Saswat Routroy

Horror Thriller

4.3  

Saswat Routroy

Horror Thriller

ଜିଘାଂସା

ଜିଘାଂସା

14 mins
883


"କୁହନ୍ତୁ ସାର, ଜାଗା ପସନ୍ଦ ହେଲା?" ହାତ ମଳି ସତ୍ୟଲୋଚନ ପଚାରିଲେ।

ମନ୍ତ୍ରମୁଗ୍ଧ ପ୍ରବାଳର ଜବାବ ଦେବାକୁ ଧ୍ୟାନ ମଧ୍ୟ ନାହିଁ। ବିଶାଳ ପ୍ରାଚୀର ଘେରା ସୁନ୍ଦର ଗୋଟିଏ ବଗିଚା। ବଗିଚାର ଏକଦମ ମଝିରେ ଶ୍ବେତପଥରର ସୁନ୍ଦର ନାରୀମୂର୍ତ୍ତୀ ସହ ସୁଦୃଶ୍ୟ ଗୋଟିଏ ଫୁଆରା। କମ୍ପାଉଣ୍ଡ ଗେଟରୁ ଆରମ୍ଭ ହୋଇ ସର୍ପିଳ ବାଟଟି ଫୁଆରା ପାଖ ଦେଇ ବୁଲି ଯାଇଛି- ଶେଷ ହୋଇଛି କୋଠୀର ପୋର୍ଟିକୋ ତଳେ। ରାସ୍ତାଟିର ଦୁଇ ଦିଗରେ ଫୁଲ ଗଛ ଧାଡ଼ି ହୋଇ ଲଗା ଯାଇଛି। ଧଳା ରଙ୍ଗର କୋଠୀଟି ତ୍ରିତଳ- ଛାତ ଉପରେ ଗୋଟିଏ ଗମ୍ବୁଜ ପରି; ଗମ୍ବୁଜ ଭିତରେ ସୁବିଶାଳ ଗୋଟିଏ ଘଣ୍ଟି। ୧୫ ଶତାବ୍ଦୀର ଇଉରୋପୀୟ ଢାଞ୍ଚାରେ ତିଆରି କୋଠୀଟିର ନାଁ "ମୁନରାଇଜ ଭିଲ୍ଲା"। ରହିବା ପାଇଁ ଏମିତି ସୁନ୍ଦର କୋଠୀ ପାଇ ପ୍ରବାଳର ମନ ଭାରି ପ୍ରଫୁଲ୍ଲ ହୋଇ ଉଠିଲା।

ପ୍ରବାଳ ବର୍ତ୍ତମାନ ଉତ୍କଳ ୟୁନିଭର୍ସିଟିରେ ବିଜ୍ଞାନ ନେଇ ସ୍ନାତକତା କରୁଛି। ସିଏ ନୟାଗଡ଼ ଜିଲ୍ଲାର ଗୋଟିଏ ବର୍ଦ୍ଧିଷ୍ଣୁ ଗାଁ ହରିଗଡ଼ର ଗାଁ'ପ୍ରଧାନଙ୍କର ଏକମାତ୍ର ସନ୍ତାନ। ପିଲାବେଳଠୁ ପାଠପଢ଼ାରେ ଭଲ ବୋଲି ବାପା ପ୍ରସୂନରଞ୍ଜନ ତାକୁ ସବୁବେଳେ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ଦେଇ ଆସିଛନ୍ତି। ଶିକ୍ଷିତ ଆଉ ଅର୍ଥନୈତିକ ଭାବରେ ଅବସ୍ଥାସମ୍ପନ୍ନ ପରିବାରର ପୁଅ ପ୍ରବାଳ ମଧ୍ୟ ବାପାଙ୍କର ନାଁ ଉଜ୍ଜ୍ଵଳ କରି ଆସିଛି ସବୁ ବିଷୟରେ। ଯେମିତି ଲେଖାପଢ଼ାରେ ଭଲ, ସେମିତି ଖେଳକୁଦରେ ମଧ୍ୟ ଦକ୍ଷ- ସ୍ବଭାବରେ ବିନମ୍ର ଆଉ ଭଦ୍ର। ପୁଅକୁ ନେଇ ପ୍ରସୂନରଞ୍ଜନଙ୍କର ବହୁତ ସ୍ଵପ୍ନ। ସୁବିଧା ହେବ ବୋଲି ପ୍ରବାଳ ଭୁବନେଶ୍ଵରରେ ରହି ପଢ଼ୁଛି। ସପ୍ତାହାନ୍ତେ ଅଥବା ଅନ୍ୟାନ୍ୟ ଛୁଟିରେ ସିଏ ପ୍ରାୟତଃ ଗାଁ'କୁ ଯାଏ। ସେଇ ସମୟରେ ପୁଅକୁ ଦେଖି ବାପା ମା ଦିଜଣ ଭାରି ଖୁସି ହୁଅନ୍ତି।

ଆଉ ଦେଢ଼ମାସ ପରେ ଦ୍ବିତୀୟ ବର୍ଷର ପରୀକ୍ଷା ଆରମ୍ଭ ହେବ, ତେଣୁ ପରୀକ୍ଷା ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରବାଳ ପ୍ରଥମେ ଭାବିଥିଲା ଭୁବନେଶ୍ୱରରେ ନ ରହି ଗାଁକୁ ଚାଲି ଯିବ, କିନ୍ତୁ ଭାବି ଦେଖିଲା ପିଲାବେଳର ବାଳୁଙ୍ଗା ଗାଁ ସାଙ୍ଗଙ୍କର ଉତ୍ପାତରେ ମନୋଯୋଗ ଦେଇ ସିଏ ପଢ଼ି ପାରିବନି। ଅତଏବ ପ୍ରବାଳ ଠିକ କଲା ଘରୁ ଦୂରେ ନିରୋଳାରେ କେଉଁଠି ରହି ପରୀକ୍ଷା ପାଇଁ ଶାନ୍ତିରେ ପଢ଼ିବ। କଥା ପ୍ରସଙ୍ଗରେ କଲେଜ ସାଙ୍ଗ ନିରଞ୍ଜନ ପାତ୍ରକୁ ଏଇ ବିଷୟରେ କହିବାରୁ ସିଏ ତାର ଜଣେ ଦୂର ସମ୍ପର୍କୀୟ ଆତ୍ମୀୟ ସୁରେଶ ପତିଙ୍କ କଥା କହିଲା। ସୁରେଶବାବୁଙ୍କର ଗୋଟେ କୋଠୀ ଅଛି ଗୋପଳପୁରରେ। ସାରା ବର୍ଷ ଖାଲି ପଡ଼ିଥାଏ କୋଠୀଟା, ମଝିରେ ମଝିରେ ଓଳିକ ପାଇଁ ଯାଇ ବୁଲି ଆସନ୍ତି ସୁରେଶବାବୁ। ପ୍ରବାଳ ରାଜି ଥିଲେ ସେଠି ରହି ପରୀକ୍ଷା ପାଇଁ ପଢ଼ାପଢ଼ି କରି ପାରିବ।

ଏମିତି ଯୋଗାଯୋଗ ପ୍ରବାଳ ପାଇଁ ଆଶାତୀତ ସୌଭାଗ୍ୟ। କୋଠୀର ମାଲିକ ସୁରେଶବାବୁ ଟେଲିଫୋନରେ କେୟାରଟେକର ସତ୍ୟଲୋଚନ ସାଥିରେ କଥା ହୋଇ ସବୁ ବ୍ୟବସ୍ଥା କରି ଦେଇଥିଲେ। କେୟାରଟେକର ସତ୍ୟଲୋଚନଙ୍କ ଘର ସମୁଦ୍ର ସୈକତଠୁ ଅଳ୍ପ ଦୂରରେ ଛୋଟ ଗୋଟିଏ ବର୍ଦ୍ଧିଷ୍ଣୁ ଗାଁ ପାଣିପତାରେ। ନିର୍ଦିଷ୍ଟ ଦିନରେ ଗନ୍ତବ୍ୟସ୍ଥଳକୁ ପହଞ୍ଚି ପ୍ରବାଳ ସତ୍ୟଲୋଚନଙ୍କୁ ଭେଟିଲା। ଭ୍ୟାନ ଭଡ଼ା କରି ଦିଜଣ ମୁନରାଇଜ ଭିଲ୍ଲାକୁ ଆସିଛନ୍ତି।

"ଘର ମୋର ଭାରି ପସନ୍ଦ ହେଇଛି, ମଉସା।" ପ୍ରସନ୍ନ ହୋଇ ପ୍ରବାଳ କହିଲା, "ନିରୋଳାରେ ଏମିତି ବଢ଼ିଆ କୋଠୀରେ ରହିବା ଆମ ପରି ସାଧାରଣ ଲୋକଙ୍କ ପାଇଁ ଆଶାତୀତ ସୌଭାଗ୍ୟ।"

"ଖାଲି ଗୋଟିଏ ଅସୁବିଧା ଅଛି, ସାର।"

"ମତେ ସାର ନ ଡାକି, ପ୍ରବାଳ ଡାକନ୍ତୁ। ମୁଁ ଆପଣଙ୍କ ପୁଅ ବୟସର।" ପ୍ରବାଳ କହିଲା।

"ହଉ। ଦେଖ ପୁଅ, ବାକି କିଛି ଅସୁବିଧା ତ ବିଶେଷ ନାହିଁ, ଖାଲି ଗୋଟିଏ ଚିନ୍ତା ଏଇ ଭିଲ୍ଲାରେ ବିଦ୍ୟୁତ ନାହିଁ ଏଯାବତ।" ସତ୍ୟଲୋଚନ ଟିକେ ରହି କହିଲେ, "ଅସଲ କଥାଟି କଣ କହିଲ ପୁଅ, ଏଇ କୋଠୀଟି ସେଇ ଇଂରେଜ ଅମଳରେ ତିଆରି। ସ୍ଵାଧୀନତା ପରେ ଇଂରେଜମାନେ ଚାଲି ଯିବା ପରେ ଏମିତି ବହୁ କୋଠୀ ସରକାର ଅଧୀନକୁ ଚାଲି ଗଲା। ବହୁତ ଗୁଡ଼ାଏ ଏମିତି କୋଠୀ ସରକାରୀ ଡାକ ବଙ୍ଗଳା କିମ୍ବା ସର୍କିଟ ହାଉସ କିମ୍ବା ସରକାରୀ ଗେଷ୍ଟ ହାଉସ ହିସାବେ ବ୍ୟବହାର ହଉଛି। ସେଠି ମଝିରେ ମଝିରେ ସରକାରୀ ବାବୁ ବା ପର୍ଯ୍ୟଟକମାନେ ଆସନ୍ତି। କିନ୍ତୁ ମୁନରାଇଜ କୋଠୀଟି ଏମିତି ଜାଗାରେ ଯେ ପର୍ଯ୍ୟଟକ ହଉ ବା ସରକାରୀ ବିଭାଗ, କୌଣସି କାମରେ ଲାଗିବ ନାହିଁ। ଏମିତି ବହୁତ ଅବ୍ୟବହୃତ କୋଠୀ ସରକାର ପରେ ନିଲାମ କରି ଦେଇଛନ୍ତି। ମୁନରାଇଜ ଭିଲ୍ଲା ବି ସେମିତି ହିଁ ନିଲାମ ହେଇଥିଲା। ହାତ ବଦଳ ହେଇ ଏବେ ସୁରେଶବାବୁଙ୍କ ପାଖକୁ ଆସିଛି। ଅସଲ କଥା, ଇଂରେଜମାନେ ଗଲା ପରେ ଏଇ କୋଠୀରେ ବେଶି ଲୋକବାକ ରହି ନାହାନ୍ତି। ସୁରେଶବାବୁ ମଧ୍ୟ ଏଇ କୋଠୀ କିଣିବା ପରେ ତିନ ଥର ମାତ୍ର ଆସିଛନ୍ତି କିଛି ଘଣ୍ଟା ପାଇଁ- ରାତ୍ରିବାସ ସୁଧା କରି ନାହାନ୍ତି। ଲୋକବାକ ନ ରହିଲେ ବିଦ୍ୟୁତବ୍ୟବସ୍ଥା ଥିବ କେମିତି? ଏଠି ଟେଲିଫୋନ ମଧ୍ୟ ନାହିଁ।"

"ସିଏ ଆଉ କଣ କରା ଯିବ ମଉସା? ଲଣ୍ଠନ ଅଥବା ବଡ଼ ବତୀ ଅଛି ତ?"

"ସେଇଆ ନେଇ ଚିନ୍ତା କରନି। କୋଠୀରେ ଗୁଡ଼ାଏ ମହମବତୀ, ତେଲବତୀ, ଲଣ୍ଠନ, ଇତ୍ୟାଦି ଅଛି। ଗାଁ ଦୋକାନରୁ କିରୋସିନ ତେଲ ମିଳି ଯିବ। ତୁମେ କୋଠୀରେ ଯାଇ ଟିକେ ବିଶ୍ରାମ କର, ମୁଁ ଘର ସଫା କରିବା ପାଇଁ କାହାକୁ ନେଇ ଆସୁଛି।" ପ୍ରବାଳ ହାତକୁ ଚାବିଗୁଚ୍ଛ ଦେଇ ସତ୍ୟଲୋଚନ ବାହାରି ଗଲେ।

ଅଳ୍ପ ସମୟ ଭିତରେ ହିଁ ଜଣେ ନୋଳିଆ ପିଲା ଆଉ ଜଣେ ବୁଢ଼ୀଙ୍କୁ ଧରି ସତ୍ୟଲୋଚନ ଫେରିଲେ। ଗୋଟେ ଖଡ଼ିକା ଧରି ଚଟ୍ କରି ଭିତରେ ପଶି ଗଲା ପିଲାଟି। ୟା ଭିତରେ ସତ୍ୟଲୋଚନ ପ୍ରବାଳ ସାଥିରେ ବୁଢ଼ୀର ପରିଚୟ କରାଇ ଦେଲେ।

"ପୁଅ, ୟା ନାଁ ହଉଛି ପଦ୍ମା। ତୁମେ ଯେତେଦିନ ଅଛ ଇଏ ଆସି ଘର ଦୁଆର ଓଳେଇ ଦବ, ତମ ପାଇଁ ରୋଷେଇ କରି ଦବ। ଆଜିଠୁ ହିଁ କରିଥାନ୍ତା, ହେଲେ ଆଜି ତାର ଟିକେ ଭଉଣୀ ଘରକୁ ଯିବାର ଅଛି। ସେଥିପାଇଁ ସେଇ ପିଲାଟିକୁ ସାଙ୍ଗରେ ଧରି ଆଣିଲି।"

"ଦେଖ ବାବୁ, ମୁଁ ସକାଳୁ ସକାଳୁ ଆସିବି। ଘର ଦୁଆର ଓଳେଇ, ତୁମ ଜଳଖିଆ ବନେଇ ଦେବି। ଦିହିପରର ରୋଷେଇ ଆଉ ରାତିର ରୋଷେଇ ବନେଇ ଦିହିପର ଭିତରେ ଚାଲି ଯିବି। ୟା ପାଇଁ ଦିନକୁ ୨୦ ଟଙ୍କା ନେବି। କପଡ଼ା ସଫା କରିବାର ହେଲେ ତା ପାଇଁ ଅଲଗା ଟଙ୍କା ଲାଗିବ।" ବୁଢ଼ୀ କାମ କରିବାର ସର୍ତ୍ତ ଜଣେଇଲା। 

"ହଉ, ହେଲା। କିନ୍ତୁ ମାଉସୀ, ଦିହିପରେ ରୋଷେଇ କଲେ ରାତିରେ ଖାଇବା ବେଳକୁ ସେଇ ତରକାରୀ କଣ ଆଉ ଭଲ ରହିବ? ତା ଅପେକ୍ଷା ଆପଣ ସଞ୍ଜବେଳେ ଆଉ ଥରେ ଆସି ରାତିର ରୋଷେଇ କରି ଯାନ୍ତୁ, ମୁଁ ତା ପାଇଁ ୧୦ ଟଙ୍କା ବେଶି ଦେବି।"

"ଦେଖ ପୁଅ, ଏଇ ସମୟରେ ଗରମ ବେଶି ନାହିଁ। ଦିହିପରର ରୋଷେଇ ରାତିରେ ଖରାପ ହେଇ ଯିବନି। ଆଉ ତା ଛଡ଼ା, ମତେ ମାରି ପକେଇଲେ ବି ମୁଁ ରାତିରେ ଏଇ କୋଠୀକୁ ଆସିବିନି। ମୋର ଏତେଟା ବି ଟଙ୍କା ଲୋଭ ନାହିଁ।" ହାତଯୋଡ଼ି ବୁଢ଼ୀ କହିଲା।

"କଣ ହେଇଛି ମାଉସୀ? ରାତିରେ ଆସିବାକୁ ତମର ଅସୁବିଧା କଣ?"

"ପୁଅ, ମୁଁ କଣ, ଏଇ ଭୁତ କୋଠୀରେ କିଏ ବି ରାତିରେ ଆସିବାକୁ ରାଜି ହବନି। ସତ୍ୟ ଭାଇନା ସାଥିରେ ମୋର ଭଲ ସମ୍ପର୍କ ବୋଲି, ନହେଲେ ମୁଁ ବି ଆସି ନଥାନ୍ତି।"

"ଭୁତ କୋଠୀ ମାନେ?" ପ୍ରବାଳ ମୁହଁରେ କୌତୁହଳ ସ୍ପଷ୍ଟ।

"ତୁମେ ଜାଣିନ ପୁଅ। ଏଇ କୋଠୀଟା ଆଜିର ନୁହଁ, ସେଇ ଇଂରେଜ ଅମଳର। ଏଇ କୋଠୀର ମାଲିକ ଥିଲା ଜଣେ ସାହେବ। ଲୋକଟା ଭାରି ନିର୍ଦ୍ଦୟ ଆଉ ଅତ୍ୟାଚାରୀ ଥିଲା, ଯାହାକୁ କୁହନ୍ତି ସାକ୍ଷାତ ସଇତାନର ଅବତାର। ଏଦେଶୀୟ ଲୋକମାନଙ୍କୁ କୁକୁର ବିଲେଇ ତ ଦୂର, କୀଟ-ପତଙ୍ଗ ନଜରରେ ଦେଖୁଥିଲା। ତା ଉପରେ ଥିଲା ସ୍ଥାନୀୟ ଇଂରେଜୀ କଚେରୀରେ ବିଚାରକ। ଅଜସ୍ର ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀର ମୃତ୍ୟୁଦଣ୍ଡ ତ ଦେଇଛି ହିଁ, ଯୋଉମାନେ ସଂଗ୍ରାମୀ ବି ନଥିଲେ, ତାଙ୍କୁ ମଧ୍ୟ ମିଥ୍ୟାଚାର କରି ଫାଶୀରେ ଝୁଲେଇଛି। ୟା ଛଡ଼ା, ଲୋକଟା ନିଜ ଚାକରମାନଙ୍କ ଉପରେ ମଧ୍ୟ ଅକଥ୍ୟ ଅତ୍ୟାଚାର କରିଛି ସବୁବେଳେ। ଏମିତି ବି କଥା ଶୁଣା ଯାଏ, ନିଜ ହାତରେ ୧୫-୨୦ ଜଣଙ୍କୁ ଏଇ କୋଠୀରେ ହିଁ ଫାଶୀ ଦେଇଛି ସେଇ ସାହେବ। କୋଠୀ ଉପରେ ଯୋଉ ଘଣ୍ଟିଟା ଦେଖୁଛ, ତାହାଠୁ ଗୋଟେ ଦଉଡ଼ି ଝୁଲି ଆସି କୋଠୀ ଭିତରର ବୈଠକଘର ଯାଏଁ ଲମ୍ବିଛି। ଘଣ୍ଟିଟିର ଶବ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଭା ଯାଏ। କୌଣସି ଦିନ କାହାକୁ ଫାଶୀ ଦେଲେ ସାହେବ ଉଲ୍ଲାସିତ ହେଇ ସେଇ ଦଉଡ଼ି ଟାଣି ତାର ପୈଶାଚିକ କାଣ୍ଡଟି ଦୂର ଦୂର ପର୍ଯ୍ୟନ୍ତ ଲୋକଙ୍କୁ ଜଣଉଥିଲା।"

"ତା ମାନେ ସେଇ ସାହେବ ଏଠି ଭାରି ପ୍ରସିଦ୍ଧ। ଭଲ ହିଁ ହେଲା। ନୂଆ ଲୋକ ଆସିଲେ ସ୍ଥାନୀୟ ଲୋକମାନେ ଆସି ଭିଡ଼ କରନ୍ତି। ସାହେବର ପ୍ରସିଦ୍ଧି ଯୋଗୁ ସେଇ ଉତ୍ପାତ ହବାର ସୁଯୋଗ ନାହିଁ।" ହସି କହିଲା ପ୍ରବାଳ।

ଇତିମଧ୍ୟେ ସେଇ ପିଲାଟି ବିଶାଳ ବୈଠକଘର, ତା ସାଥିରେ ଲଗା ହୋଇଥିବା ଛୋଟିଆ ଗୋଟେ ଶୟନକକ୍ଷ, ରୋଷେଇଘର, ସାମ୍ନା ବାରଣ୍ଡା, ଇତ୍ୟାଦି ଅଧଘଣ୍ଟା ଭିତରେ ସଫା କରି ଝକଝକ୍ କରି ଦେଲା । ପ୍ରବାଳ ତାକୁ ୨୦ ଟଙ୍କା ଦେଲା ପାରିଶ୍ରମିକ ହିସାବରେ। କାନ ଆଉଁସା ହସ ହସି ପିଲାଟି ଚାଲି ଗଲା।

"ଆଛା ପୁଅ, ମୁଁ ଏବେ ଆସୁଛି।" ସତ୍ୟଲୋଚନ ଘରକୁ ଫେରିବା ପାଇଁ ବାହାରିଲେ, "ଆଜି ତ ରୋଷେଇବାସ ପାଇଁ ଯୋଗାଡ଼ଯନ୍ତ୍ର କିଛି କରିନ। ତୁମ ପାଇଁ ମୁଁ ଘରୁ ଦିହିପରର ଖାଇବା ନେଇ ଆସିବି।"

"ନା ମଉସା। ଆପଣ କାହିଁକି ଆଉ ଅଯଥା କଷ୍ଟ କରିବେ? ଗାଧେଇ ସାରି ମୁଁ ଟିକେ ବାହାରିବି। ଛୋଟିଆ ମୋଟିଆ କିଛି ହୋଟେଲ ଖୋଜି ଖାଇବା ସାରି ନେବି। ଆପଣ ଚିନ୍ତା କରନ୍ତୁ ନାହିଁ।"

ସତ୍ୟଲୋଚନ ଆଉ ଆପତ୍ତି ନ କରି, ଅଭିବାଦନ ଜଣେଇ ବାହାରି ଗଲେ। ସିଏ ଚାଲି ଗଲା ପରେ, ପ୍ରବାଳ ନିଜ ଜିନିଷପତ୍ର ସଜାଡ଼ି ରଖିବାରେ ବ୍ୟସ୍ତ ହୋଇ ଗଲା। ବ୍ୟାଗପତ୍ର ଶୋଇବା ଘରର କାଠ ଆଲମିରାରେ ସଜାଡ଼ି ରଖିଲା, ବହିପତ୍ର ବାହାର କରି କିଛି ବହି ବୈଠକଘରେ ଟେବୁଲ ଉପରେ ସଜାଡ଼ି ରଖିଲା, ବାକି ବହି ରଖିଲା ଶୋଇବାଘରର କାନ୍ଥ-ଆଲମିରାରେ। ସବୁ କିଛି ଠିକଠାକ କରୁ କରୁ ଯେଉଁ ସମୟ ଘଣ୍ଟାରେ ନଜର ପଡ଼ିଲା ସେଇ ସମୟ ୧୨’ଟା ବାଜି ୨୫’ମିନିଟ ହୋଇଛି। ଶୀଘ୍ର ଗାମୁଛା ନେଇ ଘର ପଛପଟର କୂଅକୁ ଯାଇ ଗାଧୋଇ ନେଲା ପ୍ରବାଳ। ଗୋଟିଏ ଯୋଡ଼ି ସଫା କପଡ଼ା ବାହାର କରି ପିନ୍ଧି ଖାଇବା ହୋଟେଲ ଉଦ୍ଦେଶ୍ୟରେ ବାହାରିଲା।

ହୋଟେଲରେ ଖାଇବା ସାରି କୋଠୀକୁ ଫେରି ପ୍ରବାଳ ଟିକେ ଗଡ଼ି ନେଲା। ନିଦ ଭାଙ୍ଗିଲା ସଞ୍ଜବେଳକୁ, ସୂର୍ଯ୍ୟାସ୍ତ ହେବାକୁ ଆଉ ଅଳ୍ପ ଟିକେ ସମୟ ଅଛି ମାତ୍ର। ଡେରି ନ କରି ଗୋଟେ ବଡ଼ ଲଣ୍ଠନରେ ତେଲ ଭରି ବୈଠକଘରର ବିଶାଳ ଟେବୁଲ ଉପରେ ରଖିଲା, ଛୋଟ କିରୋସିନ ପାତ୍ରଟିକୁ ରଖିଲା ଚେୟାର ପାଖରେ। ସାବଧାନତା ହେତୁ ଦିଟା ବଡ଼ ମହମବତୀ ହାତ ପାଖରେ ରଖିଲା ମଧ୍ୟ। ଗୋଟେ ତାଟିଆରେ ମୁଢ଼ି ନେଇ ପ୍ରବାଳ ରାଜାଗଜା ପରି ପଢ଼ିବାକୁ ବସିଲା।

ଗୋଟେ ପରେ ଗୋଟେ ଅଧ୍ୟାୟ ଶେଷ କରି ଚାଲିଲା ପ୍ରବାଳ। ବହିରୁ ପଢ଼ୁ ପଢ଼ୁ ଖାତାରେ ଟୀକା-ଟିପ୍ପଣୀ (ନୋଟ୍ସ ) ମଧ୍ୟ ଲେଖି ରଖୁଛି ସବିସ୍ତାରରେ, ବହିରେ ପେନ୍ସିଲ ଦ୍ଵାରା ଦାଗ ଦେଇ ରଖୁଛି ବିଶେଷ ବିଶେଷ ତଥ୍ୟ। ପଢ଼ୁ ପଢ଼ୁ ଲକ୍ଷ କଲା, ରାତି ବଢ଼ିବା ସାଥିରେ କ୍ରମଶଃ କାନ୍ଥରେ, ଘର କଣରେ ମୃଦୁ କିଛି ଖୁଟ୍ ଖାଟ୍ ଶବ୍ଦ ହେଉଛି ମଝିରେ ମଝିରେ। ପୁରୁଣା କୋଠୀରେ ମୂଷା ଉପଦ୍ରବ ସାଧାରଣ କଥା; ତାହାର ଶବ୍ଦ ହିଁ ହୋଇଥିବ ବୋଲି ପ୍ରବାଳ ଭାବିଲା। ମୁଣ୍ଡରୁ ସବୁ ଚିନ୍ତା ହଟାଇ ପ୍ରବାଳ ବହିରେ ବୁଡ଼ିଗଲା ଆଉଥରେ।

ତାପଗତି ବିଜ୍ଞାନ (ଥର୍ମୋ-ଡାୟନାମିକ୍ସ) ଅଧ୍ୟାୟଟି ଯେଉଁ ସମୟରେ ସରିଲା, ହାତଘଣ୍ଟାରେ ରାତି ୧୦ଟା ବାଜି ଯାଇଛି। ପଢ଼ା ମଝିରେ କିଛି ସମୟ ପାଇଁ ଉଠି ସାମାନ୍ୟ ଟିକେ ଭାତ ଚଢ଼େଇ ଦେଇଥିଲା କୁକରରେ, ସାଥିରେ କୁକୁଡ଼ା ଅଣ୍ଡା ଦିଟା ସିଝେଇ ନେଇଥିଲା ମଧ୍ୟ। ଏବେ ଲହୁଣୀ ମାଖା ଭାତ ଆଉ ସିଝା ଅଣ୍ଡା ଦେଇ ନୈଶଭୋଜନ ସାରିନେଲା ପ୍ରବାଳ। ଘର ଭିତରେ ସାମାନ୍ୟ ଟିକେ ବୁଲି, ପୁଣି ପଢ଼ିବାକୁ ବସିଲା। ଇଚ୍ଛା ଅଛି ଆହୁରି ତିନି ଘଣ୍ଟା, ମାନେ ରାତି ୧’ଟେ ପର୍ଯ୍ୟନ୍ତ ପଢ଼ିବ ସିଏ। ଆଶା କରୁଛି, ତିନି ଘଣ୍ଟା ଭିତରେ ଆଉ ଗୋଟେ ଅଧ୍ୟାୟ ସହଜରେ ଶେଷ ହୋଇ ଯିବ।

ଟେବୁଲରେ ବସି ପ୍ରବାଳ ପୁଣି ଥରେ ବହିରେ ମଗ୍ନ ହୋଇ ଗଲା। ଏଇ ଅଧ୍ୟାୟରେ ବହୁତ ଗୁଡ଼ାଏ ଗଣିତ ମଧ୍ୟ ଅଛି। ତତ୍ତ୍ବ ସିଦ୍ଧାନ୍ତ (ଥିଓରୀ) ପଢ଼ିବା ମଝିରେ ଗୋଟେ ଗୋଟେ ଗଣିତ ସମାଧାନ କରି ଚାଲିଛି। ବେଶ କିଛି ଗଣିତ ପ୍ରଶ୍ନ ସମାଧାନ କରିବା ପରେ ହଠାତ ଗୋଟିଏ ଜଟିଳ ପ୍ରଶ୍ନରେ ଅଟକି ଗଲା ପ୍ରବାଳ। ପ୍ରାୟ ଦଶ ମିନିଟ ଚେଷ୍ଟା କରି ମଧ୍ୟ ସମାଧାନ ନ ପାଇ ମୁଣ୍ଡ ଟେକି ଏପଟ ସେପଟ ହୋଇ ସମାଧାନ ଭାବିବାର ଚେଷ୍ଟା କରୁଛି, ହଠାତ ଗୋଟେ ଜିନିଷ ଲକ୍ଷ କରି ପ୍ରବାଳକୁ ଭାରି ଅଦ୍ଭୁତ ଲାଗିଲା।

ହାତଘଣ୍ଟାରେ ସେଇ ସମୟରେ ରାତି ୧୨’ଟା ବାଜିଛି। ଚାରିଦିଗ କେଉଁ ମାୟାବୀ ଯାଦୁବଳ ଦ୍ଵାରା ପୁରା ନିଶ୍ଚୁପ। ସଞ୍ଜବେଳଠୁ ଶୁଭା ଯାଉଥିବା ମୂଷାର ଶବ୍ଦ ମଧ୍ୟ ହଜି ଯାଇଛି କେଉଁ ଅନ୍ଧାରର ଅନ୍ତରାଳେ। ହଠାତ ଯେମିତି ଗୋଟେ ଦମବନ୍ଦ ନିସ୍ତବ୍ଧତା ଗ୍ରାସ କରି ନେଇଛି ଏଇ ଯୁବତୀ ରାତିକୁ। ଚାରିଆଡ଼ ଏମିତି ଚୁପ ଯେ ପତ୍ର ହଲିବା ଶବ୍ଦ ମଧ୍ୟ ଶୁଣା ଯାଉନି କେଉଁଠି।

ହଠାତ ସାମ୍ନାରେ ଥିବା ଚେୟାର ଉପରେ ନଜର ପଡ଼ିବାରୁ ପ୍ରବାଳ ଧଡ଼ାସ୍ କରି ଚମକି୍ ପଡ଼ିଲା।

ଚମକି୍ବାର କାରଣ ଯଥେଷ୍ଟ ଅଛି। ସାମ୍ନା ଚେୟାରଟିର ପିଠି ଢିରାରେ ଏତେ ବଡ଼ ଗୋଟେ ମୂଷା, ଚେହେରାରେ ଗୋଟେ ବିଲେଇଠୁ ମଧ୍ୟ ବଡ଼ ହେବ। ହାଁ ହୋଇଥିବା ମୁହଁରେ ବଡ଼ ବଡ଼ ହିଂସ୍ର ଦାନ୍ତ, ଚାରି ପଞ୍ଜାରେ ତୀକ୍ଷ୍ଣ ବକ୍ର ନଖ। କାନ ଦିଟା ସଜାଗ ଆଉ ସଦା ସତର୍କ। ଗୋଟିଏ କାନର ଅଗଟି ଅଳ୍ପ ଟିକେ କଟା। ଦେହର ଲୋମ କେମିତି ଶୁଷ୍କ, ଖଡ଼ିକା କାଠି ପରି ସିଧା ଆଉ ଶକ୍ତ। ମୂଷା ସାଧାରଣତଃ ଧୂଷର ରଙ୍ଗର ହୁଏ, ଏଇଟା କେମିତି ଗୋଟେ କଳା ରଙ୍ଗର। ଲାଞ୍ଜଟି ଗୋଟେ ଛୋଟ ସାପ ପରି ହଲହଲ୍ ହେଉଛି ଯାହା ତାର ଶିକାରୀ ମନୋଭାବର ବହିଃପ୍ରକାଶ। କିନ୍ତୁ ସବୁଠୁ ବଡ଼ ଅସ୍ବସ୍ତିର କାରଣ, ମୂଷାଟିର ଆଖି ଦିଟା କେମିତି କୁଟିଳ। ହିଂସ୍ର ଆଉ ଜିଘାଂସା ଭରା ଆଖି ଦିଟା ଦେଖିଲେ ମନେ ହେଉଛି ଅଶୁଭ, ସଇତାନି ସତ୍ତାର ପରିଚୟ।

ପ୍ରବାଳର ମନ ଭିତରେ ଏମିତିରେ ମୂଷା ପ୍ରତି ଟିକେ ଘୃଣା ଅଛି, ତା ଉପରେ ବଡ଼ ମୂଷାକୁ ସିଏ ସହ୍ୟ ମଧ୍ୟ କରି ପାରେନି। ଆଉ ଏଇଟା ତ ଏମିତି ଦେଖିବାକୁ ବିକଟ ଯେ ଘୃଣାରେ ଦେହ ଘିନଘିନ୍ ହେବା ଅନିବାର୍ଯ୍ୟ। ମନର ବିତୃଷ୍ଣା ଚାପି ନ ରଖି ପାରି ପ୍ରବାଳ ମୁହଁରେ ହୁସ୍ ହୁସ୍ ଶବ୍ଦ କରି ମୂଷାଟାକୁ ଭଗେଇବାକୁ ଚେଷ୍ଟା କଲା।

ପ୍ରବାଳର ଆବାଜରେ ବିଲକୁଲ ମଧ୍ୟ ନ ଡରି ମୂଷାଟି ତା ଦିଗେ କେମିତି ଅଦ୍ଭୁତ ଭାବରେ ଅନେଇଲା। ସତ ହେଉ ବା ପ୍ରବାଳର ମନର ଭ୍ରମ, ମନେ ହେଲା ମୂଷାଟିର ଆଖିରେ ଝଲକି୍ ଉଠିଲା ବିଦ୍ରୁପମିଶା ତୀବ୍ର ଘୃଣା। ନିଜ ଜାଗାରୁ ଟିକେ ମଧ୍ୟ ହଳିଲା ନାହିଁ ସେଇ ବିକଟ ମୂଷାଟି।

ପ୍ରବାଳ ଆସ୍ତେ କରି ଚେୟାରରୁ ଉଠି, ଟେବୁଲ ତଳେ ଥିବା ଲାଠିଟା ନେଇ ମୂଷାଟିକୁ ବାଡ଼େଇବା ପାଇଁ ଅଗ୍ରସର ହେଲା। ମୂଷାଟି ବୋଧେ ପ୍ରବାଳର ହାତରେ ଲାଠି ଦେଖି କିଛି ଅନ୍ଦାଜ କରି ଥିବ, ସିଏ ଚେୟାର ଛାଡ଼ି କ୍ଷିପ୍ର ଗତିରେ ଡେଇଁଲା।

କିନ୍ତୁ, କିନ୍ତୁ ମୂଷାଟି ଗଲା କେଉଁ ଆଡ଼େ? ଛାଇ ଅନ୍ଧାର ଆଲୁଅରେ ପ୍ରବାଳ ସ୍ପଷ୍ଟ ଭାବରେ ଦେଖି ପାରିନି, କିନ୍ତୁ ମନେ ହୁଏ ମୂଷାଟି ତଳେ ପଡ଼ିନି। ତଳେ ପଡ଼ିଥିଲେ ଶବ୍ଦ ହୋଇଥାନ୍ତା। ମୂଷାଟିକୁ ଖୋଜି ଏପଟ ସେପଟ ଅନାଉ ଅନାଉ ରହସ୍ୟଟା ପରିଷ୍କାର ହେଲା। ଛାତର ବିଶାଳ ଘଣ୍ଟିରେ ଲଗା ହୋଇଥିବା ଦଉଡ଼ିଟି ଅଳ୍ପ ଅଳ୍ପ ହଲୁଛି। ମୂଷାଟି ନିଶ୍ଚିତ ଏଇ ଦଉଡ଼ି ଦେଇ ହିଁ ଯିବା ଆସିବା କରେ।

ହାତଘଣ୍ଟାରେ ରାତି ସାଡ଼େ ୧୨'ଟା ବାଜିଲା। ମୂଷା ଚକ୍କରରେ କିଛିଟା ସମୟ ନଷ୍ଟ ହେଲା, ସେଥିପାଇଁ ମିଜାଜ ଖରାପ ହୋଇ ଯାଇଛି ପ୍ରବାଳର। ତାଛଡ଼ା ଦ୍ବିପ୍ରହରରେ ଶୋଇଲେ ସୁଧା ଦୀର୍ଘ ଯାତ୍ରା ଯୋଗୁ ଦେହଟା ମଧ୍ୟ କ୍ଲାନ୍ତ ଲାଗୁଛି। ପ୍ରବାଳ ଆଉ ଡେରି ନ କରି ସେଦିନ ପରି ପଢ଼ା ବନ୍ଦ କରି ଶୋଇ ପଡ଼ିଲା।

ପରଦିନ ନିଦ ଭାଙ୍ଗିଲା ସକାଳ ୭'ଟାରେ, ପଦ୍ମା ବୁଢ଼ୀର ଡାକରେ। ଅଳ୍ପ ସମୟ ଭିତରେ ଘର ଦୁଆର ଓଳେଇ ବୁଢ଼ୀ ପ୍ରବାଳ ପାଇଁ ଜଳଖିଆ ବନେଇ ଦେଲା। ଜଳଖିଆ ଖାଇ ସାରି ଚା ପିଉ ପିଉ ପ୍ରବାଳ ପଢ଼ିବାକୁ ବସିଲା। ପଢ଼ୁ ପଢ଼ୁ ଲକ୍ଷ୍ୟ କଲା, ବୁଢ଼ୀ ଘରକାମ କରୁ କରୁ ମଝିରେ ମଝିରେ କଣେଇ କଣେଇ ତାକୁ ଲକ୍ଷ୍ୟ କରୁଛି। ପ୍ରବାଳ ମନେ ମନେ ହସିଲା- ବୁଢ଼ୀ ନିଶ୍ଚିତ ଭାବୁଛି କାଲି ରାତିରେ ସିଏ ଅସ୍ବାଭାବିକ କିଛି ଦେଖିଛି ନା ନାହିଁ।

ଦି’ଘଣ୍ଟା ଭିତରେ ଘରକାମ, ରୋଷେଇ କାମ ସାରି ବୁଢ଼ୀ ଦୈନିକ ପାରିଶ୍ରମିକଟି ନେଇ ବାହାରି ଗଲା। ୧'ଟା ବାଜିଲା ପରେ ପ୍ରବାଳ ଗାଧୋଇ ନେଇ, ମଧ୍ୟାହ୍ନ ଭୋଜନ ସାରି ଟିକେ ଗଡ଼ି ନେଲା ଗତକାଲି ପରି। ସଞ୍ଜ ହେବା ପୂର୍ବରୁ ଉଠି, ଲଣ୍ଠନ, ବତୀ ସଜେଇ ଗତକାଲି ପରି ପଢ଼ିବାକୁ ବସିଲା।

ରାତି ୧୦'ଟାରେ ଭୋକ ଲାଗିବାରୁ ପ୍ରବାଳ ନୈଶଭୋଜନ ସାରି ପୁଣି ପଢ଼ିବାକୁ ବସିଲା ଗତରାତି ପରି। ଗୋଟେ ଅଧ୍ୟାୟ ଭାରି ଜଟିଳ, ଯେତେ ରାତି ହେଉ ପ୍ରବାଳ ସ୍ଥିର କରିଛି ଅଧ୍ୟାୟଟି ଆଜି ଶେଷ କରିବ ହିଁ କରିବ।

ହଠାତ ହାତଘଣ୍ଟାରେ ୧୨’ଟା ବାଜିବା ସାଥେ ସାଥେ ଚାରିଆଡ଼ ନୀରବ ହୋଇ ଗଲା ଗତରାତି ପରି। ସଞ୍ଜବେଳଠୁ ଅନବରତ ଚାଲୁଥିବା ମୂଷାମାନଙ୍କର ଖୁଟ୍ ଖୁଟ୍ ଶବ୍ଦ ଅସ୍ଵାଭାବିକ ରୂପେ ବନ୍ଦ ହୋଇ ଗଲା ସେଇ କ୍ଷଣି। ଗହନ ରାତିରେ ଧୀରେ ଧୀରେ ମାଡ଼ି ବସିଲା ଗୋଟେ ବାକରୁଦ୍ଧ ନିସ୍ତବ୍ଧତା।

ମୁହୂର୍ତ୍ତ ପରେ ଘଣ୍ଟିର ଦଉଡ଼ିରେ ଟିକେ ଥରଥର୍ କମ୍ପନ ଦିଶିଲା। ଆସ୍ତେ ଆସ୍ତେ ଦଉଡ଼ି ଦେଇ ଓହ୍ଲେଇ ଆସିଲା ଗତରାତିର ସେଇ ବିକଟ ମୂଷାଟି। ଅଶୁଭ ହିଂସ୍ର ଚାହାଣିରେ ସେଇ ଅପରିସୀମ ଜିଘାଂସା, ସେଇ ଅଦମ୍ୟ ବୁଭୁକ୍ଷୁ ରୋଷ। ମୂଷାଟିକୁ ଦେଖିବା ସାଥେ ସାଥେ ଚରମ ବିତୃଷ୍ଣାରେ ମନଟା ଭରି ଉଠିଲା ପ୍ରବାଳର। ନିଦାରୁଣ ଘୃଣାରେ ଟିକେ ଶିହରି ଉଠି ପ୍ରବାଳ ଗୋଟେ ମୋଟା ଭାରି ବହି ଫୋପାଡ଼ି ମାରିଲା ମୂଷାଟିକୁ। ବହିର ଜୋରଦାର ଆଘାତରେ ମୂଷାଟି ଦଉଡ଼ିରୁ ଛିଟକି୍ ତଳେ ପଡ଼ିଲା, ଗୋଟେ କ୍ରୁଦ୍ଧ ଆବାଜ ପରି ଶବ୍ଦ ବାହାରି ଆସିଲା ତା ମୁହଁରୁ। ତଳେ ପଡ଼ିବା ସାଥେ ସାଥେ ମୂଷାଟି ଅନ୍ଧାରରେ ଦୌଡ଼ି ବୈଠକଘରର ପଶ୍ଚିମ ଆଡ଼େ ଅବସ୍ଥିତ ଅଗ୍ନିସ୍ଥଳ (ଫାୟାର ପ୍ଲେସ) ସନ୍ଧିରେ ଯାଇ ପଶିଲା। ଟିକେ ପରେ ମୂଷାଟି ପୁନଃରାୟ ସେଇ ଅଗ୍ନିସ୍ଥଳ ଉପରେ ଦେଖା ଗଲା। କ୍ରୁଦ୍ଧ ଆଖି ନେଇ ପ୍ରବାଳ ଆଡ଼କୁ ଚାହିଁ ରହିଛି ସେଇ ବିଜାତୀୟ ପ୍ରାଣୀଟି, ନିଷ୍ପଳକ ସ୍ଥିର ଦୃଷ୍ଟିରେ ତାର ଅପରିସୀମ ଜିଘାଂସା। ଲଣ୍ଠନର ଆଲୁଅରେ ରହି ରହି ଚିକଚିକ୍ କରୁଛି ସେଇ କୁଟିଳ, ହିଂସ୍ର ଆଖି ଦିଟା।

ଇତିମଧ୍ୟେ ମୂଷାଟି ଯୋଗୁ ପ୍ରବାଳର ମୁଣ୍ଡରେ ରକ୍ତ ଚଢ଼ି ଯାଇଛି। ତା ମନରେ ଦୃଢ଼ ସଂକଳ୍ପ, ଆଜି ହିଁ ଏଇ ଉପଦ୍ରବର ମୀମାଂସା କରି ଛାଡ଼ିବ। ଚେୟାରରୁ ଉଠି, ଗୋଟେ ହାତରେ ଲାଠି ଆଉ ଅନ୍ୟ ହାତରେ ଲଣ୍ଠନଟି ନେଇ ପ୍ରବାଳ ଅଗ୍ନିସ୍ଥଳ ଆଡ଼େ ବଢ଼ିଲା। ପ୍ରବାଳକୁ ଆଗେଇବା ଦେଖି ମୂଷାଟି ଚକିତ ମଧ୍ୟେ ଦୌଡ଼ି କେଉଁ ଅନ୍ଦିସନ୍ଧିରେ ଯାଇ ପଶିଲା।

"ବଦମାସ ମୂଷାଟି ଗଲା କୋଉ ଆଡ଼େ?" ସ୍ଵଗତୋକ୍ତି କରି ପ୍ରବାଳ ଟେବୁଲ ଆଡ଼କୁ ଫେରିବ, ହଠାତ ଅଗ୍ନିସ୍ଥଳର ଉପରେ କାନ୍ଥରେ ତାର ନଜର ପଡ଼ିଲା।

କାନ୍ଥରେ ଟଙ୍ଗା ହୋଇଛି ଗୋଟେ ବିଶାଳ ତୈଳଚିତ୍ର। ଛାଇ ଆଲୁଅରେ ଯଥା ସମ୍ଭବ ଦେଖି ମନେ ହେଲା ଚିତ୍ରଟି ଚେୟାରରେ ବସିଥିବା ଜଣେ ପୁରୁଷଙ୍କର ପୂର୍ଣ୍ଣ ପ୍ରତିକୃତି। ଲଣ୍ଠନର ଆଲୁଅ ଭଲ କରି ଉପର ଦିଗକୁ ନ ପହଞ୍ଚିବା ଯୋଗୁ ପ୍ରତିକୃତିର ମୁହଁଟି ସ୍ପଷ୍ଟ ଦିଶୁନି।

ମୁହଁଟି ଦେଖିବା ପାଇଁ ପ୍ରବାଳ ଚେୟାର ଟାଣି ଅଗ୍ନିସ୍ଥଳ ଉପରେ ଚଢ଼ିଲା। ଲଣ୍ଠନ ଧରିଥିବା ହାତଟିକୁ ଟିକେ ଟେକିବାରୁ ପ୍ରତିକୃତିର ମୁହଁଟି ସ୍ପଷ୍ଟ ଦିଶିଲା ଲଣ୍ଠନ ଆଲୁଅରେ।

ପ୍ରତିକୃତିଟି ଜଣେ ମଧ୍ୟବୟସ୍କ ଇଂରେଜ ସାହେବର। ଲମ୍ବା କଠିନ ମୁହଁ। ଦୀର୍ଘ ଲଲାଟ, ଲମ୍ବା ବକ୍ର ଉଦ୍ଧତ ନାକ, ନାସାରନ୍ଧ୍ର ସ୍ଫୀତ। ଶକ୍ତ ହନୁହାଡ଼ ଉପରେ ଦାମ୍ଭିକ ଚିବୁକ। ଗୋଟେ କାନର ଅଗଟି ଅଳ୍ପ ଟିକେ କଟା। ଘନ ଭୃଯୁଗଳ ତଳେ ଦିଟା କୁଟିଳ, ହିଂସ୍ର ଆଖି। ନିଷ୍ପଳକ ଦୃଷ୍ଟିର ଅପରିସୀମ ଜିଘାଂସା ଲଣ୍ଠନ ଆଲୁଅରେ ରହି ରହି ଚିକଚିକ୍ କରୁଛି। ମୁହଁର ସବୁ ଅଂଶରୁ ଯେମିତି ଝରି ପଡ଼ୁଛି ଟୋପା ଟୋପା ନିଷ୍ଠୁରତା। ଏମିତି ତାହାର ବ୍ୟକ୍ତିତ୍ବ, ମନେ ହେଉଛି ସାକ୍ଷାତ ନିର୍ଦ୍ଦୟତାର ପ୍ରତିମୂର୍ତ୍ତୀ। ନିଃସନ୍ଦେହେ, ଏଇ ସାହେବଟି ହିଁ ସେଇ ଅତ୍ୟାଚାରୀ ବିଚାରକ। ଚିତ୍ରକର ମଧ୍ୟ ଏଇ ସୌଖିନ ପ୍ରତିକୃତିରେ ତାହାର ଦୁର୍ଦ୍ଦାନ୍ତ ନିଷ୍ଠୁରତାକୁ ଲୁଚାଇ ପାରିନି। ବୈଠକଘରର ଏଇ ଆଡ଼େ ପ୍ରବାଳର ବେଶି ଚଳ-ପ୍ରଚଳ ନାହିଁ, ସେଥିପାଇଁ ଦି’ଦିନ କୋଠୀରେ ରହିବା ସତ୍ତ୍ବେ ଏଇ ପ୍ରତିକୃତିରେ ତାହାର ନଜର ପଡ଼ିନି।


ପ୍ରତିକୃତି ଆଡ଼େ ଦୀର୍ଘ ସମୟ ଚାହିଁ ରହି ପ୍ରବାଳର କ୍ରମଶଃ କେମିତି ଗୋଟେ ଅଦ୍ଭୁତ ଅନୁଭୂତି ହେଲା। ନିସ୍ତବ୍ଧ କୋଠୀରେ ହଠାତ ମନେ ହେଲା ସାହେବର ପ୍ରତିକୃତିଟି ଜୀବନ୍ତ ପରି ଦିଶୁଛି। ଆଖିର ଦୃଷ୍ଟି ପାଶବିକ ଉଲ୍ଲାସରେ ଆହୁରି ଭୟାବହ, ଆହୁରି ଅନ୍ତର୍ଭେଦୀ ହୋଇ ଯାଉଛି। ମନେ ହେଲା ଚିତ୍ରରେ ବର୍ଣ୍ଣିତ ସେଇ ନିର୍ଦ୍ଦୟ ବ୍ୟକ୍ତିତ୍ବ ଧୀରେ ଧୀରେ ମାଡ଼ି ବସୁଛି ପ୍ରବାଳର ଚେତନାକୁ। ହିମଶୀତଳ କୁହୁଡ଼ି ପରି ଗୋଟେ ମାନସିକ ଆଛନ୍ନତା ଧୀରେ ଧୀରେ ତାକୁ ଗ୍ରାସ କରି ନେଉଛି କ୍ରମଶଃ।

"ଠକ… ଠକ.. ଠକ.. ଠକ…"

ହଠାତ କବାଟ ବାଡ଼େଇବା ଶବ୍ଦରେ ପ୍ରବାଳ ସମ୍ବିତ ଫେରି ପାଇଲା। କେତେ ସମୟ ସିଏ ଏମିତି ଆଛନ୍ନ ହୋଇ ଚିତ୍ର ଆଡ଼େ ଅନାଇଥିଲା ତାର ମନେ ନାହିଁ। ମୁହୂର୍ତ୍ତ ଭିତରେ ସେଇ ମାନସିକ ଆଛନ୍ନତା କଟି ଯାଇ ହଠାତ ତା ମନରେ ଦାନା ବାନ୍ଧି ଉଠିଲା ଗୋଟେ ଭୟ- ନିଖାଦ ଅଜଣା ଗୋଟେ ଭୟ।

ଏଇ ମଧ୍ୟରାତ୍ରିରେ, ଏଇ ନିର୍ଜନ କୋଠୀରେ କବାଟ ବାଡ଼ଉଛି କିଏ? କିଏ, ସେ କିଏ?

"କିଏ?" ଶୁଷ୍କକୂପ ପରି ଶୁଖିଲା କଣ୍ଠରେ ପ୍ରବାଳ ପଚାରିଲା।

"ପୁଅ, ମୁଁ ସତ୍ୟଲୋଚନ। ଟିକେ କବାଟ ଖୋଲିଲ।"

ସତ୍ୟଲୋଚନଙ୍କ କଣ୍ଠସ୍ୱର ଶୁଣି ପ୍ରବାଳ ସ୍ବସ୍ତିର ନିଶ୍ୱାସ ପକେଇଲା। କ୍ଷଣିକ ପୂର୍ବର ଡର ଯୋଗୁ ଲଜ୍ଜିତ ହୋଇ ମନ ଭିତରେ ଟିକେ ହସି ପକେଇଲା ସିଏ।

"କଣ ହେଇଛି ମଉସା? ଆପଣ ଏଠି, ଏତେ ରାତିରେ?" କବାଟ ଖୋଲି ପ୍ରବାଳ ସତ୍ୟଲୋଚନଙ୍କୁ ପଚାରିଲା।

"ଆରେ, କିଛି ନାହିଁ ପୁଅ। ଅନ୍ୟ ଗାଁରେ ଗୋଟେ ବିବାହ ନିମନ୍ତ୍ରଣ ଥିଲା। ଆମେ ଗୋଟେ ଦଳ ଏକା ସାଥିରେ ଫେରୁଥିଲୁ। ଝରକା ଫାଙ୍କ ଦେଇ ଆଲୁଅ ଦେଖି ଭାବିଲି ତୁମେ ଏବେ ଯାଏଁ ପଢ଼ୁଛ ବୋଧେ। ଭାବିଲି ଟିକେ ହାଲଚାଲ ପଚାରି ନିଏ। ଏତେ ବଡ଼ କୋଠୀରେ ତୁମେ ଏକୁଟିଆ ରହୁଛ, ସେଥିପାଇଁ ପଦ୍ମା ବୁଢ଼ୀର ଭାରି ଦୁଶ୍ଚିନ୍ତା।"


"ନା ମଉସା, ମୋର କିଛି ଅସୁବିଧା ହଉନି। ଆପଣମାନେ ନିଶ୍ଚିନ୍ତ ରୁହନ୍ତୁ।"

"ମୁଁ ବି ବୁଢ଼ୀକୁ ସେଇଆ ହିଁ କହିଲି, କିନ୍ତୁ ତାର ମନ ମାନୁନି। ଯାହା ହଉ, ଗୋଟେ କଥା କହି ଦିଏ।" ସତ୍ୟଲୋଚନ ବୈଠକଘରେ ପଶିଲେ, "ଏଇ ଯେ ଦଉଡ଼ି ଦେଖୁଛ, ଏଇଟା ସିଧା ସେଇ ଘଣ୍ଟିରେ ଲାଗିଛି। ଯଦି କିଛି ଅସୁବିଧା ହୁଏ, ୟାକୁ ଧରି ଟାଣିବ। ଘଣ୍ଟିର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଭା ଯାଏ। ଆମେ ୟାକୁ ଶୁଣି ଚାଲି ଆସିବୁ।"

"ହଉ ମଉସା। ମନେ ରଖିବି।"

"ହଉ ପୁଅ। ତୁମେ ଶୋଇ ପଡ଼। ମୁଁ ଆସୁଛି।" ଶୁଭରାତ୍ରି ଜଣାଇ ସତ୍ୟଲୋଚନ ଚାଲି ଗଲେ।

ପ୍ରବାଳ ଆଉ ଡେରି କରିଲାନି। ଏଇ ମୂଷା ଚକ୍କରରେ ଆଜି ମଧ୍ୟ ଏତେ ଗୁଡ଼ାଏ ସମୟ ବର୍ବାଦ ହେଲା। ଏବେ ଆଉ ପଢ଼ା ସମ୍ଭବ ହେବନି, ସେଥିପାଇଁ ସିଏ ବହିପତ୍ର ବନ୍ଦ କରି ଶୋଇ ପଡ଼ିଲା ଶୀଘ୍ର।

ପରଦିନଟା ମଧ୍ୟ ଗତକାଲି ପରି ହିଁ କଟିଲା। ବୁଢ଼ୀ ଡାକରେ ତା ଦିନ ଆରମ୍ଭ ହେଲା। ଜଳଖିଆ ସାରି ସାରାଟା ସକାଳ ବହି ନେଇ ବସିଲା। ଦ୍ବିପ୍ରହରରେ ସ୍ନାନାହାର ସାରି ଟିକେ ଗଡ଼ି ନେଇ ପୁନଃରାୟ ସଞ୍ଜବେଳରେ ପଢ଼ିବାକୁ ବସିଲା। ଗତକାଲି ପରି ଲଣ୍ଠନ, ବତୀ, ଲାଠି, ଇତ୍ୟାଦି ସଜେଇ ରଖିଲା ହାତ ପାଖରେ। ଆଜି ପୁରା ସ୍ଥିର କରି ନେଇଛି ପ୍ରବାଳ, ଯେ କୌଣସି ମତେ ମୂଷାଟିର ଶେଷ ଦେଖି ଛାଡ଼ିବ।


ଅବଶ୍ୟମ୍ଭାବୀ ଭାବରେ ଏରାତିରେ ମଧ୍ୟ ସବୁ କିଛି ନିସ୍ତବ୍ଧ ହୋଇ ଗଲା ନିର୍ଦ୍ଦିଷ୍ଟ ସମୟରେ। ଅଳ୍ପ ସମୟ ପରେ ହିଁ ଘଣ୍ଟିର ଦଉଡ଼ିରେ ଦେଖା ଗଲା ଥରଥର୍ କମ୍ପନ। ଆସୁଛି, ସିଏ ଆସୁଛି। ରାତିର ସେଇ ବିକଟ ଅତିଥି ଆଜି ମଧ୍ୟ ଆସୁଛି ସବୁ ରାତ୍ରି ପରି। ପ୍ରବାଳ ଆସ୍ତେ କରି ଲାଠି ଉପରେ ହାତ ରଖି ଚାପି ଧରିଲା- ଭାବନାଟି ଏମିତି, ଆଉ ଟିକେ ନିକଟକୁ ଆସିଲେ ହିଁ ଲାଠି ଆଘାତରେ ମୂଷାଟିର ଇହଲୀଳା ସମାପ୍ତ କରିବ।

କିନ୍ତୁ, ଇଏ କଣ? ଆଜି ମୂଷାଟି ବେଶି ଓହ୍ଲାଉନି ଯେ! ଦଉଡ଼ି ମଝିରେ ଝୁଲି ଝୁଲି ସିଏ ହିଂସ୍ର ଆଖିରେ ପ୍ରବାଳ ଆଡ଼େ ଚାହିଁ ରହିଛି- ଆଖିରେ ସେଇ ଅଶୁଭ ଜିଘାଂସା ଚିକଚିକ୍ କରୁଛି ଆଲୁଅରେ। ହଠାତ ପ୍ରବାଳ କିଛି ବୁଝିବା ଆଗରୁ ମୂଷାଟି ମୁହଁ ତଳକୁ କରି ଘଣ୍ଟିର ଦଉଡ଼ିଟା କୁଟ୍କୁଟ୍ କରି କାଟି ପକେଇଲା। ହେଇହେଇ୍ କରି ବାଧା ଦେବା ପୂର୍ବରୁ ମୂଷାଟି ଅପକର୍ମଟି ସାରି କେଉଁ ଅନ୍ଧାର କଣରେ ଅନ୍ତର୍ଦ୍ଧାନ କରି ସାରିଛି।


ନାହ୍। ମୂଷାଟି ଏମିତି ଭାବରେ ଦଉଡ଼ିଟା କାଟିଛି ଯେ ଚେୟାର ଉପରେ ଛିଡ଼ା ହୋଇ ମଧ୍ୟ ଦଉଡ଼ିରେ ହାତ ପହଞ୍ଚୁନି। ପ୍ରବାଳ ଘଣ୍ଟି ବଜେଇ ଯେ ସାହାଯ୍ୟ ମାଗିବ, ସେଇ ଉପାୟ ମଧ୍ୟ ନାହିଁ।


ହଠାତ ଗତରାତି ପରି ପ୍ରବାଳର କେମିତି ଅସ୍ବସ୍ତି ପରି ଲାଗିଲା। ଗୋଟେ ନିଶବ୍ଦ, ବାକରୁଦ୍ଧ କରି ଦେବା ପରି ଆତଙ୍କ ଧୀରେ ଧୀରେ ଚାପି ବସିଲା ତାର ମନ ଭିତରେ। କିଛି ଗୋଟେ ଅଘଟଣ, କିଛି ଗୋଟେ ଅଶୁଭ, ଅମଙ୍ଗଳମୟ ଭବିତବ୍ୟର ସୂଚନା ଦେଉଥିଲା ତାହାର ଶଙ୍କିତ ଅନ୍ତର୍ମନ। ଆସ୍ତେ ଆସ୍ତେ ଗୋଟେ ଅବ୍ୟକ୍ତ ହିମଶୀତଳ ତ୍ରାସ ଘେରି ନେଲା ତାର ଚେତନାକୁ। ଦାରୁଣ ଆତଙ୍କରେ ଚାରି ଆଡ଼େ ଅନାଇ ପରମ ବିସ୍ମୟରେ ଫାଟି ପଡ଼ିଲା ତାର ଆଖି ଦିଟା।


କେଉଁ ଅଜଣା ଜାଗାରୁ ବାହାରି ଆସି ଅଜସ୍ର ମୂଷା ଗୋଲ କରି ଘେରି ରହିଛି ତାକୁ। କେଉଁ ଅବ୍ୟକ୍ତ ଉତ୍ତେଜନାରେ ସାପ ପରି ହଲହଲ୍ କରୁଛି ତାଙ୍କର କ୍ଷୁଦ୍ର ଲାଞ୍ଜଗୁଡ଼ିକ।

ହଠାତ ନିଜ ପଛପଟେ କାହାର ଅଶୁଭ ଅସ୍ତିତ୍ବ ଅନୁଭବ କଲା ପ୍ରବାଳ। ମନେ ହେଲା ଚରମ ଆତଙ୍କରେ ତାର ହୃତ୍ପିଣ୍ଡ ଡିଆଁ ମାରି ଆସିଲା ତଣ୍ଟିକୁ, ବରଫ ପରି ଜମାଟ ବାନ୍ଧି ଗଲା ତାର ଶିରାରେ ବୋହୁଥିବା ସବୁ ରକ୍ତ। ମହାଭୟଙ୍କର ଗୋଟେ ଜିନିଷ ଉପଲବ୍ଧି କରି ଅସୀମ ଘୃଣାରେ ମୁହଁ କୁଞ୍ଚିତ ହୋଇ ଗଲା ତାର।


ହଠାତ ଥରଥର୍ କମ୍ପି ଲିଭି ଗଲା ଲଣ୍ଠର ଅଗ୍ନିଶିଖା। ନିରାଟ ଅନ୍ଧାରରେ ବୁଡ଼ି ଗଲା ପୁରା କୋଠୀଟା।

ରାତି ୧’ଟାରେ ମୁନରାଇଜ କୋଠୀର ଘଣ୍ଟି ଶବ୍ଦରେ ସତ୍ୟଲୋଚନଙ୍କ ନିଦ ଭାଙ୍ଗି ଯାଇଥିଲା। ଏତେ ରାତିରେ ପ୍ରବାଳର କିଛି ଜରୁରୀ ଦରକାର ପଡ଼ିଛି ଭାବି ସିଏ ସାଙ୍ଗରେ ପୁତୁରା ଭୁପେଶକୁ ଧରି ଶୀଘ୍ର ମୁନରାଇଜ କୋଠୀକୁ ପହଞ୍ଚିଲେ। କୋଠୀରେ ପଶି ଗୋଟେ ଭୟାବହ ଦୃଶ୍ୟ ଦେଖି ଚମକି ପଡ଼ିଲେ ସିଏ।


ମୁହଁରେ ମୃତ୍ୟୁଯନ୍ତ୍ରଣା ଆଉ ବିସ୍ଫାରିତ ଆଖିରେ ଚରମ ଆତଙ୍କ ନେଇ ଘଣ୍ଟିର ଦଉଡ଼ିରୁ ଫାଶୀ ଲଗା ଅବସ୍ଥାରେ ଝୁଲୁଛି ପ୍ରବାଳର ନିଥର ନିସ୍ପନ୍ଦ ଦେହ। ବେକରେ ଚାପି ବସିଛି ମୋଟା ଦଉଡ଼ି, ଦି ପାଟି ଦାନ୍ତରେ ଦବି କଟି ଯାଇଛି ଜିହ୍ଵା। ଜିହ୍ଵାରୁ ଟୋପା ଟୋପା ରକ୍ତ ବାହାରି ଆସି ସିକ୍ତ କରି ଦେଇଛି ସାର୍ଟ ର କଲର।

"ବଡ଼ ବାପା, ଏତେ ଉଚାରେ ଫାଶୀ ଲଗେଇଲା କେମିତି? ଚେୟାର ଉପରେ ଛିଡ଼ା ହୋଇ ମଧ୍ୟ ଦଉଡ଼ିରେ ହାତ ପହଞ୍ଚିବା ସମ୍ଭବ ନୁହଁ।" ଅବାକ ହୋଇ ଭୁପେଶ ପଚାରିଲା।

ଏଇ ପ୍ରଶ୍ନର କଣ ଉତ୍ତର ଦେବେ ସତ୍ୟଲୋଚନ? ଉତ୍ତର ଯେ ତାଙ୍କୁ ଜଣା ନାହିଁ। ଯଦି ଦୈବାତ ସେଇ ପ୍ରତିକୃତି ଉପରେ ନଜର ପଡ଼ିଥାନ୍ତା ତାହେଲେ ବୋଧେ ସିଏ ଉତ୍ତର ଦେବାକୁ ସକ୍ଷମ ହୋଇଥାନ୍ତେ।

ଚିତ୍ରର ମୁହଁରେ ପ୍ରକଟ ହୋଇ ଉଠିଛି ଗୋଟେ ନାରକୀୟ, ନିଷ୍ଠୁର ହସ ଯେଉଁଟା ଆଗେ ନଥିଲା।


Rate this content
Log in

Similar oriya story from Horror