ପାଣି
ପାଣି


ରାସ୍ତାକଡ ପାଣି ପାଇପ୍ ରୁ ବୋହି ଯାଉଥିବା ପାଣିକୁ ଦେଖି ଦେବବ୍ରତ ଯେତେବେଳେ ଡ୍ରାଇଭରକୁ ଗାଡି ଅଟକେଇବାକୁ କହିଲେ, ସବୁଥର ପରି ବିରକ୍ତିଆ ସ୍ୱରରେ ପଞ୍ଜାବୀ ଡ୍ରାଇଭର୍ ଟା କହିଲା, “କ୍ୟ ସାବ୍ ରୋଜ୍ ରୋଜ୍ ୟହି କରନେ କେ ଲିୟେ ଗାଡି ରୋକତେ ହୋ, ଲେକିନ୍ କିତନା ଟାଇମ୍ ବନ୍ଦ ରହ ପାତା ହେ ୟେ ? ଆପ୍ କେ ଜାତେ ହି ଫିର୍ କୋଇ ଆକେ ଖୁଲା ଛୋଡ୍ ଦେଗା । ଆପକେ ବନ୍ଦ କରନେ ସେ ଦୋ ଚାର୍ ବାଲଟି ପାନି ରହ ଭି ଜାୟେଗା ତୋ କ୍ୟା ହୋ ଜାୟେଗା ? ବହନା ତୋ ଉସେ ହେ ହି ! ୟେ କୋଇ ଆପକା ଗାଓଁ ନହିଁ ହେ ଯୋ ପାନି କା କମି ପଡେଗା ଲୋଗୋଁ କୋ ! .. ଆଜ ରହନେ ଦିଜିୟେ .. ଟ୍ରାଫିକ୍ ବହୁତ ଜ୍ୟାଦା ହୈ .. ଗାଡି ଖଡା କରନେ ସେ ପୁଲିସ୍ ଗୁସ୍ସା କରେଗା । ଛୋଡିୟେ ୟହ ସବ । ଚଲିୟେ ଆଜ ଚଲତେ ହୈଁ ..”
“ଆଚ୍ଛା ବାବା ଚଲୋ ।” ତା’ର ବିରକ୍ତିକୁ ଦେଖି ସେ ଆଉ ରହିବାକୁ ବାଧ୍ୟ କଲେ ନାହିଁ । ଗାଡି ଗଡିଗଲା ଆଗକୁ, ହେଲେ ଦେବବ୍ରତଙ୍କ ଧ୍ୟାନ ଅଟକି ରହିଗଲା ସେଇ ପାଣି ପାଇପ୍ ପାଖରେ । ଆଉ ଆଖି ଆଗରେ ନାଚିଗଲା ଦୀର୍ଘ ବର୍ଷରୁ ଭୁଲି ଯିବାକୁ ଚେଷ୍ଟା କରି ଆସୁଥିବା କିଛି ଦୃଶ୍ୟ ।
ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର .. ପାହାଡିଆ ରାସ୍ତା .. ଶୁଖିଲା ଟାଙ୍ଗରା ଭୂଇଁ .. ମୁଣ୍ଡରେ କାଖରେ ଗରା କଳସୀ ରଖି ଧାଡି ବାନ୍ଧି ଆଗେଇ ଚାଲିଥିବା ଛୋଟବଡ ହୋଇ ଦଳେ ଚିହ୍ନା ପରିଚିତ ମୁହଁ ! ସେମାନଙ୍କ ଭିତରେ ଅଛନ୍ତି ତାଙ୍କର ବୋଉ .. ସାନ ଭଉଣୀ ବୁନି, ଆଉ ଆଖପାଖର ଅନେକ ସ୍ତ୍ରୀ ଲୋକ । କଳସୀର ଭାରରେ ବାଙ୍କି ଯାଇଥିବା ଶରୀର .. ପାଣିର ଅଭାବରେ ଶିଠା ପଡି ଯାଇଥିବା ରୋଗୀଣା ଅବୟବ ଆଉ କାନ୍ତିହୀନ ଚେହେରା । ଆଉ ଏସବୁ ସହିତ ମୁହଁରେ – ଖରାରେ ସରି ସରି ଆସୁଥିବା ପାଣିର ଆତଙ୍କ ! କେତେ ହୃଦୟ ବିଦାରକ ଦୃଶ୍ୟ ସତରେ ! ଏସବୁ କେବଳ ତାଙ୍କ ଗାଁର ନୁହେଁ, ଆଖପାଖ ସବୁ ଗାଁର ଦୃଶ୍ୟ ସେହି ଏକା ପ୍ରକାରର !
ଆଠ ବର୍ଷର ବୁନିର ପାଦରେ କଣ୍ଟା ଫୁଟି ଶୁଖିଲା ମାଟି ଉପରେ ରକ୍ତର ଛାପ ରହିଗଲା ବେଳେ ଶୁଭିଯାଏ ବୋଉର ତାଗିଦା – ଠୋପାଏ ପାଣି ବି ଚହଲିକି ପଡିବନି ଯେମିତି ! ଗୋଡକୁ ପଛରେ ଦେଖିବୁ, ଏବେ ପାଣି ମାଠିଆ ସମ୍ଭାଳିକି ଚାଲୁଥା । ବହୁତ କଷ୍ଟରେ ଆଜି ଏତିକି ପାଣି ମିଳିଛି, କାଲିକୁ କ’ଣ ହେବ, କିଏ ଜାଣେ ! ଏ ବର୍ଷର ଖରା ବି ତ ଏମିତି ସେମିତି ନୁହେଁ .. ପ୍ରାଣ ନେଇକି ହିଁ ଛାଡିବ ..!
ସାରା ଘରର ପାଞ୍ଚ ପ୍ରାଣୀ କୁଟୁମ୍ୱ ପାଇଁ ମାତ୍ର ଚାରି ପାଞ୍ଚ କଳସୀ ପାଣି; ସେଥିରେ ପୁଣି ଭାଗ ବଣ୍ଟରା ହେଇ ପ୍ରତ୍ୟେକଙ୍କ ପାଇଁ ଲୋଟାଏ ପିଇବା ପାଣି ! ଆକାଶରେ ଏବେ ବି ମେଘର ନାମଗନ୍ଧ ନାହିଁ । ଖରା ବଢିବା ସଙ୍ଗେ ସଙ୍ଗେ ଚୁଆରୁ ବି ଆଉ ପାଣି ଝରୁନାହିଁ । ଦିନ କେଇଟା ପରେ ଲୋଟାଏ ଜାଗାରେ ଅଧ ଲୋଟା ପାଣିରେ କାମ ଚଳେଇବାକୁ ହେବ । ଶୋଷରେ ତଣ୍ଟି ଆଉଟୁ ପାଉଟୁ ହେଇ ଯାଉଥିଲେ ବି ଅଧିକ ଠୋପାଏ ପାଣି ମାଗିବା ପାଇଁ ସମସ୍ତଙ୍କୁ ମନା ।
ତେବେ ବୁନିଟା ସେ ମନାକୁ ମାନି ପାରିଲାନି ଦିନେ । ବାପାଙ୍କ ଲୋଟାରୁ ଲୁଚେଇକି
ଅଧ ତାଟିଆ ପାଣି ପିଇ ଦଉଥିଲା ବେଳେ ନଜର ପଡିଗଲା ବୋଉର । ରାଗରେ ଧାଇଁଆସି ଲଗେଇ ଦେଇଥିଲା ଜୋରଦାର ଚଟକଣୀଟିଏ କାନମୁଣ୍ଡାରେ ।
ବାସ୍ .. ସେତିକିରେ ସରି ଯାଇଥିଲା ଗୋଟାଏ ଶୋଷ ସବୁଦିନ ପାଇଁ । ଆଶ୍ଚର୍ଯ୍ୟ ଆଉ ଅବିଶ୍ୱାସରେ ବୋଉ ଚାହିଁ ରହିଗଲା ବୁନିକୁ ବେଶ୍ କିଛି କ୍ଷଣ । ମାଡ ଖାଇ ଖାଇ ଗଇଆଁ ହୋଇ ଯାଇଥିବା ପିଠି ତା’ର ଗୋଟିଏ ଚଟକଣୀକୁ ସହି ପାରିବନି ! କେମିତି ବିଶ୍ୱାସ କରିବ କିଏ !
କରିପାରିଛନ୍ତି କି ଦେବବ୍ରତ ଆଜି ଯାଏଁ ! .. ହଁ, କରିଛନ୍ତି । ସେଇଥିପାଇଁ ତ ମନଭରି ପାଣି ଗ୍ଲାସେ ପିଇ ପାରନ୍ତିନି କେବେ । ଖରାରେ ତଣ୍ଟି ଅଠା ଅଠା ହୋଇଗଲେ ମଧ୍ୟ ନୁହେଁ । ଠୋପାଏ ପାଣି କୋଉଠି ଅଯଥାରେ ଢାଳିଗଲେ ତାଙ୍କ ଆଖି ଆଗରେ ନାଚିଯାଏ ବୁନିର ରକ୍ତଝରା ପାଦର ଛାପ .. କୋଉଠି କିଏ ଅଧିକ ଗ୍ଲାସେ ପାଣି ପିଉଥିଲେ କି ଛାଡି ଦେଉଥିଲେ, ତା’ ଭିତରେ ତାଙ୍କୁ ଦେଖାଯାଏ ଶୋଷରେ ପାଣ୍ଡୁର ପଡି ଯାଇଥିବା ବୁନିର ଶେଷ ବେଳର ମୁହଁ ।
ସହରକୁ ଆସିଲା ପରେ ସବୁଠାରୁ ଆଶ୍ଚର୍ଯ୍ୟ ପ୍ରଥମେ ଯାହା ତାଙ୍କୁ ଲାଗିଥିଲା, ତାହା ହେଲା ପାଣିର ଉପସ୍ଥିତି – ତାହା ପୁଣି ଘର ଭିତରେ । ନଳ ଖୋଲିଲେ ପାଣି, ତା’ ବି ଯାହାକୁ ଯେତେ ! ମଣିଷର ଗାଧୁଆ ସହିତ ରାସ୍ତାଘାଟ ବି ଧୁଆ ହେଉଛି ସେଥିରେ । ଖାଲି ସେତିକି ନୁହେଁ, ଅନେକ ସ୍ଥାନରେ ନଳ ଖୋଲା ରହି ଅନବରତ ପାଣି ଝରି ଯାଇ ନାଳରେ ମିଶୁଛି ।
ମୋଟେ ସହି ପାରନ୍ତିନି ସେ । ଦଉଡି ଯାଇ ବନ୍ଦ କରିପକାନ୍ତି ନଳକୁ । ସତେ ଯେମିତି ବୁନିର ଅତୃପ୍ତ ଶୋଷିଲା ଆତ୍ମାଟା ଏଇଥିରେ ଶାନ୍ତ ହୋଇଯାଏ !
ଆଜି ବି ନଳରୁ ପାଣି ଝରି ଚାଲିଥିବାର ଦେଖି ଛାତି ଭିତରଟା ଯନ୍ତ୍ରଣାରେ ତାଙ୍କର ଫାଟିପଡିଲା । ଡ୍ରାଇଭର୍ ର ବିରକ୍ତି ପାଇଁ ସେ ଆଗକୁ ଆସିଗଲେ ସତ, ହେଲେ ମନଟା ସେଇଠି ରହିଗଲା । କୋଉଠି ଟୋପାଏ ପାଣି ପାଇଁ ଜୀବନ ଚାଲି ଯାଉଥିବା ବେଳେ, ଏଠି ପାଣିର ଏତେ ଅପବ୍ୟବହାର !! ବୁନିର ଶୁଖିଲା ମୁହଁ ପୁଣି ଥରେ ଆଖି ଆଗରେ ନାଚିଉଠିଲା .. ଶୁଭିଗଲା ବି ବୋଉର ଛାତିଫଟା କରୁଣ ସ୍ୱର ।
ନା, ସେ ମୋଟେ ଆଗକୁ ଯାଇ ପାରିବେନି । ତାଙ୍କୁ ସେ ନଳଟା ଯେମିତି ହେଉ ବନ୍ଦ କରିବାକୁ ହେବ । କିଛି ବାଲଟି ପଛେ ହେଉ, ସେତିକି ରହିଗଲେ ବି କେତେ ଗାଁର ଶୋଷ ମରିଯିବ ! ସେ ଭୁଲ୍ କରଦେଲେ ବନ୍ଦ ନକରି ନଳକୁ । କିଏ ଜାଣେ କୋଉଠି କେତେ ହତଭାଗୀ ବୁନି ଏଇ ଭିତରେ ପ୍ରାଣ ହରେଇ ନଥିବେ !
ଗୁରୁ ଗମ୍ଭୀର ସ୍ୱରରେ ଡ୍ରାଇଭର୍ କୁ ନିର୍ଦ୍ଦେଶ ଦେଲେ ସେ, “ଗାଡି ପିଛେ ଲେ ଚଲୋ ସର୍ଦ୍ଦାରଜୀ .. ମେରେ ହୋତେ ହୁୟେ କୋଇ ବୁନି କୋ କମ୍ ସେ କମ୍ ପାନି କେ ଲିୟେ ଜାନ୍ ଗୱାନା ନହିଁ ପଡନା ଚାହିୟେ .. ଟ୍ରାଫିକ୍ କିତନା ଭି ଜାମ୍ ହୋ .. କିସିକୀ ଜାନ୍ ସେ ବଢକର୍ ତୋ ନହିଁ ହୋଗା ..!”
ଆଖିରୁ ଚଷମା କାଢି ଲୁହ ପୋଛୁଥିଲା ବେଳେ ଆଖିବୁଜି ବି ସେ ଦେଖି ପାରୁଥିଲେ କିଂକର୍ତ୍ତବ୍ୟବିମୂଢ ହୋଇ ତାଙ୍କ ଆଡକୁ ଚାହିଁ ରହିଥିବା ଡ୍ରାଇଭର୍ ର ମୁହଁକୁ !
-0-