Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Saswat Routroy

Fantasy Horror


2.3  

Saswat Routroy

Fantasy Horror


ରକ୍ତପିପାସୁ

ରକ୍ତପିପାସୁ

11 mins 784 11 mins 784

ନିଦରୁ ଉଠି ମୁଣ୍ଡଟା ଦରଜରେ ଫାଟି ପଡ଼ୁଥାଏ ପଳାଶର। ବିଗତ କିଛିଦିନର ମାନସିକ ଦୁଶ୍ଚିନ୍ତା ଆଉ ଦୀର୍ଘ ଯାତ୍ରାର କ୍ଲାନ୍ତି ଯୋଗୁ ଭାରି ଦୁର୍ବଳ ବୋଧ କରୁଥାଏ ସିଏ। ଏବେ ମଧ୍ୟ ତା ଆଖିରେ ଭାସି ଆସୁଛି ମୋହିନୀର ସେଇ ମାଧୁର୍ଯ୍ୟମିଶା ହସ, ୧୦ ଦିନ ତଳେ ଯାହା ଚିରଦିନ ପାଇଁ ହଜି ଯାଇଛି କେଉଁ ଅଜଣା ଜଗତରେ। ଅତୀତକୁ ଭୁଲିବା ପାଇଁ ପଳାଶ ଛାଡ଼ି ଆସିଛି ସେଇ ସହର, ସେଇ ଜୀବନ।

ପଳାଶ ଆଜି ଦିନ ୧୨ଟାରେ ହରିଶପୁର ଆସି ପହଞ୍ଚିଛି। କନ୍ଧମାଳ ଜିଲ୍ଲାର ଗୋଟେ ପାହାଡ଼ି ଅଞ୍ଚଳରେ ଅବସ୍ଥିତ ଛୋଟ ଗୋଟିଏ ସହରାଞ୍ଚଳ ଏଇ ହରିଶପୁର, ଜନସଂଖ୍ୟା ୩୦୦୦ରୁ ଅଧିକା ହେବ ନାହିଁ। ମନୋରମ ଆବହାୱା ଆଉ ସୁନ୍ଦର ନିର୍ଝଞ୍ଝଟ ପରିବେଶ। ସାରା ଭାରତବର୍ଷ ଇନ୍ଦିରା ଗାନ୍ଧି ଦ୍ୱାରା ଲାଗୁ ହୋଇଥିବା ଜରୁରୀ ଅବସ୍ଥା ଯୋଗୁ ସନ୍ତ୍ରସ୍ତ ହେଲେ ମଧ୍ୟ, ଏଠି ତାହାର କିଛି ପ୍ରଭାବ ପଡ଼ିନି; ହରିଶପୁର ଶାନ୍ତିପୂର୍ଣ। ସ୍ଥାନୀୟ ଜଣେ ଚିକିତ୍ସକଙ୍କର ଗୋଟେ ଘର ଖାଲି ପଡ଼ି ଥିଲା। ୨'ମାସର ଅଗ୍ରିମ ଘରଭଡ଼ା ଦେଇ, ସେଇଠି ହିଁ ଡେରା ପକେଇଛି ପଳାଶ।

ବସାକୁ ଉଠି, ଖଟରେ ଦେହ ପକେଇ ପଳାଶ ଗଭୀର ନିଦରେ ଶୋଇ ପଡ଼ିଥିଲା। ନିଦ ଭାଙ୍ଗିଲା ୪ଟା ବେଳକୁ। କେଜାଣି କାହିଁକି, ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହୋଉଥିଲା ତାର। ମୁଣ୍ଡ ଦରଜ ପାଇଁ ଗୋଟେ ଔଷଧ ବାହାର କରିଲା ଛୋଟ ବ୍ୟାଗରୁ। ଏଇନେ ଟିକେ ଚା ଦରକାର। ଚା ଦେଇ ଔଷଧ ଖାଇଲେ ଶୀଘ୍ର ଉପଶମ ମିଳିବ। ଦେହରେ ହାଲ୍କା ଜ୍ୟାକେଟଟାକୁ ଚଢ଼େଇ ଚା-ବିକାଳୀ ଉଦ୍ଦେଶ୍ୟରେ ବାହାରି ପଡ଼ିଲା ପଳାଶ।

ଘରଠୁ ସାମାନ୍ୟ ଦୂରରେ ଗୋଟେ ଚା-ଦୋକାନ ମିଳି ଗଲା। ମାଟିର ଭାଣ୍ଡରେ ଚା ନେଇ ଗୋଟେ ବେଞ୍ଚରେ ବସି ଔଷଧ ଗିଳି ପକେଇଲା ପଳାଶ। ଆରାମ କରି ଚା ପିଉ ପିଉ ନଜର କଲା, ଦୁଇ ତିନିଜଣ ବୃଦ୍ଧଲୋକ ତାକୁ ଦେଖି ଦେଖି ନିଜ ଭିତରେ କଥା ହେଉଛନ୍ତି।

"ପୁଅ, କିଛି ମନେ ନା କଲେ ଗୋଟେ କଥା ପଚାରିବି?" ଜଣେ ବୃଦ୍ଧ ତାକୁ ପଚାରିଲେ।

"ଆଜ୍ଞା ମଉସା, ପଚାରନ୍ତୁ", ସାମାନ୍ୟ ଟିକେ ହସି, ପଳାଶ ବୃଦ୍ଧଙ୍କୁ ନମସ୍କାର କଲା।

"ତୁମକୁ ଆଗେ ଏଠି ଦେଖିଛି ବୋଲି ମନେ ପଡ଼ୁନି", ଜଣେ ବୃଦ୍ଧ କହିଲେ- "ତୁମେ ନୂଆ ଆସିଛ କି?"

"ହଁ ମଉସା, ମୁଁ ଜଣେ ଭୂ-ପର୍ଯ୍ୟଟକ", ଝଟ କରି ପଳାଶ ଗୋଟେ ମିଛ ପରିଚୟ ଦେଇ ଦେଲା- "ଏଇନେ କିଛି ଦିନ ଏଠି ରହି ପାଖାପାଖି ଦ୍ରଷ୍ଟବ୍ୟ ଜିନିଷ ଦେଖି ଅନ୍ୟତ୍ର ଯାତ୍ରା କରିବି"।

"ହଉ ହଉ, ଭଲ କଥା। ଆମ ଏଇ ଜାଗାଟାକୁ ପର୍ଯ୍ୟଟକମାନେ ଦର୍ଶନ-ଯୋଗ୍ୟ ମନେ କରୁଛନ୍ତି ଶୁଣି ଟିକେ ଭଲ ଲାଗି.....", କଥା କହୁ କହୁ ବୃଦ୍ଧ ହଠାତ୍ ଚୁପ କରି ଯାଇ ଗୋଟେ ଆଡ଼େ ଅନେଇଲେ। ତାଙ୍କୁ ଚୁପ କରିବା ଦେଖି ବାକି ବୃଦ୍ଧମାନେ ମଧ୍ୟ ସେଇ ଆଡ଼େ ଫେରି ଚାହିଁଲେ। କୌତୁହଳି ହୋଇ ପଳାଶ ବୃଦ୍ଧଙ୍କ ଦୃଷ୍ଟି ଅନୁସରଣ କରି ସେଇଆଡ଼େ ଚାହିଁବାରୁ ତାର ଦୃଷ୍ଟି ଜଣଙ୍କ ଉପରେ ନିବଦ୍ଧ ହୋଇ ଗଲା।

କ୍ଷଣିକ ପାଇଁ ମନେ ହେଲା ତାର ଆଖି ଜଳି ଉଠିଲା ଗୋଟେ ମୂର୍ତ୍ତୀମୟ ଦ୍ୟୁତିକୁ ଦେଖି। ୧୦ ଫିଟ ଦୁରରେ ଜଣେ ୨୫ ବର୍ଷୀୟ ଅପରୂପା ଯୁବତୀ ଜଣେ ପରିବାବାଲାଠୁ ପରିବା କିଣୁ ଥିଲା। ଯୁବତୀର ଗୌରବର୍ଣ୍ଣ ଓ ମସୃଣ ମୁଖମଣ୍ଡଳ ଅପରାହ୍ନର ଈଷତ୍ ଖରା ଯୋଗୁ ଲାଲ ପଡ଼ି ଯାଇଛି। କୌଣସି ଚିତ୍ରକରର ତୁଳିରେ ଅଙ୍କା ପରି ସରୁ ଓ ଘନ ଭୃଯୁଗଳ ତଳେ ଦିଟା ଦିଘଲ ନୀଳ ଆଖି, ଯାହା ଅସୀମ ସମୁଦ୍ର ନ୍ୟାୟ ଗଭୀର ଓ ରହସ୍ୟମୟ। ସୁନ୍ଦର ଲଲାଟ ଉପରେ ଦିଟା ଚଞ୍ଚଳ କେଶଗୁଛ ପବନରେ ଦୋହଲି ନୃତ୍ୟ କରୁଥାଏ ତାଳ ମିଳେଇ। ଗୋଲାପ ପାଖୁଡ଼ା ପରି ଲାଲ ଓଷ୍ଠାଧାର ଦିଟା ସିକ୍ତ ଆଉ ହାସ୍ୟମୁଖର। ନାକଟି ସୁତୀକ୍ଷ୍ଣ, ଟିକେ ଉଦ୍ଧତ- ଯାହା ଯୁବତୀର ରୂପର ଅହଂକାରର ବହିଃପ୍ରକାଶ। ଲମ୍ବା ଘନ ବାଦାମୀ କେଶରାଶୀ ପାହାଡ଼ି ଜଳପ୍ରପାତ ପରି ଦୋଳି ଖେଳୁଛି ଅଂଟାଯାଏଁ। ଫିକା ଘିଅ ରଙ୍ଗର ଶାଢ଼ୀ ଭିତରୁ ପ୍ରକାଶ ପାଉଛି ତାହାର ସ୍ୱାସ୍ଥ୍ୟପୂର୍ଣ୍ଣ ଓ ପ୍ରାଣୋଜ୍ଜ୍ଵଳ ଦେହ। ଅଳ୍ପ ଦିଶୁଥିବା ଅଂଟାର ଅଳ୍ପ ଚିକଣ ମେଦ ଆହୁରି ବଢ଼େଇ ଦେଉଛି ତାହାର ଅପରୂପ ସୌନ୍ଦର୍ଯ୍ୟକୁ।

ବୃଦ୍ଧମାନେ କିନ୍ତୁ ଯୁବତୀକୁ ନେଇ ଗଭୀର ଆଲୋଚନାରେ ବ୍ୟସ୍ତ। ମଝିରେ ମଝିରେ ସେମାନେ ପଳାଶକୁ ଲକ୍ଷ କରି ଇଶାରାରେ କିଛି ଗୋଟେ କଥା ହଉଛନ୍ତି, ସେଟା ସ୍ପଷ୍ଟ।

"କଣ ହେଇଛି ମଉସା। ମତେ କିଛି କହିବେ, କି?", ପଳାଶ କୌତୁହଳ ପ୍ରକାଶ କରି ଜଣଙ୍କୁ ପଚାରିଲା।

"ଶୁଣ ପୁଅ, ତୁମେ ଏଠି ନୂଆ ଆସିଛ। ତୁମକୁ ସାବଧାନ କରି ଦେବା ଆମର ନୈତିକ କର୍ତ୍ତବ୍ୟ।", ଜଣେ ବୃଦ୍ଧ ପଳାଶ ଆଡ଼େ ଘୁଞ୍ଚି ଆସିଲେ- "ସେଇ ଯୋଉ ଯୁବତୀକୁ ଦେଖୁଛ, ତାର ନାଁ ମାଳତୀ। ତାଠୁ ଦୂରତ୍ବ ବନେଇ ରଖିବ। ତା ସାଥିରେ ବେଶୀ ମିଶାମିଶି କଲେ ବିପଦ ଅଛି।"

"ନା ମଉସା, ମୁଁ କାହିଁକି ତାଙ୍କ ସହିତ ମିଶିବାକୁ ଯିବି?", ପଳାଶ ଟିକେ ଅପ୍ରସ୍ତୁତ ହେଲା- "କିନ୍ତୁ, ଏମିତି କାହିଁକି କହୁଛନ୍ତି? କୋଉ ପ୍ରକାର ବିପଦ?" ବିସ୍ମିତ ହୋଇ ପଳାଶ ପଚାରିଲା।

"ପୁଅ, ମାଳତୀ ସାଧାରଣ ଯୁବତୀ ନୁହେଁ। ସିଏ ଏ ପର୍ଯ୍ୟନ୍ତ ଚାରି ଜଣକୁ ଖାଇ ସାରିଲାଣି। ଦୁଇ ବର୍ଷ ତଳେ ସିଏ ଆଉ ତା ଦଶ ବର୍ଷର ପୁଅ ପୁପୁନ ହରିଶପୁର ଆସି ରହିବା ଆରମ୍ଭ କଲେ। ଆମ ହରିନାରାୟଣଙ୍କର ଛୁଆପିଲା କିଛି ଥିଲାନି। ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଦିନ ତଳେ ପରଲୋକଗମନ କରି ଯାଇଥିଲେ। ବୁଢ଼ା ତାଙ୍କର ଦୂର ସମ୍ପର୍କୀୟ ଝିଆରୀକୁ ପାଖରେ ଆଣି ରଖିଲେ। ମାଳତୀ ଏଠି ଆସିବା ପୂର୍ବରୁ ବିଧବା ଥିଲା। ତାର ଆସିବାର ଗୋଟେ ସପ୍ତାହ ଭିତରେ ହରିନାରାୟଣ ଚାଲିଗଲେ। ଆମେ ଅବଶ୍ୟ ପ୍ରଥମେ କିଛି ସନ୍ଦେହ କରି ନ ଥିଲୁ। ବୁଝିବା କେମିତି ଭିତରର କଥା? ଝିଆରୀ ବୁଢ଼ାର ଭାରି ଯତ୍ନ ନଉଥିଲା। ସନ୍ଦେହର ଅବକାଶ କିଛି ଥିଲାନି। ଆମେ ଭାବିଲୁ ସ୍ବାଭାବିକ ମୃତ୍ୟୁ। କିନ୍ତୁ ଆଜିକାଲି ମନେ ହୁଏ, ହରିନାରାୟଣଙ୍କର ମୃତ୍ୟୁ ପାଇଁ ମାଳତୀ ଦାୟୀ।"

"ହରିନାରାୟଣଙ୍କର ମୃତ୍ୟୁ ପାଇଁ ମାଳତୀ କେମିତି ଦାୟୀ?", ବୁଝି ନ ପାରି ପଳାଶ ବୃଦ୍ଧଙ୍କୁ ପଚାରିଲା।

"ରୁହ ପୁଅ, ପୁରା କଥା ଶେଷ ହେଇନି।", ବୃଦ୍ଧ ଟିକେ ପାଣି ପିଇ ଆରମ୍ଭ କଲେ- "ହରିନାରାୟଣ ଯିବାର ଦୁଇ ମାସ ପରେ ମାଳତୀ ସ୍ଥାନୀୟ ସ୍କୁଲର ଜଣେ ଶିକ୍ଷକକୁ ବାହା ହେଲା। ଆମେ ଜାଣି ପାରିନୁ, ଭିତରେ ଭିତରେ ମାଳତୀ ସାଙ୍ଗରେ ସ୍କୁଲଶିକ୍ଷକ ବୀରେନ ବାବୁଙ୍କର ପ୍ରେମ ଚାଲୁଥିଲା। ହଠାତ୍ ଦିନେ ସେମାନେ ବାହା ହେଇ ଗଲେ। ବାହାଘର ପରେ ସବୁ କିଛି ଠିକ ଠାକ ଚାଲୁଥିଲା, ଖାଲି ମଝିରେ ଚାରିଦିନ ବୀରେନବାବୁ ଦୁର୍ବଳ ଶରୀର ଯୋଗୁ ସ୍କୁଲ ଯାଇ ନ ଥିଲେ। ଦେଖା ହେଲେ କୁହନ୍ତି, କିଛିଦିନ ଧରି ଦେହକୁ ବଳ ଆସୁନି। ଆମେ ଭାବିଲୁ ନୂଆ ସଂସାର ଯୋଗୁ ବାହାନା ଦେଖାଇ ସ୍କୁଲ ବନ୍ଦ କରିଛନ୍ତି। ହଠାତ୍ ଦୁଇ ସପ୍ତାହ ପରେ ବୀରେନବାବୁ ମରି ଗଲେ। ତାଙ୍କୁ ଆମେ ସମସ୍ତେ ଶ୍ମଶାନକୁ ନେଇ ଗଲୁ ପୋଡ଼ିବା ପାଇଁ। ଶବ ଦେଖି ସମସ୍ତଙ୍କୁ ଟିକେ ଅସ୍ଵାଭାବିକ ଲାଗିଲା- ଦେହରେ ରକ୍ତାଳ୍ପତା ସ୍ପଷ୍ଟ। ତୁମେ କୁହ, ଏଇଟା ସନ୍ଦେହଜନକ ନୁହେଁ?"

"ହୁଏତ କୌଣସି ରୋଗ ଥିଲା ଭିତରେ ଭିତରେ, କେହି ଜାଣି ପାରି ନ ଥିଲେ", ପଳାଶ ସ୍ୱାଭାବିକ କାରଣ ଦେଖେଇଲା।

"ନା ରେ ପୁଅ। ଖାଲି ସେଇ କଥା ହେଇଥିଲେ ଆମେ ଏତେ କଥା କହି ନ ଥାନ୍ତୁ। ବୀରେନ ବାବୁଙ୍କର ମୃତ୍ୟୁର ଚାରି ମାସ ପରେ ମାଳତୀ ଆଉ ଥରେ ବାହା ହେଲା। ପଦ୍ମଲୋଚନ ବାବୁଙ୍କର ଛୋଟ ପୁଅ, ନାଁ ସଲୀଳ। ସିଏ ତ ମାଳତୀ ପ୍ରେମରେ ପୁରା ହାବୁଡୁବୁ ଖାଉଥିଲା। ରାସ୍ତାରେ ମାଳତୀକୁ ଦେଖିଲେ ତା ପଛେରେ ଗୋଡ଼ଉଥିଲା କୁକୁର ପରି ଲାଞ୍ଜ ହଲେଇ। ଅନେକ ଥର ତାକୁ ମନା କରିବା ପରେ ମାଳତୀ ଶେଷରେ ତାକୁ ବାହା ହେବାକୁ ରାଜି ହେଲା। ପଦ୍ମଲୋଚନଙ୍କର ଏଇ ବିବାହରେ ମତ ଥିଲାନି- କେମିତି ଗୋଟେ ବିଧବାକୁ ବୋହୂ ବନେଇ ଥାନ୍ତେ? ହେଲେ ଛୋଟ ପୁଅର ସ୍ନେହରେ ପାଗଳ ହେଇ ସଲୀଳର ବୋଉ ତାଙ୍କୁ ବିବାହ ପାଇଁ ରାଜି କରେଇଲେ। ଅବଶ୍ୟ ପଦ୍ମଲୋଚନବାବୁ ଗୋଟେ ସର୍ତ୍ତ ରଖିଥିଲେ- ମାଳତୀର ପୁଅ ପୁପୁନକୁ ତାଙ୍କ ଘରେ ଜାଗା ମିଳିବ ନାହିଁ। ଏଥିରେ ଗୋଟେ ଚାଲାକି ଥିଲା। ପଦ୍ମଲୋଚନବାବୁ ଭାବିଥିଲେ ମାଳତୀ ତା ପୁଅକୁ ଛାଡ଼ି ରହି ପାରିବନି, ସିଏ ବାହା ହେବାକୁ ମନା କରି ଦବ। କିନ୍ତୁ, ସଲୀଳ ମାଳତୀକୁ ବାହା ହେଇ ମାଳତୀ ସାଙ୍ଗରେ ତା ଘରେ ରହିବାକୁ ଲାଗିଲା। ସେଇଟା ହିଁ ତାର କାଳ ହେଲା। ତିନି ମାସ ଭିତରେ ସଲୀଳ ପରି ସ୍ବାସ୍ଥ୍ୟବାନ ଆଉ ତରତାଜା ଗୋଟେ ଯୁବକ ରକ୍ତାଳ୍ପତା ଯୋଗୁ ଶୁଖି ଶୁଖି ମରି ଗଲା। କୁହ, ଦୁଇ ଥର ଗୋଟେ ସ୍ତ୍ରୀଲୋକର ସ୍ବାମୀମାନେ ଏକା ପ୍ରକାର ଭାବରେ ମଲେ। ଏଟା ଅସ୍ଵାଭାବିକ ଲାଗୁନି?"

"ସେଇଟା ହୁଏତ ଗୋଟେ ସଂଯୋଗ।"

"ନା ରେ ପୁଅ, ସଂଯୋଗ ନୁହେଁ। ମୁଁ ନିଜେ ମାଳତୀକୁ ଦେଖିଛି ସବୁ ସମୟ ସଲୀଳକୁ ଖାଲି ମେଣ୍ଢାମାଂସ, କଳିଜା, ଅଣ୍ଡା, ଇତ୍ୟାଦି ଜୋର କରି ଖୁଆଇବାର।"

"ତ, ସେଥିରେ କଣ ହେଲା? ଏଇସବୁ ଖାଦ୍ୟ ତ ଦେହକୁ ସବଳ ଆଉ ଉର୍ଜାବାନ ବନାନ୍ତି। ଜଣେ ସ୍ତ୍ରୀ ତା ସ୍ବାମୀକୁ ଏମିତି ଖାଦ୍ୟ ଖୁଆଇବା ତ ସାଧାରଣ କଥା", ପଳାଶ ହସି ଯୁକ୍ତି ଦେଖେଇଲା।

"ପୁଅ, ଏତିକି ସାମାନ୍ୟ କଥା ବୁଝି ପାରିଲନି? ଏଇ ସବୁ ଖାଦ୍ୟ ଦେହରେ ରକ୍ତର ପରିମାଣ ବି ବଢ଼ାନ୍ତି। ମାଳତୀର ସେଇ ରକ୍ତ ଦରକାର ସବୁ ବେଳେ।"

"ମାନେ?", ଏଥର ପଳାଶର ଚମକିବାର ପାଳି।

"ମାନେ ଭାରି ସରଳ। ମାଳତୀ ଗୋଟେ ରକ୍ତପିପାସୁ ଡାହାଣୀ। ତାର ରକ୍ତ ଦରକାର। ସେଥିପାଇଁ ତାର ସ୍ବାମୀମାନେ ରକ୍ତଶୂନ୍ୟ ହେଇ ମରିଲେ"।

"କଣ ମଉସା, ଆପଣ ବୋଧେ ଭ୍ୟାମ୍ପାୟାର କଥା କହୁଛନ୍ତି! ସେଗୁଡ଼ିକ ବିଦେଶୀ ଲୋକକଥାର ଅତିପ୍ରାକୃତ ପ୍ରାଣୀ- ଛୋଟ ପିଲାଙ୍କର ଗପର ଚରିତ୍ର। ଏଇ ଯୁଗରେ କେହି ଏଇସବୁ ବିଶ୍ୱାସ କରନ୍ତିନି", ପଳାଶ ହସ ସମ୍ଭାଳି ପାରୁ ନ ଥାଏ।

"ପୁଅ, ଆମେ ଯାହାକୁ ପାଣି କୁହନ୍ତି, ସାହେବ ମାନେ ତାକୁ ହିଁ ୱାଟର କୁହନ୍ତି। କିନ୍ତୁ ଦ୍ରବ୍ୟଟା ତ ଆଉ ଅଲଗା ହେଇ ଯାଉନି। ସେମାନେ ଭ୍ୟାମ୍ପାୟାର କୁହନ୍ତୁ, କି ଆମେ ରକ୍ତପିପାସୁ ଡାହାଣୀ କହୁ, ସେସବୁର ଅସ୍ତିତ୍ବ ଅଛି। ତୁମେ ମାନିବ କି ନାହିଁ, ସେଟା ଅଲଗା କଥା"

"ଆଛା, ଆପଣ କହିଲେ ମାଳତୀ ଚାରିଜଣକୁ ଖାଇ ସାରିଛି। ବାକି ଜଣକ କିଏ?"

"ଓହୋ, ତା କଥା ତ ଭୁଲି ହିଁ ଯାଇଥିଲି। ତିନି ମାସ ତଳେ ତୁମ ପରି ଜଣେ ଅପରିଚିତ ଆଗନ୍ତୁକ କିଛି ଦିନ ପାଇଁ ଏଠିକି ଆସିଥିଲା। ତାର ଗୋଟେ ଭଡ଼ାଘର ଦରକାର ପଡ଼ିଲା। ସିଏ ହରିନାରାୟଣଙ୍କର ଘର- ମାଳତୀ ଏଇନେ ତାର ମାଲିକ- ସେଠି ଦିଟା ବଖରା ଭଡ଼ା ନେଇ ରହୁଥିଲା। କିଛି ଦିନ ପରେ ଆମେ କେହି ତାକୁ ଆଉ ଦେଖିନୁ। ମାଳତୀକୁ ପଚାରିଲେ ସିଏ କହିଲା ଆଗନ୍ତୁକର କାମ ସରି ଯାଇଥିଲା, ତେଣୁ ସିଏ ଚାଲି ଯାଇଛି।"

"ଆଛା ପୁଅ, ଆମେ ଉଠିଲୁ", ଜଣେ ବୃଦ୍ଧ କହିଲେ- "ତୁମକୁ ସାବଧାନ କରି ଦେଲୁ। ଅଚିହ୍ନା ଜାଗାରେ କୌଣସି ବିପଦରେ ପଡ଼ନି।"

ବୃଦ୍ଧମାନେ ଚାଲି ଯିବା ପରେ ମଧ୍ୟ ପଳାଶ ୧୦ ମିନିଟ ସେଇ ଚା-ଦୋକାନରେ ବସି ରହିଲା। ଯେତେ ସବୁ ଅନ୍ଧବିଶ୍ୱାସ ଆଉ କୁସଂସ୍କାରଯୁକ୍ତ ଗପ। ଏମିତି ସୁନ୍ଦର ଆଉ ସାଧାରଣ ଯୁବତୀ ରକ୍ତପିପାସୁ ଡାହାଣୀ ହେବା ଅସମ୍ଭବ।

ମାଳତୀ କଥା ଚିନ୍ତା କରୁ କରୁ ପଳାଶ ବସାକୁ ଫେରି ଆସିଲା।


--------------------------------------


ପଳାଶ ସକାଳୁ ସକାଳୁ ଚା ପିଇବା ପାଇଁ ସେଇ ଚା-ଦୋକାନ ଉଦ୍ଦେଶ୍ୟରେ ବାହାରିଲା। ସାରା ରାତି ସିଏ ମାଳତୀକୁ ସ୍ବପ୍ନରେ ଦେଖିଛି- ସେଇ ମୁହଁ, ସେଇ ଆଖି ଆଉ ସେଇ ହସରେ ରାତିଟା ତାର କଟିଛି ମୋହାବିଷ୍ଟ ହୋଇ। ସେଇ କଥା ଭାବି ଭାବି ଚା ଦୋକାନରେ ବସି ଚା ପିଉଛି, ହଠାତ୍ ତାକୁ ମାଳତୀ ଦିଶିଲା- ପାଖର ଗୋଟେ ତେଜରାତି ଦୋକାନରୁ ଗୁଡ଼ାଏ ଜିନିଷ ଧରି ବାହାରୁଛି।

ମାଳତୀ ସାଙ୍ଗରେ କଥା କହିବାର ଭାରି ମନ ହେଉଥିଲା ପଳାଶର, କିନ୍ତୁ କେଉଁ ବାହାନାରେ ଆଳାପ କରିବ ସେଟା ଭାବି ଠିକ କରି ପାରୁନି ସିଏ। ହଠାତ୍ କେଉଁ ଅଦୃଶ୍ୟ ଭାଗ୍ୟଦେବତାର ଦୁଷ୍ଟାମୀ ଯୋଗୁ ହେଉ ଅଥବା ତାହାର ଏକାଗ୍ର ଆକାଂକ୍ଷାର ଇଚ୍ଛାଶକ୍ତି ଯୋଗୁ, ମାଳତୀର ହାତର ବ୍ୟାଗ ଫାଟି ସବୁ ତେଜରାତି ଜିନିଷ ମାଟିରେ ପଡ଼ି ଚାରି ଆଡ଼େ ଗଡ଼ି ଗଲା।

ପଳାଶ ଏଇ ସୁଯୋଗ ହାତଛଡ଼ା କରିଲାନି। ଶୀଘ୍ର ଚା-ଭାଣ୍ଡ ପକେଇ ସିଏ ଦୌଡ଼ି ଗଲା ମାଳତୀ ପାଖକୁ। ମାଳତୀ ସେଇ ସମୟରେ ଜିନିଷ ଉଠେଇବାରେ ବ୍ୟସ୍ତ। ଓଡ଼ିଆ ଚଳଚିତ୍ରର ନାୟକ ପରି ଆଣ୍ଠୁ ଭାଙ୍ଗି ବସି, ପଳାଶ ଦ୍ରୁତ ହାତରେ ଜିନିଷ ଉଠେଇବାରେ ସାହାଯ୍ୟ କଲା।

"ଚାଲନ୍ତୁ, ଏତେ ଜିନିଷ ଆପଣ ଏକୁଟିଆ ନେଇ ପାରିବେନି। ମୁଁ ପହଞ୍ଚେଇ ଦଉଛି"

"ଆପଣ କାହିଁକି ମୋ ପାଇଁ ହଇରାଣ ହେବେ? ମୋ ଘର ଏଇ ପାଖରେ। ମୁଁ ନେଇକିରି ଯାଇ ପାରିବି", ହସି କୁଣ୍ଠିତ ସ୍ବରରେ ମାଳତୀ କହିଲା।

"ଏଥିରେ ହଇରାଣ ହବାର କିଛି ନାହିଁ। ଜଣେ ମଣିଷ କଣ ଆଉ ଜଣେ ମଣିଷକୁ ଏତିକି ଟିକେ ସାହାଯ୍ୟ କରି ପାରିବନି?", ଓଡ଼ିଆ ଚଳଚିତ୍ରର ନାୟକ ପରି ଡାୟଲଗ ମାରି ପଳାଶ କହିଲା।

ମାଳତୀ ଆଉ କିଛି ନ କହି ସାମାନ୍ୟ ଟିକେ ହସିଲା। ଦିଜଣ ଚାଲିବାକୁ ଲାଗିଲେ ପାଖାପାଖି ହୋଇ।

"ମୋ ନାଁ ପଳାଶ। କାଲି ହିଁ ଏଠି ଆସିଛି", ପଳାଶ ଆଳାପ କରିବାର ଚେଷ୍ଟା କଲା।

"ମୁଁ ମାଳତୀ। ଆଛା, କିଛି ମନେ ନ କରିଲେ ଗୋଟେ କଥା ପଚାରିବି?"

"ହଁ ହଁ, ନିଶ୍ଚୟ ପଚାରନ୍ତୁ। ସଂକୋଚ କରିବାର କିଛି ନାହିଁ"

"ଆପଣକୁ କାଲି ସେଇ ଚା-ଦୋକାନରେ ଦେଖିଥିଲି। ଆପଣଙ୍କୁ ମୋ ବ୍ୟାପାରରେ କେହି କିଛି କହି ନାହାନ୍ତି?"

"ନା, ମାନେ କଣ କହି ଥାନ୍ତେ କି?", ପଳାଶ ଟିକେ ଅପ୍ରସ୍ତୁତ ଲାଗିଲା।

"କିଛି କହି ନାହାନ୍ତି? ଏଇ ଯେମିତି କି ମୁଁ ଡାହାଣୀ, ବା ରାକ୍ଷସୀ?", ମାଳତୀ ସିଧାସଳଖ ପଚାରିଲା।

"ମୁଁ ଏଇ ସବୁ କୁସଂସ୍କାର, ଅନ୍ଧବିଶ୍ୱାସ ମାନେନି।", ପଳାଶ ହାଲ୍କା ଥଟା କରି କହିଲା- "ଆଉ ତା ଛଡ଼ା, ଡାହାଣୀ ଦୋକାନରୁ ଚାଉଳ, ଡାଲି, ଘିଅ, ଇତ୍ୟାଦି କିଣିବାକୁ ବାହାରେ, ଏମିତି କେବେ ବି ଶୁଣିନି।"

ମାଳତୀ ତା କଥା କହିବା ଢଙ୍ଗ ଯୋଗୁ ହସି ପକେଇଲା ଖିଲଖିଲ କରି। ତାର ସେଇ ମୋହମୟୀ ହସ ଦେଖି ପଳାଶ ଆହୁରି ଆକୃଷ୍ଟ ହୋଇ ପଡ଼ିଲା ତା ପ୍ରତି।

କିଏ ଜାଣି ଥଲା, ନୂଆ ଗୋଟିଏ ଉପାଖ୍ୟାନ ଆରମ୍ଭ ହୋଇ ଗଲା ସେଇ ଦିନ?


--------------------------------------


ଗୋଟେ ମାସ ବିତି ଯାଇଛି ୟା ଭିତରେ। ସେଇ ଦିନର ଆଳାପ ଧୀରେ ଧୀରେ ପରିବର୍ତ୍ତିତ ହୋଇଛି ବନ୍ଧୁତ୍ବରେ, ଆଉ ସେଇ ବନ୍ଧୁତ୍ବ ନିଶ୍ଚିତ ଭାବରେ ପରିଣତ ହୋଇଛି ଘନିଷ୍ଠତାରେ। ଧୀରେ ଧୀରେ ଦିଜଣ ପରସ୍ପର ବିଷୟରେ ଜାଣିଛନ୍ତି, ଉଭୟ ଆକୃଷ୍ଟ ହୋଇଛନ୍ତି ପରସ୍ପର ପ୍ରତି।

ମାଳତୀ ଜାଣିଛି ପଳାଶର ଅତୀତ ବିଷୟରେ, ମୋହିନୀ ଆଉ ତା ମୃତ୍ୟୁ ବିଷୟରେ। ପଳାଶ ଜାଣିଛି ମାଳତୀର ଚରିତ୍ରକୁ- ସରଳ, ଅତିଥିବତ୍ସଳ, ଦୟାଳୁ ଆଉ ସାହାଯ୍ୟକାରୀ ଜଣେ ମଣିଷ। ଗରିବ ଲୋକଙ୍କୁ ଭୋଜନ କରେଇବା ହେଉ, କି ନିୟମିତ ରକ୍ତଦାନ ହେଉ, ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାରେ ସିଏ ପ୍ରସ୍ତୁତ। ଏଇ ସେଦିନର କଥା, କାହାର ବି-ନେଗେଟିଭ ରକ୍ତ ଦରକାର ଥିଲା କିନ୍ତୁ ରକ୍ତଦାତା ମିଳୁ ନ ଥିଲା। ମାଳତୀର ନିଜର ରକ୍ତ ଏ-ନେଗେଟିଭ, ସେଥିପାଇଁ ସିଏ ଦେଇ ପାରିବନି। ତେଣୁ ରକ୍ତଦାନ ପାଇଁ ପଳାଶକୁ ପଚାରିଲା। ପଳାଶ ସମ୍ଭବ ହୋଇଥିଲେ ରକ୍ତଦାନ କରିଥାନ୍ତା- ହେଲେ ତା ବ୍ଲଡଗ୍ରୁପ ଏ-ପଜିଟିଭ। ଧୀରେ ଧୀରେ ନିଜ ରୂପ ଆଉ ଚରିତ୍ର ଯୋଗୁ, ପଳାଶର ହୃଦୟରେ ଉପାସ୍ୟ ପ୍ରତିମା ହୋଇ ଯାଇଥିଲା ମାଳତୀ।

ଦିନେ ପଳାଶ ହିଁ ନିଜ ଆଡ଼ୁ କଥାଟା ପକେଇଲା, ଆଉ ତାକୁ ଆଶ୍ଚର୍ଯ୍ୟଚକିତ କରି ତାର ପ୍ରସ୍ତାବରେ ରାଜି ହୋଇ ଗଲା ମାଳତୀ। ଶୁଭମୁହୂର୍ତ୍ତ ଦେଖି ସେମାନେ ଆର୍ଯ୍ୟସମାଜି ରୀତିରେ ବାହା ହୋଇ ଗଲେ ଦିନେ।

ରୂପବତୀ ସ୍ତ୍ରୀର ହାତ ଧରି, ପଳାଶ ହରିନାରୟଣଙ୍କ- ମାନେ ମାଳତୀ ଘରକୁ ପ୍ରବେଶ କଲା। ବିବାହ ପରେ ଭଡ଼ାଘରେ ରହିବାର ମାନେ ନାହିଁ। ଚିକିତ୍ସକ ମହାଶୟଙ୍କୁ ବାକି ଟଙ୍କା ଦେଇ ନିଜ ଜିନିଷପତ୍ର ନେଇ ସିଏ ମାଳତୀ ବସାକୁ ଚାଲି ଆସିଲା। ନୂଆ ଜୀବନର ବହୁତଗୁଡ଼େ ସ୍ୱପ୍ନ ନେଇ ଘର ସଜେଇଛି ମାଳତୀ। ପ୍ରଥମ ରାତିରେ ସ୍ୱାମୀ ପାଇଁ ନିଜ ହାତରେ ବନେଇଛି ସୁସ୍ୱାଦୁ ସବୁ ଲୋଭନୀୟ ଖାଦ୍ୟ- ମେଣ୍ଢାମାଂସ କଷା, ଅଣ୍ଡା ଭୁଜିଆ, କୁକୁଡ଼ା କୋର୍ମା, ଇତ୍ୟାଦି। ପେଟ ଭର୍ତ୍ତି କରି, ମନ ତୃପ୍ତି କରି ଏତେ କିଛି ଖାଇ ପଳାଶର ମନଟା ଭାରି ପ୍ରଫୁଲ୍ଲ ହୋଇ ଉଠିଲା।

ଖାଇବା ପରେ ସୁରଭିତ ଫୁଲ ପାଖୁଡ଼ା ଦ୍ୱାରା ସୁସଜ୍ଜିତ ପଲଙ୍କ ଉପରେ ଦେହ ଗଡ଼େଇ ଦେଲା ପଳାଶ। ଟିକେ ପରେ କ୍ଷୀର ଭର୍ତ୍ତି ଗୋଟେ ଗ୍ଲାସ ନେଇ ଶୋଇବା ଘରେ ପ୍ରବେଶ କଲା ମାଳତୀ। ପଳାଶ ତା ହାତରୁ ଗ୍ଲାସ ନେଇ କ୍ଷୀର ପିଇ ନେଲା। ଆଲୁଅ ଲିଭେଇ ଦେଇ ଲାଜୁକ ମାଳତୀର ହାତ ଧରି ତାକୁ ଟାଣି ଆଣିଲା ପାଖକୁ। ମୋହମୟୀ ମାଳତୀର ମୁହଁକୁ ଅନେଇ ଗୋଟେ ସୁଖମୟ ରାତିରେ ହଜି ଗଲା ପଳାଶ।

କେତେବେଳେ ଶୋଇ ପଡ଼ିଥିଲା, ପଳାଶର ଟିକେ ବି ମନେ ନାହିଁ। ହଠାତ୍ ଗୋଟିଏ ଅସ୍ଫୁଟ ଶବ୍ଦ ଶୁଣି ନିଦ ଭାଙ୍ଗି ଗଲା ତାର। ବାତାୟନ ଆଉ କାଚ ଝରକା ଦେଇ ଜ୍ୟୋତ୍ସ୍ନା ରାତିର ଆଲୁଅ ଆସି ଘର ଭିତରଟା ଭରି ଯାଇଛି। ମାୟାବୀ ଆଲୁଅରେ ଘରଟି ଲାଗୁଛି ଗୋଟେ ନିସ୍ତବ୍ଧ ରହସ୍ୟପୁରୀ ପରି। ହାତ ବୁଲେଇ ପଳାଶ ଉପଲବ୍ଧି କଲା, ମାଳତୀ ପଲଙ୍କରେ ନାହିଁ।

ହଠାତ୍ ଗୋଟେ ଶବ୍ଦ ଶୁଭିଲା ତାକୁ- "କିଞ୍ଚ... କିଞ୍ଚ... କିଇଇଁଞ୍ଚ... କିଇଇଁଞ୍ଚ... କିଞ୍ଚ..."। ମନେ ହେଲା କେହିଜଣେ ଧାତବ ଜିନିଷ କିଛି ମାଟିରେ ଘୋଷାଡ଼ି ଆଣୁଛି। ନିଝୁମ ରାତିରେ ସେଇ କର୍କଶ ଶବ୍ଦ ଛିନ୍ନଭିନ୍ନ କରି ଦେଉଥିଲା ନିସ୍ତବ୍ଧତାକୁ।

ଘର କବାଟରେ ଖୁଟ କରି ଗୋଟେ ଶବ୍ଦ ହେଲା। ପଳାଶ ନିଶ୍ଚଳ ପରି ଶୋଇ ରହିଲା ଆଖି ବୁଜି- ଦେଖିଲେ ମନେ ହେବ ଗଭୀର ନିଦରେ ଶୋଇଛି।

ଆଖି ବନ୍ଦ ରହିଲେ ସୁଧା କାନ କିନ୍ତୁ ସଜାଗ ରହିଛି ପଳାଶର। ସିଏ ସ୍ପଷ୍ଟ ବୁଝି ପାରୁଥାଏ, ଅଦ୍ଭୁତ ସେଇ ଧାତବ ଶବ୍ଦଟି ଧୀରେ ଧୀରେ ପଲଙ୍କ ଆଡ଼କୁ ମାଡ଼ି ଆସୁଛି। କୌତୁହଳି ହୋଇ ପଳାଶ ଅଳ୍ପ ଟିକେ ଆଖି ଖୋଲି ଚମକି ପଡ଼ିଲା- ମାଳତୀ ତା ପୁଅ ପୁପୁନର ଚକା ଲଗା ଖଟଟିକୁ ଦୁଇ ହାତରେ ଠେଲି ଠେଲି ପଲଙ୍କ ପାଖକୁ ନେଇ ଆସୁଛି। ରାତି ଅଧରେ ଏମିତି ଅଦ୍ଭୁତ କାଣ୍ଡ କରିବାର କଣ କାରଣ ଥାଇପାରେ?

ହଠାତ୍ ବିଜୁଳି ପରି ଗୋଟେ ଚିନ୍ତା ଝଲକୀ ଉଠିଲା ପଳାଶର ମସ୍ତିଷ୍କରେ- "ତା ମାନେ, ମାଳତୀ ନୁହେଁ, ତା ପୁଅ ହେଉଛି ରକ୍ତପିପାସୁ! ସିଏ ହିଁ ସମସ୍ତଙ୍କ ରକ୍ତପାନ କରିଛି! କିନ୍ତୁ ଏଇଟା କେମିତି ସମ୍ଭବ? ସିଏ ତ..."।

ଦାରୁଣ ଆତଂକରେ ଆଖି ବନ୍ଦ କରି ପକେଇଲା ପଳାଶ। ସ୍ପଷ୍ଟ ବୁଝି ପାରିଲା ପୁପୁନର ଖଟଟି ପଲଙ୍କର ଦିହରେ ଲଗାଇ ରଖା ହେଲା। ଗୋଟେ ଅଦମ୍ୟ, ଅସହ୍ୟ ଉତ୍ତେଜନାରେ ବାକରୁଦ୍ଧ ହୋଇ ଯାଉ ଥାଏ ପଳାଶ।

ହଠାତ୍ ପଳାଶ ନିଜ ଧମନୀରେ ସୂତୀକ୍ଷ୍ଣ କିଛି ବିନ୍ଧିବାର ତୀବ୍ର ଯନ୍ତ୍ରଣା ଅନୁଭବ କଲା। ପରମୁହୂର୍ତ୍ତେ ଅନୁଭବ କଲା ତା ଧମନୀରୁ ରକ୍ତ ବାହାର କରି ନେଉଛି କିଏ ଜଣେ। ଧୀରେ ଧୀରେ ତା ଧମନୀରୁ ତାଳ ମିଳେଇ ବାହାରି ଯାଉଛି ବୁନ୍ଦା ବୁନ୍ଦା ରକ୍ତ।

ପଳାଶ ତଡ଼ାକ୍ କରି ପଲଙ୍କରେ ଉଠି ବସିଲା। ଯେଉଁ ଅଦ୍ଭୁତ ଦୃଶ୍ୟ ତା ଆଖିରେ ପଡ଼ିଲା, ତା ବିଶ୍ୱାସ କରି ପାରୁ ନ ଥାଏ ସିଏ। ମାଳତୀ ବି ତାହାକୁ ଜାଗ୍ରତ ଦେଖି ଚମକି୍ ଯାଇଛି।

ପୁପୁନର ଖଟରେ ଗୋଟେ ରକ୍ତ-ଅନ୍ତର୍ଭରଣ ସରଞ୍ଜାମ ଲଗା ହୋଇଛି। ତା ଦିହରୁ ଗୋଟେ ନଳୀ ତାର ଧମନୀରେ ଲାଗିଛି, ଆଉ ଗୋଟେ ନଳୀ ପଳାଶର ନିଜ ଧମନୀରେ। ପଳାଶର ଦେହରୁ ରକ୍ତ ଚୋରି କରି ମାଳତୀ ତା ପୁଅ-ଦେହକୁ ପ୍ରଦାନ କରୁଛି।

"ତୁମେ ଚେଇଁ ରହିଛ? କିନ୍ତୁ କ୍ଷୀରରେ ଯେ......", ଆଶ୍ଚର୍ଯ୍ୟ ହୋଇ ମାଳତୀ ପଚାରିଲା।

"ତା ମାନେ, କ୍ଷୀରରେ କିଛି ମିଶେଇ ଥିଲ? କିନ୍ତୁ ଦେଖା ଯାଉଛି କୋଉ ଗୋଟେ ଅଜ୍ଞାତ କାରଣ ଯୋଗୁ ମୋ ଉପରେ କିଛି ସେମିତି ପ୍ରଭାବ ପଡ଼ିନି। ବା ପଡ଼ିଲେ ବି, ବିଶେଷ କିଛି କ୍ଷତି କରି ପାରିନି।", ଗମ୍ଭୀର ସ୍ଵରରେ ପଳାଶ କହିଲା- "କିନ୍ତୁ ଏସବୁର ମାନେ କଣ?"

ନିଜର ରହସ୍ୟ ଧରା ପଡ଼ି ଯାଇଛି ଦେଖି ହାତରେ ମୁହଁ ଢାକି ନେଲା ମାଳତୀ।

"ମୋ ପୁଅର ଅଦ୍ଭୁତ ଗୋଟେ ରୋଗ ଅଛି। ଏଇନେ ମଧ୍ୟ ଚିକିତ୍ସାବିଜ୍ଞାନରେ ଏଇ ରୋଗର କୌଣସି ପ୍ରତିକାର ନାହିଁ। ତାକୁ ବଞ୍ଚେଇ ରଖିବାର ଗୋଟିଏ ମାତ୍ର ରାସ୍ତା ହଉଛି, କିଛି ଦିନ ପରେ ପରେ ନୂଆ ରକ୍ତ ଚଢ଼େଇବା। ମୁଁ ପ୍ରଥମେ ପ୍ରଥମେ ତାକୁ ହସ୍ପିଟାଲକୁ ନେଇ ରକ୍ତ ଚଢ଼ାଉଥିଲି। କିନ୍ତୁ ଏକରେ ତ ରକ୍ତ-ଭଣ୍ଡାରରେ ସବୁ ସମୟ ରକ୍ତ ନ ଥାଏ; ତା ଛଡ଼ା ଖର୍ଚ୍ଚ ବି ବହୁତ ପଡ଼େ, ଯୋଉଟା ମୋର ଆର୍ଥିକ କ୍ଷମତାର ବାହାରେ। ସେଥିପାଇଁ ରକ୍ତ-ଅନ୍ତର୍ଭରଣ ସରଞ୍ଜାମ ସବୁ ଘରକୁ କିଣି ଆଣିଛି।"

"କିନ୍ତୁ ଲୋକଙ୍କଠୁ ରକ୍ତ ଚୋରି କରିବାର ଦରକାର କଣ? ତାଙ୍କୁ ସିଧାସଳଖ ସାହାଯ୍ୟ ମାଗିଲନି କାହିଁକି?"

"ମୋର ଆଉ କିଛି ଉପାୟ ନ ଥିଲା। ସମାଜ ଆଜି ମଧ୍ୟ ରକ୍ତଦାନ ନେଇ ସଚେତନ ହେଇନି। ଆଜି ବି ୧୫୦ଜଣ ଭିତରେ ମାତ୍ର ଜଣେ କି ଦିଜଣ ରକ୍ତଦାନ କରିବାକୁ ରାଜି ହୁଅନ୍ତି। ସେଥିପାଇଁ ମତେ ଏଇ ବାଟ ଧରିବାକୁ ପଡ଼ିଲା। ଯୋଉ ଯୋଉ ଲୋକଙ୍କର ରକ୍ତ ମୋ ପୁଅ ସାଥିରେ ମିଶେ, ତାଙ୍କଠୁ ରକ୍ତ ନେଇ ପୁପୁନକୁ ଦିଏ। ଜାଣିଛି ଏଇଟା ଗୋଟେ ଜଘନ୍ୟ ପାପ, କିନ୍ତୁ ମୁଁ ନିରୁପାୟ ଥିଲି।"

ପଳାଶ ମାଳତୀ ଆଡ଼େ ଟିକେ ଘୁଞ୍ଚି ଆସି, ପରମ ସ୍ନେହସହିତ ତା ଚିବୁକରେ ହାତ ଦେଇ ତା ମୁହଁକୁ ଟେକିଲା। ମାଳତୀର ଅଶ୍ରୁସିକ୍ତ ଆଖିରେ ଅସହାୟତା ଆଉ ପାପବୋଧ ସ୍ପଷ୍ଟ।

"ତା ମାନେ ତାଙ୍କ ଦେହରୁ ରକ୍ତ ନେବା ଯୋଗୁ ସେଇ ଚାରିଜଣ ମରିଛନ୍ତି। ଆଉ ଲୋକମାନେ ଭାବନ୍ତି ତୁମେ ରକ୍ତପିପାସୁ ଡାହାଣୀ।", ପଳାଶ ଟିକେ ହସିଲା- "ମୋର ମନରେ ସ୍ଥିର ବିଶ୍ୱାସ ଥିଲା ତୁମେ ରକ୍ତପିପାସୁ ନୁହଁ।"

"କିନ୍ତୁ ସମସ୍ତେ ଏତେ କରି କହିବା ପରେ ବି ତୁମେ ଏତେ ନିଶ୍ଚିତ କେମିତି ହେଲ ଯେ ମୁଁ ଡାହାଣୀ ନୁହେଁ?"

"ମୁଁ ଜାଣିଥିଲି ତୁମେ ରକ୍ତପିପାସୁ ନୁହଁ। ତୁମେ କେବେ ବି ରକ୍ତପିପାସୁ ହେଇ ପାରିବନି", ପଳାଶ ପରମ ସ୍ନେହରେ ମାଳତୀକୁ ଆଲିଙ୍ଗନ କଲା।

ହଠାତ୍ କୌଣସି ମାୟାବୀ ଯାଦୁବଳ ପରି ଘନ କଳା ମେଘ ମାଡ଼ି ଆସି ଢାଙ୍କି ପକେଇଲା ଚନ୍ଦ୍ରମାକୁ। ମୁହୂର୍ତ୍ତ ଭିତରେ ଚନ୍ଦ୍ରାଲୋକ ହଜି ଯାଇ ଅନ୍ଧାର ହୋଇ ଗଲା ଘର ଭିତରଟା।

"ତୁମେ କଣ ଭାବିଥିଲ, ମୁଁ କାହିଁକି ତୁମ ସାଥିରେ ଘନିଷ୍ଠ ହେଇଛି?", ମାଳତୀ କାନରେ ଫିସଫିସ କରି ପଳାଶ କହିଲା- "ମୁଁ ଜାଣିଥିଲି ତୁମେ ରକ୍ତପିପାସୁ ନୁହଁ। ଗୋଟେ ରକ୍ତପିପାସୁ ହିଁ ଆଉ ଗୋଟେ ରକ୍ତପିପାସୁକୁ ଚିହ୍ନି ପାରେ ଭଲକରି। ମୁଁ ନିଜେ ଗୋଟେ ରକ୍ତପିପାସୁ!"

ଆଲିଙ୍ଗନବଦ୍ଧ ଅବସ୍ଥାରେ ବେକରେ ଗୋଟେ ତୀବ୍ର ଦଂଶନ ଅନୁଭବ କଲା ମାଳତୀ।

ନିରାଟ ରାତିର ନିଶ୍ଛିଦ୍ର ଅନ୍ଧାର ମାଡ଼ି ଆସିଲା ତା ଆଖିରେ।


Rate this content
Log in

More oriya story from Saswat Routroy

Similar oriya story from Fantasy