The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kamala Satpathy

Tragedy

4  

Kamala Satpathy

Tragedy

ବାପା

ବାପା

6 mins
544



“କଂଗ୍ରାଚୁଲେସନସ ସାର୍ , ଆପଣଙ୍କର ପୁଅ ହେଇଛି !”


ଧପ୍ କରି ଛାତି ଭିତରେ କିଛି ଗୋଟାଏ ଖସିପଡିଲା ଜୋର୍ ରେ । ଟେଳାଏ ମାଟି ଯେପରି ଅତଡା ଛିଡେଇ ଖସିପଡିଲା ପାଣି ଭିତରକୁ ! ଯେମିତି .. ଯେମିତି .. ସେ ପାଲଟି ଯାଉଛନ୍ତି ତୁଳାର ଛୋଟିଆ ଟୁକୁଡାଟିଏ .. ଉଡି ଉଡି କୁଆଡେ ଚାଲି ଯାଉଛନ୍ତି .. ହଜି ଯାଉଛନ୍ତି ଅନନ୍ତ ଆକାଶର ନୀଳିମା ଭିତରେ ! .. କାନ ପାଖରେ ବାରମ୍ୱାର ପ୍ରତିଧ୍ୱନିତ ହେଉଥିଲା ନର୍ସର ବାକ୍ୟ – ଆପଣଙ୍କର ପୁଅ ହେଇଛି .. ଆପଣଙ୍କର ପୁଅ ହେଇଛି ..!!


ଝଡି ପବନରେ ଦୋହଲି ଉଠୁଥିବା ବାୟା ବସା ପରି ଦୋହଲି ଉଠିଲା ରାମଚନ୍ଦ୍ରଙ୍କ ସମଗ୍ର ଅସ୍ତିତ୍ବ ! ଏଇ ସାଙ୍ଗେ ସାଙ୍ଗେ ନର୍ସଟି ଯାହା କହିଗଲା, ସେସବୁ କ’ଣ ସତରେ ସେ ଶୁଣିଛନ୍ତି .. ନା କଳ୍ପନାର ବଉଦ ଭିତରେ ପଶି ନିଜକୁ ଭିଜେଇ ଦେବାର ଅନୁଭବରେ ଆହ୍ଲାଦିତ ହୋଇଉଠୁଛନ୍ତି ମନକୁ ମନ !


ଏଇ ପଦିଏ କଥାକୁ ଶୁଣିବା ପାଇଁ ବର୍ଷ ବର୍ଷରୁ ପ୍ରତୀକ୍ଷାରତ ତାଙ୍କ ହୃଦୟ ପୁଣି ଥରେ ଚହଲି ଉଠିଲା … ସଚେତ ହେଇଉଠିଲେ ସେ । କାହାର ଅଶୁଭ ଦୃଷ୍ଟି ତାଙ୍କ ଖୁସିକୁ ଗ୍ରହଣ ଲଗେଇ ଦେବନି ତ ! 


.. ନା, ନା, ଆଖପାଖରେ କେହି ଦେଖାଯାଉ ନାହାନ୍ତି । ନର୍ସଟି କେତେବେଳୁ ଆ.ସି.ୟୁ. ଭିତରକୁ ଚାଲିଗଲାଣି । ଭିତରେ ସୁନନ୍ଦା ମୃତ୍ୟୁ ସହିତ ଅସଫଳ ସଂଗ୍ରାମ କରି ଚାଲିଛନ୍ତି । କଙ୍କାଳିଆ ଦେହଟା ଧଳା ଚାଦର ଭିତରେ କୁଆଡେ ଅଦୃଶ୍ୟ ହେଇଗଲା ପରି ଲାଗୁଛି । ଶେତା ପଡି ଯାଇଛି ମୁହଁଟା । ଡାକ୍ତର ପ୍ରାଣପଣେ ଚେଷ୍ଟା ଚଲେଇଛି ତାଙ୍କ ଜୀବନ ରକ୍ଷା କରିବାକୁ, ଯାହାର କୌଣସି ସମ୍ଭାବନା ନାହିଁ । 


ସେ କ’ଣ ଭୁଲ୍ କରିଦେଲେ କି ? 


ଡାକ୍ତର ଶତ ବାରଣ କରିଥିଲେ ସୁନନ୍ଦାଙ୍କୁ ଏପରି ସ୍ଥିତି ଭିତରକୁ ଟାଣି ନେବାକୁ । ତାଙ୍କ ମେରୁଦଣ୍ଡ ଦୁର୍ବଳ ଅଛି । ଜରାୟୁ ବି ଦୋଷପୂର୍ଣ୍ଣ । ଏଇ ଅବସ୍ଥାରେ ମା’ ହେବାକୁ ଚେଷ୍ଟା କରିବା ମାନେ, ନିଶ୍ଚିତ ମୃତ୍ୟୁ ମୁହଁକୁ ଠେଲିଦେବା !


କିନ୍ତୁ ମାନି ନଥିଲେ ରାମଚନ୍ଦ୍ର । ବିବାହ କରି, ବାପା ହେବାର ଗୌରବ ନପାଇ ପାରିଲେ କେତେ ହାହାକାର କରିଉଠେ ଜୀବନ, ଏହା କ’ଣ କାହାକୁ ଅଜଣା ଅଛି ! ସେମିତିଆ ଜୀବନର କ’ଣ କିଛି ମାନେ ଥାଏ ? ପିତୃତ୍ୱର ଅନୁଭବ ଠାରୁ ସୁଖକର ଅନୁଭବ ଆଉ କ’ଣ ବା ଅଛି ଏ ସଂସାରରେ ! କାହାର କୁନି କୁନି ହାତ ଧରି ଚଲେଇ ଶିଖେଇବା .. ଦରୋଟି ଭାଷାରେ କଥା ହେଇ ତାକୁ କହି ଶିଖେଇବା .. ତା’ ପାଇଁ ରାତି ରାତି ଉଜାଗର ରହି ତା’ ଆଖିରେ ନିଦ ଭରିଦେବା .. ତା’ ଜିଦ୍ଦି ଆଗରେ ଲଇଁଯାଇ ନିଜର ସବୁ ବ୍ୟସ୍ତତାକୁ ଛାଡିଛୁଡି ଦେଇ ଦଉଡି ଆସିବା .. ଓଃ, କି ଦିବ୍ୟ ଅନୁଭବରୁ ସେ ବଞ୍ଚିତ ରହିଯାଉଛନ୍ତି ସତରେ ! ବର୍ଷ ବର୍ଷରୁ ନୁହେଁ, ଯୁଗ ଯୁଗରୁ ଅତୃପ୍ତ ତାଙ୍କ ହୃଦୟ ଏ ସବୁଥିପାଇଁ ! ଏମିତି ଜୀବନକୁ କ’ଣ ଜୀବନ କୁହାଯାଇ ପାରେ ?


କିନ୍ତୁ ସୁନନ୍ଦା ?


ଆଖି ଆଗରେ ନାଚିଗଲା କାକୁସ୍ଥ ମୁଦ୍ରାରେ ଅଦୂରରେ ଠିଆ ହେଇଥିବା ଗୋଟେ ବନ ହରିଣୀର ଲୁହ ସର ସର ଚେହେରା । ନିଜ ଅକ୍ଷମତା ପାଇଁ ନିରବରେ ଅଶ୍ରୁ ତର୍ପଣ କରିଚାଲିଥିବା ଏକ ଅସହାୟା ଅସଂପୂର୍ଣ୍ଣା ନାରୀର ଅସ୍ପଷ୍ଟ ଚେହେରା । ରୂପରେ, ଗୁଣରେ, ବିଦ୍ୟା ବୁଦ୍ଧି, ସବୁଥିରେ ପରିପୂର୍ଣ୍ଣ କରିସାରିଲା ପରେ ଭଗବାନଙ୍କ ମୁଣ୍ଡରେ କାହିଁକି ପଶିଲା ଏ ଦୁର୍ବୁଦ୍ଧି ଯେ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ପାଖରେ ତାଙ୍କୁ ନିସ୍ୱ ରଖିଦେଲେ ! .. ରଖିଲେ ତ ରଖିଲେ, ହେଲେ ତା’ର ଦଣ୍ଡ ଭୋଗ କରିବାକୁ ବାଧ୍ୟ କରିଦେଲେ ରାମଚନ୍ଦ୍ରଙ୍କୁ ! 


କାହିଁକି …. କାହିଁକି ବିନା କାରଣରେ ସେ ଏ ଦଣ୍ଡକୁ ସ୍ୱୀକାର କରିନେବେ ଯେ ! କାହିଁକି ଜୀବନ ସାରା ନିଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଇଚ୍ଛାକୁ ଛାତି ଭିତରେ ଚାପି ରଖି ରଖି ସେ ବିକଳ ହେଉଥିବେ ? 


ନା, ନା, ସୁନନ୍ଦାଙ୍କୁ ମା’ ହେବାକୁ ହିଁ ପଡିବ ! ଚିକିତ୍ସା ବିଜ୍ଞାନ ଏତେ ଅଗ୍ରଗତି କରି ସାରିଲାଣି, ନିଶ୍ଚୟ କିଛି ନା କିଛି ବାଟ ଥିବ ୟା’ ପାଇଁ । ଚେଷ୍ଟା ତ କରାଯାଉ, ତା’ପରେ ଦେଖା ଯିବ ..


“କିନ୍ତୁ ସୁନିର ଜୀବନ ତ ସଂକଟରେ ପଡିଯିବ ..” କାହାର ଥର ଥର ସ୍ୱର ଚମକେଇ ଦେଲା ରାମଚନ୍ଦ୍ରଙ୍କୁ । ଦରଜା ସେପଟେ ଜଳ ଜଳ କରି ଚାହିଁ ରହିଛି ଜଣେ ଅସହାୟ ବୃଦ୍ଧର ପାଣିଚିଆ ଆଖି । ରାମଚନ୍ଦ୍ରଙ୍କ ଇଚ୍ଛାକୁ ରୂପ ଦେବା ଭିତରେ ନିଜର ‘ବାପା’ ଡାକ ଯେ ଲୁଚିଯିବ, ସେଥିପାଇଁ ବ୍ୟାକୁଳ ସ୍ୱରରେ ପଚାରୁଥିଲେ ରାମଚନ୍ଦ୍ରଙ୍କୁ, ଯିଏ ସବୁ କଥା ଜାଣି ମଧ୍ୟ ନିଶ୍ଚୟ କରି ସାରିଥିଲେ ସୁନନ୍ଦାଙ୍କୁ ମା’ ହେବାକୁ ବାଧ୍ୟ କରିବାକୁ । ଆଗାମୀ ବିପଦକୁ ଖୁବ୍ ପାଖରେ ଦେଖୁଥିବାର ଅନୁଭବରେ ଶିହିରି ଉଠୁଥିବା ସେହି ବିକଳ ଅସ୍ତିତ୍ବଟି ଥିଲା ସୁନନ୍ଦାଙ୍କ ବାପାଙ୍କର ! 


କିନ୍ତୁ ତାଙ୍କର ସେ ବିକଳପଣ ଆଡକୁ ଆଖି ବୁଜି ବିରକ୍ତ ହୋଇପଡିଲେ ରାମଚନ୍ଦ୍ର । କ୍ରୋଧରେ ଫାଟିପଡି ପ୍ରଶ୍ନ କଲେ, “ଆପଣଙ୍କ ଝିଅର ଜୀବନ ଯଦି ଏତେ ମୂଲ୍ୟବାନ୍ ତେବେ ତାକୁ ବାହା କରୁଥିଲେ କାହିଁକି ? ଯଦି ବା କଲେ, ତେବେ ଏ ଅସୁବିଧା ବିଷୟରେ ଆପଣଙ୍କୁ ଆଗରୁ ମତେ କହିଦେବାକୁ ଥିଲା ! ମା’ ହେବାକୁ ଅକ୍ଷମ ଥିବା ଗୋଟିଏ ଝିଅକୁ ଜୀବନ ସଙ୍ଗିନୀ ରୂପରେ ଗ୍ରହଣ କରି ମୁଁ ଯେ କେତେ ଅସଂପୂର୍ଣ୍ଣ, ତାହା କ’ଣ ଆପଣ କେବେ ବୁଝିପାରିବେ ? ନା, କେବେ ସେ ଅନୁଭବ ଆପଣଙ୍କର ହେବନି । ଆପଣ ତ ‘ବାପା’ ଡାକ ଶୁଣି ସାରିଛନ୍ତି, ଆପଣ କାହୁଁ ଜାଣିବେ ସେ ଡାକ ଶୁଣିବାକୁ ପୁରୁଷଟିଏ କେତେ ବ୍ୟାକୁଳ ଥାଏ ! .. କାହିଁକି ଆପଣ ଖେଳିଲେ ମୋ ଜୀବନ ସହିତ ? କି ଅଧିକାର ଥିଲା ଆପଣଙ୍କର ?”


କଇଁ କଇଁ ହୋଇ କାନ୍ଦୁଥିଲେ ରାମଚନ୍ଦ୍ର । ପ୍ରବୋଧନାର କିଛି ଫମ୍ପା ଶବ୍ଦ ତାଙ୍କୁ ଶୁଣେଇବାକୁ ବହୁତ ଚେଷ୍ଟା କରୁଥିଲେ ବୃଦ୍ଧ, ମାତ୍ର ସେସବୁକୁ ଭୃକ୍ଷେପ କଲେ ନାହିଁ ରାମଚନ୍ଦ୍ର । “ବିଶ୍ୱାସ କର ପୁଅ, ସୁନିର ଏ ଅକ୍ଷମତା ବିଷୟରେ ଆମେ କେବେ କିଛି ବି ଜାଣିନଥିଲୁ । ଅନ୍ୟ ସବୁ ସାମାନ୍ୟ ଝିଅଙ୍କ ପରି ଥିଲା ତା’ର ସ୍ୱାସ୍ଥ୍ୟାବସ୍ଥା । କେବେ ତ କିଛି ବି ଅସାମାନ୍ୟତା ଲକ୍ଷ୍ୟ କରିନାହୁଁ ! ସତ କହୁଛି, ଜାଣିଥାନ୍ତି ଯଦି, ତୁମ ଜୀବନକୁ ନଷ୍ଟ ହେବାକୁ ଦେଇନଥାନ୍ତି କେବେ । କିନ୍ତୁ ଏବେ ଜାଣିକି ଆଉ କ’ଣ କରିପାରିବି ମୁଁ ! ଏବେ ସେ ତୁମର ପତ୍ନୀ, ତା’ର ଭଲମନ୍ଦ ମୋ ଠାରୁ ତୁମେ ବେଶି ଜାଣିବ । ସେ ଯଦି ମା’ ହେବାକୁ ଅକ୍ଷମ, ତେବେ ଜବରଦସ୍ତି କରିବାଟା କ’ଣ ଠିକ୍ କଥା ହେବ ? ବିଶେଷ କରି ଯେତେବେଳେ ତାହା ତା’ ଜୀବନ ପ୍ରତି .. “


“କିଛି ହେବନି । ଡାକ୍ତରଙ୍କୁ ପଚାରି ସାରିଛି ମୁଁ । ଏମିତି କେତେ କେତେ କେସ୍ ଆଗରୁ ସେମାନେ ହ୍ୟାଣ୍ଡଲ୍ କରିସାରିଛନ୍ତି । ଶତକଡା ନବେଟା କେସ୍ ରେ ସଫଳତା ପାଉଛନ୍ତି ସେମାନେ ..”


“ତା’ମାନେ ଦଶ ପର୍ସେଣ୍ଟ୍ କେସ୍ ରେ ଅସଫଳ ହେଉଛନ୍ତି ! ଆଉ ଯଦି ସେଇ ଦଶ ପର୍ସେଣ୍ଟ୍ ଭିତରେ ସୁନି ରହିଯିବ, ତା’ହେଲେ ..”


କେତେ ବ୍ୟାକୁଳ ଥିଲା ସେ ସ୍ୱର ! ଆଗାମୀର ସ୍ୱାଗତ ପାଇଁ, ନିଜର ବର୍ତ୍ତମାନକୁ ହରେଇ ବସିବାର ସମ୍ଭାବନା ତାଙ୍କୁ ଆକୁଳ ବିକଳ କରିଦେଉଥିଲା । ମାତ୍ର ରାମଚନ୍ଦ୍ରଙ୍କୁ ତରଳେଇ ପାରୁନଥିଲା ସେ ଆକୁଳତା । ‘ହୁଁ ..’ ବୋଲି କହି ରାଗ ତମ ତମ ହୋଇ ବାହାରି ଯାଇଥିଲେ ସେ ଘରୁ । 


“ଥାଉ ବାପା, ଏତେ ଚିନ୍ତା କରନି ତୁମେ । ମୁଁ ନିଜକୁ ସବୁକିଛି ପାଇଁ ପ୍ରସ୍ତୁତ କରିସାରିଛି । ଜୀବନ ପ୍ରତି ଥିବା ସମସ୍ତ ଭୟକୁ ମୁଁ ଅଣଦେଖା କରୁନି, ତଥାପି ବି ମା’ ହେବାକୁ ମୁଁ ପ୍ରସ୍ତୁତ । ଯଦି ଭଗବାନଙ୍କର ବରାଦ ଥିବ, ଆଉ ତୁମ ଆଶୀର୍ବାଦ ମୋ ପାଖେ ପାଖେ ରହିବ, ମରଣ ମୁହଁରୁ ମୁଁ ନିଶ୍ଚୟ ଫେରିଆସିବି । କିନ୍ତୁ ଦଶ ବର୍ଷର ଅପମାନର ବୋଝକୁ ଉତାରିବାର ଥରଟିଏ ପ୍ରୟାସ ନିଶ୍ଚୟ କରିବି । ସେଥିରେ ତୁମେ ଆଉ ବାଧା ଦେବାକୁ ଚେଷ୍ଟା କରନାହିଁ ।“ ରାମଚନ୍ଦ୍ରଙ୍କର ଅନୁପସ୍ଥିତିରେ ବାପାଙ୍କ ଆଖିରୁ ଲୁହ ପୋଛିଦେଇ ସୁନନ୍ଦା କହିଥିଲା ସେଦିନ । 


“କିନ୍ତୁ ସବୁ ଜାଣି, ସବୁ ଶୁଣି, ଏମିତି ଏକ ପଦକ୍ଷେପ ..! ଏଇଟା ତ ତୋର ଆତ୍ମହତ୍ୟା ହେବ ସୁନି ! ମୋ ଆଖି ଆଗରେ ତତେ ଏମିତି ମୃତ୍ୟୁ ଆଡକୁ ପାଦେ ପାଦେ କରି ଆଗେଇ ଯାଉଥିବାର ଦେଖି ସହିବି କେମିତି ..”


“ତୁମ ଝିଅ ତ କେବେଠୁ ମରିସାରିଛି ବାପା ! ମା’ ନହେଇ ପାରିବାର କଳଙ୍କ ମୁଣ୍ଡରେ ଚଢିଗଲା ପରେ କୋଉ ଝିଅ କ’ଣ ଆଉ ବଞ୍ଚିଥାଏ ଯେ ତୁମ ଝିଅ ବଞ୍ଚିଛି ବୋଲି ତୁମେ ଭାବୁଛ !”


“ସେମିତି କହନି ମାଆ .. ଏ ବୁଢା ବାପା ପ୍ରତି ଏତିକି ତ ଦୟା କର ..”


ସବୁ ଆକୁଳ ବିକଳ କାଚ ଦରଜାର ସେପଟେ ସରି ସରି ଯାଉଛି । ଆଖିରେ ଲୁହର ମୋଟା ମୋଟା ଦାଗ । ସେସବୁ କଷ୍ଟର .. ଯନ୍ତ୍ରଣାର .. ଅପମାନର .. ନା ବୋଝ ଉତାରି ପାରିଥିବାର ଉଶ୍ୱାସ ପଣର .. ସେକଥା କିଏ କହିପାରିବ ! ଡାକ୍ତରଙ୍କ ସମସ୍ତ ଆଶ୍ୱାସନା ସତ୍ତ୍ୱେ ସୁନନ୍ଦାଙ୍କ ଜୀବନ ପ୍ରଦୀପ ଲିଭି ଲିଭି ଆସୁଛି । ରାମଚନ୍ଦ୍ର ଠିଆ ହେଇଛନ୍ତି କାଚ ଝରକାରେ ମୁଣ୍ଡ ଲଗେଇ । ନିଜ ଭିତରେ ସୃଷ୍ଟି ହେଉଥିବା ଝଡଝଞ୍ଜାକୁ ମାପୁଛନ୍ତି ମନେ ମନେ । ଚେଷ୍ଟା କରୁଛନ୍ତି ଚିହ୍ନିବାକୁ ନୂଆ କରି ବାପା ହୋଇଥିବା ନିଜକୁ, ଆଉ ସବୁଦିନ ପାଇଁ ସେ ଡାକରୁ ବଞ୍ଚିତ ହେବାକୁ ଯାଉଥିବା ଆଉ ଜଣେ ବାପାଙ୍କୁ । ଦୁଇ ଜଣଙ୍କ ଭିତରେ ସମାନତା କେବଳ ଏଇ ‘ବାପା’ ଶବ୍ଦକୁ ନେଇ, କିନ୍ତୁ ଅସମାନତା ଅନେକ । ଜଣଙ୍କୁ ଅଧିକାର ଦେବାକୁ ଯାଇ, ଆଉ ଜଣେ ନିଜ ଅଧିକାର ହରେଇବାକୁ ଯାଉଛି । 


ଛାତି ଉପରେ ମହଣେ ବୋଝ । କେମିତି .. କେତେବେଳେ .. କୁଆଡୁ.. ଆସି ସେସବୁ ସେଠି ଜମା ହେଇଗଲେଣି, ସେ କିଛି ଜାଣନ୍ତିନି । କିନ୍ତୁ ଯୋଉ ଆନନ୍ଦ, ଯୋଉ ଗୌରବ ପାଇଁ ସେ ସବୁକିଛିକୁ ବାଜି ଲଗେଇ ଦେଇଥିଲେ, ତାକୁ କାହିଁ ନିଜ ଭିତରେ ଆଉ ଅନୁଭବ କରି ପାରୁନାହାନ୍ତି ସେ !


କାହାର ଥର ଥର ହାତର ସ୍ପର୍ଶ ତାଙ୍କ କାନ୍ଧ ଉପରେ । ବୁଲି ଚାହିଁଲେ ସେ । “ଯାଅ ପୁଅ, ନିଜ ପୁଅକୁ ଯାଇ ଦେଖିଆସ । ବାପା ହେବାର ଗୌରବକୁ ଅନୁଭବ କରିଆସ । ଆଉ ଥରେ ଅନୁଭବ କର, ତା’ ପାଇଁ ଛାତି ତଳେ ଜମା ହେଉଥିବା ବ୍ୟାକୁଳତାକୁ ..”


ଆଉ ଆଗକୁ କିଛି କହିପାରିଲେନି ସେ । ଶବ୍ଦ ସବୁ ତାଙ୍କ ପାଖରୁ ଦୂରେଇ ଚାଲି ଯାଉଥିଲା, ତା’ ସ୍ଥାନରେ ଭରି ଦଉଥିଲା ଲୁହ ଆଉ କୋହର ଏକ ଅସମାପ୍ତ ରାଗିଣୀ ।

କାଚ ଝରକା ସେପଟେ ସୁନନ୍ଦାଙ୍କ ମୁହଁ ଧଳା ଚାଦର ଭିତରେ ସେତେବେଳକୁ ପୂରା ଲୁଚି ଯାଇଥିଲା ।


ରାମଚନ୍ଦ୍ରଙ୍କ କାନକୁ ଶୁଭୁଥିଲା କଥାଟାଏ, ଯାହା ସେ ଶୁଣି ମଧ୍ୟ ଶୁଣି ପାରୁନଥିଲେ, “ବାପା ହେବା ଠାରୁ ବଳି ଦଣ୍ଡ ଆଉ କ’ଣ କିଛି ଅଛି ଏ ସଂସାରରେ ..! ..”



Rate this content
Log in

More oriya story from Kamala Satpathy

Similar oriya story from Tragedy