Kamala Satpathy

Comedy Tragedy

2.5  

Kamala Satpathy

Comedy Tragedy

ଡେଲି ପାସେଞ୍ଜର

ଡେଲି ପାସେଞ୍ଜର

5 mins
389



ପୁରୀ ତାଳଚେର ପାସେଞ୍ଜର ଟ୍ରେନ୍ ରେ ସବୁଦିନ ପରି ଥିଲା ଅସମ୍ଭବ ଭିଡ । ସୋରିଷ ପକେଇବାକୁ ବି ଜାଗା ନାହିଁ । ଡେଲି ପାସେଞ୍ଜର୍ ଙ୍କ ହୋ ହା, ଯୁକ୍ତିତର୍କ, ତାସ୍ ମାଡରେ କମ୍ପି ଉଠୁଛି ପୂରା ଡବା । ବାଟ ପାଖରେ ଜମା ହେଇଛନ୍ତି ବୁଢାରୁ ଟୋକା ହେଇ ପଂଝେ ପାସେଞ୍ଜର । କେହି ବି ଭିତରକୁ ଯାଇ ପାରୁନାହାନ୍ତି । ଏତିକିବେଳେ ବୃଦ୍ଧା ଜଣଙ୍କ ଛୋଟିଆ ବ୍ୟାଗ୍ ଟିକୁ କାଖରେ ଜାକି ଚେଷ୍ଟାକଲେ ଭିତରକୁ ପଶିଯିବାକୁ । ମାତ୍ର ସମ୍ଭବ ନଥିଲା । ଯେତେ ଚେଷ୍ଟା କଲେ ବି କେହି ତାଙ୍କୁ ଭିତରକୁ ପଶିବାକୁ ଦେଲେ ନାହିଁ । ବହୁତ ଅନୁରୋଧ କଲେ, ନେହୁରା ହେଲେ, ମାତ୍ର ସେ ଭିଡ ଭିତରେ କିଏ ବା କାହିଁକି ତାଙ୍କ କଥା ଶୁଣିବାକୁ ଯିବ !


ଯୁବକଟିଏ ବାଟ ଓଗାଳି ଲଟକି ରହିଥିଲା । ତା’ ପାଖକୁ ଯାଇ ଅଳି କଲା ପରି କହିଲେ, “ପୁଅ, ଟିକିଏ ଭିତରକୁ ଯିବାକୁ ଦିଅ !”


ହସିଉଠିଲା ଯୁବକଟି । କହିଲା, “ମାଉସୀ, ଦେଖୁଛ ମାଙ୍କଡଙ୍କ ପରି ଲଟକିକି ସେତେବେଳୁ ରହିଚି ମୁଁ, ସେଥିକୁ ପୁଣି ତୁମେ କହୁଚ ଘୁଞ୍ଚିବାକୁ ! କୁଆଡକୁ ଘୁଞ୍ଚିଯିବି ?” 


ଟ୍ରେନ୍ ଛାଡିବାର ସମୟ ହେଇଯାଉଛି । ବାରମ୍ୱାର ହୁଇସିଲ୍ ମାରୁଛି । କୋଉ ମୁହୂର୍ତ୍ତରେ ଛାଡିଦେବ । ତା’ ପୂର୍ବରୁ ଡବା ଭିତରକୁ ପଶିଯିବାକୁ ଶେଷ ଚେଷ୍ଟା କରିବାକୁ ହେବ । ତାଙ୍କର ଯିବାଟା ଜରୁରୀ ଅଛି, ନହେଲେ ଅବା ସେ ଫେରିଯାଆନ୍ତେ । ଆଉ ଥରେ ଗୁହାରି କଲେ, “ପୁଅ ଟିକିଏ ଦୟାକର ଏଇ ବୁଢୀଲୋକକୁ ! ଟ୍ରେନ୍ ଛାଡିଦେବ। ମତେ ଟିକିଏ ଭିତରକୁ ଛାଡ !”


ଉଚ୍ଚ ସ୍ୱରରେ ହସିଉଠି ଯୁବକଟି କହିଲା, “ପାଗଳ ହେଲ କି ମାଉସୀ ? ଏ ଭିଡ ଦେଖିଲା ପରେ ବି ୟା’ ଭିତରେ ପଶିବାର ସାହାସ କରୁଛ ! ୟା’ ଭିତରେ ପରା ପବନ ଯିବାକୁ ବାଟ ନାହିଁ ! ଆଉ ତମ ଭଳିଆ ମଣିଷଟେ କେମିତି ପଶିବ ? ଯାଅ, ଯାଅ, ପର ଟ୍ରେନ୍ ରେ ଆସିବ ।“


“ପୁଅ, ମତେ ଯେମିତି ହେଉ ଏଗାରଟା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବାକୁ ପଡିବ । ପର ଟ୍ରେନ୍ ରେ ଗଲେ ଡେରି ହେଇଯିବ । ମୋ ଉପରେ ଟିକିଏ ଦୟା କର, ମତେ ଭିତରକୁ ଯିବାକୁ ଦିଅ ।“


“ଭିତରକୁ ଛାଡିଦେଲେ କ’ଣ ହେଇଯିବ ! ତୁମେ କ’ଣ ଠିଆ ଠିଆ ଏତେ ଗୁଡା ବାଟ ଯାଇପାରିବ ?”


ବୃଦ୍ଧାଙ୍କ ସ୍ୱରରେ ଆହୁରି ବିକଳପଣ, “ପୁଅ ପାଇଁ ମତେ ଯେମିତି ହେଉ ଯିବାକୁ ପଡିବ ବାବା ! ସାଂଘାତିକ ବେମାର ସେ । ସାଢେ ବାରଟା ବେଳେ ତାକୁ ହାଇଦ୍ରାବାଦ୍ ନେଇଯିବେ । ତା’ ପୂର୍ବରୁ ମୁଁ ତାକୁ ଆଖି ପୂରେଇ ଥରେ ଦେଖିନେବାକୁ ଚାହେଁ । କେଜାଣି, ଆଉ କେବେ ତାକୁ ଦେଖି ..” କହୁ କହୁ କଇଁ କଇଁ ହୋଇ କାନ୍ଦି ପକେଇଲେ ସେ ।


ଯୁବକର ହୃଦୟରେ ସାମାନ୍ୟ କରୁଣା ଭାବ ଜାତ ହେଲା । ଟିକିଏ ପାଖେଇ ଗଲା ସେ । ପଶିଗଲେ ବୃଦ୍ଧା ଠେଲି ପେଲି । ମାତ୍ର ଆଗକୁ ଯିବାର ସବୁ ବାଟ ବନ୍ଦ । ସେ ଅଣନିଶ୍ୱାସିଆ ଭିଡ ଭିତରେ ଆଉ ପାଦେ ବି ଆଗେଇବା ସମ୍ଭବ ନଥିଲା । ଠେଲା ପେଲା ଦଳା ଚକଟାରେ ମୁଣ୍ଡ ବୁଲେଇ ଦେଲା । ତଥାପି ଜାକିଜୁକି ହେଇ କଣକୁ ଠିଆହେବାର ଚେଷ୍ଟା କରି ଚାଲିଲେ ।


ସେପାଖ ସିଟ୍ ମାନଙ୍କରେ ନିତିଦିନିଆ ପାସେଞ୍ଜର୍ ମାନଙ୍କର ତାସ୍ ମାଡ ଚାଲିଛି । ଛକା ଚଉକାର ପାଟିରେ କମ୍ପିଉଠୁଛି ପୂରା ଡବା । ନିଜ ନିଜ ଭିତରେ ସେମାନେ ମସଗୁଲ୍, କାହିଁ ଦେଖିବାକୁ ଯିବେ ଅନ୍ୟର ସୁବିଧା ଅସୁବିଧା ! କିଏ ମଲା ଗଲା ଅବା ଅଣନିଶ୍ୱାସୀ ହୋଇ ଚେତା ହରେଇଲା ଭିଡ ଭିତରେ, ସେଥିକୁ ତାଙ୍କର ସାମାନ୍ୟ ବି ଚିନ୍ତା କରିବାର ନାହିଁ । ଖେଳରେ ସାମାନ୍ୟ ଅସୁବିଧା ବି ସେମାନଙ୍କ ପାଇଁ ଅସହ୍ୟ । ତେଣୁ କରି ବେଶ୍ ଖୋଲା ମେଲାରେ ବସିଥିଲେ ବି ଅନ୍ୟ କେହି ଯାଇ ତାଙ୍କ ପାଖରେ ବସିଯିବାର ସାହାସ ବି କରି ପାରୁନାହିଁ । ଗୋଡହାତ ମେଲଇ ଏମିତି ବସିଛନ୍ତି, ସତେ ଯେମିତି ସରକାର ଏଇ ଟ୍ରେନ୍ ଟି ଖାସ୍ ତାଙ୍କରି ଯିବା ଆସିବା ପାଇଁ ହି ଚଲୋଉଛି ! ତାଙ୍କ ସୁବିଧା ଅସୁବିଧାର ଖିଆଲ କରିବା ସରକାରଙ୍କ ସାଥେ ସାଥେ ସମଗ୍ର ଜନତାର ବି ପରମ କର୍ତ୍ତବ୍ୟ !


ଦରଜା ପାଖରେ ବୃଦ୍ଧା ଆଉ ଯୁବକଟିର କଥୋପକଥନ ନିଶ୍ଚୟ ସେମାନଙ୍କ କାନରେ ପଡୁଥିବ, ହେଲେ ସେଥିକୁ କାନ ଦେବାର ଆବଶ୍ୟକତା ସେମାନେ ଆଦୌ ମନେ କରୁନଥିଲେ । ଆଖପାଖର କିଛି ଲୋକ ଅବଶ୍ୟ ଅନୁଚ୍ଚ ସ୍ୱରରେ ବୃଦ୍ଧାଙ୍କ ବସିବା ପାଇଁ ସିଟ୍ ବାହାର କରିବା କଥା କହୁଥିଲେ, କିନ୍ତୁ ତାହା ଏତେ ଅସ୍ପଷ୍ଟ ଥିଲା ଯେ ପାଟିରୁ ବାହାରୁ ବାହାରୁ ସେମାନଙ୍କ କାନ ଭିତରେ ହି ଅଦୃଶ୍ୟ ହେଇଯାଉଥିଲା । ବସିବା ଲୋକଙ୍କ ଭିତରୁ ଜଣେ ଦି’ ଜଣ ମୁଣ୍ଡ ଉଠେଇ ବୃଦ୍ଧାଙ୍କ ଉପରକୁ ଦୃଷ୍ଟି ଫିଙ୍ଗିଥିଲେ ନିଜ ଖେଳ ମଝିରେ, କିନ୍ତୁ ସେ ନଜରରେ ତାଙ୍କ ପ୍ରତି ନଥିଲା କୌଣସି ଶ୍ରଦ୍ଧା କି ଦୟାର ଭାବନା । ବରଂ ଏ ଡବା ଭିତରକୁ ପଶିଆସି ସେ ଯେ ସବୁଠାରୁ ବଡ଼ ଭୁଲ୍ କାମଟିଏ କରି ପକେଇଛନ୍ତି, ତାହା ଜଣେଇ ଦବାର ହୋଇଥିଲା ଗୋଟିଏ ପ୍ରୟାସ ମାତ୍ର । 


ଗରମ ସାଙ୍ଗକୁ ଭିଡର ପ୍ରାବଲ୍ୟ, ବୃଦ୍ଧାଙ୍କୁ ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ଏଇ ସାଙ୍ଗେ ସାଙ୍ଗେ ସେ ବୋଧେ ଜ୍ଞାନ ହରେଇ ବସିବେ । ହୁଏତ ପ୍ରାଣଟା ବାହାରି ଯାଇପାରେ । ସେ ବୋଧେ ନିଜ ପୁଅକୁ ଆଉ କେବେ ବି ଦେଖି ପାରିବେ ନାହିଁ । ଆଖିରୁ ତାଙ୍କର ଧାର ଧାର ଲୁହ ବାହାରି ଆସୁଥିଲା, ନିଜ କଷ୍ଟ ପାଇଁ ଯେତେ ନୁହେଁ, ପୁଅର କଷ୍ଟ ଯନ୍ତ୍ରଣାକୁ ମନେ ପକେଇ, ସେତେ ।


ଏତିକି ବେଳେ ଦରଜା ପାଖରେ ପୁଣି ସାମାନ୍ୟ ହୋ ହଲ୍ଲା ଶୁଭିଲା । ସମସ୍ତଙ୍କ ନଜର ପୁଣି ଥରେ ଉଠିଗଲା ସେଇ ଆଡକୁ । ତାସ୍ ଖେଳରେ ମାତିଥିବା ଡେଲି ପାସେଞ୍ଜର୍ ଙ୍କ ଭିତରୁ କେହି ଜଣେ ତା’ ସାଥିକୁ କହିଲା, “ହେଇ ଦେଖ୍ ଦେଖ୍ ସେପଟକୁ .. ଆଖି ଧନ୍ୟ ହେଇଯିବ !”


ଅବିଳମ୍ୱେ ସମସ୍ତଙ୍କ ନଜର ସେପଟକୁ ଚାଲିଗଲା । ଆଖିରେ କଳା ଚଷମା ମାରି, ଜିନ୍ ପ୍ୟାଣ୍ଟ୍, ଟି ସାର୍ଟ ପରିହିତା ତରୁଣୀଟିଏ ତରତର ହେଇ ଡେଲି ପାସେଞ୍ଜର୍ ଙ୍କ ସିଟ୍ ପାଖକୁ ଚାଲି ଆସୁଥିଲା । ଏଇ କିଛି ସମୟ ପୂର୍ବରୁ ସୋରିଷ ପକେଇବାକୁ ଜାଗା ନଥିବା ଡବା ଭିତରେ ଅକସ୍ମାତ୍ ଏତେ ସ୍ଥାନ କୋଉଠୁ ସୃଷ୍ଟି ହେଇଗଲା କେଜାଣି, ଯୁବତୀ ଜଣଙ୍କ ବିନା ଝାଳନାଳ, ବିନା ଠେଲାପେଲାରେ ଆରାମରେ ଆଗେଇ ଆସୁଥିଲା ସେଇ ଦିଗକୁ । ଆଉ ଚତୁର୍ଦ୍ଦିଗରୁ ତା’ ପାଇଁ ଶୁଭୁଥିଲା ସହର୍ଷ ଆମନ୍ତ୍ରଣର ସମବେତ ସ୍ୱର .. ”ଏଇଠିକୁ ଆସିଯାଆନ୍ତୁ .. ଏଇଠି ଖାଲି ଅଛି ସିଟ୍ .. ଆସନ୍ତୁ ଆସନ୍ତୁ ..”


ନିଜ ନିଜ କକ୍ଷ ପଥରେ ଘୂରି ବୁଲୁଥିବା ଗ୍ରହ ନକ୍ଷତ୍ରଙ୍କ ମଧ୍ୟରେ ହଠାତ୍ ସୃଷ୍ଟି ହେଇ ଯାଇଥିଲା ପ୍ରଚଣ୍ଡ ମାଧ୍ୟାକର୍ଷଣୀୟ ଆଲୋଡନ । ନିଜ ନିଜ ସ୍ଥାନରୁ ସମସ୍ତେ ଏକାବେଳକେ ଗୋଟିଏ ଦିଗକୁ ମୁଖାତୀବ ହୋଇଉଠିଲେ । ଚମକ ଖେଳିଗଲା ସମସ୍ତଙ୍କ ଛାତିରେ । ଇସ୍ ! କି ସୁନ୍ଦର ଆଉ ସ୍ମାର୍ଟ ଝିଅଟିଏ ସତରେ ! ଆଉ ତା’ ସହିତ ଛାତି ଭିତରୁ ବାହାରି ଆସୁଥିଲା ଅବସୋସର ଥଣ୍ଡା ଥଣ୍ଡା ହାୱା ।


ଭିଡ କାଟି କାଟି ସେତେବେଳକୁ ଝିଅଟି ପହଞ୍ଚି ସାରିଥିଲା ତାସ୍ ଖେଳାଳୀଙ୍କ ସିଟ୍ ପାଖରେ ଆଉ ଠିଆ ହୋଇଗଲା ବାଡକୁ ଆଉଜି । ଟ୍ରେନ୍ ଛାଡିବା ସମୟ ହୋଇଯାଇଥିଲା । ସିଟି ଉପରେ ସିଟି ମାରୁଥିଲା । ପ୍ଲାଟଫର୍ମ ଉପରେ ଠିଆ ହେଇଥିବା ଆଉ କିଛି ଲୋକ ଠେଲିହେଇ ଉଠିଆସିଲେ ଡବା ଭିତରକୁ । ଏମିତି ଭିଡରେ ସୁନ୍ଦରୀ ଜଣେ ଠିଆହୋଇ ରହିବ, ଆଉ ପୁରୁଷ ହୋଇ ସେମାନେ ସିଟ୍ ଉପରେ ବସି ରହିଥିବେ .. ଏହା କ’ଣ ଠିକ୍ କଥା ହେବ ! ଛି ଛି, ପୁରୁଷ ପଣିଆକୁ କଳଙ୍କ ଲାଗିଯିବନି କି ! ବିନା କୁହାବୋଲାରେ ସମସ୍ତଙ୍କ ଶରୀରରେ ଆପଣାଛାଏଁ ତତକ୍ଷଣାତ୍ ସୃଷ୍ଟି ହେଇଗଲା ଅଦ୍ଭୁତ ଚଳନଟିଏ । ସୂର୍ଯ୍ୟ ମକରକ୍ରାନ୍ତିରୁ ବିଷୁବକ୍ରାନ୍ତିକୁ ଚଳିଗଲା ପରି ସେମାନେ ଝରକା ପାଖକୁ ଆଉ ଟିକିଏ ଟିକିଏ ଚଳିଗଲେ । କହିବା ଅନାବଶ୍ୟକ ଯେ ସିଟ୍ ରେ ଜଣେ ଲୋକ ଆରାମରେ ବସିପାରିବା ଭଳି ସ୍ଥାନଟିଏ ସୃଷ୍ଟି ହେଇଗଲା ମୁହୂର୍ତ୍ତକ ଭିତରେ ।


ଝିଅଟି ସବୁ ଦେଖୁଥିଲେ ବି ନିରବ ଥିଲା । ତାସ୍ ଖେଳାଳୀଙ୍କ ଭିତରୁ ନିଜକୁ ଅଧିକ ସ୍ମାର୍ଟ ମନେ କରୁଥିବା ଯୁବକ ଜଣଙ୍କ ଅତ୍ୟନ୍ତ ବିନୀତ ସ୍ୱରରେ କହିଲା, “ଏଠି ବସି ପଡନ୍ତୁ ଆଜ୍ଞା ! ଏ ଭିଡ ଭିତରେ ଏତେ ବାଟ ଠିଆ ହୋଇ ହୋଇ କେମିତି ଯିବେ ! ଭିଡ ସାଙ୍ଗକୁ ଗରମ ବି ତ ପ୍ରବଳ ପଡିଛି !”


କହିଲା ବେଳେ ତା’ ସ୍ୱରରୁ ଫୁଟି ଆସୁଥିଲା ମହିଳାମାନଙ୍କ ପ୍ରତି ତା’ ଭିତରେ ରହିଥିବା ସମସ୍ତ ଆଦରପଣ ।


“ଧନ୍ୟବାଦ !” ସ୍ମିତହାସ୍ୟ ସହିତ ଯୁବତୀଟି ବସିପଡିଲା ସଙ୍ଗେ ସଙ୍ଗେ । ତା’ ପାଖକୁ ଲାଗିକି ବସିଥିବା ଅଶୀ ତିପର ବୃଦ୍ଧ ଜଣଙ୍କ ନିଜକୁ ଯେତିକି ଭାଗ୍ୟବାନ୍ ମନେ କରୁଥିଲେ, ତା’ଠାରୁ ଅଧିକ ଈର୍ଷା କରିବାକୁ ଲାଗିଲେ ଅନ୍ୟ ଯାତ୍ରୀମାନେ ।


ଆଉ ଥରେ ଟ୍ରେନ୍ ର ସିଟି ବାଜିବା ସଙ୍ଗେ ସଙ୍ଗେ ଷ୍ଟେସନ୍ ମାଷ୍ଟରର ଶେଷ ହୁଇସିଲ୍ ବାଜିଉଠିଲା । ଧଡ୍ କରି ଉଠିପଡିଲା ଝିଅଟି ବସିବା ସ୍ଥାନରୁ ଆଉ ଡାକିଲା, “ଆଈ, ଆ ଏଠିକୁ .. ଏଠି ବେଶ୍ ଜାଗା ଅଛି । ଏ ଲୋକମାନେ ଭାରି ଭଲ । ସୁବିଧାରେ ତୁ ଭୁବନେଶ୍ୱରରେ ପହଞ୍ଚିଗଲା ପରେ ମତେ ଫୋନ୍ କରିଦେବୁ ।“


କହୁ କହୁ ଛେଟିଆ ଧନ୍ୟବାଦଟିଏ ପୁଣି ସମସ୍ତଙ୍କୁ ଦେଇ ତରତର ହେଇ ସେ ଟ୍ରେନ୍ ରୁ ଓହ୍ଲେଇଗଲା । ଆଉ ସମସ୍ତେ ସବୁକିଛି ବୁଝିବା ପୂର୍ବରୁ, ଜାଣିବା ପୂର୍ବରୁ ହି ଟ୍ରେନ୍ ଟା ଷ୍ଟେସନ୍ ଛାଡି ସାରିଥିଲା । 

 

ପ୍ଲାଟଫର୍ମ ରେ ଠିଆହୋଇ ଯୁବତୀ ଜଣକ ତା’ ଆଈକୁ ହାତ ହଲେଇ ବିଦା କରୁଥିଲା । କିଏ ତା’ର ଆଈ ବୋଲି ସମସ୍ତେ ଜାଣିବାକୁ ଆଗ୍ରହ କରି ଯେତେବେଳେ ସିଟ୍ ଆଡକୁ ଚାହିଁଲେ, ସେତେବେଳେ ତାଙ୍କ ହୋସ୍ ଉଡିଗଲା । କାରଣ ଏବେ ତାଙ୍କ ପାଖରେ ସହଯାତ୍ରୀ ହୋଇ ସେଇ ସୁନ୍ଦରୀ ଆଉ ବସିନଥିଲା, ବସିଥିଲା କିଛି ସମୟ ପୂର୍ବରୁ ଭିଡ କାଟି କାଟି ଭିତରକୁ ପଶି ଆସିଥିବା ସେହି ବୃଦ୍ଧା !

 -0-


Rate this content
Log in

Similar oriya story from Comedy