Kamala Satpathy

Abstract

2.3  

Kamala Satpathy

Abstract

ଜୁନିଅର ଆର୍ଟିଷ୍ଟ୍

ଜୁନିଅର ଆର୍ଟିଷ୍ଟ୍

6 mins
395


“ସିନେମାରେ ରୋଲ୍ ପାଇବାକୁ ହେଲେ ତୁମେ କ’ଣ କ’ଣ କରିପାରିବ ?” 


“ସବୁକିଛି କରିପାରିବି ସାର୍ । ନାଚ, ଗୀତ, ଡାଇଲଗ୍ ଡେଲିଭରି, ଆକ୍ଟିଙ୍ଗ୍ ସବୁଥିରେ ମୁଁ ପାରଙ୍ଗତା । ଡ୍ରାମା ସ୍କୁଲ୍ ରୁ କୃତୀତ୍ତ୍ୱର ସହ ଉତ୍ତୀର୍ଣ୍ଣ ହେଇଛି ମୁଁ । ହେଇ ଦେଖନ୍ତୁ ମୋର ସାର୍ଟିଫିକେଟ୍ ସବୁ .. ଆଉ ଇଏ ରହିଲା ମୋର ଫଟୋ ସେସନ୍ ର ସିଡି .. ଛୋଟ ଛୋଟ କେତେ ଗୁଡିଏ ଭିଡିଓ ଫିଲ୍ମରେ ମୁଁ କାମ ବି କରିସାରିଛି .. ଆଉ ସେସବୁ ଲୋକପ୍ରିୟ ବି ହେଇଛି । ମୋ ଦକ୍ଷତାକୁ ସମସ୍ତେ ସ୍ୱୀକାର କରିଛନ୍ତି ସେସବୁଥିରେ । ..”


କହୁ କହୁ ଡାଇରେକ୍ଟରଙ୍କ ହାତକୁ ବଡ ମୋଟା ଫାଇଲ୍ ଟା ବଢେଇଦେଲା ନୀଳ ଆଖିବାଲା ଝିଅଟି । ତଳୁ ଉପର ଯାଏ ଭଲକରି ଥରେ ନିରୀକ୍ଷଣ କରିନେଇସାରି ଅନ୍ୟମନସ୍କ ହେଇପଡିଲେ ଡାଇରେକ୍ଟର୍ । ସେଇ ଅନ୍ୟମନସ୍କତା ଭିତରେ ତା’ ହାତରୁ ଫାଇଲ୍ ନେଇ ଓଲଟେଇବାକୁ ଲାଗିଲେ । ଫାଇଲ୍ ଭିତରେ ଅନେକ ସାର୍ଟିଫିକେଟ୍ .. ସବୁ ସେଇ ଝିଅର । କୋଉଥିରେ ପ୍ରଥମ, ତ କୋଉଥିରେ ଦ୍ୱିତୀୟ ଅବା ତୃତୀୟ । ସେସବୁ କିନ୍ତୁ ତାଙ୍କୁ ଏତେ ପ୍ରଭାବିତ କରିପାରୁନଥିଲା । ଏଠିକୁ ଆସୁଥିବା ପ୍ରତ୍ୟେକ ଝିଅଙ୍କ ପାଖରେ ଏଇଥିରୁ ଗଦାଏ ଗଦାଏ ନିଶ୍ଚୟ ଥାଏ । ଏମିତି ବି ହଜାରେ ଦି’ ହଜାରେ ଟଙ୍କାରେ ଯିଏ ନାହିଁ ସିଏ ଏସବୁ ହାତେଇ ନେଇପାରିବ । ଜାଲସାଜିର ସଂସାର ଭିତରେ ଜାଲି ସାର୍ଟିଫିକେଟ୍ ତ ସବୁଠାରୁ ଅଧିକ ଉପଲବ୍ଧ ହେଉଥିବା ଜିନିଷ । ଆଉ ଏ ଝିଅ ତାଙ୍କୁ ସେଇ ମାଧ୍ୟମରେ ପ୍ରଭାବିତ କରିବାକୁ ଚାହିଁଲେ, ସେ କ’ଣ ପ୍ରଭାବିତ ହେବେ ! ବରଂ ପ୍ରଭାବିତ ହେବେ, ଯଦି ସିଏ …


 “ସାର୍ ମୁଁ ଶାସ୍ତ୍ରୀୟ ସଙ୍ଗୀତରେ ବିଷାରଦ କରିଛି । ଚାହିଁବେ ତ ଯେକୌଣସି ଗୀତ ଗାଇ ଶୁଣେଇ ପାରିବି । ଲତା, ଆଶା, ସୁନିଧି ଚୌହାନ୍ .. କାହାର ଗୀତ ବି ଅବିକଳ ଗାଇଦେଇ ପାରେ ..”


“ହୁଁ …” ଗମ୍ଭୀର ସ୍ୱରକୁ ଆଉ ଟିକେ ଅଧିକ ଗମ୍ଭୀର କରି ଡାଇରେକ୍ଟର ମହାଶୟ କହିଲେ । ଆଉ ଥରେ ଝିଅଟି ଉପରେ ନିଜର ତୃଷିତ ଦୃଷ୍ଟି ଘୂରେଇ ଆଣିଲେ । ବଗିଚାର ସଜଫୁଲ ପରି ତାଜା ତାଜା ଦିଶୁଛି ତା’ର ମୁଖମଣ୍ଡଳ । କୁଞ୍ଚୁକୁଞ୍ଚିଆ କେଶରୁ ଗୋଛେ କାନ୍ଧ ଦେଇ ଛାତି ଉପରକୁ ଝୁଲିପଡିଛି । ନୀଳ ନୀଳ ଆଖି ତା’ର କଥା କହିଲା ବେଳେ ଚକ୍ ଚକ୍ କରିଉଠୁଛି । ଏମିତିଆ ଝିଅଟେ ତାଙ୍କ ଆଗାମୀ ସିନେମାର ନାୟିକା ହେଲେ, ବେଶ୍ ଖାପ୍ ଖାଇଯିବ ରୋଲ୍ କୁ । ଇଣ୍ଡଷ୍ଟ୍ରିରେ ଚହଳ ପଡିଯିବ । କିନ୍ତୁ .. କିନ୍ତୁ .. ତାଙ୍କୁ କି ଲାଭ ମିଳିବ ! ପହିଲି ସିନେମାରୁ ନାୟିକା ହେଇଗଲେ, ମୁହଁ ବଢିଯିବ ତା’ର । ଏପର୍ଯ୍ୟନ୍ତ ସିନେମା ଜଗତରେ ପ୍ରବେଶ ପାଇନି ବୋଲି ସାର୍ ସାର୍ କହି ନେହୁରା ହେଉଛି .. ହେଲେ ଥରେ ପ୍ରବେଶ ପାଇଗଲେ, ୟା’କୁ ତାକୁ ଚିହ୍ନିଗଲେ, ତାଙ୍କ ଉପକାରକୁ କ’ଣ ଆଉ ମନେ ରଖିବ ? ବରଂ ସେତେବେଳେ ତା’ ସହିତ କଥା ହେବାକୁ ଚାହିଁଲେ ତା’ର ଆପଏଣ୍ଟମେଣ୍ଟ୍ ସମସ୍ତଙ୍କ ସହିତ ତାଙ୍କୁ ବି ନେବାକୁ ହେବ । 


“ସାର୍ ବଡ ଆଶା ନେଇ ଆପଣଙ୍କ ପାଖକୁ ମୁଁ ଆସିଛି । ମତେ ନିରାଶ କରନ୍ତୁନି ସାର୍ । ଆମ ଘରର ଅବସ୍ଥା ଭଲ ନାହିଁ । ବାପା, ମାଆ, ସାନ ଭାଇଭଉଣୀ .. ସମସ୍ତଙ୍କର ଦାୟୀତ୍ବ ମୋ ଉପରେ । କାମ କରିବାର ଥରେ ମାତ୍ର ସୁଯୋଗ ଦିଅନ୍ତୁ, ଆପଣଙ୍କୁ ନିରାଶ ହେବାକୁ ପଡିବନି .. ଆପଣଙ୍କର ସବୁ କାମ ମୁଁ କରିଦେଇ ପାରିବି ।“


“ସବୁ କାମ ?” କୁଟୀଳ ହସର ରେଖାଟିଏ ଡାଇରେକ୍ଟରଙ୍କର ଓଠରେ ନାଚିଉଠିଲା । ମସ୍ତବଡ ସୁଯୋଗଟିଏ ଆପେ ଆପେ ଆସି ଆଜି ଧରାଦଉଛି । ସେ ତାକୁ ହାତଛଡା କରିବେ କାହିଁକି ? 

“ଆଚ୍ଛା, ଆଜି ରାତିରେ ମୋର ଜୁହୁବାଲା ବଙ୍ଗଳାକୁ ତୁମେ ଆସିପାରିବ ?”

“କାହିଁକି ସାର୍ ?” 

“ସେଇଠି ହିଁ ଆମର ସ୍ଥିର କରାଯାଏ ଆମେ କାହାକୁ କୋଉ ରୋଲ୍ ଦେବୁ । ମାନେ ଦକ୍ଷତା ଦେଖିକି କାମ । ଯଦି ଭଲ ଲାଗିଲ, ତେବେ ହିରୋଇନ୍ ନହେଲେ …”


“ସାର୍ ସିନେମାରେ ଅଭିନୟ କରି ପେଟ ପୋଷିବାକୁ ଆସିଛି । ଭଲ ଅଭିନୟ କରିପାରେ ବୋଲି ସମସ୍ତେ କହିବାରୁ ଏଇ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ମୁଁ ଚାହେଁ । ସମ୍ମାନର ସହିତ ବଞ୍ଚିବା ପାଇଁ ସବୁବେଳେ ସଂଗ୍ରାମ କରିଆସିଛି । ଯଦି ଆପଣଙ୍କ ମନରେ କିଛି ଅନ୍ୟଥା ଭାବ ଥାଏ, ତେବେ ମତେ କ୍ଷମା କରିବେ । ସେସବୁ ମୁଁ ପାରିବିନି ।“


ଅପେକ୍ଷାକୃତ ଦୃଢ ଥିଲା ନୀଳ ଆଖିବାଲା ଝିଅର କଣ୍ଠସ୍ୱର । ଚମକି ପଡିଲେ ଭିତରେ ଭିତରେ ସେ । ଆଜି ପର୍ଯ୍ୟନ୍ତ ଏପରି ପ୍ରଶ୍ନ ତାଙ୍କୁ କେହି ପଚାରି ପାରିନି କି ତାଙ୍କର କୌଣସି ଦାବିକୁ କେହି ପାଦରେ ଆଡେଇ ଦେଇନି । ସେ ତ ଆଉ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ଇଣ୍ଡଷ୍ଟ୍ରିର ନମ୍ୱର ୱାନ୍ ଡାଇରେକ୍ଟର୍ । କେବଳ ଇଶାରା କରିଦେବା ମାତ୍ରେ ଯୋଉଠି ବଡ ବଡ ଷ୍ଟାର୍ ମାନେ ସବୁକିଛି କରିବାକୁ ପ୍ରସ୍ତୁତ ହେଇଯାଆନ୍ତି, ସେଠି ଗୋଟାଏ ନବାଗତାର ଏ ଦୁଃସାହାସ !


କଠୋର କଣ୍ଠରେ କହିଲେ, “ସିନେମାରେ ହିରୋଇନ୍ କ’ଣ ମାଗଣାରେ ହେଇଯିବୁ ? ହିରୋଇନ୍ ମାନଙ୍କର ରୋଜଗାର କେତେ ଜାଣିଛୁ ତ ? କୋଟିରେ ଖେଳନ୍ତି ସେମାନେ । ସେମାନଙ୍କୁ ଛାଡି ତତେ ନେବା ମାନେ ଜୁଆ ଖେଳିବା । ତାହା ପୁଣି କୋଟି କୋଟି ଟଙ୍କାର ଜୁଆ । ତୁ ଏମିତି କଣଟେ ଯେ ତୋ’ ପାଇଁ ଏତେ ଟଙ୍କାର ବାଜି ମୁଁ ଲଗେଇବି ? ମତେ କ’ଣ ମହାପୁରୁଷ ଭାବି ତୁ ଧାଇଁଆସିଛୁ ? ତୋ’ ପରି କେତେ କେତେ ସତି ସାବିତ୍ରୀଙ୍କୁ ସଡକରୁ ନେଇ ରାତାରାତି ଚାନ୍ଦରେ ବସେଇଛି । ଆଉ ତୁ କହୁଛୁ ତୁ ସମ୍ମାନର ସହିତ ବଞ୍ଚିବାକୁ ଆସିଛୁ ! ତୋ’ ସମ୍ମାନଟା କ’ଣ ଏତେ ମହରଗ ଜିନିଷ ଯେ ତାକୁ ମୋ ଟଙ୍କା କିଣି ପାରିବନି ? ଯା’ ଯା’, ନିଜ ବାଟ ଦେଖ୍ .. ହିରୋଇନ୍ ହେବାକୁ ମନ, ଆଉ …”


“କିଏ କହିଲା ସାର୍ ହିରୋଇନ୍ ହେବାକୁ ମୁଁ ଧାଇଁଆସିଛି ? ଏତେ ବଡ ସ୍ୱପ୍ନ ମୁଁ କେବେ ବି ଦେଖେନା । ମୁଁ ଜାଣେ ମୋର କ୍ଷମତା କେତେ । ଆମ ଭଳିଆ ଗରୀବ ଘରର ଝିଅ କେବଳ ପେଟର ଭୋକକୁ ଶାନ୍ତ କରିବା ପାଇଁ କାମ କରେ, କୌଣସି ଲୋଭ ଲାଳସାର ବଶବର୍ତ୍ତୀ ହୋଇ ନୁହେଁ । ଆପଣଙ୍କ ଟଙ୍କା ଆପଣଙ୍କ ପାଖେ ରହୁ । ମୁଁ ପ୍ରଥମରୁ ଜଣେ ଜୁନିଅର୍ ଆର୍ଟିଷ୍ଟ୍ ଥିଲି, ଆଉ ଶେଷ ପର୍ଯ୍ୟନ୍ତ ସେଇଆ ରହିବାକୁ ଚାହିଁଛି । କିନ୍ତୁ ଆପଣଙ୍କ ଝିଅ ହି ମତେ ବାଧ୍ୟ କରି ପଠେଇଛି ଏଠିକୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ । ଅବଶ୍ୟ ମୋ ଭାଗ୍ୟ ଅପେକ୍ଷା ଅଧିକ ବିଶ୍ୱାସ ତା’ର ଥିଲା ନିଜ ବାପାଙ୍କ ଉପରେ । ତା’ର ବିଶ୍ୱାସ ତା’ ବାପାଙ୍କ ଠାରୁ ବଳି ସତ୍ ଚରିତ୍ରବାଲା ବ୍ୟକ୍ତି ଏ ସଂସାରରେ ଆଉ କେହି ନାହିଁ ।“


“ମୋ ଝିଅ ! ତାକୁ ତୁ କେମିତି ଜାଣିଲୁ ?” ଆକାଶର ପେଟ ଚିରି ଖସି ପଡିଥିବା ବିଜୁଳି ସିଧା ତାଙ୍କରି ଉପରେ ଏମିତି ଆସି ପଡିଯିବ, ସେକଥା ସେ କେବେ ଅନୁମାନ ବି କରିନଥିଲେ ।


“ଆଶ୍ଚର୍ଯ୍ୟ ଲାଗୁଛି ନା ? ମୋ ପରି ସାଧାରଣ ଗରୀବ ଜୁନିଅର୍ ଆର୍ଟିଷ୍ଟ୍ ଟିଏ ଆପଣଙ୍କ ଝିଅ ଭଳି ରାଜକୁମାରୀକୁ ଚିହ୍ନିଲା କେମିତି ? ହୁଏ, ଏମିତି ବି କେବେ କେବେ ହୁଏ ସାର୍ ! ଏ ଦୁନିଆ ବଡ ବିଚିତ୍ର । ଅନେକ ସମୟରେ ଏମିତି ବିଚିତ୍ର ଘଟଣା ସବୁ ଏଠି ଘଟିଯାଏ, ଯାହାର କଳ୍ପନା ଆପଣଙ୍କ ଭଳି ବଡ ବଡ ଲୋକମାନେ କେବେ ବି କରିନଥାନ୍ତି । ମହଲର ରାଜକୁମାରୀ ବି କେବେ କେବେ ରାସ୍ତାକଡର ଝିଅକୁ ନିଜ ବନ୍ଧୁ ଭାବରେ ସ୍ୱୀକାର କରିନିଏ, ଆଉ ତା’ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଏ । ବିପରୀତ ଗୁଣଧର୍ମୀ ପରସ୍ପରକୁ ଆକର୍ଷୀତ କରିଲା ଭଳି, ପରସ୍ପରର ଆକର୍ଷଣରେ ଆମେ ବି ବାନ୍ଧି ହେଇଯାଇଛୁ ।  


ସେ ମୋ ଆଗରେ ସିନେମା ଜଗତର ଭଲ ଦିଗ ବିଷୟରେ ଜଣେଇବାକୁ ସବୁବେଳେ ଚେଷ୍ଟା କରିଛି, ଯୋଉଠି ଥରେ କି ଦି’ ଥର ନୁହେଁ, ଅନେକ ଥର ପ୍ରତାରଣାର ଶୀକାର ମୁଁ ହେଇଛି । ମାତ୍ର ସେକଥାକୁ ସେ କେବେ ବିଶ୍ୱାସ କରିନାହିଁ । ବରଂ ନିଜ ବାପାଙ୍କ ଉଦାହରଣ ଦେଇ ସବୁବେଳେ କହିଛି ଆସି ଭେଟ କରିବାକୁ । କାରଣ ତା’ ଦୃଷ୍ଟିରେ ତା’ ପିତାଙ୍କ ପରି ଆଦର୍ଶ ପୁରୁଷ ଯୋଉ ଇଣ୍ଡଷ୍ଟ୍ରିରେ ରହିଛନ୍ତି, ସେ ଇଣ୍ଡଷ୍ଟ୍ରି କେବେ ବି ପଙ୍କିଳ ହୋଇନପାରେ । ଆଉ ଯଦି ବା ପଙ୍କିଳ ହୋଇଥିବ, ତେବେ ବି ତା’ ବାପା ପଦ୍ମଫୁଲ ପରି ସ୍ୱଚ୍ଛ ଆଉ ସ୍ନିଗ୍ଧ ରହିଥିବେ । ମୁଁ ତା’ କଥାରେ ନିଜର ଅସହମତି ଜଣେଇବାରୁ ସେ ମତେ ବାଧ୍ୟ କରି ଏଠିକୁ ପଠେଇଛି ତା’ ବାପାଙ୍କ ସିନେମାରେ ନାୟିକାର ଭୂମିକା ତୁଲେଇବା ପାଇଁ । 


ମୁଁ ଜାଣିଥିଲି ସେ ଏଇ ଲାଇନ୍ ବିଷୟରେ କିଛି ବି ଜାଣିନି । ମିଛ ଗୋଟିଏ ଧାରଣା ମନରେ ରଖି ସାରା ଦୁନିଆକୁ ସେଇ ଧରଣା ଉପରେ ଆଖିବୁଜି ବିଶ୍ୱାସ କରିବାକୁ ସେ ବାଧ୍ୟ କରୁଛି । ତା’ ଆଖିରୁ ସେଇ ଅନ୍ଧପୁଟୁଳିକୁ ଖୋଲି ଧରେଇ ଦେବାକୁ ହି ମୁଁ ଚାଲି ଆସିଥିଲି । ତା’ର ଯୁକ୍ତି ଥିଲା ଏଇ ଇଣ୍ଡଷ୍ଟ୍ରିରେ ଜୁନିଅର୍ ଆର୍ଟିଷ୍ଟ୍ ହେବା ଖୁବ୍ କଠିନ, କିନ୍ତୁ ହିରୋଇନ୍ ହେବା ଅପେକ୍ଷାକୃତ ସହଜ । ଆଉ ଯଦି ସିନେମାଟି ହେଇଥିବ ତା’ ବାପାଙ୍କର, ତେବେ ତ ଚିନ୍ତା ଦକର କିଛି କାରଣ ହି ନଥିବ । ହେଲେ ସେ କାହୁଁ ଜାଣିବ ତା’ ବାପା ବି ସେଇ ପଥରେ ପଥିକ, ଯୋଉ ପଥରେ ସିନିଅର୍ ଆର୍ଟିଷ୍ଟ ମାନେ ଜୁନିଅର୍ ଆର୍ଟିଷ୍ଟ୍ ମାନଙ୍କର ସବୁ ପ୍ରକାରର ଶୋଷଣ କରିବା ହି କେବଳ ଜାଣନ୍ତି … । ଏମିତି କି ନିଜ ଝିଅ ବୟସର ଝିଅମାନଙ୍କ ସାଙ୍ଗରେ …”


କିଛି ସମୟ ପାଇଁ ନିରବ ହୋଇ ନୀଳ ଆଖିବାଲା ଝିଅଟି ତାଙ୍କୁ ଚାହିଁ ରହିଲା । ମୁହଁ ଉଠେଇ ତାକୁ ଥରେ ଦେଖିବାର ସାହାସ ବି ସେ କରିପାରୁନଥିଲେ । ନିଜ ଦୃଷ୍ଟିରେ ତଳକୁ ଖସି ପଡୁଥିଲେ । ସେ ଚାହୁଁଥିଲେ ଝିଅଟି ଶୀଘ୍ର ତାଙ୍କ ଦୃଷ୍ଟି ଆଢୁଆଳକୁ ଚାଲିଯାଉ । ସେ କିନ୍ତୁ ନିଜର କଥା ଜାରି ରଖିଲା, “ତେବେ ସାର୍ ମତେ କ’ଣ କିଛି କାମ ମିଳିପାରିବ ?”


କିଛି କହିନପାରି ସେ କେବଳ ମୁଣ୍ଡ ହଲେଇ ଦେଲେ । ତାହା ଆସ୍ତିବାଚକରେ ଥିଲା କି ନାସ୍ତିବାଚକରେ, ସେ ଜାଣି ପାରିଲା ନାହିଁ ବୋଲି ପୁଣି ଥରେ ନିଜ ପ୍ରଶ୍ନକୁ ଦୋହରେଇ ଦେଲା । ଶୂନ୍ୟ ଦୃଷ୍ଟିରେ ଥରେ ତଳକୁ ଆଉ ଥରେ ଉପରକୁ ଚାହିଁ ଦୀର୍ଘଶ୍ୱାସ ମାରିଲେ ଡାଇରେକ୍ଟର୍ ସାହେବ । ହାତରେ ଲେଖି କାଗଜଟିଏ ତା’ ହାତକୁ ବଢେଇ ଦେଲା ବେଳେ ତାଙ୍କ ହାତ ଥରିଉଠିଲା ।


ଚିଠିଟି ହାତରେ ଧରି ନୀଳ ଆଖିବାଲା ଝିଅଟି ରହସ୍ୟମୟ ହସଟେ ହସି ଦରଜା ପେଲି ବାହାରକୁ ଚାଲିଆସିଲା । ବାହାରେ ଠିଆ ହୋଇଥିବା ବନ୍ଧୁକୁ ଚିଠିଟି ଦେଖେଇ କହିଲା, “ସିନେମାରେ ରୋଲ୍ ପାଇବାକୁ ସବୁଠାକୁ ସହଜ ଉପାୟକୁ ଥରେ ଜାଣିଗଲା ପରେ ଏମିତି ଛୋଟମୋଟ ରୋଲ୍ ପାଇବାଟା ମୋ ପାଇଁ ସାଧାରଣ କଥା ହେଇ ସାରିଥିଲା । କିନ୍ତୁ ଏଥର ଆଉ କେରାଣ୍ଡି ବାଳିଆ ନୁହେଁ, ସିଧା ତିମିର ଶୀକାର ମୁଁ କରିପାରିଛି । ହେଇ ଦେଖ, ସିଧା ହିରୋଇନ୍ ର ରୋଲ୍ ତାହା ପୁଣି ସିନେମାର ବଡ ନାୟକର ବିପରୀତରେ …”



Rate this content
Log in

Similar oriya story from Abstract