ମାଡ଼ାମ୍ ସବୁବେଳେ ଠିକ୍
ମାଡ଼ାମ୍ ସବୁବେଳେ ଠିକ୍
ମ୍ୟାଡମ୍ ଶବ୍ଦର ଅର୍ଥ ବର୍ତ୍ତମାନ ଯୁଗରେ ଯେ କେହି ହେଲେ ଜାଣିଛନ୍ତି ବୋଲି ଏ ଅଧମର ଧାରଣା । ଏହାର ଓଡ଼ିଆ ପ୍ରତିଶବ୍ଦ କହିଲେ ଶବ୍ଦର ଓଜନ କମିଯିବ ସେଥିପାଇଁ ଜାଣିଥିଲେ ବି ମୁଁ ଏଠି ଲେଖୁନି । ଯେଉଁ ଅବାଧ୍ୟ ପାଠକ ଜାଣିବାକୁ ଉତ୍ସାହୀ ସେମାନେ ଅଫିସ୍, କଲେଜ, ସମ୍ଭ୍ରାନ୍ତ ଘରେ କାମ କରୁଥିବା ଲୋକଠୁ ବୁଝିନେବେ କାରଣ ଶବ୍ଦଟା ତିନି ଅକ୍ଷର ବିଶିଷ୍ଟ ମାତ୍ର ବୁଝାଇଲେ ମୋ ଗବେଷଣା ଅନୁସାରେ ତିରିଶି ପୃଷ୍ଠାରୁ କମ୍ ହୋଇନପାରେ । ସ୍ୱଭାବବଶତଃ ମୁଖ୍ୟ ପ୍ରସଙ୍ଗରୁ ମୁଁ ଦୂରେଇ ଯାଉଛି । ପ୍ରସଙ୍ଗ “ ମ୍ୟାଡ଼ାମ୍ -ସବୁବେଳେ ଠିକ୍” ଆପଣଙ୍କୁ ନୂଆ ଶୁଣିବା ଭଳି ଲାଗୁଥିବ ନିଶ୍ଚୟ । ଆପଣମାନେ ଭୋଟବେଳେ ପ୍ରଚାର ପତ୍ରରେ ପଢ଼ିଥିବେ “ନିଷ୍ପତ୍ତି - ଆପଣଙ୍କର” । ଏହା ପଢ଼ିଲେ ଛାତି ଗର୍ବରେ ଫାଟିଯାଏ । ଗଣତନ୍ତ୍ରର ମହାନପର୍ବ ଭୋଟବେେଳେ ଏହା ଦେଖିବାକୁ ମିଳେ । ଭୋଟରଟି ସେ ସମୟରେ ତା’ର ଓଜନ କେତେ କଳନା କରିପାରେ ନାହିଁ । କାରଣ ତା’ର ନିଷ୍ପତ୍ତି ହିଁ ସରକାର ଗଠନ କରେ । ମାତ୍ର ସେ ପାଞ୍ଚବର୍ଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାର ଅଧିକାର ହରାଇଥାଏ । ନିଷ୍ପତ୍ତି ଭୁଲ୍ ହେଉ କି ଠିକ୍ ହେଉ, ଚୁପ୍ ହୋଇ ରହେ ।
ମ୍ୟାଡାମ୍ କାହାକୁ କହନ୍ତି ? ଅଫିସ୍ରେ ସ୍ତ୍ରୀଲୋକ ଅଫିସର ହୋଇଥିଲେ, କଲେଜରେ ଅଧ୍ୟାପିକା ହୋଇଥିଲେ, ବଡ଼ ବଡ଼ ସହରରେ ରହୁଥିବା ବେକାରୀ ତଥା ଚାକିରୀ, ନେତାଗିରି, ଦାଦାଗିରି ଓ ଅନ୍ୟାନ୍ୟ ଗିରି କରୁଥିବା ଲୋକଙ୍କ ସ୍ତ୍ରୀ ତଥା ମହିଳାମାନଙ୍କୁ ମଧ୍ୟ ମ୍ୟାଡାମ୍ କୁହାଯାଏ । ଏପରିକି ସ୍ୱାମୀମାନେ ମଧ୍ୟ ନିଜ ସ୍ତ୍ରୀଙ୍କୁ ସହରରେ ମ୍ୟାଡାମ ବୋଲି କହନ୍ତି । ଯଦି ହଇଓ ଶୁଣୁଛ, ରାମୁ ବୋଉ ବୋଲି ଡାକିଲେ ଏହା କୁଆଡ଼େ ଗାଉଁଲିଆର ବ୍ୟବହାର ବୋଲି ଏହି ମ୍ୟାଡାମ୍ମାନେ ସ୍ୱାମୀଙ୍କୁ ତାଗିଦ୍ କରୁଥିବାରୁ ସହରର ମେଣ୍ଢାରୂପୀ ସ୍ୱାମୀମାନେ ମ୍ୟାଡାମ୍ ଶବ୍ଦ ବ୍ୟବହାର କରନ୍ତି । ବସ୍ତିରେ ଥାଉ କି ସରକାରୀ କ୍ୱାଟରରେ କେଉଁଠି ଭଡ଼ାରେ ପାଠୁଆ / ଅପାଠୁଆ ଝିଅ, ମହିଳାଙ୍କୁ ଯଦି କେଉଁ ଦୋକାନୀ ମ୍ୟାଡାମ୍ ବୋଲି କହିଥାଏ ତାଙ୍କର ଉଚ୍ଚତା ଦୁଇ ଇଞ୍ଚ ବଢ଼ିଯାଏ । ମାତ୍ର ଚିରାଚରିତ କେତେ ଦୋକାନୀ ମା’ ବୋଲି କହିଲେ ଭାରି ଖରାପ ଲାଗେ । ଏହି ମ୍ୟାଡ଼ାମ୍ମାନେ କହନ୍ତି, “ଲୋକଟା ଭଦ୍ରାମୀ ଜାଣିନି ।” ମା’ ଶବ୍ଦରେ କେତେ ମିଠା ଅଛି ଏମାନେ ଜାଣିବେ କୁଆଡ଼େ । ଦିନେ ଇଂରାଜୀ ମିଡିୟମ୍ରେ ପାଠ ପଢ଼ୁଥିବା ମୋ ପୁଅ ମ୍ୟାଡ଼ାମ୍ ଅର୍ଥର ଶବ୍ଦ ମୋତେ ବୁଝାଉଥିଲା । ମୁଁ ଶୁଣି ଖୁସି ହେଲି, ଆପଣ ମଧ୍ୟ ହେବେ । ଗାଆଁରୁ ଆସି ସହରରେ ନାରୁ ଯେମିତି ନରହରି ହୋଇଯାଏ ସେମିତି ବାପାମାନେ “ଡାଡ୍” ଓ ମା’ମାନେ “ମମ୍” ହୋଇଯାଆନ୍ତି । ଅର୍ଥାତ୍ ସହରୀ ପୁଅମାନେ ଡାଡ୍ ଓ ମମ୍ ବୋଲି ଡାକନ୍ତି । ପୁଅ ପାଠପଢ଼ା ବଢ଼ିବା ପରେ ର୍ର୍ୟାଟ୍, ମ୍ୟାଟ୍, ବ୍ୟାଟ୍, ବ୍ୟାଚ୍, ମ୍ୟାଡ୍ ଇତ୍ୟାଦି ଶବ୍ଦ ଶିଖିଗଲା । ଏମିତି ତା’ ମାଆ ଅର୍ଥାତ୍ ମୋ ଧର୍ମପତ୍ନୀ ଓରଫ୍ ଶ୍ରୀମତୀ ଓରଫ୍ ଅର୍ଦ୍ଧାଙ୍ଗିନୀ ଓରଫ୍ ମ୍ୟାଡାମ୍ ବେଳେ ଚିଡ଼ି କରି କଥା କହିବା ଶୁଣି ପୁଅ ଏ ମ୍ୟାଡ଼ାମ୍ ଶବ୍ଦର ଅର୍ଥ ସନ୍ଧି ବିଚ୍ଛେଦ କରି ମୋତେ ବୁଝାଇଲା ।
ମ୍ୟାଡାମ୍ = ମ୍ୟାଡ୍ ମମ୍ ଅର୍ଥାତ୍ ପାଗଳା ମାଆ । ଅବଶ୍ୟ ସାନ ବୟସ ପିଲା ଯେ ସାଂଗେ ସାଂଗେ ଏକଥା କହିଲା ତା ନୁହେଁ ଘରେ ଘଟୁଥିବା ବିଭିନ୍ନ ଘଟଣାକୁ ଦେଖି ବୋଧହୁଏ ସେ ଏକଥା କହିଲା ଯାହା ଆପଣ ଏବେ ପଢ଼ିବେ ।
“ମାଡ଼ାମ୍ ସବୁବେଳେ ଠିକ୍" ସବୁ କଥାରେ ହସ୍ତକ୍ଷେପ । ଠିକ୍ ହେଉ ବା ଭୁଲ୍ ସତେ ଯେମିତି ବାହାଘର ପରେ ପୁଅଟେ ସ୍ୱାଧୀନତା ହରାଇସାରିଛି । ତଥାକଥିତ ମ୍ୟାଡାମ୍ମାନଙ୍କର ଇଏ ଏକ ରୋଗ । ତାଙ୍କ ନିଷ୍ପତ୍ତି ଗ୍ରହଣ କଲେ ସେମାନେ ଗର୍ବରେ ଫୁଲି ଉଠନ୍ତି କାରଣ ସେମାନେ ଦାଦାଗିରି ସ୍ୱାମୀ ଛଡ଼ା କାହା ଉପରେ କରିପାରନ୍ତି ନାହିଁ । ଆପଣଙ୍କର ନିଷ୍ପତ୍ତି ଠିକ୍ ହୋଇଥିଲେ ମଧ୍ୟ ସିଧା ହଁ କରିବେ ନାହିଁ । ଏହା ତାଙ୍କ ଇଜ୍ଜତର ପ୍ରଶ୍ନ । ଧରନ୍ତୁ ଆପଣଙ୍କର ପାଖ ପଡ଼ୋଶୀରେ କାହାର ବାହାଘର ହେଉଛି । ସେମାନେ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଏଇ ବାହାଘରକୁ ଆପଣ ବାଧ୍ୟ ଯିବାକୁ ପଡ଼ିବ । ସକାଳ ହେଲେ ମୁହଁ ଦେଖାଦେଖି । ଏଥିରେ ଫେରିବାର କିଛି ନାହିଁ କାରଣ ସେ ଅବସର ନେଇ କୁଆଡ଼େ ଚାଲିଯିବେ ଆଉ ଆପଣ ପିଲାଛୁଆଙ୍କର ମାଙ୍ଗଳିକ କାର୍ଯ୍ୟ କରିବା ବେଳେ ପଡ଼ୋଶୀ ହୋଇ ନଥିବେ । ମ୍ୟାଡାମ୍ ପଚାରିଲେ ଲଫାଫାରେ କେତେ ଟଙ୍କା ରଖିଛ । ମୁଁ କହିଲି ୩୦୧ ଟଙ୍କା ରଖିଛି । ସାଂଗେ ସାଂଗେ ଉତ୍ତର ମିଳିଲା “ହଇଓ, ତୁମର କିଛି ଜ୍ଞାନ, ଧ୍ୟାନ ନାଇଁ । ୩୦୧ ଟଙ୍କାରେ କ’ଣ ମିଳୁଛି । ସେ ପରା ୨୫ ପ୍ରକାର ଜିନିଷ କରି ଖାଇବାକୁ ଦେବେ । ୫୦୧ ଟଙ୍କା ରଖିଛି ଦିଅ । ମୁଁ ମଧ୍ୟ ଏଣ୍ଡୁଅ ଭଳି ସମର୍ଥନ କଲି ଓ ଆଦେଶ ପାଳନ କଲି । ଏହାର କିଛି ଦିନ ପରେ ଆଉ ଗୋଟାଏ ପ୍ରତିଷ୍ଠିତ ଲୋକଙ୍କଠାରୁ ପୁଅ ବାହାଘର ନିମନ୍ତ୍ରଣ ମିଳିଲା । ପୂର୍ବ ଘଟଣା ଅନୁଯାୟୀ ମୁଁ ଲଫାଫା ୫୦୧ ଟଙ୍କା ଭର୍ତ୍ତି କରି ଦେଇ ତା’ ଉପରେ ଶୁଭେଚ୍ଛା ସହ ଶ୍ରୀମତୀ ଓ ଶ୍ରୀମାନ୍ ଲେଖିବା ଆରମ୍ଭ କଲାବେଳକୁ ମ୍ୟାଡ଼ାମ୍ ପଚାରିଲେ କ’ଣ ଲଫାଫା ଦେବ ? କେତେ ଟଙ୍କା ଭର୍ତ୍ତି କରିଛ ? ମୁଁ କହିଲି ୫୦୧ ଟଙ୍କା ଅଛି । କହିଲେ “ବଡ଼ ଲୋକଙ୍କ କଥା । ପଇସା ଦେଲେ, ଦିଶିବନି । ଗୋଟାଏ ଭଲ ଫୁଲତୋଡ଼ା ନେଇଯିବା । ବାଧ୍ୟ ହୋଇ ୫ ଟଙ୍କା ଦେଇ କିଣିଥିବା ଲଫାଫାକୁ ଚିରିବାକୁ ପଡ଼ିଲା । ଯାଇ ପୁଣି ଫୁଲତୋଡ଼ା କିଣି ଭୋଜି ଖାଇବାକୁ ଗଲୁ । ଇଏ ତ ଗଲା ଭୋଜି ଖାଇବା କଥା । ମ୍ୟାଡାମଙ୍କର ସବୁ କଥାରେ ମୁଣ୍ଡ ପୂରାଇବା ଏକ ରୋଗ । ଦିନେ ଅଫିସ୍ ବାହାରିବା ବେଳକୁ କହିଲେ କ’ଣ ଏଇ ପ୍ୟାଣ୍ଟସାର୍ଟ ପିନ୍ଧୁଛ ? ଏହା କ’ଣ ମ୍ୟାଚିଂ କରୁଛି । ତା’ ସାଂଗରେ ତୁମର ଜୋତା ବି ପଲିସ୍ ହୋଇନି । ସଚିବାଳୟରେ ଚାକିରୀ କରୁଛ ଟିକେ Status maintain କରୁନ । ମୁଁ ଆଉ କଅଣ ଉତ୍ତର ଦେବି । ଆମେ ହେଲୁ ସଚିବାଳୟର ଖୁଣ୍ଟ କଟା ପରଜା । ବଦଳି ନାଇଁ । ସଚିବାଳୟର ପଥର ଗୋଡ଼ିଠୁ ସମସ୍ତେ ଚିହ୍ନା । ଜନ୍ମ ବି ଏଠି - ମୃତ୍ୟୁ ବି ଏଠି । କିଏ କ’ଣ ଭାବିବ । ସମସ୍ତେ ଜାଣିଛନ୍ତି । ହେଲେ ମାଡ଼ାମ୍ଙ୍କୁ ବୁଝାଇବାକୁ କିଏ ? ମୁଁ କହିଲି “କ’ଣ ମ୍ୟାଚିଂ କରିବି ।” ସେ କହିଲେ “କଫି କଲର ପ୍ୟାଣ୍ଟ ସାଂଗରେ ଲାଇଟ୍ ଲେମନ ରଙ୍ଗର ସାର୍ଟଟା ଭାରି ଭଲ ଲାଗିବ । ଆଉ ଏ ଯୋଉ ଗ୍ରୀନ୍ କଲର ସାର୍ଟଟା ପିନ୍ଧିଛ କ’ଣ ଦେଖାଯାଉଛି ଦେଖିଲ । ସାର୍ଟଟା ବଦଳାଇ ଦିଅ । ଉପାୟ ନାହିଁ । ଅଫିସ୍ ଡେରି ହେଉ ପଛକେ ସାର୍ଟଟା ବଦଳାଇ ଯିବାକୁ ପଡ଼ିଲା । ଆପଣ କହିଲେ; ମୁଁ ପିନ୍ଧିଥିବା ସାର୍ଟରେ କ’ଣ ଖରାପ ଥିଲା ? କିନ୍ତୁ ଏଇଟା ମ୍ୟାଡମ୍ଙ୍କର ଗୋଟାଏ ମାନସିକତା । ସହରରେ ଫ୍ଲାଟ୍/ଏପାର୍ଟମେଣ୍ଟ୍ରେ ରହୁଥିବା ପାଖ ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାନ୍ତିନି, ଏମିତି କି ନା ବି ଜାଣି ନଥାନ୍ତି । ନହେଲେ ଏକଥା କିଏ ଜାଣିଥିଲେ କେତେ ହୀନସ୍ତା କହିଲେ ।
ଅବଶ୍ୟ ପାଣିପାଗର ସୂଚନା ମାନେ ମାଡାମ୍ ଯେ ନିଷ୍ପତ୍ତି ନେବେ ଏ କଥା ମୁଁ ବାହାଘର ଠିକ୍ ହେବା ବେଳେ ଜାଣିଥିଲି, ମାତ୍ର ସବୁବେଳେ ଏ ନିଷ୍ପତ୍ତି ନେବେ ମୋ ଧାରଣା ନଥିଲା । ଏଠି ବାହାଘର ଠିକ୍ ହେବା ସମୟରେ କଥାଟି ନକହିଲେ ମୋ କଥା ଅଧା ରହିଯିବ । ଯେତେବେଳେ ମୁଁ ବାହାହେଲି ଝିଅ/ପୁଅ ଦେଖାଦେଖି ଏତେ ହେଉ ନଥିଲା । ଆମ ପରିବାର ପରମ୍ପରା ଅନୁଯାୟୀ ବାପା, ମା’ ଠିକ୍ କରୁଥିବା ଝିଅକୁ ପୁଅମାନେ ବାହା ହେଉଥିଲେ । ତେବେ ପ୍ରାଥମିକ ପର୍ଯ୍ୟାୟ ବାପା, ମା ଦେଖିବା ପରେ ଶ୍ୱଶୁର ଘର ଲୋକେ ଆମ ଘରକୁ ଆସିଥିଲେ । ମାଡାମଙ୍କର ସୁନ୍ଦର ଫଟୋ (ସ୍ୱତନ୍ତ୍ର ଭାବରେ ବିବାହ ପ୍ରସ୍ତାବରେ ଦେବା ପାଇଁ) ଧରି ସେମାନେ ଆମ ଘରକୁ ଆସିଥିଲେ । ଖିଆପିଆ ଭିତରେ ଫଟୋଟି ପ୍ରଥମେ ମୋ ପାଖରୁ ମାଆ, ତାପରେ ବାପା ଦେଖିଲେ । ତା’ପରେ ମୋ ଜେଜେମା’ ପାଖକୁ ଫଟୋଟି ଗଲା । ସେ ସମ୍ମତି ପ୍ରଦାନ କଲାପରେ ଫଟୋଟା ଫେରିଲା । ଗଲାବେଳେ ଆମ ପକ୍ଷରୁ ରାଜି ବୋଲି କହିବା ପରେ ଶ୍ୱଶୁର କହିଲେ ପୁଅର ଫଟୋଟା ଦିଅନ୍ତୁ । ଯଦି ଝିଅ ହଁ କରିବ ତା’ହେଲେ ଆମେ ଖବର ଦେବୁ । ଆଶ୍ଚର୍ଯ୍ୟ କଥା ! ତୁମେ ପୁଅ ବାବଦରେ ଆଗରୁ ସଂଗ୍ରହ କରି ସବୁ ବୁଝିବା କଥା । କିନ୍ତୁ ଆମ ପରିବାରର ନିଷ୍ପତ୍ତି ହୋଇଛି ମାନେ ବାହାଘର ନିଶ୍ଚୟ ହେବ (ପରମ୍ପରା ଅନୁଯାୟୀ) । ଶେଷରେ ସିଏ ହଁ କଲେ ଆଉ ତଥା କଥିତ ମାଡ଼ାମ ଏବେ ସବୁ ଶେଷ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।
“ଶେଷ ନିଷ୍ପତ୍ତି ସବୁବେଳେ ଠିକ୍ " ଶବ୍ଦ ଚାରିଟିର ଅର୍ଥ ଆପଣ ତ ସହଜରେ ବୁଝି ପାରୁଥିବେ, ଏହା ଶେଷରେ ହିଁ ନିଆଯାଏ । ଆଗରୁ ଖାଲି ତର୍ଜମା ହେଉଥାଏ । ଏହା ପାର୍ଟିର ହାଇକମାଣ୍ଡ, ମୁଖ୍ୟ ନେଇଥାନ୍ତି । ଅନ୍ୟଲୋକଙ୍କ ପାଟିରେ ଆସିଲେ ମଧ୍ୟ କହନ୍ତି ନାହିଁ । କିନ୍ତୁ ମୁଁ ଯେଉଁ ପ୍ରସଙ୍ଗ ଉତ୍ଥାପନ କଲି ଏ କ୍ଷେତ୍ରରେ ଭାରି ଅଡୁଆ । ଅବଶ୍ୟ ଅନ୍ୟଗତି ନାହିଁ କାରଣ ପାଣିଗ୍ରହଣ ପରେ ଏ କାର୍ଯ୍ୟକ୍ରମ ଚାଲିଛି । ଆଉ ମୋ ଭାଷାରେ ପାଣିଗ୍ରହଣର ଅଭିନବ ପରିଭାଷା ହେଉଛି -
ଚନ୍ଦ୍ରଗ୍ରହଣ ନୁହେଁ ଯେ ରାତିକରେ ଚାଲିଯିବ
ଥରେ ଲାଗିଲେ ମରିବା ପର୍ଯ୍ୟନ୍ତ ରହିବ ।
