Kamala Satpathy

Abstract

2  

Kamala Satpathy

Abstract

ଦୁଇଟି ଅନୁଭବ : ବର୍ଷାର

ଦୁଇଟି ଅନୁଭବ : ବର୍ଷାର

3 mins
507


କାଲି ଖରାବେଳ ପର ଠାରୁ ମୁମ୍ବାଇରେ ଭୀଷଣ ବର୍ଷା। ସାରା ରାତି ବର୍ଷାର ରିମଝିମ ମଧୁର ତାନ, କାନ ସହିତ ମନକୁ ମଧୁମନ୍ତ୍ରିତ କରି ଚାଲିଥିଲା ବେଳେ ନିଜ ଅଜାଣତରେ ମୁଁ ହଜି ଯାଉଥିଲି ପଛରେ ଛାଡି ଆସିଥିବା କିଛି ସ୍ମୃତି ମଧୁର ଦିନମାନଙ୍କରେ। 


ଏମିତିରେ ବର୍ଷା ହେଲେ ଦୁଇଟି ଦୃଶ୍ୟ ସବୁବେଳେ ମୋର ଭାରି ମନେ ପଡ଼ିଯାଏ। ଚାହିଁକି ବି ଭୁଲି ପାରେନି ସେଇ ଦୁଇଟି ଯାକ ଦୃଶ୍ୟକୁ, ଯୋଉଥିରୁ ଗୋଟିଏ ତ ଥାଏ ନିଜର ସେଇ ମଧୁର ଅନୁଭବ, ହେଲେ ଅନ୍ୟଟି କିଛି ବର୍ଷ ତଳେ ନିଜ ଆଖିରେ ଦେଖିଥିବା ବର୍ଷା ପ୍ରତି ଏକ ଅଭିଯୋଗର ଦୃଶ୍ୟ। ଦୁଇଟି ଯାକ ଭିତରେ ଅଛି ଆକାଶ ପାତାଳର ପ୍ରଭେଦ। କିନ୍ତୁ ଦୁଇଟି ଯାକ ହି ବର୍ଷାର ବିଭୋରତାକୁ ନେଇ। ତେବେ ଗୋଟିଏ ବିଭୋର ପଣରେ ପିଲାଦିନର ଉନ୍ମାଦନା ରହିଥିବା ବେଳେ ଅନ୍ୟଟିରେ ଅଛି ଅସହାୟ ଜୀଵନର। 


ମୁଁ ଉପଭୋଗ କରୁଥିବା ଦୃଶ୍ୟଟି ଆମ ସମୟର ପ୍ରାୟ ସମସ୍ତଙ୍କର ନିଜର ଅନୁଭୂତି ଥିବ। ବର୍ଷଣ ମୁଖର ଆକାଶ ଆଡ଼କୁ ମୁହଁ କରି ମୁଣ୍ଡ ଉପରେ ପ୍ଲାଷ୍ଟିକ ଜରି ଭିତରେ ବହିକୁ ପୁରେଇ ପାଣି କାଦୁଅ ଘାଣ୍ଟି ଘାଣ୍ଟି ଘରକୁ ଫେରିବାର ସେ ଆନନ୍ଦ ଆଜି ବି ମତେ ଉସୁକାଏ ପୁଣି ଥରେ ପିଲା ହୋଇଯିବାକୁ।


ଜରିର ସାହାଯ୍ୟରେ ବହିର ସୁରକ୍ଷା ସହିତ ମୁଣ୍ଡକୁ ବି ସୁରକ୍ଷା ଦେବାର ପ୍ରୟାସରେ ପୂରା ଦେହ ଯେ ଓଦା ହେଇ ଯାଉଥାଏ, ସେ ଆଡକୁ କିଏ ବା ଭ୍ରୁକ୍ଷେପ କରୁଥିଲା ସତରେ ବରଂ ସମସ୍ତଙ୍କ ପାଟିରୁ ଝରି ଆସୁଥିଲା ଇନ୍ଦ୍ର ଦେବତାଙ୍କ ଦୂତ ମେଘ ପାଇଁ ଏକ ମିଳିତ ଅନୁରୋଧ - 

     ଦେ ମେଘ ଦେ ଅଜାଡି

          କାଲି ଖାଇବୁ ଖିରୀ ଖେଚୁଡ଼ି।

ସତରେ ମେଘ ଅଜାଡି ଦେଲେ କୋଉଠୁ ଖିରୀ ଖେଚୁଡ଼ି ଆସିବ, ତାହା ଆମର ଚିନ୍ତାର ବିଷୟ ନଥିଲା ବୋଲି ବୋଧେ ଆମେ ନିର୍ଦ୍ବନ୍ଦରେ ତାହା କହି ପାରୁଥିଲୁ। 


ସେ ଦୃଶ୍ୟ ଆଜି କୁଆଡ଼େ ଅଦୃଶ୍ୟ ହେଇ ଯାଇଛି, ଠିକ ଆମର ହଜି ଯାଇଥିବା ପିଲାଦିନ ପରି। ଏବେ ଯାହା ଆଖି ଦେଖୁଛି, ତାହା କେବଳ ବର୍ଷାକୁ ନେଇ ଚିନ୍ତା ଆଉ ଭୟ ମାତ୍ର। ଏ ଭୟ ଆଜି ଆମ ଜୀବନର ଅବିଛିନ୍ନ ଅଙ୍ଗ। ଦେହ ଖରାପର ଭୟ, ରାସ୍ତାଘାଟ ଜାମ ହେବାର ଭୟ, ଲାଇଟ ଚାଲି ଯିବାର ଭୟ, କାମବାଲି ଛୁଟି ମାରି ଦେବାର ଭୟ ... ଏମିତି ଏମିତି କେତେ ଭୟ ଆମକୁ ନିଶ୍ଚିନ୍ତରେ ଏ ବର୍ଷାକୁ ଉପଭୋଗ କରିବାକୁ ଦେଉନାହିଁ।


ଏସବୁ ଭୟ ସହିତ ମିଶିଯାଏ ଆଉ ଏକ ଭୟଙ୍କର ଦୃଶ୍ୟ ଯାହାକୁ ଦେଖିଲା ପରେ ମୁଁ ଆଉ ଭାବି ପାରୁନି ବର୍ଷାକୁ ନେଇ ସେ ନିଚ୍ଛକ ଆନନ୍ଦ କୋଉଠୁ ପାଇବି !!


ଏମିତି ଏକ ବର୍ଷା ଭିଜା ରାତିରେ ବିଜୁଳୀ ଘଡଘଡିର କୁହାଟ ଭିତରେ ହଠାତ ଦରଜାର ବେଲଟା ଜୋରରେ ବାଜି ଉଠିଲା। ଚମକି ପଡ଼ିଲି ମୁଁ। ଡରି ଡରି ଯାଇ ପଚାରିଲି, 'କିଏ?' 


ସେପଟୁ ଏକ ଭୟଭୀତ ସ୍ଵର ଭାସି ଆସିଲା, 'ମ୍ୟାଡାମ, ଆଜି ରାତିଟା ଟିକେ ଏଇଠି ରହିଯିବି।  ଘରେ ପାଣି ପଶିଯାଇଛି । ସକାଳେ କିଛି ବ୍ୟବସ୍ଥା କଲା ପରେ ମୁଁ ପଳେଇବି।'


ଦରଜା ସେପଟ ସ୍ୱରକୁ ମୁଁ ଚିନ୍ହିଥିଲି। ମୋ କାମବାଲୀ ଗଙ୍ଗା ଥିଲା। ଦରଜା ଖୋଲି ତାକୁ ଭିତରକୁ ଆସିବାକୁ ଦେଲି। କିନ୍ତୁ ଆଶ୍ଚର୍ଯ୍ୟରେ ଆଖି ବଡ଼ ବଡ଼ ହେଇଗଲା ମୋର ତାର ଓଦା ସର ସର ଚିରା ଫଟା ଲୁଗାପଟାକୁ ଦେଖି। ଆଉ ଯେତେବେଳେ ଜାଣିବାକୁ ପାଇଲି ତା ବସ୍ତିର କିଛି ପିଲା, ଯୋଉମାନେ କି ତା ପୁଅ ବୟସର ହୋଇଥିବେ, ବର୍ଷା ପାଗର ଆନନ୍ଦ ଉଠେଇବାକୁ ତା ଉପରେ ପାଶବିକ ଅତ୍ୟାଚାର କରିଛନ୍ତି, ସେତେବେଳେ ବର୍ଷାକୁ ନେଇ ମୋ ଭିତରେ ଥିବା ସବୁ ଭାବପ୍ରବଣତା କୁଆଡ଼େ ଉଭେଇ ଗଲା। ଭୟ ଆଉ ଅସୂୟାରେ ଥରି ଉଠିଲି। 


ପୋଲିସ ପାଖକୁ ନ ଯାଇ ଏଠିକୁ କାହିଁକି ଆସିଲୁ ବୋଲି ବିରକ୍ତ ହେଲା ପରେ ତାକୁ କହିଲି, 'ଚାଲ, ପୋଲିସରେ ଜଣେଇଦବା।'


ଚାହିଁଲା ସେ ମୋ ଆଡ଼କୁ ଆଖିରେ ଆଖିଏ ଯନ୍ତ୍ରଣା ନେଇ। ଠପ ଠପ କରି ଲୁହ ଦୁଇ ଧାର ଗଡି ପଡିଲା ତା ଆଖିରୁ। ମତେ ଚମକେଇ ଦେଇ କହିଲା, 'କୋଉ ନୂଆ କଥା ହେଇଛି ଯେ ପୋଲିସ ପାଖକୁ ଯିବି। ଏସବୁ ପ୍ରତି ବର୍ଷାରେ ଭୋଗିବାକୁ ତ ଆମ ପରି ଲୋକଙ୍କର ଭାଗ୍ୟରେ ଲେଖା ହେଇଛି। ପୋଲିସ ଭୟ ସେମାନଙ୍କର କାହିଁକି ହେବ, ସେମାନେ ପରା ତାଙ୍କର ନିଜ ଲୋକ !!'


'ନିଜ ଲୋକ!! '


ମନେ ମନେ କହିଥିଲେ ବି ସେ ଶୁଣି ପାରିଲା ପରି କହିଲା, 'ରାତି ପାହିଲେ ଯୋଉମାନଙ୍କ ସହ ସେମାନଙ୍କର ଉଠବସା, ସେମାନଙ୍କ କଥାକୁ ନଶୁଣି କିଏ କଣ ଆମ କଥା ଶୁଣିବ ସେଠି ଯେ ଆମେ ପୋଲିସ ପାଖକୁ ଯାଇ କମ୍ପ୍ଲନେ କରିବୁ!! ବରଂ ଆଉ କିଛି ଦିନ ଚୁପ ରହିଗଲେ ଏ ବର୍ଷାଟା ସରିଯିବନି କି ?'

   


Rate this content
Log in

Similar oriya story from Abstract