Bandita Mohanty

Tragedy

3  

Bandita Mohanty

Tragedy

ସେଇ ଦୁଇପଦ କଥା

ସେଇ ଦୁଇପଦ କଥା

4 mins
215


 ବ୍ୟାଗରେ ସବୁ ମନେ ପକେଇ ରଖିଲୁ ତ। ନା ଆଉ କିଛି ରଖିବାର ଅଛି। ନାଇଁ ବୋଉ ସବୁ ରଖିଛି। ମୁଣ୍ଡଟିକୁ ତଳକୁ ପୋତି କହିଦେଲା ସୁଭଦ୍ରା। ଆଖିରେ ଆଖିଏ କୋହ ଉଠୁଥିଲା। କାନ୍ଦିବ କି ନାହିଁ ଭାବି ପାରୁଥାଏ। ପ୍ରଥମ ଥର ପାଇଁ ସେ ଘରେ ବୋଉକୁ ଛାଡ଼ି ଯାଉଛି ବାହାରେ ହଷ୍ଟେଲରେ ରହି ପାଠ ପଢ଼ିବାକୁ। ମନ ମାନୁନଥିଲା ତାର। ବାପା ଗଲା ପରଠାରୁ ଘରେ କେବଳ ସେ ଆଉ ଶାନ୍ତିଦେବୀ। କେବେ ବୋଉକୁ ଛାଡି ବାହାରେ ରହି ପାଠ ପଢିନି। ହେଲେ ସେଠି କିଏ ଆଉ ଗାଳି ଦେବାକୁ ନାହାନ୍ତି। ସେଥିପାଇଁ ତ ମନ ଖୁସି କିନ୍ତୁ ଗାଳି ନ ଶୁଣିଲେ କେବେ କଣ ପାଠ ପଢ଼ିବାକୁ ମନ ଯିବ। ମନ କଥା ମନରେ ରଖି ଘଡିଟିକୁ ଚାହିଁଲା ସୁଭଦ୍ରା। ମାମା ଆସ ଟାଇମ ହେଲାଣି ପରା। ଶାନ୍ତି ଦେବୀ ବୁଲି ପଡି କହିଲେ କଣ ଡାକିଲୁ ? ସୁଭଦ୍ରା କାନ କୁଣ୍ଡାଇ ଦେଇ କହିଲା ଓଃ ! ସରି ସରି, ବୋଉ ଡାକରେ ମଜା ଥାଏ। କେତେ ପ୍ରକାର ଡାକ ପଡେ ..... ବୋଉ ଲୋ... ଏ ବୋଉ... ବୋଉ ମ... ବୋଉ ଏମିତି କେତେ ପ୍ରକାର ? କିନ୍ତୁ ମୋ ବୋଉ ମତେ କୁହେ ସବୁବେଳେ ବୋଉ ବୋଲି ଡାକିବୁ। ମତେ ସେ ମାମା ମମି ମମ୍ ଏ ସବୁ ଡାକ ପସନ୍ଦ ନୁହଁ। କେବେ କେମିତି ଚିଡ଼େଇବା ପାଇଁ ହିଁ ଡାକିଦିଏ। କିନ୍ତୁ ଆଜି ହଠାତ୍ ଏ ଶବ୍ଦଟା ପାଟିରୁ ଖସି ପଡ଼ିଲା ଯେ....। ହଉ ଛାଡ଼। ବୋଧେ ତାକୁ ଏମିତି ଡାକ ପକେଇ ଚିଡ଼େଇବା ପାଇଁ କେହି ରହିବେନି। ତେଣୁ ଏ ଡାକଟା ହଠାତ୍ କରି ପାଟିରୁ ବାହାରି ପଡ଼ିଲା।

  କୁଆଡେ ଯଦି ଯିବାକୁ ଥିବ ଗାଳି ଟିକେ ନ ଶୁଣିଲେ ବୋଧେ ଯିବାଟା ସଫଳ ହେବନି ବୋଲି ସୁଭଦ୍ରା ସବୁବେଳେ ଭାବେ। ଏମିତିରେ ତ ଖାଇବା ପାଇଁ ସେ ନାରାଜ । କିନ୍ତୁ ଶାନ୍ତି ଦେବୀ ରାତିରୁ ଉଠି ରୋଷେଇ ସାରି ଦେଇଥିଲେ। ତେଣୁ ଡାକିଲେ "ଆସେ ଦି' ଗୁଣ୍ଡା ଖୁଆଇ ଦେବି। ଭୋକ କରିବ ବାଟରେ।" ସୁଭଦ୍ରା କିନ୍ତୁ ମୁହଁ ଟାକୁ ବୁଲେଇ ଦେଇ କହିଲା ,"ନାଇଁ ବୋଉ ଟାଇମ ହେଲାଣି ତୁ ଆସେ ଜଲଦି ଗାଡ଼ି ଛାଡ଼ି ଦେବ।" ଖାଇବା ଥାଳିଟିକୁ ହାତରେ ଧରି ଉଠି ଆସିଲେ ଶାନ୍ତି ଦେବୀ। ବିରକ୍ତି ଭରା ମୁହଁରେ କହିଲେ ତତେ କହିଲି ପରା, ମୁଁ ତ ଖୁଆଇଦେବି। ଏତେ ଯଦି ଟାଇମ ଖୋଜିବାର ଥିଲା ଆଉ ଟିକେ ଆଗରୁ ଉଠିଲୁନି। କେତେବେଳୁ ଉଠେଇଲି କିନ୍ତୁ ମୁହଁ ମାଡ଼ି ତକିଆରେ ଶୋଇ ରହିଲୁ। ଆଉ ଏବେ ଟାଇମ୍ ଦେଖାଉଛୁ।" ଆଖିରୁ ଝର ଝର ହୋଇ ଦୁଇ ବୁନ୍ଦା ଲୁହ ଝରିଗଲା ସୁଭଦ୍ରାର ଶାନ୍ତି ଦେବୀଙ୍କ ଅଜାଣତରେ। କଥାରେ ଅଛି "ଗୋଟେ ଚୁଡି ଯଦି ଭାଙ୍ଗିଯିବ ତା ହେଲେ ଝିଅ ଘର ଉଠେଇ ପକେଇ ଦେଇଥିବ। କିନ୍ତୁ ଯଦି କେବେ ହୃଦୟକୁ ଆଘାତ ଦେଲା ଭଳି କିଛି କରିବାକୁ ପଡେ ବା କେହି କହିଦିଏ ତା ହେଲେ ସାମ୍ନାରେ ବସିଥିବା ମା' ବି ଜାଣିପାରିବେନି ଝିଅ କାନ୍ଦୁଛି ବୋଲି। ସେଥିପାଇଁ ବୋଧେ ନାରୀ ମହାନ୍ ବୋଲି କୁହନ୍ତି। ତା ପାଖରେ ଧୈର୍ଯ୍ୟ ସହନଶୀଳର ଅଭାବ ନାହିଁ।

 ଖାଇବା ସରିଲା। ଯାହା ହେଉ ବହୁତ ଦିନ ପରେ ବୋଉ ହାତରେ ଖୁଆଇ ଦେଲା। ସେଥିପାଇଁ ଅଧିକ ଖୁସି ହେଇଗଲା ସୁଭଦ୍ରା। ହୁଏ ତ ଆଉ ଥରେ କୋଉ ଛଅ ମାସ କି ସାତ ମାସ ପରେ ତା ହାତ ରନ୍ଧା ଖାଇବାକୁ ମିଳିବ। ତେଣୁ ପେଟପୂରା ଖାଇ ଦେଇଛି ବୋଲି ଗୁଣୁଗୁଣୁ ହୋଇ କହିଲା। "ଏ ବୋଉ ଏଥର ବାହାରିବା ତ ! ଆଉ କେତେବେଳେ ଯିବା ଯେ ?" ହଁ ଲୋ ମାଆ ଆସୁଛି ଆସୁଛି। ହେଇଟି ଆସିଗଲି ଟିକେ ରହି ଯା'....!! ପର୍ସଟିକୁ ହାତରେ ଧରି ବାହାରି ପଡ଼ିଲେ ଶାନ୍ତି ଦେବୀ। ତାଲା ପକାଇବା ବେଳେ କହିଲେ ଠାକୁରଙ୍କୁ ମୁଣ୍ଡିଆ ମାରିଛୁ ତ ! ମୋର ମନନଥିଲା। ଯଦି ନା କରିବି ପୁଣି ବହେ ଗାଳି ଶୁଣିବାକୁ ପଡ଼ିବ। ହେଲେ ମିଛ କହିଲେ ମୋ ମନ ମାନିବନି। କଣ କରିବି ? ଗାଳି ପଛେ ଶୁଣିବି ଯାଇକି ମୁଣ୍ଡିଆ ଟେ ମାରି ଆସିବି । ନା ମୁଣ୍ଡିଆ ମାରିନି। ଗାଳି କରିବାକୁ ଉଦ୍ୟୋତ ହେଇ ଉଠିଲା ବେଳେ ହାତରୁ ତାଲାଟିକୁ ଧରି ନେଇ ଧାଇଁ ଚାଲିଗଲି ଠାକୁର ଘରକୁ। ଲୁହ ଝରି ପଡ଼ିଲା ଆଖିରୁ। ମନେ ମନେ କହୁଥାଏ ଆଉ ଥରେ ପୁଣି କେବେ ଘରକୁ ଆସିଲେ ପୂଜା କରିବି। ବୋଉର ଧ୍ୟାନ ରଖୁଥିବ। ମୁଁ ଯାଉଛି। କିଛି ବି ଯେମିତି ନ ହୁଏ ତାର। ଆଉ କଣ କହିବି ? ହଁ କେବେ ଯଦି ମନେ ପକେଇ ବୋଉ କାନ୍ଦିବ ତା ହେଲେ ତାକୁ ବୁଝେଇ ଦେବ। ମୋ ଛଡା ଏଠି କେହି ନାହାନ୍ତି ତାର .....? ଏତିକି କରିଦେବ ନା ! କଥା ଦିଅ। ନହେଲେ ତମ ସହ ଆଉ କଥା ହେବିନି। ଏମିତି ଲାଗୁଥାଏ ସତେ ଯେପରି କିଛି କ୍ଷଣ ପାଇଁ ଠାକୁର ଜୀବନ୍ତ ହୋଇ ଥିଲେ କଥାରେ ତାର। ତରତର ହୋଇ ପୁଣି ଚାଲି ଆସି ତାଲା ପକାଇ ବାହାରି ପଡ଼ିଲା। ଚପଲ ପିନ୍ଧୁ ପିନ୍ଧୁ ଶାନ୍ତି ଦେବୀ କହିଲେ ମନ ଦେଇ ପାଠ ପଢ଼ିବୁ, ଖିଆ ପିଆ ଠିକ୍ ସେ କରିବୁ। ସେଠି ଆଉ କେହି ନ ଥିବେ ତତେ କହିବାକୁ,ଆଲୋ ମା' ଖାଇବୁ ବୋଲି।

  ସୁନାପିଲା ଭଳି ମୁଣ୍ଡଟିକୁ ଖାଲି ଟୁଙ୍ଗାରି ଚାଲିଥାଏ ସୁଭଦ୍ରା। ହଠାତ୍ ଗୋଟିଏ ଜାଗାରେ ଝୁଣ୍ଟି ପଡ଼ିଲା ସେ। କିଛି ସମୟ ପରେ ଆଖି ଖୋଲିଲା। ଆରେ ଏ କ'ଣ ? ମୁଁ... ମୁଁ କୋଉଠି ଅଛି? ଆଇ ପଛ ପଟୁ ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ। କେତେ ବେଳୁ ତତେ ଡାକୁଛି। ଆଜି ପରା ତୋର ହଷ୍ଟେଲ ଖୋଲିବ। ଯା' ଜଲଦି ଗାଧେଇ ଆସେ। ମୁଁ ସବୁ ରେଡି କରି ଦେଇଛି। ଖାଇଦେଇ ଚାଲି ଯିବୁ। ଆଖି ମଳି ମଳି ଚାଲିଗଲା ସୁଭଦ୍ରା। ସେ ସବୁ ସ୍ୱପ୍ନ ଥିଲା ତା ହେଲେ। ଆକାଶକୁ ଚାହିଁଲା। ପୂରୁବରେ ରକ୍ତିମ ଆଭା ଫୁଟାଇ ସୂର୍ଯ୍ୟ ଦେବ ଉଠି ସାରିଥିଲେ। ପକ୍ଷୀ ମାନେ ଖାଦ୍ୟ ଅନ୍ୱେଷଣରେ ଦଳ ଦଳ ହେଇ ଉଡ଼ି ଯିବାକୁ ବାହାରି ପଡ଼ିଥିଲେ। କିଛି ଧଳା ବାଦଲ କୁ ଚାହିଁ ସୁଭଦ୍ରା ହସି ଦେଇ କହିଲା ମା' ହଷ୍ଟେଲ ତ ଯିବାକୁ ମୋର ଥିଲା। ତମ ଠାରୁ ଦୂରରେ ରହି ମୋର ପଢ଼ିବାର ଥିଲା। କିନ୍ତୁ ତୁମେ ତ ସବୁଦିନ ପାଇଁ ସେଇ ଦୂର ଆକାଶକୁ ଚାଲିଯିବ ବୋଲି ଭାବିନଥିଲି........... 



Rate this content
Log in

Similar oriya story from Tragedy