Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Saswat Routroy

Horror


1.0  

Saswat Routroy

Horror


ବହି

ବହି

7 mins 639 7 mins 639

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି। ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର। ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ।

ବିରୂ ସିଧା ଅର୍ଥରେ ଗୋଟେ ଗ୍ରଂଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା, ଇତ୍ୟାଦି ସବୁ ଭୁଲି ଯାଏ। ନୂଆ ବହି ପଢ଼ି ଶେଷ ନ କରିବା ପର୍ଯ୍ୟନ୍ତ ଶାନ୍ତି ନ ଥାଏ ତା'ର। ଏତେ ବହି ପଢ଼ିବା ନିଶା ଯେ ଖାଇବା ସମୟରେ ମଧ୍ୟ ବହି ନେଇ ଟେବୁଲରେ ବସିବ। ଝାଡ଼ା ଯିବା ସମୟରେ ମଧ୍ୟ ବହି ଧରି କମୋଡରେ ବସିବ। ଆଜିର ଟିଭି, ମୋବାଇଲ, କମ୍ପ୍ୟୁଟର ଆଉ ଭିଡିଓ ଗେମ ଯୁଗରେ ଗୋଟେ ପିଲା ବହି ପଢ଼ୁଛି, ଏଇଟା ଗୋଟେ ଅଭାବନୀୟ ଆଉ ଦୁର୍ଲଭ ଘଟଣା। ସେଥିପାଇଁ ବିରୂର ବାପା-ବୋଉ ତା'ର ବହି ପଢ଼ିବା ନିଶାକୁ ଉତ୍ସାହିତ କରି ଆସିଛନ୍ତି ସବୁବେଳେ। ଏମିତି ଗୋଟେ ପିଲା ନୂଆ ବହି ପାଇ ପାଗଳ ପରିକା ହବାଟା ସାଧାରଣ କଥା। 

ଉଲ୍ଲେକ୍ଷ୍ୟ ବହିଟା ବିରୂ ଦୁଇ ସପ୍ତାହ ତଳୁ କିଣିଥିଲା। ବହିଟା ଅବଶ୍ୟ ନୂଆ ନୁହେଁ, ବେଶ ପୁରୁଣା। ଗୋଟେ ରବିବାର ଚାଣ୍ଡକ ବଣରେ ସ୍କୁଲ ତରଫରୁ ଗୋଟେ ପିକନିକ ଆୟୋଜିତ ହୋଇଥିଲା। କଥା ଥିଲା, ସ୍କୁଲବସ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ଷ୍ଟପେଜରୁ ଉଠେଇ ପିକନିକ-ସ୍ପଟକୁ ନେଇ ଯିବ। ସେଇ କଥା ଅନୁଯାୟୀ ବିରୂ ବସ-ଷ୍ଟପେଜରେ ପହଞ୍ଚି ସ୍କୁଲବସ ପାଇଁ ଅପେକ୍ଷା କରୁଥିଲା। ବସ ଆସିବା କଥା ସାଢ଼େ ୯'ଟାରେ, ହାତରେ ସମୟ ଥିଲା ଅଧ ଘଣ୍ଟା ପରିକା। କାହାକୁ ଆଉ ଏତେ ସମୟ ଖରାରେ ଛିଡ଼ା ହେବାକୁ ଭଲ ଲାଗେ? ଅନ୍ୟମନଷ୍କ ହୋଇ ଏପଟ-ସେପଟ ଅନଉ-ଅନଉ ଗୋଟେ ପୁରୁଣା ବହି-ଦୋକାନ ନଜରରେ ପଡ଼ିଥିଲା ତା'ର। ସ୍ଵଭାବବଶତଃ ବିରୂ କୌତୁହଳି ହୋଇ ପଶି ଯାଇଥିଲା ସେଠି।

ଦୋକାନ ଭିତରେ ରାଶିକୃତ ବହିର ସ୍ତୁପ। ବହି ଆଲମାରିଗୁଡ଼ିକ ନୂଆ ଆଉ ପୁରୁଣା ବହିରେ ଭର୍ତ୍ତି। ବହୁତଗୁଡ଼େ ବହି ଉପରେ ଦୁଇ ଇଂଚ ପରିକା ଧୂଳି। ଆଲୁଅ-ଅନ୍ଧାରରେ ବହି ଦୋକାନଟା ଗୋଟେ ରହସ୍ୟମୟ ପ୍ରେତପୁରୀ ପରିକା ଲାଗୁଥିଲା। କିଛି ସମୟ ଏପଟ-ସେପଟ ଅନେଇ କାହାକୁ ନ ଦେଖି ବାହାରି ଆସୁଥିଲା ବିରୂ।

"କୁହ ପୁଅ, କ'ଣ ଦରକାର?"- ହଠାତ୍ କୌଣସି ମାୟାବି ଯାଦୁ ପରିକା ରାଶିକୃତ ବହି ପଛପଟରୁ ବାହାରି ଆସିଥିଲେ ଜଣେ ବୃଦ୍ଧ। ମୁଣ୍ଡଭର୍ତ୍ତି ଧଳା ଚୁଟି, ବଳିରେଖା ଭର୍ତ୍ତି ଧଡ଼ଧଡ଼ ଗାଲ, କୁଞ୍ଚିତ ଆଖି। ଦେଖିଲେ ମନେ ହେବ ସୁଦୂର ମିଶର ଦେଶର ଶତାଧିକ ବର୍ଷର ପୁରୁଣା ଗୋଟେ ମମି ଜୀବିତ ହୋଇ ଉଠିଛି ପୁନରାୟ। ଛାଇ-ଅନ୍ଧାର ଆଲୁଅରେ ଏମିତି ଅଦ୍ଭୁତ-ଦର୍ଶନ ବୃଦ୍ଧକୁ ଦେଖି ଚମକି ଯାଇଥିଲା ବିରୂ।

"ଆଜ୍ଞା ଅଜା, ଦେଖୁଛି ମନପସନ୍ଦ ବହି କିଛି ପାଇଲେ ନେବି।"- ଟିକେ ହସି କହିଥିଲା ବିରୂ।

"ହଉ, ଦେଖ କୋଉ ବହି ତୁମକୁ ପସନ୍ଦ ହେଉଛି।"

କିଛି ସମୟ ଖୋଜିବା ପରେ ଗୋଟେ ବହି ପସନ୍ଦ ହୋଇଥିଲା ବିରୂର। ବହିର ନାଁ- "ଆତଙ୍କ ସମଗ୍ର"। କଳା ମଲାଟ ଉପରେ ଗୋଟେ ପତ୍ରହୀନ ମୃତ ଗଛର ଛବି, ଡାଳରୁ ଝୁଲୁଛି ଗୋଟେ ଦଉଡ଼ିର ଫାଶ। ଗଛ ପଛପଟେ ଅସ୍ପଷ୍ଟ ହୋଇ ଦିଶୁଛି ଗୋଟେ ଅଶୁଭ ଅପଚ୍ଛାୟା। ବିରୂର ମନ କହୁଥିଲା ବହିର ଗପଗୁଡ଼ିକ ଭୀଷଣ ଲୋମହର୍ଷକ ହୋଇଥିବ।

ବୃଦ୍ଧ କିନ୍ତୁ ବହି ନେଇ ଅଡ଼ି ବସିଥିଲେ- ବହିଟା ସିଏ ଜମା ବିକିବେନି। 

"କ'ଣ ହେଲା ଅଜା? ବହି ବିକିବନି କାହିଁକି? ମୁଁ ପୁରା ଦାମ ଦେବି ପରା"

"ନା ରେ ପୁଅ, ଦାମର କଥା ନୁହେଁ। ବହିଟା କେତେ ଆଉ ଦାମ କି? ମାତ୍ର ଚାରଶହ ପଚିଶ ଟଙ୍କା। ମୁଁ ଟଙ୍କା ପାଇଁ ଚିନ୍ତିତ ନୁହେଁ। ତୁମେ ଆଉ କୋଉ ବହି ନିଅ ବରଂ।"

"ଅଜା, ତୁମେ କାହିଁକି ବହିଟା ବିକିବାକୁ ଚାହୁଁନ ଟିକେ କହିବ? କାରଣ କ'ଣ?"

"ପୁଅ, ଅସଲ କଥାଟା ତା'ହେଲେ କହୁଛି ଶୁଣ। ବହିଟା ଭଲ ନୁହେଁ। ତୁମ ପୂର୍ବରୁ ଆହୁରି ତିନିଜଣ ଏଇ ବହିଟା ନେଇଥିଲେ। ସେମାନେ କେହି ଆଜି ଜୀବିତ ନାହାନ୍ତି। ଭଲ କଥା କହୁଛି, ଏଇ ବହି ପାଇଁ ଜିଦ୍ଦି କରନି।"

"ମାନେ?" ଚମକି ଉଠିଥିଲା ବିରୂ।

"ବହିଟାର ଆଉ ସବୁ ଭଲ। ଖାଲି ଦ୍ଵିତୀୟ ପୃଷ୍ଠାଟାର ଗୋଟେ ଦୋଷ ଅଛି। ମଲାଟ ଖୋଲିଲେ ପ୍ରଥମ ପୃଷ୍ଠାରେ ବହିର ନାଁ ଦିଶୁଛି- ଠିକ ତା'ର ଓଲଟା ପଟେ ଯୋଉ ପୃଷ୍ଠା-" ରହସ୍ୟମିଶ୍ରିତ କଣ୍ଠରେ କହୁଥିଲେ ବୃଦ୍ଧ, "କେ ଜାଣି କ'ଣ ଅଭିଶାପ ଲାଗିଛି ସେଇ ପୃଷ୍ଠାରେ, ଯିଏ ଯିଏ ସେଇ ପୃଷ୍ଠା ପଢ଼ିଛି, ତିନି ଦିନ ଭିତରେ ରହସ୍ୟଜନକ ଭାବରେ ମରିଛି। ସେଥିପାଇଁ କହୁଛି, ବହିଟା ନିଅନି।"

"ଆରେ, ତା'ହେଲେ ତ ଦ୍ଵିତୀୟ ପୃଷ୍ଠାଟି ନ ପଢ଼ିଲେ ହିଁ ହେଲା।" ବିଜ୍ଞ ପରିକା ମୁଣ୍ଡ ହଲେଇ କହିଥିଲା ବିରୂ, "କୌଣସି କ୍ଷତି ହେବାର ସମ୍ଭାବନା ହିଁ ରହିବନି।"

ଏଇ ଯୁକ୍ତି ପରେ ବୃଦ୍ଧଙ୍କ ଆପତ୍ତି କରିବାର ଆଉ କୌଣସି କାରଣ ନ ଥିଲା। ତିନିଶହ ଟଙ୍କାରେ ବହିଟା ବିକି ଦେଇଥିଲେ ବିରୂକୁ। ବିରୂ ବି ଏପର୍ଯ୍ୟନ୍ତ ମଜାରେ ବହିଟା ପଢ଼ୁଛି। ରୋମାଞ୍ଚକର, ଦେହ ଶୀହରି ଉଠିବା ପରି ଅସାଧାରଣ ସବୁ ଭୂତ ଗପ। ଗଭୀର ରାତିରେ ପଢ଼ିଲେ ମନେ ହୁଏ ଅଜଣା କୌଣସି ଆତଙ୍କ ପଛପଟେ ଛିଡ଼ା ହେଇଛି। ଆଉ ଗୋଟେ ମାତ୍ର ଗପ ବାକି ରହି ଯାଇଛି। ଘରକୁ ଫେରି ଆଜି ହିଁ ବିରୂ ବହିଟା ଶେଷ କରି ପକେଇବ।

"କ'ଣ କିରେ, ସ୍କୁଲରୁ ବାହାରି ଦୌଡ଼ା ମାରିଲୁ?"

ଡାକ ଶୁଣି ବିରୂ ପଛପଟକୁ ଫେରି ଚାହିଁଲା। ହାତରେ ଝାଲମୁଢ଼ି ଠୋଙ୍ଗା ଧରି ତା'ର ପ୍ରାଣର ସାଙ୍ଗ ଜୟ ପଛେ ପଛେ ଆସୁଛି। ମୁହଁରୁ ଭାସି ଆସୁଛି ମୁଢ଼ି ଚୋବେଇବାର କଚରମଚର ଶବ୍ଦ। ଜୟର ପୁରା ନାଁ ଜୟବନ୍ତ ପଣ୍ଡା। ବିରୂ ଆଉ ଜୟର ବନ୍ଧୁତ୍ୱ "ଶୋଲେ" ସିନେମାର "ଜୟ ବିରୂ" ପରିକା ପ୍ରସିଦ୍ଧ ତାଙ୍କ ସ୍କୁଲରେ।

"ଜୟ, ନୂଆ ଗୋଟେ ବହି କିଣିଛି। କେତେ ବଢ଼ିଆ ବଢ଼ିଆ ସବୁ ଗପ। ଶୀଘ୍ର ଘରକୁ ଯାଇ ବହିଟା ପଢ଼ିବାକୁ ବସିବି।"

"ନୂଆ ବହି କିଣିଲୁ ଆଉ ମତେ ଜମା ଜଣେଇଲୁନି! ତୁ ନା ମୋର ବେଷ୍ଟଫ୍ରେଣ୍ଡ?" ଅଭିମାନ କରି ଜୟ ମୁହଁ ଫୁଲେଇଲା।

"ଭାଇ, ଆଉ ମାତ୍ର ଗୋଟେ ଗପ ପଢ଼ିବା ବାକି ଅଛି। ଆଜି ରାତି ଭିତରେ ସରି ଯିବ। ମୁଁ ବହିଟା କାଲି ସ୍କୁଲକୁ ନେଇ ଆସିବି। ତୁ ଘରକୁ ନେଇ ଯା", ବିରୂ ତା ସାଙ୍ଗକୁ ପ୍ରତିଶ୍ରୁତି ଦେଇ ରଖିଲା।

ଘରକୁ ଫେରି ବହିଟା ଶେଷ କଲା ବିରୂ। ବହିଟା ନେବାକୁ ଭୁଲି ଯାଇ ପାରେ, ସେଥିପାଇଁ ରାତିରେ ହିଁ ବହିଟାକୁ ସ୍କୁଲବ୍ୟାଗରେ ପୁରେଇ ନେଲା।

ପରଦିନ ବହିଟା ପାଇ ଜୟ ଭାରି ଖୁସି, ସମ୍ଭବ ହେଇଥିଲେ କ୍ଲାସରେ ହିଁ ବହିଟା ପଢ଼ିବା ଆରମ୍ଭ କରି ଦେଇ ଥାନ୍ତା। ବହିଟା ଦେବା ବେଳକୁ ବିରୂ ପୁରା ଘଟଣାଟା ଖୋଲି କରି କହିଲା। ଭୟମିଶ୍ରିତ ଆଖିରେ ଜୟ ପ୍ରତିଜ୍ଞା କଲା, ସିଏ ଦ୍ଵିତୀୟ ପୃଷ୍ଠାଟି ଜମା ପଢ଼ିବନି। ସ୍କୁଲ ସରିଲେ ସେମାନେ ନିଜ ନିଜ ଘରବାଟ ଧରିଲେ।

ପରଦିନ ଜୟ କିନ୍ତୁ ସ୍କୁଲକୁ ଆସିଲାନି। ବହି ପଢ଼ିବା ପାଇଁ ସ୍କୁଲ ଆସିଲାନି ନା କ'ଣ? ବିରୂ ଭାବିଲା ଘରକୁ ଫେରି ଜୟକୁ ଫୋନ ଲଗେଇବ।

ସ୍କୁଲରୁ ଫେରି ବିରୂ କିନ୍ତୁ ଚମକି ଗଲା। ବୈଠକଘର ଟେବୁଲ ଉପରେ ତା'ର ସେଇ ବହିଟା ରଖା ହେଇଛି। ଜୟ ଏତେ ଶୀଘ୍ର ବହିଟା ସାରି ପକେଇଲା ନା କ'ଣ?

"ବୋଉ, ଜୟ ଆସିଥିଲା କି?" ବଡ଼ ପାଟି କରି ତା ବୋଉକୁ ପ୍ରଶ୍ନ କଲା ବିରୂ। ବୋଉ ସେଇ ସମୟରେ ରୋଷେଇଘରେ ପଶି "ବେବିନା"କୁ ବକୁଛନ୍ତି ନୂଆ କପପ୍ଲେଟ ଭାଙ୍ଗିଛି ବୋଲି।

"ହଁ ରେ ବିରୂ। ଜୟ ଆସିଥିଲା ସାଡ଼େ ବାରଟା ଖଣ୍ଡେ ବେଳକୁ।ବହି ଦେଇକିରି ଗଲା", ବୋଉ ରୋଷେଇଘରୁ ଆୱାଜ୍ ଦେଇ କହିଲେ, "ଏତେ ଥର କହିଲି ଦ୍ବିପ୍ରହର ଖାଇବା ଖାଇକି ଯିବାକୁ, ଶୁଣିଲାନି। ବ୍ୟସ୍ତ ହୋଇ ବାହାରି ଗଲା। ଦେଖି କିରି ମନେ ହେଲା କିଛି ଗୋଟେ ଦୁଶ୍ଚିନ୍ତାରେ ଅଛି। କହିଲା ତତେ ପରେ ଫୋନ କରି ନେବ।"

ଜୟର କଥା ଶୁଣି ଟିକେ ଦୁଶ୍ଚିନ୍ତାରେ ପଡ଼ିଲା ବିରୂ। କପଡ଼ା ବଦଳେଇ, ଜଳଖିଆ ଖାଇ ଜୟକୁ ଫୋନ ଲଗେଇଲା। ଫୋନ ରିଙ୍ଗ ହେଇ ହେଇ କଟିଗଲା, କେହି ଉଠେଇଲେନି। କିଛି ଘଟିଲା ନା କ'ଣ?

ପରଦିନ ଜୟ ସ୍କୁଲକୁ ମଧ୍ୟ ଆସିଲାନି। ସ୍କୁଲ ଛୁଟି ପରେ ବିରୂ ଜୟ ଘରକୁ ଗଲା। ତାଙ୍କ ଘରେ କେହି ନାହାନ୍ତି, କବାଟରେ ଏତେ ବଡ଼ ଗୋଟେ ତାଲା ପଡ଼ିଛି। ପଡ଼ିଶାଘର ଖୁଡ଼ିଙ୍କୁ ପଚାରି କିରି ବି ସଠିକ ଖବର କିଛି ପାଇଲାନି। ମନ ଦୁଃଖ କରି ବିରୂ ଘରକୁ ଫେରିଲା।

--------------

ଏଇ ଭିତରେ ଗୋଟେ ସପ୍ତାହ କଟି ଯାଇଛି, ଜୟ ଆଉ ତା'ର ପରିବାର, କାହାର କିଛି ଖବର ନାହିଁ। ବେଷ୍ଟଫ୍ରେଣ୍ଡର ଖବର ନ ପାଇ ବିରୂ ସବୁବେଳେ ଦୁଶ୍ଚିନ୍ତାରେ ରହିଛି।

ସେଦିନଟା ଥିଲା ମଙ୍ଗଳବାର। ଘଂଟାରେ ରାତି ଦଶଟା ଖଣ୍ଡେ ବାଜି ଥିବ। ବିରୂ ଘରପାଠ ସାରି ବହିପତ୍ର ସଜାଡ଼ି ରଖୁଛି, ଏମିତି ସମୟରେ ପାଖ ଘରେ ଫୋନ ବାଜି ଉଠିଲା। ବୋଉ ସେଇ ସମୟ ରୋଷେଇଘରେ। ବାଧ୍ୟ ହେଇ ଫୋନ ଉଠେଇଲା ବିରୂ।

"ହ୍ୟାଲୋ, କିଏ ବିରୂ କହୁଛୁ? ବିରୂ ମୁଁ ଜୟ କହୁଚି..ରେ। ଶୁଣି ପାରୁଛୁ? ଶୁ... ମୁଁ ସେଇ ଦ୍ଵିତୀୟ....। ମୁଁ ବୁଝି...କାହିଁକି... ସେଇ ବୁଢ଼ା.. ମନା..! ...ତତେ କହି..! ଏଇନେ ...ବହୁ ଦୂରକୁ...ଚାଲି...। ମୁଁ ଫେରି ପାରିବିନି । ସେଇ ପୃଷ୍ଠା ପଢ଼ିନୁ...ଭଲ କରିଛୁ। ତୋର...ଭାରି... କ୍ଷତି...। ହ୍ୟାଲୋ..... ହ୍ୟା..." ନେଟୱର୍କ ଯୋଗୁ ଫୋନ କଟିଗଲା।

କିନ୍ତୁ କ'ଣ କହିବାକୁ ଚାହୁଁଥିଲା ଜୟ? କଥା ଶୁଣି ମନେ ହେଲା ଜୟ ସେଇ ବହିଟା ବିଷୟରେ ତାକୁ ସାବଧାନ କରି ଦେଉଥିଲା। କିନ୍ତୁ ଏଇନେ ସିଏ ଅଛି କୋଉଠି? କୋଉଠି ହଜି ଯାଇଛି ତା'ର ପ୍ରାଣର ସାଙ୍ଗ? ଫୋନରେ କିଛି ପଚାରିବା ଆଗୁରୁ ତ ଫୋନ କଟିଗଲା।

ବିରୂର ମନ ଗୋଟେ ଆଶଙ୍କାରେ ଘନୀଭୂତ ହେବାକୁ ଲାଗିଲା। ଦ୍ଵିତୀୟ ପୃଷ୍ଠାଟା ପଢ଼ି କିରି ଜୟ କି କୌଣସି ଅଜଣା ଅଭିଶାପର ଶିକାର ହୋଇଛି? କୌଣସି ଅଜ୍ଞାତ ଜଗତରୁ ଫୋନ କରି ଜୟ କି ତାକୁ ସାବଧାନ କରି ଦଉଥିଲା? ବିରୂର କିଶୋର-ମସ୍ତିଷ୍କରେ ଗୋଟେ ଆତଙ୍କ ଜମାଟ ବାନ୍ଧୁଥାଏ ଧୀରେ ଧୀରେ। ଦୌଡ଼ି ଯାଇ ବହିଟାକୁ ଗୋଟେ ଟ୍ରଙ୍କରେ ପୁରେଇ, ତାଲା ମାରି ଖଟତଳେ ପଶେଇ ଦେଲା ସିଏ। ନା, ଆଉ କେବେ ବି ସିଏ ଏଇ ବହି ଜମା ବାହାର କରିବନି।

--------------

ଜୟର ଅନ୍ତର୍ଦ୍ଧାନ ପ୍ରାୟ ମାସେ ଖଣ୍ଡେ ବିତି ଯାଇଛି। ବିରୂ ଏପର୍ଯ୍ୟନ୍ତ ତା'ର ବା ତା' ପରିବାରର କିଛି ଖବର ପାଇନି। ଧୀରେ ଧୀରେ, ଦିନ'କୁ ଦିନ ବିରୁ ବେଶ ଭାଙ୍ଗି ପଡ଼ିଛି।ଆଜିକାଲି ସ୍କୁଲ ଯିବାକୁ ବି ତାକୁ ଭଲ ଲାଗେନି। ବହି ପଢ଼ିବା ନିଶା ମଧ୍ୟ ଚାଲି ଯାଇଛି। ସବୁ ସମୟ ସିଏ ଚୁପ ରୁହେ, ବେଶୀ କଥା କୁହେନି।

ରବିବାରର ସକାଳ। ବୋଉ ଆଜି ପକୁଡ଼ି ବନେଇବେ ଜଳଖିଆରେ। ବେସନ ଡବା ଖୋଲି ଦେଖିଲେ ବେସନ ସରି ଯାଇଛି। ଟଙ୍କା ଦେଇ ବିରୂକୁ ତେଜରାତି-ଦୋକାନକୁ ପଠେଇଲେ ବେସନ ପାଇଁ। ଘରଠୁ ଦୋକାନ ମାତ୍ର ୫ ମିନିଟର ବାଟ।

ତେଜରାତି-ଦୋକାନଟା ବଡ଼ରାସ୍ତା ଉପରେ। ବିରୂ ଦୋକାନ ଭିତରେ ପଶିବାକୁ ଯାଉଛି, ହଠାତ୍ ଦେଖିଲା ଗୋଟେ ଅଟୋରୁ ଜୟ ଆଉ ତା ବାପା-ବୋଉ ଓଲ୍ହଉଛନ୍ତି।

"ଜୟ!", ବିସ୍ମୟମିଶ୍ରିତ ଗୋଟେ ରଡି ଛାଡ଼ି ବିରୂ ଦୌଡ଼ି ଗଲା ତାଙ୍କ ଆଡ଼କୁ, "କୋଉଠି ଥିଲୁ ଏତେ ଦିନ?"

"ଆଉ କହ ନାରେ ଭାଇ। ବୋଉର ଜଣେ ମାମୁ ଭାରି ଅସୁସ୍ଥ ହେଇ ପଡ଼ିଥିଲେ। ତାଙ୍କ ଘର ଗୋପାଳପୁରରେ, ଦୁଇ ପୁଅ ବିଦେଶରେ ରୁହନ୍ତି। ଏଇନେ ସେଇ ଅଜା ଏକଦମ ଏକୁଟିଆ। ବୋଉ ପିଲାବେଳେ ସେଇଠି ହିଁ ମଣିଷ ହେଇଥିଲେ। ତାଙ୍କ ଦେହ ଖରାପ ଶୁଣି ବାପା-ବୋଉ ଯିବା ପାଇଁ ବାହାରିଲେ। ତୋ ଘରକୁ ଯାଇ ବହି ଦେଇ ଆସି ସାଙ୍ଗେ ସାଙ୍ଗେ ବାହାରିଲି। ଏତେଦିନ ଗୋପାଳପୁରରେ ହିଁ ଥିଲି। ସିଏ ସୁସ୍ଥ ହେବା ପରେ ଆଜି ଫେରିଲୁ। ସେଠି ନେଟୱର୍କର ଯା' ଅବସ୍ଥା, ଫୋନ ଲାଗେନି ଭଲ କରି।"

"ତୋ'ର ଖବର ନ ପାଇ ମୁଁ ଭାରି ଡରି ଯାଇଥିଲି। ମୁଁ ଭାବିଲି ତୁ ସେଇ ପୃଷ୍ଠାଟା ପଢ଼ି ବୋଧେ ବିପଦରେ ପଡ଼ିଛୁ।"

"କ'ଣ? ତୁ ଏଇନେ ମଧ୍ୟ ସେଇ ପୃଷ୍ଠାଟା ...", ବୋଉ ଡାକିଲେ ମଝିବାଟରେ ଜୟର କଥା କଟିଗଲା। ଘରକୁ ଯିବା ପାଇଁ ସେମାନେ ପୁଅକୁ ଡାକୁଛନ୍ତି।

"ଆସିଲିରେ ଭାଇ। ସନ୍ଧ୍ୟାବେଳକୁ ତୋ ପାଖକୁ ଯିବି।" ଟା ଟା କରି ଜୟ ଚାଲିଗଲା।

ତରତର ହୋଇ ବେସନ ନେଇ ଘରକୁ ଫେରିଲା ବିରୂ। ଯଦି ପୃଷ୍ଠାଟା ପଢ଼ିବା ପରେ ବି ଜୟର କିଛି କ୍ଷତି ହେଲାନି, ତା'ହେଲେ ସେଇ ବୁଢ଼ାଟା ତାକୁ ମିଛଟାରେ ଡରେଇଥିଲା କାହିଁକି? ଏଇନେ ଜାଣିବାକୁ ପଡ଼ିବ ସେଇ ପୃଷ୍ଠାଟାରେ କ'ଣ ଅଛି।

ଖଟ ତଳୁ ବିରୂ ଟ୍ରଙ୍କଟା ଟାଣି ଆଣି ତାଲା ଖୋଲିଲା। ବହିଟାକୁ ବାହାରି କରି, ମଲାଟ ଖୋଲି, ଧୀରେ ଧୀରେ ଦ୍ଵିତୀୟ ପୃଷ୍ଠାଟାକୁ ଓଲଟେଇ ଦେଖିଲା।

ଗୋଟେ ଧକ୍କା ଖାଇଲା ବିରୂ- ଚରମ ଗୋଟେ ମାନସିକ ଧକ୍କା ଯାହାର କଷ୍ଟ ଭୁଲିବାକୁ ତାକୁ ବେଶ କିଛିଦିନ ଲାଗି ଯିବ।

ଦ୍ଵିତୀୟ ପୃଷ୍ଠାରେ ଲେଖା ଥିଲା ବହିଟାର ମୂଲ୍ୟ- ପଚାଶ ଟଙ୍କା ମାତ୍ର!


Rate this content
Log in

More oriya story from Saswat Routroy

Similar oriya story from Horror