ପ୍ରେମ ତୁଳସୀ
ପ୍ରେମ ତୁଳସୀ
ହରିକୁ ପରିଶ୍ରମ ବାଧେ ନାହିଁ. ତିନି ଭାଇରେ ବଡ଼ ହରି. ତଳକୁ ତଳ ଦୁଇ ଭାଇ ନରି ଓ ମୁରାରୀ. ସମସ୍ତେ ବାହାଚାରୋ. ସମସ୍ତଙ୍କର ଦୁଇଟି ଲେଖାଏଁ ସନ୍ତାନ. ଭରା ଭରା ଘର ଦେଖି ହରିର ଛାତି କୁଣ୍ଢେମୋଟ. ବାପା ପିଲାବେଳେ କହିଥିବା ଗପଟି ମନେ ରଖିଛି ହରି. ଜୈନିକ ବାପା କେମିତି ନିଜ ତିନି ପୁଅଙ୍କୁ ପାଖକୁ ଡାକି କହିଥିଲେ ଆମ ବିଲରେ ମୁଁ ସୁନା ଗରା ପୋତି ରଖିଛି. ମୋ ମୃତ୍ୟୁ ପରେ ସେହି ସୁନା ଗରା ଖୋଳି ଭାଇମାନେ ଖୁବ ଭଲରେ ଚଳିବ କହି ବାପା ସିନା ଚାଲିଗଲେ କିନ୍ତୁ ବାପାଙ୍କ କଥା ମନେରଖି ଅଳସୁଆ ତିନି ପୁଅମାନେ ଜମି ଖୋଳି ଖୋଳି ବେଦମ ହେଲେ ମଧ୍ୟ ସୁନା ଗରା ପାଇନଥିଲେ. ପଡୋଶୀ ମାନେ ଓ ବୟସ୍କଲୋକେ ଚେତେଇ କହିଲେ ଆରେ ଜମି ହିଁ ଆମ ଭାତ ହାଣ୍ଡି ତଥା ସୁନା ଗରା. ଖୋଳି ତ ସାରିଛ, ଧାନ ବୁଣିଦିଅ ଦେଖିବ ସୁନା ଗରା କଣ ସୁନା, ହୀରା, ଲୀଳା, ମୋତି, ମାଣିକ ଭରା ଗରା ପାଇଯିବ. ଭାଇ ତିନିହେଁ ସେହିପରି କରି ମାଟି ମାଆ ବକ୍ଷରେ ସୁନା ଫଳାଇଚାଲିଲେ. ଆଜି ସେହି ଗପ ଅନୁଯାଇ ପୈତୃକ ଜମିରେ ଶ୍ରମ ଢାଳି କର୍ମ କରି ଚାଲିଛି ହରି. ହସୁଛି କ୍ଷେତ.ଫଳୁଛି ସୁନା. ଭରା ଭରା ଘର ଦେଖି ପୁରୁଛି ପେଟ. ତାର ଷୋଳ ବରଷର ପୁଅ ତା ସହ ମାଟି ମାଉଁସ ହୋଇ ଖଟିଲା ବେଳେ ଅନ୍ୟ ଦୁଇଭାଇ ଆରାମ ଅୟସ କରୁଥାଆନ୍ତି. ଏଣିକି ଏଣିକି ଦେହ ସହେ ନାହିଁ ତା ସ୍ତ୍ରୀ ରୂପାର. ସେ କହେ ସମସ୍ତଙ୍କ ପିଲାମାନେ ପାଠ ପଢୁଥିଲା ବେଳେ ମୋ ପୁଅ ପାଠ ନପଢି ତୁମ ସଙ୍ଗେ ଏଇ ବୟସରୁ ଚାଷ କାମ କରୁଛି ବାଧୁନି ତୁମକୁ? ହରି ଏକାନରେ ପୁରେଇ ସେକାନରେ ଛାଡିଦିଏ କଥାଟା. କେତେ ସହିବ ରୂପା!ଦିଅରମାନେ ଗୋଡ଼ ଉପର ଗୋଡ଼ ପକେଇ ଆରାମ କରୁଥିଲା ବେଳେ ସ୍ୱାମୀ ତାର ହଳ ଲଙ୍ଗଳ ଯୋଚେ. ଖାଲି ସେତିକି ନୁହଁ, ଶୀତ ଦିନିଆ ଝଡି ପାଗରୁ ଧାନକୁ ଖଳା ବାରିରୁ ବେଙ୍ଗଳା ପକେଇ ରାତି ସାରା ସ୍ୱାମୀ ସହ ଅନିଦ୍ରା ହେଲା ବେଳକୁ ଦୁଇ ଦିଅର ଟିଭି ଦେଖୁଥାନ୍ତି କବାଟ କିଳି.ପୁଣି ସକାଳେ ଟିକେ ଶୋଇପଡିବାକୁ ମଧ୍ୟ ଫୁରସତ ନଥାଏ ରୁପାକୁ.ଝିଆରୀ ପୁତୁରା ସ୍କୁଲ ଯିବେ. ସବୁ ପିଲାଙ୍କ ଅଳି ଅର୍ଦଳି ବୁଝି ଦିଅରମାନଙ୍କୁ ସକାଳ ଜଳଖିଆ ଦେଲାବେଳକୁ ରୂପା କରିଥିବା ଉପମା ସେଦିନ ଅଳ୍ପ ଲାଗିଯାଇଥିଲା ଅର୍ଥାତ ପୋଡା ଗନ୍ଧ ଆସୁଥିଲା ତ ମଝିଆଁ ଜାଆ ଚିହିଁକି ଉଠିଲା. ସାନ ଜାଆ କଥାରେ କଥା ଯୋଡି ଦେଇ କହୁଥିଲା ବାନ୍ଧିକି ରଖିଛ କାହିଁକି? ଛାଡ଼ି ଦେଲେ ଆମେ ଖୁବ ଭଲରେ ଖାଇ ପିଇ ଚଳିବୁ. କଥାଟା ସେଦିନ ହଜମ ହେଲାନି ହରିଆକୁ ଯେବେ ମଝିଆଣୀ ବୋହୁ କହୁଥିଲା ଛାଡ଼ିବେ କେମିତି?ଆମ ପରି ତାଙ୍କର ତ ମାସିକ ଦରମା ନାହିଁ ନା? ସହଜେ ଜମିବାଡି ଏକୁଟିଆ ବୁଝି ମାମଲତକାରୀ ହେବା ରହିବନି ନା. ସାହିପାରିବା ସୀମା ଲଙ୍ଘି ସାରିଥିଲା ତ ଦୁଇ ପଦ କହିଦେଲା ହରି.
ରାତି ସାରା ଗୋଠେ ଗାଇ.. ସକାଳକୁ ମୋଟେ ନାହିଁ ଭଳି ଭରା ଭରା ଘର ଖାଲି କରି ନରି ଓ ମୁରାରୀ ସପରିବାର ଚାକିରୀ ଜାଗାକୁ ଫେରିଗଲେ ପିଲାଛୁଆ ସଂସାର ସହ. ହରି ମନ କୋଉ ବୁଝେ? ଚାଉଳ, ବିରି, ମୁଗ, କୋଳଥ ଧରି ହାଜର ହୁଏ ଭାଇମାନଙ୍କ ଘରେ ପୁଣି ମାଣଧାନ ଜାଉଖିଆ , ମାଣବସା, ବାପା ବୋଉଙ୍କ ଶ୍ରାଦ୍ଧକୁ ଗାଁକୁ ଆସିବା ଦୂରର କଥା ଆହୁରି ଦେଖେଇ ଶିଖେଇ ଦୁଇ ଜାଆ କେତେ କଥା କହୁଥାନ୍ତି ରୂପାକୁ . ସବୁ ଫସଲ ତ ଖାଉଛନ୍ତି କରନ୍ତୁ. ବୁଝନ୍ତିନି ଗାଁର ଚାଳଘର ଛପର କେମିତି ହେବ, ଯନ୍ତାଳ, ଧାନରୁଆ, ତଳିରୁଆ, ଧାନକଟା କେମିତି ହେବ? ପୁଣି ବନ୍ଧୁବାନ୍ଧବ ଗଲାଆସିଲା, ଗୁଆ ବେଭାର କେମିତି ଦିଆଯିବ,ବରଂ ସେମାନଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ଆଳ ଦେଖେଇ କହନ୍ତି ତାଙ୍କ ପୁଅ ସିନା ପାଠ ପଢୁଥିଲେ ଜାଣନ୍ତେ. ବହୁତ କଷ୍ଟ ହୁଏ ରୂପାକୁ. ଏ ସନ ପୁଅକୁ ପାଠ ପଢେଇବାକୁ ଜିଦ କରେ ତ ହରି କହୁଥାଏ ନିଶ ଉଠା ପାଠ ଛତୁ ଫୁଟା କାଠ ପରି. ହେଲେ ରୁପାର ଏକାଜିଦ ତା ପୁଅ ଗୋବିନ୍ଦକୁ ଯେମିତି ହେଲେ ପାଠ ପଢେଇବ. ଗାଁ ସ୍କୁଲ ସାର କହିଛନ୍ତି ବହୁତ ପିଲା ଆଧାରୁ ପାଠ ଛାଡ଼ି ଆସି ପୁଣି ପଢୁଛନ୍ତି, ଗୋବିନ୍ଦର ସବୁ ଦାଇତ୍ୱ ଆମର. ନରିର କାର କିଣା ଯିବ ବୋଲି ନରି ତା ଭାଗ ଜମି ବିକି ତା ଭାଗ ପଠେଇବାକୁ କହିଛି ଆଉ ମୁରାରୀର କମ୍ପାନୀ ଚାକିରୀ ତେଣୁ ସହରରେ ତାକୁ ତା ପଇସା ନିଅଣ୍ଟ.ତେଣୁ ତା ଭାଗ ଜମି ପଇସା ତାକୁ ଦେଲେ ସେ ଟଙ୍କା ଡିପୋଜିଟ କରି ବ୍ୟାଙ୍କରୁ ସୁଧ ପାଇ ଚଳିବାକୁ ଚାହେଁ ଶୁଣି ରୂପା ତା ବେକ, କାନ, ହାତର ସୁନାଖଡୁ ଖାଲି କରି ସ୍ୱାମୀ ହାତକୁ ବଢ଼େଇ ଦେଇଥିଲା ବିକ୍ରୀକରି ତାଙ୍କ ଭାଗ ସବୁ ଦେଇଦିଅ କିନ୍ତୁ ଶାଶୁ ଶଶୁରଙ୍କ ଇଛା ବିରୁଦ୍ଧରେ ଯାଇ ଜମି ବିକ୍ରୀ କର ନାହିଁ.
ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ନରି ସସ୍ପେଣ୍ଡ ହେଲା ଚାକିରୀରୁ. ମୁରାରୀ ଛଟେଇ ହେଲା କମ୍ପାନୀରୁ କାରଣ ଅଳସୁଆ ଲୋକଙ୍କୁ ବହିଷ୍କାର କରି କର୍ମଠ ଲୋକମାନଙ୍କୁ କମ୍ପାନୀ ସ୍ଥାୟୀ କରୁଥିଲା. ଭାଇକୁ କହିବାକୁ କାହାର ସାହାସ ନଥିଲା ସତ ହେଲେ କଥାଟା ଦାଣ୍ଡେ ପଡି ହାଟେ ଗଡ଼ିଲାପରେ ନିଜେ ହରି ଯାଇ ସେମାନଙ୍କୁ ନେଇ ଆସିଥିଲା ଗାଁକୁ. ତାଗିଦ କରିଥିଲା ସ୍ତ୍ରୀ ରୂପାକୁ ଯେମିତି ଭାଇମାନଙ୍କୁ କି ଭାଇବୋହୁମାନଙ୍କୁ କାଟିଲା ପରି ବା ବାଧିଲା ପରି କେବେ ବି ପଦେ ନକୁହେ ସେ କାରଣ ବାପାଙ୍କ ଅନ୍ତେ ସେ ବଡଭାଇ, ବାପାଙ୍କ ପରି. ଭରା ଭରା ଘର ଦେଖିବାରେ ହିଁ ତାର ଆନନ୍ଦ. ସବୁ ଶୁଣିନେଇଥିଲେ ସାନ ଦୁଇ ଭାଇ ନରି ଓ ମୁରାରୀ ତ ବଦଳି ଯାଇଥିଲେ.ମାଟିମାଆ କର୍ଷଣରେ ସାହାୟକ ହେଉଥିଲେ ବଡଭାଇକୁ ତ ଜାଆମାନେ ମଧ୍ୟ ରୂପାଙ୍କ ସହିତ ହାତବଟେଇ ନେଉଥିଲେ ଘର କାମରେ.
ଗୋବିନ୍ଦ ସ୍କୁଲରେ ବହୁତ ଭଲ ପଢି ମାଟ୍ରିକ ଟପ୍ପର ହେଲା. ଘେରିଗଲେ ସାମ୍ବାଦିକ ଭାଇମାନେ ଓ ପଚାରିଲେ ବଡ଼ ହେଲେ କଣ ହେବ?ଗୋବିନ୍ଦର ଉତ୍ତର ଥିଲା ଭରା ଭରା ଘର ପରିବାର ଦେଖିବା ପାଇଁ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେବି. ସରକାରୀ ଚାକିରୀ କରିବ କି ନାହିଁ? ମିଳିଲେ କରିବି କିନ୍ତୁ ସଚୋଟ ରହିବି. କମ୍ପାନୀ ଚାକିରୀ କରିବକି ନାହିଁ?କର୍ମ ମୋର କର୍ତ୍ତବ୍ୟ ତେଣୁ ଆଗକୁ ଉଚ୍ଚ ଶିକ୍ଷା ପାଇବା ପରେ ଯେଉଁ ଚାକିରୀ ମିଳିବ କରି ଘର ପରିବାରକୁ ବାପାଙ୍କ ଭଳି ଏକାଠି ରଖିବି କହିଥିଲା ଗୋବିନ୍ଦ. ଗୋବିନ୍ଦର ଉତ୍ତର ସମସ୍ତଙ୍କୁ ମୁଗ୍ଧ କରିଥିଲେ ମଧ୍ୟ ଦାଦା ଦୁହିଁଙ୍କୁ ବା ଖୁଡିମାନଙ୍କୁ ହଜମ ହୋଇନଥିଲା. ଗୋବିନ୍ଦ କାହାକୁ ଆକ୍ଷେପ କରି କହିନଥିଲା ସତ କିନ୍ତୁ ବଡ ଦାଦା ନରି ଭାବୁଥିଲା ସରକାରୀ ଅର୍ଥ ଆତ୍ମସାତ କରି ତା ଚାକିରୀ ଚାଲିଯିବାରୁ ଗୋବିନ୍ଦ ଏପରି କହୁଛି. ସାନ ଦାଦା ମୁରାରୀର ଅଳସୁଆ ଗୁଣରୁ ତାକୁ କମ୍ପାନୀର ଏମ. ଡି ଚାକିରୀରୁ ବହିଷ୍କାର କରିଥିଲା ତ ସେ ମଧ୍ୟ ଗୋବିନ୍ଦ କଥାର ମାର୍ମିକ ମୂଲ୍ୟବୋଧ ପ୍ରସଙ୍ଗ ବୁଝି ନପାରି ଦେହକୁ ନେଲା କଥା. ଫଳରେ ଦାଦା ଦୁହେଁ ଅଲଗା ହେଲେ ଭାଇଠୁ. ସେଇ ଗୋଟିଏ ଘରେ ତିନିଟା ଚୁଲି ଜଳିଲା. ଦୁଇ ଦାଦା ନିଜ ନିଜ ଭାଗ ଜମି ବିକି ପଇସା ନେଇଯାଇଥିବାରୁ ଏଣିକି ବିଲ ବା ଜମିର ଭାଗ ମଧ୍ୟ ନେଉନଥିଲେ. ବାପା ହରି, ପୁଅ ଗୋବିନ୍ଦ ଉପରେ ଭୀଷଣ ବିରକ୍ତ ହେଉଥିଲେ କିନ୍ତୁ ଗୋବିନ୍ଦ ବୁଝିପାରୁନଥିଲା ତାର ଭୁଲ କେଉଁଠି??
ଏଣିକି ହରି ବହୁତ ପରିଶ୍ରମ କରୁଥିଲା. ଗୋବିନ୍ଦର ଉଚ୍ଚ ଶିକ୍ଷା ପାଇଁ ସେ ତାକୁ କାମରେ ସାହାଯ୍ୟ କରିପାରୁନଥିଲା. ଗୋବିନ୍ଦର ବୋଉ ରୂପା ମଧ୍ୟ ଯାବତୀୟ କାମ ସାଙ୍ଗକୁ ଗାଈ ଗୋରୁ ସେଵା କରିବା ଦ୍ୱାରା ଦିନକୁ ଦିନ ଦୁର୍ବଳ ହୋଇପଡୁଥିଲା. ଗୋବିନ୍ଦ ପିଲାଦିନୁ ବୋଉର ସୁନା କାନଫୁଲ ବେକର ସୁନାହାର ଓ ହାତର ସୁନାଖଡୁ ବାପାଙ୍କୁ ଦେଇ ବିକ୍ରୀ କରି ଦୁଇ ଭାଇଙ୍କ ଜମି ଭାଗ ପଇସା ଦେବା କଥା ଭୁଲିନଥାଏ. ତାର ଗୋଟିଏ ଇଛା ବୋଉ ହାତ, କାନ ଓ ବେକ କେମିତି ପୁଣି ପୁରି ଉଠିବ ସୁନାରେ ତେଣୁ ସେ ବହୁତ ମନ ଲଗାଇ ପାଠ ପଢି ହାକିମ ହେଲା. ବାପା ହରି ତାକୁ ଅନୁନୟ କରି ବଡଦାଦାର ପଡିରହିଥିବା କେଶଟିକୁ ଫଇସଲା କରିବାକୁ କହିଥିଲେ. ଗୋବିନ୍ଦ ମୂଳ ସହ ସୁଧ ଜମା ପୈଠ କରି ବଡଦାଦା କେଶ ସମାଧାନ କରିଥିଲା. ତା ସହିତ ସାନଦାଦା କମ୍ପାନୀରେ ଥିବା ତା ସାଙ୍ଗ ବର୍ତ୍ତମାନ ମ୍ୟାନେଜିଙ୍ଗ ଡାଇରେକ୍ଟରଥିବାରୁ ତାକୁ କହି ସାନଦାଦା ଚାକିରୀ ମଧ୍ୟ ଫେରିପାଇଥିଲେ ଓ ପରିବାର ପୁଣି ଯୋଡି ହୋଇ ଯାଇ ଘର ଭରା ଭରା ଲାଗୁଥିଲା. ଏଥର ବୋଉ ପାଇଁ କିଛି କରିଦେବାକୁ ଚାହିଁଲା ବେଳେ ଭଉଣୀ ବାହାଘର ଓ ତା ପଛକୁ ପଛ ଦୁଇ ଦାଦାଙ୍କର ଦୁଇ ଝିଅ ବାହାଘର ପଡିବାରୁ ଗୋବିନ୍ଦର ବୋଉ ପାଇଁ ଭାବନା ସେମିତି ଭାବନାରେ ରହିଗଲା.
ସବୁ ଜଞ୍ଜାଳ ପ୍ରାଏ ସରିଗଲା ପରେ ଗୋବିନ୍ଦ ଯେବେ ବୋଉ ପାଇଁ ସୁନା କାନଫୁଲ, ହାର ଓ ଖଡୁ ଆଣିଥିଲା ତାକୁ ବୋଉ ତା ବୋହୁ ଅର୍ଥାତ ଗୋବିନ୍ଦ ସ୍ତ୍ରୀକୁ ସବୁ ଉପହାର ଆକାରରେ ଦେଇ ସାରିଥିଲା. ଗୋବିନ୍ଦ ଠାରୁ ସବୁ ଶୁଣି ତା ସ୍ତ୍ରୀ ଯେବେ କହିଥିଲା କି ଏହି ବର୍ଷ ଯେମିତି ହେଲେ ବୋଉଙ୍କ ପାଇଁ ନୂଆ ଗହଣା କିଣିଦିଅ. ସବୁ ପ୍ରସ୍ତୁତି କଲାବେଳକୁ ବାପା ହରି ବାଧିକା ପଡିଲେ ଓ କିଛି ଦିନ ପରେ ଆରପାରିକୁ ଚାଲିଗଲେ. ଭରା ଭରା ଘର ଭିତରେ ବୋଉର ଶୁନ୍ୟ ହାତ, କାନ ଓ ବେକକୁ ଦେଖି ଗୋବିନ୍ଦ ମନ କଣ ହେଇଯାଉଥିବା ବେଳେ ବୋଉ ଏଣିକି ବେକରେ ତୁଳସୀ ମାଳ ଓ ହାତରେ ରୁଦ୍ରାକ୍ଷ୍ୟମାଳ ଧରି ଦେବୀଟିଏ ପରି ଦେଖାଯାଉଥିଲା. ସ୍ତ୍ରୀ ମାଧୁରୀ ସମ୍ଭାଳି ନେଉଥିଲା ଗୋବିନ୍ଦକୁ ।
,

