The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kamala Satpathy

Tragedy

2.0  

Kamala Satpathy

Tragedy

ପଞ୍ଚାଅଶୀ ବର୍ଷର ବୋଉ ଚାଲିଗଲା ପରେ

ପଞ୍ଚାଅଶୀ ବର୍ଷର ବୋଉ ଚାଲିଗଲା ପରେ

5 mins
498



“ଆହେ ଶୁଣୁଛ, ଭାଇଙ୍କର ଫୋନ୍ ଆସିଥିଲା .. ଆଜି ସକାଳୁ ସକାଳୁ ବୋଉ ତୁମର ଚାଲିଗଲେ !”

ନିର୍ଲିପ୍ତ କଣ୍ଠସ୍ୱରରେ ବ୍ୟକ୍ତ କରାଯାଇଥିବା ବହୁ ପ୍ରତିକ୍ଷିତ ଘଟଣାଟି କ୍ଷଣିକ ପାଇଁ ମୋ କାନର ପରଦାକୁ ଫୁଟେଇ ଦେଇ ହୃଦୟର ସବୁଠାରୁ ଯନ୍ତ୍ରଣାମୟ କୋଠରିକୁ ଛୁଟି ଚାଲିଗଲା । ସକାଳ ଜଳଖିଆ ପାଇଁ ରୁଟି ବନୋଉଥିବା ହାତ ମୋର ସେହି ମୁହୂର୍ତ୍ତରେ କାଠ ପାଲଟିଗଲା । ସତରେ କ’ଣ ବୋଉ ଚାଲିଗଲା ? …. ନା ମ, କଥାଟାକୁ ମୁଁ ଠିକ୍ ରେ ଶୁଣିନାହିଁ ! ନାତି ନାତୁଣୀଙ୍କ ଗୋଳମାଳ ଭିତରେ କଥାଟା ସ୍ପଷ୍ଟ ଶୁଭିନାହିଁ .. ନିଶ୍ଚୟ ଆଉ କିଛି କହିଥିବେ ଅଭୟ । ବୋଉର ଚିନ୍ତାଟା ସବୁବେଳେ ମୁଣ୍ଡରେ ରହୁଛି, ତେଣୁ ମତେ ସେମିତି ଲାଗିଲା, ନହେଲେ ଅଭୟ କ’ଣ ଏତେ ସହଜତାରେ କହିଥାନ୍ତେ କଥାଟାକୁ !


“କ’ଣ କହିଲ .. ଶୁଣି ପାରିଲିନି ..” କହି କହି ଚୁଲି ବନ୍ଦ କରିଦେଇ ଅଭୟଙ୍କ ପାଖକୁ ଚାଲିଆସିଲି । ତାଙ୍କ କଣ୍ଠସ୍ୱରର ନିର୍ଲିପ୍ତତା ତଥାପି ମୋ କାନକୁ ସ୍ତମ୍ଭୀଭୂତ କରି ରଖିଥିଲା । ବିଶ୍ୱାସ କରି ପାରୁନଥିଲି ।


ଖବରକାଗଜ ଉପରୁ ମୁହଁକୁ ଟିକିଏ କାଢିଦେଇ ସେ କହିଲେ, “ବୋଉ ତୁମର ଚାଲିଗଲେ !” ଏଥର ? ଏଥର ତ ଆଉ କାନକୁ ଦୋଷ ଦେଇ ପାରିବିନି ! ସତରେ ବୋଉ ଚାଲିଗଲା !! ଦୀର୍ଘ ପଞ୍ଚାଅଶୀ ବର୍ଷର ସଂଘର୍ଷ ଆଜି ଠାରୁ ତା’ହେଲେ ସବୁଦିନ ପାଇଁ ଶେଷ ହେଇଗଲା ? ଜୀବନ ଆଉ ମୃତ୍ୟୁର ଟଣାଓଟରା ଭିତରେ ଘାଣ୍ଟିହେଇ ଚାଲିଥିବା ଆତ୍ମା ତା’ର ଶେଷକୁ ଶାନ୍ତି ପାଇଗଲା ! ବର୍ଷ ବର୍ଷ ଧରି ନିଦ ନଆସୁଥିବା ଆଖି ତା’ର କେତେ ଶାନ୍ତିରେ ଶୋଇଯାଇଥିବ ଆଜି ! ଭଲ ହେଲା, ଚାଲିଗଲା । କେତେ କଷ୍ଟ .. କେତେ ଯନ୍ତ୍ରଣା .. ସବୁଥିରୁ ମୁକ୍ତି ପାଇଗଲା ! ଖାଲି ସିଏ ତ ନୁହେଁ, ତା’ ସହିତ ଘାଣ୍ଟି ହେଉଥିବା ଅନ୍ୟ ସମସ୍ତେ ବି ମୁକ୍ତି ପାଇଗଲେ ! ଦୀର୍ଘଶ୍ୱାସଟିଏ ଆପଣାଛାଏଁ ବାହାରି ଆସିଲା ।


କାଲି ସକାଳେ ବୋଉ ଥିଲା .. ଆଉ ଆଜିକି ନାହିଁ ! କାଲି କଥା ହେଲା ବେଳେ ଚିରାଚରିତ ପ୍ରଶ୍ନକୁ ତା’ର ଦୋହରେଇ ପଚାରିଥିଲା, ‘କେବେ ଆସିବୁ ?’ ଏ ପ୍ରଶ୍ନକୁ ଦୀର୍ଘ ପଚାଷ ବର୍ଷର ବୈବାହିକ ଜୀବନରେ ପଚାଷ ଶହ ଥର ମୁଁ ଶୁଣି ସାରିବିଣି ! ତା’ର ଉତ୍ତର ଦେବାକୁ ଏବେ ଆଉ ଆବଶ୍ୟକ ଅନୁଭବ କରେ ନାହିଁ । ଅନେକ ଥର ବିରକ୍ତ ବି ଲାଗେ ସେ ପ୍ରଶ୍ନ ଶୁଣି ! କିନ୍ତୁ ବୋଉ କେବେ ବିରକ୍ତ ହୁଏନା । ସତେ ଯେମିତି ଏଇ ଗୋଟିଏ ପ୍ରଶ୍ନର ଉତ୍ତରରେ ଲୁଚି ରହିଛି ତା’ର ଆୟୁଷ ଯାକର ଆଶ୍ୱାସନା ! 


କାଲି କିନ୍ତୁ ଚିଡି ଯାଇଥିଲି ତା’ ପ୍ରଶ୍ନରେ । ଏଇ କିଛି ଦିନ ତଳେ ଯାଇ ପନ୍ଦର ଦିନ ତା’ ପାଖରେ ରହିକି ଆସିଛି । ନିଜ ଘର ସଂସାର ଛାଡି ସବୁବେଳେ ଧାଉଁଥିବି ନା କ’ଣ ? 

ମୋର ବିରକ୍ତିକୁ ସେ କେମିତି ଗ୍ରହଣ କଲା କେଜାଣି ! କିଛି ସମୟ ପାଇଁ ନିରବୀ ଯାଇଥିଲା । ବହୁତ ଖରାପ ଲାଗିଥିଲା ମତେ । କାହିଁକି ଏତେ ନିଷ୍ଠୁର ହେଇଗଲି ! ତା’ପରେ ଅବଶ୍ୟ କଥାଟାକୁ ସାମାନ୍ୟ କରିବାର ଚେଷ୍ଟା କଲି । ସେ ମଧ୍ୟ ସାମାନ୍ୟ ହେଇଯାଇ କହିଲା, ‘ହଉ, ଏଇଲେ ନଆସିଲେ ପଛେ ନାହିଁ .. ରଜକୁ ନିଶ୍ଚୟ ଆସିବୁ !’ ହସି ଦେଇଥିଲି ବୋଉର ନିର୍ବୋଧ ଅନୁରୋଧକୁ ଶୁଣି ! ଆଉ ମାତ୍ର ପନ୍ଦରଟା ଦିନ ପରେ ରଜ । ଏବେ ଯାଇ ପାରିବିନି ବୋଲି କହିଲାରୁ କହୁଛି ରଜକୁ ଆସେ । କ’ଣ କହିବି ତାକୁ ? 


‘ହଉ ଦେଖିବି’ ବୋଲି କହି ଫୋନ୍ ରଖିଦେଲି । ନିଜ ଝିଅବୋହୂ ପୁନିଅଁ ପରବରେ ଘରକୁ ଆସିବାର ଦିନ ଦେଖିଲିଣି ସତ, ହେଲେ ନିଜେ ରଜକୁ ଘରକୁ ଯିବାର ଅନୁରୋଧ ଶୁଣିବା ମୋର ଶେଷ ହେଇନାହିଁ । ସବୁଥର ତା’ର ସେଇ ଗୋଟିଏ ଅଭିଯୋଗ – ‘ରାଇଜଟା ଯାକର ଝିଅବୋହୂ ଏଥର ଗାଁକୁ ଆସିଥିଲେ, ଖାଲି ତତେ ଛାଡି ! କେତେ ପିଠାପଣା କରିଥିଲି ! ତୋ’ ପସନ୍ଦର ଆରିଶା କରିକି ରଖିଥିଲି .. ପୋଖରୀରୁ କେତେ ବଡ ବଡ ମାଛ ଧରା ହେଇଥିଲା ! ଗାଁ ସାରା ବାଣ୍ଟିଲି । ହେଲେ ତୋ’ ପାଟି ସେସବୁ ଟିକିଏ ଚାଖି ପାରିଲାନି ! ଏତେ ଦୂରରେ ଯାଇ ରହିଲୁ ଯେ, କାହା ହାତରେ ପଠେଇ ଦେବାକୁ ବି ସୁବିଧା ହେଉନି !’


ଏସବୁ ଶୁଣିଲେ ସେତେବେଳେ ହସ ମାଡୁଥିଲା, ଆଉ ଆଜି କାନ୍ଦ ମାଡୁଛି । ପ୍ରତି ବର୍ଷ ରଜ ଆସୁଥିବ .. ଗାଁ ଝିଅବୋହୂଙ୍କର ଯିବା ଆସିବା ହଉଥିବ ; କିନ୍ତୁ ମୋ ପାଇଁ କାହା ଆଖି ଆଉ ବାଟ ଚାହିଁ ବସିବନି ! ଫୋନ୍ ରେ ମୋ ସ୍ୱର ଶୁଣୁ ଶୁଣୁ ‘କେବେ ଆସିବୁ’ ର ଅନୁରୋଧ ମୋ କାନ ଆଉ କେବେ ଶୁଣିବନି !


ଛାତି ଭିତରଟା ଯନ୍ତ୍ରଣାରେ ଭାରି ଭାରି ହେଇଆସିଲା । ଆଖି କୋଣରେ ଲୁହ ଜମାଟ ବାନ୍ଧି ଆସୁଥିଲା; କିନ୍ତୁ ବୋଉ ପାଇଁ କାନ୍ଦିବା .. ତା’ ପୁଣି ଏ ବୟସରେ ! ନିହାତି ହାସ୍ୟାସ୍ପଦ କଥା ହେବନି ! ଯାହାକୁ ଯଥାଶୀଘ୍ର ନେଇଯିବାକୁ ଦିନରାତି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲି; ତା’ ପାଇଁ ଆଖିରୁ ଲୁହ ଗଡେଇବା ଦେଖିଲେ କ’ଣ କହିବେ ସମସ୍ତେ ? ଦୀର୍ଘ ପାଞ୍ଚ ବର୍ଷ ଧରି ଝାଡା ପରିସ୍ରାରେ ଘାଣ୍ଟି ହେଉଥିବା ବୋଉକୁ ଦେଖିଲେ, ମଣିଷ ଜୀବନର ଦୁଃଖଦ ସ୍ଥିତି ପାଇଁ ବଡ କଷ୍ଟ ଲାଗେ । ଏଇ ବୋଉ ଦିନେ ଯେ ଦୁନିଆଯାକର ଦାୟୀତ୍ୱ ମୁଣ୍ଡେଇଥିଲା .. ଛଅ ଛଅଟା ଛୁଆଙ୍କ ଅଳିଅର୍ଦ୍ଦଳି ସାଙ୍ଗକୁ ବାପାଙ୍କର ଉଗ୍ର ସ୍ୱଭାବ, ତା’ ଭିତରେ ବି ବିନା ଅଭିଯୋଗ, ବିନା ଦୁଃଖରେ ଜୀବନ ତରୀକୁ କେମିତି ବାହି ନେଇଥିଲା ଭାବିଲେ ଆଜି ଆଶ୍ଚର୍ଯ୍ୟ ଲାଗେ । ଆଉ ସିଏ ଏମିତି ଖଟରେ ଅକର୍ମଣ୍ୟ ହୋଇ ପଡିରହି ଅନ୍ୟର ହାତଟେକା ପାଣିକୁ ଚାହିଁରହିଛି; ସେ ଦୃଶ୍ୟ ଦେଖିଲେ ଛାତି ଭିତରଟା ମୋର କୋରି ହେଇଯାଏ । ସବୁବେଳେ ଭଗବାନଙ୍କୁ ଡାକେ, କାହିଁକି ଏତେ କଷ୍ଟ ଦେଉଛ ପ୍ରଭୁ ! ନେଇଯାଉନ କାହିଁକି ତାକୁ ? ଆଉ ଆଜି ନେଇଗଲା ପରେ ଲାଗୁଛି ସେହି ଅକର୍ମଣ୍ୟ ଶରୀର ବି କେତେ ଶକ୍ତ ରଜ୍ଜୁରେ ବାନ୍ଧି ରଖିଥିଲା ସମସ୍ତଙ୍କୁ !


ବୋଉ ଚାଲିଗଲା ବୋଲି କେହି ଜଣେ ବି ଦୁଃଖି ନଥିବେ ! ଯେମିତି ନିଶ୍ଚିନ୍ତ ଚିତ୍ତରେ ଅଭୟ ବସି ଖବରକାଗଜ ପଢୁଛନ୍ତି, ସେମିତି ନିଶ୍ଚିନ୍ତରେ ବାକି ସମସ୍ତେ ବି ଥିବେ । କିନ୍ତୁ କେଜାଣି କାହିଁକି ନିଶ୍ଚିନ୍ତ ହେଇ ପାରୁନଥିଲି ମୁଁ । ମନ ଭିତରେ କେତେ କ’ଣ ସବୁ ଘାଣ୍ଟି ହେଇଯାଉଥିଲା .. ହେଲେ ପ୍ରକାଶ କରିପାରୁ ନଥିଲି କିଛି । କ’ଣ କହିବି .. କେମିତି କହିବି .. ଆଉ କାହାକୁ ବା କହିବି ! ଆଜି ପର୍ଯ୍ୟନ୍ତ ସବୁବେଳେ ଦୀର୍ଘଶ୍ୱାସ ପକେଇଥାଏ ତା’ର ଅସହାୟ ଅବସ୍ଥାକୁ ଦେଖି । ଏତେ ବର୍ଷ ବଞ୍ଚିବାର ଆବଶ୍ୟକତା କ’ଣ ରହିଛି ! ଏତେ କଷ୍ଟ .. ଏତେ ଯନ୍ତ୍ରଣା ! ଏ ସବୁର ଯେତେ ଶୀଘ୍ର ଅନ୍ତ ହେଇଯିବ, ସେତେ ଭଲ; ଏତେ ସବୁକିଛି କହିଲା ପରେ ଏବେ ମନ ଗୁମୁରି ଉଠୁଛି ବୋଉ ପାଇଁ ବୋଲି କେମିତି କହିବି ?


ଆଖିର ଲୁହ କିନ୍ତୁ ସେସବୁ ବୁଝୁନଥିଲା । ଯୋଉ ବୋଉ ମୋର ସାମାନ୍ୟ ସର୍ଦ୍ଦିକାଶର ଖବର ଶୁଣି ବ୍ୟସ୍ତ ବିବ୍ରତ ହୋଇଉଠେ, ତା’ ପାଇଁ ମୋ ମନକୁ ଏପରି କୁଭାବନା କେମିତି ଆସି ପାରୁଥିଲା ସତରେ ! କେତେ ଥର ଫୋନ୍ ରେ କୁହେ – ଛୁଆଟାଏ ତୁ; ତୋର କ’ଣ ଏତେ ଦେହ ଖରାପ ହେଉଛି ! ଟିକିଏ ବିଶ୍ରାମ କରୁନୁ ! .. ଭଲକି ଖାଇବା ପିଇବା କରୁନଥିବୁ ନିଶ୍ଚୟ । ଏଠିକୁ ଆସି କିଛିଦିନ ରହିକି ଯା’, ସବୁ ଠିକ୍ ହେଇଯିବ !


ଛୁଆଟାଏ ! ଶୁଣିଲେ ହସ ମାଡେ । ମୋର ନାତି ନାତୁଣୀ ହେଲେଣି, ହେଲେ ଆଜି ବି ବୋଉ ଆଖିରେ ମୁଁ ଛୁଆ !! ପଚାଷ ବର୍ଷ ଧରି ଘରଗୃହସ୍ଥୀ କରିଲିଣି ମୁଁ, ତଥାପି ବୋଉର ଅଭିମାନ ଯେ ତା’ କଥାକୁ ମୁଁ ଶୁଣୁନାହିଁ ! କଥାରେ କଥାରେ ବାପଘରକୁ ଦଉଡି ଯାଉନାହିଁ । ବାପଘରୁ ଭାଇ ଭାଉଜଙ୍କ ଡକରା ନପାଇ ରାଗ ଅଭିମାନ କରୁନାହିଁ ! ଆଜିଠୁ ଏପରି ଅଭିମାନ କେହି କରିବେନି ! ଆକଟ କରିବେନି କି ମୋ ପାଇଁ ବିବ୍ରତ ହୋଇ ଠାକୁରଙ୍କୁ ମୁଣ୍ଡିଆ ବି ମାରି ପକେଇବେନି !


କେତେ ଛୋଟବଡ ସ୍ମୃତି ସବୁ ହୃଦୟର ତନ୍ତ୍ରୀକୁ ଶବ୍ଦାୟିତ କରି ପକୋଉଥିଲା । ସବୁକିଛି ଚାଲିଛି ଗତାନୁଗତିକ ଭାବରେ, ତଥାପି ମୋ ଚାରିପଟରେ ଅଦ୍ଭୁତ ଏକ ଶୂନ୍ୟତା ଜମାଟ ବାନ୍ଧି ଚାଲିଥିଲା । ହଜି ଯାଇଥିଲି ନିଜ ଭିତରେ ମୁଁ । ଆଖିରୁ ଲୁହ ବାହାରୁଥିଲା କି ନାହିଁ, ତାହାର ବି ଖିଆଲ ନଥିଲା ମୋର । ଜାଣିନି, କେତେ ସମୟ ବିତିଗଲାଣି ୟା’ ଭିତରେ । ପିଠିରେ କାହା ହାତର ସ୍ପର୍ଶ ମତେ ଚମକେଇ ଦେଲା । ଅଭୟଙ୍କ ପ୍ରଶ୍ନଭରା ଆଖି ମତେ ନିରୀକ୍ଷଣ କରି ଚାଲିଥିଲା ।

“ବୋଉଙ୍କ ପାଇଁ କ’ଣ ଏମିତି ମନଦୁଃଖ କରିବା କଥା ? ବରଂ ମୁକ୍ତି ପାଇଗଲେ ବୋଲି ଭଗବାନଙ୍କୁ ଧନ୍ୟବାଦ ଦେବା କଥା !” ଚାହିଁଲି ତାଙ୍କୁ ମୁଣ୍ଡ ଉଠେଇ । ସେଠି ବୋଉ ପାଇଁ କିଛି ବି ଆବେଗ ନଥଲା, ବରଂ ଥିଲା ବିରାଟ ଏକ ଆଶ୍ୱସ୍ତି !


ନା, ବୁଝି ପାରିବେନି ଅଭୟ ସେହି ଯନ୍ତ୍ରଣାକୁ ! ସେହି ଅଭାବକୁ ! ବୋଉର ମୃତ୍ୟୁ ପାଇଁ ଯେ ଦୁଃଖ କରିବା କଥା ନୁହେଁ, ସେକଥା କ’ଣ ମତେ ଜଣାନାହିଁ ? ହେଲେ ମୋର ଏ ଦୁଃଖ ବୋଉର ମୃତ୍ୟୁ ପାଇଁ ଯେ ନୁହେଁ, ସେକଥା କେମିତି କହିପାରିଥାନ୍ତି ତାଙ୍କୁ ! କହିଥିଲେ କ’ଣ ସେ ସତରେ ବୁଝି ପାରିଥାନ୍ତେ ?


କେମିତି କହିଥାନ୍ତି ତାଙ୍କୁ ଯେ ମୁଁ କାହିଁକି ଆଜି ଏତେ ବ୍ୟାକୁଳ ! କାହିଁକି ଏତେ ଦୁଃଖୀ ! ମୋର ଏ ବ୍ୟାକୁଳତା ବୋଉ ପାଇଁ ନୁହେଁ, କି ତା’ର ମୃତ୍ୟୁ ପାଇଁ ବି ନୁହେଁ ! ଏ ବ୍ୟାକୁଳତା ମୋ ନିଜ ପାଇଁ ! 

ମୁଁ ଆଜି ଆଉ କାହା ଆଖିରେ ଛୁଆ ନୁହେଁ ! ମୁଁ ଜଣେ ସଂପୂର୍ଣ୍ଣ ବୃଦ୍ଧା ! କେହି କ’ଣ ସତରେ ବୁଝି ପାରିବ ମୋର ଏ ଦୁଃଖକୁ !! ନା, ମୋଟେ ନୁହେଁ !

 -0-


Rate this content
Log in

More oriya story from Kamala Satpathy

Similar oriya story from Tragedy