Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Saswat Routroy

Horror


2  

Saswat Routroy

Horror


ପୂର୍ଣ୍ଣିମା

ପୂର୍ଣ୍ଣିମା

11 mins 563 11 mins 563

ବସରୁ ଓହ୍ଲେଇ ରୂପେଶ ହାତଘଣ୍ଟାକୁ ଅନେଇଲା- ଏଗାରଟା ବାଜି ପଚିଶ ମିନିଟ ହୋଇଛି। ଲ୍ୟାମ୍ପପୋଷ୍ଟର ଟିମଟିମ ଆଲୁଅରେ ଥମଥମ କରୁଛି ଗଜପତି ଛକ। ଡିସେମ୍ବରର ନିଶବ୍ଦ ରାତିର ହିମଶୀତଳ ପବନ ଦେହରେ ବିନ୍ଧୁଛି ଅଜସ୍ର ଛୁଞ୍ଚି ଭଳି। ଛକଠୁ ତା ଗାଁ ଦି'ଘଣ୍ଟାର ବାଟ। ଖାଲବିଲ ପାର କରି, ଚାଷଜମି ପାଖ ଦେଇ ବୁଲି ଯାଇଛି ସର୍ପିଳ ବାଟଟି- ମଝିରେ ପଡ଼େ ଗୋଟିଏ ବିଶାଳ ମହାଶ୍ମଶାନ। ଏମିତି ଜନଶୂନ୍ୟ ବାଟ ଦେଇ ଏତେ ରାତିରେ ଏକୁଟିଆ ଯିବାକୁ ହେବ ଭାବି ମନ ଭିତରେ ଭାରି ଦମି ଗଲା ରୂପେଶ।

 

ରୂପେଶ ଚାକିରୀ ଯୋଗୁ ଭୁବନେଶ୍ବରରେ ଗୋଟିଏ ମେସଭଡ଼ା ନେଇ ରୁହେ। "କଳିଙ୍ଗ ପିଜ୍ଜା" ନାଁରେ ପ୍ରସିଦ୍ଧ ଗୋଟିଏ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନରେ ସିଏ ଜଣେ ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ। ସାରା ସପ୍ତାହ କାମ କରି ଶନିବାର ଦ୍ବିପ୍ରହରରେ ସିଏ ଗାଁକୁ ଯିବାପାଇଁ ବାହାରେ। ଭୁବନେଶ୍ଵରକୁ ଫେରେ ରବିବାର ରାତିରେ। ଏଥର ମଧ୍ୟ ଗାଁକୁ ଯିବାପାଇଁ ଦ୍ବିପ୍ରହର ଗୋଟିଏ ବେଳକୁ ବାହାରିଥିଲା- କିନ୍ତୁ ବାଧା ସାଧିଲା ନିୟତି। ରାଜ୍ୟ ରାଜନୀତିର ବିରୋଧୀ ଦଳ ତଥା କଂଗ୍ରେସ ପାର୍ଟିର କେଉଁ ନେତାକୁ କିଛି ଲୋକମାନେ ଗତକାଲି ବାଡେଇଛନ୍ତି। ସେଇ ଯୋଗୁ ତୀବ୍ର ପ୍ରତିବାଦ ଜଣେଇ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବାହାର କରିଛନ୍ତି ଦୀର୍ଘ ପଦଯାତ୍ରା- ଢଙ୍ଗ ଦେଖେଇ ନାଁ ଦେଇଛନ୍ତି "ଗଣତନ୍ତ୍ର ବଚାଓ ଅଭିଯାନ"। ୟା ଯୋଗୁ ସମାଧାନ କିଛି ବାହାରିଲା କି ନା ଜଣା ନାହିଁ, କିନ୍ତୁ ପୁରା ରାଜଧାନୀ ଯାନବାହନ ଚଳାଚଳ ଅଟକି ଅସ୍ତବ୍ୟସ୍ତ। ତେଣୁ ଭୁବନେଶ୍ଵରରୁ ବାହାରୁ ବାହାରୁ ପାଞ୍ଚ ଘଣ୍ଟା ଲାଗି ଗଲା। ମଝିରେ ଥରେ ବସର ଚକା ମଧ୍ୟ ପଙ୍କଚର ହୋଇ ଦି ଘଣ୍ଟା ସମୟ ନଷ୍ଟ ହେଲା। ତାହାରି ଫଳସ୍ବରୂପ ରୂପେଶର ଆଜି ଏତେ ଡେରି।

 

ଅଯଥା ଡେରି କରି ଲାଭ ନାହିଁ, ତେଣୁ ରୂପେଶ ନିରୂପାୟ ହୋଇ ଘର ପାଇଁ ପାଦ ଚଳେଇଲା। ଅନ୍ୟଥର ବସରୁ ଜଣେ ଦିଜଣ ଯାତ୍ରୀ ଓହ୍ଲେଇଲେ ତାଙ୍କ ସହିତ କଥା ହୋଇ ହୋଇ ଗାଁକୁ ପହଞ୍ଚି ଯାଏ। ଆଜି ସେଇଟା ମଧ୍ୟ ସମ୍ଭବ ନୁହେଁ। ରାତି ଦଶଟା ଯାଏଁ ଭ୍ୟାନ, ରିକ୍ସା, ଅଟୋ, ଇତ୍ୟାଦି ମଧ୍ୟ ଛକରେ ମିଳେ। ଆଜି ଏତେ ଡେରି ଯୋଗୁ ସେଗୁଡ଼ିକ ମଧ୍ୟ ନାହିଁ।

 

ପ୍ରାୟ ଦଶ ମିନିଟ ଚାଲିବା ପରେ ରୂପେଶ ବରଗଛ ମୋଡ଼ ପାଖରେ ପହଞ୍ଚିଲା। ଏଠି ବାଟଟି ଦୁଇ ଦିଗେ ବିଭକ୍ତ ହୋଇ ଯାଇଛି। ଡାହାଣ ପଟର ବାଟଟି ଲମ୍ବା- ମଝିରେ ସେଇ ମହାଶ୍ମଶାନ ପଡ଼ିବ। ବାଁ ପଟର ବାଟଟି ଛୋଟ- ହେଲେ ବାଟଟି ଭାରି ନିର୍ଜନ ଆଉ ବନ ଭିତର ଦେଇ ଯାଇଛି। ଏଇ ବାଟର ଗୋଟିଏ ସୁବିଧା, ମାତ୍ର ଘଣ୍ଟାଟିଏ ଭିତରେ ଘରକୁ ପହଞ୍ଚି ଯିବ। ସାଙ୍ଗରେ ଥିବା ଭାରି ବ୍ୟାଗଟିକୁ ନେଇ ଦି ଘଣ୍ଟା ଧରି ବାଟ ଚାଲିବା ସମ୍ଭବ ନୁହେଁ, ତେଣୁ ରୂପେଶ ବାଁ ପଟର ବାଟ ଧରିଲା।

 

କିଛିଦୂର ଯିବା ପରେ ବନ ଆରମ୍ଭ ହେଲା। ଶୀତ ରାତିର ଅଳ୍ପ ଘନ କୁହୁଡ଼ି ଯୋଗୁ ବାଟଟି କେଉଁଠି ଅସ୍ପଷ୍ଟ, କେଉଁଠି ଦୃଶ୍ୟମାନ। ଘନ ଗଛପତ୍ର ଫାଂକ ଦେଇ ପଶି ଆସୁଥିବା ପୂର୍ଣ୍ଣିମାର ଚନ୍ଦ୍ରାଲୋକ, କୁହୁଡ଼ି ସାଥିରେ ମିଶି ବାଟଟିକୁ କରି ତୋଳିଛି ରହସ୍ୟମୟ। ଛାଇ ଆଲୁଅ-ଅନ୍ଧାରରେ କେଉଁ ସୁପ୍ତମୟ ଜଗତ ପରି ଦିଶୁଛି ନିଝୁମ ରାତିର ଏଇ ନିର୍ଜନ ବନଟି।

 

ବନରେ କୌଣସି ଜନପ୍ରାଣୀର ଚିହ୍ନ ନାହିଁ। ନିଝୁମ ରାତିରେ ଝିଙ୍କାରୀର ଶବ୍ଦ କେମିତି ମୁଖରିତ ହେଉଥାଏ ନୈଶ୍ୟସଙ୍ଗୀତ ଭଳି। ଯୁବତୀ ରାତିର ବିଳମ୍ବିତ ପ୍ରହର ସାଥିରେ ତାଳ ଦେଇ ଥଣ୍ଡାଟା ମଧ୍ୟ ବଢ଼ୁଛି କ୍ରମଶଃ।

 

ହଠାତ କେଉଁଠି କର୍କଶ କଣ୍ଠରେ ଚିତ୍କାର କରି ଉଠିଲା ଗୋଟିଏ ନିଶାଚର ପକ୍ଷୀ। କ୍ଷଣିକ ପରେ ଅଜସ୍ର ପକ୍ଷୀ ଚିତ୍କାର କରି ଉଡ଼ି ଗଲେ ବନର ଗଛରୁ- କଳା ଚାଦର ପରି ଢାଙ୍କି ଦେଲେ ପୂର୍ଣ୍ଣିମା ରାତିର ପିତାଭ ଚନ୍ଦ୍ରମାକୁ।

 

"ପୂର୍ଣ୍ଣିମା!” ହଠାତ ପ୍ରଚଣ୍ଡ ଭାବରେ ଚମକି ପଡ଼ିଲା ରୂପେଶ। ସାରା ସପ୍ତାହର ହାଡ଼ଭଙ୍ଗା ଖଟଣି ଆଉ ଘରକୁ ଆସିବାର ଉତ୍ତେଜନାରେ ସିଏ ଭୁଲି ଯାଇଥିଲା ଯେ ଆଜି ପୂର୍ଣ୍ଣିମା। ହା ଭଗବାନ, ପୂର୍ଣ୍ଣିମାରେ ହିଁ ତ.......

 

"ମଟ୍"......

 

ହଠାତ ଗୋଟିଏ ଡାଳ ଭାଙ୍ଗିବା ଭଳି ଶବ୍ଦରେ ରୂପେଶ ଚମକି ଉଠିଲା ଧଡ଼ କରି। ସାମ୍ନାରେ, ମାତ୍ର ସାତ ଆଠ ହାତ ଦୂରରେ ଗୋଟିଏ ଘନ ବୁଦା। ସ୍ପଷ୍ଟ ଦିଶୁଛି ସେଇ ବୁଦାରେ ଆନ୍ଦୋଳିତ ହେଉଛି ଥରଥର କମ୍ପନ।

 

ରୂପେଶର ନାକରେ ଭାସି ଆସିଲା ଗୋଟିଏ ପାଶବିକ ଗନ୍ଧ। କେଉଁ ଅଜଣା ନର୍କରୁ ଭାସି ଆସିବା ପରି ଶୁଭା ଗଲା କୌଣସି ବନ୍ୟ ପଶୁର କ୍ରୁଦ୍ଧ ଚାପା ଗର୍ଜନ।

 

"ଗର..ର..... ର"

 

-----------------------------------------

 

"ଶବଟିକୁ କିଏ ସର୍ବପ୍ରଥମ ଦେଖିଛି?” ପୁଲିସ ଇନ୍ସପେକ୍ଟର ମନୋହର ମହାପାତ୍ର ଗାଁପ୍ରଧାନକୁ ପଚାରିଲେ।

 

ଗାଁପ୍ରଧାନ ଶିବୁଚରଣ ମହାନ୍ତି ଜ୍ଞାନୀ, ପଣ୍ଡିତ ବ୍ୟକ୍ତି। ବୁଦ୍ଧିମାନ ହେଲେ ମଧ୍ୟ ଭାରି ସିଧାସଳଖ ଲୋକ। ବାହାଘରର ୧୫ ବର୍ଷ ପରେ ମଧ୍ୟ ଛୁଆ ପିଲା କିଛି ହୋଇନି, ସ୍ବାମୀ ସ୍ତ୍ରୀ ଆଉ ଦୂରସମ୍ପର୍କୀୟ ପୁତୁରାକୁ ନେଇ ତିନିଜଣଙ୍କର ଛୋଟ ଗୋଟିଏ ସଂସାର। ଚାଷଜମି, ପୋଖରୀ ଆଉ ଦିଟା କୋଠାବାଡ଼ି ନେଇ ଅବସ୍ଥାସମ୍ପନ୍ନ ଗୃହସ୍ଥଳୀ। ଚାଲଚଳଣ, ପରୋପକାରୀ ମନୋଭାବ ଆଉ ମିଶାଣିଆ ସ୍ଵଭାବ ଯୋଗୁ ଗାଁର ସମସ୍ତେ ଭାରି ମାନ୍ୟ କରନ୍ତି ଶିବୁଚରଣଙ୍କୁ।

 

"କାଲି ରାତିରେ ଜଗିଆର ଛେଳି ହଜି ଯାଇଥିଲା, ସାର।” ଶିବୁଚରଣ ଉତ୍ତର ଦେଲେ, “ଆଜି ଛେଳି ଖୋଜୁ ଖୋଜୁ ସିଏ ଏଇ ବନ ଭିତରକୁ ଆସିଥିଲା। ତାର ହିଁ ନଜରରେ ପ୍ରଥମ ପଡ଼ିଲା ଶବଟି।"

 

ଇନ୍ସପେକ୍ଟର ମହାପାତ୍ର ସ୍ପଷ୍ଟ ବୁଝି ପାରୁଥିଲେ ଗାଁଲୋକମାନେ ଆତଙ୍କିତ ଆଉ କ୍ରୁଦ୍ଧ। ଗାଁବାସୀଙ୍କ ରାଗର କାରଣ ଅବଶ୍ୟ ଅଛି। ୟାକୁ ନେଇ ଏପର୍ଯ୍ୟନ୍ତ ବୀରପୁର ଗାଁରେ ଚାରିଟା ନାରକୀୟ ହତ୍ୟାକାଣ୍ଡ ହେଲା। ପ୍ରତିଟା ଶବ ମିଳିଛି ରକ୍ତାକ୍ତ, ଭୟାବହ ଅବସ୍ଥାରେ- ଛାତିରେ ଅଜସ୍ର ଗଭୀର କ୍ଷତ, ମୁହଁରେ ଧାରୁଆ ନଖରର ସୁଗଭୀର ଆମ୍ପୁଡ଼ିବା ଦାଗ, କଣ୍ଠନଲୀ ଛିନ୍ନଭିନ୍ନ! ଗଜାନନ ପାତ୍ରଙ୍କର ସ୍ତ୍ରୀଙ୍କ ଶବର ତ ସବୁଠୁ ଭୟଙ୍କର ଅବସ୍ଥା ହୋଇଥିଲା। ମୁଣ୍ଡ ସମ୍ପୂର୍ଣ୍ଣ ଛିନ୍ନ କରିବା ସାଥିରେ ଉଦର ଚିରି ଅନ୍ତ ନଳୀ ମଧ୍ୟ ବାହାର କରି ଦେଇଥିଲା କିଏ ବା କିଛି ଗୋଟିଏ।

 

ଏଇ ହତ୍ୟାଲୀଳା ଆରମ୍ଭ ହୋଇଛି ପ୍ରାୟ ଚାରି ମାସ ତଳେ। ସେଥର ବିନାୟକ ଦାସ ନାଁର ଜଣେ ଅବସ୍ଥାସମ୍ପନ୍ନ ଗୃହସ୍ଥ ଅନ୍ୟ ଗାଁରେ ବିବାହ ନିମନ୍ତ୍ରଣ ରକ୍ଷା କରି ବହୁତ ରାତିରେ ଘରକୁ ଫେରୁଥିଲେ। ପରଦିନ ସକାଳଟାରେ ଗାଁ ମୁହଁର ଗାଡ଼ିଆ ପାଖରେ ତାଙ୍କ ଛିନ୍ନଭିନ୍ନ ଶବ ମିଳିଲା। ବୀରପୁର ସାଧାରଣ ଗୋଟିଏ ଛୋଟିଆ ଅବସ୍ଥାସମ୍ପନ୍ନ ଗାଁ। ହତ୍ୟା ତ ଦୂରର କଥା, ଆଜି ଯାଏଁ ଗାଁରେ କାହାର ସହିତ କାହାର ବାଦବିବାଦ, ହାତାହାତୀ ପର୍ଯ୍ୟନ୍ତ ହୋଇନାହିଁ। ବିନାୟକଙ୍କ ମୃତ୍ୟୁ ନେଇ ପୁରା ଗାଁ ସନ୍ତ୍ରସ୍ତ ହୋଇ ଗଲା। ପୁଲିସ ଆସି ତଦନ୍ତ କରିଲେ, କିନ୍ତୁ ଘଟଣାଟିର କିଛି ନିଷ୍ପତି ହେଲାନି। ଧୀରେ ଧୀରେ ଲୋକମାନେ ହତ୍ୟାକାଣ୍ଡଟି ଭୁଲି ଆସିଥିଲେ, କିନ୍ତୁ ପ୍ରାୟ ମାସ ଖଣ୍ଡେ ପରେ ଦ୍ବିତୀୟ ହତ୍ୟାକାଣ୍ଡଟି ହୋଇ ପୁଣି ଆତଙ୍କ ସୃଷ୍ଟି ହେଲା। ସବୁଠୁ ବଡ଼ କଥା, ଦିଟା ହତ୍ୟାକାଣ୍ଡରେ ହତ୍ୟାପଦ୍ଧତି ପୁରା ସମାନ।

 

ହତ୍ୟାପଦ୍ଧତି ଛଡ଼ା ଆଉ ଗୋଟିଏ ସମାନତା ଅଛି ପ୍ରତିଟି ହତ୍ୟାକାଣ୍ଡରେ। ଦ୍ବିତୀୟ ହତ୍ୟାକାଣ୍ଡ ସମୟରେ କେହି କିଛି ବୁଝି ନ ପାରିଲେ ମଧ୍ୟ, ତୃତୀୟ ହତ୍ୟାକାଣ୍ଡ ପରେ ଗୋଟିଏ ଜିନିଷ ଉପଲବ୍ଧି କରି ସମସ୍ତେ ଚମକି ପଡ଼ିଥିଲେ- ପ୍ରତିଟା ହତ୍ୟା ହୋଇଛି ପୂର୍ଣ୍ଣିମା ରାତିରେ।

 

ସେଇ ଦିନଠୁ ଗାଁଲୋକ ପୂର୍ଣ୍ଣିମା ଆସିଲେ ସନ୍ତ୍ରସ୍ତ ହୋଇ ଯାନ୍ତି। ସଞ୍ଜ ହେଲେ କବାଟ କିଳା ପଡ଼ି ଯାଏ- ଗାଁ ବାଟ ହୋଇ ଯାଏ ଖାଁ-ଖାଁ ଜନଶୁନ୍ୟ। ଅନ୍ଧାର ହେଲା ମାନେ କେହି ଆଉ ଘର ବାହାରେ ରୁହନ୍ତିନି। ନିତାନ୍ତ ଆବଶ୍ୟକ ହେଲେ ଦଳ କରି ବାହାରନ୍ତି- ଆତ୍ମରକ୍ଷା ପାଇଁ ହାତରେ ଥାଏ ମୋଟା ଲାଠି, ବଲ୍ଲମ ବା ବାଉଁଶ। ଗୋଟିଏ ପରେ ଗୋଟିଏ ଏତେଗୁଡ଼େ ପୈଶାଚିକ ହତ୍ୟାକାଣ୍ଡ ଯୋଗୁ ପୁରା ଗାଁ ଗୋଟିଏ ଚାପା, ଅବ୍ୟକ୍ତ ଆତଙ୍କରେ ଦିନ କଟାଉଛନ୍ତି ଶଙ୍କିତ ହୋଇ।

 

ଆମ୍ବୁଲାନ୍ସରେ ଲଦିଆ ହୋଇଥିବା ଶବଟିକୁ ଦେଖି ଇନ୍ସପେକ୍ଟର ମହାପାତ୍ର ଗୋଟିଏ ଦୀର୍ଘଶ୍ଵାସ ଛାଡ଼ିଲେ। ଏଥର ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକା କଥା ହିଁ ବାହାରିବ, “କୌଣସି ହିଂସ୍ର ପଶୁର ଆକସ୍ମିକ ଆକ୍ରମଣ ଯୋଗୁ ମୃତ୍ୟୁ। ଦେହରେ ତୀକ୍ଷ୍ଣ ନଖର ଆଉ ଦାନ୍ତର ଚିହ୍ନ ସୁସ୍ପଷ୍ଟ। ହତ୍ୟାରେ କୌଣସି ପ୍ରକାର ଅସ୍ତ୍ର ବ୍ୟବହାର ହୋଇନି"। ଏମିତି ରିପୋର୍ଟ ଦେଖିଲେ ମନ ଭିତରେ ଗୋଟିଏ ସନ୍ଦେହ ଜାଗି ଉଠେ। ଏଇ ଅଂଚଳରେ କୌଣସି ବଣ୍ୟ ହିଂସ୍ର ପ୍ରାଣୀର ଖବର କେବେ ମଧ୍ୟ ମିଳିନି। ଉପରନ୍ତୁ, ସବୁ କଟା ଆକ୍ରମଣ ପୂର୍ଣ୍ଣିମା ରାତିରେ ହୋଇଛି। ସବୁଠୁ ବଡ଼ କଥା, ଶବ ପାଖରେ ମିଳିଥିବା ପଦଚିହ୍ନ ଦେଖି ମନେ ହୋଇଛି ସେଗୁଡ଼ିକ କୌଣସି ଦ୍ବିପଦ ପ୍ରାଣୀର ପଦଚିହ୍ନ। ପୃଥିବୀରେ ଏମିତି କେଉଁ ପ୍ରାଣୀ ଅଛି କି, ଯିଏ ଦି ପାଦରେ ଚାଲେ ଆଉ ଖାଲି ପୂର୍ଣ୍ଣିମା ରାତିରେ ଯାହାର ରକ୍ତଲିପ୍ସା ଜାଗେ?

 

ଶୀଘ୍ର ଏଇ ହତ୍ୟାଲୀଳାର ନିଷ୍ପତି କରିବେ ବୋଲି ଗାଁପ୍ରଧାନକୁ ଆଶ୍ୱାସନା ଦେଲେ ଇନ୍ସପେକ୍ଟର ମହାପାତ୍ର। ହେଲେ ନିଜ କାନରେ ମଧ୍ୟ ସେଇ ଆଶ୍ୱାସନା ଭାରି ଫିକା ପରି ଶୁଭା ଗଲା ତାଙ୍କୁ। ସିଏ ନିଜେ ଭଲ କରି ଜାଣିଛନ୍ତି ଏଇ ରହସ୍ୟ ସମାଧାନ କରିବା ପାଇଁ ସର୍ବଶକ୍ତି ଲଗେଇ ଦେଇଛନ୍ତି ସିଏ। ପୁଲିସ ଟହଲଦାରୀ ବଢ଼େଇବା ସାଥିରେ ବନବିଭାଗରୁ ମଧ୍ୟ ସାହାଯ୍ୟ ନେଇଛନ୍ତି ସିଏ। କିନ୍ତୁ କୌଣସି ପ୍ରକାର ସଫଳତା ଏପର୍ଯ୍ୟନ୍ତ ମଧ୍ୟ ମିଳିନି। କେଉଁ ମୁହଁରେ ସିଏ ଆଶା କରିବେ ଗାଁଲୋକ ତାଙ୍କ କଥାରେ ଭରସା ରଖିବେ?

 

ଆମ୍ବୁଲାନ୍ସ ପଛେ ପଛେ ପୁଲିସ ଜିପ ମଧ୍ୟ ବାହାରିଗଲା।

 

-----------------------------------------

 

"ପୁଲିସ ଦ୍ଵାରା ଏଇ କାମ ହବନି, ମଉସା! ଏତେ ଦିନ ସେମାନେ କିଛି କରି ପାରିଲେନି, ଆଉ କଣ ତାଡ଼ି ପକେଇବେ?” ସଭାମଣ୍ଡଳୀରେ ଛିଡ଼ା ହୋଇ ବିରୂପାକ୍ଷ କହିଲା।

 

ରୁପେଶ ହତ୍ୟାର ଦି'ଦିନ ପରର ଘଟଣା। ପାଞ୍ଚ ମାସ ଧରି ଚାଲୁଥିବା ଏଇ ହତ୍ୟାଶୃଙ୍ଖଳାକୁ ସମାଧାନ କରିବାରେ ପୁଲିସର ଅସଫଳତା ଦେଖି ଆଉ ଚୁପ ରହି ପାରିନାହାନ୍ତି ଗାଁର ଯୁବକମାନେ। ଗାଁର ଯୁବସମାଜର ପ୍ରମୁଖ ହେଉଛି ବିରୂପାକ୍ଷ ଜେନା- ଯେମିତି ବଳିଷ୍ଠ, ଦେହ, ସେମିତି ଦୁର୍ଦାନ୍ତ ସାହସୀ। ତ୍ରିଭୁବନରେ ଏମିତି କିଛି ନାହିଁ ଯାହାକୁ ସିଏ ଡରେ- ଏକମାତ୍ର ଖଡ଼ିକାଧାରିଣୀ ନିଜ ବୋଉକୁ ଛଡ଼ା, ଯିଏ ଗତବର୍ଷ ପରଲୋକଗମନ କଲେ। ବହୁତ ଦିନରୁ ସିଏ ଭାବୁଛି କିଛି ସାହସି ଆଉ ସଶକ୍ତ ଯୁବକମାନଙ୍କୁ ନେଇ ଗାଁରେ ଗୋଟିଏ ସୁରକ୍ଷା ଦଳ ବନେଇବ। ସେଇ ଉପରେ ଗୋଟିଏ ମନ୍ତ୍ରଣାସଭା କରିବା ଯୋଗୁ ଗାଁଲୋକ ସମସ୍ତେ ବରଗଛ ତଳେ ଏକାଠି ହୋଇଛନ୍ତି।

 

"ପୁଲିସ ଯାହା ଦରକାର କରୁଛନ୍ତି।” ବୃଦ୍ଧ ବିଧୁଶେଖର କହିଲେ, “ଆମେ ଆଉ ଅଲଗା କଣ କରି ପକେଇବା?"

 

"ଆମ ଗାଁକୁ ନେଇ ଆହୁରି ୭ଟି ଗାଁର ଦାୟିତ୍ବ ଏଠିର ଥାନା ଉପରେ। ସବୁ ପୁଲିସ ମାନେ ତ ଖାଲି ଆମ ଗାଁ ନେଇ ବ୍ୟସ୍ତ ରହିବେନି, ମଉସା।"

 

"ଦେଖ ପୁଅ, ପାଞ୍ଚଜଣ ଗଲେଣି। ୟା ପରେ ରାତିରେ ଟହଲଦାରୀ କରିବାକୁ ଯାଇ ଆହୁରି କେହି ମରିବେ।” ଶିବୁଚରଣ ଆପତ୍ତି ଜଣେଇଲେ, “ତୁମେ ବହୁତ ବିପଜ୍ଜନକ କଥା କହୁଛ। ଏଇସବୁ ଭାବନା ତ୍ୟାଗ କରି ପୁଲିସ ଉପରେ ଦାୟିତ୍ବ ଛାଡ଼ି ଦିଅ। ତୁମ ଏଇ ବୁଦ୍ଧିରେ ପଡ଼ି ଆଉ କେହି ପ୍ରାଣତ୍ୟାଗ କଲେ ଗାଁପ୍ରଧାନ ହିସାବରେ ଲୋକମାନେ ମୋ ଠାରୁ ଜବାବଦିହି ମାଗିବେ।"

 

"ଏଇନେ ପାଞ୍ଚଜଣ ଯାଇଛନ୍ତି, ଆମେ କିଛି ନ କରିଲେ ପରେ ଆହୁରି ନିର୍ଦୋଷ ଲୋକ ମରିବେ।” ବିରୂପାକ୍ଷ ଟିକେ ଜୋର ଦେଇ କହିଲା, “ପୁଲିସ କିଛି ନିଷ୍ପତି ନ କରି ପାରିଲେ ଆମେ କଣ ସାରା ଜୀବନ ଏମିତି ମରୁ ଥିବୁ?"

 

"ଦେଖ ବିରୂପାକ୍ଷ, ସବୁ କଟା ହତ୍ୟାକାଣ୍ଡ ଗାଁ ବାହାରେ ହୋଇଛି- ହୁଏ ତ ଚାଷକ୍ଷେତରେ, କିମ୍ବା ଜଙ୍ଗଲରେ, କିମ୍ବା ନିର୍ଜନ ବାଟରେ। ଗାଁ ଭିତରେ କିଛି ଦୁର୍ଘଟଣା ଘଟିନି। ଯେତେ ଦିନ ପୁଲିସ କିଛି ନିଷ୍ପତି ନ କରୁଛି, କେବଳ ପୂର୍ଣ୍ଣିମା ରାତିଟା ଟିକେ ସମ୍ଭାଳି ରହିବାକୁ ହବ। ଆମେ କେହି ଗାଁ ବାହାରେ ନ ରହିଲେ ହିଁ ହେଲା। ପୂର୍ଣ୍ଣିମା ଛଡ଼ା ବାକି ଦିନ ତ କିଛି ଭୟ ନାହିଁ।"

 

"କିନ୍ତୁ ମଉସା..."

 

"କିଛି କିନ୍ତୁ ନାହିଁ, ବିରୂପାକ୍ଷ। ମୁଁ ତୁମକୁ ଏମିତି ବିପଜ୍ଜନକ କାମ କରିବାକୁ ସମ୍ମତି ଦେବିନି।"

 

ବିରୂପାକ୍ଷ ଆଉ କିଛି କହିଲାନି, କିନ୍ତୁ ମନେ ମନେ ସ୍ଥିର ସିଦ୍ଧାନ୍ତ ନେଇ ସାରିଛି ସିଏ କଣ କରିବ। ନିଜ କାମ କରିବା ପାଇଁ ତାକୁ କାହାର ସହମତି ନେବା ଦରକାର ନାହିଁ।

 

-----------------------------------------

 

"ନେ, ଚା ଧର।” ବିରୂପାକ୍ଷ ଯତୀନ ହାତକୁ ଗୋଟିଏ ଚା-ଭାଣ୍ଡ ବଢ଼େଇ ଦେଲା।

 

"ଭାଇ, ସବୁ କିଛି ଭଲ କରି ଭାବି ଦେଖିଛୁ ତ?"

 

"ଦେଖ ଯତୀନ, ଏଇ ଗୋଟେ ମାସ ମୁଁ କେମିତି ହାତ ବାନ୍ଧି ବସିଛି, ସେଟା ମୋ ଛଡ଼ା ଆଉ କେହି ଭଲ କରି ବୁଝି ପାରିବେନି। କାଲି ପୂର୍ଣ୍ଣିମା, ଏଇ ସୁଯୋଗ ହାତଛଡ଼ା କରିବା ଉଚିତ ନୁହେଁ।"

 

"କିନ୍ତୁ ଭାଇ, ଘରେ କଣ କହି ବାହାରିବା?"

 

"ଦେଖ, ଗତବର୍ଷ ମୋର ବାପା ବୋଉ ଚାଲି ଗଲେ- ଚିନ୍ତା କରିବାର କେହି ନାହିଁ। ତୋର ବାପା ବୋଉ ଏବେ ପୁରୀ ଯାଇଛନ୍ତି ତୀର୍ଥ କରିବାକୁ। ତତେ ମଧ୍ୟ ବାଧା ଦେବାକୁ କେହି ନାହାନ୍ତି।” ସୁନୀଲ ଆଡ଼କୁ ଫେରି ବିରୂପାକ୍ଷ କହିଲା, “ତୁ କାଲି ତୋର କାଠ ଦୋକାନ ବନ୍ଦ ରଖ। ଘରେ କିଛି ଗୋଟିଏ ବାହାନା ଦେଖେଇ ଦେବୁ- କଟକ ବା ଭୁବନେଶ୍ଵରରେ ତୋର କୋଉ ସାଙ୍ଗ ରହୁଛି, ତୁ ତା ପାଖକୁ ଯାଉଛୁ ବୋଲି ଘରୁ ବାହାରିବୁ। ପରେ ସୁଯୋଗ ଦେଖି ମୋ ଘରକୁ ଚାଲି ଆସିବୁ। ଖୁଡ଼ିଙ୍କୁ ସିଧା ମୋ କଥା କହିଲେ ସନ୍ଦେହ କରିବେ, ଗାଁପ୍ରଧାନଙ୍କ କାନରେ କଥା ପହଞ୍ଚି ଯିବ। ଆଉ ଜଗୁଆ, ତୁ ଘରେ କହିବୁ ଯତୀନ ଘରେ କାଲି ରାତିରେ ତୋର ନିମନ୍ତ୍ରଣ, ରାତିରେ ସେଠି ହିଁ ରହିବୁ। କାଲି ରାତି ଆଠଟା ପରେ ଆମେ ଚାରିଜଣ ବାହାରିବା। ଦିଜଣ ଦିଜଣ ଦଳ ବନେଇ ସାରା ଗାଁ ଉପରେ ନଜର ରଖିବା। ମୋର ଗୋଟେ ବଲ୍ଲମ ଅଛି, ଯତୀନ ପାଖରେ କଟୁରି ଆଉ ଟାଙ୍ଗିଆ ମିଳି ଯିବ। ଆତ୍ମରକ୍ଷା ପାଇଁ ଅସ୍ତ୍ରର ଅଭାବ ହେବ ନି।"

 

ବାକି ତିନି ବନ୍ଧୁ ସମ୍ମତିରେ ମୁଣ୍ଡ ହଲେଇଲେ।

 

ପରଦିନ ନିର୍ଦ୍ଧିଷ୍ଟ ସମୟରେ ଚାରିଜଣ ସାଙ୍ଗ ଘରୁ ବାହାରି ଏକାଠି ହେଲେ। ଚାରିଜଣଙ୍କ ହାତରେ ଗୋଟିଏ କରି ପାଞ୍ଚ ସେଲ ବ୍ୟାଟାରିର ଟର୍ଚ ଆଉ ଆତ୍ମରକ୍ଷା ପାଇଁ ଗୋଟିଏ କରି ଅସ୍ତ୍ର। ଥଣ୍ଡା ଯୋଗୁ ଆପାଦମସ୍ତକ ଗରମ ପୋଷାକରେ ଢଙ୍କା।

 

ସଞ୍ଜବେଳଠୁ ହିଁ ଗାଁ ବାଟ ପୁରା ଜନଶୁନ୍ୟ। ପୂର୍ଣ୍ଣିମା ନେଇ ଲୋକଙ୍କ ମନରେ ତୀବ୍ର ଆତଙ୍କ, ତା ଉପରେ ଥଣ୍ଡାଟା ମଧ୍ୟ ପଡ଼ିଛି ପ୍ରବଳ। ସୂର୍ଯ୍ୟାସ୍ତ ପରେ ପରେ ହିଁ ସମସ୍ତେ ଘରେ ପଶି ସାରିଲେଣି। ଥଣ୍ଡା ଆଉ ଚନ୍ଦ୍ରାଲୋକରେ ଚାରିଆଡ଼ ଗୋଟିଏ ଅବ୍ୟକ୍ତ ନିସ୍ତବ୍ଧତାରେ ଅବଗୁଣ୍ଠିତ- ପରିବେଶରେ କେମିତି ଗୋଟିଏ ପୀଡ଼ାଦାୟକ ଡର ମିଶା ଆଚ୍ଛନ୍ନତା, ଯା ଧୀରେ ଧୀରେ ବାକରୁଦ୍ଧ କରି ଦେବାକୁ ଚାହୁଁଛି ଏଇ ଅର୍ଦ୍ଧସୁପ୍ତ ଜଗତଟାକୁ।

 

ଚାରିଜଣ ଗାଁ ମଝିରେ ଅବସ୍ଥିତ ବରଗଛ ପାଖକୁ ପହଞ୍ଚିଛନ୍ତି ମାତ୍ରକେ, ହଠାତ ଦେଖିଲେ ଜଣେ ବ୍ୟକ୍ତି ଅନ୍ଧାର ରେ ମାତାଲଙ୍କ ଭଳି ଦୌଡ଼ି ଆସି ଧଡ଼ାମ କରି ମାଟିରେ କଚାଡ଼ି ହୋଇ ପଡ଼ିଲା। ପାଖକୁ ପହଞ୍ଚି ଲୋକଟାକୁ ସମ୍ଭାଲିବାକୁ ଯାଇ ଚାରିଜଣ ହତଚକିତ ହୋଇ ଗଲେ- ବ୍ୟକ୍ତିଟି ଶିବୁଚରଣବାବୁଙ୍କ ପୁତୁରା ସ୍ମୃତିରଞ୍ଜନ। ଡର ମିଶ୍ରିତ ବିସ୍ଫାରିତ ଆଖି, ପିଠିରେ ଅଜସ୍ର ଆମ୍ପୁଡ଼ିବା ଦାଗ, ଛାତିରେ ଗଭୀର କ୍ଷତଚିହ୍ନ, ବେକ ବାଁପଟେ ମଧ୍ୟ ତୀବ୍ର ଆଘାତଚିହ୍ନ ସ୍ପଷ୍ଟ।

 

"ଖୁ...... ଖୁ..ଡ଼ିଙ୍କୁ ଦେ..... ନ..ନର.... ପିଶା... ଚ....” ଗୋଟିଏ ଆଡ଼େ ଆଙ୍ଗୁଳି ଦେଖେଇ ସ୍ମୃତିରଞ୍ଜନ ଇଶାରାରେ କିଛି କହିବାକୁ ଚେଷ୍ଟା କଲା। ମାତ୍ର ମୁହୂର୍ତ୍ତଖଣ୍ଡେ, ତା ପରେ ମୁଣ୍ଡ ଢଳି ପଡ଼ିଲା ତାର। ଚାରିଜଣଙ୍କୁ ହତଚକିତ କରି କାଳରାତ୍ରି ମହାକାଳ ପରି ଗ୍ରାସ କରି ନେଲା ତାକୁ- ଖାଲି ରହି ଗଲା ଗୋଟିଏ ମହାଭୟଙ୍କର ଦୁଃସ୍ବପ୍ନ। କିନ୍ତୁ ସ୍ମୃତିରଞ୍ଜନ ଏମିତି ନିର୍ବୋଧ ପରି ଏକୁଟିଆ ବାହାରିଥିଲା କାହିଁକି?

 

ଚାରିଜଣଙ୍କ ଡକାଡକିରେ ଲୋକମାନେ ସାହସ କରି ଘରୁ ବାହାରିଲେ। କିଛିଜଣ ଦୌଡ଼ିଲେ ଶିବୁଚରଣଙ୍କୁ ଖବର ଦେବାକୁ। ଖବର ପାଇ ଶିବୁଚରଣ ହନ୍ତଦଣ୍ତ ହୋଇ ଦୌଡ଼ି ଆସିଲେ। ତାଙ୍କଠୁ ହିଁ ବିଷୟଟା ଜଣା ଗଲା।

 

ସ୍ମୃତିରଞ୍ଜନ ଘରୁ ଏକୁଟିଆ ବାହାରିନି। ଗାଁର ସୁଲୋଚନା ମାଉସୀଙ୍କ ଘରେ ଖୁଡ଼ି ନିରୂପମାଙ୍କର କିଛି କାମ ଥିଲା। କିନ୍ତୁ ଗାଁର ବର୍ତ୍ତମାନ ଯା ପରିବେଶ, ପୂର୍ଣ୍ଣିମା ରାତିରେ ସନ୍ଧ୍ୟା ପରେ ଏକୁଟିଆ ବାହାରିବାକୁ ମନ ମାନୁ ନଥିଲା ତାଙ୍କର। ଅତଏବ ନିରୂପମା ସ୍ମୃତିରଞ୍ଜନକୁ ସାଙ୍ଗରେ ନେଇ ବାହାରି ଥିଲେ। ସ୍ମୃତିରଞ୍ଜନ ସାଙ୍ଗରେ ଯାଉଛି ଦେଖି ଶିବୁଚରଣ ମଧ୍ୟ ଆପତ୍ତି କଲେ ନି। କିଏ ଜାଣି ଥିଲା ଗାଁ ଭିତରେ ଦିଜଣଙ୍କ ସାଥିରେ ଏମିତି ନୃଶଂସ କାଣ୍ଡ ଘଟି ଯିବ।

 

ଅଳ୍ପ ଖୋଜାଖୋଜି ପରେ ନିରୂପମାଙ୍କର ସନ୍ଧାନ ମିଳିଲା। ନା, ଟିକେ ଭୁଲ ହେଲା। "ନିରୂପମା" ନ କହି "ତାଙ୍କ ଦେହାବଶେଷ" କହିଲେ କଥାଟା ଆହୁରି ଉଚିତ ହେବ। ଆଜି ପର୍ଯ୍ୟନ୍ତ ଘଟି ଥିବା ସବୁ ହତ୍ୟାକାଣ୍ଡକୁ ପୈଶାଚିକତାରେ ସହସ୍ରଗୁଣ ଅତିକ୍ରମ କରି ଯାଇଛି ନିରୂପମାଙ୍କର ହତ୍ୟା।

 

ଗୋଟିଏ ରାତିର ଏଇ ଯୋଡ଼ିଏ ହତ୍ୟାକାଣ୍ଡକୁ ଦେଖି ଅନ୍ତରାତ୍ମା ପର୍ଯ୍ୟନ୍ତ ଶିହରି ଉଠିଲା ସମଗ୍ର ଗାଁବାସୀଙ୍କର।

 

-----------------------------------------

 

ନିରୂପମା ଆଉ ସ୍ମୃତିରଂଜନର ଅନ୍ତେଷ୍ଟି ପରଦିନ କଥା। ଆଉ ଥରେ ଗାଁବାସୀ ଜମା ହୋଇଛନ୍ତି ମନ୍ତ୍ରଣାସଭା ପାଇଁ। ଗାଁପ୍ରଧାନ ଆଉ ବାକି ବୟସ୍କମାନେ ଠିକ କରିଛନ୍ତି ଗାଁ ସୁରକ୍ଷା ଦଳ ତିଆରି କରି ଆସନ୍ତା ପୂର୍ଣ୍ଣିମାରେ ସଜାଗ ରହିବେ।

 

"କଣ, ମଉସା? ମୁଁ ଯୋଉ ସମୟରେ କହିଲି ଯେ ଦଳ ବନେଇ ପାହାରା ବ୍ୟବସ୍ଥା କର, ମୋ କଥା ତାଚ୍ଛିଲ୍ୟ କରି ଉଡ଼େଇ ଦେଲ। ଆଉ ଆଜି ନିଜ ଘରଲୋକଙ୍କ ଗଙ୍ଗାପ୍ରାପ୍ତି ଦେଖି ଆଖି ଖୋଲି ଗଲା?" ବିରୂପାକ୍ଷର ବିଦ୍ରୁପଟା ଭାରି ପ୍ରକଟ।

 

"ଦେଖ ପୁଅ, ଏଥର କଥା ଭିନ୍ନ। ଅନ୍ୟଥର ଗାଁ ବାହାରେ ହତ୍ୟା ହଉଥିଲା। ଏଥର ଗାଁ ଭିତରେ ହେଇଛି।” ବିଧୁଶେଖର ବୁଝେଇବାକୁ ଚେଷ୍ଟା କଲେ, “ଶୀଘ୍ର କୌଣସି ପଦକ୍ଷେପ ନ ନେଲେ ୟା ପରେ ଘର ଭିତରେ ବି ଲୋକ ମରିବେ।"

 

"ସେଇ କଥା ତ ମୁଁ କେବେ ଠୁ କହୁଛି। ଆମର ଆହୁରି ଶୀଘ୍ର ପଦକ୍ଷେପ ନେବା ଉଚିତ ଥିଲା। ଏ କୋଉ ସାଧାରଣ ହତ୍ୟାକାରୀ ନୁହେଁ, ମଉସା। ଯତୀନକୁ ପଚାର, ସ୍ମୃତିରଞ୍ଜନ ମରିବା ପୂର୍ବରୁ ନରପିଶାଚ ଶବ୍ଦଟି ଉଲ୍ଲେଖ କରି ଥିଲା।"

 

"ନରପିଶାଚ?"

 

"ହଁ, ମଉସା। ଆଉ ଖାଲି ଏଇଆ ହିଁ ନୁହେଁ, ଆମେ ଆହୁରି କିଛି ପାଇଛୁ।” ବିରୂପାକ୍ଷ ପକେଟରୁ ଗୋଟିଏ ରୁମାଲ ବାହାରି କରି ଖୋଲି ଧରିଲା। ରୁମାଲ ଭିତରେ ଏକ ଗୁଚ୍ଛ ବାଦାମୀ ଲୋମ ପରି।

 

"ଇଏ କଣ?"

 

"ନରପିଶାଚର ଲୋମ। ସ୍ମୃତିରଞ୍ଜନର ହାତ ମୁଠାରେ ଥିଲା। ପୁଲିସ ଶବ ନେବା ପୂର୍ବରୁ ମୁଁ ବାହାର କରି ନେଇଥିଲି।"

 

"ପୁଲିସକୁ ଦେଲୁନି କାହିଁକି?"

 

"ଦେଲେ କଣ ହେଇଥାନ୍ତା? ସେଇ ଅଯୋଗ୍ୟ ଇନ୍ସପେକ୍ଟରଟା ଆଜି ପର୍ଯ୍ୟନ୍ତ କିଛି କରି ପାରିଲା କି?" ବିରୂପାକ୍ଷ ଚିଡ଼ି କରି କହିଲା, “ଆମ ପାଖରେ ଥିଲେ ଆମେ ଅନୁସନ୍ଧାନ କରି ପାରିବା"

 

"ଭଲ କରିଛ।" ଶିବୁଚରଣ ତାକୁ ସମର୍ଥନ କଲେ, “ତୁମକୁ ଦାୟିତ୍ବ ଦଉଛି, ଆସନ୍ତା ପୂର୍ଣ୍ଣିମା ଭିତରେ ସୁରକ୍ଷା ଦଳ ଗଠନ କର। ଖାଲି ଯୁବକ ମାନେ ନୁହେଁ, ଆମେ ବୟସ୍କଲୋକମାନେ ମଧ୍ୟ ପାହାରା ଦବୁ। ବିଧୁଶେଖର ଆଉ ମୋ ପାଖରେ ବନ୍ଧୁକ ଅଛି। ବାକି ଯୋଗାଡ଼ଯନ୍ତ୍ର ତୁମେ ମାନେ କରି ରଖ।"

 

-----------------------------------------

 

ଫେର ସେଇ ଅଭିଶପ୍ତ ପୂର୍ଣ୍ଣିମା। ଏଥର ପ୍ରକୃତିର କି ଅଦ୍ଭୁତ ଖିଆଲ, ଫେବୃଆରୀରେ ମଧ୍ୟ ଡିସେମ୍ବର ପରି ହାଡ଼କମ୍ପା ଥଣ୍ଡା ପଡ଼ିଛି। ପୃଥିବୀର ବକ୍ଷରେ ନଇଁ ଆସୁଛି ନିକଷ କଳା ରାତି- ଦେଉଛି କେଉଁ ଅଶୁଭ ଅପଛାୟାର ସୁପ୍ତ ରକ୍ତଲିପ୍ସା ଜାଗ୍ରତ ହେବାର ଅଶୁଭ ସଂକେତ।

 

ସଞ୍ଜଠୁ ଲୋକମାନେ ତିଆରି। ଗାଁର କୋଡ଼ିଏ-ପଚିଶଜଣ ଲୋକ ଚାରି ପାଞ୍ଚଜଣଙ୍କର ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ସାରା ଗାଁ ନଜର ରଖୁଛନ୍ତି। ଶିବୁଚରଣଙ୍କ ସହିତ ରହିଛି ବିରୂପାକ୍ଷ, ଯତୀନ ଆଉ କାଠ ମିସ୍ତ୍ରୀ ସୁନୀଲ। ସେମାନେ ଗାଁର ପଶ୍ଚିମଦିଗର ଦାୟିତ୍ବ ନେଇଛନ୍ତି- ସଦା ସତର୍କ ଦୃଷ୍ଟିର ଅଗୋଚର ହୋଇ ଏପଟ ଦେଇ କୁକର-ବିଲେଇ ପଶିବା ମଧ୍ୟ ଦୁଷ୍କର, ନରପିଶାଚ ତ ଦୂରର କଥା।

 

ଆଠ ଥର ଟହଲ କରି ସାରି ନବମ ଥର ସୁନୀଲର କାଠ ଦୋକାନ ପାଖକୁ ପହଞ୍ଚିଛନ୍ତି, ହଠାତ ଶିବୁଚରଣ ଠିଆ ହୋଇ କାନେଇ କରି କଣ କିଛି ଶୁଣିବାକୁ ଲାଗିଲେ।

 

"କଣ ହେଲା ମଉସା?" ଫିସଫିସ୍ କରି ଯତୀନ ପଚାରିଲା।

 

"ମନେ ହେଲା ଦୋକାନ ଭିତରେ କାହାର ଚାଲିବା ଶବ୍ଦ ଶୁଭିଲା। କିନ୍ତୁ ଏତେ ରାତିରେ ଦୋକାନ ଭିତରେ କିଏ ଚାଲିବ?” ସୁନୀଲ ଆଡ଼କୁ ଫେରି ଶିବୁଚରଣ ପଚାରିଲେ, “ଦୋକାନ ଭିତରେ କୁକୁର ଫୁକୁର କିଛି ରଖିଛୁ କି, ପାହାରା ଦେବା ପାଇଁ?"

 

"ନା ବଡ଼ ବାପା, ମୁଁ ତ କୁକୁର ବିଲେଇ କିଛି ରଖିନି। କାଠ ଦୋକାନରେ ସେସବୁ ରଖିବା ଭାରି ସମସ୍ୟା। ଦାନ୍ତ ସିରସିର୍ କଲେ ଖାଲି କାଠ ଆସବାବପତ୍ର କାମୁଡ଼ନ୍ତି।"

 

"ତାହାଲେ ଦୋକାନ ଭିତରେ କିଏ?"

 

"ମୂଷା ଫୁଷା ହେଇ ଥିବ।” ଯତୀନ କହିଲା।

 

"ଥଣ୍ଡାରେ ମୂଷାମାନେ ଶୀତନିଦ୍ରା ଦିଅନ୍ତି, ଜାଣିନ କି?" ବିରୂପାକ୍ଷ କହିଲା।

 

"ତାହାଲେ?"

 

"ମୋର ସନ୍ଦେହ ହଉଛି। ରହି ଥା। ସୁନୀଲ ଚାବି ଅଛି କି ସାଙ୍ଗରେ? ଥିଲେ, ଦେ ତ ଟିକେ। ମୁଁ ଖୋଲି କରି ଟିକେ ଦେଖେ।" ଶିବୁଚରଣ ସୁନୀଲଠୁ ଚାବି ମାଗିଲେ।

 

ଚାବି ନେଇ ଶିବୁଚରଣ ଅତି ସାବଧାନରେ, ବିନା ଶବ୍ଦ କରି କବାଟ ଖୋଲି ଭିତରେ ପଶିଲେ। ହାତରେ ଟର୍ଚ୍ଚ ଥିବା ସତ୍ବେ ଜାଳିଲେନି, ଆଲୁଅରେ ହତ୍ୟାକାରୀ ସାବଧାନ ହୋଇ ଯାଇ ପାରେ। ବାତାୟନ ଦେଇ ଅଳ୍ପ ପଶୁଥିବା ଆଲୁଅ ଯୋଗୁ ଦୋକାନ ଭିତରର ଅନ୍ଧାରଟା ଟିକେ ପତଳା।

 

ଧୀରେ ଧୀରେ ପାଦ ଚାପି ଶିବୁଚରଣ ଟିକେ ଆଗକୁ ବଢ଼ିଲେ। ଚାରିଆଡ଼େ କାଠ ଟୁକୁଡ଼ା ଆଉ କରତ ଧୂଳି। କାନ୍ଥ ଆଡ଼େ କିଛି କାଠ ବାକ୍ସ, ଜାଗାରେ ଜାଗାରେ ସଜା ହୋଇଛି କିଛି ସମାପ୍ତ ଆଉ କିଛି ଅର୍ଦ୍ଧସମାପ୍ତ ଆସବାବପତ୍ର। ଗୁଡ଼ାଏ ଛଣ ମଧ୍ୟ ପଡ଼ି ରହିଛି ଗୋଟିଏ କୋଣରେ।

 

ସହସା କୋଣର ସେଇ ଛଣ ସ୍ତୁପ ଭିତରେ ଥରଥର୍ କରି ଟିକେ ଆଲୋଡ଼ନ ହୋଇ ଶିବୁଚରଣଙ୍କ ମନର ସନ୍ଦେହ ସତ ପ୍ରମାଣିତ କଲା। କିଛି ଗୋଟିଏ ସେଇ ଛଣ ସ୍ତୁପ ଭିତରେ ହଲହଲ ହେଉଛି,କିନ୍ତୁ ସେଟା କଣ? ପାଦ ଚାପି ଚାପି ଟିକେ ଆଗକୁ ଅଗ୍ରସର ହେଲା ବେଳକୁ ସ୍ତୁପ ଭିତରୁ ଗୋଟିଏ ଚାପା ଫଁ ଫଁ ଗର୍ଜନ ଶୁଭାଗଲା।

 

ହଠାତ ଶିବୁଚରଣଙ୍କୁ ଦାରୁଣ ଭାବରେ ଚମକେଇ ଦେଇ ଗୋଟିଏ ବିଲେଇ ବିକଟ ଡାକ ଛାଡ଼ି ଛଣ ଭିତରୁ ବାହାରି ଆସି ଦୌଡ଼ି ପଳେଇଲା। ଆକଷ୍ମିକ ଚମକ ସମ୍ଭାଳି ଉଠି ଶିବୁଚରଣ ଟିକେ ହସିଲେ। କବାଟ ଆଡ଼େ ବୁଲି ଆଗେଇବାକୁ ଗଲା ବେଳକୁ, ହଠାତ ବାଁ ପଟର କାନ୍ଥ ଆଡ଼େ ନଜର ପଡ଼ି ହୃଦ୍ପିଣ୍ଡ ଧଡ଼ାକ କରି ଡେଇଁ ଉଠିଲା ତାଙ୍କର।

 

ବାତାୟନ ଦେଇ ଆସୁଥିବା ଚନ୍ଦ୍ରାଲୋକ କାନ୍ଥ ପର୍ଯ୍ୟନ୍ତ ଆସି ପଡ଼ିନି। କାନ୍ଥର ଟିକେ ଆଗରେ, ଗୋଟିଏ ଉପରେ ଗୋଟିଏ କରି ଧାଡ଼ି ଧାଡ଼ି ହୋଇ ରଖା ହୋଇଛି ବହୁତ ଗୁଡ଼େ କାଗଜ ବାକ୍ସ- ପ୍ରତି ଧାଡ଼ିର ଉଚ୍ଚତା ମଣିଷ ଛାତି ସମାନ। ଧାଡ଼ିଗୁଡ଼ିକର ପଛରେ ଘନ ଅନ୍ଧାର, ଆଉ ସେଇ ଅନ୍ଧାର ଭିତରେ........

 

କିଏ ସେ କିଏ? ଅନ୍ଧାରର ଚାଦର ଘୋଡ଼େଇ ଲୋମଶ ମୁହଁରେ ଦିଟା ରକ୍ତିମ ଚକ୍ଷୁ ମେଲି ଧରି ଚାହିଁ ରହିଛି ସିଏ କିଏ- ଯାହାର ଅଶୁଭ ଅସ୍ତିତ୍ବକୁ ପ୍ରକାଶ କରୁଛି ଗୋଟିଏ ଉଗ୍ର ପାଶବିକ ଗନ୍ଧ?

 

କ୍ଷିପ୍ର ଗତିରେ ବନ୍ଧୁକ ଟେକି ଗୁଳି ଚଳେଇଲେ ଶିବୁଚରଣ। ପ୍ରଚଣ୍ଡ ଶବ୍ଦ କରି ଗୁଳି ବାକ୍ସ ଭେଦି ଧାଇ ଗଲା ସେଇ ଅପଛାୟା ଆଡ଼କୁ। ଗୁଳିର ଗତି ଯୋଗୁ ଛିଟକି ପଡ଼ିଲା ଗୋଟିଏ ପରେ ଗୋଟିଏ କାଗଜ ବାକ୍ସ।

 

ଗୁଳି ଶବ୍ଦ ଶୁଣି ବିରୂପାକ୍ଷ, ଯତୀନ ଆଉ ସୁନୀଲ ଦୌଡ଼ି ଆସି ଦୋକାନରେ ପଶିଲେ। ଦେଖିଲେ ନିର୍ବାକ, ହତଭମ୍ବ ଶିବୁଚରଣ ତାଙ୍କ ଆଡ଼କୁ ପିଠି କରି, ସାମ୍ନା ଆଡ଼େ ଅନେଇଛନ୍ତି। ତାଙ୍କ ଠିକ ସାମ୍ନାରେ, ରାଶିକୃତ ବାକ୍ସଗୁଡ଼ିକ ପଛରେ ଗୁଳିବିଦ୍ଧ, ଫାଟ ଧରିଥିବା ଗୋଟିଏ ଦର୍ପଣ। କିନ୍ତୁ ଇଏ କଣ? ଦର୍ପଣରେ ଇଏ କାହାର ପ୍ରତିବିମ୍ବ?

 

ମୁଁହ ଭର୍ତ୍ତି ଲୋମ, ସୁତୀକ୍ଷ୍ଣ ଶ୍ବାଦନ୍ତ ଆଉ ରକ୍ତିମ ବୁଭୁକ୍ଷ ଦିଟା ଆଖି ନେଇ ଇଏ କାହାର ବିଭତ୍ସ, ହିଂସ୍ର ଚେହରା?

 

ଶିବୁଚରଣଙ୍କ ଦେହରୁ ବାହାରୁଥିବା ପାଶବିକ ଗନ୍ଧଟା ଉଗ୍ର ହେବାକୁ ଲାଗିଲା ଧୀରେ ଧୀରେ।

 



Rate this content
Log in

More oriya story from Saswat Routroy

Similar oriya story from Horror