Kamala Satpathy

Inspirational

2  

Kamala Satpathy

Inspirational

ବାତ୍ୟା ଓ ବୋଉ

ବାତ୍ୟା ଓ ବୋଉ

4 mins
576


ଗାଁ ସାରା ହଇଚଇ । ବାତ୍ୟା ଆସୁଛି, ଗାଁ ଛାଡିଦିଅ ବୋଲି ସରକାରୀ କଳର ଘମାଘୋଟିଆ ଘୋଷଣା ପରେ ଗାଲେଇ ପଡିଥିବା ଗାଁଟା ଦୌଡ ପ୍ରତିଯୋଗୀତାରେ ଭାଗ ନେଲା ପରି ଦୌଡିବାରେ ଲାଗିଛି ନିଜ ପ୍ରାଣ ରକ୍ଷା ଅସମ୍ଭାଳ ବେଳେ ଗୋରୁ ଗାଈଙ୍କ କଥା ଭାବିବାକୁ ବି ବେଳ ନାହିଁ । ଗଲା ଦୁଇ ଦିନରୁ ଲଗାତାର ଘୋଷଣା କରାଯାଉଥିଲେ ବି, ହଅ ବାତ୍ୟାଟା ଆମ ରାଇଜ ପାଇଁ କୋଉ ନୂଆ କଥାଟେ ଯେ ଏଥିପାଇଁ ଘରଦ୍ୱାର, ଜମିବାଡି ଛାଡି ପଳେଇବୁ, ର ଭାବ ନେଇ ଜୀବନକୁ ସଙ୍କଟରେ ପକେଇ ନିଜ ରଚିତ ସଂସାରକୁ ଜାବୁଡିକି ଧରି ବସିଥିବା ଲୋକମାନଙ୍କ ଆଖି ସେତେବେଳେ ଖୋଲିଗଲା, ଯେତେବେଳେ ଗାଧୁଆ ବେଳ ଗଡୁ ନଗଡୁଣୁ ବାତ୍ୟା ତା’ର କରାଳ ରୂପ ଧରି ମାଡି ମାଡି ଆସି ଗାଁ ମୁଣ୍ଡରେ ପହଞ୍ଚିଗଲା ଆମ୍ୱଗଛରୁ ଆମ୍ୱ ସବୁ ଦୁଲ୍ ଦାଲ୍ ହେଇ ପଡିବା ସାଥେ ସାଥେ, ଆକାଶଛୁଆଁ ନଡିଆ ଗଛର ବାହୁଙ୍ଗାମାନ ଆସି ଛପର ଉପରେ ପିଟିହେବାକୁ ଲାଗିଲା । 


ନା, ଏଥରର ବାତ୍ୟା ସବୁ ବର୍ଷ ପରି ନୁହେଁ । ଗଲା ପୂର୍ବରୁ ସବୁ ପୋଛିଦେଇ ଯିବ ନିଶ୍ଚୟ ସରକାରୀ ଘୋଷଣାକୁ ଫୁ କରି ଉଡେଇ ନଦେଇ ଏଥର ବାତ୍ୟା ଆଶ୍ରୟସ୍ଥଳୀକୁ ପଳେଇ ଯିବାକୁ ହେବ ପିଲାଛୁଆଙ୍କୁ ଧରି । ହେଲେ ବୋଉ ? ଚାହିଁଲା ପୁଅ ସେଆଡକୁ, ଯୋଉଠି ବିଗତ କିଛି ଦିନରୁ ବୋଉ ଶୋଇରହିଛି । ଖଟରୁ ଉଠିବାକୁ କଷ୍ଟ ହେଉଛି । ସମସ୍ତେ କହୁଛନ୍ତି ବୋଉ ଆଉ ବେଶି ଦିନକୁ ନୁହେଁ । 


ଏଥର ସେପଟେ ବନ୍ଧାବନ୍ଧି କରୁଥିବା ପତ୍ନୀ ଆଡକୁ ଚାହିଁଲା । ସବୁ ମୂଲ୍ୟବାନ୍ ଜିନିଷ ସହିତ ଚାରି ପାଞ୍ଚ ଦିନ ଚଳିଗଲା ପରି ଲୋଡାଥିବା ଅତ୍ୟାବଶ୍ୟକ ଜିନିଷ ସବୁକୁ ଗୋଟେଇ ପୋଟେଇ ବିରାଟ ଗଣ୍ଠିଲିଟାଏ ସେ କରିଛି । ଏ ମହାବିପତ୍ତି ପରେ ପୁଣି ଥରେ ସଂସାର ସଜାଡିବାକୁ ଦରକାର ଥିବା ସବୁ ଜିନିଷରୁ କେବଳ ଏତିକି ମାତ୍ର ସାଉଁଟି ପାରିଛି । ବାକି ସବୁକିଛିକୁ ନଚାହିଁଲେ ବି ଛାଡିକି ଯିବାକୁ ହେବ । ଛାତି ଫାଟିଗଲେ ବି ଜୀବନ ବଞ୍ଚେଇବାକୁ ସେସବୁର ମୋହ ତୁଟେଇବାକୁ ପଡିବ ।


କିନ୍ତୁ ବୋଉ ? ପୁଣି ଥରେ ସେ ଚାହିଁଲା ଖଟିଆକୁ । ନିଜ ମନକୁ ପାଦେ ଚାଲି ପାରୁନଥିବା ବୋଉକୁ ଏଠୁ ନେବାକୁ କମ୍ ସେ କମ୍ ଦୁଇ ଜଣ ଲୋକ ଲୋଡା । ସିଏ ଏବେ ପିଲାଛୁଆଙ୍କୁ ସମ୍ଭାଳିବ ନା ବୋଉକୁ ? ଅଜବ ମାନସିକ ଦ୍ୱନ୍ଦ୍ୱ ଭିତରେ ଘର ବାହାର ହେଉଥିବା ବେଳେ ପାଚିଲା ପିଜୁଳିରେ ଭରା ବାଡି ଗଛଟା ମଡ ମଡ କରି ଭାଙ୍ଗିଗଲା ତା’ ଆଖି ଆଗରେ । ହାଉଳି ଖାଇଲା ବୋଉ - ‘ମୋ ସଂସାର ଉଜୁଡି ଗଲା ରେ...', କହି ବାହୁନିବାକୁ ଲାଗିଲା !


ମୁହଁ ମୋଡିଲା ବୋହୂ । ନିଜ ରକ୍ଷଣ ଅସମ୍ଭାଳ ବେଳକୁ ବୁଢୀ ଲୋଭ କରୁଛି ଘରସଂସାରକୁ ! ବାତ୍ୟା ଯେମିତି ଭାବରେ ମାଡି ଆସୁଛି, କୋଉ ମୁହୂର୍ତ୍ତରେ ଗଛବୃଚ୍ଛ କ’ଣ, ମଣିଷ ବି ଧରାଶାୟୀ ହେଇଯିବ ! ସ୍ୱାମୀକୁ ଆଖି ଠାରି ବୁଢୀକୁ ଏଇଠି ଛାଡି ଶୀଘ୍ର ବାହାରି ଯିବାକୁ ତାଗିଦା କଲା ସେ ! ଆଗ ପିଲାଙ୍କୁ ବଞ୍ଚାଅ । ଅଣଚାଷ ପବନ ମାଡି ଆସିଲାଣି । ଗାଈ ଗୋରୁଙ୍କ ପଘା ଫିଟାଅ । ବୋଉଙ୍କ କଥା ପରେ ଦେଖାଯିବ । କେତେ ଆଉ ଆୟୁଷ ଥିବ ଯେ ଏତେ ଚିନ୍ତା କରୁଛ ! ବାତ୍ୟାରୁ ବଞ୍ଚେଇଲେ ବି ଯମ କୋଉ ଛାଡିଦେବ.. ଦୁଇ ହାତରେ ରାତିଦିନ ଭିଡୁଛି ପରା !


ବାଡି କବାଟ ଦାଣ୍ଡ କବାଟ ପିଟି ହେଉଛି । ଚାଳଟା ଉଡିଯିବାର ଚେଷ୍ଟା ଚଳେଇଛି । ସୁ ସୁ ଶବ୍ଦ କରି ଖଣ୍ଡ ପ୍ରଳୟ ତାଣ୍ଡବ କରୁଛି । ଭାବିବାକୁ ଚିନ୍ତିବାକୁ ବେଳ ନାହିଁ । ନିଜ ସଂସାରକୁ ବଞ୍ଚେଇବାକୁ ପୁଅ ଆଗେଇଗଲା ବାତ୍ୟା ଆଶ୍ରୟସ୍ଥଳୀକୁ । ରହିଗଲା ବୋଉ ପଛରେ .. ଏକା ଏକୁଟିଆ ।


ଦୂରରୁ ଲୋକଙ୍କର ହୋ ହଲ୍ଲା ଶୁଭୁଛି । ଶୁଭୁଚି ବି ଗାଈ ଗୋରୁ, ଛେଳି ମେଣ୍ଢାଙ୍କ ବିକଳ ଚିତ୍କାର । ଛୁଆପିଲା ଆଉ ଗାଁ ମାଇପୀଙ୍କ କାନ୍ଦବୋବାରେ ଥରିଉଠୁଛି ଗଗନ ପବନ । ସେସବୁ କୋଳାହଳକୁ ଭେଦି ପୁଅ କାନ ପାଖରେ ପହଞ୍ଚି ଯାଉଛି କେବଳ ଗୋଟିଏ ସ୍ୱର .. ତା’ ବୋଉର ସ୍ନେହ ଆଦରରେ ଭିଜା ଓଦାଳିଆ ଡାକ – "ଗଣ୍ଠିଆ ରେ .. ବାତ୍ୟା ମାଡି ଆସିଲାଣିରେ ବାବୁ .. ଘରଛାଡି ସରକାରୀ ଜାଗାକୁ ଶୀଘ୍ର ପଳେଇ ଯାଆରେ ମୋ ଧନ .. ପିଲାଛୁଆଙ୍କୁ ନେଇ ଯା’ ରେ ଆଗ .. ବୋହୂକୁ କହିଦେ, ଛୁଆଙ୍କ ଉପରୁ ନଜର ହଟେଇବନି .. ମୋ ବାପାଟା ପରା, ଏ ଘରଦ୍ୱାରର ଲୋଭ କରନା .. ଆଗ ଜିଇଁରୁହ ରେ ସମସ୍ତେ .. ପଳାଅ ଶୀଘ୍ର .. ମଣିଷ ଥିଲେ, କେତେ ଘରଦ୍ୱାର ହେବ .."


ମୁଣ୍ଡରୁ ଖସି ପଡିଲା ସେ ବିରାଟ ଗଣ୍ଠିଲି .. ଓଦା ମାଟିରେ ପୋତି ହେଇଗଲା ତା’ ଓଜନିଆ ପାଦ .. ବୋଉର ସ୍ୱର ପୁଣି ଫଟେଇ ଦେଲା ଛାତି .. କ’ଣ କରୁଥିଲା ସେ ସତରେ ! ଏତେ ଶୀଘ୍ର ଭୁଲିଗଲା ବାପାଙ୍କ ବିକଳ ସ୍ୱର .. "ତୋ’ ବୋଉ ତତେ ଲାଗିଲା ରେ ଗଣ୍ଠିଆ .. ତାକୁ ତୋ’ ହେଫାଜତରେ ଛାଡି ନିଶ୍ଚିନ୍ତରେ ମୁଁ ଯାଉଛି .. ତାକୁ କେବେ ହତାଦର କରିବୁନି .. ଜିଇ ଥାଉ ଥାଉ ମାରିଦେବୁନି .."


ହେ ଠାକୁରେ, ସେ ତ ଆଜି ସେଇଆ ହିଁ କରିଆସିଛି !


ବୁଲିପଡିଲା ସେ । ଆଖିବୁଜି ଘର ଆଡକୁ ଦୌଡିଲା । ପଛରୁ ପତ୍ନୀର ଡାକ, ପିଲାଙ୍କ ଚିତ୍କାର କି ବାତ୍ୟାର ସୁ ସୁ ଗର୍ଜନ, ତାକୁ କିଛି ଶୁଭୁନଥିଲା । ସବୁକିଛିକୁ ପଛକୁ କରି ସେ ଧାଇଁଲା ବୋଉ ପାଖକୁ ।


ଭୁଷୁଡି ପଡିଥିବା ଚାଳ, ଭାଙ୍ଗି ପଡିଥିବା ଗଛ, ମେଲା ହୋଇଯାଇଥିବା କବାଟ ଝରକା ଦେଇ ସେ ଘର ଭିତରର ସମସ୍ତ ସମ୍ଭାବ୍ୟ ସ୍ଥଳୀକୁ ଉଣ୍ଡିଲା । କିନ୍ତୁ କୋଉଠି ନଥିଲା ବୋଉ । ଦାଉଁ ଦାଉଁ କରିଉଠିଲା ଛାତି । ବୋଉ ବୋଉ ଡାକରେ ଫଟେଇଦେଲା ଆକାଶ ! ‘ମୁଁ ଏଇଠି ଅଛି ରେ ଧନ ..’ ବୋଉର କ୍ଷୀଣ ସ୍ୱର ବାରଣ୍ଡା ପାଖରୁ ଭାସି ଆସିଲା । ଧାଇଁଗଲା ସେ ସେଠିକୁ । ଆଶ୍ଚର୍ଯ୍ୟରେ ଆଖି ବଡ ବଡ ହେଇଗଲା । ଏମିତି କାହିଁକି ପେଟେଇକି ପଡିଛି ବୋଉ ଏଠି ? ନିଜ ଖଟିଆ ଛାଡି ସେ ଏଠିକୁ ଆସିଲା ବା କେମିତି, ଆଉ କ’ଣ ପାଇଁ ?


ବର୍ଷା ପବନରେ କାଲୁଆ ହେଇଯାଇଥିବା ବୋଉକୁ ବାରଣ୍ଡାରୁ ଉଠେଇବାକୁ ଯାଇ ଚମକି ପଡିଲା ସେ, ପାଟିରୁ ଚିତ୍କାରଟିଏ ବାହାରି ଆସିଲା ତା’ ପେଟ ତଳେ ରହିଥିବା ଜିନିଷ ସବୁକୁ ଦେଖି । ଏସବୁ କ’ଣ ସତରେ ? ସ୍ତ୍ରୀ ତା’ର ଛାଡି ଯାଇଥିବା ଘର ଗୃହସ୍ଥୀର କିଛି ବଳକା ବଳକି ଜିନିଷକୁ ବୋଉ ନିଜ ପେଟ ତଳେ ରଖି ଶୋଇ ପଡିଥିଲା ।


“ଏଠି କ’ଣ କରୁଥିଲୁ ତୁ ବୋଉ?” କୋହ ଜର୍ଜର ସ୍ୱରରେ ପଚାରିଲା ପୁଅ ।


“ଏସବୁ କେତେ କଷ୍ଟରେ, ସାରା ଜୀବନ ଲାଗିପଡି ତୁମେ ଦୁଇ ଜଣ ଯାକ ଯୋଗାଡ କରିକି ରଖିଥିଲ ରେ ପୁଅ ! ଆଖି ଆଗରେ ସେସବୁକୁ ଏ ନିଆଁଲଗା ବାତ୍ୟା ଉଡେଇ ନଉଥିବାର କେମିତି ଦେଖି ପାରିଥାନ୍ତି ! ମୋ ପିଲାଙ୍କର ଝାଳ ରକ୍ତ, ସବୁ ମିଶିଛି ଏଥିରେ । ତା’ ଉପରେ ଶୋଇ ପଡିଲେ ମତେ ବାତ୍ୟା ଉଡେଇକି ନେଇ ତ ପାରିବନି ! କାଲିକୁ ତମେ ସବୁ ଘରକୁ ଫେରିଲେ, ତମରି କାମରେ ଲାଗିବ ବୋଲି ଭାବିଲି ତ, ତେଣୁ ଘୁସୁରି ଘୁସୁରି ଚାଲିଆସିଲି । ସେଇଠି ଶୁଏ କି ଏଇଠି, କି ଫରକ ବା ପଡିଥାନ୍ତା ! ହେଲେ ତୁ ଏଠି କେମିତି ? ବାତ୍ୟା ମାଡି ଆସିଲାଣି ପରା .. ଉଡେଇ ନେବନି ତତେ ? ଯା’ରେ ପୁଅ, ଶୀଘ୍ର ପଳେଇ ଯା’ .. ମୋ ଧନଟା ପରା ..”


ବାତ୍ୟାର ପ୍ରଳୟଙ୍କରୀ ରୂପ ପୂରା ଗାଁକୁ ଘେରେଇ ସାରିଥିଲା । ତଥାପି ପୁଅ ଖାତିର କରିଲାନି । ସେ ଏଥର ଦୁଇ ହାତରେ ବୋଉକୁ ଉଠେଇ ନେଇ ଧାଇଁଲା ଆଶ୍ରୟସ୍ଥଳୀକୁ । ଆଜି ସେ ବାତ୍ୟାକୁ ଦେଖେଇ ଦେବାକୁ ଚାହୁଁଥିଲା - ଯେତେ କରାଳ ରୂପ ଧରିକି ଆସିଲେ ବି, ସେ କେବେ ତା’ ବୋଉର ପଣତ ତଳୁ ତାକୁ ଉଡେଇ ନେଇ ପାରିବ ନାହିଁ ।


Rate this content
Log in

Similar oriya story from Inspirational