ଚିଠି
ଚିଠି
ଚିଠିପତ୍ର ସଙ୍ଗେ କାରବାର କରୁଥିବା ଓ ଲୋକେ ତାଙ୍କୁ ଡାକିଆ ମଉସା ବୋଲି ଡାକୁଥିବା ଡାକାଵାଲା ତଥା କାଳୁ ମଉସା ନିଜ ସ୍ତ୍ରୀ ତୁଳସୀ ଙ୍କ ପାଖକୁ ଚିଠିଟିଏ ଲେଖି ଡାକରେ ପଠେଇ ଥଲେ. ସେଥିରେ ସେ ଲେଖିଥିଲେ ଯେ ତୁଳସୀ ଜାଣିବ,ଏ ମାସରେ ଟଙ୍କା ପଠେଇଛି, ବାପାଙ୍କ ପାଇଁ ଚପଲ ହଳେ କିଣିଦେବ.ଶୀତରେ ତାଙ୍କୁ ଖାଲି ପାଦରେ ଚାଲିବାକୁ ଦେବନି.ବୋଉ ପାଇଁ ଭାଗବତ ବହିଟିଏ ମୋ ସାନଭାଇ ପ୍ରଫୁଲ୍ଲ କୁ କହି କିଣି ଆଣିଦେବ.ସେ ସନ୍ଧ୍ୟାରେ ଅଧ୍ୟାୟ ଲେଖାଏଁ ପଢିବ.
ଗାଇ ଗୁହାଳ ଛପର କରାଇନେବ.ବଉଳା ର କଣ ହେଲା ଗାଇ ନା ବଳଦ?ତାକୁ ଘାସ କୁଣ୍ଡା ତୋରାଣି ଉଷୁମ କରି ଦେଉଥିବ. ବାସୁଆ ବଳଦ କୁ ଟିକେ ଭଲ କରି ଚୋକଡ ଚୁନି ପକାଇ ଖାଇବାକୁ ଦେବ.ଆମ ବାଡ଼ିରେ ଲାଗିଥିବା ପରିବା ଗଛରେ ଭଲକରି ସାର ଟିକିଏ ଦେଇଦେବ ଯେ ଭେଣ୍ଡି ଜହ୍ନି କଖାରୁ ଭଲ ଫଳିବ.ଆଉ ମରିଯାଇଥିବା ପିଜୁଳି ଗଛ ସ୍ଥାନରେ ସେପେଟା ଓ ପିଜୁଳି ଗଛ ଦିଓଟି ଲଗାଇଦେବ.ଟୁନା ଆଉ ଟୁନି ପ୍ରତିଦିନ ସକାଳେ ସଂଜେ ପାଠ ପଢା ସାଙ୍ଗକୁ, ଜେଜେ ଜେଜେମା ଗୋଡ଼ ଛୁଉଁଛନ୍ତି ନା ନାହିଁ? ଛେଳି କୁକୁଡ଼ା ଙ୍କ ଯତ୍ନ ନେବା ଶିଖାଉଥିବ ପିଲାଙ୍କୁ.ସେମାନଙ୍କ ହାତରେ ଲେଖି ପଠାଉଥିବା ଚିଠି ମୁଁ ପାଇଛି କିନ୍ତୁ ତୁମେ ନିଜେ ଦୁଇ ଧାଡି ଲେଖିକି ଦେଲେ ମୋ ମନ କୁଣ୍ଢେମୋଟ ହୋଇଯାଆନ୍ତା.ମୁଁ ଗଲାବେଳେ ତୁମ ପାଇଁ କୁମ୍ଭ ପକା ଶାଢ଼ୀ ଆଉ ଝୁମୁକା ଲଗା ପାଉଁଜି ନେବାକୁ ଭୁଲିବିନି. ଘର କଥା ସବୁ ତୁମକୁ ସବୁ ଲାଗିଲା, ରହିଲି , ଇତି ତୁମ ଟୁନା ଟୁନି ବାପା.ସେହି ଚିଠି ପଢି ତୁଳସୀ ପାଠ ଦି ଅକ୍ଷର ପଢିବାକୁ ଚାଁହୁଥିଲା ବେଳେ ସମୟ ଗାଡି ଗଡି ଚାଲିଥିଲା. ପିଲାମାନେ ବଢି ସାରିଥିଲେ.
ଏଣେ ମୁନା ବୋଲି ଛୋଟ ପିଲାଟିଏ.ସବୁଦିନ ଅପେକ୍ଷା କରି ଠିଆ ହୋଇଥାଏ ଡାକଵାଲା ବା ଡାକିଆ ମଉସାଙ୍କୁ. ହାତରେ ଗୋଟିଏ ମାଟିଆ ଖୋଳର ଲଫାପା. ଡାକିଆ ମଉସା ଏଇ କେତେଦିନ ହେବ ଜାଣିସାରିଥିଲେ ପିଲାଟି ଯଦିଓ ତା ଫଉଜି ବାପାଙ୍କ ପାଇଁ କିଛି ସନ୍ଦେଶ ଦେବାକୁ ଚାହେଁ କିନ୍ତୁ ଜାଣିନଥାଏ ପୋଷ୍ଟ ଅଫିସ କୋଉଠି ବା କୋଉ ବକ୍ସରେ କେମିତି ଚିଠି ପକାଅଇବାକୁ ହୁଏ!ତ ଭାବେ ଡାକ ବା ରେଷ୍ଟ୍ରି ଚିଠି ସବୁ ଦେଇଯାଉଥିବା ଡାକିଆ ମଉସା ନିଶ୍ଚୟ ଚିଠି ନେଇଯାଉଥିବେ ସମସ୍ତଙ୍କ ଘର ଘର ବୁଲି. ଆଜିକାଲି ସେ ଯୁଗ ନାହିଁ.ଆଜି ଜନ୍ମ ହେଲା ପିଲା କାଲି ମୋବାଇଲ ନଦେଖିଲେ ଖାଏନି କି ମୋବାଇଲ ଦେଖି ପାପା ପାପା କହି କଥା ହୁଏ ଦୂର ବିଦେଶରେ ଥିବା ପାପା ବା ବାପା ସଙ୍ଗେ.ଏମିତିକି ଡ୍ରଇଁ ରୁମ କି ଗାଧୁଆ ଘରେ ଥିବା ବାପାଙ୍କ ସହିତ . ଏ ପିଲାଟିକୁ ନିଶ୍ଚୟ ମୋବାଇଲ ଠାରୁ ଦୂରରେ ରଖାଯାଇଛି. ଭଲ ସଂସ୍କୃତି ଶିକ୍ଷା ଦିଆଯାଇଛି ଭାବି ଡାକିଆ ମଉସା ଘଡିଏ ହେଉ ବା ଦଣ୍ଡେ ସାଇକେଲ ଠିଆ କରି ପଚାରନ୍ତି ତୋ ନାମ କଣ ପୁଅ? ଏହି ଲଫାପାରେ କଣ ଅଛି? ମୁନା କେବେ କହେ ମୋ ଫଉଜି ପାପା ପାଇଁ ଚିଠି ତ କେବେ କହେ ପିଜୁଳି ପୁଣି କେବେ ଆମ୍ବ ତ କେବେ କହେ ଚକୁଳି. ପାପା ଖାଇବା ସଙ୍ଗେ ସଙ୍ଗେ ମୋ ଦେଶ ଭାରତ ବର୍ଷକୁ ରକ୍ଷା କରୁଥିବା ତାଙ୍କ ସାଙ୍ଗ ସୈନିକ ବି ଖାଇବେ. ଡାକିଆ ଭାଇ ହୃଦୟ ଭିତରୁ ଦୀର୍ଘନିଶ୍ୱାସଟିଏ ବାହାରି ଆସେ. ପିଲାଟିକୁ ଦେଖି ମାୟା ଜାଗେ. ଅନ୍ତର ଭିତରେ ମୋହ ଜାଗେ ତ ସେ ଦେଇଥିବା ଲଫାପାଟିକୁ ନେଇ ଚାଲିଯାଏ ଡାକିଆ ଭାଇ. ଖାଦ୍ୟ ଜିନିଷ ସିନା ଫୋପାଡ଼ି ଦିଅନ୍ତି ଡାକିଆ ମଉସା କିନ୍ତୁ ପିଲାଟି ଲେଖିଥିବା ନିଜ ହସ୍ତାକ୍ଷର ଚିଠି ଗୁଡିକୁ ସାଇତି ଦେଇଥାନ୍ତି.ସମୟ କ୍ରମେ ତାଙ୍କ ନିଜ ପୁଅକୁ ପାଠ ପଢ଼େଇ ସେ ନିଜ ଗାଁ ସ୍କୁଲରେ ଗୁରୁଜୀ ହେବାକୁ ଭାବିବା ବେଳକୁ ପୁଅର ଏକା ଜିଦ ସେ ଦେଶ ରକ୍ଷକ ହେବ କହି ଫୌଜିରେ ଭର୍ତ୍ତି ହେଲା. ଗଲା ଯେ ଗଲା ଆଉ ଫେରିଲାନି. ଆଉ ଏଠି ଏ ଟିକି ପୁଅ ମୁନା ତା ବାପା ଓ ବାପାର ସାଙ୍ଗ ଫଉଜି ବା ସୈନିକ ମାନଙ୍କ ପାଇଁ ପଠାଉଥିବା ବିନା ଠିକଣା ଲେଖା ଲଫାପାସବୁକୁ ନେବାକୁ ସେ କେମିତି ମନା କରନ୍ତେ ? ଦିନେ ପଚାରିଦେଇଥିଲେ ମୁନା ବାବୁ ତୁମେ ଚିଠିରେ କଣ ଲେଖିଛ ବାପାଙ୍କୁ?ଏଥର ମୋ ପାଇଁ ନାଲି ରଙ୍ଗର ସୋଏଟର ଆଣିବାକୁ ଲେଖିଛି.
ସେଦିନ ଡାକିଆ ଭାଇଙ୍କ ସାଇକେଲ ଘଣ୍ଟି ଟିନଟିନ ବାଜୁଥିଲା ତ ମୁନା ଦୌଡ଼ି ଆସିଲା. ଡାକିଆ ବାବୁ କହିଲେ ଏଇ ନିଅ ମୁନା ବାବୁ ତୁମ ପାପା ତୁମ ପାଇଁ ନାଲି ରଙ୍ଗର ସୋଏଟର ପାର୍ସଲ କରି ମୋ ହାତରେ ପଠାଇଛନ୍ତି. ପିଲାଟି ଡାକ ପକାଇଲା ବୋଉ ଏ ବୋଉ ଦେଖିବୁ ଆ ମୋ ପାଇଁ ପାପା ସୋଏଟର ପଠାଇଛନ୍ତି ଦେଖ. ଭିତରୁ ମୁନାର ବୋଉ ପାଟିକରି କହୁଥିଲେ ତତେ କେତେ ଥର କହିଲିଣି ମୁନା ଯେ ବାପା ଆମ ଦେଶ ରକ୍ଷା କରିବାକୁ ବହୁ ଦୂର ବିଦେଶ ଯାଇଛନ୍ତି. ସେଠୁ ସେ ଫେରିବା ବେଳକୁ ତୁ ବଡ଼ ହୋଇଯାଇଥିବୁ. ଏତେ ଦୂରରୁ ତୋ ପାଇଁ ନାଲି ରଙ୍ଗର ସୋଏଟର ପଠାଇବା ସମ୍ଭବ ନୁହେଁ. ଏଇ ଦେଖୁନୁ ପାର୍ସଲ, ପାପା ପଠେଇଛନ୍ତି. ମୁନାର ବୋଉକୁ ଦେଖି ଚମକି ପଡିଲେ ଡାକିଆ ବାବୁ.ତା ବୋଉ ହାତରେ ଶଙ୍ଖା କି ଚୁଡ଼ି ନଥିଲା, ମଥାରେ ସିନ୍ଦୁର ବି ନଥିଲା. ପିନ୍ଧିଥିଲା ଧଳା ଶାଢ଼ୀ. କାନ୍ଦି ପକେଇଲେ ଡାକିଆ ବାବୁ.ସେ ଭାବିଥିଲେ ଛୋଟ ପୁଅ ମୁନାକୁ ସୋଏଟର ଦେଇ ସେ ଚମକେଇ ଦେବେ କିନ୍ତୁ ସେ ନିଜେ ବାଘ ଦେଖିଲା ଭଳି ଚମକି ପଡ଼ିଥିଲେ ଓ କହିଲେ ମୋ ପୁଅ ମଧ୍ୟ ଗଲା ଯେ ଆଉ ବାହୁଡ଼ିଲା ନାହିଁ. ତା ମାଆକୁ ଏଯାଏଁ ମୁଁ ବୁଝେଇ ପାରିନି.ତୁମେ ମୁନାକୁ କେମିତି ବୁଝେଇଛ ଭଉଣୀ?ମୁନା କହୁଥିଲା ତୁ କାନ୍ଦନା ବୋଉ ଡାକିଆ ମଉସା ମୋ ପାପାଙ୍କୁ କହେଦେବେ ଯେ ସେ ଶୀଘ୍ର ଫେରିଆସିବେ ଦୂର ବିଦେଶରୁ. ଡାକିଆ ମଉସାଙ୍କ ଆଖିରେ ଆଖିଏ ଲୁହ ନେଇ ଫେରି ପଡ଼ୁ ପଡ଼ୁ କହୁଥିଲେ କାଲି ପାପାଙ୍କ ପାଖକୁ କଣ ଦେଵ ରଖିଥିବ ମୁନାବାବୁ ମୁଁ ଆସି ନେଇଯିବି. ଡାକିଆବାବୁ କିନ୍ତୁ ତା ପରଠୁ ଆଉ ସେ ଗଳିରେ କେବେ ଆସିବାର କେହି ଦେଖିନାହାଁନ୍ତି. ମୁନା ଏ ଭିତରେ ବଡ଼ ହୋଇ ବୁଝିଯାଇଥିଲା ତା ପାପା ଶହୀଦ ହୋଇଯାଇଛନ୍ତି. ମୁନା ବୋଉ କାହାର ସାଇକେଲ ଘଣ୍ଟି ବାଜିବା ଶୁଣିଲେ ଦଉଡି ଆସନ୍ତି କାଳେ ଡାକିଆ ଆସିଥିବେ କିନ୍ତୁ ଡାକିଆ ମଉସା କାହିଁ ଆସୁନାହାଁନ୍ତି ବୋଲି ମୁନାର ପ୍ରଶ୍ନରେ ମୁନା ବୋଉଙ୍କ ଆଖିରୁ ଝରିପଡ଼େ ଦୁଇ ଟୋପା ଅଶ୍ରୁ.
ସେଦିନ ଫୌଜି ମୁନା କଫି ପିଉଥାଏ କାଫେରେ. ସୈନିକ ଜୀଵନରେ ଟିକେ ଫୁରୁସତ ନଥିଲେ ମଧ୍ୟ ସମୟ କାଢି ବୋଉ ପାଖକୁ ନିଶ୍ଚୟ କଥା ହୁଏ ଦିନକୁ ଥରେ. ମାଆ ମନ କିନ୍ତୁ ବୁଝେନା ବୋଉର.ସେ ଫୋନ କରୁଥାଏ ବେଳ ଅବେଳରେ. ସେଥିପାଇଁ ମୁନା ଯଦିଓ ଉପରକୁ ବିରକ୍ତ ହୁଏନାହିଁ,ଭିତରେ କିନ୍ତୁ ଖୁବ ରାଗିଯାଏ. ପୁଣି ନିଜେ ନିଜେ ନିଜ ମନକୁ ବୁଝାଏ ମାଆ ମନ.କଥାରେ ଅଛି ଯାହା ପୁଅକୁ ସାପ କାମୁଡି ଥାଏ, ତା ମାଆ ପାଳ ଦଉଡି ଦେଖିଲେ ଡରେ. ଅର୍ଥାତ ଦଉଡି ମଧ୍ୟ ସେହି ମାଆଟିକୁ ସାପ ପରି ପ୍ରତୀୟମାନ ହୁଏ.ମୁନା ମଧ୍ୟ ତା ବୋଉକୁ ଅନେକ ଥର କହିଲାଣି ତୁ ମୋ ପାଖକୁ ଯେମିତି ଚିଠି ଲେଖୁ ସେମିତି ଚିଠି ଲେଖେ ବୋଉ . ଫୋନ କଲେ ସବୁସମୟରେ ଫୋନ ଧରି ହେଉନି ବରଂ ଚିଠି ପଢିବା ସହ ସେଇ ଚିଠି ସ୍ପର୍ଶରେ ତୋ କୋଳରେ ଶୋଇଥିବାର ଅନୁଭବ ହେବ ମତେ. ପ୍ରେରଣା ମଧ୍ୟ ମିଳିଯିବ. ବୋଉ କିନ୍ତୁ ଏବେ ଲେଖିପାରୁନି. ତା ଦେହ ମଧ୍ୟ ଭଲ ରହୁନି ତ ତେଣୁ ଫୋନ କରୁଛି.ଏମିତି ସବୁ ଭାବିଲା ବେଳେ ବୋଉର ଫୋନ ଆସିଲା ତ କାଫେ ଭିତରୁ ବାହାରି ଟିକେ ନିରୋଳା ଜାଗାକୁ ଯାଇ ମୁନା ମାଆ ସଙ୍ଗେ କଥାବାର୍ତ୍ତା କରୁ କରୁ କାଫେ ଭିତରୁ ଢ଼ୋ କରି ଏକ ପ୍ରଚଣ୍ଡ ଶବ୍ଦ ସହ କାଫେ ଜଳୁଥିଲା. ତାରି ପରି ଅନେକ ସୈନିକ କଫି ପିଉ ପିଉ ଶତ୍ରୁପକ୍ଷଙ୍କ ଅତର୍କିତ ଆକ୍ରମଣରେ ଶହୀଦ ହୋଇଗଲେ ହେଲେ ବୋଉର ଫୋନ ଯୋଗୁଁ ସେ ବଞ୍ଚିଯାଇଥିଲା ସିନା ସେହି ଶବ୍ଦ ଶୁଣିବା ଆତଙ୍କରେ ମାଆ ଦୁନିଆଁ ଛାଡିଦେଇଥିଲା ସେପଟେ . ମୁନାକୁ ଛୁଟି ମିଳିନଥିଲା. ଦେଶ ମାଆ ତଥା ମାଟିମାଆ ପାଇଁ ପ୍ରାଣବଳୀ ଦେବାକୁ ଶପଥ କରିଥିବା ମୁନା କିନ୍ତୁ ନିଜ ମାଆ ବୋଉ ପାଇଁ ଚାକିରୀରୁ ଇସ୍ତଫା ନେଇ ଗାଁ ମାଟିକୁ ଫେରୁଥିଲା.ବୋଉକୁ ମଶାଣୀରେ ଦାହ କରି କାନ୍ଦୁ କାନ୍ଦୁ ମୁନା ଦେଖିଲା ଟିକେ ଦୂରରେ ବୁଢାଲୋକ ଜଣେ ତଳକୁ ମୁଣ୍ଡ ପୋତି କାନ୍ଦୁଛନ୍ତି. ମୁନା ପାଖକୁ ଯାଇ ଦେଖିଲା ଓ ଚିହ୍ନିଲା.ଏ ବ୍ୟକ୍ତି ସେଇ ଡାକିଆ ମଉସା ଯିଏ ତା ଲେଖା ଚିଠି ସବୁକୁ ନେଇଯାଉଥିଲେ ତା ଶହୀଦ ହୋଇଯାଇଥିବା ବାପାଙ୍କୁ ଦେବାକୁ. ପିଲାଦିନେ ସେ ବୁଝିନଥିଲା ଶହୀଦଙ୍କ ଅର୍ଥ. ମାଆ କହୁଥିଲେ ବାପା ତୋର ଦେଶର ସେବା କରିବାକୁ ବହୁ ଦୂର ଚାଲିଯାଇଛନ୍ତି. ତୁ ମନ ଦେଇ ପାଠ ପଢିଲେ ସେ ଫେରିଆସିବେ. ସେ ପାଠ ପଢିଲା ସତ ବାପା କିନ୍ତୁ ଆଉ ଫେରିନଥିଲେ. ବାପାଙ୍କ ପାଖକୁ ସବୁଦିନ ଲେଖୁଥିବା ଚିଠି ସବୁକୁ ଡାକିଆ ମଉସା ନେଇ ତାକୁ ଭରସା ଦେଉଥିଲେ. ବିଶ୍ୱାସରେ ଶତ କଦମ୍ବ ଫୁଟାଉଥିଲେ. କିନ୍ତୁ ଯୋଉଦିନ ଜାଣିଲେ ତା ବାପା ଠିକ ତାଙ୍କ ପୁଅ ପରି ଦେଶ ରକ୍ଷା କରିବାକୁ ଯାଇ ଶହୀଦ ହୋଇଯାଇଛନ୍ତି, ଭାଙ୍ଗିପଡ଼ିଥିଲେ ସେ. ତଳୁ ଉଠେଇଲା ମୁନା ତାଙ୍କୁ. ଏଣିକି ଡାକିଆ ମଉସାଙ୍କର ସବୁକିଛି ମୁନା. ମୁନା ଯେବେ ଦୁଃଖ କରୁଥିଲା ଦେଶ ସେବାରୁ ବଞ୍ଚିତ ହୋଇଛି ବୋଲି ସେତେବେଳେ ଡାକିଆ ମଉସା କହନ୍ତି ଜନ୍ମଭୂମି ତଥା ଜନ୍ମମାଟିରେ ପିତା ମାତାଙ୍କ ସ୍ମୃତିରେ ଗାଁରେ ରହି ପିତା ମାତାଙ୍କ ସ୍ବପ୍ନ ପୁରଣ କରିବା ମଧ୍ୟ ଦେଶ ସେବା. ମୁନା ବୁଝିଯାଏ ଯେ ତା ପିଲାଦିନର ଡାକିଆ ମଉସାଙ୍କୁ ସାହାରା ଦେଇ ସେ ଠିକ କରିଛି. ପୁତ୍ର ଶୋକ ତଥା ପୁତ୍ର ବିୟୋଗ ପରେ ପତ୍ନୀ ତୁଳସୀ ମାଉସୀ ଙ୍କ ଶୋକରେ ମ୍ରିୟମାଣ ଡାକିଆ ମଉସା ଆଜି ମୁନାର ଡାକିଆ ଅଜା ପାଲଟି ଯାଇଛନ୍ତି. ପ୍ରାରବ୍ଧ କର୍ମଫଳ ଭୋଗୁଛି କହି ଦୁଃଖରେ ଭାଙ୍ଗି ପଡୁଥିବା ଡାକିଆ ଅଜା ଆଜି ମୁନା ପାଇଁ ପୁଣି ବଞ୍ଚିବାର ଇଛାଶକ୍ତି ଫେରିପାଇଛନ୍ତି. ଡାକିଆ ଅଜା କହୁଥିଲେ ଏ ଜନ୍ମର କର୍ମ ଫଳ ଏଇ ଜନ୍ମରେ ହିଁ ଭୋଗ ହୁଏ ମୁନା. ମୋ ବାପା ତାଙ୍କ ସମସ୍ତ ପେନସନ ଟଙ୍କା ମୋ ନିଜ ମୃତ ସାନଭାଇ ର ସ୍ତ୍ରୀ ଓ ପିଲାଙ୍କ ପାଇଁ ଖର୍ଚ୍ଚ କରିଦେଉଥିବାରୁ ମୁଁ ତାଙ୍କ ଶବ ସଂସ୍କାର ବେଳେ ଉପସ୍ଥିତ ହେବାକୁ କୁଣ୍ଠାବୋଧ କରିଥିଲି. ତେଣୁ ଏ ଜନ୍ମରେ ମତେ ପୁତ୍ର ଓ ପତ୍ନୀ କଷ୍ଟ ଭୋଗିବାର ଥିଲା.ପଛରେ ଅନୁତାପ କରି ମାଆକୁ ପାଖରେ ରଖି ତାର ଯାବତୀୟ ମନୋସ୍କାମନା ପୁରଣ କରିଥିଲି ବୋଲି ତୋ ପରି ପୁଅ ତଥା ନାତି ପାଇଛି. ମୁନା କହୁଥିଲା ତେବେ ମୋର କୋଉ ପାପ କର୍ମ ପାଇଁ ମୁଁ ମୋ ପିତା ମାତାଙ୍କୁ ହରେଇଲି ଅଜା?ଅଜା କହିଲେ ସେଇଟା ତୋର ପାପ ନୁହେଁ. ପୁତ୍ରକୁ ବସେଇ ପିତା ମାତା ଆଗ ଚାଲିଯିବା ଏକ ସୁକୃତ ପୁଣ୍ୟ ସ୍ୱରୂପ ଫଳ. ଏହା କହି ନିଜ ମାଆଙ୍କର ଶେଷ ଚିଠି କାଢି ଡାକିଆ ଅଜା ମୁନା ହାତକୁ ବଢ଼େଇ ଥିଲେ ଯୋଉ ଚିଠିରେ ଲେଖାଥିଲା ପିତା ମାତାଙ୍କ ସୁକୃତରୁ ପୁତ୍ର ହୁଏ ସୁଖୀ.. ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି. ସେ ଚିଠି ସହିତ ମୁନା ପିଲାଦିନେ ତା ଶହୀଦ ବାପାଙ୍କ ପାଖକୁ ଲେଖିଥିବା ସମସ୍ତ ଚିଠି ମଧ୍ୟ ଥିଲା ଏବଂ ତା ସହିତ ଡାକିଆ ଅଜାଙ୍କ ଫୌଜି ପୁଅ ଟୁନାର ଶେଷ ଚିଠି ମଧ୍ୟ ଥିଲା.ଟୁନି ବାହାଚୋରା ହୋଇ ଭଲରେ ଥିଲା. ଏବେ ବାପା ଓ ମୁନାଭାଇ କୁ ଫେରିପାଇ ସେ ସବୁ ଦୁଃଖ ଭୁଲି ଯାଇଥିଲା.
,,,,,,,,,,,,,,,,,,,,,,,,
