କୁହୁକ ପାହାଡ଼
କୁହୁକ ପାହାଡ଼
ରାଣୀ ଘର ପାଖ ସ୍କୁଲରେ ପାଠ ପଢେ. ଖୁବ ଭଲ ପଢେ ବୋଲି ସ୍କୁଲର ସାଙ୍ଗସାଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବାପା ମାଆ ତାକୁ ଖୁବ ଭଲ ପାଆନ୍ତି.ରାଣୀ ଅଳ୍ପରେ ସନ୍ତୁଷ୍ଟ ରହେ. ସେଥିପାଇଁ ବାପା ତାକୁ ଖୁବ ଭଲ ପାଆନ୍ତି. ସେ କେବେହେଲେ ଦାମିକା ଖେଳନା ପାଇଁ ଜିଦ ଧରେନା କି ଅଳି କରେନା. ବାପା ତାର ନିଜ ହାତରେ ତିଆରି କରିଥିବା ବଗିଚାରେ ପନିପରିବା, ଫୁଲ ସହ ବଡ଼ ବଡ଼ ଗଛ ସବୁ ଲଗେଇଥାନ୍ତି. ପିଜୁଳି, ଆମ୍ଭ, ପଣସ, ସେପେଟା, ଜାମୁକୋଳି ଆଦି ଅନେକ ଫଳ ଓ କୋଳି ଗଛ ଥାଏ. ବାପା ଯେବେ ସଜନା ଗଛ ଅଠାରେ ନଡ଼ିଆ ଗଛର କଅଁଳିଆ ଖଡ଼ିକାକୁ ଇନ୍ଦ୍ରଧନୁ ପରି ବଙ୍କେଇ ସମାଜ ତଥା ନାଲି ନେଳି କାଗଜ ଦେଇ ଗୁଡ଼ି ତିଆରି କରନ୍ତି ରାଣୀ ଖୁବ ଖୁସି ହୋଇ ତା ଗୁଡ଼ି ନେଇ ପାହାଡ଼ ପାଦ ଦେଶକୁ ଚାଲିଯାଏ ଓ ଡାକୁଥାଏ ବା...ପା, ବୋ... ଉ ପୁଣି ଜ.... ଗା ତ ସେହି ଶବ୍ଦ ଗୁଡିକ ପ୍ରତିଧ୍ୱନିତ୍ବ ହୋଇ ପୁଣି ଫେରିଆସିଲେ ତାକୁ ଖୁବ ଆନନ୍ଦ ଦିଏ ସେ ଧ୍ୱନି ଏବଂ ସେ ଭାବୁଥାଏ ପାହାଡ଼ରେ ଖୁବ କୁହୁକ ଅଛି .ଏବେ ସେ ପ୍ରାୟେ କଣ ସବୁବେଳେ ଏହି କୁହୁକ ପାହାଡ଼ ଦ୍ୱାର ଦେଶରେ ଠିଆ ହୋଇ ନିଜ ବାପା, ମାଆ ଓ ଗ୍ରାମବାସୀ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷାକର୍ମୀ ମାନଙ୍କ ସହ ସାଙ୍ଗ ସାଥିମାନଙ୍କ ନାମ ଧରି ଡାକିବା ସହ ସେମାନେ ସବୁ ଭଲରେ ଥାଆନ୍ତୁ କହେ ତ ତାହା ସବୁ କୁହୁକ ପାହାଡରେ ପ୍ରତିଧ୍ୱନିତ୍ବ ହେଉଥାଏ.
ସେଦିନ ସ୍କୁଲ ର ବଡ଼ ଗୁରୁମା ତା ମାଆଙ୍କୁ ଡକେଇ ପଠେଇ ଥିଲେ ସ୍କୁଲକୁ ତ ରାଣୀ ଡରିଗଲା. ସେ କେବେ ସ୍କୁଲ ଯିବା ବନ୍ଦ କରିନାହିଁ କି କାହାର କିଛି କ୍ଷତି ହେଲାଭଳି କାମ କରିନାହିଁ. ଜମିଥିବା ବର୍ଷା ପାଣିରେ ରଫ ଖାତାରୁ କାଗଜ ଚିରି ଡ଼ଙ୍ଗା ମଧ୍ୟ ଭସାଇନାହିଁ ବରଂ ଅନ୍ୟାକେହି ସେମିତି କରୁଥିଲେ ସେମାନଙ୍କୁ ବାରଣ କରିଛି. କେବେ କୋଉ ସାଙ୍ଗକୁ ମାରିନାହିଁ, କୋଉ ସାଙ୍ଗ ଯେତେ ବି ଦାମିକା ବା ସୁନ୍ଦର ଜିନିଷ ଆଣିଲେ ସେ ଲୋଭ କରିନି କି ଚୋରୀ କରିନି. କାହାକୁ କେବେ ମାରିନି ବରଂ ସାଙ୍ଗ ସାଙ୍ଗ ଭିତରେ କଳି କତରାଳ ହେଉଥିଲେ ସେମାନଙ୍କୁ ବୁଝେଇ ସେଥିରୁ ନିବୃତ୍ତ କରିଛି. କାହାର ନୂଆ କଲମ କି ପେନସିଲ ବା କମ୍ପାସ ବା ଛତା ଅବା ବର୍ଷାତି ମଧ୍ୟ ଚୋରୀ କରିବା ଦୂରେ ଥାଉ ଘାଣ୍ଟିନି. ତେବେ ବଡ଼ଗୁରୁମା କଣ ପାଇଁ ତା ମାଆକୁ ଡାକିଛନ୍ତି ଭାବି ରାଣୀକୁ ଜର ଆସିଯାଇଥିବା ବେଳେ ମାଆ କହିଥିଲେ ତୁ ମୋର ତଥା ବାପାଙ୍କର ଏବଂ ଏ ଗ୍ରାମର ସବୁଲୋକଙ୍କର ସୁନଝିଅ. କାହା ବାଡ଼ିରୁ ପିଜୁଳି ବା ଆମ୍ବ ଚୋରୀ କରିନୁ, ମିଛ କହିନୁ କି କେବେ ଭଲ ଜିନିଷ ପାଇଁ ଅଳି କରିନୁ ବରଂ ରଜରେ ବାପାଙ୍କ ହାତ ପ୍ରସ୍ତୁତ ଗୁଆ ଖୋଳପା ପିନ୍ଧି ଭଲ ଚପଲ ପାଇଁ ଯିଦ ନକରି କୁହୁକ ପାହାଡ଼ ପାଦ ଦେଶରେ ଦୋଳି ଖେଳୁ ଖେଳୁ ବନସ୍ତେ ଡାକିଲା ଗଜ.. ମୋ.... ଭାଇ ମୁଣ୍ଡରେ ସୁନାମୁକୁଟ ଲୋ... ଦୋଳି ହେଲା କଟମଟ, ଡାକୁ ଡାକୁ ବା ଗୀତ ଗାଉ ଗାଉ ରାଣୀର କୁନି ଭାଇ, ରାଜା ଜନ୍ମ ହୋଇଛି.
ରାଜାକୁ ଛାଡି ଘରେ ବାପାଙ୍କ ପାଖରେ ରାଣୀର ବୋଉ ରାଣୀକୁ ନେଇ ଡରି ଡରି ସ୍କୁଲରେ ପହଁଚିଲେ. ବାହାରେ ରାଣୀକୁ ଛାଡି ବଡଗୁରୁମାଙ୍କ ଅଫିସ ଭିତରକୁ ଯାଇ ତାଙ୍କୁ ନମସ୍କାର କରୁ କରୁ ସେ ଚେୟାରରୁ ଉଠି କୁଣ୍ଢେଇ ପକେଇ କହିଲେ ଆପଣଙ୍କ ଝିଅ ଅଠାନବେ ପ୍ରତିଶତ ରଖି କ୍ଲାସରେ ଫାଷ୍ଟ ହେବା ସହ ତିନି ରଥ ଯଥା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷରେ ତିନି ଠାକୁର ଯଥା ବଡଠାକୁର ଜଗନ୍ନାଥ, ମାଆ ସୁଭଦ୍ରା ଓ କାଳିଆ ଠାକୁର ଜଗନ୍ନାଥଙ୍କ ସୁନ୍ଦର ଚିତ୍ର ଆଙ୍କି ଜିଲ୍ଲାରୁ ରାଜ୍ୟ ସ୍ତରକୁ ପ୍ରତିଯୋଗିତାରେ ଯାଇ କୃତିତ୍ୱ ହାସଲ କରିଥିବାରୁ ଆପଣଙ୍କୁ ବଧେଇ ଜଣେଇବାକୁ ଡକେଇଥିଲି. ରାଣୀର ବୋଉଙ୍କ ପାଟିରେ କଥା ନଥିଲା ବରଂ ଦୁଇ ଆଖି ଲୁହ ଝରିଯାଇ ଝିଅର ଚତୁର୍ଦ୍ଧାଙ୍କ ତିନି ରଥରେ ପଡିବା ପୂର୍ବରୁ ବଡ଼ଗୁରୁମା ପୋଛି ନେଉଥିଲେ ନିଜ ହାତ ପାପୁଲିରେ.ଘରେ ପହଁଚିଲା ପରେ ରାଣୀ ଦୌଡୁଥିଲା କୁହୁକ ପାହାଡ଼ ଦ୍ୱାର ବା ପାହାଡ଼ର ପାଦ ଦେଶକୁ. ପ୍ରତିଧ୍ୱନିତ ହେଉଥିଲା ରାଣୀର କଥା ପଦକ. ସମସ୍ତଙ୍କୁ ଖୁସି ଦିଅ ଠାକୁର ବୋଲି.
