Arabinda Rath

Classics Inspirational

4.5  

Arabinda Rath

Classics Inspirational

ଅଧିକାର

ଅଧିକାର

12 mins
458


ଆରେ ମାଧିଆ,ଦେଖିଲୁ ସେ ଛାତ କଣକୁ। ତୁ ପରା ଝାଡୁଥିଲୁ। ପୁଣି ଏତେ ଅଳନ୍ଧୁ ଆସିଲା କୁଆଡୁ। ବୁଢା ହେଲି ବୋଲି କଣ ମୋତେ ଦିଶୁନି ଭାବିଛୁ କି?

- ନାଇଁ ଜମିଦାରେ, ଦେଖି ପାରିଲିନି। ଏଇ ସାଙ୍ଗେସାଙ୍ଗେ ଝାଡି ଦେଉଛି।

- ଖାଲି ସେତିକି ନୁହଁ,ଘରର ସବୁ କୋଣ ଖୋଜି ଆଣେ,ଯଦି କୁଆଡୁ ଧୁଳି ଟିକେ ମିଳିଲା ,ତୋର ଦିନେ କୁ ମୋର ଦିନେ। କେତେଥର କହିବି, ସେମାନେ ଏତେ ବଡ ସହରରେ ରହୁଛନ୍ତି। ସେଠି ତାଙ୍କ ରହଣି ଦେଖିବୁ ତ ମୁଣ୍ଡ ଗୋଳମାଳ ହୋଇଯିବ। ଧୋବ ଫରଫର ଚଟାଣ,ଚିତ୍ର ଆଙ୍କିଲା ପରି ସାଜସଜ୍ଜା। ଧୂଳିମଳିର ନାମଗନ୍ଧ ନାହିଁ। ଘର ଭିତରେ ବି ସେମାନେ ଚଟି ମାଡି ବୁଲନ୍ତି। ଏଠିକୁ ଆସି ଏମିତି ଅପରଛନିଆ ଅବସ୍ଥା ଦେଖିଲେ ସେମାନେ ଘରେ ରହିବେ ଟି !

ଲସରପସର ହୋଇ ମାଧିଆ ଘର ସଫେଇତିରେ ମନ ଦେଲା। ଖାଲି ମାଧିଆ କାହିଁକି, ବାକି ଦଶଜଣ ବି ମନପ୍ରାଣ ଦେଇ କାମରେ ଲାଗିଗଲେ। ଜମିଦାରେ ସେମିତି ତ ରାଗନ୍ତିନି,କିନ୍ତୁ ଥରେ ମୁଣ୍ଡକୁ ପିତ୍ତ ଚଢିଲେ ସେ ଛାଡିବା ଲୋକ ନୁହଁ। ଏମିତି ବେଜ୍ଜିତ୍ କରିବେ ଯେ,ଶୁଣିବା ଲୋକର ଜୀବ ଛାଡି ଯିବ। ଆଜିକୁ ସାତ ଦିନ ହେଲାଣି ଘରସଫା ଚାଲିଛ ଯେ ଚାଲିଛି। ଜମିଦାରଙ୍କ ପୁଅବୋହୂ କାଳେ ଘରକୁ ଆସିବେ। ତାଙ୍କ ସାଙ୍ଗେ ଆସିବ ଜମିଦାରଙ୍କ ବଂଶର ସନ୍ତକ; ତାଙ୍କର ଏକ ମାତ୍ର ନାତି। ଜମିଦାରଙ୍କ ପୁଅ ପାଠ ପଢିବାକୁ ସହରକୁ ଗଲା ଯେ ଆଉ ଫେରିବାର ନାମ ନେଲାନି। ଟଙ୍କା ପଇସା ବରାବର ପୁଅ ପାଖରେ ପହଞ୍ଚୁ ଥିଲା। ବୁଢୀ ବଞ୍ଚିଥିଲା ବେଳେ ସବୁ ପର୍ବପର୍ବାଣୀରେ ପିଠାପଣା ଠୁଁ ଆରମ୍ଭ କରି ନଡିଆ,ପରିବା ଚାଉଳ,ଡାଲି ସବୁ ପଠା ଚାଲିଥିଲା। ପ୍ରଥମେ ପୁଅ ମନଖୁସିରେ ସବୁ ରଖୁଥିଲା। ତା ସାଙ୍ଗସାଥୀ ମାନେ ବି ଚାତକ ପରି ଚାହିଁ ରହୁଥିଲେ କେବେ ଜମିଦାର ଘରୁ ଜିନିଷ ଆସିବ। ଫି ଦିନ ପୁଅର ସାଙ୍ଗମାନେ ଖୁସିରେ ସେସବୁ ଜିନିଷ ଖିଆପିଆ କରୁଥିଲେ। କିନ୍ତୁ ପୁଅର ବୟସ ବଢିବା ସହ ନାନା ପେଖନା ବାହାରିଲା। ଜମିଦାରେ ଜିନିଷ ପଠେଇଲେ ସେ ରଖିବାକୁ ଅମଙ୍ଗ ହେଲା। କୁଆଡେ, ତାକୁ ସେ ଜିନିଷ ସବୁ ଭଲ ଲାଗିବା ବନ୍ଦ ହୋଇଗଲା। ସହରରେ ରହି କିଏ କଣ ଏ ଗାଉଁଲି ପିଠାପଣା,ଡାଲି ଚାଉଳ ଖାଏ ? ପକେଟ ଓଜନ ଥିଲେ ଖାଇବା ଜିନିଷର ଅଭାବ ନାହିଁ। କେତେ ଜାତିର ସାହେବି ଖାଦ୍ଯ ସହରରେ ମିଳୁଛିି ତା’ର ହିସାବ ନାହିଁ। ସେସବୁ ଖାଇଲେ ସିନେ ଲୋକେ ଚିହ୍ନିବେ। ପୁଅର ମନକଥା ଜମିଦାର ଜାଣିବା ପରେ ଜିନିଷପତ୍ର ପଠା ବନ୍ଦ ହେଲା। ତେଣିକି ସେହି ଅନୁପାତରେ ପୁଅ ପାଖକୁ ଅଧିକା ଟଙ୍କା ପଠାହେଲା। ଘରେ କିଛି ଯାନିଯାତ୍ରା ହେଲେ ଜମିଦାରଙ୍କ ସ୍ତ୍ରୀ ଙ୍କ ମନ ଉଚ୍ଚାଟ ହୁଏ। ପିଲା ଟା ଘରକୁ ଆସିଲେ କେତେ ସୁଖ ଲାଗନ୍ତା- ସବୁ କୁଣିଆଙ୍କ ସେଇ ଗୋଟିଏ ପ୍ରଶ୍ନ- କିହୋ, ଅନ୍ଯ ଲୋକଙ୍କ ପିଲା ବି ସହରରେ ପଢୁଛନ୍ତି। ସେମାନେ ତ ବରାବର ଘରକୁ ଆସୁଛନ୍ତି। ତୁମ ପିଲା କାଇଁ ଆସୁନି। ଜମିଦାର ନିରୁତ୍ତର ରୁହନ୍ତି ଓ ତାଙ୍କ ସ୍ତ୍ରୀ କିଛି ଉତ୍ତର ଶୁଣିବା ଆଶାରେ କାନ ଡେରି ରୁହନ୍ତି। ଏମିତି ଦିନ ପରେ ଦିନ ବିତି ଚାଲିଲା। ମଝିରେ ଜମିଦାରଙ୍କ କାନରେ ପଡିଲା ଯେ ପୁଅ ଢେର ଭଲ ପାଠ ପଢୁଛି। ଏମିତି ପଢିଲେ ନିହାତି ବଡଲୋକ ଟେ ହେବ। ସେତିକି ଶୁଣି ଦୁଇପ୍ରାଣୀଙ୍କ ଆତ୍ମା ତୃପ୍ତ ହୋଇଯାଏ। ଆଜି ସିନା ପିଲା ଘରକୁ ଆସୁନି,କାଲି ବଡଲୋକ ହୋଇ ଚାକିରି ବାକିରି କଲେ ବଳେ ଆସିବ ଯେ। ଜମିଦାରଙ୍କର ବୟସ ବଢୁଛି। ବୁଢୀ ଦେହରେ ବି ନାନା ରୋଗ ବଇରାଗ ଘର ଧରିଲାଣି। ଏବେ ସହରକୁ ବୁଢୀକୁ ନେଇ ମାସରେ ତିନିଚାରି ଥର ଦୌଡିବାକୁ ପଡୁଛି। ପ୍ରତିଥର ସେମାନେ ପୁଅକୁ ଦେଖି ଆସୁଥିଲେ। କିନ୍ତୁ ପୁଅର ଅମଙ୍ଗପଣ ଦେଖି ଧିରେଧିରେ ଯିବା କମିଗଲା। ଦିନେ ପୁଅ ଖବର ପଠାଇଲା- ତିନି ଲକ୍ଷ ଟଙ୍କା ରାତି ପାହିଲେ ଦରକାର। ସେତିକି ଯୋଗାଡି ପାରିଲେ ଭଲ ଚାକିରି ଟେ ମିଳିଯିବ। ଯେମିତି ହେଲେ ଦେବାକୁ ହେବ। ଜମିଦାରଙ୍କ ପାଖରୁ ଏ କଥା ଶୁଣି ବୁଢୀ ଗୁଣୁଗୁଣୁ କହିଲେ- ପୁଅର ପାଠପଢାରେ ତ ଏତେ ଖର୍ଚ୍ଚ ହେଲା। ସେ ଘରକୁ ନ ଆସି ଏତେ ଦିନ ତପସ୍ଯା କରିବା ପରି ସହରରେ ରହି ପାଠ ପଢିଲା। ତା ପରେ ବି ଏତେ ଟଙ୍କା ଦେବାକୁ ହେବ ? ଜମିଦାରଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନଥିଲା। ସିନ୍ଧୁକ ଖୋଲି ସେ କିଛି କାଗଜପତ୍ର କାଢି ରାମ ଠିକାଦାର ଘର ଆଡେ ମୁହାଁଇଲେ। ପୁଅର ଚାକିରି ହୋଇଗଲା। ଦରମା ବହୁତ ତା ସାଙ୍ଗକୁ ମାନ ଇଜ୍ଜତ କାହିଁଁରେ କଣ। ଗାଁଆସାରା ସେଦିନ ଜମିଦାର ମିଠା ବାଣ୍ଟିଲେ। ବୁଢୀଙ୍କ ଖୁସିର ଠିକଣା ରହିଲାନି। ସେଦିନ ପୁଅ ଘରକୁ ଆସିଥିଲା। ପୁଅକୁ କୁଣ୍ଢେଇ ବୁଢୀ ବହୁତ କାନ୍ଦିଲେ। ଜମିଦାରଙ୍କ ଆଖି ତଳ ମଧ୍ଯ ଓଦା ହୋଇଗଲା। ଥରଥର ହାତରେ ବୁଢୀ ପୁଅକୁ କହିଲେ ଧନରେ ମୋ ଜୀବନର ଠିକଣା ନାହିଁ। କେତେବେଳେ ନିଶ୍ବାସ ବନ୍ଦ ହୋଇଯିବ ସେକଥା କହି ହେବନି। ତୋ ବାପାଙ୍କୁ ସଦାବେଳେ ଦେଖୁଥିବୁ। ଯଦି ମୋର କିଛି ହୋଇଗଲା ତୋ ବାପାଙ୍କୁ ନେଇ ପାଖରେ ରଖିବୁ। ତାଙ୍କ ଦାୟିତ୍ବ ସଦାବେଳେ ନେବୁରେ ପୁଅ।

ବୁଢୀଙ୍କ ହାତ ଧରି ପୁଅ କହିଲା ସେମିତି ବାଜେ କଥା କାହିଁକି କହୁଛୁ। ତୋ’ର କିଛି ହେବନି। ବାସ୍,ସେତିକି ଥିଲା ମାଆ ପୁଅଙ୍କ ଭିତର କଥୋପକଥନ। ସେଦିନ ପରଠାରୁ ବୋଧେ ସମୟର ଚକ ବେଶି ଜୋରରେ ଘୁରିବାକୁ ଲାଗିଲା। ଚାକିରି ଜୀବନର ବ୍ଯସ୍ତତା ବଢିବା ସହିତ ପୁଅର ଯୋଗାଯୋଗ ଜମିଦାରଙ୍କ ସହ କମିଗଲା। ସେ କେତେ ଦରମା ପାଉଥିଲା କେଉଁ ଚାକିରି କରୁଥିଲା ଓ କିପରି ରହୁଥିଲା ସେ କଥା ଜାଣିବାର ଅବକାଶ ଜମିଦାରଙ୍କର ନଥିଲା। ପୁଅ ସହ କଥା ହେବାକୁ ବୁଢୀ ଜିଦ୍ ଧରିବାରୁ ଜମିଦାରେ ଏକ ମୋବାଇଲ କିଣିଥିଲେ। ଦଶଥର ଫୋନ କଲେ ପୁଅ ଥରେ ଉଠାଉଥିଲା। କଥା ହେଉଥିଲା ମାତ୍ର ଦୁଇ ତିନି ମିନିଟ୍। ସେତିକି ସମୟରେ ସେ ତାଗିଦ୍ ମଧ୍ଯ କରୁଥିଲା ବାରମ୍ବାର ଫୋନ ନ କରିବାକୁ। ସେଦିନ ରାତିରେ ବୁଢୀଙ୍କ ଦେହ ଅଚାନକ ବହୁତ ଖରାପ ହୋଇଗଲା। ଗାଁଆଲୋକଙ୍କ ସହ ମିଶି ଜମିଦାରେ ରାତାରାତି ବୁଢୀଙ୍କୁ ନେଇଗଲେ ସହରର ବଡ ଡାକ୍ତରଖାନାକୁ। ବୁଢୀର ଚିକିତ୍ସାପାଇଁ ଲକ୍ଷେଟଙ୍କା ଲୋଡା ଶୁଣି ଜମିଦାରେ ମୁଣ୍ଡରେ ହାତ ଦେଇ ବସିଲେ। କାଳେ ସେମାନଙ୍କୁ ଟଙ୍କା ମାଗିବେ ଭାବି ଗାଁଆ ଲୋକେ ଯେ ଯୁଆଡେ ବାହାନା କରି ଚାଲିଗଲେ। ଅନ୍ଯ ଉପାୟ ନ ପାଇ ସେ ପୁଅକୁ ଘନ ଘନ ଫୋନ କରି ଚାଲିଲେ। କିନ୍ତୁ କାହିଁକି କେଜାଣି, ପୁଅ ଫୋନ ଉଠାଇଲା ନାହିଁ। ଶେଷରେ ଏକ ଟେଲିଫୋନ ବୁଥ୍ ରୁ ପୁଅ ପାଖକୁ ଫୋନ କରି ଜମିଦାର ସବୁ କଥା କହିଲେ। କିନ୍ତୁ ପୁଅର ଉତ୍ତର ଶୁଣି ଜମିଦାରଙ୍କ ଛାତି ଫାଟିଯିବା ପରି ଲାଗିଲା । ସେ ରୁକ୍ଷ ଭାବରେ କହିଲା- ଆରେ ମୋ ଚାକିରି ତ ଏତିକି ଦିନ ହେଲା ହୋଇଛି। ସାଙ୍ଗେସାଙ୍ଗେ ଏତେ ଟଙ୍କା କୁଆଡୁ ଯୋଗାଡ କରିଦେବି। ଟଙ୍କା କଣ ଗଛରେ ଫଳିଛି ଯେ ତୋଳି ଆଣିବି?

ଡାକ୍ତରଖାନା ବାରଣ୍ଡାରେ ତିନିଦିନ ତିନିରାତି ଜମିଦାରେ ବସି ରହିଲେ। ଠିକ ସମୟରେ ଟଙ୍କା ଦେଇ ନ ପାରିବାର ଦଣ୍ଡ ସ୍ବରୂପ ବୁଢୀଙ୍କର ନିର୍ଜୀବ ଶରୀର ସାଙ୍ଗରେ ଧରି ଗାଁଆକୁ ଫେରିଲେ। ଅବଶ୍ଯ ଖବର ପାଇ ପୁଅ ବୁଢୀଙ୍କର ଶେଷ ଦର୍ଶନ ପାଇଁ ଆସିଲା। ବନ୍ଧୁବାନ୍ଧବଙ୍କ ଆଗରେ ଜମିଦାରଙ୍କୁ ନାନା କଥା କହି ଦୋଷ ମଧ୍ଯ ଦେଲା ଯେ କାହିଁକି ତାକୁ ପୂର୍ବରୁ ସବୁ ଜଣାଇଲେ ନାହିଁ। ଜମିଦାରଙ୍କ ପେଜୁଆ ଶେତାଳିଆ ଆଖି ଯୋଡିକ ପୁଅକୁ କେବଳ ନୀରବରେ ପ୍ରଶ୍ନ କରି ଚାଲିଥିଲେ ଯାହା ତୁ ସତ କହୁଛୁ ତ ପୁଅ ? ଶୁଦ୍ଧିକ୍ରିୟା ପାଇଁ ପୁଅ ଗାଁଆରେ ରହିଲାନି। ତା ଚାକିରିରେ କାଳେ ଛୁଟିର ବ୍ଯବସ୍ଥା ନାହିଁ। ତେଣୁ ସେ ସହରରେ ପୁରୋହିତ ଯୋଗାଡ କରି ସବୁ କର୍ମ କରିଦେବ। ଗାଁଆଲୋକେ ଓ ବନ୍ଧୁବାନ୍ଧବ ନାକ ଟେକିଲେ- - ଜମିଦାରେ ସୁକୁସୁକୁ ହୋଇ କାନ୍ଦି ନୀରବ ପ୍ରତିବାଦ କଲେ। କିନ୍ତୁ ସବୁ ନିଷ୍ଫଳ ହେଲା। ଧୂଳିଧୂଆଁ ଉଡାଇ ପୁଅ ମୋଟରକାରରେ ବସି ଚାଲିଗଲା। ଜମିଦାରଙ୍କ ଆଖିରେ ସତେକି ମହଣ ମହଣ ଧୂଳିକଣା ଅଜାଡି ହୋଇ ପଡିଲା। ବୁଢୀ ଚାଲିଯିବା ଉତ୍ତାରୁ ଜମିଦାରଙ୍କ ଆଖିରୁ ବୋହି ଚାଲିଥିବା ଲୁହ ସେ ଧୂଳିସବୁକୁ ନିଗାଡି ଦେବାକୁ କେତେ ଚେଷ୍ଟା ନ କରିଛି ସତେ! କିନ୍ତୁ ପାରିନି ଆଜି ବି ଦୁଇ ଆଣ୍ଠୁ ମଝିରେ ମୁହଁ ଜାକି ଜମିଦାରେ ଗୁମୁରି ଗୁମୁରି କାନ୍ଦନ୍ତି। ପୁଅ କଥା ଦେଇଥିଲା ବୁଢୀଙ୍କୁ ଯେ ସେ ଜମିଦାରଙ୍କ ଯତ୍ନ ନେବ। ତାଙ୍କୁ ଅଣଦେଖା କରିବନି। ନିଜ କଥା ରଖିଥିଲା ପୁଅ। ଜମିଦାରଙ୍କୁ ଲୋକ ପଠେଇ ନିଜ ଘରକୁ ଅଣେଇ ଥିଲା। କିନ୍ତୁ ଜମିଦାରଙ୍କ ରୂପଭେକ ଦେଖି ବୋହୂ ନାକ ଟେକିଲା। ଏମିତି ଗୋଟେ ଅପରଛନିଆ ମଳିମୁଣ୍ଡିଆ ଲୋକର ପୁଅ ବୋଲି ସହରବାସୀ ଜାଣିଲେ ଇଜ୍ଜତ ବାରଗଣ୍ଡା ଦୁଇ କଡା ହୋଇଯିବ। ପୁଅର ଧୋବ ଫରଫର ମାର୍ବଲ ଚଟାଣ ଉପରେ ଜମିଦାରଙ୍କ ଗୋଇଠିଫଟା ନଖବଢା ପାଦ ଯୋଡିକ ମୋଟରୁ ଖାପ ଖାଇଲାନି। ପୁଅବୋହୂଙ୍କ ଆଦାବ କାଇଦା ଦେଖି ଜମିଦାର ନିଜେ ହାତ ଯୋଡି ପୁଅକୁ କହିଲେ ଗାଁଆରେ ତାଙ୍କୁ ଛାଡି ଆସିବା ପାଇଁ। ଯୋଉ ଗାଡିରେ ସେ ସହରକୁ ଯାଇଥିଲେ ସେହି ଗାଡିରେ ଫେରିଲେ। ପୁଅ ଘରେ ବୋଧେ ଅତି ବେଶିରେ ଅଧାଘଣ୍ଟା ରହିଥିବେ କି ନା ସନ୍ଦେହ। ଫେରିବା ପରଦିନ ଗାଁଆଲୋକଙ୍କୁ ଜମିଦାରେ ସଫେଇ ଦେଲେ ଯେ ତାଙ୍କର ଗାଁଆଘର ଓ ଲୋକଙ୍କ କଥା ବେଶି ମନେ ପଡିଲା ବୋଲି ସେ ଫେରି ଆସିଲେ। ଲୋକେ ସବୁ ଜାଣି ମଧ୍ଯ ତାଙ୍କୁ କିଛି ପଚାରିଲେନି ଏମିତି କଣ ହେଲା ଯେ ଜମିଦାର ବୁଢା ପୁଅ ପାଖରୁ ଅଧଘଣ୍ଟା ଭିତରେ ବାହୁଡି ଆସିଲେ। କିନ୍ତୁ ଗୋଟେ କଥା ମାନିବାକୁ ପଡିବ ଗାଆଁଲୋକେ ଜମିଦାରଙ୍କୁ କେତେବେଳେ ଏକୁଟିଆ ରହିବାକୁ ଦେଇ ନାହାଁନ୍ତି। ତାଙ୍କ ପାଖରେ କାହିଁ କେତେ ବର୍ଷରୁ କାମ କରୁଥିବା ଚାକର ବାକର ମାନେ ଆଜି ବି ସେବା ଯୋଗାଇ ଆସୁଛନ୍ତି। କାରଣ,ସେମାନେ ଦେଖିଛନ୍ତି ଜମିଦାରଙ୍କ ଅସଲ ପ୍ରତିପତ୍ତି ଓ ଜୀବନଶୈଳୀ। ଦିନ ଥିଲା ଜମିଦାର ଧର କହିଲେ ଲୋକେ ମାରି ଆଣୁଥିଲେ। ଜମିବାଡି,ସୁନା ଗହଣାର ହିସାବ ନଥିଲା। ଫି’ ଦିନ ଜମିଦାରଙ୍କ ଘରେ ଚାଳିଶି ପଚାଶ ଲୋକ ଖାଉଥିଲେ। ହଳିଆ-ମୂଲିଆ,ଚାକର-ବାକର,ବନ୍ଧୁବାନ୍ଧବଙ୍କ ଯିବା ଆସିବା ବରାବର ଲାଗି ରହୁଥିଲା। ସକାଳୁ ନିତ୍ଯକର୍ମ ସାରି ଜମିଦାରେ ପିଣ୍ଡାରେ ପଡିଥିବା ସିଂହମୁହାଁ ଚୌକିରେ ବସି ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ। ତେଣେ ଗୁମାସ୍ତା ତାଙ୍କ ପାଖରେ ବସି ହିସାବ କିତାବ ଚଳାଉଥିଲା। ଏକର ଏକର ଉର୍ବର ଚାଷ ଜମି, ଦଶ ବାର ଟା’ ମାଛଚାଷ ହେଉଥିବା ବିରାଟ ପୋଖରି, ତିନିଶହ ଖଣ୍ଡେ ନଡିଆଗଛ ସାଙ୍ଗକୁ ଦଶଟା ଫଳନ୍ତି ଆମ୍ବତୋଟା। ଏତିକି ଯାହା ପାଖେ ଥିବ,ତା’ର ବା ଅଧିକା କଣ ଲୋଡା। କିନ୍ତୁ ସରକାର ବାହାଦୂରଙ୍କ ନିୟମ ଆସିବା ପରେ ଜମିଦାରଙ୍କ ଅବସ୍ଥା ଦିନ କୁ ଦିନ ଖରାପ ହେବାରେ ଲାଗିଲା। ସତେକି ପୂର୍ଣ୍ଣମୀଚାନ୍ଦକୁ ଗ୍ରହଣ ଲାଗିଗଲା। ସରକାର କଣ ନେଲେ ଓ କେତେ ଦେଲେ ସେ ହିସାବ ତାଙ୍କୁ ହିଁ ଜଣା। କିନ୍ତୁ ମହାବାତ୍ଯା ପ୍ରକୋପରେ ଥୁଣ୍ଟା ପଡି ଯାଇଥିବା ବରଗଛ ପରି ଜମିଦାରଙ୍କ ଜୀବନ ପତ୍ରହୀନ ଓ ରଙ୍ଗହୀନ ହୋଇଗଲା। ସବୁ ଚାଲିଯିବା ପରେ ମଧ୍ଯ ଜମିଦାରେ ଅବିଚଳିତ ଥିଲେ। ସତେକି କାଳର ପ୍ରହାର ସେ ମୁଣ୍ଡପାତି ଗ୍ରହଣ କରି ନେଇଥିଲେ। ବୋଧହୁଏ ପୁରୁଣାକାଳର ଲୋକମାନେ ସେମିତି ଥିଲେ। କୌଣସି ପରିସ୍ଥିତିରେ ମଧ୍ଯ ହାର୍ ନ ମାନିବାର କଳା ପ୍ରାୟ ସମସ୍ତଙ୍କ ପାଖରେ ଥିଲା। ଜୀବନର କେବଳ ଦୁଇଟି ମନ୍ତ୍ର ସେମାନଙ୍କ ପାଇଁ ପ୍ରଯୁଜ୍ଯ ଥିଲା ସଂଘର୍ଷ ଓ ସଫଳତା। କଥାରେ ଅଛି ଜୀବନଯୁଦ୍ଧରେ ଅବିଚଳିତ ଯୋଦ୍ଧା କେବେ ରିକ୍ତ ହସ୍ତରେ ଫେରେନାହିଁ। ଜମିଦାରଙ୍କ କ୍ଷେତ୍ରରେ ତାହା ହିଁ ହେଲା। ଅଚାନକ ଦିନେ ଖବର ଆସିଲା ଜମିଦାରଙ୍କ ଏକ ଜମି ସରକାର ଅଧିଗ୍ରହଣ କରିବେ। ସେଥିପାଇଁ ବେଶ୍ ମୋଟା ଅଙ୍କର ଅର୍ଥ କ୍ଷତିପୂରଣ ବାବଦକୁ ମିଳିବ। ଖବର ପାଇବା ଦିନ ଜମିଦାରଙ୍କ ଶୁଷ୍କ ମୁହଁରେ ହସଧାରେ ଖେଳିଗଲା। ଯାହା ହେଉ ଜୀବନର ଅନ୍ତିମ ପର୍ଯ୍ଯାୟରେ ସେ ପୁଣିଥରେ ମନଖୋଲି ବଞ୍ଚି ପାରିବେ। କାହିଁ କେତେଦିନରୁ ତାଙ୍କ ସେହି ଜମି ଅବ୍ଯବହୃତ ହୋଇ ପଡି ରହିଥିଲା। ସେହି ବାଟ ଦେଇ ଯେ ସରକାର ବାହାଦୂର ରାସ୍ତା ତିଆରିବେ ଏ କଥା ଭାବିବା ଥିଲା ସ୍ବପ୍ନାତୀତ। କେବଳ ଜମିଦାର ନୁହଁନ୍ତି,ଗାଁଆର ଅନେକ ଲୋକଙ୍କ ଜମି ସେହି ପାଖାପାଖି ଥିଲା। ସେମାନେ ମଧ୍ଯ କ୍ଷତିପୂରଣ ପାଇବେ। କିନ୍ତୁ ଜମିଦାରଙ୍କ ବିଶାଳ ଜମି ଅନୁପାତରେ କ୍ଷତିପୂରଣ ରାଶି ଥିଲା ଲାକ୍ଷାଧିକ। ଗାଁଆଲୋକେ ମଧ୍ଯ ଜମିଦାରଙ୍କ ପାଇଁ ଖୁସି ଥିଲେ। କାରଣ ଜମିଦାରଙ୍କ ଦୟନୀୟ ଅବସ୍ଥାର ସେମାନେ ମୂକସାକ୍ଷୀ ଥିଲେ। ଏ ଖବର ପାଇବାର କିଛି ଦିନ ମଧ୍ଯରେ ଜମିଦାରଙ୍କ ପାଖକୁ ପୁଅ ଖବର ପଠାଇଥିଲା ଯେ ସେ ତା ପରିବାର ସହ ବୁଲିବାକୁ ଆସିବ। ଟଙ୍କା ମିଳିବାର ଖୁସି ଅପେକ୍ଷା ଶହେଗୁଣ ଅଧିକ ଖୁସିର ଖବର ଥିଲା ଯେ ପୁଅ ତାଙ୍କ ପାଖକୁ ଆସିବା ପୁଣି ତା ସ୍ତ୍ରୀ ଓ ପିଲା ସହ। ସଦାବେଳେ ଚିନ୍ତିତ ଓ ବ୍ଯଥିତ ଥିବା ଜମିଦାରଙ୍କ ମୁହଁରେ ହସ ଲହଡି ଭାଙ୍ଗୁଥିଲା। କାହିଁ କେତେ ଦିନରୁ ତିଳ ତିଳ କରି ମରି ଚାଲିଥିବା ମନରେ ନୂତନ ପ୍ରାଣସଞ୍ଚାର ହୋଇ ଯାଇଥିଲା।

ଲୋକ ଲଗାଇ ଜମିଦାରେ ଘରଦ୍ବାର,ଦାଣ୍ଡ ଅଗଣା ଆଦି ପରିଷ୍କାର କରାଇ ଦେଲେ। ପୁଅ ପାଇଁ ଧୋବ ଫରଫର ଚଦର, ତକିଆ, ଗଦି ଆଦି ନୂଆ କରି ମଗାଇଲେ। ଏତେ ବର୍ଷର ବାହାଘର ପରେ ତାଙ୍କ ବୋହୂ ପ୍ରଥମଥର ପାଇଁ ତାଙ୍କ ଘରେ ରହିବ। ତେଣୁ ତା ପାଇଁ ନୂଆ ଶାଢୀ,ସିନ୍ଦୁର ଓ ଅନ୍ଯ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ମଧ୍ଯ ମଗାହେଲା। ନାତି ପାଇଁ କିସମ କିସମର ଖେଳନା,ଚକୋଲେଟ,ବିସ୍କୁଟ୍ ଓ ଜାମାପଟ୍ଟାର ପସରା ମଧ୍ଯ ଲାଗିଲା। ତା ସାଙ୍ଗକୁ ଗାଁଆର ସବୁଠାରୁ ଭଲ ରୋଷେଇଆ ନିଯୁକ୍ତ କରାଗଲା ପୁଅବୋହୂ ଓ ନାତିଙ୍କ ପାଇଁ ଭଳି କି ଭଳି ସହରୀ ଖାଇବା ତିଆରି ନିମନ୍ତେ। ଚୋଧୁରୀ ଘରୁ ସୋଫା,ଚୌକି,ଗାଲିଚା ମଧ୍ଯ ମଗାଗଲା ବୈଠକଖାନାରେ ସଜାଇବା ପାଇଁ। ସେଦିନ ରାତି ନ ପାହୁଣୁ ମହାଜନେଙ୍କ ରୋଷଘରୁ ଧୂଆଁ ଉଠିବା ଦୃଶ୍ଯ ହେଲା। ମହାଜନେ ଗୋଧୋଇ ପୂଜାସାରି ତାଙ୍କ ଜମିଦାରିଆ ବେଶଭୂଷା ଧାରଣ କରି ପୁଅବୋହୂଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। ସମସ୍ତ ପ୍ରସ୍ତୁତି ପ୍ରାୟ ସରି ସାରିଥିଲା। ରୋଷେଇଆକୁ ଆବଶ୍ଯକୀୟ ଜିନିଷପତ୍ର ଯୋଗାଇ ଦେଇ ଜମିଦାରେ ଘରଦାଣ୍ଡ ଆଡେ ଘେରାଏ ବୁଲି ଆସି ପିଣ୍ଡାରେ ପଡିଥିବା ଚୌକିରେ ଗୋଡ ଲମ୍ବାଇ ବସି ରହିଲେ। ନ ଚାହିଁଲେ ବି ତାଙ୍କ ଆଖିରୁ ଅଜାଣତରେ କେଇ ବୁନ୍ଦା ଲୁହ ଝରି ଆସିଲା। ବୁଢୀ ବିଚାରି, ପୁଅକୁ ଟିକେ ଦେଖିବ ବୋଲି କେତେ ଡହଳବିକଳ ନହେଲା। କିନ୍ତୁ ଅପୂର୍ଣ୍ଣ ଆଶା ମନରେ ରଖି ସେ ସବୁଦିନ ପାଇଁ ଆଖି ବୁଜିଲା। ଜମିଦାରଙ୍କ ମନରେ ପୁଅ ପାଇଁ ଅଭିମାନର ବିଶାଳକାୟ ପାଚେରୀ ଛିଡା ହୋଇ ଯାଇଥିଲା ବୁଢୀ ଚାଲିଦିନରୁ। ଶେଷରେ ପିଲାଟା ଜନ୍ମ କଲା ମାଆର ମୁହଁ ଚାହିଁଲାନି। ଛି ଛି । ହଠାତ୍ ସେ ମୁଣ୍ଡରେ କାହାର କୋମଳ ସ୍ପର୍ଶ ଅନୁଭବ କଲେ। ଆରେ ଶାନ୍ତି ତୁମେ ? ଚମକି ପଡିଲେ ଜମିଦାରେ। ବୁଢୀ କିଛି କହିବାକୁ ଚାହୁଁଥିଲେ ସେତିକି ବେଳେ ମାଧବ ବଡପାଟିରେ ଡାକ ପକାଇଲା ହୋ ଜମିଦାରେ,କଣ ଶୋଇ ପଡିଲ କି? ହେଇ ଦେଖ, ପୁଅ ବୋଧେ ତା ମୋଟରଗାଡିରେ ଆସି ଗଲାଣି। ଚମକି ପଡିଲେ ଜମିଦାର। ବିଡିବିଡେଇ କହିଲେ ଆରେ, ମୁଁ କେତେବେଳେ ଶୋଇଗଲି ଯେ। ହେଇ ତ ଆସି ବସିଥିଲି। ତେବେ କଣ ମୋ ସ୍ବପ୍ନରେ ଶାନ୍ତି ଆସିଥିଲେ ସତକୁ ସତ ଗାଡି ଆସି ଘର ଅଗଣାରେ ଲାଗିଲା। ପୁଅବୋହୂ ଓ ନାତି ଗାଡିରୁ ଓହ୍ଲାଇଲେ। ଜମିଦାରେ ଖୁସିରେ ଆତ୍ମହରା ହୋଇ ପୁଅକୁ ପାଛୋଟିବାକୁ ଦୌଡିଗଲେ। ନାତିକୁ କୋଳକୁ ଟେକି ଆଣି ବୋକ ଦେଲା ବେଳକୁ ପିଲାଟା ଚିରାଡ ମାରି କାନ୍ଦିବା ଆରମ୍ଭ କରିଦେଲା। ଇଂରାଜୀରେ କଣ ସବୁ ବିଡ୍ ବିଡ୍ ହୋଇ କହିଗଲା। ଜମିଦାରେ ନାଷ୍ଟି ଓଲ୍ଡମ୍ଯାନ୍ ର ଅର୍ଥ କଣ ବୁଝିବାକୁ ଚେଷ୍ଟା କରିବା ସମୟରେ ପୁଅ ତାଙ୍କ ଗୋଡ ଛୁଇଁ ପ୍ରଣାମ କଲା। ପୁଅର ବାରମ୍ବାର ଇସାରା ପରେ ମଧ୍ଯ ବୋହୂ ଜମିଦାରଙ୍କୁ ପ୍ରଣାମ ନକରି ବାଉଁଶବାଡି ପରି ଛିଡା ହୋଇ ରହିଲା। ଜମିଦାରଙ୍କ ମନଟା ଉଣା ହୋଇଗଲା ସତ,ମାତ୍ର ସେ ନିଜକୁ ସମ୍ଭାଳି ନେଲେ। ବୋହୂ ତାଙ୍କ ଘରୁ ଯେଉଁ ସଂସ୍କାର ପାଇଛି ସେହି ଅନୁସାରେ ସିନା ବ୍ଯବହାର ଦେଖାଇବ। ଯଦି ତାଙ୍କ ଘରେ ଏପରି ସଂସ୍କାର ନାହିଁ, ତେବେ ସେ ପ୍ରଣାମର ମହତ୍ତ୍ବ ବୁଝିବ କାହୁଁ। ଜମିଦାରେ ସିନା ନିଜକୁ ସମ୍ଭାଳି ନେଲେ କିନ୍ତୁ ପୁଅକୁ ଦେଖିବାକୁ ଆସିଥିବା ଗାଁଆଲୋକେ ବୋହୂର ଏପରି ବ୍ଯବହାରକୁ ନାକ ଟେକିଲେ। ଜମିଦାରଙ୍କ ନାତିକି ଟିକେ ଜାବୁଡି ଧରି ଗେଲ କରିବାର ଆଶା ପାଣି ଫୋଟକା ପରି ମିଳାଇଗଲା। ସେତେବେଳକୁ ବୋହୂ ତା ପୁଅର ହାତଧରି ଘର ଭିତରକୁ ଏକ ପ୍ରକାର ଘୋଷାଡି ନେଇ ସାରିଥିଲା।

ପୁଅ ମୁହଁରେ ଯଥେଷ୍ଟ ଗାମ୍ଭୀର୍ଯ୍ଯଭାବ ଉକୁଟାଇ ଜମିଦାରଙ୍କୁ ପଚାରିଲା ଆଉ, ତୁମେ ଠିକ୍ ଅଛ ତ ? ଦେହ କେମିତି ଅଛି। ଏ ପ୍ରଶ୍ନର କି ଉତ୍ତର ଦେବେ ଜମିଦାର ଭାବିବା ବେଳକୁ ପୁଅ ତାଙ୍କ ସମ୍ମୁଖରୁ ଉଭାନ୍ ହୋଇ ସାରିଥିଲା। ଜମିଦାରଙ୍କ ଛାତି ଭିତରଟା ଓଜନିଆ ଲାଗିଲା। ସତେ କି ମନ ଭିତରେ କୋହ ଉଠି ଆସୁଛି। ପୁଅ ଆସିବ ବୋଲି ସେ କେତେ ଆୟୋଜନ କରି ଚାହିଁ ରହିଛନ୍ତି କିନ୍ତୁ ସେ ସାହେବୀ କାଇଦାରେ ଘରଭିତରେ ପଶିଗଲା। କିଛି ସମୟ ଉତ୍ତାରୁ ଚାକର ହରି ଆସି ମହାଜନଙ୍କୁ ଡାକ ଦେଇ କହିଲା ଆଜ୍ଞା, ବୋହୂ ମାଆ ମୋ ଝିଅ ଗାଲରେ ଗୋଟେ ଚାପୁଡା ବସେଇ ସାରିଲେଣି।

କଣ ହେଲା ? କିନ୍ତୁ କାହିଁକି ?

ଚାହାରେ କାହିଁକି ଚିନି ପକେଇ ଦେଲା ବୋଲି। ଖାଲି ସେତିକି ନୁହଁ ଆଜ୍ଞା ମୋ ଝିଅ ମୁହଁରେ ବୋହୂମାଆ ଚାହାକପ୍ ଟା ଫିଙ୍ଗି ଦେଲେ। ଧିର ପଦକ୍ଷେପରେ ଜମିଦାରେ ଘର ଭିତରେ ପଶିଲେ। ପୁଅ ବସିଥିବା ବଖରାରୁ ବୋହୂର କର୍କଶ ଚିତ୍କାର ଭାସି ଆସୁଥିଲା। ସେ ପୁଅକୁ ନିର୍ଧୁମ ଶୋଧି ଚାଲିଥିଲା ଓ ଯଥାଶିଘ୍ର ସହର ଫେରି ଯିବାକୁ ଧମକ ଦେଇ ଚାଲିଥିଲା। ପରିସ୍ଥିତିକୁ ହାଲୁକା କରିବାକୁ ଜମିଦାରେ ବୋହୂ ଓ ନାତି ପାଇଁ ମଗାଇଥିବା ଜିନିଷ ସବୁ ଧରି ପୁଅ ବସିଥବା ବଖରାରେ ପଶିବା ମାତ୍ରେ ବୋହୂ ପୁଣି ଚିତ୍କାର କରି କହିଲା କଣ ଏମିତି ସିଧା ପଶି ଆସୁଛ ଯେ?ଭଦ୍ରାମୀ ଜଣା ନାହିଁ ନା କଣ? କବାଟ ବାଡେଇ ପ୍ରଥମେ ପଚାରିବ, ତା ପରେ ମୁଁ ହଁ କରିବା ପରେ ହିଁ ଆସିବ। ତମକୁ କଣ ଦିଶୁନି ଯେ ମୁଁ ଏ ବଖରାରେ ଅଛି ବୋଲି। ବାହାର ଏଠୁ।

ଜମିଦାରଙ୍କ ବେକଶଣ୍ଢା ଧରି କିଏ ଯେପରିି ଜୋରଦାର ଧକ୍କା ମାରିଦେଲା ତାଙ୍କୁ ସେପରି ଲାଗିଲା। ପୁଅ ସବୁ ଦେଖିବା ପରେ ମଧ୍ଯ ନୀରବ ରହିବା ଟା ବେଶି ବ୍ଯଥିତ କଲା ଜମିଦାରଙ୍କୁ। ତାଙ୍କ ଘରେ ପୁଣି ତାଙ୍କୁ କେହି ଏପରି ବ୍ଯବହାର ଦେଖାଇ ପାରିବ ଏହା ତାଙ୍କ ଚିନ୍ତାଶକ୍ତି ବାହାରେ ଥିଲା। ନୀରବରେ ସେ ମୁହଁ ପୋତି ଫେରି ଆସିଲେ। ଲଜ୍ଜା ଅପମାନରେ ତାଙ୍କ ମୁଖମଣ୍ଡଳ ରକ୍ତିମ ହୋଇ ଉଠିଥିଲା ଓ ଆଖିରେ କ୍ରମାଗତ ଭାବରେ ଜମାଟ ବାନ୍ଧି ଚାଲିଥିବା ଅଶୃ ମାଳା ଯେ କୌଣସି ସମୟରେ ଭୂପତିତ ହୋଇ ପଡିବା ପରି ଲାଗୁଥିଲା। ଫେରି ଆସିବା ସମୟରେ ପଛପଟୁ ପୁଅ କିଛି କହୁଥିବାର ସେ ଶୁଣି ପାରିଲେ ମୁଁ ବେଶିି ସମୟ ରହିବିନି। ତୁମ ସାଙ୍ଗେ ଗୋଟେ ଜରୁରୀ କଥା ଥିଲା। ତୁମେ ବୈଠକ ଖାନାରେ ଅପେକ୍ଷା କର। ମୁଁ ଆସୁଛି। ଘରେ ସେ ସମୟରେ ଉପସ୍ଥିତ ଥିବା ଚାକରବାକର ଗଣ ଜମିଦାରଙ୍କ ପ୍ରତି ହେଉଥିବା ଏତାଦୃଶ ବ୍ଯବହାର ଦେଖି କୁହାକୁହି ହେଉଥିଲେ ବିଚରା ବୁଢା, ପୁଅବୋହୂ ଆସିବେ ବୋଲି ଦିନରାତି ରାତି ଘର ସଜାଇବାରେ ଲାଗିଛି। ଇଆଡେ ସେମାନେ ବୁଢାକୁ ଦୂରଦୂର ମାରମାର କରି ଚାଲିଛନ୍ତି। ଏସବୁ ଦେଖିଲେ ପଥର ଦେହରୁ ବି ରକ୍ତ ଝରି ପଡିବ। ଏ କୁଳାଙ୍ଗାରକୁ ଝୁରିଝୁରି ବୁଢୀ ତ ମଲା,ଏବେ ବୁଢାକୁ ସମଦଶା ଘାରିଛି। ଜମିଦାରେ କାହାକୁ କିଛି ନକହି ଗାମୁଛାରେ ମୁହଁ ପୋଛି ଅଗଣା ଆଡେ ଗଲେ। ପିଣ୍ଡାରେ ପଡିଥିବା ସିଂହ ଚୌକିରେ ଗୋଡ ଲମ୍ବାଇ ବସିଲେ। ପୁଅ କିଛି ସମୟ ପରେ ବୈଠକଖାନାରେ ତାଙ୍କୁ ଖୋଜି ବିରକ୍ତ ହୋଇ ସେଠାକୁ ଆସିଲା। ମୁହଁ ଫଣଫଣ କହିଲା କହିଥିଲି ପରା ଜରୁରୀ କଥା ଅଛି ବୈଠକଖାନାରେ ବସିବାକୁ, ଏଠିକୁ କାହିଁକି ଆସିଲ। କଣ ମୋ କଥା ବୁଝି ହେଲାନି ? ଜମିଦାର ନିରୁତ୍ତର ରହି ପୁଅକୁ ସାମନା ପଡିଥିବା ଚୌକିରେ ବସିବାକୁ ଇସାରା ଦେଲେ। ଏପରି ବ୍ଯବହାରରେ ପୁଅ ଯଥେଷ୍ଟ ଆଚମ୍ବିତ ହୋଇଗଲା। ଗୁରୁ ଗମ୍ଭୀର କଣ୍ଠରେ ଜମିଦାର ପଚାରିଲେ ହୁଁ, କଣ କହିବୁ କହ।

କହିବି ଆଉ କଣ। ମୋତେ ଲାଗୁଛି ତୁମ ମୁଣ୍ଡ ଦୋଷ ବାହାରିଲାଣି। ମୁଁ ଶୁଣୁଛି ସରକାର ଆମ ଜମି ନେବେ। ପଚାଶ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ଯ ଶୁଣୁଛି। ମୋର ସେ ଟଙ୍କା ନିହାତି ଦରକାର। ତୁମେ ଏ କାଗଜରେ ଦସ୍ତଖତ ମାରିଦେଲେ ଟଙ୍କା ମୋ ଏକାଉଣ୍ଟରେ ଜମା ହୋଇଯିବ। ହେଇ ନିଅ ଏ କାଗଜ। ଏଇ ଜାଗାରେ ଦସ୍ତଖତ ମାର। ସେତିକି ବେଳକୁ ବୋହୂ ମୁହଁ ଫଣଫଣ କରି ଆସି ପୁଅକୁ କହିିଲା ଏ ଜାଗାରେ ମୁଁ ଗୋଟେ ମିନିଟ୍ ବି ରହି ପାରିବିନି। ଏଠି ବହୁତ୍ ମଶା ଓ ଛାତ ଉପରେ ଗୋଟେ ଝିଟିପିଟି ସେତେବେଳୁ ବୁଲୁଛି। ଏତେ ଅପରିଷ୍କାର ଜାଗାରେ ରହିଲେ ପୁଅର ଇନଫକ୍ସନ୍ ହୋଇଯିବ।ତାଙ୍କୁ କୁହ ଜଲଦି ଦସ୍ତଖତ ଦେବେ। ପୁଣି ମୋ ସାଙ୍ଗ ଘରେ ଲଞ୍ଚ୍ କରିବାର ଅଛି ଯେ।

ଜମିଦାର ଛିଡା ହେଲେ। ଠୋଃ ଠୋଃ ହୋଇ ହସିଲେ। ସେ ହସର ତୀବ୍ରତାରେ ଘର ଗୁଞ୍ଜରିତ ହେବା ପରି ଲାଗିଲା। ଚାକର ବାକର ମାନେ କଣ ହେଲା ବୋଲି ଦୌଡି ଆସିଲେ। ସେମାନଙ୍କ ଆଗରେ ଛିଡା ହୋଇଥିଲେ ସହି ପୁରୁଣା ଜମିଦାର ବୀରବିକ୍ରମ ସାମନ୍ତରାୟ। ଆଖିରେ ସେହି ଚାହଁଣୀ,ମୁହଁରେ ସହି ରୁକ୍ଷତା ଓ ଦୃଢତା। ପୁଅକୁ ପାଖକୁ ଡାକି ସେ ପଚାରିଲେ- ହଁ କହ, କଣ କହୁଥିଲୁ। ଆରେ ଏ ଲୋକଟା ପାଗଳ ହୋଇ ଗଲା ନା କଣ? ସ୍ତ୍ରୀ ଉଦ୍ଦେଶ୍ଯରେ କହିଲା ପୁଅ। ତାଚ୍ଛଲ୍ୟଭରା ସ୍ବରରେ କହିଲା ଏଇ ଜାଗାରେ ଦସ୍ତଖତ ଦିଅ।

ଓଃ ଆଛା ଆଛା। ଦସ୍ତଖତ ଦରକାର ତ। ହଉ ନେ ଏତିିକି କହି ପୁଅର ଗାଲରେ ଜମିଦାର ଦେଲେ ଏକ ଶକ୍ତ ଚାପୁଡା। ସେ ଚାପୁଡାର କମ୍ପନ ବୋହୂଗାଲରେ ମଧ୍ଯ ଆଲୋଡନ ସୃଷ୍ଟିକଲା ବୋଧେ, କାରଣ ସେ ନିଜ ଗାଲ ଦୁଇଟିକୁ ଘୋଡାଇ କିଛି ସମୟ ରହିଗଲା। ଗାଲ ଆଉଁସିି ପୁଅ କହି ଆଣୁଥିଲା ତୁମ ଟଙ୍କା ଉପରେ ମୋର ମଧ୍ଯ ଅଧିକାର ଅଛି। ଏ ଘର ମଧ୍ଯ ବିକିଦେଇ ମୋ ଭାଗର ଟଙ୍କା ନେବି। କୋର୍ଟରେ ତୁମ ନାମରେ କେଶ୍ କରିଦେବି। ତୁମକୁ ଲାଜ ଲାଗୁନି ମୋ ଉପରେ ହାତ ଉଠାଉଛ? କିଛି କମ୍ ସାହାସ ନାହିଁ ତୁମର? ମୋ ଅଧିକାର

ପୁଅ ଗାଲର ଅପର ପାର୍ଶ୍ବରେ ମଧ୍ଯ ପଡିଲା ଆଉ ଏକ ଶକ୍ତ ଚାପୁଡା। ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଦେଖାଗଲା ପୁଅକୁ। ସେ ପାଖ ଚୌକିରେ ଆଉଜି ପଡିଲା । ପୁଅର ଏ ଅବସ୍ଥା ଦେଖି ବୋହୂ ତା ପୁଅକୁ ଧରି ଗାଡି ଭିତରକୁ ଦୌଡିଲା। ଚାକର ବାକର ମାନେ ମୁହଁରେ ଗାମୁଛା ଦେଇ ହସିବାରେ ଲାଗିଥାନ୍ତି। ଜମିଦାର ବଜ୍ରଗମ୍ଭୀର କଣ୍ଠରେ ପୁଣି କହିଲେ ତୋ ଅଧିକାର ପାଇଲୁ ବୋଲି ମୋର ବିଶ୍ବାସ। ଏହି କ୍ଷଣି ମୋ ନଜର ସାମନାରୁ ଦୂରେଇ ଯାଆ। ନୋହିଲେ ସୁଧମୂଳ ମିଶାଇ ଆହୁରି ଅଧିକାରର ବର୍ଷା ଆରମ୍ଭ କରିଦେବି।

ଜମିଦାର ମାଧବକୁ ଆଦେଶ ଦେଲେ ଗାଁଆର ପିଲା ମାନଙ୍କୁ ତାଙ୍କ ଘରକୁ ଡାକି ଆଣିବାକୁ। ସବୁ ପିଲା ଆଜି ତାଙ୍କ ସାଙ୍ଗରେ ମିଶି ଖାଇବେ ଓ ଉପହାର ମଧ୍ଯ ନେବେ। ମାଧବ ପିଲାଙ୍କୁ ଡାକି ଯିବା ବେଳକୁ ଦୋ ଦୋ ପାଞ୍ଚ ଅବସ୍ଥାରେ ଛିଡା ହୋଇଥିବା ଜମଦାରଙ୍କ ପୁଅକୁ କହିଲା ସାରା ଜୀବନ ତ ବୁଢାବୁଢୀ ଦୁଇଟାକୁ ହନ୍ତସନ୍ତ କରି ରଖିଲ। ଏବେ ଆଉ କଷ୍ଟ ଦେବାକୁ ଚିନ୍ତା କରନି। ତୁମେମାନେ ଆସିବ ବୋଲି ବୁଢା କେତେ ଦିନରୁ ଘର ସଜ୍ଜାରୁ ଆରମ୍ଭ କରି ଜିନିଷ କିଣାରେ ଲାଗିଛନ୍ତି। କିନ୍ତୁ ତୁମେ ମାନେ କଲ କଣ ? ଚାଲିଯାଅ ଆମ ଗାଁଆରୁ ଆଉ କେବେ ମୁହଁ ଦେଖେଇବନି। ତେଣେ ଜମିଦାର ଚିତ୍କାର କରି କହିଲେ ସାବଧାନ ମାଧିଆ, ମୋ ଆଦେଶର ଅବଜ୍ଞା କଲେ ତୋ ଅଧିକାରରୁ ବଞ୍ଚିତ ହେବାକୁ ପ୍ରସ୍ତୁତ ହୋଇ ଥାଆ। ବାଜେଗପ ବନ୍ଦ କରି ଗାଁଆ ଭିତରକୁ ଚଞ୍ଚଳ ଯାଆ। ହାଃ ହାଃ ହାଃ। ଶାନ୍ତି ଦେଖୁଛ ତ ଆମ ସୁଯୋଗ୍ଯ ସନ୍ତାନ କିପରି ତାର ଅଧିକାର ପାଇଲା ।


Rate this content
Log in

Similar oriya story from Classics