଗଳର ପ୍ରଳାପ ନ କହି ଆଉ କ’ଣ କୁହାଯିବ !

ଝଡଟି ଆରମ୍ଭ ହେବାର ଦୃଶ୍ୟ କିଛି ଏହିପରି ଥିଲା .. ସବୁଦିନ ପରି ଘଣ୍ଟା କଣ୍ଟା ନଅରେ ପହଞ୍ଚିବା ପୂର୍ବରୁ ହିଁ ପତ୍ନୀ ଆଜି ଆସି ଯାଇଥିଲେ ତାଙ୍କ ପାଖକୁ ଗୋଟିଏ ଧୁଆଁ ଉଠା ପ୍ଲେଟ୍ ଧରି ।

ତୀର୍ଯ୍ୟକ ନୟନ ତୋଳି ପତ୍ନୀଙ୍କ ଆଡେ ଚାହିଁଲେ ମହାପାତ୍ରବାବୁ । ହାତରେ ଜଳଖିଆ ପ୍ଲେଟଟି ଧରି ଠିଆ ହୋଇଛନ୍ତି । କିଛି ଗୋଟାଏ କହିବାକୁ ଚେଷ୍ଟା କରୁଛନ୍ତି । କ’ଣ ? ନା, ସେ ଜାଣିବାକୁ ଚାହିଁବେ ନାହିଁ । ପଚାରିବା ମାତ୍ରେ ଆରମ୍ଭ ହେଇଯିବେ – ୟା’ ବିନ୍ଧୁଛି .. ତା’ ବିନ୍ଧୁଛି .. ନହେଲେ କାମବାଲି ଆସିନି .. ପଇସା ସରିଯାଇଛି .. ଶାଢୀ ଦରକାର .. ଗହଣା ଦରକାର .. ଏମିତି ଏମିତି ଯେତେ ସବୁ ବେକାରିଆ ଫେରାଦ । ସେସବୁ ଶୁଣିବାକୁ ମହାପାତ୍ରବାବୁଙ୍କର ଜମାରୁ ଧୈର୍ଯ୍ୟ ନାହିଁ । ରବିବାରର ମନମୋହକ ସକାଳଟାକୁ ସେ ଏସବୁ ଶୁଣି ଶୁଣି ବରବାଦ କରିପାରିବେ ନାହିଁ । ଭୋକ ପ୍ରବଳ ଲାଗିଲାଣି, ଆଗ ଜଳଖିଆ ସରିଯାଉ, ତା’ପରେ ଯାହା ପଚାରିବା କଥା ପଚାରିବେ ।

କିନ୍ତୁ ଏ କ’ଣ .. ଆଜି ପତ୍ନୀ ଏପର୍ଯ୍ୟନ୍ତ ବି ଜଳଖିଆ ପ୍ଲେଟ୍ ହାତରେ ଧରି ଠିଆ ହେଇଛନ୍ତି ଯେ ! ରଖୁନାହାନ୍ତି କାହିଁକି ଟି ପୟ ଉପରେ ? ହୁଁ .. ତା’ମାନେ ବିଶେଷ କିଛି ସମାଚାର ଅଥବା ଫରମାଇସି ଅଛି ! ନଚେତ୍ କିଛି ଅଲଗା ଉଦ୍ଦେଶ୍ୟ ଅଛି । ପ୍ଲେଟ୍ ରେ କ’ଣ ଅଛି ବୋଲି ଉଣ୍ଡିକି ଦେଖିଦେଲା ମାତ୍ରେ ପାଟିରୁ ଲାଳ ଝରିପଡିଲା । କାକରା ପିଠା ସାଙ୍ଗକୁ ବୁଟଆଳୁ ତରକାରୀ – ତାଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ।

ମନଟା ଖୁସି ହେଇଗଲା । ଯାହାହେଉ ଆଜି ବିନା କହି ତାଙ୍କ ପସନ୍ଦର ଜଳଖିଆ ତାଙ୍କୁ ମିଳିଗଲା । ତରତରରେ ଖବରକାଗଜଟାକୁ ଆର ଚଉକି ଉପରକୁ ଫୋପାଡି ଦେଇ ଜଳଖିଆ ପ୍ଲେଟ୍ ଆଡକୁ ସେ ହାତ ବଢେଇଦେଲେ । ପତ୍ନୀ ଜଳଖିଆ ପ୍ଲେଟ୍ ତ ଦେଲେ, କିନ୍ତୁ ତା’ ସାଙ୍ଗକୁ ଧରେଇ ଦେଲେ ପଚାଶ ଟଙ୍କାର

ବିଲ୍ ।

ବିଲ୍ ? ପୁଣି ପଚାଷ ଟଙ୍କାର ?

ସକାଳୁ ସକାଳୁ କାହାର ବିଲ୍ ଏମିତି ଆସିଗଲା ବୋଲି ଉପର ଠାଉଳିଆ ଭାବେ ପଚାରି ଦେଇ ମହାପାତ୍ରବାବୁ ଖାଇବାକୁ ତତ୍ପର ହେଇଉଠିଲେ । କିନ୍ତୁ ବଢି ଯାଉଥିବା ହାତ ତତକ୍ଷଣାତ୍ ବରଫ ପାଲଟିଗଲା ଯେତେବେଳେ ଶୁଣିଲେ ଯେ ପତ୍ନୀ ହାତରେ ଧରିଥିବା ଚାରିଟି କାକରା ପିଠା ଆଉ ଅଧ ଗିନାଏ ତରକାରୀର ମୂଲ୍ୟ ପଚାଶ ଟଙ୍କା ।

“ଆରେ ଏସବୁ କ’ଣ ତମେ ବାହାରୁ କିଣିକି ଆଣିଛ ? ମୁଁ ଭାବିଲି ତୁମେ ଘରେ ତିଆରି କରିଛ ବୋଲି !”

“ତମେ ଠିକ୍ ହି ଭାବିଛ .. ଏସବୁ ମୁଁ ଘରେ ହିଁ ବନେଇଛି !”

“ତା’ହେଲେ ଏ ବିଲ୍ ପୁଣି କ’ଣ ପାଇଁ ?” ଆଶ୍ଚର୍ଯ୍ୟରେ ମହାପାତ୍ରବାବୁଙ୍କ ଆଖି ବଡ ବଡ ହେଇଗଲା ।

“ଆଜି ଠାରୁ ମୁଁ ଯାହା ବି କାମ କରିବି, ତାହାର ମୂଲ୍ୟ ତମକୁ ଦେବାକୁ ପଡିବ ।”

“ମାନେ ?”

“ମାନେ ଏଇଆ ଯେ ଯେଉଁ ପିଠା ତରକାରି ତମେ ବଜାରରୁ କିଣିଥିଲେ ପଇସା ଖର୍ଚ୍ଚ କରିଥାନ୍ତ, ଆଜିଠୁ ଘରେ ବି ପଇସା ଦେଇ ଖାଇବ ।”

“ତା’ କେମିତି ସମ୍ଭବ ?”

“କାହିଁକି ସମ୍ଭବ ନୁହେଁ ? ବଜାରରେ ତମକୁ କ’ଣ ମାଗଣାରେ ମିଳିଯିବ ?”

“ତମେ ଥାଉ ଥାଉ ମୁଁ କାହିଁକି ବଜାରରୁ କିଣିକି ଖାଇବି ଯେ ମତେ ପଇସା ଖର୍ଚ୍ଚ କରିବାକୁ ପଡିବ !” କଥାଟାକୁ ପରିହାସ ମଣି ଉଡେଇ ଦେବା ପାଇଁ ମହାପାତ୍ରବାବୁ ମନଖୋଲା ହସଟିଏ ହସି ପକେଇଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କର ସେହି ହସରେ ପତ୍ନୀ ଟିକିଏ ବି ପ୍ରଭାବିତ ହେଲେ ନାହିଁ । ବରଂ ପୂର୍ବାପେକ୍ଷା ଅଧିକ ଗମ୍ଭୀର ହେଇଯାଇ କହିଲେ, “ନାରୀର ସବୁଠାରୁ ବଡ ଦୁଃଖ ତ ସେଇଟା ! ପୁରୁଷ ସବୁ ପ୍ରକାରର ଖର୍ଚ୍ଚରୁ ବଞ୍ଚିବା ପାଇଁ ହିଁ ବିବାହ କରିଥାଏ । ସ୍ତ୍ରୀ ରୂପରେ ତାକୁ ଚାକରାଣୀ, ରୋଷେଇଆଣୀ, ଧୋବଣୀ, ମୂଲିଆଣୀ, ଶଯ୍ୟାସଙ୍ଗିନୀ, ସବୁ ମିଳିଯାଏ । ତା’ ସତ୍ତ୍ୱେ ବି ନିଜ ପତ୍ନୀର କାର୍ଯ୍ୟ ସବୁଠାରୁ ମହତ୍ତ୍ୱହୀନ ବୋଲି ତା’ର ଦୃଢ ଧାରଣା ରହିଛି । ବରଂ ସବୁବେଳେ ଭାବେ ଯେ ତା’ର ସ୍ତ୍ରୀ କେବଳ ତାରି ଅର୍ଥ ବିନର୍ବ୍ୟୟ କରୁଛି । ବିନା ପାଉଣାରେ ସାରା ଜୀବନ ଗୋଟାଏ ସ୍ତ୍ରୀକୁ ତାକୁ ପୋଷିବାକୁ ପଡୁଛି । ଏସବୁ ଭାବନା କେବଳ ସେହି ସ୍ତ୍ରୀଙ୍କ ପାଇଁ ହିଁ ରହିଥାଏ, ଯେଉଁମାନେ ସାରା ଜୀବନକୁ ଘରର ଚାରିକାନ୍ଥ ଭିତରେ କଟେଇ ଦବାର ନିର୍ଣ୍ଣୟ ନେଇଥାନ୍ତି । କିନ୍ତୁ ପୁରୁଷଟେ କେବେ ବି ବୁଝେନା ଯେ ତା’ର କେତେ ପଇସା ସେହି ସ୍ତ୍ରୀ ପାଇଁ ହିଁ ବଞ୍ଚୁଛି । ସେଇ କଥାକୁ ପ୍ରମାଣିତ କରିବାକୁ ଆଜି ଠାରୁ ପ୍ରତି କାମ ବଦଳରେ ମୁଁ ପଇସା ନେବି ।“

“ହେଲେ ହଠାତ୍ ତୁମ ମୁଣ୍ଡରେ ଏପରି ଚିନ୍ତା କାହିଁକି ପଶିବାକୁ ଗଲା ? ଦୀର୍ଘ ପଚିଶ ବର୍ଷ ଘରଗୃହସ୍ଥୀ କଲେଣି ଆମେ । ନିଜ ହାତରେ ଆଜି ପର୍ଯ୍ୟନ୍ତ ସବୁ କାମ ତ ତୁମେ କରିଆସୁଛ । କାହିଁ ଦିନେ ତ ସେ ବାବଦରେ ପଇସା ମାଗିନ । ତେବେ ଆଜି କାହିଁକି ?”

“ଆଜି ହିଁ ମୋ ମୁଣ୍ଡକୁ ଏକଥା ପଶିଛି । କୁହନ୍ତି ନା ‘ଯବ୍ ଜାଗୋ ତବ୍ ସବେରା’, ତମେ ଏତିକି ଜାଣିଯାଅ ଯେ ମୋର ସବେରା ଆଜିଠୁ ହିଁ ହେଲା । ଆଜି ଏତେ ବର୍ଷ ପରେ ମୋର ଆଖି ଖୋଲିଛି ଯେତେବେଳେ, ତମର କୌଣସି କଥା ମୁଁ ଶୁଣିବି ନାହିଁ । ଆଜି ଠାରୁ ମୁଁ ମୋର ପାଉଣା ନେବି .. ନିଶ୍ଚୟ ନେବି ।”

“ତା’ ବୋଲି କ’ଣ ଏଇ ସାମାନ୍ୟ ଜଳଖିଆକୁ ତମେ ପଚାଷ ଷାଠିଏ ଟଙ୍କା ମାଗିବ ? କୌଣସି ଫାଇଭ୍ ଷ୍ଟାର୍ ହୋଟେଲ୍ ରେ ବି ଏତେ ପଇସା ଚାର୍ଜ କରୁନଥିବ ।”

“କିଏ କହିଲା କରୁନଥିବ ? କେବେ ଯାଇଛ ଯେ ଜାଣିବ ! ତା’ ଛଡା କୋଉ ଫାଇଭ୍ ଷ୍ଟାର୍ ହୋଟେଲ୍ ରେ ତମ ମନଲାଖି ଏମିତି କାକରା ବୁଟ ତରକାରୀ ମିଳିବନି । ସେଠି ଯାହା ମିଳେ, ତମ ସଉଖିନିଆ ଓଡିଆ ପାଟିକୁ ତାହା ରୁଚିବନି !”

ଭାବନାରେ ପଡିଗଲେ ମହାପାତ୍ରବାବୁ । ଅକାଳେ ନାହିଁ କି ସକାଳେ ନାହିଁ, ହଠାତ୍ ତାଙ୍କ ପତ୍ନୀ ଏମିତି ଆକ୍ରାମକ କେମିତି ହେଇଗଲେ ? ତାଙ୍କ ଚିନ୍ତାଧାରା ଏତେ ଉନ୍ନତ କେମିତି ହେଇଗଲା ଯେ ଫାଇଭ୍ ଷ୍ଟାର୍ ହୋଟେଲ୍ ରେ କ’ଣ ମିଳୁଛି ନ ମିଳୁଛି, ତାହା ବି ତାଙ୍କୁ ଜଣା ପଡିଗଲାଣି ! ଆଶ୍ଚର୍ଯ୍ୟର କଥା ଏଇ ଯେ କିଛି ଦିନ ପୂର୍ବରୁ ହି ଏଇ ଫାଇଭ୍ ଷ୍ଟାର୍ ହୋଟେଲ୍ ଟା ପୁଣି କ’ଣ ବୋଲି ମହାପାତ୍ରବାବୁଙ୍କୁ ସେ ପଚାରୁଥିଲେ ! ଆଉ ଆଜି …

ତାଙ୍କ ସମ୍ମୁଖରେ ଥୁଆ ହେଇଥିବା କାକରା ଥଣ୍ଡା ହେଇ ଚାଲିଥିଲା । ବିଲ୍ ନ ଭରିଲେ ଖାଇବାକୁ ମିଳିବ ନାହିଁ ବୋଲି ପତ୍ନୀ ଘୋଷଣା କରିସାରିଥିଲେ । ତା’ ସହିତ ଏକଥା ବି କହି ଦେଇଥିଲେ ଯେ ଘରର ଯାବତୀୟ କାମ, ଯଥା :- ଘର ଓଳେଇବା, ଲୁଗା କାଚିବା, ରୋଷେଇ କରିବା, ବାଥରୁମ ଟୟଲେଟ୍ ସଫା କରିବା, ପିଲାଙ୍କୁ ପାଠ ପଢେଇବା, ଏପରିକି ତାଙ୍କ ସହିତ ସାନ୍ଧ୍ୟଭ୍ରମଣରେ ଯିବା ପାଇଁ ବି ସେ ପଇସା ନେବେ । ତା’ମାନେ ମହାପାତ୍ରବାବୁଙ୍କ ପୂରା ଦରମାଟା ପତ୍ନୀକୁ ତା’ କାମ ପାଇଁ ଦରମା ଦେବାରେ ହି ଶେଷ ହେଇଯିବ । ଏମିତିରେ ଘର ଖର୍ଚ୍ଚ ପାଇଁ ସେ ଯାହା ନେଉଛନ୍ତି, ତା’ର ହିସାବ ଅଲଗା ରହିବ ।

ତାହା ହେଲେ ମହାପାତ୍ରବାବୁଙ୍କ ନିଜ ଖର୍ଚ୍ଚ, ସାଙ୍ଗସାଥୀମାନଙ୍କ ପାଇଁ ଖର୍ଚ୍ଚର ଭରଣା ସେ କିପରି କରିବେ ? ନା, ନା, ଏସବୁ ବାଜେ କଥାକୁ ତାଙ୍କ ମୁଣ୍ଡରୁ ବାହାର କରିବାକୁ ହିଁ ପଡିବ । ତେବେ ତା’ ପୂର୍ବରୁ ଆଗ ଜାଣିବାକୁ ହେବ ଯେ ଏସବୁ ତାଙ୍କ ମୁଣ୍ଡରେ ପଶିଲା କେମିତି ଆଉ କାହା ଦ୍ୱାରା !

ନିଜ ସ୍ୱରକୁ ଯତକିଞ୍ଚିତ୍ କୋମଳ କରି ସେ ପଚାରିଲେ, “ପ୍ରିୟତମା, ତୁମେ ଯାହା କହୁଛ, ସେସବୁ ଶତ ପ୍ରତିଶତ ଠିକ୍ ତ ଅଟେ ! ମୁଁ ସବୁ କଥା କରିବାକୁ ପ୍ରସ୍ତୁତ ଅଛି । ତେବେ ତା’ ପୂର୍ବରୁ କିଛି ବିଷୟରେ ସନ୍ଦେହ ରହିଛି, ଯାହା ଦୂର କରିବାକୁ ପଡିବ ତମକୁ । କାରଣ ଥରେ ଏପରି ନୂତନ ଧାରା ଲାଗୁ ହେଇଯିବା ପୂର୍ବରୁ ସବୁ ପ୍ରକାରର ନିୟମାବଳୀ ଉଭୟ ପକ୍ଷ ଜାଣିବା ବୁଝିବା ନିହାତି ଆବଶ୍ୟକ, ଯେପରି ପଛକୁ କାହାରି କିଛି ଅଭିଯୋଗ ରହିବନି । ମୋର ବିଶ୍ୱାସ ମୋର ସବୁ ପ୍ରଶ୍ନର ତମେ ସଠିକ୍ ଉତ୍ତର ଦେବ ।“

“ପଚାର ।“ ବଡ ନିସ୍ପୃହ ସ୍ୱରରେ ପତ୍ନୀ ଜବାବ ଦେଲେ ।

“ପ୍ରଥମ କଥା ହେଲା ହଠାତ୍ ତମ ମୁଣ୍ଡକୁ ଏ ଖିଆଲ କାହିଁକି ଆସିଲା ଯେ ତମ କାମକୁ ମୁଁ ମହତ୍ତ୍ୱ ଦେଉନାହିଁ ? ତା’ ଛଡା ଘର କାମ ପାଇଁ ବି ପଇସା ମଗାଯାଇ ହେବ, ଏକଥା ତମ ମୁଣ୍ଡରେ ପଶିଲା କେମିତି ?”

“ଖବର କାଗଜରୁ ପଢିଲି ।” ବଡ ନିଶ୍ଚନ୍ତ ଭାବରେ ପତ୍ନୀ ଉତ୍ତର ଦେଲେ ।

“ଖବର କାଗଜରୁ ..?"

“ହଁ, ଏଇ କିଛି ଦିନ ତଳେ କେରଳରେ କିଛି ମହିଳା ସଂଗଠିତ ହୋଇ ଗୋଟିଏ ରିଜୋଲ୍ୟୁସନ୍ ପାସ୍ କଲେ ଯେ ଆଜି ଠାରୁ ଗୃହିଣୀମାନେ ନିଜ କାର୍ଯ୍ୟ ପାଇଁ ଦରମା ମାଗିବେ । ସେମାନଙ୍କର ଏହି ଦାବି ଦେଶର ଅନ୍ୟ ଭାଗର ମହିଳାମାନଙ୍କ ଦ୍ୱାରା ଖୁବ୍ ସ୍ୱୀକାର କରାଯାଉଛି । ସମସ୍ତେ ମହିଳାମାନଙ୍କର ଏହି ଦାବିକୁ ଜେନୁଇନ୍ କହୁଛନ୍ତି । ଆଉ ମୁଁ ବି ସେମାନଙ୍କ ସହିତ ଏକମତ ।”

ଏତେବେଳକୁ ମହାପାତ୍ରବାବୁଙ୍କ ମୁଣ୍ଡରେ କଥାଟା ଠିକ୍ ଠିକ୍ ପଶିଲା । ପତ୍ନୀ ସତ କଥା ହିଁ କହୁଛନ୍ତି । ସେମିତିଆ କିଛି ଖବର ସେ ବି ପଢିଲା ପରି ତାଙ୍କର ମନେ ହେଉଛି । ତେବେ ସେ ତାହାକୁ ଏତେ ଗୁରୁତ୍ୱ ଦେଇ ପଢିନଥିଲେ, ତେଣୁ ମନେ ରହିନି । ଏକଥା କହିଲେ ଚଳିବ ଯେ ଏସବୁ ତାଙ୍କ ମତଲବର କଥା ନ

ଥିଲା । କିନ୍ତୁ ଏଇଲେ ସେଇ ବିନା ମତଲବ କଥାକୁ ପଢି ପତ୍ନୀ ତାଙ୍କ ନିଜ ମତଲବ ପାଇଁ ବ୍ୟବହାର କରିବାକୁ ବସିଲେଣି ଜାଣି ସେ ଯେତିକି ଚକିତ ହେଲେ, ସେତିକି ମୁଣ୍ଡ ପିଟିଲେ, କାରଣ ପରିସ୍ଥିତି ଯାହା ଜଣା ପଡୁଛି, ନିଜ ଦାବିରେ ପତ୍ନୀ ଆଜି ପୂରା ଦୃଢ ହିଁ ରହିବେ।

ହେଲେ ଏପରି କଥାକୁ କିଏ ଦୋଷୀ ସତରେ ! ପତ୍ନୀ ନା କେରଳର ସେ ମହିଳାମାନେ ? ଦେଖିବାକୁ ଗଲେ ଉଭୟଙ୍କ ଭିତରୁ କେହି ନୁହେଁ, ବରଂ ସେ ନିଜେ ହିଁ । ଏତେ ବର୍ଷ ଧରି ଖବରକାଗଜର ଧାର୍ ଧାରୁନଥିବା ମହିଳାକୁ ସେ ନିଜେ ହିଁ ତ ବାଧ୍ୟ କରିଥିଲେ ପଢାପଢି ଆରମ୍ଭ କରିବାକୁ ! ଆଉ ଏଇଲେ ହାଣ କଟୁରି ହେଇ ସେଇ ବାଧ୍ୟତା ଯେବେ ଆସି ତାଙ୍କ ବେକରେ ପଡୁଛି, ସେତେବେଳେ ଯେତେ ମୁଣ୍ଡ ବାଡେଇଲେ କ’ଣ ହେବ !

କିନ୍ତୁ ଆଶ୍ଚର୍ଯ୍ୟ କଥା ଏଇଆ ଥିଲା ଯେ ଖବରକାଗଜରେ ବାହାରୁଥିବା ଶହ ଶହ ଖବର ଭିତରୁ ତାଙ୍କ ପତ୍ନୀକୁ ଖାଲି ଏଇ ଖବରଟି ହିଁ ଦିଶିବାକୁ ଥିଲା !

“ଦ୍ୱିତୀୟ ପ୍ରଶ୍ନଟି କ’ଣ ?” ପତ୍ନୀଙ୍କ ଡାକରେ ମହାପାତ୍ରବାବୁଙ୍କ ଚେତା ଫେରିଆସିଲା ।

“ହଁ, ଦ୍ୱିତୀୟ ପ୍ରଶ୍ନ ହେଲା, ତୁମେ କରୁଥିବା ସବୁ କାମ ପାଇଁ ଯଦି ତମେ ମୋ ଠାରୁ ପଇସା ନେଇଯିବ, ତେବେ ମୋ ପାଖରେ ତ ଆଉ କିଛି ବି ବଳିବ ନାହିଁ ! ମୁଁ ପୁଣି ମୋ ଖର୍ଚ୍ଚ କେମିତି ତୁଲେଇବି ?”

“ସେଇଟା ତମ ପ୍ରବ୍ଲେମ୍ । ତୁମ ପାଖରେ ଯେତିକି ପଇସା ଅଛି, ତମେ ସେଇ ଅନୁସାରେ କାମର ଡିମାଣ୍ଡ୍ କରିବ । ଯଦି ସେତିକିରେ ନ ଚଳେ ତେବେ ଅଧିକ ରୋଜଗାର କରିବା କଥା ଚିନ୍ତା କରିବ । ଆଉ ଯଦିବା କେବେ କେମିତି ତମର ନିହାତି ପଇସା ଦରକାର ହେବ, ତେବେ ମୋ ଠାରୁ ବାର ପର୍ସେଣ୍ଟ୍ ସୁଧର ହାରରେ ତମେ ଉଧାର ନେଇପାରିବ । ଯାହା ତମକୁ ମାସକ ଭିତରେ ଫେରେଇବାକୁ ପଡିବ ।“

“ଯଦି ନ ଫେରେଇ ପାରିଲି ? ମାନେ ପର ମାସରେ ବି ସେଇ ଏକା କଥା ହେଲା, ଆଉ ପଇସା ନିଅଣ୍ଟ ପଡିଲା, ତେବେ ?”

“ମୁଁ କାମ କରିବା ବନ୍ଦ କରିଦେବି । ନହେଲେ ତମକୁ ସେସବୁର ବିକଳ୍ପ ବ୍ୟବସ୍ଥା କିଛି କରିବାକୁ ପଡିବ । ପଇସା ସୁଝିବା ପାଇଁ ତମକୁ ମୋ କାମରୁ ଅଧା କରିବାକୁ ପଡିବ । ନଚେତ୍ ତୁମର ସବୁ ବାହାର ଖର୍ଚ୍ଚ, ଯେପରି ସାଙ୍ଗମାନଙ୍କ ସହିତ ସିନେମା ଯିବା, ହୋଟେଲ୍ ରେ ଖାଇବା, ଦାମୀ ସିଗାରେଟ୍ ଟାଣିବା, ବ୍ରାଣ୍ଡେଡ୍ ସାର୍ଟ ପ୍ୟାଣ୍ଟ୍ ପିନ୍ଧିବା, ବନ୍ଧୁମାନଙ୍କୁ ଉପହାର ଦେବା, ଇତ୍ୟାଦି ଇତ୍ୟାଦିକୁ ତମକୁ ବନ୍ଦ କରିବାକୁ ପଡିବ ।”

“ଆଉ ଯଦି ତମେ କେବେ ବେମାର ପଡିଲ ?”

“ସେତିକି ଦିନର ପଇସା ତମେ କାଟି ଦେଇପାର !”

“ତମକୁ ନେଇ ଡାକ୍ତରକୁ ଦେଖେଇବା, ଔଷଧପାଣି ଦେବା, ପଥି ରାନ୍ଧିବା .. ସେସବୁର ଖର୍ଚ୍ଚ କିଏ ଉଠେଇବ?”

“ତମ ଘରେ ତମେ ଚାକର ପିଲାଟେ ରଖିଲେ ଏସବୁର ଖର୍ଚ୍ଚ କ’ଣ ତମେ ଉଠାଅନି ? ତଥାପି ମୁଁ ତମକୁ କଥା ଦେଉଛି ଯେ ସେସବୁର ଖର୍ଚ୍ଚ ମୁଁ ନିଜେ ବହନ କରିବି ।”

“ତମ ପିଲାଙ୍କର ଖର୍ଚ୍ଚ ?”

“ସେସବୁର ଦାୟୀତ୍ୱ ତମର । ସେମାନଙ୍କୁ ସାଙ୍ଗରେ ନେଇ କି ମୁଁ ଆସିନଥିଲି ।”

 ଧିରେ ଧିରେ ପତ୍ନୀଙ୍କ ସ୍ୱର ଆକ୍ରାମକ ହେଇଉଠୁଥିଲା । ତାହା ଦେଖି ମହାପାତ୍ରବାବୁ ପ୍ରମାଦ ଗଣିବାକୁ ଲାଗିଲେ । ଝଡ ଘନୀଭୂତ ହେବାରେ ଲାଗିଛି । ତାକୁ କୌଣସି ମତେ ଦମନ କରିବାକୁ ପଡିବ । ନଚେତ୍ ଗେରୁଆ ବସ୍ତ୍ର ଧାରଣ କରି ଏ ଘରଗୃହସ୍ଥୀକୁ ତ୍ୟାଗ କରିବା ହିଁ ସାର ହେବ । ତା’ପରେ ଖବର କାଗଜରେ ବଡ ବଡ ଅକ୍ଷରରେ ବାହାରିବ ଯେ ପତ୍ନୀକୁ ଦରମା ନ ଦେଇପାରି ପତିଙ୍କ ସଂସାର ତ୍ୟାଗ । ଆଉ ଏଥିରେ ସବୁଠାରୁ ଅଧିକ ଖୁସି ହେଇ କେରଳର ସେହି ମହିଳା ଗୋଷ୍ଠୀ ହିଁ ବାହାସ୍ଫୋଟ ମାରି ବୁଲିବେ । ତା’ପରେ ଯୋଉ ପତ୍ନୀମାନେ ସେମାନଙ୍କ ବଳରେ ଏଇଲେ ବଳୀୟାନ ହେଇ ବୁଲୁଛନ୍ତି, ଶେଷକୁ ସେଇମାନେ ହି କାନ୍ଦି ବୋବେଇ ରହିବେ !

ସେ ମାନୁଛନ୍ତି ପତ୍ନୀ ବିନା ତାଙ୍କ ଘରସଂସାର ଅଚଳ । ତାରି ପାଇଁ ଏତେ ସୀମିତ ଆୟ ଭିତରେ ବି ଘର ଚଳିଯାଉଛି ତାଙ୍କର । କିନ୍ତୁ ତା’ ବୋଲି ପତ୍ନୀକୁ ଦରମା ଦେବେ ..! ନା, ନା, ସେ ଭୁଲ୍ ସେ କରିପାରିବେ

ନାହିଁ । ହାତକୁ ପଇସା ଆସିଗଲେ ସେ କ’ଣ ତାଙ୍କୁ ଆଉ ତିଳେ ମାତ୍ର ବି ଖାତର କରିବ ! ମୋଟେ ନୁହେଁ । ଶାରୀରିକ ସ୍ତରରେ ତ ସେ ତା’ ଉପରେ ନିର୍ଭର ରହି ଆସିଛନ୍ତି ଆଜି ଯାଏଁ, ଆଜିଠୁ ଆର୍ଥୀକ ସ୍ତରରେ ବି ନିର୍ଭରଶୀଳ ହେଇଯିବେ ତା’ମାନେ !

ନା, ନା, ସେପରି ପରିସ୍ଥିତି ବଡ ଘାତକସିଦ୍ଧ ହେବ ତାଙ୍କ ପାଇଁ .. .. କହିବାକୁ ଗଲେ ସାରା ପୁରୁଷ ଜାତି

ପାଇଁ । ବରଂ ପହିଲି ପଦକ୍ଷେପରୁ ହି କିଛି ଗୋଟାଏ ବୁଦ୍ଧି ଖର୍ଚ୍ଚ କରି ଏପରିକା ଭାବନାରୁ ତାଙ୍କୁ ଦୂରେଇ ଦବାକୁ ହେବ ।

ବହୁତ ଭାବିଲା ଚିନ୍ତିଲା ପରେ କହିଲେ, “ଆଚ୍ଛା, ଯଦି ମୁଁ ପଇସା ନଦେବି, ତେବେ କ’ଣ ହେବ ?”

“ଷ୍ଟ୍ରାଇକ୍ କରିବି ମୁଁ ।”

ଆଚ୍ଛା, ପତ୍ନୀ ଏ ବିଷୟରେ ବି ଜାଣିଗଲେଣି ! ଆଶ୍ଚର୍ଯ୍ୟ ଚକିତ ମହାପାତ୍ରବାବୁ ପତ୍ନୀଙ୍କ ମୁହଁକୁ ଚାହିଁ

ରହିଗଲେ । ଏସବୁ କ’ଣ ଖବର କାଗଜ ପଢିବାକୁ ବାଧ୍ୟ କରିଥିବାର ଦଣ୍ଡ ?

ହଁ, ଏତେ ଗୁରୁତର ଅପରାଧ କରିଛନ୍ତି ଯେତେବେଳେ, ଦଣ୍ଡ ବି ସେମିତି ଗୁରୁତର ଭାବେ ଭୋଗ କରିବାକୁ ହିଁ ପଡିବ ! ତଥାପି ଶେଷ ଚେଷ୍ଟା କରିନବାରେ ଅସୁବିଧା କ’ଣ ? ହୁଏତ ପତ୍ନୀ ନିଜ ନିଷ୍ପତ୍ତିକୁ ବଦଳେଇ ଦେଇପାରନ୍ତି । ନ ବଦଳେଇଲେ ବି କିଛିଟା କୋହଳ ତ କରିଦେଇ ପାରନ୍ତି !

ହେଲେ ରହି ରହି ତାଙ୍କ ମୁଣ୍ଡକୁ ଖାଲି ଗୋଟିଏ କଥା ଆସୁଥିଲା, ଯଦି ପତ୍ନୀ ଆଜି ଦରମା କଥା ଭାବିଲେଣି, କାଲିକୁ ଆଉ କିଛି ବି ଭାବି ନେଇପାରନ୍ତି । ମାନେ ନାରୀ ସ୍ୱାଧିନତାର ଆଳ କରି ସେ ହୁଏତ କାଲିକୁ ଆଉ କିଛି ଅସମ୍ଭବ ପଦକ୍ଷେପ ଉଠେଇବାକୁ ମହାପାତ୍ରବାବୁଙ୍କୁ ବାଧ୍ୟ କରିପାରନ୍ତି ।

ତା’ହେଲେ ଏମିତି କିଛି ଘଟିବା ପୂର୍ବରୁ ହିଁ ତାଙ୍କୁ କିଛି ଗୋଟାଏ ଦୃଢ ପଦକ୍ଷେପ ନିଶ୍ଚୟ ନେବାକୁ ହେବ, ଯାହା ପତ୍ନୀର ମନରେ ସବୁଦିନ ପାଇଁ ଗୋଟେ ଆତଙ୍କ ଲିପିବଦ୍ଧ କରି ରଖିବ । ମାନେ ଖବର କାଗଜ ପଢି ଆଉ କିଛି ଉଦ୍ଭଟ ଚିନ୍ତା ମୁଣ୍ଡରେ ପଶିବା ପୂର୍ବରୁ, ତାକୁ କାମରେ ଲଗେଇବା କଥା ଚିନ୍ତା କରିବାକୁ ବି ସାହାସ କରିବ ନାହିଁ ସେ । ଏସବୁ ଜିନିଷକୁ ଯେତେ ଶୀଘ୍ର ଆଉ ଯେତେ ଚତୁରତାର ସହ ମୂଳପୋଛ କରାଯାଇ ହେବ, ସେତିକି ସମାଜ ପାଇଁ ବି ଭଲ ।

ମାତ୍ର ଏ କାମ ଏତେ ବି ସହଜ ନୁହେଁ । ଖୁବ୍ ସାବଧାନତାର ସହ ପାଦ ଉଠେଇବାକୁ ପଡିବ । ନଚେତ୍ ଏମିତି କଚଡା ଖାଇବେ ଯେ ସମାଜ କଥା ଛାଡ, ନିଜେ ହିଁ କାହାକୁ ମୁହଁ ଦେଖେଇବାକୁ ସାହାସ କରିବେ ନାହିଁ ଆଉ କେବେ । ଏବେ ଖାଲି ଗୋଟିଏ ଉପାୟ ତାଙ୍କୁ ଦେଖା ଯାଉଛି, ଆଉ ତାହାହେଲା ପତ୍ନୀଙ୍କୁ ତାଙ୍କର ସବୁଠୁ ଦୁର୍ବଳ ଅଙ୍ଗ ଉପରେ ପ୍ରହାର ଭଲ ବାଗରେ କରିବାକୁ ହେବ, ଯେମିତି ଆଗକୁ କୌଣସି କେଁ ରହିନଯିବ ।

ଏକଥା ସତ ଯେ ପତ୍ନୀ ଯେତେ ଆଧୁନିକା ହେଉ କି ପାରମ୍ପାରିକ, ସଉତୁଣୀ କଥା ପଡିଲେ, ସବୁ ପତ୍ନୀଙ୍କର ମାନସିକତା ଏକା ପ୍ରକାରର । ତେଣୁ ଘନୀଭୂତ ହେଉଥିବା ଝଡକୁ କେବଳ ଏଇ ଗୋଟିଏ ବାଟରେ ହି ଯେ ଲଘୁ କରିହେବ, ଏ କଥାରେ ସେ ଦୃଢ ନିଶ୍ଚିତ ଥିଲେ । ତେଣୁ ହସି ହସି କହିଲେ, “ତମେ କେବେ ଯଦି ତମ ବାପଘରକୁ ଗଲ, ତେବେ ସେତିକି ଦିନ ପାଇଁ ବଦଳର କି ବ୍ୟବସ୍ଥା ରହିଛି ? ମାନେ ସେ ବ୍ୟବସ୍ଥା କିଏ କରିବ – ତମେ ନା ମୁଁ ?”

ଚମକି ପଡିଲେ ପତ୍ନୀ । ଏ କି କଥା କହୁଛନ୍ତି ମହାପାତ୍ରବାବୁ ! ଏପରି କିଛିର ସମ୍ଭାବନା ଯେ ରହିପାରିବ, ସେକଥା ତ ସେ କେରଳୀ ମହିଳାମାନେ କିଛି କହିନାହାନ୍ତି ! ସେମାନେ କେବଳ କାମ ପାଇଁ ପଇସା ଡିମାଣ୍ଡ୍ କରିବା କଥା କହିଥିଲେ । କିନ୍ତୁ ସେହି ନିୟମକୁ ଲାଗୁ କରିବା ପାଇଁ ଏତେ ପ୍ରକାରର ବାଧା ବି ଉପୁଜିବ, ସେ ବିଷୟରେ ତ କିଛି କହିନଥିଲେ ! ଏମିତି ବି ମହାପାତ୍ରବାବୁ ଏତେ ପ୍ରଶ୍ନ ପଚାରି ସାରିଲେଣି ଯେ ତାଙ୍କ ମୁଣ୍ଡ ଖରାପ ହେଇସାରିଲାଣି । ନିଜର ସାଇତା ବୁଦ୍ଧି ସବୁକୁ ଖର୍ଚ୍ଚ କରି କରି ଗୁଡାଏ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ସାରିଲେଣି ସତ, ହେଲେ ଏ ଶେଷ ପ୍ରଶ୍ନଟା ? କ’ଣ ଉତ୍ତର ଦେବେ ସେ ?

ତାଙ୍କୁ ନିରବରେ ବସି ରହିଥିବାର ଦେଖି ପ୍ରଶ୍ନଟି ଯେ ଠିକ୍ କାଟୁ କରିଛି, ସେ କଥା ମହାପାତ୍ରବାବୁଙ୍କର ହେତୁ ହେଇଗଲା । ପତ୍ନୀଙ୍କ କଟା ଘା’ରେ ଆଉ ଟିକେ ଚୂନ ମାରିବାକୁ କଥାଟା ଆଉ ଥରେ ପଚାରିଦେଲେ, “କ’ଣ ହେଲା .. କିଛି କହୁନ ଯେ ? ତମ ଅବର୍ତ୍ତମାନରେ କି ବ୍ୟବସ୍ଥା ତମେ କରିକି ଯିବ, ମୋର ସଫା ସଫା ଜାଣିବା ଦରକାର । ନହେଲେ ପଛକୁ ତମେ ମତେ ବାଡି ବୁଲେଇବ ।”

“ସେତିକି ଦିନ କ’ଣ ନିଜ କାମ ନିଜେ ତମେ ଚଳେଇ ନେଇପାରିବ ନାହିଁ ?” ପତ୍ନୀଙ୍କ ସ୍ୱରର ଦୃଢତା କମି ଆସିଥିଲା ।

ମହାପାତ୍ରବାବୁ ମନେ ମନେ ହସିଉଠି ଜୋର୍ ଦେଇ କହିଲେ, “କାହିଁକି ଚଳେଇବି ? ଦରମା ଦେବାର କ୍ଷମତା ଯଦି ଅଛି, ତେବେ ସେବା ବି ଭରପୁର ନେବାର ହକ ମଧ୍ୟ ମୋର ଅଛି । ତମେ ଯଦି କିଛି ବ୍ୟବସ୍ଥା ନ କରି ପାରିବ, ତେବେ ମୋ ପାଇଁ ଆଜି ବି ଲଳିତା ଅପେକ୍ଷା କରିଛି । କହିବ ଯଦି ..”

“ଓହୋ .. ନେଲ ତମ କାକରା ତରକାରୀ .. ଖାଇଲ ବସି ଚୁପ୍ ଚାପ୍ ! ଘଣ୍ଟାଏ ହେଲା ବକର ବକର ହେଇ ମୋ ମୁଣ୍ଡ ଖରାପ କରିସାରିଲଣି । ଭାରି ଦାନବୀରଟାଏ ତ .. ଦରମା ଦେଇ ପକେଇବେ ପୁଣି ! ମୁଁ ହିଁ ମୂର୍ଖ .. ସେ ଖବର କାଗଜ ପଢି ଭାବି ନେଇଥିଲି ଯେ ଯାହାହେଉ ଏତେ ଦିନକେ ନିଜର କିଛି ମହତ୍ତ୍ୱ ଦେଖେଇ

ପାରିବି । ହେଲେ ଜାଣିନଥିଲି ଏଇ ବାହାନାରେ ପୁରୁଣା ପ୍ରେମ ସବୁ ତମର ଉଚ୍ଛୁଳିବାର ପଥ ପ୍ରଶସ୍ତ ହୋଇଯିବ । ଥାଉ, ତମର ସେ ପଇସା ଦେବା ଦରକାର ନାହିଁ କି ବିକଳ୍ପ ବ୍ୟବସ୍ଥା କରିବା ବି ଦରକାର ନାହିଁ । ନିଅ, ତମ କାକରା ତରକାରୀ ଗରମ କରିକି ଦଉଛି । ତାକୁ ଖାଇକି ବଜାର ଯାଅ । ମାଂସ କି ମାଛ ଆଣିଲେ ତରକାରୀ କରିବି । ରବିବାର ସକାଳଟା, ତମରି ସାଙ୍ଗରେ ବକର ବକର ହେଇ ହେଇ ଆସି ଦି’ ପହର ହେବାକୁ ବସିଲାଣି !”

କହିସାରି ରାଗ ତମ ତମ ହେଇ ପତ୍ନୀ ସେଠାରୁ ଚାଲିଗଲେ । ଆଉ ମହାପାତ୍ରବାବୁ ମହାନନ୍ଦରେ କାକରାକୁ ପାଟିରେ ପୂରୋଉ ପୂରୋଉ ଭାବିଲେ – ସତରେ, ଯାହା କୁହ ପଛେ, ଏମିତି ଖାଇବା ପାଇଁ ପଚାଶ ଟଙ୍କା କ’ଣ, ଶହେ ଟଙ୍କା ଖର୍ଚ୍ଚ କରିଦେଲେ ବି କମ୍ ହିଁ ହେବ । ସେ ତ ଦେଇ ହିଁ ଦେଇଥାନ୍ତେ, ଖାଲି ପତ୍ନୀ ଯାହା ବାଧ୍ୟ କରେଇ ପାରିଲେ ନାହିଁ ନା ….!!

-0-


Rate this content
Log in

Similar oriya story from Comedy