ବତୀଘର
ବତୀଘର
ଲେଖକ- ଅରବିନ୍ଦ ରଥ
ଭୂତପ୍ରେତଙ୍କ ଉପରେ ଚାଲିଥିବା ଆଲୋଚନାଟା ବେଳକୁ ବେଳ ଗମ୍ଭୀର ହୋଇ ଚାଲିଥିଲା। ଦୁଇ ସାଙ୍ଗ ନିଜର ଯୁକ୍ତି ମାଧ୍ୟମରେ ସ୍ବଆଧିପତ୍ୟ ଜାହିର୍ କରିବା ସହିତ ପରସ୍ପରକୁ ହରାଇବାକୁ ଚେଷ୍ଟା କରିଚାଲିଥିଲେ। ରାଜୁ ମତରେ, ଭୂତପ୍ରେତ କୌଣସି ମନଗଢା କାହାଣୀ ନୁହଁ ଓ ଏହାକୁ ପ୍ରମାଣିତ କରିବା ଅବସରରେ, ସେତେ ବେଳକୁ ସେ ମସ୍ତିଷ୍କର ନିଭୃତ କୋଣରେ ଲୁଚି ରହିଥିବା ଅତୀତ ଘଟଣାବଳୀର ସ୍ମୃତି ସମାହାରରେ ବିରାଟ ସ୍ତୁପ ଗଢି ସାରିଥିଲା ଅନ୍ୟପକ୍ଷରେ ଅମିତ୍ ଥଟ୍ଟା ତାମସା କରି ରାଜୁକୁ ପୁରୁଣା କାଳିଆ ଅନ୍ଧବିଶ୍ବାସୀ ଲୋକ ବୋଲି କହି ,ଚିଡାଇ ଚାଲିଥିଲା। ସେମାନଙ୍କ କଥାବାର୍ତ୍ତାରେ କିଞ୍ଚିତ୍ ମାତ୍ର ପ୍ରତିକ୍ରିୟା ନ ଦେଖାଇ ମନୋଜ୍ ଚପଚାପ୍ ବସି ରହିଥିଲା। ବେଳକୁ ବେଳ କଥାବାର୍ତ୍ତାର ତାପମାତ୍ରା ବୃଦ୍ଧି ପାଇବା ଦେଖି ଆଦେଶ ଦେବା ଭଙ୍ଗୀରେ କହିଲା
-- ଆରେ ଭାଇ ସେତିକି ଥାଉ। ଏତେ ଦିନ ପରେ ଆମର ଦେଖା ସାକ୍ଷାତ ହୋଇଛି, ଖିଆପିଆ କରି ମଜାମଜଲିସ୍ କରିବ କଣ, ନିଜ ଭିତରେ ମାଡ ଗୋଳ କରୁଛ? ତୁମର ସେ ଆଲୋଚନା ରେ କିଛି ସମୟ ବିରାମ ଦେଇ, କଣ ଟିକେ ଖାଇ ନିଅ। ସାରା ରାତି ପଡିଛି ଯୁକ୍ତି ତର୍କ କରିବା ପାଇଁ, ଏମିତି ଅଧୈର୍ଯ୍ୟ ହେବାର କିଛି କାରଣ ନାହିଁ।
ରାଜୁ ଆହ୍ଵାନ ଦେବା ଭଙ୍ଗୀରେ କହିଲା - - ଅମିତ୍, ଯଦି ତୋ କଥାରେ ଏତେ ଦମ୍ ଅଛି ବୋଲି ଭାବୁଛୁ, ଆଜି ରାତିରେ ସେ ବତୀଘରକୁ ଏକୁଟିଆ ଯାଇ ପାରିବୁ? ଯଦି ହଁ, ତୁ ଯାହା କହିବୁ ମୁଁ କରିବାକୁ ପ୍ରସ୍ତୁତ।
କିଛି ସମୟ ଚିନ୍ତା କରି ଅମିତ୍ କହିଲା-- ଏଇଟା ଗୋଟେ କଥା! !! ବତୀଘର କଣ, ଯଦି କହିବୁ ମଶାଣିକୁ ଯାଇ ସାରାରାତି କଟାଇ ପାରିବି।
କଲେଜ୍ ପଢିବା ଦିନରୁ ଅମିତ୍, ରାଜୁ ଓ ମନୋଜ୍ ଅତି ଘନିଷ୍ଠ ବନ୍ଧୁ। ପଢା ସରିବା ପରେ ନିଜନିଜ ସହର କୁ ଫେରି, ବିଭିନ୍ନ ବୃତ୍ତିରେ ଯୋଗ ଦେଇ ବେଶ୍ ପ୍ରତିଷ୍ଠିତ। ରାଜୁ ଓ ଅମିତ୍ ଦୁଇଜଣ ସଫଳ ବ୍ୟବସାୟୀ-- ମନୋଜ୍ ଏକ ଘରୋଇ କମ୍ପାନୀରେ ଚାକିରି କରେ। କଲେଜ୍ ଛାଡିବା ପରଠାରୁ, ପ୍ରତି ବର୍ଷ ସେମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ନିହାତି ହୁଏ। ସେଇ ଅବସରରେ ପରସ୍ପରର ଭଲମନ୍ଦ ଜାଣିବା ସହିତ, ବେଶ୍ ହସମଜା ଓ ଖିଆ ପିଆରେ ସମୟ କଟିଯାଏ। ସମସ୍ତେ ନିଜ ଜଞ୍ଜାଳରେ ଏପରି ମଜ୍ଜି ରୁହନ୍ତି ଯେ, କେହି କାହା ବିଷୟରେ ଜାଣିବାର ବା ବୁଝିବାର ଅବକାଶ ଖୁବ୍ କମ ଜୁଟିଥାଏ। ତେଣୁ ତିନି ସାଙ୍ଗ ଏହି ବନ୍ଧୁ ମିଳନ ଦିବସକୁ ଚାହିଁ ରହିଥାଆନ୍ତି। ଏଥର ଆୟୋଜନରଟା ମନୋଜ ଭାଗରେ ପଡିଥିଲା। ସେ ବାଛିଥିଲା ସେହି ସ୍ଥାନ, ଯାହା କଲେଜ୍ ପଢିବା ସମୟରେ ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସହରର ଜନଗହଳିରୁ ବହୁତ ଦୂରରେ, ସମୂଦ୍ରକୂଳରେ ଥିବା ବତୀଘର ପାଖ ଡାକବଙ୍ଗଳାରେ ଆୟୋଜନ କରାଯାଇଛି ବୋଲି ଜାଣିବା ପରେ, ଅନ୍ୟ ଦୁଇ ବନ୍ଧୁଙ୍କ ମନରେ ଅସମ୍ଭବ ଉତ୍କଣ୍ଠା ଥିଲା। ଅତୀତରେ ଏହି ବତୀଘର ଥିଲା ସେମାନଙ୍କ ପାଇଁ ବୁଢୀ ଅସୁରୁଣୀ ଗଳ୍ପମାଳାର ପେଡି ପରି। ଘନ ଅନ୍ଧାର ରେ ଦୂରରୁ ବତୀଘରଟି ଏକ ଭୟଙ୍କର ଅଶରିରୀ ପରି ଦୃଶ୍ଯମାନ ହୁଏ। ସମୁଦ୍ରକୂଳର ଜନମାନବ ଶୂନ୍ୟ ଆବହାଓ୍ବାକୁ ପାଦ ତଳେ ଚାପି ବତୀଘରଟି ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଇବା ପରି ଲାଗେ। ବିଶାଳ ବପୁରେ ସେ ସାଇତି ରଖିଥାଏ ଅନେକ ଅକୁହା ଗୋପନ କଥା। ବେଦନା ର କେତେ ଯେ କାହାଣୀ ର ସ୍ରଷ୍ଟା ଥିଲା ଏହି ବତୀଘର ତାର ହିସାବ ନାହିଁ-- ଅଗଣିତ ଆତ୍ମହତ୍ୟା, ହତ୍ୟା ଓ ନାରୀ ଧର୍ଷଣ ପରି ଜଘନ୍ୟ ଘଟଣାବଳୀ ମାନ ସଂଘଟିତ ହୋଇଥିଲା ଏହି ସ୍ଥାନରେ । ଲୋକେ କୁହନ୍ତି , ବତୀଘରେ ଅନେକ ଅତୃପ୍ତ ରକ୍ତ ପିପାଷୁ ଆତ୍ମା ଘୁରି ବୁଲନ୍ତି। ସୁସ୍ଥ ମସ୍ତିଷ୍କ ଯୁକ୍ତ ବ୍ୟକ୍ତି ମଧ୍ୟ ବତୀଘରେ ପଶିଲେ ନିଜର ସତ୍ତା ହରାଇ ବସନ୍ତି। ସେହି ଆତ୍ମାମାନେ ତାକୁ ନାନା ଯାତନା ଦେଲା ପରେ, ଆତ୍ମହତ୍ୟା କରିବାକୁ ବାଧ୍ୟ କରନ୍ତି, ନଚେତ୍ ହତ୍ୟା କରନ୍ତି। ସେ କଥାରେ କେତେ ସତ୍ୟତା ଅଛି, ତାହା ଜାଣିବାର ଚେଷ୍ଟା କିଞ୍ଚିତ୍ ଲୋକେ କରିଥିଲେ, କିନ୍ତୁ ସେମାନେ ନିଜର ଅନୁଭୂତି ଶୁଣାଇବା ପାଇଁ ଇହ ଜଗତରେ ନାହାଁନ୍ତି। ସମସ୍ତ ଅନୁସନ୍ଧିତ୍ସୁ ମାନଙ୍କର ମୃତ ଶରୀର, ସମୁଦ୍ର ବେଳା ଭୂମିରେ ଲୋଟିବାର ଏକାଧିକ ନଜିର ରହିଛି ।ତରୁଣ ବୟସରେ ସେହି ସବୁ ଲୋମହର୍ଷକ ଘଟଣାକୁ ସ୍ବଚକ୍ଷୁରେ ଦେଖିବା ଅବସରରେ ,ମନ ଭିତରେ "ଭୟ " ନାମକ ଭାବନାର ବୀଜ ବପନ କରିଥିଲା ଏହି ବତୀଘର। ସେହି ବୀଜ କାହା ମନରେ ମହାଦ୍ରୁମର ରୂପ ଧାରଣ କରିବାରେ ସକ୍ଷମ ହୋଇ ପାରିଥିଲା ତ, କାହା ମନରୁ ସମ୍ଫୂର୍ଣ୍ଣ ଲୋପ ପାଇ ଯାଇଥିଲା। ରାଜୁ ମନ ଭିତରେ ଭୟ ନାମକ ବୀଜଟି ସବୁଠାରୁ ସୁସ୍ଥ ସବଳ ଓ ଶକ୍ତିଶାଳୀ ଭାବରେ ବଢିଥିଲା ଓ ତାର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରି ରଖିଥିଲା। ନ ବଢିବ ବା କେମିତି ! ସେ ପ୍ରତିଦିନ ସେହି ବୀଜକୁ ଯଥେଷ୍ଟ ଆହାର ଯୋଗାଇ ଚାଲିଥିଲା ଅଜାଣତରେ।
ଡାକବଙ୍ଗଳାଟିର ଅବସ୍ଥା ବିଶେଷ ଭଲ ବୋଲି କୁହାଯାଇ ପାରିବ ନାହିଁ। ମରାମତି ଅଭାବରୁ ତାହା ଦିନ କୁ ଦିନ ଦୟନୀୟ ହୋଇ ଚାଲିଥିଲା। ଜୀର୍ଣ୍ଣଶୀର୍ଣ୍ଣ କାୟା ବିଶିଷ୍ଟ ବଙ୍ଗଳାକୁ ଅନେକ ଦିନ ଧରି କୌଣସି ଅତିଥି ଆସି ନାହାଁନ୍ତି ବୋଲି, ଦେଖିଲେ ଯେ କେହି ବି ଜାଣି ପାରିବ। ଛାତ ଠାଏ ଠାଏ ଭାଙ୍ଗି ଯାଇଛି, ଅଗଣା ଭିତରେ ଅଛି ଏକ ପୁରାତନ ବରଗଛ-- ଯାହାର ବୟସ ବଙ୍ଗଳାଠାରୁ ଢେର୍ ଅଧିକ। ରାତ୍ରିର ଘନ ଅନ୍ଧକାର କୁ ଦୂରୀଭୁତ କରିବା ପାଇଁ ମିଞ୍ଜିମିଞ୍ଜି ଜଳୁଥିବା କେଇ ଗୋଟି ବିଦ୍ଯତ୍ ବତୀର ତେଜ ନିଷ୍ପଭ୍ରପ୍ରାୟ ଥିଲା। ଭିତର ଅବସ୍ଥା ମଧ୍ୟ ତଦ୍ରୁପ-- ବଖରାରେ ପଡିଥିବା କାଠଖଟର ଗୋଡ ଭଗ୍ନ ପ୍ରାୟ ଓ ଖଟର ସମସ୍ତ ଭାର କେଇଗୋଟି ଚାରି କୋଣିଆ ପଥର ଉପରେ ନ୍ଯସ୍ତଥିଲା। ଖାଇବା ପାଇଁ ପଟା ବାଡା ଯାଇଥିବା ଏକ ଟେବୁଲ୍ ଓ ମଳିଛିଆ ଦିଶୁଥିବା ଚାରିଟି କାଚ ଗିଲାସ ସଜା ଯାଇଥିଲା। ଆଲମାରୀ ର ଅବସ୍ଥା ନ କହିବା ଭଲ-- ଉଇ ମାନଙ୍କ ଦୌରାତ୍ମ୍ୟରୁ ଅର୍ଦ୍ଧାଧିକ ଅଂଶ ଧ୍ଵସ୍ତବିଧ୍ଵସ୍ତ ହୋଇ ପଡିଥିଲା। ତିନି ଗୋଟି ଭଗ୍ନ କାଠପଟା, ଆଲମାରୀର ପୂର୍ବାବସ୍ଥାକୁ ସୂଚାଇବାରେ ଚେଷ୍ଟିତ ଥିଲେ । ମାନ୍ଧାତା ଅମଳରୁ ଲାଗୁଥିବା ସିଲିଂ ପଙ୍ଖା, ପବନ ଅପେକ୍ଷା କର୍କଶ ସ୍ବରରେ ଘଁ ଘଁ ହେବାରେ ଅଧିକା ମନୋନିବେଶ କରିବା ପରି ମନେ ହେଉଥିଲା। ଯାହାହେଉ ରାଜୁ ଓ ଅମିତ୍ ଆସିବା ପୂର୍ବରୁ, ମନୋଜ୍ ଖାଦ୍ୟ ପାନୀୟ ସହ ମିନେରାଲ ପାଣି ଗୋଟେ ପେଟି ଧରି ଆସିଥିଲା । ଶୀତରାତିର ଆସରଟା ଜମିବା ପାଇଁ ଯାହା କିଛିର ଆବଶ୍ୟକତା ଥିଲା, ସେ ସବୁ ଜିନିଷ ପ୍ରତି ମନୋଜ୍ ବେଶ୍ ସଚେତନ ବୋଲି ବୁଝାପଡୁଥିଲା।
ସହରରେ ନୂଆ କରି ଗଢି ଉଠିଥିବା ଚକମକିଆ ହୋଟେଲ ମାଳାର ଲୋଭନୀୟ ରୂପକୁ ଅଣ ଦେଖା କରି, ସମୁଦ୍ର କୂଳରେ ଥିବା ଏ ଜରାକୀର୍ଣ୍ଣ ବଙ୍ଗଳାର ଆତିଥ୍ୟ ଗ୍ରହଣ କରିବାକୁ , କୌଣସି ସାଧାରଣ ବୁଦ୍ଧିସମ୍ପର୍ଣ୍ଣ ବ୍ୟକ୍ତି ଆସିବେ, ସେ ଆଶା ମଧ୍ୟ କ୍ଷୀଣ। ଏତଦ୍ ବ୍ୟତୀତ, ସମୁଦ୍ରର ଉତ୍ତାଳ ଜୁଆରର ଘୋରଘର୍ଘର ନାଦ ସାଙ୍ଗକୁ କାଲୁଆ ପବନର ଅବିରାମ ଆଘାତ ସମ୍ଭାଳିବାର କ୍ଷମତା କେତେ ଜଣଙ୍କ ପାଖରେ ବା ଅଛି?! ବଙ୍ଗଳାର ଅନତିଦୂରରେ ଅଛି ଧିବର ମାନଙ୍କର ବସ୍ତି। ରାତିରେ ବସ୍ତିଟି ପୁରୁଷ ଶୂନ୍ୟ କହିଲେ ଚଳିବ, ସେମାନେ ଚାଲି ଯାଆନ୍ତି ସମୁଦ୍ର ଭିତରକୁ ମାଛ ମାରିବାକୁ ଓ ସକାଳୁ ଫେରନ୍ତି। ତେଣୁ ସେହି ବଙ୍ଗଳାରେ "ନୀରବତା" ର ପ୍ରକୃତ ସଂଜ୍ଞା ମିଳେ ବୋଲି ମନେ ହୁଏ।
ଖାଇ ସାରିବା ପରେ ଅମିତ ଓ ରାଜୁ ଅଳ୍ପ ମଦ୍ୟପାନ କଲେ ଓ ପାଟିରେ ସିଗାରେଟ୍ ଧରି, ପୂର୍ବ ଆଲୋଚନା ଆରମ୍ଭ କରିବା ମାତ୍ରେ ମନୋଜ୍ କହିଲା-- ଆରେ ଭାଇ ମାନେ , କେମିତି ଅଛ, କଣ କରୁଛ, ସେ କଥା ଆଗେ କୁହ। ତା ପରେ ସେ ଭୂତପ୍ରେତ ବିଷୟରେ ଆଲୋଚନା କରିବ। ଏତେ ଦିନ ପରେ ତୁମକୁ ଦେଖି କେତେ ଖୁସି ଲାଗୁଛି ତା'ର ହିସାବ ନାହିଁ। ମୁଁ ତ ଭାବୁଥିଲି ଆସି ପାରିବି କି ନାହିଁ, ଯାହା ହେଉ ଶେଷରେ ତୁମ ମାନଙ୍କ ସହ ଦେଖା ହେଲା।
ଅମିତ୍ ଥଟ୍ଟା କରି କହିଲା, କାଇଁ ଆସି ପାରିବୁନି ବୋଲି ଭାବିଲୁ? କଣ ତୋ ତୋ ବସ୍ ଛୁଟି ଦେବାକୁ ମନା କଲା ନା କଣ? କହିବୁ ଯଦି ତାକୁ ଭଲରେ ପାନେ ଦେବି। ପ୍ରାଇଭେଟ୍ କମ୍ପାନୀର ମାଲିକ ହୋଇ ଏତେ ଫୁଟାଣି !!! ! ଆରେ ତୋ ସାଙ୍ଗ ପାଖରେ ଯେତିକି ଟଙ୍କା ଅଛି ଦଶଟା କମ୍ପାନୀ କିଣିଦେବ। ତୋତେ କହିଲି ମୋ କମ୍ପାନୀରେ କାମ କର, ତୁ ସିନା ଶୁଣିଲେ ହେବ।
– – ନା ରେ ସାଙ୍ଗ ସେକଥା ନୁହଁ ଯେ.....
ତେବେ କଣ ଅସୁବିଧା କହୁନୁ-- ଯଦି କହିବୁ ମୋ ଲୁଗା ଦୋକାନରେ ମ୍ଯାନେଜର୍ କରିଦେବି। ଆରାମ ରେ ରହିବୁ, ନୋହିଲେ ମୋ କାଗଜକଳରେ କାମ କରିବୁ ଯଦି କହ। ସେ ବ୍ୟବସ୍ଥା ବି କରିଦେବି। କହିଲା ରାଜୁ।
ଭାଇମାନେ ତୁମେ ହେଲ ବଡଲୋକ - - ମୋ ଅବସ୍ଥା ତ ଜାଣିଛ। ତୁମ ମାନଙ୍କ ପାଖରେ କାମ କରିବାରେ ଆପତ୍ତି ନାହିଁ, କିନ୍ତୁ ଆମର ଏ ବନ୍ଧୁତ୍ଵ ରହିବ ତ? ଯାହା ପାଖରେ ବି କାମ କରିବି କର୍ମଚାରୀ ହୋଇ ରହିବି, ବନ୍ଧୁ ହୋଇ ନୁହଁ। ସେ କଥା ଛାଡ, ମୋର ଅସୁବିଧା କିଛି ନାହିଁ, ହେଲେ ନିହାତି ଜଣାଇବି। ତୁମେ ମାନେ କୁହ ତୁମ ମାନଙ୍କର ଖବର।
ଅମିତ୍ ଓ ରାଜୁ ନିଜ ନିଜର ପ୍ରତିପତ୍ତି ବିଷୟରେ ବଖାଣିବାରେ ଲାଗିଲେ। ଲାଗୁଥିଲା, ସତେକି ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ମଦନିଶା ଧିରେଧିରେ କାମ ଦେଖାଇବା ଆରମ୍ଭ କରିଦେଇଥିଲା। ତେଣୁ ସେମାନେ କଣ ନାହିଁ କଣ ଗପି ଚାଲିଥିଲେ। ମନୋଜ୍ ଚୁପଚାପ ସେମାନଙ୍କ କଥା ଶୁଣୁଥିଲା ; କାରଣ ପ୍ରତିପତ୍ତି ବା ପ୍ରତିଷ୍ଠା, କୌଣସି ବିଷୟରେ ତାର କିଛି କହିବାର ନ ଥିଲା। ତାର ଦୁଇ ସାଙ୍ଗ ଯେତିକି ଧନୀଥିଲେ ସେ ସେହି ପରିମାଣରେ ଗରୀବ ଥିଲା। ଅମିତ୍ ଟିକେ ଚଢା ଗଳାରେ ପଚାରିଲା-- ଆରେ ମନୋଜ୍ ତୋ ଦେହ ଭଲ ନାହିଁ ନା କଣ? ଏମିତି ବସିଛୁ ଯେ ? ହଁ ତୋତେ ପଚାରିବାକୁ ଭୁଲି ଗଲି-- ତୋର ସେ ପୁରୁଣା କାର କୁଆଡେ ଗଲା? ତାକୁ ବି ବିକ୍ରି କରିଦେଲୁ ନା କଣ?
– – କାଇଁ ନାହିଁ ତ! ମୋ ଦେହ ଭଲ ଅଛି। ସେ ଗାଡିଟା ବାଟରେ ଖରାପ ହୋଇଗଲା ବୋଲି, ଆଉ ଜଣେ ଲୋକ ମୋତେ ଆଣି ଏଠି ଛାଡି ଦେଇଗଲା। ଆଜିର ଆୟୋଜନର ଦାୟିତ୍ଵ ପରା ମୋ ଉପରେ, ସେଥିରେ କେମିତି ଅବହେଳା କରିଥାଆନ୍ତି କହିଲୁ !!!
– – ହାଃ ହାଃ , ଆବେ ମନୋଜ୍ ତୁ ଠିକ୍ କହିଛୁ। ଆମ ପରି ବଡବଡିଆ ଲୋକ ତୋ ସାଙ୍ଗ ବୋଲି ଜାଣିଲେ, ଲୋକଙ୍କ ଖାତିର୍ ତୋ ପାଇଁ ବହୁତ୍ ବଢିଯିବ। କେହି ବିଶ୍ଵାସ କରିବେନି ଯେ ଦୁଇ ଜଣ କୋଟିପତି ବ୍ୟବସାୟୀ, ଗୋଟେ ଛାର ଲୋକ ସହ, ଏ ଗୁହାଳ ପରି ଡାକବଙ୍ଗଳାରେ ରାତ୍ର ଯାପନ ପାଇଁ ଆସିଛନ୍ତି ବୋଲି। ଯାଃ, ତୋ ଜୀବନ ସଫଳ ହୋଇଗଲା। ମଦନିଶାରେ ଆଖି ଲାଲ୍ କରି ତାଚ୍ଛଲ୍ୟ କରିବା ଭଙ୍ଗିରେ କହିଲା ରାଜୁ।
ନୀରବରେ ବସି ରହିଲା ମନୋଜ୍। କଥାର ମଙ୍ଗ ବୁଲାଇବାକୁ ନିଜ ଆଡୁ କହିଲା-- ହଁ ରେ ସାଙ୍ଗ, ତୁ ଯାହା କହିଲୁ ସତ। କିନ୍ତୁ ଭୂତପ୍ରତକୁ ନେଇ ତୁମେ ଯାହା କଥା ହେଉଥିଲ, ସେ ବିଷୟରେ କିଛି ଅଭିଜ୍ଞତା ଅଛି ନା ସେମିତି ଖାଲି ଗପୁଥିଲ?
ଭୁତପ୍ରେତ ନାମ ଶୁଣି ରାଜୁର ଆଖିରେ ଆଗ୍ରହର ଝଲକ ଖେଳିଗଲା। ନିଜକୁ ପ୍ରକୃତିସ୍ଥ କରି କହିଲା- ମନୋଜ୍, ମୋ ଭାଇଟା ପରା- - ତୁ ଟିକେ ଅମିତ୍ କୁ ବୁଝା, ସେ କହୁଛି ଭୁତପ୍ରେତ ନାହାଁନ୍ତି ବୋଲି। ଯଦି ନାହାଁନ୍ତି, ସେ ବତୀଘରକୁ ଯାଇ ପ୍ରମାଣ କରୁ।
– – ଯିବି, ମୁଁ ଅଲବତ୍ ଯିବି। କୋଉ ଭୂତ କି ତା ବୋପା ମୋର କିଛି କରି ପାରିବନି। ତୁମେ ଦୁଇ ଜଣ ସାକ୍ଷୀ ରହିଲ। ଯଦି ମୁଁ ବତୀଘରୁ ଯାଇ ଫେରି ଆସିବି, ତୋ କାଗଜକଳଟା ମୋ ନାମରେ କରିଦେବୁ ତ? ଯଦି ହଁ କହିବୁ ମୁଁ ସାଙ୍ଗେସାଙ୍ଗେ ଯିବି। ରାଜୁ ଉଦ୍ଦେଶ୍ୟରେ କହିଲା ଅମିତ୍।
କାଗଜକଳଟା ରାଜୁର ଭାତ ହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ। ସବୁଠାରୁ ବେଶି ରୋଜଗାର ହୁଏ ସେଇ କାଗଜ କଳରୁ, ଅମିତ୍ ଏ କଥା ଭଲରେ ଜାଣିଛି। ତେଣୁ ସେ ଏପରି ଏକ ସର୍ତ୍ତ ରଖିଲା। ଅନ୍ୟପକ୍ଷରେ ରାଜୁ ମନରେ ଅମିତ୍ ପ୍ରତି ବଢି ଚାଲିଥିଲା ଅସହିଷ୍ଣ ଭାବ। ଖୁବ୍ କମ୍ ଦିନରେ ଅମିତ୍ ର ବ୍ୟବସାୟରେ ଉନ୍ନତି ଦେଖି , ପୁରୁଣା ବ୍ୟବସାୟୀ ମାନେ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲେ। ରାଜୁ ମନ ଭିତରେ ଚାହୁଁଥିଲା ଅମିତ୍ ର କ୍ଷତି। ଯଦି ଭୂତର ଅସ୍ତିତ୍ଵ ପ୍ରମାଣ କରିବା ଅବସରରେ ଅମିତ୍ ର କିଛି ହୋଇଯାଏ, ସେ ନିଷ୍କଣ୍ଟକ ହୋଇ ବ୍ୟବସାୟ କରିବ ବୋଲି ଭାବୁଥିଲା।
ଆଗପଛ ନ ଭାବି କହିଲା--- ବେଶ୍ ସେଇଆ ହେବ। ତୁ ବତୀଘରୁ ଯାଇ ଫେରି ଆସିବା ପରେ, କାଗଜ କଳ କୁ ତୋ ନାମରେ ଲେଖିଦେବି। କିନ୍ତୁ ତୁ ଯଦି ବିଫଳ ହେଲୁ?
– – ଆରେ ମୁଁ ବିଫଳ ହେଲେ, ମୋ ଲାସ୍ କୁ ନେଇ ଘରେ ପହଞ୍ଚାଇ ଦେବୁ। ହାଃ ହାଃ ହାଃ ଅଟ୍ଟହାସ୍ୟ କରି କହିଲା ଅମିତ୍।
କିଛି ସମୟ ମଧ୍ୟରେ ପାଦ ଟଳଟଳ କରି ଅମିତ୍ ହାତରେ ଲଣ୍ଠନ ଧରି ଆଗେଇ ଚାଲିଲା ବତୀଘର ଆଡକୁ। ମନୋଜ୍, ଦେହ ଖରାପ୍ ଲାଗୁଛି କହି, ସେଇ ଖଟ ଉପରେ ପଡି ରହିଲା ଓ ରାଜୁ ବତୀଘରକୁ ନିରୀକ୍ଷଣ କରିବାକୁ ସମୁଦ୍ର କୂଳରେ ଜଗି ରହିଲା।
ସେଦିନ ରାତିରେ ଭୀଷଣ ଶୀତ ପଡିଥାଏ। ସମୁଦ୍ର କୂଳରେ କୁହୁଡି ଜମାଟ ବାନ୍ଧି ଆସୁଥାଏ। ଅମାବାସ୍ୟା ରାତିର ଘନ ଅନ୍ଧକାର ଆକାଶରେ ଚିକମିକ କରୁଥାନ୍ତି ତାରା ମାନେ। ବେଳକୁ ବେଳ ସମୁଦ୍ର ଅଶାନ୍ତ ହୋଇ ଉଠୁଥାଏ ଓ ସୁଉଚ୍ଚ ଲହଡି ମାନ ବେଳାଭୂମିରେ ଧକ୍କା ଖାଇ ପ୍ରଚଣ୍ଡ ଚିତ୍କାର କରୁଥାନ୍ତି। ସମୁଦ୍ରର ଫେନିଳ ଜଳରାଶି ର ବେଳାଭୂମି କୁ ଅବିରତ ଆଗମନ ଓ ପ୍ରତ୍ୟାଗମନ ସହିତ ତାଳ ଦେଇ, ରାଜୁର ହୃତ ସ୍ପନ୍ଦନର ବେଗ ବଢୁଥାଏ ଓ କମୁଥାଏ। ନିଜ ଚତୁଃପାର୍ଶ୍ଵରେ ଘଟି ଚାଲିଥିବା ଘଟଣାବଳୀରେ ଭୌତିକ କାଣ୍ଡର ଲେଶମାତ୍ର ସୂଚନା ପାଉ ନ ଥିଲା ଅମିତ୍। ସେ ସଗର୍ବେ ମାଡି ଚାଲିଥିଲା ବତୀଘର ଆଡକୁ। କିଛି ଦୂରରେ ସେ ଦେଖି ପାରିଲା ଗୋଟିଏ ଛାୟା ମୂର୍ତ୍ତି ତା ସାମନାରେ ଧିରେ ଧିରେ ଅଗ୍ରସର ହେଉଛି । କିଛି କ୍ଷଣ ରହି ଭାବିଲା, ନିସ୍ତବ୍ଧ ପ୍ରହରରେ ଏ ନିକାଞ୍ଚନ ଯାଗାରେ କିଏ ହୋଇପାରେ? ବୋଧ୍ ହୁଏ ଚୋର ବା ଖଣ୍ଟ ହୋଇପାରିଥାଏ, କିମ୍ବା କୌଣସି ଧୀବର। ସେ ଯିଏ ବି ହେଉ ମୋର କଣ ଅଛି? ମନେମନେ କହି ଆଗେଇ ଚାଲିଲା । ବତୀଘର ପାଖରେ ପହଞ୍ଚି ଦେଖିଲା ତାର ନଭଶ୍ଚୁମ୍ଭୀ ପ୍ରକାଣ୍ଡ ରୂପ। ମନ ଟିକେ ଦବିଯିବା ପରି ଲାଗିଲା ; ଭୟ ପାଇଁ ନୁହଁ, ବରଂ ଏତେ ଗୁଡିଏ ପାହାଚ କେମିତି ଚଢିବ ସେଇ ଭାବନା ରେ। ତା ସାମନାରେ ଚାଲୁଥିବା ଛାୟା ମୂର୍ତ୍ତିଟି ଦୃଶ୍ୟମାନ ହେଉନାହିଁ-- ସେ ନିହାତି ଗୋଟିଏ ଧିବର ହୋଇଥିବ, ନହେଲେ କୁଆଡେ ସେ ଗଲା। ପୁଣି ଭାବିଲା ରାଜୁ ତାକୁ ପିଛା କରୁନାହିଁ ତ ? ସେ ମହା ଧପାବାଜ୍ ପ୍ରକୃତିର ଲୋକ। ବାହାରକୁ ତାର ସାଙ୍ଗ ବୋଲି ଦେଖାଇହେଲେ କଣ ହେବ ; ଗୁପ୍ତ ଶତ୍ରୁ ଭାବରେ ସଦାବେଳେ କ୍ଷତି କରିବାରେ ଲାଗି ରହିଛି। ଏପରିକି ତା ନାମରେ ଅନ୍ୟ ବ୍ୟବସାୟୀଙ୍କ ସାମନାରେ ନାନା କୁତ୍ସା ରଟନା ମଧ୍ୟ କରୁଛି। ଯଦି ସେ ବାଜି ରେ ଜିତି ଗଲା, କାଗଜକଳଟା ତାର ହୋଇଯିବ ଓ ରାଜୁର ଗର୍ବ ଖଣ୍ଡ ବିଖଣ୍ଡିତ ହୋଇଯିବ। ପୁଣି ଭାବିଲା-- ନାଃ, ରାଜୁର ଏତିକି କଲିଜା ନାହିଁ ଯେ, ସେ ବତୀଘର ଯାଏ ଆସିବ।
ପ୍ରଥମ ପାହାଚ ଚଢିଲା ବେଳେ ତା ଶରୀରରେ କମ୍ପନ ସୃଷ୍ଟି ହେଲା। ମନେ ପଡିଗଲା ଅତୀତର ଏପରି ଏକ ଗୋପନ କାହାଣୀ ଯାହା ହୃଦୟର ଅତଳ ଗର୍ଭରେ ସମାଧିସ୍ଥ ହୋଇ ରହିଛି କାହିଁ କେତେ ବର୍ଷରୁ। କଲେଜ୍ ରେ ପଢିବା ବେଳେ ନୀତା ନାମକ ଝିଅ କୁ ସେ ପ୍ରେମ ଫାଶରେ ଆବଦ୍ଧ କରିଥିଲା। ଲୋକଲୋଚନରୁ ଦୂରରେ, ଏହି ବତୀଘରେ ହିଁ ତା ସହ ସ୍ଥାପନ କରିଥିଲା ନିଷିଦ୍ଧ ସମ୍ପର୍କ। କିଛି ଦିନ ପରେ ନୀତା ଗର୍ଭବତୀ ବୋଲି ଜାଣିବା ପରେ, ତାକୁ ବିବାହର ପ୍ରତିଶୃତି ଦେଇ ଡାକିଥିଲା ଏଇ ବତୀଘରକୁ। ସିମନ୍ତରେ ସିନ୍ଦୁର ଦେଇ ବତୀଘର ଉପରୁ ସମୁଦ୍ରର ମନୋରମ ଦୃଶ୍ୟ ଦେଖାଇବା ସହ, ସେମାନଙ୍କର ଭବିଷ୍ୟତ ବିଷୟରେ ଦେଇଥିଲା ଅନେକ ପ୍ରତିଶୃତି। ସ୍ଵପ୍ନ ରାଜ୍ୟରେ ନୀତା ବିଚରଣ କରୁଥିବା ସମୟରେ ତାକୁ ଧକ୍କା ମାରି ତଳକୁ ଫିଙ୍ଗି ଦେଇଥିଲା ବତୀଘର ଉପରୁ। ଘଟଣା ପରଦିନ, କଲେଜ୍ ର ଝିଅଟିଏ ବତୀଘରୁ ଡେଇଁ ଆତ୍ମହତ୍ଯା କରିଛି ବୋଲି ଖବର ପ୍ରଚାରିତ ହେବା ପରେ , ସାରା କଲେଜ୍ ର ପିଲା ବତୀଘର ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅମିତ୍ ବି ଥିଲା ଓ ସେ ନୀଚତାକୁ ଦେଖି ବହୁତ କାନ୍ଦିଥିଲା। ପରେ ଜଣା ପଡିଲା, ମୃତ୍ୟୁ ବେଳକୁ ନୀତା ଗର୍ଭବତୀ ଥିଲା। ନିଜ ଉପରୁ ସନ୍ଦେହ ହଟାଇବା ପାଇଁ ଅମିତ୍ ନାନା ଅପପ୍ରଚାର କଲା ବିଚାରି ନୀତା ନାମରେ। ଶେଷରେ ସମସ୍ତେ ଜାଣିଲେ ଯେ, ଅମିତ୍ ର ନିଚ୍ଛକ ଭଲ ପାଇବାକୁ ହତାଦର କରି ନୀତା ଅନ୍ୟ ଲୋକଙ୍କ ସହ ବ୍ୟଭିଚାରରେ ଲିପ୍ତ ଥିଲା ଓ ତାହାର ଉପଯୁକ୍ତ ଦଣ୍ଡ ପାଇଲା। କହିବା ବାହୁଲ୍ୟ, ନୀତାର ମୃତ୍ୟୁକୁ ସମସ୍ତେ ଆତ୍ମହତ୍ୟା ବୋଲି ଭାବିଥିଲେ ଓ ତାହା ହତ୍ୟା ହୋଇପାରେ ବୋଲି କେହି କଳ୍ପନା ମଧ୍ୟ କରି ପାରି ନ ଥିଲେ। ସେ କଥା ମନେ ପକାଇ ଅମିତ୍ ଅଟ୍ଟହାସ୍ୟ କଲା।
ଜଣେ ଗର୍ଭବତୀ ନାରୀ କୁ ହତ୍ଯା କରିବା ପରେ ମଧ୍ୟ ସେ କିପରି ସମସ୍ତଙ୍କ ଆଖିରେ ଧୂଳି ଦେଇ, ଘଟଣା କୁ ଲୁଚାଇ ରଖିପାରିଲା ସେ କଥା ଭାବି ବେଶ୍ ରୋମାଞ୍ଚିତ ହେଲା। ଅଚାନକ କାହା ଡାକରେ ଚମକି ଉଠିଲା ସେ। କିଏ....କିଏ.... ବୋଲି ଚିତ୍କାର କଲା। କିନ୍ତୁ ସେ ଡାକ, ବତୀଘର କାନ୍ଥରେ ପ୍ରତିଧ୍ଵନିତ ହୋଇ ଫେରି ଆସିଲା, ତା ପାଖକୁ। ଲଣ୍ଠନ ଉପରକୁ କରି ସେ ଦେଖିଲା ଚାରି ଆଡକୁ। ନାଃ ...କେହି କୁଆଡେ ନାହାଁନ୍ତି। ପୁଣି ଭାବିଲା ଏମିତି ଡାକ ଶୁଣିବାଟା ନୂଆ ନୁହଁ। ନୀତାକୁ ହତ୍ୟା କରିବା ପରଠାରୁ ସେ ଅନେକ ଥର ଶୁଣିଛି ଏମିତି ଆତୁର ଚିତ୍କାର। ନୀତା ଶେଷ ଥର ପାଇଁ ତାକୁ କହିଥିଲା-- ତୁମେ ଏତେ ବଡ ବିଶ୍ଵାସ ଘାତକ ବୋଲି ମୁଁ ଭାବି ପାରୁନି ଅମିତ୍ , ମୋ ଜୀବନ କୁ ତୁମେ ବରବାଦ୍ କରିଦେଲ। ମୋତେ ମାରିଦେଲେ କଥା ସରିଗଲା ବୋଲି ଯଦି ଭାବୁଛ, ତାହା ତୁମର ଭୁଲ ଧାରଣା। ମୁଁ ଫେରିବି ଓ ନିଶ୍ଚୟ ପ୍ରତିଶୋଧ ନେବି। କଥା ସରିବା ପୂର୍ବରୁ ବତୀଘର ଉପରୁ ନୀତାର ଶରୀର ପବନକୁ ଚିରି ତଳକୁ ଖସି ଚାଲିଥିଲା। ଅମିତ୍ ତା ଘରେ ଅନେକ ଥର ଦେଖିଛି ନୀତାର ଛାୟାରୂପ, କିନ୍ତୁ ତାହା ଦୁର୍ବଳ ମନର ପ୍ରତିଫଳନ ଭାବି ସେ ହସରେ ଉଡେଇ ଦେଇଛି। ଆଶ୍ଚର୍ଯ୍ୟ-- ଆଜି ଏ ନିକାଞ୍ଚନ ସ୍ଥାନରେ କିଏ ନାମ ଧରି ଡାକୁଛି ତାକୁ? ତେବେ କଣ ନୀତାର ଆତ୍ମା...... ନାଃ ହୋଇ ନ ପାରେ, ଅସମ୍ଭବ।
ଥରଥର ପାଦରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାକୁ ଲାଗିଲା। ତାକୁ ଭୀଷଣ ଅଶ୍ବସ୍ତି ବୋଧ ହେଲା ପରି ଲାଗିଲା, ସତେ କି ତାକୁ କିଏ ଉପରକୁ ଟାଣି ନେଉଛି। ମନରେ ଭାବିଲା, ଆଉ ଆଗକୁ ନ ଯାଇ ବଙ୍ଗଳାକୁ ଫେରିଯିବ ଓ ରାଜୁକୁ କହିବ ଯେ ସେ ବତୀଘର ଉପରୁ ଫେରିଲା। ସେ ବା କଣ ଜାଣିବ? ଭୟରେ ସେ ବତୀଘର ପାଖକୁ ଆସିବାର ପ୍ରଶ୍ନ ଉଠୁନି। ସେତିକି ବେଳକୁ ତା ନଜର ପଡିଲା ଏକ ମଙ୍ଗଳସୂତ୍ର ଉପରେ। ଠାଏ ଠାଏ ଛିଣ୍ଡି ଯାଇଛି ଓ ବହୁତ ପୁରୁଣା ଦେଖା ଯାଉଛି। ନୀତା ବେକରେ ସେ ପିନ୍ଧାଇଥିବା ମଙ୍ଗଳସୂତ୍ର କଥା ଭାବିଲା। ଠିକ୍ ସେହିପରି ଦିଶୁଛି ତ!! ! ନା ହୋଇ ନ ପାରେ- - ପାଖରେ ଧୀବର ବସ୍ତି। କିଏ କେତେ ବେଳେ ଆସିଥିବ, କାହାର ଛଣ୍ଡି ପଡିଯାଇ ଥାଇପାରେ। ତାହା ଯେ ନୀତାର, ସେମିତି କିଛି ବଳିଷ୍ଠ ପ୍ରମାଣ ଆପାତତଃ ନାହିଁ-- ସେ ଆଗକୁ ବଢିଲା।
ପ୍ରତିଟି ପାହାଚ ଅତିକ୍ରମ କରିବା ସହିତ ସେ ଡାକଟି ସ୍ପଷ୍ଟତର ହେବାରେ ଲାଗୁଥିଲା। ସେ ନିଜେ ଜାଣି ପାରୁ ନ ଥିଲା , ତାହା ମଦର ପ୍ରଭାବ ନା ଦୁର୍ବଳ ମନର ପ୍ରତିଫଳନ ମାତ୍ର। ନାଃ , ଆଗକୁ ଯିବା ମୁର୍ଖାମି ହେବ, ତାକୁ ଫେରିବାକୁ ହେବ। କଣ ମିଳିବ ସେ ବାଜି ରୁ, ଯାହା ଭଗବାନ ଦେଇଛନ୍ତି ସେତିକି ଯଥେଷ୍ଟ। ସେ ଫେରିବାକୁ ଚେଷ୍ଟା କଲା। ମାତ୍ର ତାର ପାଦ ଦୁଇଟି ଯେମିତି ଯନ୍ତ୍ରବତ୍ ଆଗକୁ ମାଡି ଚାଲିଥିଲେ। ସତେ କି ସେମାନେ ଅମିତ୍ ର ନିୟନ୍ତ୍ରଣ ବାହାରେ। ଏବେ ସେ ପାହାଚ ଚଢୁ ନ ଥିଲା ; ବରଂ ଘୋଷାଡି ହୋଇ ଉପରକୁ ଚାଲିଥିଲା।
ଏ କଣ !!! ! କାହାର ଅଟ୍ଟହାସ୍ୟରେ କାନ ପରଦା ଫାଟିଲା ପରି ଲାଗୁଛି। ଚୁଡିର ରୁଣ୍ ଝୁଣ୍ ଶବ୍ଦ ସହ ଗୁଣୁଗୁଣୁ ଗୀତ ଗାଇବାର ଶବ୍ଦ ମଧ୍ୟ ଶୁଭୁଛି। ସମୁଦ୍ରରୁ ବୋହି ଆସୁଥିବା ବରଫ ପରି ଥଣ୍ଡା ପବନ ତା ଗାଲରେ ଚାପୁଡା ପରେ ଚାପୁଡା ମାରିବା ପରି ଲାଗୁଛି। ତେବେ ସେ କଣ ନୀତାର ଅତୃପ୍ତ ଆତ୍ମା କବଳରେ ପଡିଯାଇଛି ?
ବେଳାଭୂମିର ବାଲି ଉପରେ ବସି ଏକ ଲୟରେ ରାଜୁ ବତୀଘର ଆଡକୁ ଚାହିଁଛି। ଚାହିଁଛି କହିଲେ ଭୁଲ୍ ହେବ, ସେ ପ୍ରତୀକ୍ଷା କରିଛି, କେତେବେଳେ ଅମିତ୍ ବତୀଘର ଉପରୁ ତଳକୁ ପଡିବ। ନିଜକୁ ସେ ପ୍ରସ୍ତୁତ କରୁଛି, କିପରି ଅମିତ୍ ର ଶବକୁ ଧରି ସହରକୁ ଫେରିବ। ମନ ଭିତରେ ଖେଳୁଛି ପୈଶାଚିକ ଆନନ୍ଦ। ପଛ ପଟେ କାହାର ପାଦ ଶବ୍ଦ ଶୁଣି ସେ ଚମକି ପଡିଲା। ଦେଖିଲା ଜଣେ ବୁଢା ଲୋକ ତାକୁ କଣ କହୁଛି। ଲୋକଟିର ମୁହଁ ଦିଶୁନାହିଁ, ଆପାଦମସ୍ତକ ସେ ଗୋଟିଏ ଚଦର ଘୋଡାଇ ଛିଡା ହୋଇଛି। ଚଢା ଗଳାରେ କହିଲା ରାଜୁ-- ଆରେ ଏତେ ରାତିରେ ଏଠି କଣ କରୁଛୁ। ଯା ପଳା ଏଠୁ।
– – ବାବୁ ମୋ ପଇସାଟା ଦେଲନି ଯେ...!
– – ଆରେ କି ପଇସା ତୋର?ପାଗଳଟା କିରେ, ମୁଁ ତୋତେ ଜାଣିନି କି ଚିହ୍ନିନି, କି ପଇସା ଦେବି ?
– – ବାବୁ , ମୋତେ ତୁମେ ଜାଣିନ? ମୁଁ ପରା ମାଧବ, ମୋ ଜମି ଜବରଦସ୍ତି ନେଇ ତୁମ କାଗଜକଳ ଠିଆ କଲ-- ପଇସା ବି ଦେଲନି। ଶେଷରେ ତୁମ କାଗଜକଳରେ ଶ୍ରମିକ ହୋଇ କାମ କଲି। ସେତିକି ରେ ମନ ଶାନ୍ତ ହେଲାନି ଯେ ମୋ ଝିଅ ବୋହୂଙ୍କ ଇଜ୍ଜତ ନେଲ। ମୁଁ ପ୍ରତିବାଦ କରିବାରୁ, ଗୁଣ୍ଡା ଲଗେଇ ଆମ ପରିବାରକୁ ଜାଳି ପୋଡି ଶେଷ କରିଦେଲ।
ରାଜୁର କାନ ପାଖକୁ ବୁଢା ଲାଗି ଆସି କହିଲା--- ଏବେ ମନେ ପଡିଲା ତ? ହେଇ ଦେଖ ତୁମେ କଣ କରିଛ ଆମ ମାନଙ୍କ ସହିତ ; ଏତିକି କହି ବୁଢା ସେ ଚଦରଟି ତଳକୁ ଖସାଇ ଦେଲା। ତା ଦେହ ସାରା ଜଳି ଯାଇଛି, ମାଂସ ଖଣ୍ଡ ଥୋଲା ଥୋଲା ହୋଇ ତଳେ ଗଳି ପଡୁଛି। ବୁଢା ପଛ କୁ ଛିଡା ହୋଇଛନ୍ତି ଆଉ ଦୁଇଟି ନାରୀ ମୂର୍ତ୍ତି। ସେମାନଙ୍କ ମୁଣ୍ଡରେ ଗୋଟିଏ ହେଲେ କେଶ ନାହିଁ, ଜଳି ପୋଡି ମେଞ୍ଚା ହୋଇଯାଇଛି। ଦେହର ପ୍ରତିଟି ଅଙ୍ଗରୁ ପୋଡା ମାଂସ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି। ସେ ସ୍ଥାନଟି ପୋଡା ମାଂସ ଗନ୍ଧରେ ଫାଟି ପଡିଲା ପରି ଲାଗୁଛି। ଓଃ କି ବିଭତ୍ସ ଦୃଶ୍ୟ। ତିନିଟି ଛାୟା ମୂର୍ତ୍ତି , ରାଜୁ ଚାରି ପଟରେ ଘେରିଗଲେ ଓ ସେ ଚିତ୍କାର କରି ବାଲି ଉପରେ ପଡିଗଲା।
ବତୀଘର ଉପରୁ ସମୁଦ୍ରର ରୂପ ସ୍ପଷ୍ଟ ଦିଶୁଛି। ତା ସାଙ୍ଗକୁ ଦୂର ସହରରେ ଜଳୁଥିବା ଆଲୋକ ମାଳା , ଜୁଳୁଜୁଳିଆ ପୋକ ପରି ଦିଶୁଛି। ସମୁଦ୍ର ବୁକୁରେ ମାଛ ମାରିବାରେ ବ୍ୟସ୍ତ ଥିବା ଧିବର ମାନଙ୍କର ଡଙ୍ଗାର ଆଲୋକ ମିଞ୍ଜିମିଞ୍ଜି ହୋଇ ଦିଶୁଛି। ମନେ ମନେ ଭାବିଲା ଅମିତ୍, ତା ଦୁଇ ସାଙ୍ଗ ଏମିତି ଦୃଶ୍ୟ ଦେଖିଲେ କେତେ ଖୁସି ହୋଇ ଥାଆନ୍ତେ। କାହାର ସ୍ପର୍ଶରେ ଚମକି ଉଠିଲା ସେ। ଚାରି ଆଡକୁ ବୁଲି ଦେଖିଲା, କେହି କୁଆଡେ ନାହାଁନ୍ତି। ତେବେ ତା ନାମ ଧରି ଡାକୁଥିଲା କିଏ? ସେ ପାଟିକରି ଡାକିଲା-- ଆରେ କିଏ, ଏଠି ତାମସା ଲଗେଇଛୁ? ମୋ ସାଙ୍ଗେ ଥଟ୍ଟା ଖେଳନି କହୁଛି, ନ ହେଲେ ଏ ବତୀଘର ଉପରୁ ତଳକୁ ଫିଙ୍ଗିଦେବି। ଅମିତ୍ ବଡ ଅସହାୟ ଅବସ୍ଥାରେ ବତୀଘର ଉପରୁ ଚିତ୍କାର କରିବା ଆରମ୍ଭ କରିଦେଇଥିଲା। ଉପରୁ ସେ ଦେଖି ପାରୁଥିଲା ବେଳାଭୂମି ଉପରେ ତିନିଟି ଛାୟା ମୂର୍ତ୍ତି, କାହା ଚାରି ପଟରେ ଘେରି ଛିଡା ହୋଇଛନ୍ତି। ନିଜର ସମସ୍ତ ଶକ୍ତି ଖଟାଇ, ସେମାନଙ୍କ ଉଦ୍ଦେଶ୍ୟରେ ଚିତ୍କାର କରି ଡାକିବାକୁ ଲାଗିଲା।
ହାବୁକାଏ ପବନରେ ଦୋହଲିଗଲା ଅମିତ୍ ର ଶରୀର। ଲଣ୍ଠନରୁ କିରାସିନି ସରିବା ଉପରେ- - - ବେଳକୁ ବେଳ ଆଲୋକର ଶିଖା ମଳିନ ପଡି ଚାଲିଛି। କେହିଜଣେ ତା କାନ ପାଖରେ ଫିସଫିସ କରି କହିଲା-- ଫିଙ୍ଗି ଦେ, ମୁଁ ତ ସେଇଆ ଚାହୁଁଛି। କିନ୍ତୁ ଏଥର ତୁ ମଧ୍ୟ ବତୀଘର ଉପରୁ ତଳକୁ ଯିବୁ। ତେବେ ଜାଣି ପାରିବୁ ଫିଙ୍ଗିବା ଓ ଫିଙ୍ଗାଯିବା ମଧ୍ୟରେ ପାର୍ଥକ୍ୟଟା କଣ---- ହାଃ ହାଃ ହାଃ।
ନୀତା ତୁମେ ସବୁ ଏମିତି କରୁଛ ନା? ଉତ୍ତର ଦିଅ-- ମୋତେ ଏମିତି କଲବଲ କାହିଁକି କରୁଛ? ହଁ, ମୁଁ ତୁମର ଦୋଷୀ, ମୁଁ ମାରିଛି ତୁମକୁ। କଣ କରିଥାନ୍ତି? ଅନ୍ୟ କିଛି ବାଟ ନ ଥିଲା। ତାଜା ରକ୍ତରେ ଜୁଡୁବୁଡୁ ଏକ ନାରୀ ମୂର୍ତ୍ତି ଅମିତ୍ ର ଆଗରେ ଛିଡା ହୋଇଗଲା। ତା ମୁହଁ ଏତେ ବିଭତ୍ସ ଯେ କଳ୍ପନା କରିହେବନାହିଁ। ମୁଣ୍ଡ କୁ ହାତୁଡିରେ ପିଟିଲେ ଯେପରି ଖଣ୍ଡ ବିଖଣ୍ଡିତ ହୋଇଯିବ, ଠିକ୍ ସେପରି ତା ମୁଣ୍ଡ ଫାଟି ହାଡ ବାହାରକୁ ବାହାରି ଆସିଥିଲା। ଆଖି ଡୋଳା ଦୁଇଟି ରଡନିଆଁ ପରି ଜଳୁଥିଲା - - - ସମଗ୍ର ଶରୀର ଥିଲା ହାଡ ଓ ପଚା ମାଂସର ସମାହାର। ଅଶରୀରିର ହାତ ଦୁଇଟି ଅମିତ୍ ର ବେକ ପାଖକୁ ଲମ୍ବି ଆସିଲା। ଠିକ୍ ସେତିକି ବେଳେ ଆବିର୍ଭାବ ହେଲା ସେଇ ତିନୋଟି ଛାୟା ମୂର୍ତ୍ତିଙ୍କର, ଯେଉଁମାନେ ବେଳାଭୂମିରେ ଥିଲେ। " ମୋତେ ରକ୍ଷାକର" ବୋଲି କହି ଅମିତ୍ ସେମାନଙ୍କ ପାଖକୁ ଦୌଡି ଗଲା। କିନ୍ତୁ ଯାହା ଦେଖିଲା, ନିଜ ଆଖିକୁ ବିଶ୍ଵାସ କରି ପାରିଲାନି। ସେହି ଛାୟା ମୂର୍ତ୍ତି ମାନଙ୍କର ଶରୀର ଥିଲା ପୋଡିଯାଇଥିବା ମାଂସ ଓ ହାଡର ସମାହାର। ନୀତା ଓ ସେହି ତିନିଜଣଙ୍କ ବିକଟାଳ ଅଟ୍ଟହାସ୍ୟରେ ବତୀଘରଟି ଦୋହଲିବାରେ ଲାଗିଲା। ମନେ ହେଲା, ଯେ କୌଣସି ସମୟରେ ସମଗ୍ର ବତୀଘରଟି ଭୁଷୁଡି ପଡିବ। ସେମାନେ ଅଟ୍ଟହାସ୍ୟ କରି ଆଗକୁ ବଢିଲେ ଓ ଅମିତ୍ ର ପାଦ ଧିରେ ଧିରେ ପଛକୁ ଗଲା। ପଛକୁ ବୁଲି ଦେଖିଲା ସେ। ଆଉ ଯଦି ଗୋଟିଏ ପାଦ ପଛକୁ ନିଏ, ସେ ତଳେ ପଡିଯିବ ଓ ତା ଶରୀର ଖଣ୍ଡ ବିଖଣ୍ଡିତ ହୋଇଯିବ। ସେତିକି ବେଳକୁ ଚାରିଟି ଛାୟା ମୂର୍ତ୍ତିକୁ ଏକ ପ୍ରକାର ଠେଲି ଦେଇ, ମନୋଜ ଧସେଇ ପଶିଲା। ମୋ ସାଙ୍ଗକୁ ଛାଡିଦିଅ କହି ସେ ଆଗେଇ ଆସିବା ବେଳକୁ, ଅମିତ୍ ବତୀଘର ଉପରୁ ତଳକୁ ଖସିବା ଆରମ୍ଭ କରିସାରିଥିଲା। କିଛି ସମୟ ଭିତରେ ସେ ଚେତା ହରାଇଦେଲା।
ବେଳାଭୂମିର ବସିଥିଲେ ତିନି ସାଙ୍ଗ,କାହା ପାଟିରୁ ବଚନ ସ୍ଫୁରୁନାହିଁ। ସାହାସ ସଞ୍ଚୟ କରି ଅମିତ୍ କହିଲା-- ଧନ୍ୟବାଦ ସାଙ୍ଗ, ତୁ ନ ଥିଲେ ଆଜି ସେମାନେ ମୋତେ ମାରି ଦେଇଥାଆନ୍ତେ। କିଛି ନ କହି ହସିଲା ମନୋଜ୍। ରାଜୁ ଆକୁଳ କଣ୍ଠରେ କହିଲା-- ତା ମାନେ ତୁ ବତୀଘର ଉପରକୁ ଯାଇଥିଲୁ? ଧେତ୍ ମୋ ଭାଗ୍ୟ ଖରାପ୍। ତୁ ପ୍ରକୃତରେ ଏକ ନମ୍ବର ଧୁର୍ତ୍ତ।
ହସିହସି କହିଲା ଅମିତ୍-- ଆରେ ଯାଇଥିଲି ଓ ଭୂତ ମାନଙ୍କ ସହ ଦେଖା ସାକ୍ଷାତ ବି ହେଲା। ସେମାନେ ମୋତେ ଉପରୁ ତଳକୁ ଠେଲିଦେଲେ। ତଥାପି ମୁଁ ତୋ ଆଗରେ ଅଛି। ଏଥର କାଗଜକଳଟା ମୋ ନାମରେ ଲେଖିବା ପାଇଁ ପ୍ରସ୍ତୁତ ହୋଇ ଯା, ରାଜୁ। ଯଦି ମୋ କଥାରେ ବିଶ୍ଵାସ ହେଉନି, ମନୋଜ୍ କୁ ପଚାରି ପାରୁ।
ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟ ହେବାର ପ୍ରାକ୍ ପ୍ରସ୍ତୁତି ଚଲାଇଥିଲେ। ଧିବରମାନେ ମାଛ ଡଙ୍ଗା ଧରି କୂଳକୁ ଫେରିବା ଆରମ୍ଭ କରି ସାରିଥିଲେ ଓ ବସ୍ତିର ପିଲାମାନେ ଜାଲରୁ ମାଛ, କଙ୍କଡା ଗୋଟାଇବାରେ ମନଦେଇ ଲାଗିଥିଲେ। ବଡ ମନୋରମ ଦୃଶ୍ୟ ଥିଲା। ବଙ୍ଗଳା ପାଖରେ ଲୋକ ଗହଳି ଦେଖି, ତିନି ସାଙ୍ଗ ସେ ଆଡକୁ ଅଗ୍ରସର ହେଲେ।
– – ଆରେ କଣ ହୋଇଛି? ବଙ୍ଗଳାରେ ପୋଲିସ୍ ଗାଡି ଲାଗିଛି ଓ ଏତେ ଲୋକ ଜମା ହୋଇଛନ୍ତି ? ଆମ ଜିନିଷପତ୍ର ଅଛି ନା ଚୋରୀ ହୋଇଗଲା ଚାଲ ଦେଖିବା। ସେମାନେ ଆମ କାର୍ ଖୋଲିବାକୁ କାହିଁକି ଚେଷ୍ଟା କରୁଛନ୍ତି? ଏକା ନିଶ୍ଵାସରେ କହି ଚାଲିଥିଲା ମନୋଜ୍। ତିନି ଜଣ ବଙ୍ଗଳା ଆଗରେ ପହଞ୍ଚିବା ପରେ ମଧ୍ୟ ତାଙ୍କ ଆଡକୁ କେହି ଦେଖିଲେ ନାହିଁ। ମନୋଜ୍ ଚିତ୍କାର କରି ପୋଲିସ୍ ମାନଙ୍କୁ ପଚାରିଲା--- ଆରେ କଣ ହୋଇଛି, ଘଟଣାଟା କୁହ। ମୋ ଗାଡି ଭିତରେ କଣ ଅଛି ଯେ ଏମିତି ଦେଖି ପକାଉଛ ? ମୁଁ ଚୋର ନା ତସ୍କର? ତଥାପି ପୋଲିସ୍ ବା ଲୋକମାନଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିଲାନି। ତିନି ସାଙ୍ଗ ପରସ୍ପରର ମୁହଁ ଚାହିଁ ରହିଥାଆନ୍ତି। ରାଜୁ କହିଲା-- ଆରେ ଭାଇ, ଆମେମାନେ ଅଦୃଶ୍ୟ ହୋଇଗଲେ ନା କଣ? ବଢିଆ ମଜା !ତ! !
ସେତିକି ବେଳକୁ ବଙ୍ଗଳାର ବାହାଦୁର ଆସି ପୋଲିସ୍ କୁ କହିଲା-- ମୁଁ ଖବର ଦେଇଥିଲି ଆଜ୍ଞା। କାଲି ଜଣେ ବାବୁ ଆସିଥିଲେ ଓ ମୋତେ କହିଲେ ତାଙ୍କର ଦୁଇ ସାଙ୍ଗ ଆସିବେ ଓ ବଙ୍ଗଳାରେ ରହିବେ। ସେ ଖାଇବା ପତ୍ର ଧରି ଆସିଲେ ଓ ବଙ୍ଗଳାରେ ରଖି, କାର୍ ରେ ପୁଣି ଥରେ କୁଆଡେ ଗଲେ। ବହୁତ ସମୟ ଚାହିଁଲା ପରେ ସେ ନ ଆସିବାରୁ, ବଙ୍ଗଳାର କବାଟ ଆଉଜାଇ ଦେଇ ମୁଁ ଘରକୁ ଚାଲିଗଲି। ତା ପରେ କଣ ହେଲା ମୁଁ ଜାଣିନାହିଁ। କିନ୍ତୁ ଆଜି ସକାଳୁ ଦେଖିଲି , ସେ ବାବୁ ଆସିଥିବା କାର୍ ଟା ପାଖ କେନାଲକୁ ଖସି ପଡିଛି ଓ ତା ଭିତରେ ସେ ବାବୁ ମରି ପଡିଛି। ବେଳାଭୂମି ରେ ପଡିଥିଲା ଆଉ ଦୁଇଟି ଶବ, ସେମାନେ ନିହାତି ସେ ବାବୁର ସାଙ୍ଗ ହୋଇଥିବେ। ଲୋକଙ୍କୁ ଯେତେ ମନା କଲେ ବି ସେମାନେ ସେଇ ବତୀଘରକୁ ଯାଉଛନ୍ତି ଓ ଅଖଞ୍ଜରେ ମରୁଛନ୍ତି।
ବଙ୍ଗଳାର ଅଗଣାରେ ପଡି ରହିଥିଲା ତିନୋଟି ଶବ, ଯାହାଥିଲା ମନୋଜ, ରାଜୁ ଓ ଅମିତ୍ ର। କାକୁସ୍ଥ ସ୍ବରରେ ପଚାରିଲା ରାଜୁ--- ତା ମାନେ ଆମେ କଣ ମରିଯାଇଛେ ? ମନୋଜ୍ ଓ ଅମିତ୍ ଏକ ଲୟରେ ଚାହିଁ ରହିଥିଲେ ସେହି ବତୀଘରକୁ।
–-----