Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kamala Satpathy

Inspirational

2  

Kamala Satpathy

Inspirational

ସ୍ବାଭିମାନ

ସ୍ବାଭିମାନ

4 mins
490


ଷ୍ଟେସନ୍ ରୁ ବାହାରକୁ ବାହାରି ଆସିଲା ପରେ ଦେବବ୍ରତଙ୍କୁ ଜଣା ପଡିଗଲା ଯେ ମାତ୍ର ଚାରି ପାଞ୍ଚ ଦିନ ଭିତରେ ସହରର ପାଣିପାଗ ଖୁବ୍ ବେଶି ବଦଳି ଯାଇଛି । ଗଲା ସପ୍ତାହରେ ବାହାରକୁ ଗଲା ବେଳେ ଖୁବ୍ ବେଶି ଗରମ ଲାଗୁଥିଲା, ଏମିତି କି ବିନା ଏ.ସି.ରେ ରହି ହେଉନଥିଲା । ଅଥଚ ସପ୍ତାହକ ପରେ ଫେରିଲା ବେଳକୁ ଅତି ଆଶ୍ଚର୍ଯ୍ୟ ରକମର ଶୀତରେ ଥରୁଛନ୍ତି ପୂରା ସହରବାସୀ ଗଲା ବେଳେ କିଛି ଗରମ ପୋଷାକ ସାଙ୍ଗରେ ନେଇକି ଯିବା କଥା ତାଙ୍କ ମନକୁ ଆସି ହି ନଥିଲା । ଏବେ ଏତେ ଥଣ୍ଡାରେ ରାତି ଅଧଟାରେ ସେ ଘରକୁ ଫେରିବେ କେମିତି ଏ ଥଣ୍ଡାରେ ବାହାରେ ବେଶି ସମୟ ଠିଆହୋଇ ରହିବା ବି ତ ସେତେ ସହଜ ନୁହେଁ


ଚାହୁଁ ଚାହୁଁ ପୂରା ଷ୍ଟେସନ୍ ଟା ଖାଲି ହେଇଗଲା ସଙ୍ଗେ ସଙ୍ଗେ । କାଁ ଭାଁ କେହି ରହିଯାଇଥିଲେ ସକାଳକୁ ଅପେକ୍ଷା କରି । ବାହାରେ ଅଟୋ ଫଟୋ କିଛି ମିଳିଗଲେ ସେ ବି ଚାଲିଯାଆନ୍ତେ ଘରକୁ । ଯାଇ ଟିକେ ଭଲରେ ଶୋଇକି ଉଠନ୍ତେ । ବାରଟା ବେଳେ କମ୍ପାନୀର ଏମ୍ଡି.ଙ୍କ ସହିତ ମିଟିଙ୍ଗ୍ ନଥାନ୍ତା ଯଦି ତେବେ ଏଇ ଷ୍ଟେସନ୍ ବିଲଡିଙ୍ଗ୍ ରେ ଆଉ କିଛି ସମୟ ଠିଆରହି ସମସ୍ତଙ୍କ ପରି ସେ ମଧ୍ୟ ସକାଳକୁ ଅପେକ୍ଷା କରିପାରନ୍ତେ । ରାତି ଅଧଟାରେ ତାଙ୍କ ଲାଗି କାହିଁକି କେହି ହଇରାଣ ହେଇ ଆସିବ ବୋଲି ଡ୍ରାଇଭରକୁ ସେ ଆଗରୁ କହିନାହାନ୍ତି । ଏବେ ଘରକୁ କେମିତି ଯିବେ ବୋଲି ଚିନ୍ତା ହେଉଥିଲା ତାଙ୍କର ।


ଥଣ୍ଡାରେ ଦେହହାତ ବରଡାପତ୍ର ପରି ଥରୁଛି । ଛାତି ଭିତରେ କଫ ଜମା ହେଇଗଲା ପରି ଘଡ ଘଡ ଶୁଭୁଛି । ହାତପାଦ କୋଲ ମାରିଯାଉଛି । କାହିଁକି ଏଇ ଟ୍ରେନ୍ ଟାରେ ଆସିବାର ନିର୍ଣ୍ଣୟ ନେଲେ ବୋଲି ଏବେ ନିଜ ଉପରେ ରାଗ ଆସୁଥିଲା ।


“ବାବୁ, ରିକସା ଦରକାର … କୋଉଠିକୁ ଯିବେ ?”


ଦେବଦୂତ ପରି ସାମନାରେ ଆସି ଠିଆହୋଇ ଯାଇଥିବା ରିକସାବାଲାକୁ ଦେଖି ଶାନ୍ତିର ନିଶ୍ୱାସଟିଏ ଆପଣାଛାଏଁ ଛାତିରୁ ବାହାରି ଆସିଲା । ଯଦିଓ ମଣିଷ ଟାଣୁଥିବା ରିକସାରେ ବସି କୁଆଡେ ଯିବାଟା ତାଙ୍କୁ ଭଲ ଲାଗେନାହିଁ , ତେବେ ଆଜି ଆଉ କିଛି ଉପାୟ ନଥିଲା । ‘ଦୋଳମୁଣ୍ଡେଇ ଛକ’ ବୋଲି କହିଦେଇ ଚଟ୍ କରି ବସିପଡିଲେ । ରିକସାର ଚକ ଗଡିବା ସାଥେ ସାଥେ ଥଣ୍ଡା ପବନର ମାଡରେ ମଞ୍ଜ ଥରିଗଲା । ଏୟାରବ୍ୟାଗ୍ ଟାକୁ ଛାତି ପାଖରେ ଜାକିଧରି ସେଇ ହାଡଥରା ଶୀତରୁ ରକ୍ଷା ପାଇବାକୁ ଚେଷ୍ଟା କଲା ବେଳେ ନିଜର ପଡିଗଲା ରିକସାବାଲାର ପୋଷାକ ଉପରେ । ଦେହରେ ତା’ର ଚିରାଫଟା ସାର୍ଟ ଉପରେ ନାଲି ଗାମୁଛାଟାଏ, ଆଉ ଅଧା ଆଣ୍ଠୁ ଦେଖାଯାଉଥିବା ହାଫ୍ ପ୍ୟାଣ୍ଟ୍ । ବାସ୍ ଏତିକି ? ଏତିକିରେ ସମ୍ଭାଳି ନେଉଛି ସିଏ ଏଇ କଲିଜା ବରଫ ହେଇଯାଉଥିବା ଶୀତକୁ ! ସ୍ୱେଟର୍ ମଫଲର୍ ପିନ୍ଧି ବି ଲୋକମାନେ ଘରୁ ବାହାରିବା କଥା ଚିନ୍ତା ନକରି ପାରିଲା ବେଳେ ସେ କେମିତି ରାତି ଅଧଟାରେ ରିକସା ଚଲେଇ ବୁଲୁଛି !


“ଆରେ ଭାଇ .. ତମକୁ ଶୀତ ଲାଗୁନି ନା କ’ଣ ? ଏ ଅଧ ରାତିଟାରେ ଏତେ ଶୀତରେ ରିକସା ଧରି କାହିଁକି ବାହାରି ପଡିଲ ! କମ୍ ସେ କମ୍ ସୂର୍ଯ୍ୟ ଉଇଁଲା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତ !


ହସିଲା ସେ । ଅଭାବ ଅସୁବିଧାରେ ବତୁରି ଯାଇଥିବା ଗୋଟେ ମଣିଷ ମୁହଁର ହସ ଏମିତି ଦିଶେ କି ସତରେ ! ଅନ୍ଧାରରେ ବି ସେ ଦେଖି ପାରୁଥିଲେ ତା’ ଭାଙ୍ଗ ପଡିଯାଇଥିବା ମୁହଁକୁ .. କୋଟରରେ ପଶି ଯାଇଥିବା ଆଖିକୁ .. ବଙ୍କା ହୋଇଯାଇଥିବା ଅଣ୍ଟା ହାଡକୁ ! କେଜାଣି ପ୍ରଶ୍ନଟା କେମିତି ଭାବରେ ନେଲା ସେ । ଗାମୁଛାରେ ମୁହଁ ପୋଛିବା ବାହାନାରେ ଝରି ଆସୁଥିବା ଲୁହଧାରକୁ ପୋଛି ଦେଉ ଦେଉ କହିଲା, “ଆମ ପରି ଗରୀବମାନଙ୍କୁ ଶୀତ କ’ଣ ହୁଏ କି ସତରେ ସାରେ ! ଭୋକର ନିଆଁରେ ପେଟ ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଏ ଥଣ୍ଡା ପବନ ବରଂ ସେ ନିଆଁକୁ ଶୀତଳେଇ ଦିଏ ! ଏମିତିଆ ଥଣ୍ଡା ପଡିଛି ବୋଲି କେହି ତ ପଦାକୁ ବାହାରୁ ନାହାନ୍ତି, ଆଉ ମୋ ରିକସାରେ ବସିବ କିଏ ! ସାରା ରାତି ସହରର ଏମୁଣ୍ଡରୁ ସେମୁଣ୍ଡ ବୁଲି ସାରିଲିଣି, ହେଲେ ଦୁଇଟଙ୍କା ବି ରୋଜଗାର ହେଇନି । ଭାଗ୍ୟକୁ ତମେ ମିଳିଗଲ, ଯାହା କିଛି ପାଇବି, ସେତିକିରେ ଘରଣୀ ମୋର ସକାଳେ କିଛି ତ ଆଣି ରାନ୍ଧି ପାରିବ ! ଦୁଇ ଦିନରୁ ଦାନା ନପଡିଥିବା ପେଟରେ କିଛି ତ ପଡିବ !” 


“ଦିନରେ କ’ଣ କିଛି ରୋଜଗାର ହେଉନି ତୁମର ?”


ଦେବବ୍ରତଙ୍କ ପ୍ରଶ୍ନରେ କୋହ ଫିଟିଗଲା ସତେ କି ! କାନ୍ଦୁଣୁ ମାନ୍ଦୁଣୁ ସ୍ୱରରେ କହିଲା, “ଏବେ ଆଉ କିଏ ରିକସାରେ ବସୁଚି ସାରେ ! ଦିନ ହେଇଥିଲେ ତମେ ବି କୋଉ ବସିଥାନ୍ତ ? ସମସ୍ତେ ତ ଅଟୋ ବସ୍ ନହେଲେ ନିଜ ଗାଡିରେ ଯିବାଆସିବା କରୁଚନ୍ତି । କହୁଛନ୍ତି ରିକସାରେ ଗଲେ ଡେରି ହେଇଯାଉଛି .. । ସାର୍, ଏତେ ବର୍ଷରୁ ଆମେମାନେ ସମସ୍ତଙ୍କୁ ନେବାଆଣିବା କରୁଥିଲୁ, କାହିଁ କେବେ ତ କାହାରି ଡେରି ହେଉନଥିଲା ! ଆଉ ଆଜି ଏ ଯନ୍ତ୍ରଗାଡି ସବୁ ଆସିଗଲା ବୋଲି ଆମେ ଡେରି କରିଦେଉଛୁ ! ଏମିତି ବି ଭୋକ ଉପାସିଆ ଦେହରେ ବଳ ବା କୋଉଠୁ ଆସିବ ଯେ ସାଏଁ ସାଏଁ ଗାଡି ଚଲେଇ ନେବୁ ! ସମସ୍ତେ ରୋଗିଣା ହେଇଗଲେଣି । ତଥାପି ସାରେ, ଆମେ ହାରିନୁ । ରାତିଦିନ ଚବିଶ ଘଣ୍ଟା ରିକସା ଧରି ବୁଲୁଛୁ । ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ସମସ୍ତଙ୍କୁ ତାଙ୍କ ଠିକଣା ଜାଗାରେ ପହଞ୍ଚୋଉଛୁ । ହେଲେ ଆମକୁ ସବାରି ମିଳୁଛି ବା କେତେ ! ଯେତିକି ମିଳୁଛନ୍ତି, ସେମାନେ ଦଉଛନ୍ତି ବା କେତେ ! କମ୍ ପଇସାରେ ଶୀଘ୍ର ପହଞ୍ଚେଇ ପାରୁଥିବା ଗାଡି ମଟରକୁ ଛାଡି ଦିନ ବେଳେ ରିକସାରେ ବସିବ ବା କିଏ ! ସେଇଥିପାଇଁ ତ ଏ ହାଡଭଙ୍ଗା ଶୀତରେ ବି ଘରେ ଶୋଇ ନରହି ଗାଡି ଧରି ବାହାରି ଆସିଛି ମୁଁ ..”


ପୁଣି ଥରେ ଆଖିର ଲୁହକୁ ଗାମୁଛାରେ ପୋଛିଲା ସେ । ଦେବବ୍ରତଙ୍କ ଗନ୍ତବ୍ୟସ୍ଥଳୀ ଆସି ଯାଇଥିଲା । ମନଟା ଖୁବ୍ ଭାରି ଭାରି ଲାଗୁଥିଲା । ପକେଟ୍ ରୁ ଦୁଇଟି ଶହେ ଟଙ୍କିଆ ନୋଟ୍ କାଢି ତା’ ହାତକୁ ବଢେଇଦେଇ କହିଲେ, “ନିଅ, ରଖ । ମୋ ତରଫରୁ ଆଜି ତମେ ସ୍ୱେଟର କି ମଫଲରଟେ କିଣିଦେବ !”


“ନାହିଁ ସାରେ, ମୋର ପାଉଣା ପଚାଷ ଟଙ୍କା । ମତେ ସେତିକି ଦିଅନ୍ତୁ । ଏ ଗରୀବ ପାଖରେ ଆଉ ସିନା କିଛି ରହିଯାଇ ନାହିଁ, ହେଲେ ସ୍ୱାଭିମାନ ଆଜି ବି ରହିଛି । ମତେ ପଚାଷ ଟଙ୍କା ଅଧିକ ଦେଇ ତୁମେ ଦିନସାରା ଭାବୁଥିବ – ରିକସାବାଲାଟା ଭାରି ଚାଲାକ୍ ଥିଲା । ସକାଳୁ ସକାଳୁ ନିଜ ଦୁଃଖ ଶୁଣେଇ ମୋ ଠାରୁ ଏତକ ଟଙ୍କା ଝଡେଇ ନେଲା ! … ଆଉ ମନେ ମନେ ମୋ ଉପରେ ରାଗିବେ ବି । .. ନା ସାର୍ ତମ ପଇସା ତମ ପାଖରେ ଥାଉ । ୟା’କୁ ହଜମ କରିପାରିବି ନାହିଁ ମୁଁ । ହାତଗୋଡ ଚାଲୁଛି, କେମିତି ନା କେମିତି ଯୋଗାଡ କରିଦେଉଛି ନିଜ ପରିବାର ପାଇଁ ଦାନାପାଣି । ମୋ ପାଇଁ ସେତିକି ଯଥେଷ୍ଟ । ଆମ ପାଇଁ ଏ ଶୀତରାତି ସବୁ ଏମିତି ଆସେ ଆଉ ଯାଏ .. ୟା’ରି ଭିତରେ ଜୀବନ ଜିଇଁବା ଆମେ ଶିଖିଛୁ । ବରଂ ମୁଁ ସବୁବେଳେ ଦୁଃଖ କରେ ରାସ୍ତାରେ ଶୋଇ ରହୁଥିବା ସେଇ ଭିକାରିମାନଙ୍କ ପାଇଁ, ଯୋଉମାନେ କାମ କରିବାକୁ ବି ଅକ୍ଷମ । ..”


କହୁ କହୁ ତାଙ୍କ ହାତକୁ ପଇସା ଫେରେଇ ଦେଇ ସେ ଆଗକୁ ଚାଲିଗଲା ଆଉ ନିମିଷକରେ ଅନ୍ଧାରରେ ଅଦୃଶ୍ୟ ହେଇଗଲା । ପଛରୁ ଦେବବ୍ରତ ଖାଲି ଦେଖି ପାରୁଥିଲେ ତା’ ଫଟା ସାର୍ଟ ଦେଇ ନିଗିଡି ପଡୁଥିବା ଝାଳର ଧାରକୁ .. ତା’ ସହିତ ତା’ର ଅସାମାନ୍ୟ ସ୍ୱାଭିମାନକୁ


Rate this content
Log in

More oriya story from Kamala Satpathy

Similar oriya story from Inspirational