Arabinda Rath

Drama Tragedy

4.5  

Arabinda Rath

Drama Tragedy

ବ୍ଯତିକ୍ରମ

ବ୍ଯତିକ୍ରମ

13 mins
285



- - ବୁଢାବାବୁ ଟିକେ ଭିତରକୁ ବସ । ରାସ୍ତାର ଅବସ୍ଥା ଯାହା,ସାବଧାନରେ ନ ବସିଲେ କେତେବେଳେ ଗଳି ପଡିବ ନିଜେ ଜାଣି ପାରିବନି।

- - ଆରେ ବୁଢାବାବୁ କାହାକୁ କହୁଛୁ। ତୋତେ ବ୍ଯବହାର ଜଣାନାହିଁ ନା କଣ? ତୁ ବୋଧେ ମୋତେ ଭଲରେ ଚିହ୍ନି ପାରିଲୁନି। ଜାଣି ରଖ୍, ମୁଁ ଜଣେ ବହୁତ ବଡ ବାବୁ। ବଡ ବୋଇଲେ, ସବୁଠୁ ବଡ। କଣ ବୁଝିଲୁ ଟି? ଆରେ ହଁ କି ନାହିଁ ଉତ୍ତର ଦେଲେ ସିନା ଜାଣିବି, ମୁହଁରେ ମଣ୍ଡା ପୁରେଇଛୁ ନା କଣ?

   ଅଟୋବାଲାକୁ ଅମରବାବୁଙ୍କ କଥା ବାଧିିଲା ବୋଧେ,ସେ କୌଣସି ଉତ୍ତର ନଦେଇ ଗାଡି ଚଳାଇବାରେ ଲାଗିଲା। କିନ୍ତୁ ଅମରବାବୁ ସେହି ନୀରବତାକୁ ଭ୍ରୁକ୍ଷେପ ନକରି ଗପି ଚାଲିଲେ ନିଜ ସହ - - ଆରେ ବାବୁ,ଦିନ ଥିଲା ମୋ ପାଖରେ ମାର୍ବଲ ପରି ଧଳା ଚିକ୍କଣ ସରକାରୀ ଗାଡି ଥିଲା। ୟୁନିଫର୍ମ ପିନ୍ଧା ଡ୍ରାଇଭର ସଦାବେଳେ ଜାଗତିଆର ହୋଇ ରହୁଥିଲା। ଘରୁ ବାହାରିବା ମାତ୍ରେ ସସମ୍ମାନେ ଗାଡିର ଦରଜା ଖୋଲି ଅପେକ୍ଷା କରି ରହୁଥଲା ମୁଁ ସବାର ହେବା ପର୍ଯ୍ଯନ୍ତ । ବସିବା ପରେ କବାଟ ବନ୍ଦ କରି ସଲାମ ଠୁଙ୍କି ଗାଡି ଚଳାଉଥିଲା। ମୁଁ ସେହି ଅମର ସାମନ୍ତରାୟ, ଯିଏ ପାଟି ଖୋଲିବା ମାତ୍ର ଗୋଛାଗୋଛା ଅର୍ଦ୍ଦଳି,ଚପରାଶୀ ପହଞ୍ଚି ଯାଉଥିଲେ ମୋର ସେବାର୍ଥେ। ଚାଲିଗଲେ କର୍ମଚାରୀ ମାନେ ଆପେ ଆପେ ପାଖେଇ ଯାଉଥିଲେ। ମୋ ସାମ୍ନାରେ ଛିଡା ହେବାର ଦୁଃସାହାସ କେହି କରୁ ନଥିଲେ। ନିୟମରେ ତିଳେମାତ୍ର ଏପଟ ସେପଟ ହେଲେ ମୁଁ ସ୍ବୟଂ ଭଗବାନଙ୍କୁ ମଧ୍ଯ କ୍ଷମା ଦେବା ଲୋକ ନଥିଲି। ଆରେ ସେଥିପାଇଁ ତ ସରକାର ବାହାଦୁର ମୋତେ ଯୋଗ୍ଯତମ କର୍ମଚାରୀ ଭାବରେ ପୁରସ୍କୃତ କରିଥିଲେ। 

ଆଜି ସିନା ମୁଁ ରିଟାୟାର୍ଡ ବୋଲି……ଅମର ଅଚାନକ ଚୁପ୍ ହୋଇ ଦୁଇ ପାପୁଲିରେ ମୁହଁ ଢାଙ୍କି ରହିଲେ କେଇ କ୍ଷଣ। ପୁଣି ରୁମାଲ କାଢି ଆଖି ପୋଛିବାରେ ଲାଗିଲେ। ଅଟୋବାଲା ପଛ ଦର୍ପଣରେ ସବୁ ଦେଖି ମଧ୍ଯ ନ ଜାଣିବା ପରି ଅଭିନୟ କରୁଥିଲା। ତା' ପାଇଁ ଏମିତି ସବାରୀ କିଛି ନୂଆ ନୁହଁ। ସେହି ଅଟୋରିକ୍ସାରେ ଅଗଣିତ ହସ,ଲୁହ,ସଫଳତା ଓ ବିଫଳତାର କାହାଣୀକୁ ସେ ପ୍ରତ୍ଯକ୍ଷ କରି ଚାଲିଥିଲା ଅଟୋ ଚଳାଇବା ଦିନରୁ।

   ଗନ୍ତବ୍ଯସ୍ଥଳରେ ପହଞ୍ଚିି ଅଟୋରୁ ଓହ୍ଲାଇଲେ ଅମର। ଡ୍ରାଇଭର ହାତକୁ ଶହେ ଟଙ୍କା ବଢାଇଦେଇ ବାକି କୋଡିଏ ଟଙ୍କା ଫେରସ୍ତକୁ ଅପେକ୍ଷା କରି ରହିଲେ। ଅଟୋବାଲା ଭାବୁଥିଲା ତାକୁ ଶୁଣିବାକୁ ମିଳିବ ଯେ - - ବାକି ଖୁଚୁରା ନିଜେ ରଖ। ଚାହା ପାନ ଖାଇନେବ। କିନ୍ତୁ ଅମରଙ୍କ ବର୍ଦ୍ଧିତ ହସ୍ତପାପୁଲି ଅନ୍ଯ କିଛି ଇସାରା କରୁଥିଲା। ଶେଷରେ କୋଡିଏ ଟଙ୍କା ଅମରଙ୍କ ହାତରେ ଦେଇ ସେ କହିଲା- - ଫୁଃ ..ଏମାନେ ପୁଣି ବଡଲୋକ। 

   ଅମର ପ୍ରତ୍ଯୁତ୍ତରରେ କିଛି କହିବାକୁ ଚାହୁଁଥିଲେ,ମାତ୍ର ସେତେବେଳକୁ ଅଟୋରିକ୍ସାଟି ଧୂଳି ଉଡାଇ ସେହି ସ୍ଥାନରୁ ନିଷ୍କ୍ରାନ୍ତ ହୋଇ ସାରିଥିଲା।

   ଏହି ବିବାହ ଉତ୍ସବକୁ ଆସିବାକୁ ଅମରଙ୍କର ଯମାରୁ ଇଛା ନଥିଲା । ବରଂ ସେ ଆଜି ନାତିକୁ ଚେସ୍ ଖେଳ ଶିଖାଇବେ ବୋଲି କଥା ଦେଇଥିଲେ। କିନ୍ତୁ ପୁଅବୋହୂଙ୍କର କଟୁକ୍ତି ଶୁଣି କେତେ ସମୟ ବା ସମ୍ଭାଳି ପାରିଥା'ନ୍ତେ। ତେଣୁ ବାଧ୍ଯରେ ଆସିବାକୁ ହେଲା। ଆଜି ପୁଅ ମୁହଁରେ ରୋକଠୋକ କହିଦେଲା- - କେତେଦିନ ଏମିତି ଘରେ ପଡିପଡି ସମୟ କାଟିବ। ପାଞ୍ଚ ଲୋକଙ୍କ ସହ ସିନା ମିଶିଲେ ମନ ପରିବର୍ତ୍ତନ ହେବ। କେବଳ ଖାଇବା ଓ ଶୋଇବା ବ୍ଯତୀତ ତୁମେ କରୁଛ କଣ? ବିଚାରି ରୀନା ତୁମ କାମ କରିକରି ନୟାନ୍ତ ହୋଇଗଲାଣି। ତାକୁୁ ଦିନରାତି ତୁମେ ଗଧ ପରି ଖଟାଇ ଚାଲିଛ। ପିଲାଟାର ପାଠଶାଠ ଟିକେ ଦେଖିଲେ ହୁଅନ୍ତାନି? ଛାଡ- -ତୁମ ଦ୍ବାରା ସେତିକି ବି ହେବନି। ତାକୁ ପାଖରେ ବସାଇ କେବଳ ନିଜ ଚାକିରି ସମୟର ବଡିମା ଗାଇବା ବ୍ଯତୀତ କରୁଛ କଣ। ମାଆ ଗଲାନି ଯେ ଆମ ବେକରେ ନାଗଫାଶ ପକାଇ ଚାଲିଗଲା। ସେ ଯିବା ପରେ ତୁମେ ଯେମିତି ହେଉଛ- - ଆମ ଜୀବନ ଦୁର୍ବିସହ ହୋଇ ଗଲାଣି। 

   ଗଗନଙ୍କ ପକ୍ଷେ ଅଧିକ କିଛି ଶୁଣିବାର ଧୈର୍ଯ୍ଯ ନଥିଲା। ସେ ଘରେ ଯେମିତି ବସିଥିଲେ ସେହି ଅବସ୍ଥାରେ ହିଁ ବାହାରି ଆସିଲେ। ଆଜୀବନ ଧଳା ଫିନଫିନ ସାର୍ଟ ପ୍ଯାଣ୍ଟ, କୋଟ୍,ସୁଟ୍,ନେକ୍ ଟାଇ ଓ ଜୋତା ପିନ୍ଧୁଥିବା ମଣିଷଟି ଗୋଟିଏ ଶସ୍ତା ଟି' ସାର୍ଟ ସାଙ୍ଗକୁ ଢିଲା ପ୍ଯାଣ୍ଟ ପିନ୍ଧି ହଳେ ହାଓ୍ବାଇ ଚପଲ ମାଡି ରାସ୍ତାକୁ ଓହ୍ଲାଇଲେ। ରମା ଆଜି ବଞ୍ଚିଥିଲେ କଣ ଏ ଦୃଶ୍ଯ ସହ୍ଯ କରି ପାରିଥା'ନ୍ତେ? ପୃଥିବୀ ପଛେ ଓଲଟ ପାଲଟ ହୋଇଯାଉ,କିନ୍ତୁ ଅମରବାବୁ ଅଫିସ ବାହାରିବା ସମୟରେ ବେଶଭୂଷାରେ ଯେପରି କୌଣସି ତ୍ରୁଟି ନ ରହିଯାଏ ସେଥିପ୍ରତି ସଜାଗ ଥାଆନ୍ତି ରମା। ଅମର ଏତେ ବଡ ଅଫିସର--ସମାଜରେ ତାଙ୍କର କାଟତି କାହିଁରେ କଣ। ଜଣେ ସଚ୍ଚୋଟ ଓ ସ୍ପଷ୍ଟବାଦୀ ସୁପୁରଷ ଭାବରେ ଅମର ବେଶ୍ ପରିଚିତ। ତାଙ୍କର ଗୁରୁ ଗମ୍ଭୀର ବ୍ଯକ୍ତିତ୍ବ, ସାଲିସ୍ ବିହୀନ କାର୍ଯ୍ଯଶୈଳୀ ଓ ସମୟାନୁବର୍ତ୍ତିତା ପାଇଁ ସେ ଅନ୍ଯ କର୍ମଚାରୀଙ୍କ ପାଇଁ ଏକ ଆଦର୍ଶ ଭାବରେ ପରିଗଣିତ ହେଉଥିଲେ। ତେଣୁ ଅମରଙ୍କ ବ୍ଯକ୍ତିତ୍ବ ଓ ବେଶଭୂଷାରେ ଯେପରି କୌଣସି ଅସାମଞ୍ଜସ୍ଯତା ନ ରହି ଯାଏ,ସେଥିପାଇଁ ରମା ସର୍ବଦା ଚେଷ୍ଟିତ ଥିଲେ।

ଏଡେ ବିଶାଳ ବ୍ଯକ୍ତିତ୍ବର ଅଧିକାରୀ ଅମର, କିନ୍ତୁ ନେକ୍ ଟାଇ ଭିଡିବା କାମଟି ଶତଚେଷ୍ଟା କରି ମଧ୍ଯ ଶିଖି ପାରିନଥିଲେ। ରମାଙ୍କ ଆଗରେ ନିଜର ଏହି ବ୍ଯର୍ଥତା ପ୍ରକାଶ କଲେ ରମା ଫିକ୍ କରି ହସି କୁହନ୍ତି- - ତୁମେ କିଛି ଶିଖିବାର ଆବଶ୍ଯକତା ନାହିଁ। ମୁଁ ଅଛି ପରା। ତୁମର ସମ୍ପୂର୍ଣ୍ଣ ଦାୟିତ୍ବ ମୋର। ଏପରି କହିବା ବେଳେ ରମା ନିହାତି କେବେ କଳ୍ପନା କରି ନଥିବେ ଯେ ଦିନେ ସେ ହଠାତ୍ ଅଦୃଶ୍ଯ ହୋଇଯିବେ ଓ ଅମର ଜୀବନର ପ୍ରତି ପଦକ୍ଷେପରେ ବିକଳ ହୋଇ ତାଙ୍କୁ ହିଁ ଖୋଜୁଥିବେ। ଯେଉଁ ରମାଙ୍କ ବ୍ଯତିରେକେ ଦଣ୍ଡେ ବଞ୍ଚିବା ଅସମ୍ଭବ ଥିଲା ସେ ମଝି ଦରିଆରେ ଅମରଙ୍କୁ ନିସ୍ବ କରି ଚାଲିଗଲେ। ଦିନଚର୍ଯ୍ଯା ଆରମ୍ଭ ହେବା ଠାରୁ ରାତିରେ ବିଛଣାକୁ ଯିବା ପର୍ଯ୍ଯନ୍ତ ରମାଙ୍କ ନାମ ଅମର କେତେଥର ଯେ ଉଚ୍ଚାରଣ କରୁଥିଲେ ତାହାର ହିସାବ ନଥିଲା । କିନ୍ତୁ ଆଜି ନାହିଁ ରମାଙ୍କ ନାମର ଗୁଞ୍ଜରଣ।

ଚାକିରିରୁ ଅବସର ନେବା ପରେ ଅମର ଆଶା କରିଥିଲେ ରମାଙ୍କ ସହ ଏକ ନୂତନ ପୃ ଥିବୀ ଗଢିବା ପାଇଁ। ଯେଉଁ ପୃଥିବୀରେ କେବଳ ଦୁଇଜଣ ଥିବେ ; ସେ ଓ ରମା। ତାଙ୍କ ସାଙ୍ଗରେ ଥିବ ସମୁଦ୍ରର ଜୁଆର ସମ ଅସଂଖ୍ଯ କାର୍ଯ୍ଯର ଲମ୍ବା ତାଲିକା। ଚାକିରି ଜୀବନରେ ରମାଙ୍କୁ ବିଶେଷ ସମୟ ଦେଇ ପାରୁ ନଥିବାରୁ ଅମର କଥା ଦେଇଥିଲେ ସେହି ସବୁ ସମୟର କ୍ଷତିପୂରଣ ନିମନ୍ତେ। କିନ୍ତୁ କାହିଁକି ଭାଙ୍ଗିରୁଜି ଗଲା ସେ ସ୍ବପ୍ନ ସବୁ। ଅବସର ପରେ ଅମର ଘର ଖଣ୍ଡିଏ ତୋଳି ପାରିଥିଲେ। ଅତି ଚାକଚକ୍ଯଭରା ନହେଲେ ମଧ୍ଯ ତାହା ଥିଲା ସୁଦୃଶ୍ଯ। ପ୍ରାଇଭେଟ କମ୍ପାନୀରେ କାର୍ଯ୍ଯରତ ଏକ ମାତ୍ର ପୁଅର ବିଭାଘର ସମ୍ପାଦନ କରାଇଥିଲେ ପୁଅ ଭଲ ପାଉଥିବା କନ୍ଯା ସହିତ। ସେପରି କୌଣସି ଗୁରୁ ଦାୟିତ୍ବ ସଂପାଦନ କରିବାର ନଥିଲା। କେବଳ ମନ ଆକାଶରେ ଝିଲମିଲ କରୁଥିବା ଅଜସ୍ର କୁନିକୁନି ଅଭିଳାଷା ମାନଙ୍କୁ ରମାଙ୍କ ସାଥିରେ ତୋଳିବାର ଥିଲା। କିନ୍ତୁ ସେସବୁ କେବଳ ଆଶାରେ ରହିଗଲା। ରମାଙ୍କର ଚିତାଗ୍ନି ସହ ସବୁ କିଛି ଜାଳିପୋଡି ପାଉଁଶ ହୋଇଗଲା।

   ବିଭାଘର ଉତ୍ସବର ରଙ୍ଗୀନ ପେଣ୍ଡାଲ ବହୂ ଦୂରରୁ ଦୃଶ୍ଯମାନ ହେଉଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ପଛକୁ ପଛ ଲାଗି ଛିଡା ହୋଇଥିଲା କାର୍ ମାନଙ୍କର ପଟୁଆର ଏକ ବିଶାଳକାୟ ଅଜଗର ଶୋଇଥିବାର ଭ୍ରମ ସୃଷ୍ଟି କରୁଥିଲା। ପୂର୍ବରୁ କୌଣସି ବିବାହ ଉତ୍ସବକୁ ଅମର ଏକୁଟିଆ ଯାଇ ନଥିଲେ। ସଦାବେଳେ ରମା ତାଙ୍କ ପାଖରେ ରହୁଥିଲେ। ଅତିଥି ମାନଙ୍କ ସହ କଥାବାର୍ତ୍ତା କରିବା କାମ ପ୍ରାୟତଃ ରମା ହିଁ କରନ୍ତି। ଅମର ଚୁପ୍ ରହିବା ପସନ୍ଦ କରନ୍ତି। ନିହାତି ଆବଶ୍ଯକ ହେଲେ ବାସ୍ ପଦେ ଦୁଇ ପଦ କଥା କୁହନ୍ତି। କିନ୍ତୁ ଆଜି ତାଙ୍କୁ ପାଟି ଖୋଲିବାକୁ ହେବ। ଇଛା ଥାଉ ନଥାଉ ଗପିବାକୁ ହେବ। ପୁଅ ପରା ଆଦେଶ ଦେଇଛି, ମନ ପରିବର୍ତ୍ତନ ପାଇଁ ପାଞ୍ଚଲୋକଙ୍କ ସହ କଥାଭାଷା ହେବା ଜରୁରୀ।

   ବିଭା ହେଉଥିବା ପିଲାର ବାପା ନିହାର ଅମରଙ୍କ ଅଫିସର ଜଣେ ଅଧସ୍ତନ କର୍ମଚାରୀ ଥିଲା। ତା ପାଖରେ ଅମରଙ୍କ ସମ୍ମୁଖକୁ ଆସିବାର ସହାସ କେବେ ନଥିଲା। ଅଫିସରେ ବିନୀତ ବଶମ୍ବଦ ହୋଇ ଗୋଟିଏ କୋଣରେ ଛିଡା ହୋଇ ନିହାର କେବଳ ଅମରଙ୍କ ଆଦେଶର ପ୍ରତିପାଳନ କରୁଥିଲା ଯାହା। ତା ବ୍ଯବହାରରେ ସନ୍ତୁଷ୍ଟ ହୋଇ ଚରିତ୍ର ପଞ୍ଜିକାରେ ନିହାର ଜଣେ ପରିଶ୍ରମୀ,ସଚ୍ଚୋଟ,କର୍ମଠ ଓ ଆଜ୍ଞାବହ କର୍ମଚାରୀ ବୋଲି ଅମର ଅନେକ ଥର ଉଲ୍ଲେଖ କରିଛନ୍ତି। ଭଗବାନ ଜାଣନ୍ତି କି ଚମତ୍କାର ହେଲା- - ଦାଗହୀନ ଚରିତ୍ର ପଞ୍ଜିକା ପାଇଁ ହେଉ ବା ଅନ୍ଯ କୌଣସି କାରଣ ପାଇଁ ଖୁବ୍ ଅଳ୍ପ ଦିନରେ ନିହାର ଗୋଟିଏ ପରେ ଗୋଟିଏ ପଦବୀକୁ ଲମ୍ଫ ପ୍ରଦାନ କରିଚାଲିଲା। ଅବଶ୍ଯ ସେତେବେଳକୁ ଅମର ଚାକିରିରୁ ଅବସର ନେଇ ସାରିଥିଲେ। ଏବେ ତ ନିହାର ସହରର ମାନ୍ଯଗଣ୍ଯ କୁବେର ଶ୍ରେଣୀଙ୍କ ମଧ୍ଯରେ ନିଜର ସ୍ଥାନ ସୁଦୃଢ କରି ସାରିଲାଣି। ଏତେ ଉଚ୍ଚ ପଦବୀକୁ ଗଲେ କଣ ହେବ, ନିହାରର ଅଭଦ୍ରାମୀର ଅମରଙ୍କୁ ବ୍ୟଥିତ କରିଥିଲା। ନିଜ ପୁଅର ବିଭାଘର ସମୟରେ ଅମର ରମାଙ୍କ ସାଙ୍ଗରେ ଘରଘର ବୁଲି କାର୍ଡ ବାଣ୍ଟି ସମସ୍ତଙ୍କୁ ଯଥାବିଧି ନିମନ୍ତ୍ରଣ କରିଥିଲେ। ଅଥଚ ନିହାର ନିମନ୍ତ୍ରଣ କାର୍ଡଟି ଗେଟ୍ ପାଖରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ଗେଟ୍ ପାଖରୁ ନିତାନ୍ତ ମୂମୂର୍ଷୁ ଅବସ୍ଥାରେ କାମବାଲୀ ଦ୍ବାରା ଆବିଷ୍କୃତ ହୋଇଥିଲା କାର୍ଡଟି। କାର୍ଡ ଉପରେ ଲେଖାଥିଲା ପ୍ରାପ୍ତେଷୁ ...ଅମର ସାନ୍ତେରା। ନିଜ ନାମର ଏପରି କଦର୍ଥ ରୂପ ଦେଖି ରାଗରେ ନିଆଁବାଣ ହୋଇ ଯାଇଥିଲେ ଅମର। କାର୍ଡକୁ ଚିରି ଡଷ୍ଟବିନ୍ ରେ ପକାଇବାକୁ ଉଦ୍ଯତ ହେବା ସମୟରେ ନାତିଟୋକା ସେଇଟିକୁ ଛଡାଇ ନେବାରୁ ପୁଅବୋହୂ ସବୁ କଥା ଜାଣିଲେ। ଏକଥା ସ୍ବୟଂ ଅମର ଓ ତାଙ୍କ ପୁଅବୋହୂ ଜାଣିଥିଲେ ଯେ ବିଭାଘର ନିମନ୍ତ୍ରଣ କାର୍ଡ ଟି ନିହାତି ଅଭଦ୍ର ଭାବରେ ପ୍ରେରଣ କରାଯାଇଛି। ନିହାରର ଅଭଦ୍ରାମି କଥା ପୁଅ ଜାଣିଥିବା ସତ୍ତ୍ବେ ଅମରଙ୍କୁ ବିବାହଭୋଜିକୁ ଯିବାପାଇଁ ବାଧ୍ଯ କରିଥିଲା- - ତାହା ହିଁ ବିଡମ୍ବନା।ରମା ବଞ୍ଚିଥିଲେ ହୁଏତ ସେଦିନ ଘରେ ତୁମ୍ଭୀତୋଫାନ କରି ଦେଇଥାନ୍ତେ। ଅମରଙ୍କ ପ୍ରତି ତିଳେମାତ୍ର ଅଭଦ୍ରାମୀକୁ ରମା ଏକ ଗମ୍ଭୀର ଓ ଅକ୍ଷମଣୀୟ ଅପରାଧ ରୂପେ ବିବେଚନା କରୁଥିଲେ। କିନ୍ତୁ ରମାଙ୍କ ଅବର୍ତ୍ତମାନରେ ଅମର ନିହାତି ସାଧାରଣ ଓ ଗୌଣ ପାଲଟି ସାରିଥିଲେ। ଯେତେବେଳେ ସମ୍ମାନ ନଥିଲା ସମ୍ମାନହାନୀ ହେବାର ପ୍ରଶ୍ନ ଆସିବ କେଉଁଠୁ ? 

   ସେ ଯାହା ବି ହେଉ, ଅମର ପହଞ୍ଚି ସାରିଥିଲେ ବିଭାଘର କାର୍ଡରେ ଲେଖାଥିବା ଠିକଣାରେ। ସେଠାରେ ଅତିଥି ଅଭ୍ଯାଗତଙ୍କର ସଂଖ୍ଯା ଦେଖି ସେ ଚମକି ପଡିଲେ। କୌଣସି ଯାତ୍ରା ପଡିଆ ପରି ସଜ୍ଜିତ ହୋଇଥିଲା ସ୍ଥାନଟି। ରଙ୍ଗବେରଙ୍ଗ ଆଲୋକମାଳାର ଶତାଧିକ ଇନ୍ଦ୍ରଧନୁ ସେହି ବିରାଟ ଅଞ୍ଚଳକୁ ଆକ୍ରାନ୍ତ କରି ରଖିଥିଲା। ସମସ୍ତ ଅତିଥି ସୁନ୍ଦର ବେଶଭୂଷା ଧାରଣ କରି ସେଠାରେ ପ୍ରଦକ୍ଷିଣ କରୁଥିଲେ। ଅମର ଭାବିଲେ, ଏପରି ହୁଅନ୍ତାନି- - ସେ ନିହାର ଘର ଭିତରକୁ ନ ଯାଇ ଗେଟ ପାଖରୁ ଫେରି ଯା'ନ୍ତେ। ପୁଅକୁ ମିଛ କୁହନ୍ତେ କି ସେ ଭୋଜି ଖାଇ ଫେରିଛନ୍ତି। କିନ୍ତୁ ତାହା କଣ ସମ୍ଭବ! ସେଠାରୁ ଦୈବାତ୍ ଓପାସ ଫେରିଗଲେ ରାତିରେ ଖାଲିପେଟରେ ଶୋଇବାକୁ ହେବ। ବୋହୂ ତାଙ୍କ ପାଇଁ ଦୁଇ ପଟ ରୁଟି ମଧ୍ଯ କରି ନଥିବ। ସେମିତି ବି ବୋହୂର ହାତରେ ଯନ୍ତ୍ରଣା ହେତୁ ସେ ରୁଟି କରିବାକୁ ଅମଙ୍ଗ ହୁଏ। ରାତିରେ ଦୁଇପଟ ରୁଟି,ସନ୍ତୁଳା ଓ କ୍ଷୀର ହେଲା ଅମରଙ୍କ ରାତ୍ରୀ ଭୋଜନ। କିନ୍ତୁ ବୋହୂର ହାତ ଯନ୍ତ୍ରଣା ହେତୁ ସେ ଅନେକ ରାତି ମୁଢି,ଚୂଡା ଅବା ବିସ୍କୁଟ ଖାଇ ବିତାଇଛନ୍ତି। ପୁଅ ସବୁ ଜାଣି ନୀରବ ରୁହେ। ବୋଧେ ସେ ପ୍ରାଣପ୍ରିୟ ସ୍ତ୍ରୀର ହାତ ଯନ୍ତ୍ରଣା ଓ ବୃଦ୍ଧ ପିତାଙ୍କର କ୍ଷୁଧାକୁ ନିକିତି ରେ ତଉଲିବା ପରେ ନିଶ୍ଚିତ ହୁଏ ଯେ ହାତ ଯନ୍ତ୍ରଣା ଆଗରେ କ୍ଷୁଧା ପରି ଏକ ତୁଚ୍ଛ ଚିଜ ଗୁରୁତ୍ବହୀନ । ଆଜି ଦ୍ବିପହରେ ବେଳେ ସେ ଖାଇଥିଲେ - - ମୁଠାଏ ଭାତ,ପାଣିଆ ଡାଲି ଓ ତିନିଦିନର ବାସି ଆଳୁ ଚକଟା। ଏବେ ତାଙ୍କ ପାଇଁ ଖାଦ୍ଯ ଏକ ସୁଃଖଦ ଇନ୍ଦ୍ରିୟାନୁଭୁତିର ବିଷୟ ନୁହଁ ବରଂ ପ୍ରାଣ ବଞ୍ଚାଇବାର ଇନ୍ଧନ। କୌଣସି ଖାଦ୍ଯ ପାନୀୟର ସ୍ବାଦ ପରଖିବାର ଅଭ୍ଯାସ ବହୂ ପୂର୍ବରୁ ତ୍ଯାଗ କରି ସାରିଥିଲେ ଅମର। 

   ଭୋଜି ସ୍ଥାନରେ ବେଳକୁ ବେଳ ଗହଳି ବଢି ଚାଲିଥିଲା। ସେତେବେଳକୁ ସମୟ ରାତି ଆଠ ଟା'। ଅମର କ୍ଷୁଧାର କ୍ରମବର୍ଦ୍ଧିଷ୍ଣୁ ତୀବ୍ରତାକୁ ଅନୁଭବ କରି ପାରୁଥିଲେ । ଏପରି ଅଚାନକ ବାହାରି ଆସିବା କାରଣରୁ ଅମର ଔଷଧ ଖାଇ ନଥିଲେ। ଖାଇବା ପୂର୍ବରୁ ଓ ପରେ ତାଙ୍କର ଔଷଧ ଖାଇବାର ତାଲିକା ଲମ୍ବା। ପୁଅ କହିବା ଅନୁସାରେ ଅମରଙ୍କ ସମସ୍ତ ପେନସନ ପଇସା ମେଡିସିନ କିଣାରେ ଚାଲି ଯାଉଛି। ତେଣୁ ଘର ଚଳାଇବାରେ ଅମରଙ୍କର କିଛି ଅବଦାନ ନାହିଁ। ପେନସନ କେତେ ମିଳେ ସେକଥା ଅମର ଜାଣନ୍ତିନି- - ଏଟିଏମ୍ କାର୍ଡ ଓ ବ୍ଯାଙ୍କର ସବୁ କାଗଜପତ୍ର ପୁଅ ପାଖରେ। ପୁଅ ଆଦେଶ ଦେଲେ ସେ କେବଳ ଚେକବହିରେ ଦସ୍ତଖତ ମାରି ଦିଅନ୍ତି। ବ୍ଯାଙ୍କ ପାସବୁକ୍ ରେ କେତେ ଟଙ୍କା ଥିଲା ଓ କେତେ ଅଛି ସେ ହିସାବ ପୁଅକୁ ଜଣା। ହାତଖର୍ଚ୍ଚ ବାବଦକୁ ମାସକୁ ପାଞ୍ଚଶହ ଟଙ୍କା ପୁଅ ତାଙ୍କ ହାତରେ ଧରାଇ ଦିଏ। ବାସ୍ ସେତିକିରେ ସୀମିତ ତାଙ୍କ ପୃଥିବୀ।

   ଅମରଙ୍କୁ ସବୁ ଚିହ୍ନା ମୁହଁ ଅଚିହ୍ନା ଲାଗୁଥିଲା। ସେଠାରେ ତାଙ୍କ ଅଫିସ ର ପ୍ରାୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଯଦିଓ ସେମାନେ ଅମରଙ୍କୁ ସ୍ପଷ୍ଟ ଦେଖି ପାରିିଥିଲେ କିନ୍ତୁ ଚିହ୍ନିବାର କୌଣସି ପ୍ରତିକ୍ରିୟା ସେମାନଙ୍କ ମୁହଁରେ ନଥିଲ। ଅବଶ୍ଯ ସେ ଅବସର ନେବାର ପାଖାପାଖି ଛଅ ବର୍ଷ ହୋଇ ଗଲାଣି। ତେବେ କଣ ଏତିକି ସମୟ ମଧ୍ଯରେ ଅମର ସାମନ୍ତରାୟଙ୍କ ପରି ଲୋକଙ୍କ ଛବି ଲୋକଙ୍କ ସ୍ମୃତିପଟ୍ଟଳରେ ମଳିନ ପଡଗଲାଣି !-- ସ୍ବଗତୋକ୍ତି କଲେ ଅମର। ଦୀର୍ଘନିଶ୍ବାସ ଛାଡି ସେ ଆଗକୁ ବଢି ଚାଲିଲେ। ଏକ ମଞ୍ଚ ଉପରେ ରାଜକୀୟ ଆସନରେ ନିହାରର ପୁଅବୋହୂ ବସିଥିଲେ। ସେମାନଙ୍କ ଯୋଡି ବେଶ୍ ମାନୁଥିଲା। ବୋହୂର ରଙ୍ଗ ଟିକେ ଉଣାହେଲେ କଣ ହେବ,କିନ୍ତୁ ଗଢଣ ବେଶ୍ ସୁନ୍ଦର ଥିଲା। ପୁଅବୋହୂଙ୍କ ପାଖକୁ ଜଣଜଣ କରି ଅତିଥି ଯାଉଥିଲେ ଓ ଉପହାର ବଢାଇ ଅଭିନନ୍ଦନ ଜଣାଉଥିଲେ। କିଛିଦୂରରେ ଫଟୋଗ୍ରାଫର ଛିଡା ହୋଇ ବିଭିନ୍ନ କୋଣରୁ ଫଟୋ ଉତ୍ତୋଳନ କରିବାରେ ବ୍ଯସ୍ତଥିଲା। ଅମରଙ୍କୁ ଫଟୋଗ୍ରାଫରର ଦକ୍ଷତା ପ୍ରଶଂସାଯୋଗ୍ଯ ମନେହେଲା। କେଜାଣି କିପରି ସେ ଜାଣି ପାରୁଥିଲା କେଉଁ ଅତିଥି ନିଜର ଓ କିଏ ବାହାରେ ରହିବା ଯୋଗ୍ଯ। ସମ୍ପର୍କର ଦୃଢତା ତଉଲି ସେ ଲୋକଙ୍କୁ ପୁଅବୋହୂଙ୍କ ପାଖରେ ଅବା କିଞ୍ଚିତ୍ ଦୂରରେ ଛିଡା କରାଇ ଫଟୋ ଉଠାଉଥିଲା। ନବ ବିବାହିତଙ୍କ ପାଖକୁ ଯିବାକୁ ଉଦ୍ଯତ ହେଲେ ଅମର। କିନ୍ତୁ ରିକ୍ତ ପକେଟ୍ ଓ ନିହାତି ସାଧାରଣ ବେଶଭୂଷା ହେତୁ ପରକ୍ଷଣରେ ପାଦ ଫେରାଇ ଆଣିଲେ।

   ମଞ୍ଚ ଉପରେ ଛିଡା ହୋଇ ନିହାର ହସୁଥିଲା ଅକାରଣରେ। ଅନ୍ତତଃ ସେମିତି ଦାନ୍ତ ନେଫେଡି ହସିବା ପରି କୌଣସି ରୋଚକ ଘଟଣା ଘଟି ନଥିଲା ସେହି ସ୍ଥାନରେ। କିଏ ଆସିଲା,କିଏ ଗଲା,କିଏ ଖାଇଲା କି ନାହିଁ ଆଦି କ୍ଷୁଦ୍ର ବିଷୟ ଗୁଡିକୁ ସେ ଦୂରରୁ ଥାଇ ନିରୀକ୍ଷଣ କରି ଚାଲିଥିଲା। ଏପରି କଣ ହୋଇପାରେ ଯେ ନିହାର ତାଙ୍କୁ ଜମାରୁ ଦେଖି ନଥିବ ! ନାଃ, ତାହା ହୋଇ ନ ପାରେ । ସେ ନିହାତି ଦେଖିଥିବ- - କିନ୍ତୁ ଜାଣିଶୁଣି ନଦେଖିବାର ଅଭିନୟ କରୁଥିବ।

ଅଚାନକ ଫଟୋଗ୍ରାଫର ତାଙ୍କ ସମ୍ମୁଖରେ ଆବିର୍ଭାବ ହୁଅନ୍ତେ ଅମର ନିଜର ବେଶଭୂଷା ସଜାଡିବାରେ ଲାଗିଲେ। ଟି ସାର୍ଟଟି କୋଚାମୋଚା ହୋଇ ଯାଇଥିଲା, ରଙ୍ଗ ମଧ୍ଯ ମଳିନ ପଡି ଆସିଥିଲା। ପ୍ଯାଣ୍ଟର ଅବସ୍ଥା ଯଦିଓ ଚଳନୀୟ ଥିଲା କିନ୍ତୁ ଯଥେଷ୍ଟ ପୁରୁଣା ଓ ଅପରିଷ୍କାର ହୋଇ ଯାଇଥିଲା। ହେବନି ବା କେମିତି- - ବୋହୂର କଡା ତାଗିଦ୍ ,ସପ୍ତାହକୁ ମାତ୍ର ଥରେ ଓ୍ବାସିଂ ମେସିନରେ ଅମରଙ୍କ ଲୁଗା କଚା ହେବ,ତାହା ବି ଜମା ଦୁଇଟା ବା ତିନିଟା। ଅତିବେଶିରେ ଅମରଙ୍କର ହଳେ ପ୍ଯାଣ୍ଟସାର୍ଟ ମେସିନରେ ସଫାହୁଏ। ଅନ୍ଯ ଦିନ ମାନଙ୍କରେ ଅମର ନିଜେ ତାଙ୍କ ଲୁଗା ସଫା କରି ଦିଅନ୍ତି। କିନ୍ତୁ ଏବେ ଆଉ ପାରୁ ନାହାଁନ୍ତି। ସେଦିନ ଗାଧୁଆ ଘରେ ପଡିଯିବା ପରେ ଶରୀରର ବିଭନ୍ନ ସ୍ଥାନ ଖଣ୍ଡିଆ ଖାବରା ହୋଇ ଯାଇଥିଲା। ଡାକ୍ତର କହିଥିଲେ ଯେ ହେୟାର ଲାଇନ୍ ଫ୍ରାକ୍ଚର ଅଛି। ଭଲ ହେବାକୁ ସମୟ ଲାଗିବ। କ୍ଲିକ୍ କ୍ଲିକ୍ କ୍ଲିକ୍ - - କ୍ଯାମେରାର ସଟର ସାଉଣ୍ଡ ସହ ଫଟୋଗ୍ରାଫର ଅମରଙ୍କୁ ଫଟୋ ଉଠା ସରିବାର ସୂଚନା ହେଲା। ଚିନ୍ତାରାଜ୍ଯରୁ ଫେରି ଆସିଲେ ଅମର।

- - ମେନି ମେନି ଥ୍ଯାଙ୍କସ୍ ୟଙ୍ଗ୍ ମ୍ଯାନ୍। କ୍ଯାରି ଅନ୍- - ତୁମେ ଖୁବ୍ ଭଲ କାମ କରୁଛ। କହିଲେ ଅମର। ଫଟୋଗ୍ରାଫର ଆଶ୍ଚର୍ଯ୍ଯ ହୋଇ ଦେଖୁଥିଲା ଅମରଙ୍କୁ। ବୋଧେ ମଣିଷ ଚିହ୍ନିବାରେ ନିଜର ବିଫଳତାକୁ ସେ ସ୍ବୀକାର କରୁଥିଲା।

   ହେଃ ଓଲ୍ଡ ମ୍ଯାନ୍- - ହୁ ଆର୍ ୟୁ- - ଜଣେ ବିକୃତ ଶ୍ମଶୃଧାରୀ ପ୍ରୌଢ ବ୍ଯକ୍ତି ଅତ୍ଯଧିକ ସୁରାପାନଜନିତ ଟଳମଳ ଅବସ୍ଥାରେ ଅମରଙ୍କ ହାତ ଟାଣିନେଇ ପ୍ରଶ୍ନ କଲେ । 

   ଓଃ ହେଲୋ ମିଷ୍ଟର୍, ମାଇଁ ସେଲ୍ଫ ଅମର ସାମନ୍ତରାୟ- - ରିଟାୟାର୍ଡ ଆଡିସନାଲ….. ଅମରଙ୍କ କଥା ସରିବା ପୁର୍ବରୁ ମୁଢ ଲୋକଟା ଅର୍ଦ୍ଧଚେତନ ଅବସ୍ଥାରେ ତାଙ୍କ ଉପରେ ହିଁ ଢଳି ପଡିଲା। ଇଡିୟଟ୍ କୋଉଠିକାର- ନନ୍ ସେନସ୍ - - ଅମର ବିରକ୍ତ ହୋଇ ମୃଦୁ ଚିତ୍କାର କଲେ।

   ସମୟର ତାଳେତାଳେ ଅମରଙ୍କ ମନରେ ବିରକ୍ତି ଭାବ ବୃଦ୍ଧି ପାଇ ଚାଲିଥିଲା, ତା ସାଙ୍ଗକୁ ବଢି ଚାଲିଥିଲା ଭୋକର ମାତ୍ରା । ମେଡିସିନ ନ ଖାଇବା କାରଣରୁ ତାଙ୍କୁ ନିଜ ଉପରୁ ନିୟନ୍ତ୍ରଣ ହରାଇବା ପରି ଲାଗୁଥିଲା। ସେ ଚାକିରିରେ ଥିବା ସମୟରେ ଆଗପଛରେ ଦୌଡୁଥିବା ଲୋକେ ତାଙ୍କୁ ଆଜି ଚିହ୍ନୁ ନଥିଲେ। କଥା ହେବା ପାଇଁ ଅନେକ ଲୋକଙ୍କ ପାଖକୁ ଯାଇ ନିଜର ପରିଚୟ ପ୍ରଦାନ କରି କଥା ଆରମ୍ଭ କରିବାର ପ୍ରୟାସ କରିଥିଲେ। ମାତ୍ର , ପରିଚୟ ପର୍ବର ଅବ୍ଯବହିତି ପୂର୍ବରୁ ଲୋକେ ତାଙ୍କୁ ଆଡେଇ ଚାଲି ଯାଉଥିଲେ। କେହିକେହି ତାଙ୍କୁ ଚିଡିଆଖାନାର ଜନ୍ତୁକୁ ଦେଖିବା ପରି ଅନିସନ୍ଧିତ୍ସୁ ନଜରରେ ଦେଖୁଥିଲେ। କହିବା ବାହୁଲ୍ଯ, ଅମର ଯେଉଁ ଲୋକଙ୍କ ସହ କଥା ହେବାକୁ ଯାଉଥିଲେ ସେମାନେ ବାରମ୍ବାର ନିଜର କୋର୍ଟ, ଟାଇ ଓ କେଶ ବିନ୍ଯାସକୁ ସଜାଡିବାରେ ଲାଗି ପଡୁଥିଲେ। ବଡ ଅଜବ ବ୍ଯବହାର ଏ ଲୋକଙ୍କର। ବିଡ୍ ବିଡ୍ ହୋଇ କହି ଉଠିଲେ ଅମର। ଶେଷରେ ସ୍ଥିର କଲେ ,ଅଳ୍ପ କିଛି ଖାଇ ଘରକୁ ଫେରିଯିବେ। ବେଶି ରାତି ହେଲେ ପୁଅବୋହୂଙ୍କ କଟୂକ୍ତି ଶୁଣିବାକୁ ହେବ।

   ଅଚାନକ ତାଙ୍କୁ ନାତିର କଥା ବହୁତ ମନେ ପଡିଲା। କଣ କରୁଥିବ ଦୁଷ୍ଟ ଟୋକା କେଜାଣି। ନିହାତି ଚାହିଁ ବସିଥିବ ଜେଜେ ଆସିଲେ ଖେଳିବାକୁ। ଦଳେ ଛୋଟପିଲା ସେଠାରେ ବୁଲୁଥିବା ଜୋକର ସହ ଖେଳକୁଦରେ ମାତିଥିଲେ । ଅଦୂରରେ ଛିଡା ହୋଇ ଅମର ସେମାନଙ୍କୁ ପାଖକୁ ଆସିବାକୁ ଇସାରା ଦେଲେ। ସବୁଠାରୁ ଗୁଲୁଗୁଲିଆ ଦିଶୁଥିବା କୁନି ପିଲାଟିଏ ପାଖକୁ ଦୌଡି ଆସିଲା। ସସ୍ନେହେ ଅମର ପଚାରିଲେ- - କିରେ ବାବୁ,ମୋ ସାଙ୍ଗେ ଖେଳିବୁ? ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲା ପିଲାଟି।- - କଣ ଖେଳିବୁ କହ? ପିଲାଟି କହିଲା- -ତୁମେ ଘୋଡା ହୋଇ ପାରିବ? ତୁମ ପିଠିରେ ବସିବି। ହୋଃ ହୋଃ ହସି ଉଠିଲେ ଅମର। ଆରେ ମୋ ନାତି ପାଇଁ ତ ମୁଁ ସବୁଦିନ ଘୋଡା ହେଉଛି। ସେଥିରେ ନୂଆ କତା କଣ ଅଛି। ଚାଲ୍ ତୋତେ ଆଜି ଘୋଡା ସବାରି କରାଇ ଦେଉଛି। ପିଠିରେ ପିଲାଟିକୁ ବସାଇ କାର୍ପେଟ୍ ଉପରେ ଆଣ୍ଠେଇ ଚାଲିଲେ ଅମର। ଆଉ ଦୁଇଟା ସମ ବୟସର ପିଲା ମଧ୍ଯ ଅମରଙ୍କ ପିଠିରେ ସବାର ହୋଇଗଲେ। ବଡକଷ୍ଟରେ କିଛି ବାଟ ଅତିକ୍ରମ କରିବା ପରେ ଅମର ଥକି ଗଲେ। ତାଙ୍କ ମୁଣ୍ଡ ଚକ୍ରାକାରେ ଘୁରିବାକୁ ଲାଗିଲା। ସେ ପିଲା ମାନଙ୍କୁ ଓହ୍ଲାଇ ଯିବାକୁ ଇସାରା ଦେଲେ। କିନ୍ତୁ ପିଲାମାନେ ଓହ୍ଲାଇବାର ନାମ ନେଲେନି। ଅଗତ୍ଯା ଅମର ଗୋଟିଏ ପଟକୁ ଢଳିପଡି କହିଲେ - - ଘୋଡା ଦେହରେ ଆଉ ବଳ ନାହିଁ। ଏଥର ଘୋଡା ପଡିଲା। ହେଇ ଗୁଡୁମ୍। ତଳେ ପଡି ଦୁଇ ହାତ ଓ ଗୋଡ ଉପରକୁ ଛାଟି ଅମର ଭୀଷଣ କଷ୍ଟ ଲାଗୁଥିବାର ଅଭିନୟ କଲେ। ଏପରି ଜୀବନ୍ତ ଅଭିନୟ ଦେଖି ପିଲାମାନେ ଖୁସିରେ ତାଳି ମାରି ନାଚିବାକୁ ଲାଗିଲେ। ଅମର ମଧ୍ଯ ରୋମାଞ୍ଚିତ ଅନୁଭବ କଲେ। ପୁଣି କିଛି ପିଲା ଅମରଙ୍କୁ ଘେରିଗଲେ। ଖେଳ ବେଶ ଜମୁଛି ଜାଣି ଆହୁରି ଆନନ୍ଦିତ ହେଲେ ଅମର। ପିଲାଟିଏ ଗୁଲୁଗୁଲିଆ ଦରୋଟି ଭାଷାରେ କହିଲେ- - ଏଥର ଆମେ ଡଗି ଡଗି ଖେଳିବା। ଆମେ ଖାଇବାକୁ ଦେବୁ ଆଉ ତୁମେ କ୍ଯାଚ୍ କରିବ।

   ହେଇ- - - ନିଅ କ୍ଯାଚ୍- - ଏପଟେ ପଡିଲା ଧର ଧର- - ଓଃ ମିସ୍ କରିଦେଲ- - ହେଇ ନିଅ କ୍ଯାଚ୍--- ଓ୍ବେଲ ଡନ୍ - - -ଏଥର ବଢିଆ ଧରିଲ- - 

   ଆଣ୍ଠେଇ ବସିଥିଲେ ଅମର ଓ ଗୁରୁଣ୍ଡି ପିଲାମାନେ ଫିଙ୍ଗୁଥିବା ଖାଦ୍ଯ ଟୁକୁଡାକୁ ପାଟିରେ ଧରିବାକୁ ଚେଷ୍ଟା କରୁଥିଲେ। ପିଲାମାନଙ୍କର ଉତ୍ସାହର ଆଦିଅନ୍ତ ନଥିଲା। ଏପରି ଜୀବନ୍ତ ଖେଳ, ତାହା ବି ଏକ ବିବାହ ଭୋଜିରେ ସେମାନଙ୍କ ପାଇଁ ଅକଳ୍ପନୀୟ ଥିଲା। ଖେଳକୁ ଆହୁରି ସରସ ଓ ମନୋରମ କରିବାକୁ ଅମର ଗୋଟଏ ଗୋଡ ମଝିରେ ମଝିରେ ଉଠାଇଦେଇ- - ହାଉଁ ହାଉଁ ଭୋ ଭୋ ଆଦି ଶ୍ବାନସମ ଶବ୍ଦ ମାନ ଉଚ୍ଚାରଣ କରି ଚାଲିଥିଲେ। ଏତେ ସୁନ୍ଦର ଖେଳରୁ କିଏ ବା ନିଜକୁ ବଞ୍ଚିତ କରିବାକୁ ଚାହିଁବ। କିଛି ସମୟ ମଧ୍ଯରେ ଅମରଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଓ ପିନ୍ଧାବସନ ଖାଦ୍ଯ ଟୁକୁଡାରେ ଆଚ୍ଛାଦିତ ହୋଇଗଲା। ଆଇସକ୍ରିମ ଠାରୁ ଆରମ୍ଭ କରି ମାଂସ ଟୁକୁଡା ମାନ ଅମରଙ୍କ ଉପରେ ନିକ୍ଷେପ କରି ଚାଲିଥିଲେ ନିରୀହ କୁନି ଖେଳାଳୀଗଣ। ଏକ ଅଦ୍ଭୁତ ଉନ୍ମାଦନା ଓ ରୋମାଞ୍ଚରେ ଆହ୍ଲାଦିତ ହୋଇ ଉଠୁଥିଲେ ଅମର। ତାଙ୍କୁ ଲାଗୁଥିଲା, ରମା ଏସବୁ ଉପରୁ ଦେଖି ବେଶ୍ ଉପଭୋଗ କରୁଛନ୍ତି। କାହାସହ ବେଶି କଥାବାର୍ତ୍ତା କରୁ ନଥିବା ଅମର ଯେ ପିଲାଙ୍କ ସହ ଏତେ ନିବିଡ ଭାବରେ ଖେଳି ପାରୁଛନ୍ତି ତାହା ରମାଙ୍କ ପାଇଁ ଆଶ୍ଚର୍ଯ୍ଯର ବିଷୟ ହୋଇଥିବ ନିଶ୍ଚୟ। ଅମରଙ୍କ ଚାରିପଟରେ ଗହଳି ବଢି ଚାଲିଲା। ପିଲାମାନଙ୍କର ଅଭିଭାବକ ମାନେ ପହଞ୍ଚି ଅମରଙ୍କ ଅବସ୍ଥା ଦେଖି ଆଚମ୍ବିତ ହେଲେ। ପିଲା ମାନଙ୍କୁ ଜବରଦସ୍ତି ସେହି ସ୍ଥାନରୁ ନେଇ ଯିବା ଅବସରରେ ଜଣେ ପିଲା କହିଲା- - ବାର୍କ ଡଗି ବାର୍କ...ଆମକୁ ବଞ୍ଚାଅ। 

ପିଲାଟିର କଥା ଅମରଙ୍କ ଦେହରେ ବିଦ୍ଯୁତ ତରଙ୍ଗ ଖେଳାଇଦେଲା। ଆଖି ଆଗରେ ଭାସି ଉଠିଲା ଚାରିବର୍ଷର ନାତି ରାହୁଲର ମୁହଁ। ତାଙ୍କ ସହ ଖେଳିବା ବେଳେ ଯେତେବେଳେ ବୋହୂ ରାହୁଲକୁ ଜବରଦସ୍ତି ମାଡ ମାରି ଟାଣି ନିଏ, ରାହୁଲ ବିକଳ ହୋଇ କାନ୍ଦେ। ନେହୁରା ହୋଇ କୁହେ - - ସେଭ୍ ମି ଜେଜେ। ମୋତେ ବଞ୍ଚାଅ। ମମି ମୋତେ ନେଇ ଯାଉଛି। କେବେକେବେ ଅମରଙ୍କ ମନ ହୁଏ ବୋହୂ ଗାଲରେ ଥୋଇ ଦେବାକୁ ଏକ ନିର୍ଘାତ ଚାପୁଡା ଓ 


କେବେ ଇଛା ହୁଏ ତା ତଣ୍ଟି କଣାକରି ରକ୍ତ ସବୁ ଚଁ ଚଁ କରି ପିଇଦେବାକୁ। ଅମରଙ୍କ ଚକ୍ଷୁଯୁଗଳରେ ଅଗ୍ନିସ୍ଫୁରଣ ହେବାପରି ମନେ ହେଲା।ଶରୀରର ମାଂସପେଶୀ ଶକ୍ତ ହେବାକୁ ଲାଗିଲା। 

   ସମସ୍ତ ଶକ୍ତିି ଖଟାଇ ଅମର ଚିତ୍କାର କରି କହିବାକୁ ଚାହୁଁଥିଲେ - -କାହିଁକି ମୋର କୁନି ସାତୀ ମାନଙ୍କୁ ନେଇ ଯାଉଛ। ଏପରି ନିରୀହ ଖେଳରେ କାହାର ବା କ୍ଷତି ହୋଇପାରେ। ଛାଡିଦିଅ ସେମାନଙ୍କୁ। ମାତ୍ର ଭାଗ୍ଯର ବିଡମ୍ବନା- - ତାଙ୍କ ମୁହଁରୁ କଥା ବଦଳରେ ଉଚ୍ଚାରିତ ହେଲା - - ଭୋ ଭୋ ଭୋ- -। ଅତ୍ଯନ୍ତ କ୍ରୁଦ୍ଧ ହୋଇ ସେ ଚିତ୍କାର କରିବାକୁ ଚେଷ୍ଟା କଲେ। ମାତ୍ର ଭୋ ଭୋ ଭୋ ବ୍ଯତୀତ କୌଣସି ବଚନ ସ୍ଫୁରଣ ହେଲା ନାହିଁ। କିଛି କହି ନ ପାରିବାର ବ୍ଯର୍ଥତାରେ ଜର୍ଜରିତ ହୋଇ ସେ " ଗୁର୍ ର୍ ର୍ " “ଖାଉଁ ଖାଉଁ” ହୋଇ ଦାନ୍ତ ନିକୁଟି ଅଭିଭାବକ ମାନଙ୍କ ଆଡକୁ ଝପଟି ଆସିଲେ। ପିଲାଏ ଏଥର ଖୁସିରେ ତାଳି ମାରି ଅମରଙ୍କୁ ଉତ୍ସାହିତ କରିବାରେ ଲାଗି ପଡିଲେ।

- - ଥ୍ଯାଙ୍କ୍ ୟୁ ଡଗି, ଥ୍ଯାଙ୍କ୍ ୟୁ । ଏଥର ଆଟାକ୍।

   ଆଗପଛ ବିଚାର ନକରି ଅମର ଝପଟି ପଡିଲେ ଜଣେ ଲୋକ ଉପରକୁ ଓ ତାକୁ କାମୁଡିଦେଲେ। ଏପରି ଅପ୍ରତ୍ଯାଶିତ ଘଟଣା ପାଇଁ କେହି ପ୍ରସ୍ତୁତ ନଥିଲେ। ଚାହୁଁଚାହୁଁ ଲୋକେ ଇତଃସ୍ତତଃ ଦୌଡିବା ଆରମ୍ଭ କରିଦେଲେ। ପିଲାମାନେ ତାଳି ମାରି ଚିତ୍କାର କରି ଚାଲିଥାନ୍ତି- - ଆମ ଗୁଡ୍ ଡଗି। କାହାକୁ ଛାଡନି। ସମସ୍ତଙ୍କୁ କାମୁଡି ପକାଅ। ପିଲାଙ୍କର କୋଳାହଳ ଅମରଙ୍କ ଉଦ୍ଦାମତା ପାଇଁ ଇନ୍ଧନ ଯୋଗାଇ ଚାଲିଥିଲା। ତାଙ୍କୁ ଲାଗୁଥିଲା ସେଠାରେ ଉପସ୍ଥିତ ଜନତା ଏପରି ଖେଳକୁ ମନଭରି ଉପଭୋଗ କରୁଛନ୍ତି। ଅମରଙ୍କ ପରି ବିଶାଳ ବ୍ଯକ୍ତିତ୍ବଧାରୀ ମାନ୍ଯଗଣ୍ଯ ବ୍ଯକ୍ତି ଅହଂ ପରିହାର କରି ପିଲାଙ୍କ ସାଙ୍ଗରେ ଏପରି ନିବିଡ ଭାବରେ ଯେ ଖେଳି ପାରୁଛି ତାହା ଦେଖି ସମସ୍ତେ ଆଚମ୍ବିତ ଥିବେ ନିଶ୍ଚୟ। ଅମର ଚାହୁଁଥିଲେ, ଅନ୍ଯମାନେ ମଧ୍ଯ ତାଙ୍କ ସହ ଖେଳରେ ଯୋଗଦାନ କରନ୍ତୁ,ତେଣୁ ଲୋକଙ୍କ ପ୍ଯାଣ୍ଟକୁ ଦାନ୍ତରେ ଟାଣି ଖେଳ ପାଇଁ ନିମନ୍ତ୍ରଣ ଦେଇ ଚାଲିଥିଲେ।। କୁକୁରଙ୍କ ପରି ବିଭିନ୍ନ ସ୍ଥାନ ଶୁଙ୍ଘିବା ସହ ଅମର ଭୋ ଭୋ ଭୁକି ଚାଲିଥିଲେ।

   ' ଭାଗ୍ ଏଠୁ ପାଗଳ କେଉଁଠିକାର ' ଏତିକି କାନରେ ପଡିବା ସହ ଏକାଧିକ ବଜ୍ରସମ ପ୍ରହାରମାଳାରେ ଭୁପତିତ ହେଲେ ଅମର। ତାଙ୍କ ଆଖି ମିଶିଗଲା ନିହାରର ଜ୍ବଳନ୍ତ ଆଖି ଦୁଇଟି ସହ। ସେ ନିହାରକୁ ବହୁତ କିଛି କହିବାକୁ ଚାହୁଁଥିଲେ,ମାତ୍ର ପ୍ରହାରର ଭୀଷଣତା ହେତୁ କେବଳ "କାଉଁ କାଉଁ କୁଁ କୁଁ" ହୋଇ ତଳେ ପଡିରହି ମାଟି ରାମ୍ପିବାରେ ଲାଗିଲେ। ଚେତା ହରାଇବା ପୂର୍ବରୁ ନିହାରର ଉକ୍ତି ସେ ସ୍ପଷ୍ଟ ଶୁଣି ପାରିଥିଲେ- - ଏ କୁକୁରକୁ ନେଇ ଅଳିଆ ଗଦାରେ ଫିଙ୍ଗି ଦେଇ ଆସ। ଡାକ ସେ ସିକ୍ଯୁରିଟିକୁ, ଏମିତି ପାଗଳ ଯଦି ଭିତରକୁ ପଶି ଆସି ପାରୁଛନ୍ତି ଯେ ଜଗିଛି କାହାକୁ?

   ବିଚରା ଅମର ବୁଝି ପାରି ନଥିଲେ, ସବୁ ତ ଠିକ୍ ଥିଲା। କେତେ ଖୁସିରେ ପିଲାଏ ଖେଳୁଥିଲେ ଓ ସମସ୍ତେ ଖେଳକୁ ମନଭରି ଉପଭୋଗ କରୁଥିଲେ। ତେବେ କାହିଁକି ଘଟିଲା ଏ ବ୍ଯତିକ୍ରମ। ବିଳମ୍ବିତ ରାତ୍ରି ଯାଏଁ ଘରକୁ ନଫେରିବାରୁ ଅମରବାବୁଙ୍କ ପୁଅ ତାଙ୍କ ସନ୍ଧାନରେ ବାହାରିଥିଲା। ତେବେ ସେ ଅମରଙ୍କୁ ଆବିଷ୍କାର କଲା ଅଇଁଠା ଖଲିପତ୍ର ପଡିଥିବା ପଡିଆ ଭିତରେ,ଯେଉଁଠାରେ ଦଳେ ବୁଲାକୁକୁରଙ୍କ ମେଳରେ ପରମ ତୃପ୍ତିରେ ଅମର ନୈଶ୍ଯାହାର କରିବାରେ ବ୍ଯସ୍ତଥିଲେ। ସେ ମଝିରେ ମଝିରେ "ଭୋ ଭୋ" କରି ଚାଲିଥିଲେ। ବାପାଙ୍କର ଏ ଅବସ୍ଥା ଦେଖି ପୁଅର ମୁଣ୍ଡ ଘୁରାଇଦେଲା। ଓଃ କି ଦାରୁଣ ବ୍ଯତିକ୍ରମ !!

           


Rate this content
Log in

Similar oriya story from Drama