Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

କମ୍ଯୁନିଷ୍ଟ୍

କମ୍ଯୁନିଷ୍ଟ୍

2 mins
137


"କୃଷକର ଆତ୍ମକାହାଣୀ" ଶୀର୍ଷକରେ ମୋର କବିତାଟିଏ ପ୍ରକାଶିତ ହୋଇଥିଲା କଥାଦର୍ପଣ (ଷ୍ଟୋରୀମିରର୍) ସଙ୍କଳିତ କବିତା ପୁସ୍ତକଟିରେ। ବାପାଙ୍କ ହାତରେ ବହିଟି ପଡୁ ପଡୁ ମୋତେ ଫୋନ୍ ଆସିଲା। ସବୁଦିନ ପରି ପିତା ପୁତ୍ରଙ୍କ ଔପଚାରିକତା ଭରା ଫୋନ୍ କଲ୍ ନଥିଲା। ବରଂ ବାପା ପ୍ରଶ୍ନ କରୁଥିଲେ, "ବାଣିଜ୍ୟର ଛାତ୍ର ହୋଇ କମ୍ଯୁନିଷ୍ଟ୍ ହେଲୁଣି କେବେଠୁଁ? ଶିଳ୍ପାୟନ ନହେଲେ ବିକାଶ କେମିତି ହେବ? ରୋଜଗାର ସୃଷ୍ଟି ହେବ କେମିତି? ଅଭିବୃଦ୍ଧି, ମୁଣ୍ଡପିଛା ଆୟ ବଢିବ କେମିତି? ଦେଶ ବିକଶିତ ହେବ ଆଉ କେବେ?"

ମୁଁ ଅପ୍ରସ୍ତୁତ ଥିଲି ବାପାଙ୍କ ପ୍ରଶ୍ନବାଣକୁ ସାମ୍ନା କରିବାକୁ। କହିଲି, "ନା, କିଛି ବୁଝି ପାରିଲି ନାହିଁ..."

: ନାହିଁ, କିଛି ନାହିଁ। କବିତା ସଙ୍କଳନରୁ ତୋ କବିତାଟି ପଢୁଥିଲି। ଯେମିତି ଲାଗିଲା କି ପକ୍କା କମ୍ଯୁନିଷ୍ଟ୍ ହୋଇଗଲୁଣି...

: ଓଃ! ବୁଝିଲି ଏବେ... କିନ୍ତୁ କବିତାଟିରେ ଏମିତି କିଛି ନାହିଁ ଯେ, କମ୍ଯୁନିଷ୍ଟ୍ ହୋଇଯିବି!

: କମ୍ଯୁନିଷ୍ଟ୍ ହେବାରେ କିଛି ନାହିଁ। ଯେମିତି ଆମ ବଂଶର ସାଙ୍ଗିଆ ଛାଡ଼ି ଦେଇଛୁ, ସ୍ବଧର୍ମ ଛାଡିବୁ ନାହିଁ। କାରଣ କମ୍ଯୁନିଷ୍ଟଙ୍କ ପାଇଁ ଧର୍ମ ହେଉଛି ଅଫିମ ପରି ନିଶା, ଈଶ୍ବର...

: ହଁ... ହଁ... ବୁଝିଗଲି। ଯଦି ଦୁର୍ବଳ ବର୍ଗର ସ୍ବର ଉତ୍ତୋଳନ କରିବାର ଅର୍ଥ ହେଉଛି କମ୍ଯୁନିଷ୍ଟ୍ ହେବା ତ ମୁଁ କମ୍ଯୁନିଷ୍ଟ୍! ସାମାଜିକ ନ୍ୟାୟ, ଆର୍ଥିକ ସମତା, ଶ୍ରେଣୀହୀନ-ଜାତିହୀନ ସମାଜର କଥା କହିବା ପାଇଁ ଯଦି କମ୍ଯୁନିଷ୍ଟ୍ ହେବାକୁ ପଡ଼େ ତେବେ ମୁଁ କମ୍ଯୁନିଷ୍ଟ୍! ଘୁଣଖିଆ ବ୍ୟବସ୍ଥା, ରୁଢ଼ିବାଦୀ ସମାଜରେ ନାର୍ଯ୍ୟ ଅଧିକାର ହାସଲ ସକାଶେ ବିଦ୍ରୋହୀ ଅବା ସଂଗ୍ରାମୀ ସାଜି ଲଢ଼େଇ କରିବା ଯଦି କମ୍ଯୁନିଷ୍ଟ୍ ହେବା, ତେବେ ମୁଁ ଶୁଦ୍ଧାନ୍ତକରଣରେ କମ୍ଯୁନିଷ୍ଟ୍! ଆଉ ରହିଲା ଧର୍ମ ଓ ଈଶ୍ବରଙ୍କ କଥା। ମାନବତା ସମସ୍ତ ଆନୁଷ୍ଠାନିକ ଧର୍ମର ଉର୍ଦ୍ଧ୍ବରେ। ଅନ୍ନ ହିଁ ତ ବ୍ରହ୍ମ, ବୁଭୁକ୍ଷୁର ଈଶ୍ବର!

ମୁଁ ପ୍ରଗଳ୍ଭ ହୋଇ କହିଚାଲିଥାଏ। ଆଗ୍ନେୟଗିରିର ଲାଭା ପରି ଉଦ୍ଗୀରଣ ହେଉଥାଏ ମୋ ଭିତରେ ସାଇତା ହୋଇ ରହିଥିବା ପୁଞ୍ଜିଭୂତ କ୍ଷୋଭ। କିନ୍ତୁ ମୋ କଥା ଶୁଣିବାକୁ ବାପାଙ୍କର ଧୌର୍ଯ୍ୟ ନଥାଏ। ଫୋନ୍ କାଟିବା ପୂର୍ବରୁ ସେ କହିଲେ କେବଳ ଗୋଟିଏ ମାତ୍ର ଶବ୍ଦ... "ତଥାସ୍ତୁ!!!"

ଆଉ ଏଇ "ତଥାସ୍ତୁ" ହିଁ ମୋ ପାଇଁ ବାପାଙ୍କର ଶୁଭାଶୀର୍ବାଦ, ସ୍ବୀକୃତି। ଏଇ ଅମୂଲ୍ୟ ସମ୍ପଦକୁ ପାଥେୟ କରି ମୁଁ ଚାଲୁଛି ଜୀବନର ଅମଡ଼ାବାଟ।



Rate this content
Log in

Similar oriya story from Abstract