STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

କିଏ କାହାର 

କିଏ କାହାର 

3 mins
0


ଏମିତି କେହି ନଥିବେ ଯିଏ ପିଲାଦିନେ ଏଇ ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ... ତୁମର ଆମର ନାଲି ପଇଁଚ ଗୀତଟିକୁ ଗାଇନି କି ଚକା ଚକା ଭଉଁରୀ ଖେଳିନି!ଚକା ଚକା ଭଉଁରୀ ଗୀତଟିରେ ମାମୁଁ ମତେ ମାଇଲେ.. ମାଇଁ ମତେ ଦୁଧ ଭାତ ଖୋଇଲେ ବୋଲିଗୀତରୁ ଗୀତର କଥାଟିରୁ ଜଣାପଡେ ମାମୁଁ ଯେତେ ମିଛିମିଛିକା ରାଗିଲେ ମଧ୍ୟ ମାଇଁ ସତସତିକା ଗେଲ କରନ୍ତି. ମାନି ମଧ୍ୟ ଦେଖିଛି ଆଗରୁ ମାଇଁ କେତେ ଭଲ ପାଉଥିଲେ ଓ ବୋଉଙ୍କୁ ନେଇକି ଛୁଟିରେ ଆସିଥିଲେ ଭଲ ହୋଇଥାଆନ୍ତା କହୁଥିଲେ ତ ମାନି ର ସ୍ବପ୍ନ ସତ ହୋଇଯାଏ. ବୋଉ ସଙ୍ଗେ ମାମୁଁଘର ବୁଲାର ମଜା କିଛି ନିଆରା. ବୋଉ ସିନା ତା ବାପା ବୋଉ ନାଁହାଁନ୍ତି କହି ମାନିକୁ ଏକୁଟିଆ ମାମୁଁ ଘରକୁ ପଠେଇଦିଏ କିନ୍ତୁ ଅଜା ଆଈଙ୍କୁ ଦେଖିନଥିବା ମାନି ଭାବେ ମାମୁଁମାଇଁ ଦୁହେଁ କେତେ ଭଲ. ବୋଉଟା ମିଛେଇ କହେ ମୋ ବାପା ବୋଉ ଭଳି କଣ ଭାଇ ଭାଉଜ ହୋଇପାରିବେ!ପିଲାମନ ମାନିର ବୁଝେନା. ବୋଉ କଥାରେ ମୁଁହଁ ଉପରେ ପ୍ରତିବାଦ ନକଲେ ମଧ୍ୟ ଭିତରେ ଭାବୁଥାଏ ବୋଉ ପାଇଁ କଣ ସତ ସେ ଜାଣିଥିବ କିନ୍ତୁ ତା ପାଇଁ ପୃଥିବୀ ଜାକର ଖୁସି ମାମୁଁ ମାଇଁ ହିଁ ଦେଇପାରନ୍ତି.
   ଏବେ ଯେବେ ନଡ଼ିଆ ଗଛରୁ ନଡ଼ିଆ ପାରୁ ପାରୁ ଗୋଡ଼ ଖସି ବାପା କୋଉ ଆରପୁରକୁ ଚାଲିଗଲା ତ ବୋଉ କହିଥିଲା କାନ୍ଦେନା. ବାପା ପୁଣି ଫେରିବାକୁ ବହୁତ ଦିନ ଲାଗିବ. କିଛି ଦିନ ପରେ ବୋଉ ଯେବେ ତାକୁ ନେଇ ସବୁଦିନ ପାଇଁ ମାମୁଁ ଘର ଚାଲିଆସିଲା ସେ ଖୁବ ଖୁସି ହୋଇଯାଇଥିଲା. ନଫେରୁ ବାପା ଜଲଦି. ଡେରିରେ ଫେରିଲେ ଭଲ. ସେତିକି ଦିନ ତ ସେ ମାମୁଁ ଘରେ ଖୁସିରେ ରହିପାରିବ ଓ ମାଇଁ ଙ୍କ ମିଠା ମିଠା କଥା ଶୁଣିପାରିବ ଭାବି ଖୁସି ତାର ଦିନ କେଇଟା ପରେ ଦୁଃଖରେ ପରିଣତ ହେଲା. ବୋଉ ଘରଟା ଯାକର କାମ କଲାବେଳେ ମାନି ପ୍ରଥମରୁ କିଛି ଭାବୁନଥିଲା କିନ୍ତୁ ବୋଉର କାହିଁକି ପେଟ ଫୁଲୁଥିଲା ସେ ବୁଝିପାରୁନଥିବା ବେଳେ ଏଣିକି ମାଇଁ ବୋଉକୁ ହସ୍ପିଟାଲ ନେବା ବା ଡାକ୍ତର ଦେଖେଇବା ପରିବର୍ତ୍ତେ ଗାଳି ଦେଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା. କାହାର ନାଇଁ କାହାର ଛୁଆ ପେଟରେ ପୁରେଇ ବାପ ଘରକୁ ଆସି ଭାଇ ଭାଉଜଙ୍କ ନାଁ ଗାଁ ପକେଇବା କଣ ଉଚିତ କହି ମାଇଁ ଯେବେ ସେଦିନ ବୋଉକୁ କହୁଥିଲେ ଅବୁଝା ମାନି ରାତିରେ ବୋଉକୁ ପଚାରିଥିଲା ତୋ ପେଟ ଫୁଲିଛି ଡାକ୍ତର ନଦେଖେଇ ମାଇଁ ତତେ ଏତେ କାମ କରେଇ ପୁଣି ଗାଳି କାହିଁକି ଦିଅନ୍ତି. ବୋଉ କହିଥିଲା ଆଉ କିଛି ଦିନ ପରେ ତୋ ବାପା ମୋ ପେଟରୁ ତୋ ଭାଇ କି ଭଉଣୀ ହୋଇ ବାହାରିବେ. ସେକଥା ମାଇଁଙ୍କୁ ପସନ୍ଦ ନୁଁହଁ. ମାନି କିଛି ବୁଝିନାପାରିଲେ ବି ଏଣିକି ତାକୁ ଆଉ ମାମୁଁଘର ଭଲ ଲାଗୁନଥିଲା. ପିଲାଦିନେ ପାଚିଲା ପଣସ ବୋତି ଉପରେ ମାମୁଁ ହାତ ମୁଠା ବୁଲେଇ ପୁଳେ ମାଛି ମୁଠାରେ ମୁଠେଇ ଆଣି ତାକୁ କହୁଥିଲେ ଦେଖିବୁ ଆ. ବୁଦ୍ଧିଆଣୀ ଜାଲ ବୁଣି କରିଥିବା ବସା ଭିତରେ ସେହି ମାଛି ସବୁକୁ ପକେଇଲା ବେଳେ କେତେ ଉଡିଯାଆନ୍ତି ଆଉ ଯିଏ ଜାଲରେ ପଡେ ତାକୁ ବୁଢ଼ୀଆଣୀ ଜାଲ ଗୁଡେଇ ବାନ୍ଧିରଖିବା ଦେଖି ମାମୁଁ ଙ୍କ ସଙ୍ଗେ ମାନି ମଧ୍ୟ ଖୁବ ହସେ. ଏବେ ତାକୁ ଲାଗୁଥିଲା ସେ ନିଜେ ମାଛି ହୋଇ ବୁଢ଼ୀଆଣୀ ଜାଲରେ ପଡିଛି. ବୋଉ ବୁଝେଇଦିଏ ରହ. ତୋ ବାପା ତୋ ଭାଇ ଭଉଣୀ ରୂପେ ଆସିଯାଆନ୍ତୁ କୋଳକୁ ମୋର ଆମେ ଚାଲିଯିବା.
    ସେଦିନ ମାମୁଁ ମାଇଁ ବୋଉକୁ ଡାକ୍ତର ଖାନା ନେଇଗଲେ. ମାନି ଖୁସି ହେଲା. ମାମୁଁ ମାଇଁ ପୁଣି ତା ପିଲାଦିନ ଭଳି ହେଇଗଲେଣି. ବଦଳିଗଲେଣି ବୋଲି ଭାବୁ ଭାବୁ ବୋଉ ପାଣି ପାଣି ବୋଲି କହୁଥିଲା ତ ମାନି ବୋଉକୁ ପାଣି ଆଣିଦେବାକୁ ଗଲାବେଳେ ମାମୁଙ୍କ ଶୋଇବା ଘରୁ ମାମୁଁ ମାଇଁ ଙ୍କୁ କହୁଥିବାର ଶୁଣିଲା ଆଲୋ ଆଉ କେଇଟା ଦିନର କଥା. ନାନୀର ପୁଅ ହେବ ବୋଲି ଡାକ୍ତର କହିଛନ୍ତି. ତାକୁ ଆମେ ରଖିନେଇ ନାନୀ ଓ ତା ଝିଅକୁ ତାଙ୍କ ଘରକୁ ବିଦା କରିଦେବା. ନାନୀର ପୁଅ କଣ ହେବ!ବଡ଼ ହୋଇ ବାପା ପରି ନଡ଼ିଆ ଗଛରେ ଚଢି ନଡ଼ିଆ ପାରିବ. ମାଆ ଭଉଣୀଙ୍କୁ କେତେ କରିବ କି ନଡ଼ିଆ ପଇସାରେ!ଆମ ପାଖେ ରହିଲେ ପାଠ ପଢି ବାବୁ ହେବ. ଏସବୁ ଶୁଣି ମାନିକୁ ଥକ୍କା ଲାଗିଲା. ଏବେ ତାର ନିଜ ବାପା କଥା ଖୁବ ମନେପଡୁଥିଲା. ପାଠ ଡି ଅକ୍ଷର ପଢିଲେ ସବୁ ଜାଣିବୁ ଓ ବୁଝିବୁ କହୁଥିବା ବାପାକୁ ସେ ଭୁଲ ବୁଝିଥିଲା. ସେଦିନ ମାଆ ପାଟିରେ ପାଣି ଦେଇ ମାନି କହୁଥିଲା ତୁ ପାରିବୁ ମାଆ. ମନବଳ କଲେ ମୋ ହାତ ଧରି ଘରଯାଏଁ ପହଁଞ୍ଚି ପାରିବୁ. ସକାଳେ ମାନି କି ନାନୀ କେହି ଘରେ ନଥିଲେ.


Rate this content
Log in