ଚଉକି
ଚଉକି
ସାହିତ୍ୟ ଦିଦି ଅନୁ ଙ୍କ ଭାବନା ଅନୁଯାୟୀ ଗଳ୍ପ କହିଲେ କିଛି ସତ ଓ କିଛି ମିଛ କୁ ଫେଣ୍ଟି ପୁଣି ତାକୁ ଭାବ ରେ ସଜେଇ ପ୍ରକାଶ କରିବାର ଶୈଳୀ ଛଡା ଆଉ କଣ ହୋଇପାରେ ଯେ!ହଁ ହୋଇପାରେ କିଛି ଅଙ୍ଗେ ନିଭା କଥା ବା ଅନୁଭବ କି ଅନୁଭୂତି କି ଅନୁରାଗ ର କଥା. ଏଠି ଆଖି ଦେଖିଥିବା କଥାଟିଏ. ସେ ଥିଲେ ଜଣେ ଅବସର ପ୍ରାପ୍ତ ଶିକ୍ଷକ. ଦୁଇ ପୁଅ ଓ ଦୁଇପୁଅଙ୍କ ମଝିରେ ଗୋଟେ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର. ସେହି ସଂସାରରେ ପଡୋଶୀ ଅନୁ ବୋଲି ସ୍ତ୍ରୀ ଲୋକ ଜଣେ ବାନ୍ଧି ହୋଇଯିବାର କାରଣ ଥିଲେ ସାର. ସେ ଥିଲେ ଅନୁଙ୍କ ସ୍ୱାମୀଙ୍କ ସାର ତେଣୁ ଏମିତିରେ ସାର ଓ ତାଙ୍କ ସ୍ତ୍ରୀ ମାଉସୀ ସମ୍ପର୍କରେ ବାପା ମାଆ ବା ଶାଶୁ ଶଶୁର ତୁଲ୍ୟ ଥିଲେ ବି ଅନୁ ଯେହେତୁ ନିଜେ ଶିକ୍ଷୟିତ୍ରୀ ଥିଲେ ସାର କହୁଥିଲେ ବୋହୁ ନୁଁହଁ ବରଂ ଗୁରୁମା ବୋଲି ଡାକିବି ତୁମକୁ. ଗୁରୁମା ଡାକ ସ୍ୱତନ୍ତ୍ର ଅଟେ କହି ନିଜେ ସାଦା ପାନ ଖଣ୍ଡେ ଖାଇ ଅନୁଙ୍କୁ ବଢ଼େଇ ଦିଅନ୍ତି ସାଦା ପାନ ଖଣ୍ଡେ. ଓଃ କି ମିଠା ସେ ପାନ!ସେଇ ପାନ କଣ ଖାଇହୁଅନ୍ତା ସାରଙ୍କ ଠାରୁ ଯଦି ସେ ଗୁରୁମା ଡାକୁନଥାଆନ୍ତେ ଅନୁଙ୍କୁ!ସାର ଗୋଟେ ନିର୍ଦ୍ଦିଷ୍ଟ ଚଉକି ରେ ବସି କହନ୍ତି ବୁଝିଲ ଗୁରୁମା ଏଇଟା ମୋ ଜେଜେଙ୍କ ଚଉକି. ଶିଶୁ କାଠରେ ତିଆରି ଦେହ ସାଙ୍ଗକୁ ବସିବା ସ୍ଥାନଟି ଧଳା ପ୍ଲାଷ୍ଟିକ ତାର ବୁଣା ଚଉକିଟିର ଆକୃତି ତଥା ଗଠନ ଯେମିତି ସୁନ୍ଦର ସେମିତି କଳା ରଙ୍ଗର ଚିକ୍କଣ ଶରୀର ରେ ଧଳା ପ୍ଲାଷ୍ଟିକ ତାର ବୁଣା ଦେହ ଖୁବ ଆକର୍ଷଣୀୟ. ପ୍ରାୟେ ସ୍କୁଲରୁ ଆସିଲା ପରେ ଅଳ୍ପ ଅଳ୍ପ ଘର କାମ ସାରିଦେଇ ଅନୁ ଆକର୍ଷିତ ହୁଅନ୍ତି ସାରଙ୍କ ଘର ଆଡକୁ. ସାରଙ୍କ ହାତଭଙ୍ଗା ପାନ କି ସେହି ଆଭିଜାତ୍ୟପୂର୍ଣ୍ଣ ଚଉକି ର ଦର୍ଶନ ର ମୋହ କେଜାଣି ଅନୁ ପ୍ରାୟେ ଯାଆନ୍ତି ସାରଙ୍କ ଘରକୁ. ଫେରିଲା ବେଳେ ପାଟିରେ ଥିବା ପାନ ଦେଖି ପୁଅ ଝିଅ ଦୁହେଁ ବେଢ଼ିଯାଆନ୍ତି ଅନୁଙ୍କ ଦୁଇପଟେ. ଆମ ପାଇଁ ଆଣିନୁ କହି ସିଠାକୁ ଛଡେଇ ନେବାକୁ ଉଦ୍ୟତ ହୁଅନ୍ତି ତ ଅନୁ କହନ୍ତି କାଲି ମାଗିଆଣିବି ସାର ଙ୍କ ଘରୁ ପାନ.
ସାର ସେଇ ଚଉକି ଓ ଚୌକିରେ ବସୁଥିବା ତାଙ୍କ ଜେଜେଙ୍କ କଥା ଭିତରେ ଅନୁଙ୍କୁ ମିଳିଯାଏ ଅନେକ ପ୍ଲଟ, ଘର କରିବାକୁ ନୁଁହଁ ବରଂ ଗଳ୍ପ ଲେଖିବାକୁ. ଶୁଣିବାକୁ ଭଲ ଲାଗେ ସେହିସବୁ ଦର୍ଶନ ଓ କଥନ. ସାରଙ୍କ କିଛି ସମୟ ବିତିଯାଏ ଆଉ ଅନୁଙ୍କୁ ମଧ୍ୟ ମିଳିଯାଏ କିଛି କିଛି ଖୋରାକି. ଯେମିତି ପାନ ଖାଇ ପାନ ଆଣିବାକୁ ହୁଏ ପିଲାଙ୍କ ପାଇଁ ମାଗିକି. କି ସୁନ୍ଦର ଛୋଟ ଛୋଟ ଖିଲ ପାନ ଭାଙ୍ଗି କରି ଦିଅନ୍ତି ସାର ନିଜ ହାତରେ କିନ୍ତୁ ଦାନ୍ତ ପୋକ କାଟିବ ପିଲାଙ୍କର କହି ସଚେତନ ମଧ୍ୟ କରିଥାନ୍ତି. ସେକଥା ପିଲାଙ୍କୁ କହିବା ଜରୁରୀ ହୁଏ କାରଣ ସବୁବେଳେ ତାଙ୍କ ଘରୁ ପିଲାଙ୍କ ପାଇଁ ପାନ ଆଣିବା ଉଚିତ ନୁଁହଁ. ଅନ୍ୟପକ୍ଷରେ ପିଲାଙ୍କର ଏହି ପାନ ପ୍ରତି ଦୁର୍ବଳତା ହୁଏତ ପିଲାଙ୍କ ନିଶା ରେ ପରିଣତ ହେବ ଭାବି ମନ ଆଶଙ୍କାଗ୍ରସ୍ତ ହୁଏ ଅନୁଙ୍କର . ପିଲାଏ ମଧ୍ୟ ଜେଜେ ବା ଅଜା ତୁଲ୍ୟ ଭାବୁଥିବା ସାରଙ୍କୁ ଖୁବ ମାନନ୍ତି ତଥା ଡରନ୍ତି ତ ଅନୁ ଯେବେ କୁହନ୍ତି ସାର କହୁଥିଲେ ପିଲାମାନେ ଚା କିମ୍ଭା ପାନ ଖାଇବା ଉଚିତ ନୁଁହଁ ତ ଚୁପ ହୋଇଯାଆନ୍ତି ଦୁହେଁ. କଟାଳ କରନ୍ତି ନାହିଁ ସାରଙ୍କ ଘରକୁ ଆମକୁ ନେଇକି ଯା ବା ତାଙ୍କ ଘରୁ ପାନ ଆଣିକି ଆମ ପାଇଁ ଆ. ଏ ଭିତରେ ସାରଙ୍କ ବଡ଼ ପୁଅ ଓ ଝିଅ ବାହା ହୋଇ ସାରିଥିଲେ ଓ ଅନୁଙ୍କ ପଚିଶ ବର୍ଷିଆ ବିବାହ ବାର୍ଷିକୀ ସମ୍ପର୍ଣ୍ଣ ହୋଇ ଦୁଇ ପିଲା ବଢୁଥିବା ଭିତରେ ସାରଙ୍କ ସାନ ପୁଅ ବାହାଘର ହେଲା ଓ ଟିକି ଝିଅଟିଏ ମଧ୍ୟ ହେଲା ତାର ଖୁବ ଶୀଘ୍ର . ନାତୁଣୀକୁ ଜେଜେମାଆ ନୁଁହଁ ବରଂ ଜେଜେ ସମ୍ଭାଳୁ ଥିଲେ. ଏଣିକି ଅନୁଙ୍କର ତାଙ୍କ ଘରକୁ ଯିବା ଆସିବା କମି ଯାଇଥିଲା କିନ୍ତୁ ନାତୁଣୀ କୁ ସାଥିରେ ନେଇ ସାର ଆସୁଥିଲେ ଅନୁଙ୍କ ଘରକୁ . ନାତୁଣୀ ବଢୁଥିଲା ମାସେ ମାସେ ଲେଖାଏଁ.
ହଠାତ ସାର ଗୁରୁତର ହୋଇ ପଡିଲେ. ଏମିତିକି କଟକ କୁ ସ୍ଥାନାନ୍ତର ହେଲେ. ତାଙ୍କ ଖବର ବୁଝିବାକୁ ତାଙ୍କ ଘରକୁ ଯାଇ ଅନୁ ଦେଖିଲେ ନାତୁଣୀ ରାହା ଧରି ଖନେଇ ଖନେଇ ଜେଜେ ଜେଜେ ବୋଲି ଖୋଜିଲେ ଟିକି ଝିଅକୁ ସେହି ଚଉକି ରେ ବସାଇ ଦେଲା ପରେ ତୁନି ପଡୁଛି ଯେମିତି ସାର ତାଙ୍କ ପିଲାଦିନେ ଜେଜେ ଓ ତା ପରେ ପରେ ନାନା ଙ୍କୁ ହରେଇ ସେଇ ଚୌକିରେ ବସି ତୁନି ପଡୁଥିଲେ. ସତକୁ ସତ ସାର କଟକ ରୁ ଘରକୁ ଜୀବନ୍ତ ନୁଁହଁ ବରଂ ମୃତକ ହୋଇ ଫେରିଲେ. ଘର ବାହାର ଚାରିଆଡେ ହାହାକାର. ଅନୁଙ୍କ ଆଖିରୁ ଲୁହ ଶୁଖୁ ନଥିଲା. ଶବବାହକ ଗାଡିରେ ସାର ଶବ ହୋଇ ଗଲାଯାଏଁ ନାତୁଣୀ ତାଙ୍କର ଅବୁଝା ଆଖିରେ ଜଳ ଜଳ ଚାଁହୁଥିଲା. ନନାଙ୍କ ଅତି ପସନ୍ଦ ତଥା ଆଭିଜାତ୍ୟର ଚଉକି ଟା ନନାଙ୍କ ସାଙ୍ଗରେ ସ୍ୱର୍ଗଦ୍ୱାର ଯାଉ ବୋଲି ସାନବୋହୂର କଥାକୁ ସାରଙ୍କ ସ୍ତ୍ରୀ ମାଉସୀ, ବଡ଼ବୋହୁ ଓ ଝିଅ ତଥା ଅନ୍ୟମାନେ ସମର୍ଥନ କରିଥିଲେ ତ ଚଉକି ଟି ମଧ୍ୟ ସ୍ୱର୍ଗଦ୍ୱାର ରେ ଦାହ ହେବାପାଇଁ ନେଇଯିବାକୁ ଦୁଇପୁଅ ଓ ଜୋଇଁ ତଥା ଅନ୍ୟମାନେ ଯେମିତି ଚଉକି ଉଠେଇଛନ୍ତି ସେମିତି ନାତୁଣୀ କାନ୍ଦିଲା ଏମିତି ଯେ ତାକୁ ବୁଝେଇବା ସମ୍ଭବ ହେଲାନି ସେଇ ଚଉକି ରେ ତାକୁ ବସାଇବା ଯାଏଁ. ତ କିଏ କହିଲା ରହୁ ଚଉକି ସନ୍ତକ ହୋଇ ତ କିଏ କହିଲା ଶିଶୁ କାଠର ଚଉକି ନେବା ମଧ୍ୟ ସମ୍ଭବ ନୁଁହଁ. ସମସ୍ତେ କାନ୍ଦୁଥିଲେ ସାର ଙ୍କ ଶେଷ ବିଦାୟ ବେଳାରେ କିନ୍ତୁ ଛୋଟ ନାତୁଣୀ ଚଉକି ଉପରେ ବସି ହସୁଥିଲା. ଚଉକି ଟା ମଧ୍ୟ ଝୁଲୁଥିଲା ନାତୁଣୀ ଆଖିରେ ନିଦ ଆସିବା ଯାଏଁ.
ଅବସର ପ୍ରାପ୍ତ ଶିକ୍ଷକ ବା ଅନୁଙ୍କର ଅତି ଆଦର ଓ ସମ୍ମାନର ସାର ଚାଲିଯିବା ପରେ ତାଙ୍କ ଅତି ସ୍ନେହର ଟିକି ନାତୁଣୀ ଜେଜେ କହିଲେ ସେହି ଶିଶୁ କାଠର ଚଉକିଟାକୁ ହିଁ ବୁଝେ. ଘରେ କେହି ବାରଣ କରନ୍ତିନି. ଜେଜେଙ୍କୁ ଦେଖିବା ଛୋଟ ନାତୁଣୀ ଖୁସିର ମନେ ନାହିଁ କିନ୍ତୁ ତାଙ୍କ ଅନେକ ସନ୍ତକ ଭିତରୁ ଜେଜେଙ୍କ ପୂର୍ବଜ ତାଙ୍କ ନନାଙ୍କ ନନା ବା ଜେଜେ ଓ ନନା ବସୁଥିବା ଓ କାଳକ୍ରମେ ସେ ନିଜେ ସେହି ଚୌକିରେ ବସୁଥିବା କଥା ସମସ୍ତଙ୍କର ମନେଥିଲା.ଆଉ ଖୁସି ଏବେ ହାଇସ୍କୁଲ କୁ ଗଲାଣି. ନବମ ଶ୍ରେଣୀ ଛାତ୍ରୀ ହେଲାଣି ତ ଆପେ ବୁଝିଯିବ ଜେଜେ ଜଣେ ମଣିଷ, ଚଉକି ନୁଁହଁନ୍ତି.ଅନୁ ଏବେ ଖୁସିର ଶ୍ରେଣୀ ଶିକ୍ଷୟିତ୍ରୀ. ଅନୁଙ୍କ ପୁଅ ଝିଅ ବଡ଼ ହୋଇ ଚାକିରୀ କଲେଣି. ସେ ମଧ୍ୟ ଆଉ ଅଳ୍ପ ବର୍ଷ ପରେ ଅବସର ନେବେ.ସେଦିନ ସାହିତ୍ୟ ଦିଦି ଅନୁ ସିଲାବସ ଦେଖି ସେହି ମାସରେ ଲେଖିବାକୁ ଥିବା ତୁମ ଜେଜେଙ୍କ ବିଷୟରେ ରଚନା ଲେଖ ବୋଲି ପିଲାମାନଙ୍କୁ କହିଥିଲେ.ସମସ୍ତ ରଚନା ଖାତା ଦେଇଥିଲେ. ଖୁସି ମଧ୍ୟ ଲେଖିଥିଲା ଓ ଖାତା ଦେଇଥିଲା. ତା ଖାତା ଖୋଲି ତା ରଚନା ପଢି ସ୍ତବ୍ଧ ଓ ଆଚମ୍ବିତ ହୋଇଯାଇଥିଲେ ଅନୁ, ସାହିତ୍ୟ ଦିଦି ତଥା ଶ୍ରେଣୀ ଶିକ୍ଷୟିତ୍ରୀ. ଖୁସି ଲେଖିଥିଲା ମୋ ଜେଜେ ଗୋଟେ ଶିଶୁକାଠରେ ଗଢ଼ା ଶକ୍ତ ଚଉକି. ତାଙ୍କ କୋଳ ରେ ଧଳା ପ୍ଳାଷ୍ଟିକ ତାରରେ ମଜଭୂତ ବୁଣା. ସେଇ ସ୍ଥାନ ମୋର ସବୁଠୁ ପ୍ରିୟ. ଆଉ ଆଗକୁ ପଢି ପାରିଲେନି ଅନୁ. ଖୁସିକୁ ପାଖକୁ ଡାକି ତା ଜେଜେ ଙ୍କ ବିଷୟରେ ସବୁ କହି ଚୌକିଟିରେ ସେ ତାକୁ ଧରି ବସନ୍ତି ଓ ତାଙ୍କ ମୃତ୍ୟୁ ପରେ ଜେଜେ ବଦଳରେ ଜେଜେଙ୍କ ସାତପୁରୁଷି ଚଉକି କୁ ତୁ ସିନା ଘରେ ଜେଜେ ବୋଲି କହିଦେଲେ ଆଜିଯାଏଁ ତତେ କେହି ବାରଣ କରିନାଁହାନ୍ତି କିନ୍ତୁ ତୋ ଜେଜେ ହେଲେ ତୋ ବାପାଙ୍କ ବାପା ଆଉ ତୋ ଜେଜେମାଆଙ୍କର ସ୍ୱାମୀ. ଜିଭ କାମୁଡି ପକେଇ ଖୁସି ବୁଝି ଯାଇଥିଲା ଓ ଆସୁଥିବା ବାର୍ଷିକ ପରୀକ୍ଷା ବା ଅନ୍ୟ ଭାଷାରେ ଜେଜେଙ୍କୁ ଆଉ ଚଉକି ବୋଲି ନଲେଖିବାକୁ ଶପଥ ନେଲା ବେଳେ ଅନୁ ଗୁରୁମା ସାରଙ୍କ ସହ ବିତେଇଥିବା ସ୍ମୃତି ମନେପକାଇ ଦୁଃଖ କରୁଥିବା ବେଳେ ଖୁସିର ରଚନା ଲେଖା ତାଙ୍କୁ ହସର କୋରାଖ ଯୋଗାଇଥିଲା.ବ୍ରାହ୍ମଣ ଘର ଝିଅ ଖୁସି କିନ୍ତୁ ବୁଝିସାରିଥିଲା ଜେଜେ ଅର୍ଥାତ ସେ ତା ନନାଙ୍କର ନନା. ଯାହା ଯୋଗୁଁ ତା ନନା ସଭାରେ ହାରୁନଥିଲେ ଓ ସେ ଥିଲା ବେଳେ ଖୁସିର କାନ୍ଧ ଥିଲେ. ଜେଜେ ଭାରି ସ୍ନେହୀ ତଥା ଅବାଟରୁ ବାଟ ଦେଖାଉଥିବା ପରିବାରର ଶ୍ରେଷ୍ଠ ଲୋକ ଥିଲେ. ସେ ଏଣିକି ପାହାନ୍ତି ସକାଳେ ଜେଜେଙ୍କ ଚଉକି କୁ ନମନ ଅର୍ଥାତ ମୁଣ୍ଡ ନୁଆଁଇ ପ୍ରଣାମ କରିନେଉଥିଲା.
