The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kamala Satpathy

Tragedy

3  

Kamala Satpathy

Tragedy

ନୂଆ ଲଣ୍ଠଣ

ନୂଆ ଲଣ୍ଠଣ

5 mins
471



“ବାବୁ, ଏଥରକ ଯେମିତି ହେଲେ ଦୁଇ ଦିନ ପାଇଁ ପଛେ ହେଉ, ଆସିକି ସବୁ ସମ୍ପତ୍ତି ବାଡି ଥରେ ନିଜ ଆଖିରେ ଦେଖିନିଅ । ବାତ୍ୟା ପରେ ଯେମିତି ଉଜୁଡି ଯାଇଛି ସେସବୁ, ମୋ ଦେଇ ଠିକ୍ ହେବା ଆଉ ସମ୍ଭବ ନୁହେଁ । ଗାଁରେ ଲୋକବାକ ଆଉ କୋଉ ମିଳୁଛନ୍ତି ଯେ ସଜଡା ସଜଡି କରିଦେବ ! ତୁମେ ତ ଦିନକ ପାଇଁ ବି ଆସୁନ .. ତା’ହେଲେ ଏସବୁ କାହିଁକି ଆଉ ରଖିବ ..”


ସବୁ ଥର ପରି ରଘୁଦା’ର ଅଭିଯୋଗ ଲମ୍ୱି ଲମ୍ୱି ଚାଲିଥିଲା । ସେସବୁ ଶୁଣିବା ଦେବବ୍ରତଙ୍କର ଦେହସୁହା ହେଇଗଲାଣି ।

 

“ମୋ ବାତୁଆ ଦେହରେ ଆଉ ବଳ ନାହିଁ ଖୋଜେ ବାଟ ଚାଲିବାକୁ, ତୁମ ଘର ଯାଏଁ ଯିବି କେମିତି ? ପନ୍ଦର ଦିନରୁ ସିଆଡେ ଯାଇନାହିଁ । ଆଜି ସୁମାବୋଉ ଦେଖିକି ଆସିଛି ଦାଣ୍ଡ କବାଟଟା ପୂରା ଭାଙ୍ଗିପଡିଛି .. ତୁମେ ବାବୁ, ଗୋଟେ ଦିନ ..”


ଓଃ, କାନ ବନ୍ଦ କରିଦେଲେ ଦେବବ୍ରତ । ଯାହା ସେ ପାରିବେ ନାହିଁ ବୋଲି ରଘୁଦା’ ଭଲକି ଜାଣିଛି, ସେଇ କଥା ହି ବାରମ୍ୱାର କହୁଛି ! ଯେତେ ରାଣ ନିୟମ ପକେଇକି କହିଲେ ବି ସେ କଦାପି ଫେରିକି ଯିବେ ନାହିଁ ସେଇ ଜାଗାକୁ, ଯୋଉଠି ଦିନେ ..


ରଘୁଦା’ ବୁଢା ହେଇଗଲାଣି ବହୁତ । ସେ ଆଉ ବେଶି ଦିନକୁ ନିଶ୍ଚୟ ନୁହେଁ । ସେଥିପାଇଁ ଚାହୁଁଛି ଦିନକ ପାଇଁ ଦେବବ୍ରତ ଗାଁକୁ ଗଲେ, ତାଙ୍କ ହାତରେ ଘରର ଚାବିକାଠି ଧରେଇ ଦେଇ ଦାୟୀତ୍ୱମୁକ୍ତ ହେଇ ନିଶ୍ଚିନ୍ତରେ ଆଖି ବୁଜିବ । କିନ୍ତୁ ତାକୁ ନିଶ୍ଚିନ୍ତରେ ମରିବାକୁ ଦେବା ପାଇଁ ହେଲେ ତାଙ୍କୁ ପୁଣି ଥରେ ସେଇ ବାରଣ୍ଡାରେ ପାଦ ଥୋଇବାକୁ ହେବ .. ଅଗଣା ପାର୍ କରି ବୋଉର ଶୋଇବା ଘରକୁ ଯିବାକୁ ହେବ .. ତା’ପରେ .. ତା’ପରେ ..


ତା’ପରେ ତାଙ୍କୁ ଦିଶିଯିବ ସେଇ ଦୃଶ୍ୟ ସବୁ, ଯାହାକୁ ନଦେଖିବାର ଚେଷ୍ଟାରେ ଆଜି ବି ନିଜ ସହ ସଂଘର୍ଷ କରନ୍ତି ସେ । ଆଜି ବି ରାତି ଅଧରେ ତାଙ୍କ ନିଦ ଭାଙ୍ଗିଗଲେ ତାଙ୍କୁ ଶୁଭିଯାଏ ବୋଉର ସେଇ କରୁଣ ଚିତ୍କାର । ଏତେ ବର୍ଷ ପରେ ବି ଯନ୍ତ୍ରଣାର ସେ ସୁଅ ଅନବରତ ପ୍ରବାହିତ ହେଉଛି ତାଙ୍କ ଛାତି ତଳେ । ଅସାବଧାନତାର ଗୋଟିଏ ଭୁଲ୍ .. ଗୋଟେ ବିଡମ୍ୱନା .. ଆଉ ଏ ଜୀବନର ସବୁଠାରୁ ବଡ ଦୁର୍ଘଟଣା ! ଓଃ, ଅତୀତର ସେଇ କେତୋଟି ପୃଷ୍ଠା ମନମସ୍ତିଷ୍କରୁ ପୋଛି ହୋଇଯାଆନ୍ତାନି କୌଣସିମତେ !! ଭୁଲିଯାଇ ପାରନ୍ତେନି ସେଦିନର ନିଜର ସେଇ ଅସାବଧାନ ପଣ ଆଉ ତା’ର ଦୁଃଖଦ ପରିଣତି !!


ନା, ବର୍ଷ ବର୍ଷରୁ ଯେତେ ପ୍ରକାରର ଉପାୟ କରିବା ସତ୍ତ୍ୱେ ବି ସେସବୁ ଲିଭିବା ପରିବର୍ତ୍ତେ ଆହୁରି ସତେଜ ହେଇଚାଲିଛି । ଆଜି ବି କାହାରି ହାତରେ ଲାଇଟର୍ ମହମବତୀ, କି ସେମିତି କିଛି ଜଳନ୍ତା ଜିନିଷ ଦେଖିଲେ ତାଙ୍କ ହୃଦୟର ଗତି ଅନିୟନ୍ତ୍ରିତ ହେଇଯାଉଛି .. ଶୁଖିଯାଉଛି ଓଠ .. କାନ ପାଖରେ ସୃଷ୍ଟି ହେଇଯାଉଛି ଉତ୍କଟ କୋଳାହଳ ! ମା’ ଲୋ .. ବୋଉ ଲୋ .. ପୋଡିଗଲି ଲୋ .. ର କରୁଣ ଚିତ୍କାର ତାଙ୍କୁ ବ୍ୟତିବ୍ୟସ୍ତ କରି ପକୋଉଛି । ଆଉ ତା’ ସହିତ ଆଖି ଆଗରେ ନାଚି ଯାଉଛି ନିଆଁରେ ଅଧା ପୋଡି, ଅଧା ଶୁଖି କଳାକାଠ ପଡିଯାଇଥିବା ବୋଉର ଅସାଡ ଉଲଗ୍ନ ଦେହଟା ! ଓଃ .. ଭୟ ଆଉ ବିବ୍ରତ ବୋଧରେ ଆଖି ବୁଜିପକାନ୍ତି ସେ। ତା’ ଭିତରେ ବି ସେ ଦେଖିପାରନ୍ତି ବୋଉର ଶେଯ ପାଖରେ ଓଲଟିକି ପଡିରହିଥିବା ସେଇ ନୂଆ ଲଣ୍ଠଣଟା, ଯାହାକୁ ବାପା ସେହିଦିନ ସନ୍ଧ୍ୟାରେ ହି ଖାସ୍ ତାଙ୍କ ପାଠ ପଢିବାର ସୁବିଧା ପାଇଁ ଆଣି ତାଙ୍କୁ ଦେଇଥିଲେ !


ବନ୍ଦ ଆଖିର ପରଦା ଉପରେ ସିନେମାର ରିଲ୍ ପରି ପୁଣି ଥରେ ଘୂରିଆସେ ସେହି ସେହି ଦୃଶ୍ୟ । ବାପାଙ୍କ ହାତରେ ଥାଏ ନୂଆ ଲଣ୍ଠଣ, ଆଉ ମୁହଁରେ ଏକ ଅନିର୍ବଚନୀୟ ଖୁସି, “ନେ, ହାଟରୁ ତୋ’ ପାଇଁ ନେଇଆସିଲି । ଏଥର ଏକଦମ୍ ନିଶ୍ଚିନ୍ତରେ ବସି ପାଠ ପଢିବୁ ଲଣ୍ଠଣ ଲଗେଇ, ଆଉ ମୁଣ୍ଡ ବିନ୍ଧିବନି ତୋର, କି ଆଖି ପୋଡିବନି ପୁରୁଣା ଲଣ୍ଠଣର କଳା ଧୂଆଁରେ ! .. କାହାକୁ ଦେବୁନି ତୋ’ ଲଣ୍ଠଣକୁ .. ପରୀକ୍ଷା ସରିଲା ପର୍ଯ୍ୟନ୍ତ ୟା’କୁ ତୁ ହି ଲଗେଇବୁ .. ତୁ ହି ପୋଛିକି ତେଲ ପକେଇବୁ ..!”


ବାପାଙ୍କ ଆଖିର ଖୁସି ଦେବୁ ପାଖକୁ ସଞ୍ଚରିଗଲା । ଲଣ୍ଠଣକୁ ଆଉ ଟିକେ ତେଜିଦେଇ ତା’ର ଚକ୍ ଚକ୍ ଆଲୁଅରେ ଖାତାବହିକୁ ଓଲଟେଇ ଦେଖି ପକେଇଲା । କେତେ ସଫା ଦିଶୁଛି ସବୁକିଛି ସତରେ !

ବାପା ରୋଷେଇଘରକୁ ଯାଇ ବୋଉକୁ କହୁଥିବା କଥା ତା’ କାନରେ ପଡିଲା, “ବୁଝିଲ ଦେବୁବୋଉ, ପୁଅ ତମର ବହୁତ ଭଲ ପାଠ ପଢୁଛି ! ମାଷ୍ଟ୍ରେ କହୁଥିଲେ ଏଥର ତାରି ଲାଗି ଗାଁ ସ୍କୁଲ୍ ର ନାଁ ରହିବ ! ଯାହା ଯେମିତି କରି ପଇସା ନିଶ୍ଚୟ ଯୋଗାଡ କରିବି ମୁଁ, ଆଉ ତାକୁ ସହରକୁ ପଠେଇବି । କଲେକ୍ଟର ବନେଇବି । ପୁଅ ମୋର ହାକିମ ହେବ,ଗାଡି ଚଢିବ, ପିଅନ ଅର୍ଦ୍ଦଳି ସମସ୍ତେ ତା’ ପଦସେବା କରିବେ,ମୋ ପରି ପାଣି କାଦୁଅରେ ବୁଡି ରହିବନି ସେ ଜୀବନସାରା ! ଖାଲି କ’ଣ ସେତିକି .. ତମେ ହାକିମବାବୁଙ୍କ ମା’ ହୋଇ ଗୋଡ ଉପରେ ଗୋଡ ପକେଇ ବସିବ । ଶାଢି ଗହଣାରେ ମଣ୍ଡିହେବ ..”


କୋହରେ ବତୁରି ଉଠେ ବାପାଙ୍କ ସ୍ୱର । ବୋଉର ଆଖିରେ ନୀଳସ୍ୱପ୍ନ ଜମାଟ ବାନ୍ଧିବାକୁ ଲାଗେ । ଛୋଟିଆ ଦେବୁ ନିଜ ପାଖରେ ଶପଥ ନିଏ – ରାତଦିନ ଲାଗି ପାଠ ପଢିବ ସେ .. ଖୁବ୍ ଖୁବ୍ ପରିଶ୍ରମ କରିବ । ମେଟ୍ରିକ୍ ପରୀକ୍ଷାରେ ବାପା ବୋଉଙ୍କ ସାଥେ ସାଥେ ସ୍କୁଲ୍ ଆଉ ଗାଁର ନାଁ ବି ରଖିବ ।


ବୋଉର ଶେଯକୁ ଲାଗି ପଢୁଥିଲା ଦେବୁ । ନୂଆ ଲଣ୍ଠଣ ଭଲ ଆଲୁଅ ଦେଉଥିଲା । ଜଣାନାହିଁ ପଢୁ ପଢୁ କେତେବେଳେ ଆଖି ଲାଗିଗଲା । ହଠାତ୍ ବୋଉର ଆକୂଳ ଚିତ୍କାରରେ ଚମକିକି ଉଠିପଡିଲା । ବୁଝି ପାରିଲାନି କ’ଣ ଘଟୁଛି ତା’ ସାମନାରେ ! କି ଦୃଶ୍ୟ ଏ ? କ’ଣ ହେଇଗଲା ଏମିତି ? ସ୍ତବ୍ଧ ହୋଇ ଚାହିଁରହିଥିଲା ହୁତୁ ହୁତୁ ନିଆଁରେ ଜଳୁଥିବା ବୋଉର ଦେହକୁ .. ଶୁଣୁଥିଲା ତା’ର କାନଫଟା ଚିତ୍କାରକୁ ! କିନ୍ତୁ କ’ଣ କରିବାକୁ ହେବ ? କେମିତି ଏସବୁକୁ ରୋକିବ ? ସେ ତ କିଛି ବି ଜାଣି ପାରୁନଥିଲା !


ଚାହୁଁ ଚାହୁଁ ପୂରା ଜଳିକି ପାଉଁଶ ହେଇଗଲା ବୋଉର ଶେଯ । ବୋଉର ସ୍ୱର ବି ଆଉ ଶୁଭୁନଥିଲା । ନିଆଁ ଏବେ ଧିରେ ଧିରେ ତାରି ଆଡକୁ ମାଡି ମାଡି ଆସୁଥିଲା । ତଥାପି ସେ ନିଜ ସ୍ଥାନରୁ ଉଠି ପାରୁନଥିଲା କି ଦରଜା ସେପଟେ ବାପାଙ୍କ ଚିତ୍କାରକୁ ଶୁଣିକି ବି ଯାଇ କୁହୁଣ୍ଡା ଖୋଲି ପାରୁନଥିଲା । ହାତଗୋଡ ଅବଶ ହୋଇଯାଇଥିଲା । ଚିନ୍ତା ଚେତନା ଲୋପ ପାଇଯାଇଥିଲା । କେବଳ ଜୁଳୁ ଜୁଳୁ କରି ଚାହିଁରହିଥିଲା ସେ ଶେଷ ହୋଇଯାଇଥିବା ବୋଉର ଛଟପଟପଣକୁ ।


ଘରସାରା ଢାଳି ଯାଇଥିବା କିରାସିନିର ଦୁର୍ଗନ୍ଧ । ବୋଉର ପୋଡା ଦେହର ଫୁରୁକୁଟିଆ ଗନ୍ଧରେ ବାୟୁମଣ୍ଡଳ ଗନ୍ଧେଇ ଯାଉଛି । ବାପାଙ୍କର ଦେବୁ .. ଦେବୁ .. ଡାକରେ ଆକାଶ କୁଢେଇ ପଡୁଛି । କିନ୍ତୁ କୋଉଠି ଦେବୁ ?


ଦରଜା ଭାଙ୍ଗି ସମସ୍ତେ ପଶୁଛନ୍ତି ଘର ଭିତରେ । ଶୂନ୍ୟେ ଶୂନ୍ୟେ ଉଠେଇ ନେଉଛନ୍ତି ପଥର ପାଲଟି ଯାଇଥିବା ଦେବୁକୁ । ଘରୁ ବାହାରିଯିବା ପୂର୍ବରୁ ବୁଲିକି ଚାହିଁଲା ସେ – ବୋଉର ପୋଡା ଦେହରୁ ଖଣ୍ଡ ଖଣ୍ଡ ମାଂସ ଚଟାଣରେ ଛିଟିକି ପଡିଥିଲା .. ହାତ ଉଠିକି ରହିଯାଇଥିଲା ଆକାଶ ଆଡକୁ .. ଚମଡା ବିହୀନ କଙ୍କାଳଟା ଦିଶୁଥିଲା କେଡେ ବିଭତ୍ସ ଆଉ କରୁଣ !


ବାହାରେ ପ୍ରଚଣ୍ଡ କୋଳାହଳ । ଦେବୁକୁ କିନ୍ତୁ ସବୁ ଲାଗୁଥିଲା ଏକଦମ୍ ଶୁନଶାନ୍ .. ଜନଶୂନ୍ୟ ପରି ! ସେ କେବଳ ଶୁଣି ପାରୁଥିଲା ବାପାଙ୍କର ହୃଦୟଫଟା ଚିତ୍କାର, ଯାହା ଧିରେ ଧିରେ କମିବାରେ ଲାଗିଥିଲା । କିଛି ସମୟ ପରେ ହଠାତ୍ ସେ ସ୍ୱର ବି ଆସିବା ବନ୍ଦ ହେଇଗଲା । ହତବମ୍ୱ ହୋଇ ଉଠିଥିଲା ବାତାବରଣ । ନିରବତାର ସଂପୂର୍ଣ୍ଣ ରାଜୁତି ଭିତରେ ଆହା .. ହା .. ଚୁ .. ଚୁ .. ର କିଛି ଅସ୍ପଷ୍ଟ ଉଚ୍ଚାରଣ ଶୁଭୁଥିଲା ତା’ କାନକୁ । ବାପା ମା’ ଛେଉଣ୍ଡ ଛୁଆର ଭବିଷ୍ୟତ ଏବେ କ’ଣ ହେବ ବୋଲି କିଛି ଆତଙ୍କିତ ସ୍ୱରର ଅର୍ଥକୁ ବୁଝିବାର ଚେଷ୍ଟା କରିବା ପୂର୍ବରୁ ସମୟ ଖସି ଯାଉଥିଲା ମୁଠା ଭିତରର ବାଲି ପରି !


କାହାର କୋହ ଜର୍ଜରିତ ସ୍ୱରରେ ହେତୁ ପାଇଲା ସେ । ମାମୁଁ ଠିଆ ହେଇଥିଲେ ଚାବିମୁଠା ଧରି । ପାଖରେ ରଘୁଦା’ ଠିଆହୋଇ ଗାମୁଛାରେ ଲୁହ ପୋଛୁଥିଲା । ଚାବିମୁଠା ତା’ ହାତରେ ଧରେଇ ମାମୁଁ ଦେବୁକୁ କୋଳେଇ ନେଉଥିଲେ । ତଥାପି ବି ଦେବୁ ବୁଝି ପାରୁନଥିଲା ସବୁକିଛି କେମିତି ଆଉ କାହିଁକି ବଦଳି ଯାଉଥିଲା । କାହିଁକି ମାମୁଁଙ୍କ ସାଙ୍ଗରେ ରିକ୍ସାରେ ବସି ସେ ଷ୍ଟେସନ୍ କୁ ଯାଉଥିଲା । କାହିଁକି ତା’ର ଖାତାବହି, ଲୁଗାପଟା ସବୁ ଗୋଟାଏ ଟ୍ରଙ୍କ୍ ରେ ଭରିକି ସାଙ୍ଗରେ ନେଉଥିଲେ ମାମୁଁ ।


ସେ କେବଳ ଏତିକି ଜାଣୁଥିଲା ଯେ ଆଉ କେବେ ବି ଏ ଘରଦୁଆରକୁ ସେ ଆପଣାର ମଣିପାରିବ ନାହିଁ ! ନିଜର ହେଇକି ବି ନିଜର କହିପାରିବ ନାହିଁ । କେବେ ନୂଆ ଲଣ୍ଠଣର ଚକମକ ଆଲୁଅକୁ ବି ଭୁଲିପାରିବ ନାହିଁ । ଆଉ ବି ଭୁଲିପାରିବ ନାହିଁ ବୋଉ ଆଖିର ସେ ଅସୁମାରି ସ୍ୱପ୍ନକୁ, ଯାହା ପୂରା କରିବାକୁ ଯାଇ ତାରି ଅସାବଧାନତା ଯୋଗୁଁ ସେଦିନ ରାତିରେ ବୋଉର ଶେଯ ପାଖକୁ ଲଣ୍ଠଣଟା କେମିତି ଓଲଟି ପଡିଯାଇଥିଲା ଆଉ ସବୁଦିନ ପାଇଁ ବଦଳେଇ ଦେଇଥିଲା ଏ ଘର ସହ ତା’ର ସଂପର୍କକୁ !

-0-


Rate this content
Log in