ସଇତାନର ଚଣ୍ଡୀପାଠ
ସଇତାନର ଚଣ୍ଡୀପାଠ


ବିଶ୍ବନାଥ ବଳବନ୍ତରାୟ! ରାଜ୍ୟ ତଥା ଦେଶର ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀ, ଜନନେତା ଆହୁରି ଅନେକ ଅନେକ ବିଶେଷଣରେ ସେ ଆଖ୍ଯାୟିତ। ପୃଥିଗଡ଼ର ଧନାଢ୍ୟ ଜମିଦାର ବଂଶରେ ତାଙ୍କର ଜନ୍ମ। ଆଖପାଖରେ ଥିବା ଅଧିକାଂଶ ଜମିଦାରୀ ସୂର୍ଯ୍ୟାସ୍ତ ଆଇନ୍ ବଳରେ ଶାଗମାଛ ମୂଲରେ କଲିକତାରେ ନିଲାମ ହୋଇ ଯାଇଥିବା ବେଳେ ଏବଂ ପରବର୍ତ୍ତୀ ସମୟରେ ଜମିଦାରୀ ଉଚ୍ଛେଦ ହେବା ସତ୍ତ୍ବେ ପୃଥିଗଡ଼ ତାହାର ସ୍ବକୀୟ ସ୍ବାତନ୍ତ୍ର୍ଯ ଆଜି ଯାଏଁ ବି ବଜାୟ ରଖିବାକୁ ସକ୍ଷମ ହୋଇଛି କେବଳ ବିଶ୍ଵନାଥ ବାବୁଙ୍କ ପାଇଁ। ରାଜତନ୍ତ୍ର ହେଉ ଅବା ଗଣତନ୍ତ୍ର କ୍ଷମତାକୁ କିପରି ଜାବୁଡ଼ି ଧରିହୁଏ ସେହି କଳା ତାଙ୍କୁ ବେଶ୍ ଭଲ ଭାବରେ ଜଣା।
ସ୍ବାଧୀନୋତ୍ତର ଭାରତବର୍ଷରେ ନିଜର ଅପରିକଳ୍ପନୀୟ ଦୂରଦୃଷ୍ଟି ଏବଂ ଦକ୍ଷତା ହେତୁ ବହୁବାର ଶାସନରେ ଅଂଶୀଦାର ହୋଇ କେନ୍ଦ୍ରମନ୍ତ୍ରୀ ରହିଥିବା ପ୍ରବଳ ପ୍ରତାପୀ ଶତାୟୁ ବିଶ୍ବନାଥ ବଳବନ୍ତରାୟ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ। ଏବେ ବିଛଣାରୁ ଉଠିବାକୁ ଟିକିଏ ବି ଶକ୍ତି ନାହିଁ। ଖିଆପିଆ, ଗାଧୁଆପାଧୁଆ, ନିତ୍ୟକର୍ମ ସବୁ ସେଇ ବିଛଣା ଉପରେ। ଏସବୁ ଦେଖି ଅପତ୍ଯବର୍ଗ ଆଉ ତାଙ୍କର ପାଖ ମାଡୁ ନାହାଁନ୍ତି। ନିଜର ପ୍ରକାଣ୍ଡ ମହଲର ନିଭୃତ ଶୟନକକ୍ଷରେ ସେ ନଜରବନ୍ଦୀ। ଔଷଧ, ଇଂଜେକ୍ସନ୍, ଚାକରବାକର ଓ ନର୍ସମାନଙ୍କ ସେବାରେ କଟୁଛି ତାଙ୍କର ଅବଶିଷ୍ଟ ଜୀବନର ଅନ୍ତିମ ଅଙ୍କ। ବୟସାଧିକ୍ୟ ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି ସିନା, ମୃତ୍ୟୁ ଆସି ତାଙ୍କୁ ଏଇ ନର୍କ ଯନ୍ତ୍ରଣାରୁ ମୁକ୍ତି ଦେଉ ନାହିଁ!
ବାର୍ଦ୍ଧକ୍ଯ ଏଇ ସଚରାଚର ସୃଷ୍ଟିରେ ସର୍ବଶକ୍ତିମାନ ଅଟେ। ତାହାର ସାମ୍ନାରେ ଯୌବନର ଉଦ୍ଧାମତା, ପ୍ରଭୂତ୍ବର ଅହମିକା, ଅପରିମିତ ଧନସମ୍ପତ୍ତିର ଦର୍ପାଭିମାନ, ଜନସମୁଦ୍ରର ଆକୁଣ୍ଠ ସମର୍ଥନ ଏବଂ ତମାମ ଅବିବେକୀତା ତୁଛ ମନେହୁଏ। ବାର୍ଦ୍ଧକ୍ୟର ଆଗମନରେ ଆତ୍ମୀୟ ସ୍ବଜନ, ବନ୍ଧୁ, ପରିଜନ, ପ୍ରିୟଜନ ସଭିଏଁ ଯିଏ ଯାହାର ବାଟ କାଟି ଚାଲିଯାଆନ୍ତି। ମଣିଷ ନିହାତି ଏକାନ୍ତ ହୋଇଯାଏ। ନିଃସ୍ବ ନିଃସହାୟ ହୋଇଯାଏ । ବିଶ୍ବନାଥ ବାବୁଙ୍କ ଶରୀର ସିନା ଚଳତଶକ୍ତି ହରାଇ ଅଚଳ ହୋଇଯାଇଛି, କିନ୍ତୁ ତାଙ୍କର ତୀକ୍ଷ୍ଣ ମସ୍ତିଷ୍କ ଏବେ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରତ। ଦେଶ ବିଦେଶର ଟିକିନିକି ଖବର ଠାରୁ ନିଜ ପିଲାମାନଙ୍କର ଆଚାର ବ୍ଯବହାର ବିଷୟରେ ସବୁ କିଛି ଜାଣି ପାରନ୍ତି ସେ, ମାତ୍ର କାହାକୁ କିଛି କହିବାକୁ ଇଚ୍ଛା ହୁଏ ନାହିଁ। ମନର କଥା କହିବାକୁ ଏତେ ବଡ଼ ଦୁନିଆରେ କେହିବି ଜଣେ ଆପଣାର ନାହିଁ ତାଙ୍କର। ବେଳେ ବେଳେ ନିଦ୍ରିତ ଅବସ୍ଥାରେ ପ୍ରଳାପ କରନ୍ତି ଯାହା।
ସହଧର୍ମିଣୀ ହୀରାମଣି ଦେବୀ ବହୁବର୍ଷ ପୂର୍ବରୁ ଅଫେରା ରାଇଜର ଅଭିଯାତ୍ରୀ ସାଜି ଚାଲିଯାଇଛନ୍ତି। କେହି ଜାଣନ୍ତୁ ଅବା ନଜାଣନ୍ତୁ, ଅବଶ୍ୟ ହୀରାମଣି ଦେବୀଙ୍କ ଅକାଳ ବିୟୋଗ ନିମନ୍ତେ ସେ ହିଁ ଉତ୍ତରଦାୟୀ। ଅନ୍ଯାୟ ଅନୀତିର କୁପଥରୁ ନିବୃତ୍ତ ରହିବାକୁ ବାରମ୍ବାର ଅନୁନୟ କରିବା ସତ୍ତ୍ବେ କୌଣସି ପ୍ରଭାବ ପଡିନଥିଲା ବିଶ୍ବନାଥ ବାବୁଙ୍କ ଉପରେ। ହେତୁ ହେବା ଦିନଠାରୁ, ସବୁବେଳେ ସେ କେବଳ ନିଜ ଇଚ୍ଛାରେ ହିଁ ଜୀଇଁଛନ୍ତି ଆଉ ମନଭରି ଜୀବନର ପ୍ରତିଟି କ୍ଷଣକୁ ଉପଭୋଗ କରିଛନ୍ତି। ଯିଏ କେହି ବି ତାଙ୍କ ରାସ୍ତାରେ କଣ୍ଟା ହୋଇଛି ସିଏ ଇତିହାସ ପାଲଟି ଯାଇଛି। ଭାଇ, ବନ୍ଧୁ, ସ୍ତ୍ରୀ ଆଦି ସଭିଏଁ ବିଶ୍ବନାଥ ବାବୁଙ୍କ ନ୍ଯସ୍ତ ସ୍ବାର୍ଥ ପାଇଁ ବଳି ଚଢିଯାଇଛନ୍ତି।
ଏଇ ଚିନ୍ତାରେ ଅଦିନରେ ଆଖି ବୁଜିଲେ ସାତ ସାତୋଟି ସନ୍ତାନ ସନ୍ତତିଙ୍କ ଜନନୀ ହୀରାମଣୀ ଦେବୀ। ତାଙ୍କର ମୃତ୍ୟୁ କୌଣସି ଦୃଷ୍ଟିରୁ ପ୍ରାକୃତିକ ନଥିଲା କିମ୍ବା ଆକସ୍ମିକ ମଧ୍ୟ ନଥିଲା। ସବୁ ବେଳେ ସବୁକଥାରେ ଖିଟ୍ ଖିଟ୍ ହେଉଥିବାରୁ ତାଙ୍କୁ ଅତି ଚତୁରତାର ସହିତ ହତ୍ଯା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଏହାପରେ ନିରଙ୍କୁଶ ହୋଇଗଲେ ବିଶ୍ବନାଥ ବାବୁ। ପୃଥିବୀ ବକ୍ଷରେ ଆଉ କେହିବି ନଥିଲେ ତାଙ୍କୁ ଖୁଣିବା ପାଇଁ କି କିଛି କଥାରେ ବିରୋଧ କରିବାକୁ। ସାହଚର୍ଯ୍ୟ ପାଇଁ ତ ଅନେକ ତରୁଣୀ ରମଣୀ ଉପଲବ୍ଧ ଥିଲେ ତାଙ୍କ ଆଖପାଖରେ ସବୁ ସମୟରେ। ଏଣୁ ଦ୍ବିତୀୟ ଥର ବିବାହ କରିବା ପାଇଁ ମନ ବଳାଇନଥିଲେ ସିଏ। କ୍ଷମତାର ନିଶାରେ ଚୁର୍ ହୋଇ ସୁରା ସାକୀର ସାନିଧ୍ୟରେ ବେଶ୍ ଭୋଗ ବିଳାସରେ କାଳତିପାତ କରୁଥିଲେ।
କଳ ବଳ ଛଳ କୌଶଳରେ ପ୍ରତିଟି ସାଧାରଣ ନିର୍ବାଚନରେ ସେ ଲୋକସଭାକୁ ନିର୍ବାଚିତ ହେଉଥିଲେ ଅନାୟାସରେ ତାଙ୍କର ନିଜସ୍ବ ପୃଥିଗଡ଼ ଆସନରୁ। ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ଯ ସେ ଜିତିବା ନିଶ୍ଚିତ ଥିଲା। ବିରୋଧୀଙ୍କୁ କିପରି ପାଦରେ ଦଳିମକଚି ନିଃଶେଷ କରାଯାଏ ସେହି କଳା କୌଶଳରେ ସେ ନିପୁଣତା ହାସଲ କରିଥିଲେ। ସେଥିପାଇଁ ତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଆସ୍ଥା ସବୁବେଳେ ରହିଥିଲା। ହାଇକମାଣ୍ଡଙ୍କ ପ୍ରତି ଆନୁଗତ୍ୟ ହେତୁ ଅଧିକାଂଶ ସଂଘୀୟ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଜୀବନରେ ସେ କେବଳ କ୍ଷମତା ପାଇଁ ହିଁ ଏକମାତ୍ର ଦଳୀୟ ହାଇକମାଣ୍ଡଙ୍କ ଆନୁଗତ୍ୟ ସ୍ବୀକାର କରିଥିଲେ।
ଏସବୁ ସତ୍ତ୍ବେ ଗୋଟିଏ ବିଶେଷତା ଥିଲା ତାଙ୍କର। ସୁଦୀର୍ଘ ଜୀବନର ଚଲାପଥରେ କେବେ ବି କାହାରି ସହିତ ବିଶ୍ବସ୍ତ ରହି ନାହଁନ୍ତି ଧୂରୀଣ ରାଜନେତା ବିଶ୍ବନାଥ ବଳବନ୍ତରାୟ। ଦେଶ ସ୍ବାଧୀନ ହେବା ସମୟରେ ତାଙ୍କୁ ଅଣ ତିରିଶ ବର୍ଷ ବୟସ। ପିତାମହଙ୍କ ସମୟରୁ ବ୍ରିଟିଶ୍ ରାଜତ୍ବର ବଚସ୍କର ସାଜି ସ୍ବାଧୀନତା ସଂଗ୍ରାମକୁ ଭଣ୍ଡୁର କରିବାକୁ ଚେଷ୍ଟାରତ ବଳବନ୍ତରାୟ ବଂଶ ଦେଶ ସ୍ୱାଧୀନ ହେବା ପରେ ଏକବାରକେ ପାଲଟି ଯାଇଥିଲେ ନୈଷ୍ଠିକ ଦେଶଭକ୍ତ। ସ୍ବାଧୀନୋତ୍ତର ଭାରତବର୍ଷରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସାମିଲ ହୋଇ ଶାସନର ଡ଼ୋରି ସମ୍ଭାଳିଥିଲେ ସ୍ବୟଂ ବିଶ୍ବନାଥ ବଳବନ୍ତରାୟ। ଏଥି ନିମନ୍ତେ ବହୁତ କଷ୍ଟ ସହିବାକୁ ପଡ଼ିଛି ତାଙ୍କୁ କିନ୍ତୁ ନିଜର ଧୂରନ୍ଧର ଧିଶକ୍ତି ବଳରେ ଅସାଧ୍ୟ ସାଧନ କରି ବିଜୟଶ୍ରୀ ମଣ୍ଡିତ ହୋଇଛନ୍ତି ସେ ଜୀବନର ପ୍ରତିଟି ବାଜିରେ।
ଉଣେଇଶି ଶହ ବୟାଳିଶର ଅଗଷ୍ଟ କ୍ରାନ୍ତିରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶସାରା ସଭିଏଁ କୁଦି ପଡିଥାନ୍ତି ଭାରତ ଛାଡ଼ ଆନ୍ଦୋଳନରେ। ପୃଥିଗଡ଼ ମଧ୍ଯ ଏଥିରୁ ବାଦ୍ ପଡିଥାନ୍ତି କେମିତି? ଯୁବ କ୍ରାନ୍ତିକାରୀ ସିଦ୍ଧେଶ୍ଵର ସାହୁଙ୍କ ନେତୃତ୍ବରେ ପୃଥିଗଡ଼ର ଅଗଣିତ ନରନାରୀ ସଂଗଠିତ ହେଉଥିଲେ ଆପଣାର ପ୍ରିୟ ଜନ୍ମଭୂମିକୁ ପରାଧୀନତାର ଶୃଙ୍ଖଳାରୁ ମୁକ୍ତ କରିବା ପାଇଁ। ବ୍ରିଟିଶ୍ ରାଜତ୍ବ ଏବଂ ଅତ୍ଯାଚାରୀ ଜମିଦାର କବଳରୁ ନୀରିହ ଲୋକଙ୍କୁ ରକ୍ଷା କରିବାକୁ ଉଚ୍ଚଶିକ୍ଷିତ ସିଦ୍ଧେଶ୍ଵର ସାହୁ ସରକାରୀ ଚାକିରୀର ମୋହ ତ୍ଯାଗ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଦୈବୀ ଯୋଗରୁ ଉଭୟ ସିଦ୍ଧେଶ୍ଵର ଏବଂ ବିଶ୍ବନାଥ କଲେଜରେ ସହପାଠୀ ଥିଲେ। ସିଦ୍ଧେଶ୍ବରଙ୍କ ଦୃଢ଼ ବିଶ୍ବାସ ରହିଥିଲା ଯେ, ବିଶ୍ବନାଥ ତାଙ୍କ ପୂର୍ବସୂରୀମାନଙ୍କ ପରି ଅତ୍ୟାଚାରୀ ଏବଂ ପ୍ରଜା ଉତ୍ପୀଡ଼କ ନୁହଁନ୍ତି। ବରଂ ପ୍ରଗତିବାଦୀ ଚିନ୍ତା ଓ ଚେତନାରେ ପ୍ରଭାବିତ ନୂତନ ତରୁଣ, ଯାହାଙ୍କର ଦେଶମାତୃକା ପ୍ରତି ଗଭୀର ମମତ୍ବବୋଧ ରହିଛି।
ବହୁବାର ନିରିହ ଲୋକମାନଙ୍କ ଠାରୁ ଅନ୍ଯାୟୋଚିତ ଉପାୟରେ କର ଆଦାୟ ନକରିବାକୁ ସିଦ୍ଧେଶ୍ଵର ସାହୁ ପ୍ରବର୍ତ୍ତାଇ ଥିଲେ ଆପଣାର ବନ୍ଧୁଙ୍କୁ। କିଛି ମାତ୍ରାରେ ଆଶ୍ବସ୍ତି ମିଳିଥିଲା ଲୋକଙ୍କୁ ତାଙ୍କ ପ୍ରଚେଷ୍ଟାରେ। କିନ୍ତୁ ଶରୀରରେ ନୀଳରକ୍ତ ପ୍ରବାହିତ ହେଉଥିବା ମଣିଷ ବିଶ୍ବନାଥ ବଳବନ୍ତରାୟ ଥିଲେ ଚିରକାଳ ଦୁର୍ବୋଧ୍ୟ ଏବଂ କୂଟିଳ। ସିଦ୍ଧେଶ୍ବର ସାହୁଙ୍କ ସହିତ ବନ୍ଧୁତାର ସୂତ୍ରରେ ବାନ୍ଧି ହୋଇ ରହିଥିଲେ ମଧ୍ୟ ବ୍ରିଟିଶ ସରକାରଙ୍କ ସହିତ ବରାବର ଭିତିରିଆ ସମ୍ପର୍କ ରଖି ନିଜ ସାମ୍ରାଜ୍ୟର ସ୍ବାର୍ଥ ହାନି ହେବାକୁ ଦେଉନଥିଲେ। ସ୍ବାଧୀନତା ସଂଗ୍ରାମୀ ଓ ବ୍ରିଟିଶ୍ ସରକାର ମଧ୍ୟରେ ସମତୁଲତା ରକ୍ଷା କରି ଚାଲିଥିଲେ।
ଦିନକୁ ଦିନ ଭାରତ ଛାଡ଼ ଆନ୍ଦୋଳନ ତେଜିବାରେ ଲାଗିଥିଲା। ସାରା ଭାରତବର୍ଷରେ ଅସୀମ ଦେଶପ୍ରେମର ପ୍ଲାବନ ଧାରା ଛୁଟୁଥିଲା। ସାମ୍ରାଜ୍ୟବାଦୀ ଶକ୍ତି ନିରିହ ନିରସ୍ତ୍ର ଭାରତୀୟମାନଙ୍କୁ ଦୃଢ଼ ହସ୍ତରେ ଦମନ କରୁଥିଲା।
ପୃଥିଗଡ଼ର ଲୋକଙ୍କ ମନରେ ସ୍ବାଧୀନତା ସଂଗ୍ରାମୀ ସିଦ୍ଧେଶ୍ବର ସାହୁଙ୍କ ପ୍ରତି ସମ୍ମାନ ଏବଂ ଶ୍ରଦ୍ଧା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। ଏହା ବିଶ୍ବନାଥ ବଳବନ୍ତରାୟଙ୍କ ଗାତ୍ର ଦାହର କାରଣ ପାଲଟିଗଲା। ସିଦ୍ଧେଶ୍ଵରଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ତାଙ୍କ ଚଲାପଥକୁ କଣ୍ଟକିତ କରିବାର ସମ୍ଭାବନା ରହିଛି ବୋଲି ନିଜର ପୋଷ୍ଯ ଚାଟୁକାରମାନଙ୍କ ଠାରୁ ଶୁଣିବାକୁ ପାଇଲେ ବିଶ୍ବନାଥ। ଏହା ପରଠାରୁ ଆରମ୍ଭ ହୋଇଗଲା ଏକ ଭୟଙ୍କର କୁତ୍ସିତ ଷଡଯନ୍ତ୍ର। ଦୋଳ ପୂର୍ଣ୍ଣିମା ଅବସରରେ ବନ୍ଧୁ ସିଦ୍ଧେଶ୍ବରଙ୍କୁ ନିଜ ଉଆସକୁ ଆମନ୍ତ୍ରଣ କଲେ ବିଶ୍ବନାଥ। ଦୁଇ ବନ୍ଧୁ ପରସ୍ପରକୁ ଅବିର ବୋଳି କୋଳାଗ୍ରତ କରି ଉତଫୁଲ୍ଲିତ ହୋଇ ଉଠିଲେ। ଭାରତ ଛାଡ଼ ଆନ୍ଦୋଳନର ଅଗ୍ରଗତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ। କିଏ ଅବା ଜାଣିଥିଲା ଏଇ ସାକ୍ଷାତ ଆଲୋଚନା ଦୁଇ ବନ୍ଧୁଙ୍କ ଶେଷ ସାକ୍ଷାତ ହେବ ବୋଲି।
ସିଦ୍ଧେଶ୍ବରଙ୍କୁ ଦିଆଯାଇଥିବା ଖାଦ୍ୟ ପଦାର୍ଥରେ ନିଶାଦ୍ରବ୍ୟ ମିଶାଇ ଦିଆଯାଇଥିଲା ଉଆସରେ। ଖାଦ୍ୟ ଖାଇବାର କିଛି ସମୟ ପରେ ବେହୋସ୍ ହୋଇଗଲେ ସେ। ଉଆସରେ ପୂର୍ବରୁ ଛକି ରହିଥିବା ବ୍ରିଟିଶ୍ ପୋଲିସ୍ ବାହିନୀର ହାତରେ ସିଦ୍ଧେଶ୍ବରଙ୍କୁ ଧରାଇଦେଲେ ଧୂର୍ତ୍ତ ବିଶ୍ବନାଥ ବଳବନ୍ତରାୟ। ଆଉ ଏକ ଜୟଚନ୍ଦ୍ର ସାଜି ବନ୍ଧୁତ୍ବର ଇତିହାସରେ ଚିରଦିନ କାଳିମା ବୋଳି ଦେଲେ ବାବୁ ବିଶ୍ବନାଥ ନିଶଙ୍କୋଚରେ।
ଆପଣାର ନ୍ଯସ୍ତ ସ୍ବାର୍ଥ ସିଦ୍ଧି ନିମନ୍ତେ ପ୍ରିୟ ସହପାଠୀ ସିଦ୍ଧେଶ୍ଵର ସାହୁଙ୍କୁ ବଳି ପକାଇ ଦେଇଥିଲେ। ବନ୍ଧୁଙ୍କ ଶବରୁ ହିଁ ନିଜ ରାଜନୈତିକ ଜୀବନର ଶୁଭାରମ୍ଭ କରିଥିଲେ ସେ। ବ୍ରିଟିଶ୍ ବାହିନୀ ସିଦ୍ଧେଶ୍ବରଙ୍କୁ ନେଇ ଦୂରକୁ ଚାଲିଗଲା, ଏତେ ଦୂରକୁ ଯେ ଯେଉଁଠି କେହିବି ତାଙ୍କୁ ଜାଣି ନଥିବ କି ଚିହ୍ନି ନଥିବ।
ସେଇ ଦୋଳ ପୂର୍ଣ୍ଣିମାର ରାତିରୁ ଅଚାନକ କେଉଁ ଆଡେ ନିଖୋଜ ହୋଇଗଲେ ସିଦ୍ଧେଶ୍ବର ସାହୁ ଜମିଦାରଙ୍କ ଉଆସରୁ। ସେବେ ଠାରୁ କେହି ବି ଆଉ ଦେଖିନି ତାଙ୍କୁ ପୃଥିଗଡ଼ରେ ଅବା ଦୁନିଆର କୌଣସି ଜାଗାରେ। ସିଦ୍ଧେଶ୍ବରଙ୍କ ପରିବାର ଲୋକେ ବହୁତ ଖୋଜିଖୋଜି କଲେ ମଧ୍ୟ ତାଙ୍କର ପତ୍ତା ମିଳିଲା ନାହିଁ। କିଏ କହୁଥିଲା ଜଙ୍ଗଲରେ ବାଘ ଖାଇଗଲା ସିଦ୍ଧେଶ୍ଵରଙ୍କୁ ତ ଆଉ କିଏ କହୁଥିଲା ଗଡ଼ଖାଇରେ କୁମ୍ଭୀରଙ୍କ ଆହାର ହୋଇଯାଇଛନ୍ତି ସେ। ସ୍ବାଧୀନତା ଆନ୍ଦୋଳନରେ ଯେ, ସିଏ ଶହୀଦ ହୋଇଯାଇଛନ୍ତି ସେହି ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ସାଥି ସଂଗ୍ରାମୀମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ। ଏମିତି ନିରୁଦ୍ଦିଷ୍ଟ ହୋଇଗଲେ ପୃଥିଗଡ଼ର ମାନଚିତ୍ରରୁ ମହାନ୍ ସଂଗ୍ରାମୀ ସିଦ୍ଧେଶ୍ଵର ସାହୁ। ମୃତ୍ୟୁ ବିଷୟରେ ନିଶ୍ଚିତ ନଥିବାରୁ ପରିବାର ପକ୍ଷରୁ ତାଙ୍କୁ ଶ୍ରାଦ୍ଧ ମଧ୍ଯ ଦିଆଗଲା ନାହିଁ। ହାୟରେ ବିଧାତା ଧନ୍ଯ ତୋର ବିଧି! ସିଦ୍ଧେଶ୍ଵର ଜୀବିତ ନା ମୃତ ତାହା ଗୋଟିଏ ଅସମାହିତ ପ୍ରଶ୍ନ ହୋଇ ରହିଗଲା ଚିରଦିନ ପାଇଁ। ଏମିତି ଅନେକ ସ୍ବାଧୀନତା ସଂଗ୍ରାମୀ ନିଖୋଜ ହୋଇଯାଇ ଶହୀଦ୍ ମାନ୍ୟତାରୁ ବାଦ୍ ପଡିଛନ୍ତି। ସମୟ ଗଡ଼ି ଚାଲିବା ସହିତ ଧିରେ ଧିରେ ଜନ ମାନସରୁ ବିସ୍ମୃତ ହେବାକୁ ଲାଗିଲେ ସିଦ୍ଧେଶ୍ଵର।
ବ୍ରିଟିଶ୍ ସମ୍ରାଜ୍ୟର ସମସ୍ତ ପ୍ରତିରୋଧକୁ ଅତିକ୍ରାନ୍ତ କରି ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସାକାର ରୂପ ନେଲା। ଅଗଷ୍ଟ ପନ୍ଦର ତାରିଖରେ ଭାରତବର୍ଷ ସ୍ବାଧୀନତା ହାସଲ କଲା। ପୂର୍ବ ଓ ପଶ୍ଚିମ ସୀମାନ୍ତରେ ଗୋଟିଏ ଗୋଟିଏ ଅଂଶ ପାକିସ୍ତାନ ନାମରେ ସ୍ବତନ୍ତ୍ର ଦେଶ ଭାବେ ଆତ୍ମପ୍ରକାଶ କଲା। ଦେଶ ସ୍ବାଧୀନତା ପ୍ରାପ୍ତ କଲା ସତ କିନ୍ତୁ ଏବେ ପରିବେଶ ବେଶ୍ ଗୋଳମାଳିଆ ହେଇ ରହିଥିଲା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶରଣାର୍ଥୀ ସମସ୍ଯା, ଗଡଜାତଗୁଡିକର ସ୍ବାଧୀନତା ଏମିତି ଅନେକ ପ୍ରସଙ୍ଗ ଅସମାହିତ ହୋଇ ରହିଥିଲା। ଏଇ ଗଣ୍ଡଗୋଳିଆ ପରିସ୍ଥିତିରୁ ଫାଇଦା ଉଠାଇ ବାବୁ ବିଶ୍ବନାଥ ଜାତୀୟ ସ୍ତରୀୟ ପ୍ରମୁଖ ରାଜନୈତିକ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାର ପ୍ରମାଣ ପତ୍ର ହାସଲ ପୂର୍ବକ ନିଜକୁ ସ୍ବାଧୀନତା ସଂଗ୍ରାମୀ ଭାବେ ପରିଗଣିତ କରାଇବାକୁ ସକ୍ଷମ ହୋଇଥିଲେ। ଏହି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରି ରାତାରାତି ପ୍ରଜା ଉତ୍ପୀଡ଼କ ଜମିଦାରରୁ ପ୍ରଜା ରଞ୍ଜକ ଦରଦୀ ଜନନାୟକ ବନିଗଲେ ସେ କିଞ୍ଚିତ୍ ଅର୍ଥର ବିନିଯୋଗରେ।
ସ୍ବାଧୀନତା ପରବର୍ତ୍ତୀ କାଳରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ ଘଟିଲା। ଲୋକେ ନିଜେ ନିଜର ପ୍ରତିନିଧି ସ୍ବତଃସ୍ଫୁତ ଭାବେ ଚୟନ କରିବାକୁ ଲାଗିଲେ। ଏହି ପ୍ରକ୍ରିୟା ବାହାରକୁ ଏବଂ ପାଠ୍ଯ ପୁସ୍ତକରେ ଅତି ସହଜ ମନେ ହେଉଥିଲେ ମଧ୍ୟ ଆଦୌ ସରଳ ନଥିଲା। ଏଥିରେ ସାମିଲ ହେବାକୁ ଲୋଡ଼ା ଥିଲା ପ୍ରଚୁର ଅର୍ଥବଳ। ପ୍ରକୃତ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀମାନେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିଲେ ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ। ରାଜନୈତିକ ଦଳମାନଙ୍କୁ ଏପରି ନିର୍ଦ୍ଧନ କପର୍ଦ୍ଧକଶୂନ୍ଯ ସ୍ବାଧୀନତା ସଂଗ୍ରାମୀଙ୍କ ଅପେକ୍ଷା ବିଶ୍ବନାଥ ବଳବନ୍ତରାୟଙ୍କ ପରି ବାହୁବଳି ଓ ଧନାଢ୍ୟ ପ୍ରାର୍ଥୀମାନଙ୍କର ଆବଶ୍ୟକତା ପଡିଲା ନିର୍ବାଚନ ବୈତରଣୀ ପାର କରି ପ୍ରାଦେଶିକ ସ୍ତରରେ କ୍ଷମତା ଦଖଲ କରିବା ପାଇଁ। ବିଶ୍ବନାଥ ବାବୁ ନିଜର ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ପ୍ରଥମେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସମ୍ବିଧାନ ପ୍ରଣୟନ ହେବା ପରେ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଥମ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହେଲେ। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ସେ। ନିଜର ରାଜନୈତିକ ସ୍ବାର୍ଥ ପାଇଁ ଅନେକ ବାର ଦଙ୍ଗା ସୃଷ୍ଟି କରିଛନ୍ତି, ରକ୍ତନଦୀ ସନ୍ତରଣ କରିଛନ୍ତି। କେବେ ହରିଜନଙ୍କୁ ସବର୍ଣ୍ଣମାନଙ୍କ ବିରୋଧରେ ଲଢାଇଛନ୍ତି ତ କେବେ ଆଦିବାସୀଙ୍କୁ ମୁସଲମାନଙ୍କ ବିରୋଧରେ। ପୁଣି କେବେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ବଙ୍ଗଳାଦେଶୀ ଶରଣାର୍ଥୀଙ୍କ ବିରୋଧରେ। ସଂଖ୍ୟାଲଘୁ ତୁଷ୍ଟିକରଣ ନୀତିରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ପକ୍ଷ ଛେଦନ କରିଛନ୍ତି। ବ୍ରିଟିଶ୍ ସରକାର ଠାରୁ ଶିଖିଥିବା "ବିଭାଜନ ଓ ଶାସନ" ନୀତିକୁ ପାଥେୟ କରି ସଦାସର୍ବଦା କ୍ଷମତା ଅଳିନ୍ଦରେ ତିଷ୍ଠି ରହିଛନ୍ତି। ରାଜନୈତିକ ବିରୋଧିଙ୍କ ସଂସାର ଉଚ୍ଛନ୍ନ କରିଦେଇ ସେମାନଙ୍କୁ ସମୂଳେ ନିପାତ କରିଦେଇଛନ୍ତି ସେ। ନିଜର ପୋଷା ଗଣ୍ଡାଙ୍କୁ ଲଗାଇ ଝିଅ ବୋହୂ ବୟସ୍କା ମହିଳାମାନଙ୍କ ଇଜ୍ଜତ୍ ସହିତ ଖେଳିଛନ୍ତି ଜଘନ୍ଯ ଖେଳ। ରାତ୍ରିର ବିଳମ୍ବିତ ପ୍ରହରରେ ପ୍ରତିପକ୍ଷ ଗାଁଗଣ୍ଡାର ଅସଂଖ୍ୟ ଘରେ ଅଗ୍ନି ସଂଯୋଗ କରି ନରସଂହାର କରିଛନ୍ତି। ପୋଲିସ୍, ପ୍ରଶାସନ, ସରକାର ସବୁ ତାଙ୍କର କଥାରେ ପରିଚାଳିତ। ତାଙ୍କ ଇଙ୍ଗିତ ବିନା ପତ୍ରଟିଏ ବି ହଲେ ନାହିଁ ତାଙ୍କ ଇଲାକାରେ। କେବେ ବି କେଉଁଠି କୌଣସି ମାମଲାରେ ତାଙ୍କର ନାମ ନଥାଏ କି ସଂପୃକ୍ତି ନଥାଏ। ବରଂ ପୀଡିତ ମାନଙ୍କ ସହାୟତା କରିବାକୁ ଆଗେଇ ଆସିବାର ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହୁଏ। ଜନତାକୁ ସବୁବେଳେ ଭ୍ରମିତ କରି ନିଜର ରାଜନୈତିକ ଭିତ୍ତିଭୂମିକୁ ସୁଦୃଢ ଏବଂ ସୁରକ୍ଷିତ ରଖି ପାରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ବହୁବାର ବିଦେଶ ଗସ୍ତରେ ଯାଇ ଶାନ୍ତି ଅହିଂସାର ପାଠ ପଢାନ୍ତି ବିଶ୍ବବାସୀଙ୍କୁ। ମହତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦିଅନ୍ତି। ମାନବାଧିକାର ସମ୍ବନ୍ଧରେ ଲମ୍ବା ଲମ୍ବା ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରି ଭାଷଣ ଦିଅନ୍ତି ବିଭିନ୍ନ ଆନ୍ତର୍ଜାତୀୟ ଫୋରମ୍.ରେ। ଏହି ଭାଷଣର ଆଢୁଆଳରେ ରହିଯାଏ ତାଙ୍କର ପ୍ରକୃତ ବିଭତ୍ସ ସ୍ବରୂପ। ଦେଶ ଦୁନିଆର ଖବରକାଗଜରେ ଶିରୋନାମା ମଣ୍ଡନ କରେ ତାଙ୍କର ଭାଷଣ। ସଭିଏଁ ବାଃ ବାଃ କରନ୍ତି। ପୁଷ୍ପଗୁଚ୍ଛ, ଉପଢୌକନ, ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରନ୍ତି। କିନ୍ତୁ ମନ ଭିତରେ କେଉଁଠି ନା କେଉଁଠି ତାଙ୍କର ଅଜଣା ଭୟଟିଏ ବସା ବାନ୍ଧି ରହିଥାଏ। ନିଜର କୃତ ଅପକର୍ମ ସବୁ ଯଦି ଜୀବଦ୍ଦଶାରେ ଉଜାଗର ହୋଇଯାଏ ତେବେ ସବୁକିଛି ବରବାଦ୍ ହୋଇଯିବ। ଯାହା ବି ହେଉ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି କ୍ଷମତା ରାଜନୀତିରେ ରହିବା ଭିତରେ ସେପରି କିଛି ଅଘଟଣ ଘଟି ନାହିଁ ଯାହା ତାଙ୍କ ସଫେଦ୍ ଗଳାବନ୍ଦ କୋର୍ଟ୍ ଉପରେ କାଳିମାର ଦାଗ ଲଗାଇଦେବ। ସୁଦୀର୍ଘ ରାଜନୈତିକ ଜୀବନରେ ଯବନିକା ଟାଣି ଦେବ।
ବାର୍ଦ୍ଧକ୍ଯ ଗ୍ରାସ କରିଥିବା ସତ୍ତ୍ୱେ ବିଶ୍ବନାଥ ବାବୁ ପଞ୍ଚାଅଶୀବର୍ଷ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ। ମନରେ ଦୁଃଖ ରହିଗଲା ଯେ, ବହୁବାର କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ୟ ନିଜ ଗୃହରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ରାଜ୍ୟର ରାଜ୍ଯପାଳ ହୋଇ ପାରିଲେ ନାହିଁ। ଏଇ ଦୁଃଖ ତାଙ୍କୁ ଅନ୍ତରରୁ ବିଦାରି ପକାଏ। ବୟସାଧିକ୍ୟ ହେତୁ ସେ ଦିଲ୍ଲୀର ମୋହ ତ୍ଯାଗ କରି ପୃଥିଗଡ଼ସ୍ଥିତ ଉଆସରେ ଅବସ୍ଥାନ କରୁଛନ୍ତି। ବଡ଼ ପୁଅ ଯଶୋବନ୍ତ ରାଜନୈତିକ ଉତ୍ତରାଧିକାରୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ପୁଅ ଝିଅ ଓ ନାତି ନାତୁଣୀମାନେ ରାଜ୍ୟ ବିଧାନସଭାରେ ସଦସ୍ୟ। କିଏ ନଗରପାଳ ତ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ବଡ଼ ବିଚିତ୍ର ଏଇ ଗଣତନ୍ତ୍ର! ରାଜରାଜୁଡ଼ା ଅମଳରେ ପ୍ରଜାଙ୍କ ଦ୍ବାରା ଅବା ବୈଦେଶିକ ଶତ୍ରୁ ଦ୍ବାରା ରାଜା ବିତାଡିତ ହୋଇ ନୂଆ ରାଜା ସିଂହାସନାରୁଢ ହେବାର ନଜିର୍ ରହିଛି କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ପରିବାରର ସଦସ୍ୟ ପୀଢ଼ି ପରେ ପୀଢ଼ି ପାର୍ଷଦ, ସାଂସଦ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବାରେ ମନା ନାହିଁ। କେବଳ ଲୋକ ଚାହିଁଲେ ହେଲା। ଅର୍ଥବଳ ଓ ବାହୁବଳ ଆଗରେ ଲୋକଙ୍କ ଚାହିଁବା ନଚାହିଁବା ଯେ କଣ ଫରକ ପକାଇବ?
ବିଶ୍ବନାଥ ବାବୁ ଏଇ କିଛି ତଳେ ନିଜର ଶହେତମ ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ଅବଶ୍ୟ ତାଙ୍କ ପିଲାମାନେ ସଭିଏଁ ତାଙ୍କ ପାଖକୁ ସେଦିନ ଆସିଥିଲେ। ମଥାନଥ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜି ସେମାନେ ଯାହା ବି କିଛି ହୋଇଛନ୍ତି ସବୁ ତାଙ୍କର କରିତକର୍ମା ପିତାଙ୍କ ପାଇଁ। ସଠିକ୍ ସମୟରେ ନିଜକୁ ସ୍ବାଧୀନତା ସଂଗ୍ରାମୀ ଭାବେ ପରିଚିତ କରାଇ କ୍ଷମତା ରାଜନୀତିରେ ଯୋଗଦାନ କରିନଥିଲେ ଜମିଦାରୀ ଉଚ୍ଛେଦ ସଙ୍ଗେ ସଙ୍ଗେ ପୁରା ପରିବାରଟା ବଡଦାଣ୍ଡକୁ ଆସି ଯାଇଥାନ୍ତା! ପରିବାରକୁ ଏକତ୍ରିତ ହେବାର ଦେଖି ବିଶ୍ବନାଥ ବାବୁଙ୍କ ମନରେ ଗୋଟିଏ ଖିଆଲ ଆସିଲା। ଦୀର୍ଘ ଦିନରୁ ସେ ଶଯ୍ୟାଶାୟୀ। ଅକଥନୀୟ ଯନ୍ତ୍ରଣା ଅନୁଭବ କରୁଛନ୍ତି କିନ୍ତୁ ଏଇ ଜୀବନରୁ ମୁକ୍ତି ମିଳୁନାହିଁ। ମନରେ ବସା ବାନ୍ଧିଥିବା ଭୟ ଯଦି ବାହାରକୁ ପ୍ରକାଶ ହୋଇଯିବ ହୁଏତଃ ସେ ମୁକ୍ତି ପାଇଯିବେ!
ଦିନ ନାହିଁ, ରାତି ନାହିଁ, ବେଳେ ବେଳେ ସେ ଦେଖନ୍ତି ଓ ଅନୁଭବ କରନ୍ତି ଯେମିତି ତାଙ୍କର ସହପାଠୀ ସିଦ୍ଧେଶ୍ବରଙ୍କ ଆତ୍ମା ଆସି ତାଙ୍କୁ ଏହିପରି ଦୟନୀୟ ଜରାଜୀର୍ଣ୍ଣ ଅବସ୍ଥାରେ ଘାଣ୍ଟିଚକଟି ହେଉଥିବା ଦେଖି ଖେଙ୍କାରି ହେଉଛି। ଏବେ ସେ ଦୃଢ଼ ନିଶ୍ଚତ ଯେ, ଏଇଟା ତାଙ୍କର ମନର ଭୟ କି ଭ୍ରମ ନୁହେଁ ବରଂ ନିରାଟ ସତ କଥା। ଯେଉଁ ପର୍ଯ୍ୟନ୍ତ ସେ ନିଜ କୃତକର୍ମର ପ୍ରାୟଶ୍ଚିତ କରି ନାହାଁନ୍ତି ସେ ଯାଏଁ ତାଙ୍କର ଏଇ ନର୍କ ଯନ୍ତ୍ରଣାରୁ ମୁକ୍ତି ନାହିଁ। ହେଲେ କାହାକୁ ବା ସେ କହିବେ ନିଜ ମନକଥା? କିଏ ବା କାହିଁକି ବିଶ୍ବାସ କରିବ ତାଙ୍କ କଥାକୁ? ସଭିଏଁ କହିବେ ବୟସାଧିକ୍ୟ ହେତୁ ବାଚାଳମି କରୁଛନ୍ତି ବୋଲି। ଏତେ ଦିନର ସଂଗୋପିତ କଥା ସବୁକୁ ଏବେ ପ୍ରକାଶ କଲେ ପାଗଳ ବୋଲି କହିବେ ସମସ୍ତେ। ତାଙ୍କର ବଳବନ୍ତରାୟ ବଂଶ ଓ ପିଲାମାନଙ୍କର ଅଯଥାରେ ବଦନାମୀ ହେବ। ପିଲା ନାତିନାତୁଣୀଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ। ବରଂ ଚୁପ୍ ଚାପ୍ ରହିଯିବା ଭଲ। ମରଣ ହୋଇଗଲେ ସବୁକିଛି ଏମିତି ତାଙ୍କ ସହିତ ଲୁଚିଯିବ ଇତିହାସର ଅତଳଗର୍ଭରେ। ଏଥିରେ ହିଁ ସମସ୍ତଙ୍କର ହିତ।
କିନ୍ତୁ ସିଦ୍ଧେଶ୍ଵରଙ୍କ ଆତ୍ମାକୁ ଆଉ ବେଶୀ ଦିନ ଠକି ହେବ ନାହିଁ। ଜୀବଦ୍ଦଶାରେ ବନ୍ଧୁ ପ୍ରତି ଯାହା ବିଶ୍ବାସଘାତ କରିଥିଲେ ବୋଲି ବିନା ପିଣ୍ଡପାଣି ପ୍ରାପ୍ତିରେ ଘୁରିବୁଲୁଛି ତାଙ୍କର ଚତୁଃପାର୍ଶ୍ଵରେ। ଜୀବନ ଥାଉ ଥାଉ କିଛି ବି ଗୋଟେ କରିବାକୁ ହେବ। ସିଦ୍ଧେଶ୍ବରର ଆତ୍ମା ମୁକ୍ତି ପାଇବ କି ନାହିଁ ତାହା ଦୂରର କଥା ଅନ୍ତତଃପକ୍ଷେ ତାଙ୍କର ମୁକ୍ତିର ପଥ ସୁଗମ ହୋଇ ପାରିବ। ଏମିତି ଚିନ୍ତା କରି ବିଶ୍ବନାଥ ବାବୁ ନିଜର ଜ୍ଯେଷ୍ଠ ପୁତ୍ର ଯଶୋବନ୍ତଙ୍କୁ ଡକାଇ ପଠାଇଲେ ସନ୍ଧ୍ୟାରେ। ଯଶୋବନ୍ତ ବାବୁ ଯୋଗକୁ ଘରେ ଥିଲେ ସେହି ସମୟରେ। ତତକ୍ଷଣାତ୍ ପିତାଙ୍କ ଶୟନକକ୍ଷକୁ ଆସିବା ମାତ୍ରେ, ପାଖରେ ବସିବାକୁ ହାତରେ ଠାରିଲେ ବିଶ୍ବନାଥ ବାବୁ। ଚୌକିଟିଏ ଟାଣି ଆଣି ବାପାଙ୍କୁ ମୁହଁ କରି ଉତ୍ସୁକତାର ସହିତ ବସି ରହିଲେ ଯଶୋବନ୍ତ।
ଏବେ ବିଶ୍ବନାଥ ବାବୁ ଥିରି ଥିରି କଣ୍ଠରେ କହିଲେ, "ମୁଁ ଯାହା କହୁଛି ଧ୍ୟାନ ଦେଇ ଶୁଣ୍। ମୋର ବାଲ୍ୟ ବନ୍ଧୁ ସିଦ୍ଧେଶ୍ବରର ଏକମାତ୍ର ପୁତ୍ର ସୁରସେନ କଟକରେ ରହୁଛି। ସେଠାରେ ରେଭେନ୍ସା କଲେଜରେ ଇତିହାସ ବିଭାଗରୁ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରି ଆଉ ଗାଁକୁ ଫେରିନି। ତାକୁ ଟିକେ ଖବର ପଠା ମୋତେ ଆସି ଦେଖା କରିବାକୁ..."
: ହଉ, ସାଙ୍ଗେ ସାଙ୍ଗେ ଖବର ଦେଉଛି। ଏତିକି କଥା ନା ଆଉ କଣ ଅଛି?
: ନା... ଆମ ଉଆସ ପଛ ପଟେ ଥିବା ଆମ୍ବ ତୋଟାରେ ଯେଉଁ ଭଙ୍ଗା କୂଅଟା ଅଛି, ସେଥିରେ ମୋର ବନ୍ଧୁ ସିଦ୍ଧେଶ୍ଵରକୁ ବ୍ରିଟିଶ୍ ପୋଲିସ୍ ଜୀଅଁନ୍ତା ପୋତି ଦେଇଛନ୍ତି। ସବୁବେଳେ ସିଏ ସେଠାରୁ ହାତ ଠାରି ମୋତେ ଡାକୁଛି ତାକୁ ଉଦ୍ଧାର କରିବାକୁ...
: କଣ? ଏଇଟା ସତ କଥା? ନା ଆପଣଙ୍କର ମତିଭ୍ରମ ଘଟିଲାଣି ବୋଲି ଏମିତି କହୁଛନ୍ତି... ଏତେ ଦିନ ଧରି ଆପଣ କିଛି ତ କହୁନଥିଲେ। ଏବେ ଏସବୁ କାହିଁକି?
: ନାଇଁ, ନିରାଟ ସତ କଥା। ବିଚରା କୂଅଟା ଭିତରେ ବହୁତ କଷ୍ଟ ପାଉଛି। ଆଉ ମୁଁ ଏଇଠି ବିଛଣାରେ। ସିଦ୍ଧେଶ୍ବରକୁ କୂଅରୁ ଉଦ୍ଧାର କର...
ରାତି ପାହି ସକାଳ ହେଲା। କଟକରୁ ସୁରସେନ ଛୁଟି ଆସିଲେ ତାଙ୍କ ନିଖୋଜ ବାପାଙ୍କ ବିଷୟରେ ଜାଣିବା ପାଇଁ। ମାଆ ତ ଅନେକ ଦିନରୁ ଆର ପାରିକୁ ଚାଲିଯାଇଛନ୍ତି ବାପାଙ୍କୁ ଝୁରି ଝୁରି। ଆମ୍ବ ତୋଟାରେ ଥିବା ଭଙ୍ଗା କୂଅ ଖୋଳା ଚାଲିଛି। ଉପସ୍ଥିତ ସମସ୍ତଙ୍କର ଉତ୍କଣ୍ଠା ବଢି ବଢି ଚାଲିଛି। ସୁରସେନଙ୍କର ହୃଦୟର ଗତି ତୀବ୍ର ହେବାରେ ଲାଗିଛି। ଆଠ ଦଶ ଫୁଟ ଖୋଳା ସରିଲାଣି କିଛି ବି ସୁରାକ୍ ମିଳୁନି। ଅଧୈର୍ଯ୍ୟ ହୋଇ ପଡୁଥାଆନ୍ତି ସୁରସେନ। ଆହୁରି ଦଶ ବାର ଫୁଟ ଗାତ ଖୋଳିବା ପରେ ମିଳିଲା ନର କଙ୍କାଳଟିଏ। ସତରେ କଣ ଇଏ ତାଙ୍କ ବାପା ସିଦ୍ଧେଶ୍ଵର? ଏହାର ଉତ୍ତର କେବଳ ଦୁନିଆର ଗୋଟିଏ ଲୋକ ହିଁ ଦେଇ ପାରିବେ, ତାଙ୍କ ବାପାଙ୍କର ବନ୍ଧୁ ବିଶ୍ବନାଥ ବଳବନ୍ତରାୟ। ସମୟ ଅପଚୟ ନକରି ସୁରସେନ ଧାଇଁଲେ ଜମିଦାରଙ୍କ ଉଆସକୁ।
କାହିଁ କେତେ ଦିନରୁ ସତେ ଯେମିତି ସୁରସେନଙ୍କର ଅପେକ୍ଷାରେ ଥିଲେ ବିଶ୍ବନାଥ ବାବୁ। ତାଙ୍କର ପାଦ ସ୍ପର୍ଶ କରି ସୁରସେନ ପଚାରିଲେ ନିଜ ବାପାଙ୍କ ବିଷୟରେ। ଦୁଇ ଧାର ଲୁହ ବହିଗଲା ବିଶ୍ବନାଥ ବାବୁଙ୍କ ମଳିନ ଆଖିରୁ। ବାଷ୍ପରୁଦ୍ଧ କଣ୍ଠରେ କହିଲେ, "ସୁରସେନ! ତୁମେ ମୋ ପୁଅ ଯଶୋବନ୍ତ ଭଳି। ତୁମ ପାଖରେ ଆଉ ଲୁଚାଇବି ବା କଣ? ତୁମ ବାପା ସିଦ୍ଧେଶ୍ଵର ଓ ମୁଁ ସହପାଠୀ, ବାଲ୍ୟବନ୍ଧୁ। ଆଜି ମୁଁ ଯାହା କିଛି ବି ହୋଇଛି କେବଳ ତୁମ ବାପାଙ୍କ ପାଇଁ। ତାଙ୍କୁ ବଳି ପକାଇ ମୁଁ ହାସଲ କରିଛି ଜୀବନରେ ସକଳ ସଫଳତା। ଚଢିଛି ସୁଉଚ୍ଚ ରାଜନୈତିକ ସୋପାନ। ସିଏ ମୃତ ବୋଲି ଜାଣି ସୁଦ୍ଧା ନିଖୋଜ ବୋଲି କାହାଣୀ ସୃଷ୍ଟି କରି ସଭିଙ୍କୁ ଭ୍ରମିତ କରିଛି କେବଳ ମୋର ନ୍ଯସ୍ତ ସ୍ବାର୍ଥ ସିଦ୍ଧି ପାଇଁ। ମୁଁ ନିଜେ ହିଁ ତାଙ୍କୁ ବିଶ୍ବାସରେ ବିଷ ଦେଇ ହତ୍ୟା କରିଛି। ବ୍ରିଟିଶ୍ ପୋଲିସ୍ ତ ଏକ ମାଧ୍ୟମ ମାତ୍ର। ଆମ୍ବ ତୋଟାରେ ଥିବା କୂଅରେ ତାଙ୍କୁ ରାତିଅଧିଆ ଜୀଅଁନ୍ତା ପୋତାଯାଇଛି। ମୋ ଆଖି ସାମ୍ନାରେ ସବୁ କିଛି ଘଟିଛି। ସେଇ ଅପରାଧର ସଜ୍ଜା ମୁଁ ଏବେ ବିଛଣାରେ ପଡି ପଡି ଦୀର୍ଘ ପନ୍ଦର ବର୍ଷ ଧରି ଭୋଗ କରୁଛି। ନା ମୁଁ ଜୀଇଁ ପାରୁଛି ନା ମୁଁ ମରି ପାରୁଛି। ନା ନିଜର ମନର ଭାବକୁ କାହା ଆଗରେ ପରିପ୍ରକାଶ କରିପାରୁଛି। ତୁମର ଯାହା ଇଛା ମୋତେ ଦଣ୍ଡ ଦିଅ ମୁଁ ଭୋଗିବାକୁ ପ୍ରସ୍ତୁତ। କିନ୍ତୁ ତୁମକୁ ହାତ ଯୋଡି ଅନୁରୋଧ କରୁଛି ଏକଥା ତୁମ ଓ ମୋ ବିନା ଆଉ ତୃତୀୟ କେହି ନଜାଣନ୍ତୁ।"
ସୁରସେନ ନିଜ ପିତାଙ୍କ ବାବଦରେ ସବୁ କିଛି ଜାଣି ଆକସ୍ମିକ ଭାବେ ମୁକ ପାଲଟି ଯାଇଥିଲେ। ବିଶ୍ବନାଥ ବଳବନ୍ତରାୟ ନିଜର ବାଲ୍ୟକାଳର ସହପାଠୀ ସିଦ୍ଧେଶ୍ଵର ସାହୁଙ୍କ ଆତ୍ମାର ସଦ୍ ଗତି କାମନା କରି ହୋମଯଜ୍ଞର ଆୟୋଜନ କରି ଶହେଆଠ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେବା ସହିତ ପୃଥିଗଡ଼ର ସମସ୍ତ ଲୋକଙ୍କୁ ଭୁରି ଭୋଜନରେ ଆପ୍ଯାୟିତ କରିଥିଲେ। ଏହି ଘଟଣାର କିଛିଦିନ ଅନ୍ତରରେ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା, "ବିଶିଷ୍ଟ ଜନନାୟକ ବିଶ୍ବନାଥ ବଳବନ୍ତରାୟଙ୍କ ନିଧନ"!!!