STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଶୋଷର ଶେଷ

ଶୋଷର ଶେଷ

6 mins
334



ମାଆ ତତେ ଏବେ ଆଉ ବସ ଟ୍ରେନରେ ବସିଲେ ଅଣନିଶ୍ଵାସୀ ଲାଗୁନି ନିଶ୍ଚୟ, ନହେଲେ ଏସି ବସରେ ଗାଁରୁ ଭୁବନେଶ୍ୱର ଆସି କବିତା ଆସରରେ ଯୋଗ ଦେବା କଣ ସହଜ କଥା!ମାଆ ସ୍ୱାତିଙ୍କର ମନେପଡୁଥିଲା ସେଦିନ ରାଜଧାନୀ ଏକ୍ସପ୍ରେସରେ, ପୁଅ ପାଖକୁ ଦିଲ୍ଲୀ ଯିବାକୁ ଚଢି ସାରିବା ପରେ ତାଙ୍କ ଦୁହିଁଙ୍କ ପାଇଁ ହୋଇଥିବା ରିଜର୍ଭ ସିଟ ପାଇ ବସିଗଲା ପରେ ସ୍ୱାତି କେମିତି ଅଣନିଶ୍ୱାସୀ ହୋଇ ସ୍ୱାମୀଙ୍କୁ କହୁଥିଲେ ପଚାର ପଚାର ବିନା ଏସି କମ୍ପାର୍ଟମେଣ୍ଟ ଅଛି ନା ନାହିଁ ମତେ ଏଠି ଅଣନିଶ୍ୱାସୀ ଲାଗୁଛି. ସ୍ୱାମୀ ପରେଶ ବିରକ୍ତ ହୋଇ କହୁଥିଲେ ଏହି ଟ୍ରେନର ସବୁ ବଗି ଏସି ହୋଇଥିବାରୁ ତ ଏଥିରେ ସୁବିଧା ହେବ ଯିବାକୁ ବୋଲି ପୁଅ ଟିକେଟ କରିଛି.ଆଉ ଏବେ ନନଏସି ବଗି କୋଉଠୁ ଆସିବ!ସ୍ୱାତି କିଛି ସମୟ ଆଡ଼ଜଷ୍ଟ କରି ସମ୍ଭାଳି ବସିଯିବାକୁ ଚାହିଁ ମଧ୍ୟ ପାରିନଥିଲେ. ଥରକୁ ଥର ଦୁଆର ମୁହଁ ଲାର୍ଟିନ ବାଥରୁମ ପାଖେ ଆସି ଠିଆ ହେବାରୁ ପୁଅ କହିଥିଲା ଶୀଘ୍ର ମାଆକୁ ଧରି ଓଲ୍ହେଇଯାଅ ବାପା. ଦେଢ଼ ଦିନ କେମିତି ଆଡ଼ଜଷ୍ଟ କରି ଆସିବ ମାଆ,ଅସମ୍ଭବ!ବାଲେଶ୍ୱର ଯାଏଁ ଆସିଲେ କେମିତି କେମିତି. ତା ପରେ ବି ସେମିତି ଅଣନିଶ୍ୱାସୀ ଲାଗିଲେ ଉପାୟ ନଥିବ ଓଲ୍ହେଇ ଫେରିଯିବାକୁ. ତ ସେଥର ବାଧ୍ୟ ହୋଇ ଓଲ୍ହେଇ ଯାଇଥିଲା ମାଆ ବାପାଙ୍କ ସହ . ପୁଅ ଆଜି ମାଆକୁ ଏସି ବସରେ କବିତା ଆସରକୁ ଯିବା ଦେଖି କହୁଥିଲା ଭଲ ଭଲ ଅଭ୍ୟାସ କରେ. ଝିଅ ମଧ୍ୟ କହୁଥିଲା କାହିଁ କହୁଛୁ ଭାଇ ସେଦିନ କଟକ ଯାଏଁ ଏସି ବସରେ ମାଆ ଯୋଉ ଛଟପଟ ହେଲା ଖାଲି ମୁଁ ସାଙ୍ଗରେ ଥିଲି ବୋଲି ଆଉ ଏବେ ଫର୍ଦେ କବିତା ପଢିବ ବୋଲି ଯାଉଛି ଗାଁରୁ ଭୁବନେଶ୍ୱର କେଜାଣି କେମିତି! ତ ମାଆ ଏତେବେଳକୁ ମୁହଁ ଖୋଲିଥିଲା କହିଥିଲା ପ୍ରଥମତଃ ପାଖ ବାଟ, ଦ୍ୱିତୀୟତଃ ବାପାଙ୍କ ସଙ୍ଗେ ଯାଉଛି. ଆଉ ତୃତୀୟରେ କବିତା ବୋଲିବା ଆକର୍ଷଣରେ ବୋଲି କହୁନୁ କି ମାନୁନୁ କାହିଁକି ଯେ! ଏକାସଙ୍ଗେ କହୁଥିଲେ ପୁଅ ଝିଅ.

  ସ୍ୱାତି ଭାବୁଥିଲେ ସତ. ଏକଦମ ଖାଣ୍ଟି ସତ. ଛାତ ଉପରେ ପକ୍ଷୀ ଅନ୍ୱେଷଣ, ନିରୀକ୍ଷଣ କରୁ କରୁ ଯେତେସବୁ ଅନୁଭବ ତାଙ୍କର ତାକୁ କଣ ପୁଅ ଝିଅ ନା ସ୍ୱାମୀ କେହି ବୁଝିବେ ବରଂ କବିତା ପଦେ ଲେଖି ମନର ଭାବକୁ ଶବ୍ଦରେ ଗୁନ୍ଥି ପାଞ୍ଚ ପଚିଶଙ୍କ ଆଗେ ପଢିବା ବା ଶୁଣେଇବାରେ ଯୋଉ ଆନନ୍ଦ ଅଛି ସେକଥା କୋଉଠୁ ଏମାନେ ବୁଝିବେ ଯେ! ସ୍ୱାମୀ କହନ୍ତି ମତେ ଆଉ ସେ ଆଇ ଡ୍ରପ ଆଣିବାକୁ କହିବନି. ଯେଉଁ ଦୁଇଟା କାମରେ ମନ ଲଗେଇଛ ଯଥା ପକ୍ଷୀମାନଙ୍କ ରାବ ଠାଵ କରି ହଳଦୀବସନ୍ତ, ଶୁଆ, ଭଦଭଦଳିଆ ଦେଖିବା ଓ ତାଙ୍କ ଉପରେ ଗୀତ କବିତା ମୋବାଇଲ ଦ୍ୱାରା ଟାଇପ କରି ଲେଖିବା ଦୁଇଟି ଯାକ କାମରେ ଆଖି ଖରାପ ହେଉଛି ଥରକୁ ଥର. ଦୋକାନ ଦୋକାନ ବୁଲି ସେ ହାଇସୋଡିୟୁ ଆଇଡ୍ରପ ଯୋଗାଇବାରେ ମତେ ଯେ କେତେ ଅଣନିଶ୍ଵାସୀ ହେବାକୁ ପଡେ ଏ ମେଡ଼ିସିନ ଷ୍ଟୋରରୁ ସେ ମେଡ଼ିସିନ ଷ୍ଟୋର ବୁଲିବା ତୁମ ମାଆକୁ କଣ ଜଣାଅପଡୁଛି! ସ୍ୱାତି ସେତେବେଳେ କହିପାରନ୍ତିନାହିଁ ପକ୍ଷୀଙ୍କ ଗତି ଵିଧି ଜାଣି ତାଙ୍କୁ ଅନୁସରଣ କରିବାରେ ଯୋଉ ଆନନ୍ଦ ସେକଥା ଅନ୍ୟକୁ ମଧ୍ୟ ଜଣା ପଡ଼େନି.କାରଣ ପକ୍ଷୀ ସଙ୍ଗେ ଭାବ ବିନିମୟ ହୁଏ ବୋଲି କିଏ ବିଶ୍ୱାସ କରିବ ତାଙ୍କ କଥା!

  ଏଇ ଗତକାଲିର ଘଟଣା କଥା. ଚିକ୍କଣ କାଉଟି ପାଣି ପିଇ ସାରି ଧୀର ସ୍ୱରରେ କା କା ଡାକି ଅଳ୍ପ ଦୂରରେ ଚେୟାର ଉପରେ ବସିଥିବା ସ୍ୱାତିଙ୍କ ଆଡକୁ ମାଡି ଆସୁଥିଲା ତ ଭୟ ମିଶା ଆଶ୍ଚର୍ଯ୍ୟ ଆଖିରେ ଉଠିପଡିଲେ ସ୍ୱାତି. ପକ୍ଷୀ ପଶୁ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଗତି ଵିଧି ଓ ସ୍ୱରରେ ଅନେକ ସନ୍ଦେଶ ଦେଇଥାନ୍ତି ମଣିଷକୁ. କାଉ ସଙ୍ଗେ ଖୁବ ଭାବ ସ୍ୱାତୀଙ୍କର କାରଣ ଅନ୍ୟ ପକ୍ଷୀଙ୍କ ତୁଳନାରେ ନିର୍ଦ୍ଦିଷ୍ଟ କାଉଟି ପାଣି ସ୍ଵଚ୍ଛନ୍ଦରେ ପିଏ ଥୋଇଥିବା ସ୍ଥାନରୁ.ପୁଣି ପ୍ରଥମ ଭାତ କାଉ କୁକୁରଙ୍କୁ ଦେଉଥିବୁ ବୋଲି କହିଥିବା ଶାଶୁଙ୍କ ଗଦ୍ୟାଂସଟି ମନେରଖି କାଉ ପାଇଁ ଥୁଆଯାଉଥିବା ଭାତ ମଧ୍ୟ ଖାଏ ନିର୍ଭିକରେ ସେହି କାଉଟି. ତେବେ ଆଜି ତାର ବ୍ୟବହାରରେ ପରିବର୍ତ୍ତନ ଦେଖି ବିଚଳିତ ବୋଧ କଲେ ସ୍ଵାତି. ସେତେବେଳକୁ କାଉଟି ଉଡି ଉଡି ଆସି ପ୍ରାୟେ ତାଙ୍କ ପାଖାପାଖି ପହଁଞ୍ଚି ଯାଇଥିଲା ତ ମନେ ପଡିଗଲା ଆଜି କାଉକୁ ଭାତ ଦେଇନାହାଁନ୍ତି ସେ ତେଣୁ ଉଠିଯାଇ ଭାତ ଓ ଚାଉଳ ଆଣି ଥୋଇଲା ପରେ କାଉ ସେତକ ଖାଇ ପୁଣି ପାଣି ପିଇ ଉଡିଯିବା ପରେ ସ୍ଵାତି ଭାବିଥିଲେ ଏଣିକି ଆଉ ରିଷ୍ଟ କାଟିବା ପାଇଁ ପ୍ରଥମ ଭାତ କାଉକୁ ନଦେଇ ସେତକ ନିଜେ ଖାଇ ତା ପରେ କାଉକୁ ଖାଇବାକୁ ଦେବେ. ନଚେତ ପୂର୍ବରୁ ପ୍ରଥମ ବଢ଼ା ଭାତ ଖାଇ ଏହି କାଉଟିର ସହୋଦର ପରି ପୂର୍ବ କାଉଟି ଭଳି ରିଷ୍ଟ ନେଇ ଇଲେକ୍ଟ୍ରି ତାରରେ ବସି ଯଦି ଏ କାଉଟି ମୃତ୍ୟୁ ବରଣ କରିବ, ତେବେ ଅଣନିଶ୍ଵାସୀ ହୋଇ ସ୍ୱାତି ମରିବା ଥୟ ବରଂ ଏ କାଉଟିର ମାଆ ହୋଇ ଆଉ କିଛି ଦିନ ଏ ସମ୍ପର୍କ ତିଷ୍ଠି ରହୁ ଭାବି ତଳକୁ ଆସି ଦେଖନ୍ତି ତ ପୁଅ ଓ ଝିଅଙ୍କର କେତେ ମିସ କଲ. ସ୍ୱାତି ପୁଅ ଓ ଝିଅଙ୍କୁ କଲ ବ୍ୟାକ କରି କହୁଥିଲେ ଆରେ ବହୁତ ଶୀଘ୍ର ବାପା ଓ ମୁଁ ତୁମ ଦୁହିଁଙ୍କ ପାଖକୁ ଯିବାକୁ ବାହାରିଛୁ ହେଲେ ସେଠି କାଉ ଅଛିତ!ପୁଅ ଝିଅ ଦୁହେଁ କହୁଥିଲେ ଆରେ ତୋ ନାତି ନାତୁଣୀ ଦୁହେଁ ପରା ଦୁଇଟି କାଉ. ରାଉ ରାଉ ହୋଇ ତତେ ଅଣନିଶ୍ୱାସୀ

କରିପକେଇବେ. ଆଜି କାଉପାଇଁ ଖାଦ୍ୟ ରଖିସାରି ଝିଅର ଝିଅ ଡୁଗୁ ଓ ପୁଅର ପୁଅ ବାବା ପାଇଁ ବିସ୍କୁଟ ସଜାଡୁଥିଲେ ସ୍ୱାତି. ପିଲା ଦୁଇଟାଙ୍କୁ ଦେବା ସହ କାଉଙ୍କୁ ଦେବେ ସେମାନଙ୍କ ଘରକୁ ଗଲେ.ଏଠା କାଉ କଥା ଭାବି ଅଣନିଶ୍ୱାସୀ ଲାଗିବା ଆଗରୁ ସ୍ୱାମୀ କହୁଥିଲେ ତୁମେ ତେବେ କାହାର ମାଆ ହେବ ଆଗ କୁହ.ହସୁଥିଲେ ସ୍ୱାତି ଓ କହୁଥିଲେ ଜାଣିନକି,ମମତାରୂପକ ପ୍ରେମ ବାଣ୍ଟି ମାଆ ମଧ୍ୟ ବାଣ୍ଟିହୋଇ ଯାଏ ପରା .ପୁଅ ଝିଅ ଘରେ ନାତି ବାବା ଓ ନାତୁଣୀ ଡୁଗୁ ସଙ୍ଗେ ରହି ସ୍ୱାତି ଭୁଲିଗଲେ କାଉଟିଏ ତାଙ୍କ ହାତରୁ ଭାତ ଚାଉଳ ଖାଏ ଥୋଇଥିବା ପାଣିରୁ ପାଣି ପିଏ.ଏ ଭିତରେ ପାଣି ସରିଯିବଣି,ଜଳ ତଳକୁ ଚାଲିଯିବଣି କହି ବ୍ୟସ୍ତ ହେଉଥିଲେ ସ୍ୱାତି ସେଦିନ ତ ପୁଅ କହିଥିଲା କାଉ ଗପ ପଢିନୁ କି ମାଆ?ଗୋଟି, ଟେକା କି ପଥର ପକେଇ ଜଳସ୍ତର ଉଠେଇ ପାରେ କାଉ ତ ମାଆ ସ୍ୱାତି କହୁଥିଲେ ସେକଥା ପୁରୁଣା ହେଲାଣିରେ ପୁଅ. ଆଜିକାଲି ଠେକୁଆ ଓ କଇଁଚ ଦୌଡରେ ଆଉ କଇଁଚ ଜିତୁନି ବରଂ ଠେକୁଆ ଦଉଡି ଦଉଡି ଆଗ ପହଞ୍ଚି ଯାଉଛି. କାଉତ ସହଜେ ପକ୍ଷୀଟିଏ କୋଉଠୁ ଆଣିବ ଟେକା, ପଥର!ଥଣ୍ଟ ଭାଙ୍ଗିଯିବନି ତାର?ପୁଅ ଦେଖେଇଥିଲା ଭିଡ଼ିଓ. ସେସବୁ କେମିତି ଏଡିଟ ହୋଇଥିଲା କି ନା କେଜାଣି କିନ୍ତୁ ଏବେବି କାଉ ତାର ସେଇ ବୁଦ୍ଧି ପ୍ରୟୋଗ କରିଚାଲିଥିବା ଦୃଶ୍ୟରେ ସାମୟିକ ଖୁସି ହେଲେ ବି ସାମଗ୍ରିକ ଭାବେ ଭାବି ହେଉଥିଲେ ସ୍ୱାତି ବିଚରା ପକ୍ଷୀ ଗୁଡାକ ପାଣି ଟୋପେ ବିନା ଆଉଟୁ ପାଉଟୁ ହେଇଯାଉଥିବେ. ଏ ମାର୍ଚ୍ଚ ମାସରୁ ଏତେ ଗରମ ହେବା କଣ ଆଗରୁ ଥିଲା!ଝିଅ ଘରେ ସେମିତି ଝିଅ କହେ ତୁ ଅଯଥା ବ୍ୟସ୍ତ ହେଉଛୁ ମାଆ. ସେମାନେ ପ୍ରକୃତିର ସନ୍ତୁଳନ ସହ ନିଜକୁ ଠିକ ଠାକ ଚଳେଇ ପାରିବେ. ତୁ ନିର୍ଦିଷ୍ଟ ପକ୍ଷୀଟାକୁ ବା ତୋ ପରିସର ଭିତରେ ଥିବା ସବୁପକ୍ଷୀଙ୍କୁ ପାଣି ଦେଉଛୁ ସତ କିନ୍ତୁ ଲକ୍ଷ ଲକ୍ଷ ପକ୍ଷୀ ଅଛନ୍ତି ଓ ପ୍ରକୃତିରେ ବଞ୍ଚିବା ଆପେ ଆପେ ଶିଖିଯାଇଛନ୍ତି ତ ନାତି ବାବା ଭଳି ନାତୁଣୀ ଡୁଗୁ ଆକାଶରେ ଉଡୁଥିବା ଇଂରାଜି ଅକ୍ଷର ଭି ପରି ଉଡୁଥିବା ପକ୍ଷୀଙ୍କୁ ଦେଖେଇ ଦେଇ କୁହେ ଦେଖ ଆଈ ସେମାନେ କେତେ ବିଜ୍ଞାନ ଜାଣିଛନ୍ତି ବୋଲି ସମୂହ ଭାବେ ଭି ସେଫରେ ଉଡି ଏକତ୍ରିତ ହୋଇ ଉଡିବାରେ ପଥକଷ୍ଟ ଭୁଲିଯାଉଛନ୍ତି. ମଝିରେ ଥିବା ପକ୍ଷୀ ଦଳପତିଟିର କଥା ମାନିବା ସହ ସମସ୍ତେ ଯେପରି ରାସ୍ତା ଦେଖି ଚିହ୍ନି ଠିକ ଠାକ ଉଡି ପାରିବେ ସେହିପରି ଉଡୁଛନ୍ତି. ନାତୁଣୀ ମୁଣ୍ଡ ଆଉଁସି ସ୍ୱାତି କହନ୍ତି ତୁ ବଡ ହେଲେ ପକ୍ଷୀ ବିଶେଷଜ୍ଞ ହୋଇ ଚିଲିକାରେ କେତେ ପକ୍ଷୀ ଓ କୋଉଠୁ ସବୁ ଆସିଛନ୍ତି ତଥା ତାଙ୍କ ସଂଖ୍ୟା ଗଣନା କରିବାକୁ ଯିବୁ ନିଶ୍ଚୟ.

  ଡୁଗୁ କହୁଥିଲା ନା ଆଈ.ମୁଁ ପରା ପ୍ରଥମ ପକ୍ଷୀଡାକ୍ତର ହେବି. ପଶୁଡାକ୍ତରମାନେ ପକ୍ଷୀ ସେବା କରୁଥିଲେ ମଧ୍ୟ ଖାସ ପକ୍ଷୀମାନଙ୍କ ପାଇଁ ଡାକ୍ତର କେହି ନାହାଁନ୍ତି ବୋଲି ମୁଁ ଭାବିଛି ପକ୍ଷୀଡାକ୍ତରଟିଏ ହୋଇ ତାଙ୍କ ସେବା କରିବି. ଖରା,ବର୍ଷା, ଶୀତ, କାକରରେ ଛିଡି ଯାଉଥିବା ପକ୍ଷ କିପରି ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ରହିପାରିବ ସେହି ପାଠ ପଢ଼ିବି. ଡୁଗୁ କଥା ଶୁଣି ଏଇ ଏଇ ସ୍କୁଲ ଯାଉଥିବା ନାତୁଣୀଟା କେତେ ଭାଷା ଓ ଶବ୍ଦ ପ୍ରୟୋଗ କରିପାରୁଛି ଦେଖି ଚମକି ପଡିଲା ବେଳେ ସ୍ୱାତିଙ୍କୁ ତାଙ୍କ ଝିଅ କହୁଥିଲା ସେଇଥିପାଇଁ ତୁମ ବେଳ ଛବିଳ ବର୍ଣ୍ଣବୋଧ ବହିର ମଲାଟ ଥିଲା ଅଲଗା ଆଉ ଏବେର ପରିବର୍ତ୍ତିତ ମଲାଟ ଦେଖିଲୁଣି ମାଆ?ସ୍ୱାତି ଚମତ୍କୃତ ହୋଇ କହୁଥିଲେ ହଁ ଲୋ ଝିଅ ଆମେ ତ ଭାଗ୍ୟବାନ ପିଲାରେ ଗୀତଟିର ମଧ୍ୟ ନୂତନ ସଂସ୍କରଣ ହେବା ଉଚିତ. ଏ ଡିଜିଟାଲ ଯୁଗରେ.

   ଏତିକି ବେଳକୁ ସ୍ୱାମୀ କହିଥିଲେ ଟିକେଟ ହୋଇସାରିଛି ଆମକୁ ଫେରିବାକୁ ହେବ ଗାଁକୁ. ପୁଅର ପୁଅ ବାବା ଯେମିତି କାନ୍ଦି କାନ୍ଦି ଗୁଲୁ ଗୁଲୁ କରି ତା ଅଳ୍ପ ଭାଷାରେ କହୁଥିଲା ଜେଜେକୁ ମାଡ଼ଅର୍ଥାତ ଜେଜେ କାହିଁକି ଜେଜେମାଆଙ୍କୁ ନେଇ ଚାଲିଯିବେ କହୁଛନ୍ତି ସେମିତି ଡୁଗୁ ମଧ୍ୟ କାନ୍ଦୁଥିଲା ଆଉ କହୁଥିଲା ଆଈ ଥାଆନ୍ତୁ ତୁମେ ଘରକୁ ଯାଅ ତ ଅଜା କହୁଥିଲେ ତୋ ଆଈର ସେଠି କେତେ ପିଲା. ଆଈ ସେଠିକୁ ଗଲେ ସେମାନଙ୍କ ପାଇଁ ପାଣି ଓ ଭାତ ତଥା ଚାଉଳ ଥୋଇବ ତ ଡୁଗୁର ଉତ୍ତର ଥିଲା ହଁ ମୁଁ ଜାଣିଛି ଆଈ ମତେ ଓ ବାବାକୁ ଯେମିତି ଭଲପାନ୍ତି ପକ୍ଷୀମାନଙ୍କୁ ମଧ୍ୟ ସେମିତି ଭଲପାଆନ୍ତି . ସେ ପରା ପକ୍ଷୀମଣିଷ. ସେଇ ବିଷୟରେ ଲେଖି ମୋ ଆଈ କବିତା ଆସରରେ ସମ୍ବର୍ଦ୍ଧିତ ହେବା କଥା ବି ଜାଣିଛି. ଆରେ ବାପରେ ତୁ ଖୁବ ବଡ଼ ହୋଇଗଲୁଣି ତେବେ, କହି ଅଜା ହସିଲା ବେଳେ ଆଈ ସଜାଡୁ ଥିଲେ ଟ୍ରଲି ବ୍ୟାଗ.

  ଗାଁରେ ପହଁଞ୍ଚି ଆଗ ଛାତକୁ ଦଉଡି ଗଲେ ସ୍ୱାତି. ପାଣି ଓ ଚାଉଳ ଥୋଇବାକୁ ହେବ. ଏଡ଼େ ଖରାରେ ଜଳ ତଳକୁ ଚାଲିଯିବଣି ନା ହେଲେ ଜଳ ସ୍ତର ଯେମିତି ସେମିତି ଥିଲା. କେହି ପକ୍ଷୀ ପାଣି ପିଉନଥିଲେ, ନା ଅଦିନିଆଁ ମେଘରେ ପାଣିପାତ୍ରରେ ଜଳପୂର୍ଣ୍ଣ ହୋଇଛି ବୁଝିବା ପୂର୍ବରୁ କାଉଟି ଉଡି ଉଡି ଆସୁଥିଲା ଦୂରରୁ ତ ପାଣିଲୋଟା ବଦଳେଇ ସଜ ସ୍ୱଚ୍ଛ ପାଣି ମୁନ୍ଦେ ଭରୁଥିଲେ ପାତ୍ରରେ ସ୍ୱାତି. ପୁଅ ଝିଅଙ୍କ କଥା କାନରେ ଗୁଞ୍ଜରିତ ହେଲା ବେଳେ କାଉ ଥଣ୍ଟ ବୁଡେଇ ପାଣି ପିଇ ଚଳିଥିଲା ସତେ ଯେପରି ବହୁ ଦିନରୁ ଶୋଷ ହେଉଥିଲା ପକ୍ଷୀଟାକୁ.


Rate this content
Log in

Similar oriya story from Abstract