Sunanda Mohanty

Horror Fantasy Thriller

4  

Sunanda Mohanty

Horror Fantasy Thriller

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

11 mins
374


   ମୁଁ ସେତେବେଳେ ଆଇ । ଏ ର ପ୍ରଥମ ବର୍ଷର କଳାଛାତ୍ରୀ, ନୂଆକରି କଲେଜ ରେ ପାଦ ଦେଇଥାଏ, ସ୍କୁଲ ସାଙ୍ଗ ଛାଡି ମାମୁଁଘର ପୁରୀ ସହରରେ, ମହିଳା କଲେଜ ରେ ନାମ ଲେଖାଇ ଥାଏ, ଆଉ ବାପା ମାଆ ଭାଇ ଭଉଣୀ ଙ୍କୁ ଛାଡି ଆଇଙ୍କ ହେପାଜତରେ ରହିଥାଏ ମାମୁଁଘର ଏକମାତ୍ର ଭଉଣୀର ବଡ଼ଝିଅ ହିସାବରେ । ତିନିମାମୁଁ, ତିନିମାଇଁ ଓ ଛୋଟ ବଡ଼ ଭାଇଭଉଣୀମାନଙ୍କର ସବୁରି ପ୍ରିୟ ମୁଁ  । ହେଲେ ରଥା ସାହିରେ ଥିବା ଲଗାଲଗି ତିନିଗୋଟି ଘର ଭିତରୁ ମୁଁ ଶୁଏ ଆଈଙ୍କ ସହ ଗୋଟିଏ ଘରେ । ସେତେବେଳେ ସହରୀଲୋକମାନଙ୍କର ଜମିଦାରୀ ଥାଏ ଗାଁରେ ତ ମୋ ମାମୁଁଘରର ଜମିଦାରୀ ମଧ୍ୟ ଥାଏ ବ୍ରହ୍ମଗିରି ଅଞ୍ଚଳର ସାତିକପୁର ଠାରେ, ତ ମାମୁଁମାନେ ବିଭିର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆଇ ହିଁ ଯାଆନ୍ତି ଧାନଅମଳ ସମୟରେ, ପ୍ରଜାଙ୍କ ଘର ପାଖେ ରହି, ଧାନ ସବୁ ବିଲରୁ କଟା ହୋଇ ଆସି ଖଳାରେ ରୁହେ ତା ପରେ ବସ୍ତା ସବୁ ଶଗଡ଼ ରେ ଲଦା ହୋଇ ପୁରୀକୁ ଆସିବା ପର୍ଯ୍ୟନ୍ତ । ଆଉ ସେ ବର୍ଷ ଥାଏ ଊଣେଇଶ ଶହ ଅଶୀ ମସିହା । ଆଇ ବାହାରିଲେ ଧାନ ଅମଳ କରି ଆଣିବାକୁ, ଆଉ ମତେ ଶୋଇବାକୁ ପଡିଲା ଏକା, କାରଣ କୌଣସି ମାମୁଁ ଙ୍କ ପୁଅ ଝିଅଙ୍କୁ ସେଘର ମନା ଥାଏ ତ ଆଈଙ୍କ ଅନୁପସ୍ଥିତି ରେ କେହି ରାଜି ହୁଅନ୍ତି ନାହିଁ ସେ ଘରକୁ ଆସି ମୋ ପାଖରେ ଶୋଇବାକୁ, ମୁଁ ବି ରାଜିହୁଏନି ମୋ ବହିପତ୍ର, ମୋ ଜିନିଷପତ୍ର ଛାଡି ସେମାନଙ୍କ ପାଖେ ଯାଇ ଅନ୍ୟ ଘରେ ଶୋଇବାକୁ, ତ ମୁଁ ଶୁଏ ଏକା । ମୁଁ ଶୋଉଥିବା ଘର ଆଗରେ ଏକ ବଡ଼ ଚଉତରା ଓ ତା ଆଗକୁ ଧାଡି ଧାଡି ଘର, ଘର ଓ ଚଉତରା ମଝିରେ, ବିରାଟ କୂଅଟିଏ, ତା ଉପରେ ନଳକୂପ ଓ ଠିକ ତା ତଳକୁ ମୁନିସିପାଲଟି କଳ ମୁଁ ଶୋଉଥିବା ରୁମର ଝରକା ଦେଇ ଚାହିଁଲେ ସେସବୁ ଦେଖାଯାଏ ଏବଂ ଚଉତରା ଓ କୂଅ ଟପି ଯାହାର ଘର, ସେ କ୍ଷତିମାଉସୀ, ମରିଯାଇଥାଆନ୍ତି, ଆଇ ଧାନ ଅମଳ କରିଯିବାର ଠିକ ଦୁଇ କି ଚାରି ଦିନ ପୁର୍ବରୁ ।


            ସେତେବେଳେ ଧାଡି ଧାଡି ଚାଳଘର ମଝିରେ ମଝିରେ ଛାତଘର, କ୍ଷତିମାଉସୀ, ଯେଉଁ ଘରେ ମରିଥିଲେ ସେଠାରେ କେହି ନଥିଲେ । ତାଙ୍କ ଝିଅ ଅନେକ ଦିନୁ ବାହାହୋଇ ତାଙ୍କ ସଂସାରରେ ଥିଲେ । ପୁଅଟି କୁଆଡେ ଯାତ୍ରୀ କାମରେ ଲାଗିଥାଏ, ମଝିରେ ମଝିରେ ଆସେ ।  ଶାରୀରିକ ଅସୁସ୍ଥତା ଭିତରେ କ୍ଷତିମାଉସୀଙ୍କ ଯନ୍ତ୍ରଣା ରେ ବିଗଳିତ ହୋଇ ମୋ ମାଇଁମାନେ କେତେଥର ମୋ ହାତରେ ତାଙ୍କ ପାଇଁ ଖାଇବା ପଠାନ୍ତି, ମୁଁ ଗଲେ, ସେ ମୋ ବୋଉ ବାପା ଙ୍କ କଥା ପଚାରନ୍ତି ଓ ମୁଣ୍ଡ ଆଉଁସି ଦିଅନ୍ତି, କାଳକ୍ରମେ ରୋଗ ଓ କ୍ଷୁଧା ଜନିତ କଷ୍ଟରେ ସେ ମୃତ୍ୟୁ ବରଣ କଲେ ।


କ୍ଷତିମାଉସୀ ମରିବା ପରେ ସାହିପଡିଶା ଓ ମାଇଁମାନେ ବହୁତ ଦୁଃଖ ତ କଲେ କିନ୍ତୁ ତାଙ୍କର ବହୁତ ଅବଶୋଷ ରହିଗଲା ଓ ସେଥିପାଇଁ ପୁଅକୁ ନଦେଖି ମରିଥିବାରୁ ସେ ସ୍ୱଶରୀରରେ ମୃତ୍ୟୁ ପରେ ବି ଧଳାଲୁଗା ପିନ୍ଧି ଠିଆହେଉଛନ୍ତିର କଥାବାର୍ତ୍ତା ମୋ କାନରେ ପଡେ । ତାଙ୍କ ପରିବାର ବା ତାଙ୍କ ଇତିହାସ ତ ମୁଁ ଭଲକି ଜାଣିନଥାଏ ହେଲେ ମତେ ଦେଖିଲେ ତାଙ୍କ ବିଷୟରେ କଥାବାର୍ତ୍ତା ବନ୍ଦ କରି ଚୁପ ହେଇଯାଆନ୍ତି ସମସ୍ତେ । ଆଉ ପଛରୁ କହିବାର ମୁଁ ଶୁଣିପାରେ ପିଲାଲୋକ ଡରିବେ, ଏକୁଟିଆ ଶୋଉଛନ୍ତି, ମୁଁ ବି ମନେ ମନେ ହସିକି ଚାଲିଯାଏ କିଛି ନଜାଣିଲା ଭଳିଆ ଆଉ ବସିଯାଏ ମୋ ରୁମର ମୋ ଖଟଉପରେ, ହାତପାଖ ସେଲ୍ଫରେ ବହି ଥାକ ଥାକ, ପଢା ବହି ସହ ବିଭୁତି ପଟ୍ଟନାୟକ ଓ ପ୍ରତିଭା ରାଏଙ୍କର କିଛି କିଛି ବହି ତଥା ମୋ ହାତଲେଖା କବିତା ଓ ଆଧୁନିକ ଗୀତ ଓ ଶିଶୁଗୀତ ଖାତା, ତା ଭିତରେ କିଛି ଆର୍ଟ ବି ମୁଁ କରେ କେବେ କେବେ, ଖାଇବାବେଳ ହେଲେ ଯାଏ ଆରପଟ ଘରକୁ ଚଉତରା ଟପି ତ ।


ସେଦିନ ବଡମାଇଁ କହିଲେ ଝିଅ ମୁଁ ତୁମଘରେ ତୁମ ରୁମରେ ଖାଇବା ଦେଇଆସିବି ତମେ ଆଉ ରାତିରେ ବାହାରକୁ ଚଉତରା ଟପି ଏ ଘରକୁ ଆସନାହିଁ, ତାଙ୍କ ସଙ୍ଗେ ତାଳ ଧରୁଥିଲେ ମଝିଆଁ ଓ ସାନମାଇଁ, କାହିଁକି ର ଉତ୍ତର ସିନା ସେମାନେ ଆଡେଇ ଯାଇଥିଲେ ହେଲେ ମୁଁ ଠିକ ଜାଣିଛି ଏଵେ କୁଆଡେ ମରିଯାଇଥିବା କ୍ଷତିମାଉସୀ ଆସି ଠିଆହେଉଛନ୍ତ ତାଙ୍କ ଘରକୁ ଲାଗି କେବେ ବି ବସି ରହୁଛନ୍ତି ପୁଣି ଆଣ୍ଠୁମାଡ଼ି ତ ପୁଣି କେବେ ଗୋଡ଼ଲମ୍ବେଇ, ଏକଥା ମତେ ପ୍ରତ୍ୟକ୍ଷରେ କେହି ନକହିଲେ ବି ଆଲୋଚନାର ମୁଖ୍ୟାଂଶରୁ ମୁଁ ଜାଣିସାରିଥାଏ ଆଉ ସେଦିନ ସାନ ଦୁଇମାଇଁ ଚଉତରା ଦେଇ ରାସ୍ତା ପାଖ ଘରଯାଏଁ ଛାଡ଼ିଦେଇ ଗଲେ ଆଉ ଝରକା ବନ୍ଦ କରିବାକୁ ତାଗିଦ,କଲେ । କିଛି ନଜାଣିଲା ଭଳି ମୁଁ, ହଁ ହଁ ମୋର କିଛି ଅସୁବିଧା ନାହିଁ କହି ତାଙ୍କୁ ବିଦାୟ ଦେଲି ସତ ହେଲେ ଝରକା ଦେଇ ଅକ୍ଷୟ ମହାନ୍ତିଙ୍କ "ସ୍ମୃତି ତୁମେ "ଓ ଅନେକ ଆଧୁନିକ ଗୀତ ଗୁଣୁଗୁଣେଇବା ସହ ବାପା ମାଆ ଭାଇ ଭଉଣୀଙ୍କୁ ଛାଡି ଆଈଙ୍କ ଅନୁପସ୍ଥିତି ଓ କ୍ଷତିମାଉସୀଙ୍କ ମୃତ୍ୟୁର ଅସାଧାରଣ ଗୁଜବ ସବୁକୁ ନେଇ ବାପାଙ୍କ ପାଖକୁ ଚିଠି ଲେଖି ବସିଲି, ଲେଖିସାରିବା ପରେ ଜହ୍ନମାମୁଁ ପଢୁ ପଢୁ ମୋ ଝରକା ଦେଇ ଚାହିଁଲି କ୍ଷତିମାଉସୀ ଓ ଜଣେ ସାରଙ୍କ ଘର ମଝିରେ ଛୋଟ କହିଲେ ଭୁଲ ହେବ ମଧ୍ୟମ ଧରଣର ପଡ଼ିଆଟିଏ ସେଠି । ସାରଙ୍କ ଘରଲୋକ ପ୍ରାୟ ଦାଣ୍ଡପଟେ ନଥାନ୍ତି ଆଉ କ୍ଷତିମାଉସୀ ଙ୍କ ଘରେ ତାଲା । ଆଉ ତାପରେ ଯେଉଁ ଘର ସବୁ, ମତେ ଦେଖାଯାଏନା, ଆଉ ଏପଟେ ସାର ଙ୍କ ଘର ପରେ ପରେ ବୁଲୁମାମୁଁଙ୍କ ଘର, କୋଉଠି ଅଧ୍ୟାପକ ସିଏ, ଢେର ରାତିଯାଏଁ ଲେଖାପଢ଼ା କରନ୍ତି ଦାଣ୍ଡପଟେ, ଏଵେ ସେ ରହୁନାହାନ୍ତି, ତାପରେ ଚତୁର୍ଭୁଜ ପରି ବଙ୍କେଇ ଯାଇଛି ମୋ ଅନ୍ୟ ମାମୁଁ ମାଇଁ ମାନଙ୍କ ଘର ଯାଏଁ, ପୁଣି ଜଣେ ସାର ଙ୍କ ଘର ଛାଡି ମୁଁ ରହୁଥିବା ଘର, ତଳପଟ ଚାବି, ଉପରପଟେ ମୁଁ, ଘରଟା ରାସ୍ତାକୁ ଲାଗିଛି, ଗହଳି ଚହଳି ପ୍ରାୟ ଲାଗି ଥାଏ । ଆଇ ଥିଲାବେଳେ କବାଟ ବି ଦିଆଯାଏନା ଆଉ ଏଵେ ମୁଁ ସେତିକି ଜଗେ ନିହାତି, ଆଉ ସେଇ ଖୋଲା ଝରକା ଦେଇ ଭାବେ, କ୍ଷତିମାଉସୀ ଘରକୁ ଚାହେଁ,ସତରେ କଣ ମୃତ୍ୟୁ ପରେ ମାଉସୀଙ୍କ ଆତ୍ମା ଆସୁଛି?ସେ ମରିଗଲା ପରଠୁ ପୁଅ ଆସିନି, ଝିଅ ଜ୍ୟୋଇଁ ଯଥାକଥା କ୍ରିୟାକର୍ମ କଲେ, ଏମିତି ସବୁ ମରିଗଲାପରେ ଯାହା ମନରେ ଯାହାଥାଏ ସେସବୁ ପୂରଣ କରିବାକୁ ମଣିଷ ପ୍ରେତାତ୍ମା ହୋଇ ଘୁରି ବୁଲେ? ! ।


  ଏଵେ କଲେଜକୁ ଆସିବା ପରେ ମୋ ନୂଆ ସାଙ୍ଗ କିଏ କେମିତି 'ଉଇଜଡ଼ମ 'ନାମରେ ପତ୍ରିକା ଆଣନ୍ତି, ଇଂରାଜି, ବୁଝିବାକୁ କଷ୍ଟ ହେଲେବି କେତେକଥା ଏଇ ପ୍ରେତାତ୍ମାର ଅସ୍ତିତ୍ବ ବିଷୟରେ ମୁଁ ପଢିଛି, ଯେମିତିକି, "ଥରେ ଗୋଟିଏ ଝିଅ ରିକ୍ସା ରୁ ଓଲ୍ହେଇ ରିକ୍ସାବାଲା କୁ ପଇସା ଦେଲାବେଳେ ଦିଖିଛି ରିକ୍ସାବାଲାର ଲମ୍ବିଆସିଥିବା ହାତଟି ଗୋଟିଏ ଲୋମଶ ଓ ନଖ ବଡ଼ବଡ଼ ବଣମଣିଷ ହାତ ଭଳି, ତ ଝିଅଟି ଚମକି ଉଠିଛି ହେଲେ ନିଜ ଆଖିର କିଛି ଭୁଲ ଭାବି କଲେଜରେ ଯେତେବେଳେ ଲାଇବ୍ରେରିଆନ ପାଖରୁ ବହି ନେଇଛି ତାଙ୍କ ହାତଟି ସେମିତି ଦିଖିଛି, ଟିକେ ଡରିଯାଇଛି ଝିଅଟି ତଥାପି ସାହାସ କରି ଆଖିର ଦୋଷ ଭାବି ଅଟୋରେ ଫେରିବାବେଳେ ଅଟୋବାଲାକୁ ପଇସା ଦେବାକୁ ଯାଇ, ତାର ସେମିତି ହାତ ଦିଖିଛି ତ, ଦୌଡିବାକୁ ଲାଗିଛି, ସବୁକଥା ନିଜ ଭିତରେ ଚାପିରଖି ଜେଜେମା ପାଖରେ ଶୋଇ ସବୁକଥା କହିଛି ତ ଯେଜେମା ଆଉଁସି ଦେଉଥିବା ହାତଟି ଠିକ ସେହିପରି ଦେଖି ଦଉଡିଆସି ମାଆ ପାଖେ ସବୁ କହିଛି ତ ମାଆ ସାନ୍ତ୍ୱନା ଦେବା ପାଇଁ ତା ହାତ ଧରିନେଇଛନ୍ତି ତ ମାଆ ଙ୍କ ହାତଟି ସେମିତି ଦେଖି ଝିଅଟି ହାର୍ଟଫେଲ କରିଯାଇଛି ", ଏହି ଗଳ୍ପ ବା କଥାବସ୍ତୁ ସମସ୍ତେ ସତ କଥା କହି ସିରିଏସ ହେଲାବେଳେ, ମୁଁ କିନ୍ତୁ ହସେ କୁହେ ଗପଟିଏ ହୁଏତ ହୋଇଥିବ, ଏମିତି ଏମିତି ଅନେକ କଥା ସେ ବହିରେ ବାହାରେ ।


       ଥରେ ଜଣେ ଡାକ୍ତର ରାତିରେ ହସ୍ପିଟାଲ ରେ କାମ କରୁଥିଲା ବେଳେ ଶବ ଟି ଶଯ୍ୟା ଉପରୁ ଉଠି ବସିଯିବା କଥା ଓ ଥରେ କେମିତି ଚାରିସାଙ୍ଗ ସମ୍ପର୍କୀୟଙ୍କ ଶବ ଜଗି ତାସ ଖେଳୁଥିଲା ବେଳେ ଶବ ଆଡକୁ ଚାଂହିଥିବା ସାଙ୍ଗ ଦେଖିଛି ଶବ ଉଠିଆସୁଛି ଅଣ୍ଟା ଯାଏଁ ତ କିଛି ନକହି ସେ ବାହାରକୁ ଚାଲିଯାଇଛି ତା ପରେ ପରେ ଦ୍ୱିତୀୟ ଓ ତୃତୀୟ ସାଙ୍ଗ ବି ସେମିତି କିଛି ଦେଖି ବାହାରକୁ ଯିବା ପରେ ଚତୁର୍ଥ ସାଙ୍ଗ ଦିଖିଛି ଶବ ଟି ବିଞ୍ଛଣାରେ ବସିଛି ତ ସେ ସେଇଠି ହାର୍ଟଫେଲ କରିଯାଇଛି, ଏକଥା ପଢି ସମେସ୍ତେ ଖାଲି ଭୂତ ପ୍ରେତଙ୍କ ଅସ୍ତିତ୍ୱ ବିଷୟରେ କେତେ ନା କେତେ ମନ୍ତବ୍ୟ ଦେବା ଆରମ୍ଭ କରିନ୍ତି ତ, ମୁଁ କୁହେ ଆରେ ମରିଯିବା ପରେ ଶିରା ପ୍ରଶିରା ସକ୍ରିୟ ଥାଏ ତ ଏମିତି ସଂକୋଚନ ପ୍ରସାରଣ ହୋଇପାରେ, ଦ୍ୱିତୀୟ କଥା ମରିଯାଇଥିବା ଲୋକ ବଞ୍ଚିଛି ଦେଖି ସତ୍ୟାସତ ପରୀକ୍ଷା କରି ଖୁସି ହେବା କଥା, ଡର କାହିଁକି? ତୃତୀୟରେ ଜଣେ ଅନ୍ୟ ଜଣଙ୍କୁ କହିବା କଥା, ମୋ କଥା ଶୁଣି ସମେସ୍ତେ କହନ୍ତି ସେମିତି କହନା, ତୋ ସଙ୍ଗେ ସେମିତି ହେଲେ ଜାଣିବୁ, ମୁଁ ଚୁପ ରହେ ଆଉ ଦିନକର ଏମିତି ଏକ ଗଳ୍ପ ବା ସତ ଘଟଣା ଆଧାରିତ କଥାରେ ମୁଁ ମୋ ବିଶ୍ୱାସକୁ ବଢ଼େଇ ଦେଇଥିଲି ଦୁଇଗୁଣା, ଯେମିତିକି, ।


             ଜଣେ ଡାକ୍ତର ମୋରି ଭଳି ଭୂତ ପ୍ରେତ ର ବିଶ୍ୱାସୀ ନଥିଲେ, ତ ସାଙ୍ଗମାନେ ତାଙ୍କ ସହ ଯୁକ୍ତି କରିଥିଲେ ଆଉ ବାଜି ରଖିଥିଲେ, ତୁ ଯଦି ରାତି ବାରଟାରେ ଶବଟିଏ ହାତରେ ଯୀଶୁଙ୍କୁ କ୍ରୁଶବିଦ୍ଧ ଭଳି କଣ୍ଟା ବାଡେଇ ପାରିବୁ ତ ଆମେ ଜାଣିବୁ, ହଁ ପାରିବି କହି ସେଦିନ ରାତି ବାରଟାରେ ବାହାରିଗଲେ ଡାକ୍ତରବାବୁ, ଆଉ ଶବ ଟିଏ ଠିଆ କରେଇ ଏକା ଏକା ତା ହାତକୁ କାନ୍ଥରେ ରଖି ପିଟିବାକୁ ଲାଗିଲେ କଣ୍ଟା ହେଲେ ଏକୁଟିଆ, ଶବ କୁ କାନ୍ଥରେ ଠିଆ କରିରଖିବା, ହାତ ନେଇ କାନ୍ଥରେ ଲାଗାଇ କଣ୍ଟା ପିଟିବାରେ ସେ ଭୟ ନୁହେଁ ବରଂ ପରିଶ୍ରମ କରି ଝାଳ ସରସର ହୋଇଯାଇଥିଲେ ବି କରିପାରିଥିଲେ, ହେଲେ ପଛକୁ ବୁଲି ଆସିବା ବେଳକୁ ଦେଖିଲେ କେହି ତାଙ୍କୁ ଭିଡି ଧରୁଛି, ତାଙ୍କ ଚିତ୍କାର ଶୁଣି ସାଙ୍ଗ ମାନେ ଯାଇ ଦେଖିଲା ବେଳକୁ ଡାକ୍ତର ମୃତ ଆଉ ଶବ ହାତରେ କଣ୍ଟା ସହ ଡାକ୍ତରଙ୍କ ଧୋତିର କିଛି ଅଂଶ ପିଟିହୋଇ ଲାଗିଛି ଶବ ହାତ ରେ କଣ୍ଟା ସହ "ସମେସ୍ତେ ଏହା ପରେ କିଛି କିଛି ଏକମତ ହୋଇଥିଲେ ଯେ ପ୍ରକୃତରେ ଭୟ ହିଁ ବଡ ଶତ୍ରୁ, ହେଲେ ଭୂତ ପ୍ରେତ ର ଅସ୍ତିତ୍ବ ଯେ ଅଛି ସେମାନେ ଦୃଢ଼ତାର ସହ କୁହନ୍ତି ତ ମୁଁ ହସିଦିଏ ତ ସେମାନେ ପୁଣି କପ ସାହାଯ୍ୟରେ କେମିତି ଆତ୍ମା କୁ ଡକାଯାଏ, ପ୍ରଶ୍ନ ପଚରାଯାଏ, ଏମିତିକି ଦେଶର ବଡ଼ବଡ଼ ଜନନାୟକମାନଙ୍କୁ ବି ଡକାଯାଏ ଓ ସେମାନେ କପ ମାଧ୍ୟମରେ ଆତ୍ମା ପଠେଇ ସବୁ ପ୍ରଶ୍ନର ଉତ୍ତର ସହ ଆଶୁ ସମସ୍ୟାର ସମାଧାନର ପ୍ରଣାଳୀ ସବୁ ବାଖ୍ୟା କରନ୍ତି, ତ ମୁଁ ନିର୍ଭିକ ଭାବେ କୁହେ ହାତ ଏତେ ସମୟ ଧରି କପ ଉପରେ ରଖିଲେ ନିଶ୍ଚୟ ଖସିବ ଏଣେ ତେଣେ ଆଉ କପ ଯୁଆଡେ ଗଲା ସେଇ ସିମ୍ବଲ ବା ଲେଖାକୁ ପ୍ରତାତ୍ମା କହିଲା ବୋଲି ଧରିନିଆଯାଏ, ହେଲେ ଆତ୍ମା କହିବା ମୁଁ ମାନିନେଇପାରିବିନି ତ ମୁଁହ ମୋଡ଼ି ସାଙ୍ଗମାନେ ଚାଲିଯାନ୍ତି, ସେହିସବୁ କଥା ମନେପକାଇ ଶୋଇବାକୁ ଚେଷ୍ଟା କଲି ମୁଁ ହେଲେ ଲାଇଟ ଲିଭେଇ ନୁହେଁ ବରଂ ଜଳେଇ ଓ ପ୍ରଥମ ଥର ମୁଁହ ଘୋଡେଇ ଆଉ ହନୁମାନ ଚାଳିଶା ବୋଲି ବୋଲି ।


          ତା ପରଦିନ ସବୁ ସ୍ୱାଭାବିକ ହେଲେ ମାଇଁମାନଙ୍କ ସନ୍ଦିଗ୍ଧ ଦୃଷ୍ଟି ମତେ କେମିତି କେମିତି ଲାଗେ । ସେମାନେ ଗୋଟିଏ ଜିଦ କରୁଥିଲେ ଯେ ଏପଟ ଘରକୁ ଆସ, ଆଉ ମୋର ଗୋଟିଏ ଉତ୍ତର ବହି ପଢ଼ାପଢ଼ି ଲେଖାଲେଖି ଅସୁବିଧା ହେବ, ଲାଇବ୍ରେରୀ ବହିରୁ ଟିପି ନୋଟ ନକଲେ ଅନ୍ୟ ପିଲାଙ୍କୁ ଦେବି କେମିତି ତ ମାମୁଁ ଝିଅ ଭଉଣୀ ଜଣେ ରୀନା ସେ ହିଁ ଶୋଇଲା ମୋ ପାଖେ ହେଲେ ତା ଆଚରଣ, କାର୍ଯ୍ୟକଳାପ କ୍ଷତିମାଉସୀ ଙ୍କ ଭୂତଠୁ ବି ଟିକିଏ ବେଶୀ ଥିଲା । ଲାଇବ୍ରେରୀ ଆଇଡେଣ୍ଟିଟି କାର୍ଡରୁ ଫୋଟୋ ଖୋଲି ନେଲା, ମୁଁ ଖୋଜିଲା ବେଳକୁ ମୋ ଗାଉନ ଉଭାନ, କେତେବେଳେ ଚୁଡିଦାର ଉପର ଗାଉନ ସେ ନେଇଯାଇଛି, ତ କେତେବେଳେ ମୋ କବିତା ଖାତାର ପୃଷ୍ଠା ଚିରି ଦେଇଛି ପୁଣି କେତେବେଳେ ମୋ ମୋ ପଇସା ନିଅଣ୍ଟ ଓ ଗାଏବ, ଯାହା କହିହେବନି ତ ମୁଁ ତାକୁ ମୋଠୁ ଦୁରେଇବା ପାଇଁ ଜବରଦସ୍ତ ଝରକା ଖୋଲା ରଖି ଶୋଇବାକୁ ଲାଗିଲି, ତ ତାର ଭୀଷଣ ବିରୋଧ । ପ୍ରଥମ ଅଭିଯୋଗ ମଶା ଆସିବେ, ତ ଆମେ ମଶାରୀ ଟାଣୁଥିଲୁ, ଦ୍ୱିତୀୟ ଅଭିଯୋଗ ରାସ୍ତା ଲୋକ ଉଠିଆସି କାଳେ ଆମକୁ ଦେଖିବେ । ରାସ୍ତାରେ ଯିବା ଆସିବା ଚାଲିଛି କହି ଏଡାଇ ଯାଏ ମୁଁ ।

ଆଉ କ୍ଷତିମାଉସୀ ଙ୍କ ଦାଣ୍ଡ ଦୁଆରେ ଥିବା ଇଲେକ୍ଟ୍ରି ଲାଇଟ ତ ସିଧା ଆମ ଦୁଆରେ ପଡେ, କିଏ ସାହସ କରି ପାହାଚ ଚଢି ପିଣ୍ଡା ଉଠି ଝରକା ବାଟେ ଆମକୁ ଦେଖିବ, ପୁଣି ଝରକା ସେପଟେ ଦେଖିଲେ ବା କଣ କରିପାରିବ? ମୋ କଥାରେ ତ ସେ ଚିହିଁକି ଉଠିଲା ଓ କହିଲା ତୁ ଯଦି ଝରକା ଖୋଲି ଶୋଇବୁ ଶୁଅ, ମୁଁ ତୋ ପାଖେ ଶୋଇବି ନାହିଁ, କାହିଁକି ଉତ୍ତରରେ, ସମେସ୍ତେ ଯେଉଁଟା ଖୋଲି କହୁନଥିଲେ କହିଦେଲା ସତ ମିଛ ଦ୍ଵିଗୁଣ କରି ଯେ କ୍ଷତି ମାଉସୀ ସେଇ ପଡିଆରେ ଠିଆ ହେଉଛି ଆଉ ବସୁଛି,ବେଳେବେଳେ କାନ୍ଦୁଛି ଆଉ ଏଇ ଦୁଆର ଯାଏଁ ବି ଆସୁଛି, ହଁ ହଁ ହେଇଥିବ, ହେଲେ ଝରକା ଦେଇ ମୁଁ ଘରର ଭେଣ୍ଟିଲେସନ ପ୍ରତିହତ କରି ଶୋଇପାରିବି ନାହିଁ, ତ ମୋ ବୁଦ୍ଧି ରେ ରୀନା ମୋ ପାଖେ ଶୋଇବା ବନ୍ଦ କରିଦେଲା । ଆଉ ମାମୁଁ ମାଇଁ ଙ୍କ ତାଗିଦ ରେ ମୁଁ ଏବେ ଆଠଟା ରେ ଖାଇ ଚାଲିଆସେ ବା ନେଇକି ଚାଲିଆସେ ରୁମ କୁ ।


      ସେଦିନ ରାତି ପ୍ରାୟ ଆଠ ଟା ହେବ ବଡମାଇଁ ଆସି କହିଦେଇଗଲେ, ଝିଅ ରୁଟି କରିବା ଆଜି ଡେରି ହେବ ତମେ ଭାତ ଖାଇ ନିଅ, ମୁଁ ମନାକଲି, ମୋ ପାଖେ ରହୁଥିବା ଛୋଟ ମୋଟ ଜଳଖିଆ ଯେମିତିକି ପାଉଁରୁଟି କେକ, ବିସ୍କୁଟ, ମିକ୍ସଚର, ଛଣାସେଉ, ବୁଟଭଜା, ଚୁଡା ଓ ମୁଢି ଭଜା ଇତ୍ୟାଦିରୁ ମୁଁ କିଛି କିଛି ଖାଇଛି, ଭୋକ ନାହିଁ, ରୁଟି କାରିବା ଡେରି ହେଲେ ଚଳିବ, ମୁଁ ନଅ ଟାରେ ଖାଇବାକୁଯିବି, ନାଇଁ ନାଇଁ ତମେ ଆସିବନି, ମୁଁ ଆସି ଦେଇଯିବି, ତମେ ପଢୁଥା, ତ ସେ ଚାଲିଯିବା ପରେ, ବାପାଙ୍କଠୁଁ ଆସିଥିବା ଚିଠି ସବୁ ପଢ଼ିଲି, ଛୋଟ ଭାଇ ଭଉଣୀ ବି କିଛି କିଛି ଲେଖିଥିବା କଥା ପଢି ଲୁହ ଜଡ଼ସଡ଼ ରେ ଝରକା ଦେଇ ଚାହିଁଲି ବାହାରକୁ । ଚତୁର୍ଭୁଜାକାର ସ୍ଥାନଟିର ରାସ୍ତାପଟକୁ ଘରଟିରେ ମୁଁ, ତେଣୁ କ୍ଷତିମାଉସୀ ଙ୍କ ଘରଯାଏଁ ମୋ ଆଖିପାଏ, ଆଉ ଆଜି ରାସ୍ତାରେ ଗହଳି ଚହଳି ନଥିଲା ବିଶେଷ ସେମିତି ତ ଆପଣା ଛାଏଁ ମୁନିସପାଲଟି ଲାଇଟଖୁଣ୍ଟି ସିଧା ଥିବା, କ୍ଷତିମାଉସୀଙ୍କ ଘରକୁ ଲାଗିଥିବା ପଡିଆଟି ଉପରକୁ ମୋ ନଜର ଚାଲିଗଲା । ଆଉ ତା ଭିତରେ ମୁଁ ଦେଖୁଥିଲି ମୋ ନିଜ ହୃଦୟରେ ଯେଉଁମାନଙ୍କୁ ଝୁରୁଥିଲି, ସତେ ଯେମିତି ମୋ ବାପା ବୋଉ ମୋ ଭାଇଭଉଣୀ ଙ୍କ ସାଙ୍ଗରେ ବିତିଥିବା ଦିନସବୁକୁ । ତଥାପି କଲେଜ ଛୁଟି ହେବାକୁ ଢେର ଦିନ ବାକି, ମୋ ସ୍ମୃତିରେ ସତ ସାଉଁଟୁ ସାଉଁଟୁ ମୁଁ ହଠାତ ଜଡ଼ସଡ଼ ହୋଇ ଚମକି ପଡିଲି, ସତରେ ମତେ ଲାଗିଲା ଶୁଭ୍ର ବସ୍ତ୍ର ପରିହିତା କେହିଜଣେ ସେହି ଖୋଲା ପଡିଆରେ କ୍ଷତିମାଉସୀ କାନ୍ଥକୁ ଆଉଜି, ହଠାତ କେମିତି ଗୋଟେ ଲାଗିଲା ମତେ, ଆଉ ମୁଁ ସ୍ଥିର ହୋଇଗଲି, ଅବିଚଳିତ ହୋଇଗଲି, ସତରେ ତ ଖାଲି ଠିଆ ହୋଇନାହାନ୍ତି, ଏପଟ ସେପଟ ବି ହଉଛନ୍ତି । ମୋର ଏତେ ଦିନର ବିଶ୍ୱାସକୁ ଖିନଭିନ କରି, ତଥାପି ମୁଁ ସନ୍ତର୍ପଣରେ ଦାଣ୍ଡକବାଟ ଖୋଲି ଦାଣ୍ଡପିଣ୍ଡା କୁ ଆସିଲି,, ପିଣ୍ଡାକୁ ଲାଗି ରାସ୍ତା ପଟକୁ ଦୁଆରେ ଗୋଟେ ସିମେଣ୍ଟ ଚୌକି, ବସିଲି ସେଠି, ଚାହିଁଲି, ।


    ସାମନାରେ ଚଉତରା, ଚଉତରା ସେପଟେ କୂଅ ଓ କୂଅ ଉପରେ ନଳକୂପ, ତା ତଳକୁ ମୁନିସପାଲଟି ନଳ ଓ ପାଖକୁ ଲାଗି ଇଲେକଟ୍ରିଖୁଣ୍ଟ, ଖୁଣ୍ଟି ସିଧାରେ ସାରଙ୍କ ଘର ଖୁଣ୍ଟିର ତୀର୍ଯ୍ୟକ ଭାଗରେ ସେ ପଡିଆ ଓ ତା ପରକୁ କ୍ଷତିମାଉସୀ ଙ୍କ ଘର ଆଉ ସେଇ କାନ୍ଥରେ କ୍ଷତି ମାଉସୀ ନହେଲେ ବି କେହି ଜଣେ !


    ଆଜି ପର୍ଯ୍ୟନ୍ତ ଥିବା ବିଶ୍ୱାସକୁ ଅବିଶ୍ୱାସ ରେ ପରିଣତ କରିବାର ସାହାସ ଓ ଧର୍ଯ୍ୟ ତଥା ମୋ ମନର ବଳିଷ୍ଠ ପ୍ରମାଣ ମତେ ପାହାଚ ଦେଇ ଚଉତରାର ଗୋଟିଏ ମୁଣ୍ଡରେ ଠିଆ ହେବା ଯାଏଁ ରାସ୍ତା କଢ଼େଇଲା । ମୋ ଡାହାଣ ପାର୍ଶ୍ୱରେ ଦୁରକୁ ଚାହିଁଲେ ବଡମାଇଁ ରୁଟି କରି ଡାଲମା ର ଛୁଙ୍କ ଦେଉଛନ୍ତି ବୋଧହୁଏ, ଅନ୍ୟ ଘରର ଝରକା କବାଟ ଫାଙ୍କ ଦେଇ କିଛି ଲାଇଟ ପଡୁଛି, ହେଲେ ବାହାରେ କେହି ନାହିଁ, ତଥାପି ରାସ୍ତା ରେ କାଆଁ ଭାଆଁ କିଏ ପାଦରେ ତ କିଏ ସାଇକେଲରେ ତ କେବେ କେବେ ରିକ୍ସା ବାଲା ଟିଏ ଯାଉଛି ଯାତ୍ରୀ ନେଇ ବା କେବେ ଘଣ୍ଟି ଟିନ ଟିନ କରି, ତ ସାହାସ ବଢିଯାଉଛି ମୋର, ଅବିଚଳିତ ଅବସ୍ଥାରେ ରାତିରେ ସେ ନିଛାଟିଆ ପଡିଆରେ ସତରେ କଣ କ୍ଷତିମାଉସୀଙ୍କ ପ୍ରେତାତ୍ମା?


ଆଉ ଟିକେ ଆଗକୁ ଗଲି, କୁଆମୂଳରୁ ଆସିଥିବା ନଳା, ଚଉତରା ଧାରେ ଧାରେ, ସେଥିରେ ଗୋଡ଼ ପଶିଗଲା ତଥାପି ମୋ ନିଜ କଥା ମୁଁ ଦୋହରେଇ ଆଗକୁ ବଢ଼ିଲି ଆଉ ଭାବିଲି ଯଦି ପ୍ରକୃତରେ କ୍ଷତିମାଉସୀ ତେବେ ଡରିବାର କଣ ଅଛି??? ହେଲେ ଗୋଟାପଣେ ଝାଳ ଦେହସାରା, ଆଉଟିକେ ବଢ଼ିଲି, ଚଉତରାର ଚତୁର୍ପାର୍ଶ୍ୱରେ ବସିବାପାଇଁ ଉଦିଷ୍ଟ ଚାରିଗୋଟି ଚୌକି ଭିତରୁ ପ୍ରଥମ ଟି ମୋ ରୁମ ସାମନା, ତାକୁ ଟପି ସାରି ମୁଁ ଦ୍ୱିତୀୟ ଚୌକି ପାଖାପାଖି, ତାକୁ ଲାଗି କୂଅ, ମୁଁ ସେ ଯାଏଁ ସ୍ଥିର ଅପଲକ ଦୃଷ୍ଟି ରେ ଚାହିଁଲି, ସତରେ କଣ କ୍ଷତି ମାଉସୀ, ଏଵେ ମୁଁ ଆଉ ବଡମାଇଁଙ୍କୁ ଦେଖିପାରୁନଥିଲି, ବରଂ କାଆଁ ଭାଁ ଯାଉଥିବା ଲୋକ ମୋ ଆଡକୁ ଦୃଷ୍ଟି ପହଁରେଇ ନେଉଥିଲେ, ମୁଁ ବି ଭାବୁଥିଲି ପଛକୁ ଫେରିଯାଇ ପାହାଚ ଚଢି ଦାଣ୍ଡଦୁଆର ଟପି ଦାଣ୍ଡ କବାଟ କିଳି ଶୋଇଯିବି ନହେଲେ ବଡମାଇଁଙ୍କ ପାଖକୁ ଦଉଡିଯାଇ କହିବି ରୁଟି ସାରିଲାଣି କି ମତେ ଖାଇବାକୁ ଦିଅ । ହେଲେ ସେ ଯଦି ମତେ ପଚାରନ୍ତି, ଏମିତି ଝାଳ କାହିଁ ବୋହି ଯାଉଛି? ଯଦି ପଚାରନ୍ତି ମୁଁ ତ ଖାଇବା ନେଇକି ଦେଇ ଆସିବି କହିଥିଲି ତମେ କାହିଁ ଆସିଲ? କି ଉତ୍ତର ଦେବି???


      ତଥାପି ସାହସ କରି ଚାହିଁଲି ପଡିଆକୁ ଆଉ ହାତ ଗୋଡ଼ ଲମ୍ବେଇ କ୍ଷତିମାଉସୀ ବସିଥିବାର ଦେଖିପାରିଲି, ତଥାପି ବିସ୍ଲେସଣ କରିବାକୁ ଲାଗିଲି, ଚାଳଘରୁ ଓହଳିଥିବା ବିଭିର୍ଣ୍ଣ ସାଇଜର କୁଟା ମହଳଣ ଆଲୋକ ଭିତରେ କିଛି କିଛି ଛବି ସୃଷ୍ଟି କରୁଛି, ତା ସାଙ୍ଗକୁ ମୃଦୁ ପବନର ହାଲକା ଦୋଳନ ମଧ୍ୟ ଛବିଟିକୁ କେବେ ବସିଲା ଭଳି କେବେ ଠିଆ ହେଲାଭଳି ଦୃଶ୍ୟ ଗୋଚର ହେଉଛି, ଆଉ ନହେଲେ ଗୋଟେ ପଲକ ଭିତରେ ଛବିଟି ଏତେ ବଦଳୁଛି କେମିତି,???


ଧଳା ଲୁଗା ଆଉ କିଛି ନୁହେଁ, କ୍ଷତିମାଉସୀଙ୍କ କାନ୍ଥର ଧଳା ଚୁନରଙ୍ଗରେ ଲାଇଟ ପଡି ତା ସହ ନଡା ଓ କୁଟା ମାନଙ୍କର ଦୋଳାୟିତ ଛବିର ଫେଣ୍ଟାଫେଣ୍ଟି ସମ୍ମିଶ୍ରଣ ଯେ କ୍ଷତିମାଉସୀଙ୍କ ଭୂତ, ଏଥିରେ ମୋର ସନ୍ଦେହ ନଥିଲା, ଫେରିଲି ଘରକୁ, ଦୁଆର ବି ଦେଲି, ଲାଇଟ ଲିଭାଇ ଲଣ୍ଠନ ଜାଳିଲି, ଲଣ୍ଠନ ଆଲୁଅ ଭିତରେ ମୋ ହାତରେ ବିଭିର୍ଣ୍ଣ ଅଙ୍ଗ ଭଙ୍ଗୀ ସୃଷ୍ଟି କରି ଚାହିଁଲି ଧଳା ଚୂନବୋଳା କାନ୍ଥକୁ ଆଉ ନିଉଟନ ଇଉରେକା କହିଲା ଭଳି, ମୁଁ ପାଇଗଲି ମୋ ଉତ୍ତର, ହସିଉଠିଲି, ତ ମାଇଁ ଡାକୁଥିଲେ ଦୁଆରେ, ମୁଁ ହସୁଥିବାର ଦେଖି କହିଲେ କଣ ହେଲା? ମୁଁ କହିଲି ନାଇଁ ଗୋଟେ ମଜ୍ଜା ଗପ ପଢ଼ୁଥିଲି ତ, ତମକୁ କାଲି କହିବି, ଖାଇବା ଦେଇ, ମୋ ଦୁଇ କବାଟ ଆଗ ଓ ପଛ ଠିକ ସେ ଦିଆହେଲା କି ନାହିଁ ସବୁ ତଦାରଖ କରି ଝରକା ଦେଇ ଓ ଝରକାରେ କୋଲପ ପକେଇ ଲଣ୍ଠନ ଲିଭେଇ, ଲାଇଟ ଜାଳି ମୁଁ ଭିତରୁ କବାଟ ଦେଲାପରେ ସେ ଚାଲିଗଲେ, ଆଉ ମୁଁ ସେଦିନ ପରମ ଆଶ୍ବସ୍ତି ରେ ମୁଁହରୁ ଚାଦର କାଢି ଇଲେକ୍ଟ୍ରି ଲାଇଟ ବନ୍ଦ କରି ଶୋଇଗଲି ଶାନ୍ତିରେ ।


          ତା ଆରଦିନ ସବୁକଥା କହିଥିଲି ତିନିମାଇଁକୁ, ଗାଳି ଖାଇଥିଲି, ମାମୁଁମାନଙ୍କୁ କୁହାଯିବାର ଧମକ ପାଇଥିଲି ଆଇ ଙ୍କୁ ଏକଥା କୁହାଯିବ ଧମକରେ ମୁଁ ଶୀହରିତ ହୋଇଥିଲି । ପ୍ରତିମାସ ଶେଷରେ ବାପା ଯେବେ ଆସିଥିଲେ ତାଙ୍କ ଆଗରେ ସବୁକଥା ମଝିଆଁ ମାଇଁ କହିଥିଲେ ତ ବାପା ମତେ ଖୁବ ରାଗିଥିଲେ ସତ ହେଲେ ଫେରି ଯାଉ ଯାଉ ମାଇଁଙ୍କୁ "ଅନୁ ସେ କାହା ଝିଅ ଜାଣିଛ ତ? "କହି ରସିକତା କରିବା ଏବେବି ମୋ କାନରେ ଗୁଞ୍ଜରିତ ହୁଏ, କିନ୍ତୁ ସତରେ ପ୍ରେତାତ୍ମା ଅଛିକି ନାହିଁର ଅସ୍ତିତ୍ବର ବିବାଦ ଘେରରୁ ମୁଁ ଦୁରେଇ ରୁହେ ସତରେ । (ସମାପ୍ତ )

       



Rate this content
Log in

Similar oriya story from Horror