ରଥରେ ଜହ୍ନଙ୍କ ଚିହ୍ନ
ରଥରେ ଜହ୍ନଙ୍କ ଚିହ୍ନ
କୁମାର ପୂର୍ଣ୍ଣମୀ ଦିନ ତିନି ତିନିଟା ଗାଡି ଲାଗିଗଲା ଘର ଆଗରେ. ତିନିଭଉଣୀ ଓ ତାଙ୍କ ତିନି ସ୍ୱାମୀଙ୍କ ସହ ପିଲାମାନଙ୍କୁ ଦେଖି ଆନନ୍ଦରେ ଅଧୀର ହୋଇ ଉଠିଲେ ପଦ୍ମା. ସମସ୍ତେ କିଛି ପାନୀୟ ଓ ଅଳ୍ପ ଟିଫିନ ଖାଇ ବାହାରି ପଡିଲେ ପୁରୀ. ସତରେ ଭାରି ଆକର୍ଷଣୀୟ ଏଇ ସହରଟି. ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାଙ୍କ ଦର୍ଶନ ସହ ସମୁଦ୍ରକୂଳ ପରିଭ୍ରମଣର ଖୁସି ଭାରି ନିଆରା. ସମସ୍ତେ ତରତର. ଶାଢ଼ୀ ଚୁଡ଼ି ଟିକିଲି ପିନ୍ଧିବାକୁ କୁମାରପୂର୍ଣ୍ଣମୀଟାରେ ସମୟ ଦେଉନଥାନ୍ତି ପଦ୍ମାଙ୍କୁ. ଦର୍ଶନ ସାରି ଜହ୍ନ ଉଇଁବା ପୂର୍ବରୁ ସମୁଦ୍ର କୂଳରେ ପହଞ୍ଚିବାକୁ ପଡିବ ନହେଲେ ଜହ୍ନକୁ ହାତମୁଠାରେ ରଖି ଫୋଟୋ ଉଠାଇବା ସମ୍ଭବ ନୁହେଁ. ସମସ୍ତଙ୍କ ଖୁସିରେ ସାମିଲ ହୋଇ ପଦ୍ମା ଭାବୁଥିଲେ ସେଇ ଝିଅଟି ଜହ୍ନର କଥା. ଯିଏ ପ୍ରତିଦିନ ତାଙ୍କ ଘର ଆଗପଟେ ଥିବା ଘର ବାଲକୋନିରେ ବସିରହେ ଓ ଦେଖିଲେ ଫିକ କରି ହସିଦିଏ. ପିଲାମାନେ କିଏ କୁଆଡେ. ଝିଅ ଏଇ ଓଡିଶାରେ ଥିଲେ ବି ସୁଦୂର କୋରାପୁଟରେ ତ ତା ଟିକି ଝିଅ ଡୁଗୁକୁ ଦେଖିବା ଯେତିକି ମୁସ୍କିଲ,ପୁଅ ବୋହୁ ଦିଲ୍ଲୀରେ ରହିଲେ ଛୋଟ ନାତି ବାବାକୁ ନେଇ ଯେ ତାକୁ ମଧ୍ୟ ଦେଖିବା ଅସମ୍ଭବ ତ ବାଳାକୋନିରେ ବସିଥିବା ଝିଅଟିକୁ ଦେଖି ମାୟା ଜାଗେ, ମମତା ଆସେ ତ ସେଦିନ ଝିଅଟି କହିଥିଲା ମୋ ଜନ୍ମଦିନକୁ ଆସିବନା ଆମ ଘରକୁ ଆଣ୍ଟି!ହଁ ନିଶ୍ଚୟ. ଅଙ୍କଲଙ୍କୁ ମଧ୍ୟ ଆଣିବ. ଝିଅଟି କହିଥିବା ଦିନରେ ପହଞ୍ଚିଥିଲେ ପଦ୍ମା ସ୍ୱାମୀଙ୍କୁ ନେଇ. ଗହଳି ଚହଳି ନାହିଁ କି ସେମିତି କେହି ବନ୍ଧୁବାନ୍ଧବ ଦିଶୁନାହାଁନ୍ତି ଦେଖି ଝିଅଟି କଥାରେ ବିଶ୍ୱାସ ରଖି ଆସିବା ବୋଧେ ଉଚିତ ହୋଇନି ଭାବି ଡରି ଡରି ଫେରିଆସିବାକୁ ବସିଛନ୍ତି ପଦ୍ମା,ଜହ୍ନ ଚମକେଇ ଦେଲା ଆଉ ଆମ ପାଟିରୁ ବାହାରି ପଡିଲା ହାପି ବାର୍ଥ ଡେ ଡ଼ିଅର ବେବି ଜହ୍ନ. ଝିଅଟିର ନାଆଁ ଜହ୍ନ ହିଁ ଥିଲା ନା.
ମାଆ ତାର ଆସିଲେ. ବ୍ୟସ୍ତ ବିବ୍ରତ ଲାଗୁଥିଲେ. ତାଙ୍କ ବିଷୟରେ ବେଶି କିଛି ନଜାଣି ନଶୁଣି ଜହ୍ନ କଥାରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ସେଠାରେ ଏମିତି ପହଞ୍ଚିଯିବାର ଦୋଷରେ ଦୋଷୀ ଭାବି ଫେରିପଡ଼ୁ ପଡ଼ୁ ଜହ୍ନର ମାଆ କହିଲେ ଚାଲିଯିବେ ଆପଣ!ଜହ୍ନ କଣ ଆରବର୍ଷ ଆଉ ଥିବ ନା ଆପଣ ଆସିବେ! ମାନେ, ଆପଣ ଏମିତି କଣ କହୁଛନ୍ତି!ଝିଅକୁ ହଷ୍ଟେଲ ପଠେଇ ଦେବେ ନା କଣ? ତା ଭବିଷ୍ୟତ ପାଇଁ ଆପଣ ଜହ୍ନକୁ ପଠେଇଦେବେ ସିନା ହେଲେ ମତେ ଭାରି ଖାଲି ଖାଲି ଲାଗିବ. ବାଲକୋନୀକୁ ଆସିହେବନି. ମାଆ ତାର ଲୁହ ପୋଛୁଥିଲେ ପଣତ କାନିରେ ଆଉ ଜହ୍ନ କହୁଥିଲା ହଷ୍ଟେଲ ନୁହେଁ ଆଣ୍ଟି, ଏଥର ମୁଁ ଜହ୍ନ ଦେଶକୁ ଚାଲିଯିବି. ସେଠି ଆମର ଘର ତୋଳା ଚାଲିଛି. ପାଖ ସ୍କୁଲରେ ପଢୁ ପଢୁ ଘର ତୋଳା କାମ ସରିଯିବ ଓ ମୋ ବାପା ମାଆ ମୋ ପାଖକୁ ଚାଲିଯିବେ. ଏଇ ଦେଖୁନାହାଁନ୍ତି ଜହ୍ନରେ ଯୋଉ କଳାଚିହ୍ନ, ସେଇଠି ଆମ ଘର ଓ ସ୍କୁଲ, ଆହୁରି ଅନେକ ଲୋକଙ୍କ ଘର ଓ ହସ୍ପିଟାଲ, ବଗିଚା, ପ୍ରପାତ, ଝରଣା, ନଦୀ ଅଛି. ସବୁ ମିଶି ଏମିତି ଦୁରକୁ କଳାଚି଼ହ୍ନ ଭଳି ଦେଖାଯାଉଛି. କିଛି ବୁଝା ପଡୁନଥିଲା ଜହ୍ନ ଓ ତା ମାଆଙ୍କ କଥା ତ ଏ ଭିତରେ ଜହ୍ନ ପଦ୍ମା ନେଇଥିବା ପୋଷାକ ପିନ୍ଧି ଖୁବ ସୁନ୍ଦର ଦେଖାଯାଉଥିଲା. ତା ବାପା ଜହ୍ନ ଅନୁପସ୍ଥିତିର ସୁଯୋଗ ନେଇ କହିଥିଲେ ଜହ୍ନର ଏଇଟା କ୍ୟାନ୍ସରର ଚତୁର୍ଥ ଷ୍ଟେଜ. ଆମ ମୁଁହଁରୁ ଶବ୍ଦ ତ ଶବ୍ଦ, ଆଖିରୁ ଲୁହ ବି ବାହାରୁ ନଥିଲା. ଏବେ ସମୁଦ୍ରକୂଳରେ ଉଇଁ ଆସୁଥିବା କଅଁଳ ଜହ୍ନକୁ ହାତମୁଠାରେ ଧରି ଫୋଟୋ ଉଠାଉଥିବା ଭାଇ ଭଉଣୀ ଓ ତାଙ୍କ ପିଲାମାନଙ୍କ ଖୁସି ଦେଖି ଏତେ ଲୁହ ବାହାରୁଥିଲା ପଦ୍ମାଙ୍କର ଯେ ସତେ ଯେମିତି ଜହ୍ନ ଖିଲିଖିଲି ହସି କହୁଥିଲା କେଵେ ଆସିବ ଆଣ୍ଟି, ଆମ ଜହ୍ନ ଦେଶରେ ଥିବା ଘରକୁ?ଯିବି ମାଆ.ଖୁବ ଶୀଘ୍ର ଯିବି. ସମସ୍ତେ ବୁଲି ଚାହିଁ ପଦ୍ମାକୁ କହୁଥିଲେ କୁଆଡେ ଯିବୁ?କାହାକୁ କଣ କହୁଛୁ. ନାଇଁ ସେଇ ଜହ୍ନରେ ଥିବା କଳାଚି଼ହ୍ନ ଭିତରେ ଥିବା ସାବିତ୍ରୀ ଦେବୀଙ୍କ କଥା ଭାବୁଥିଲି କହୁଥିଲେ ପଦ୍ମା ତ ସମସ୍ତେ ଖିଲଖିଲ ହସୁଥିଲେ ହାତମୁଠାରେ ନିଜ ନିଜ ଫଟୋରେ ଜହ୍ନକୁ ଦେଖି.
ସାନ ଭଉଣୀ ପାଖକୁ ଲାଗି ଆସିଲା କହିଲା ତୁ ଯାହା କଥା ଭାବି ଜହ୍ନକୁ ହାତମୁଠାରେ ଧରି ଫୋଟୋ ସୁଟରେ ଭାଗ ନରିପାରୁନୁ ମୁଁ ବି ସେଇ ଜହ୍ନ କଥା ଭାବୁଛି ପଦ୍ମା ଅପା. ଚମକି ପଡିଲେ ପଦ୍ମା. ପଚାରିବସିଲେ କାହା କଥା କହୁଛୁ ତୁ ଟିନା. ତୁ ଯାହା କଥା ଭାବୁଛୁ. ଯିଏ ଏମିତି ଗୋଟେ କୁମାରପୂର୍ଣ୍ଣମୀ ଦିନ ତା ମାଆ ବାପାଙ୍କୁ ଛାଡି ଚାଲିଯିବ ଜହ୍ନଦେଶରେ ଥିବା ନୂଆ ଘରକୁ ବୋଲି ତାକୁ ବୁଝାଇ ଦିଆଯାଇଥିଲା. ତୁ ତାକୁ କେମିତି ଜାଣିଲୁ ଟିନା!ତା ମାଆ ମୋ କଲିକ ନା. ସେଇ ଦିନଠୁ ସେ କୁମରପୂର୍ଣ୍ଣମୀ କଣ କୌଣସି ପୂଜା କି ପର୍ବ କରୁନି. କେତେ କଷ୍ଟରେ ବିବାହର ବାର ବର୍ଷ ପରେ ତାର ସେଇ ଏକମାତ୍ର କନ୍ୟା ଜହ୍ନ ଜନ୍ମ ହୋଇଥିଲା କୁମାରପୂର୍ଣ୍ଣମୀରେ ଓ ଫେରିଗଲା ମଧ୍ୟ ଠିକ ସେଇଦିନରେ. ତାକୁ ବୁଝେଇ ଦିଆଯାଇଥିଲା ତୁ ଆଗେ ଆଗେ ଯାଇ ଜହ୍ନ ଦେଶରେ ଥାଆ ଆମେ ତୋ ପଛେ ପଛେ ଯାଉଛୁ. ହେଲେ ଏ ଦୁନିଆଁରେ କିଏ କଣ କାହା ପଛରେ ଗଲାଣି!ସେମାନେ ଏବେ କୋଉଠି କହିପାରିବୁ ଟିନା!ନା ସେ ବଦଳି ହୋଇ ଆମ ଅଫିସରୁ ଚାଲିଯିବା ପରେ ଏଇ କୁମାରପୂର୍ଣ୍ଣମୀ ଦିନ ଖୁବ ମନେପଡେ ମୋର. ଏଇ ସମୟରେ ପଦ୍ମା ଦେଖିଲେ ଟିକେ ଦୂରରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଜହ୍ନକୁ ହାତମୁଠାରେ ରଖି ଫଟୋ ଉଠାଉଛନ୍ତି. ତାଙ୍କୁ ଦେଖି ସାନଭଉଣୀ ଏକରକମ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲା ଭଳି ଠେକୁଆ ପରି ଖେପା ମାରି ତାଙ୍କ ପାଖରେ ପହଁଞ୍ଚି ଗଲା ଓ ପଛେ ପଛେ କଇଁଚ ପରି ପଦ୍ମା. ସେ ଦୁହେଁ ଜହ୍ନର ପିତା ମାତା ଥିଲେ ଓ କହୁଥିଲେ ଏଇ ଗୋଟିଏ ଦିନ ଆମେ ପୁରୀ ସମୁଦ୍ର କୂଳ ଆସି ଜହ୍ନକୁ ହାତମୁଠାରେ ଧରି ରଖିବାର ସୌଭାଗ୍ୟ ଟିକକ ହାତଛଡା ନକରି ବଞ୍ଚିଯାଇଛୁ.ପଦ୍ମାଙ୍କର ସେବର୍ଷ କୁମାରପୂର୍ଣ୍ଣମୀ ଦିନ ସକାଳୁ ସକାଳୁ ହକରର ଡାକିବା ମନେପଡୁଥିଲା. ସେ ପପେର ବିକୁ ବିକୁ ଡାକୁଥିଲା ବଞ୍ଚିବାର ସାହାରା ଜହ୍ନ ଗଲା ଜହ୍ନଦେଶକୁ.
ଏତିକି ବେଳେ ସମୁଦ୍ରକୂଳ ଉପର ଆକାଶରୁ ଜହ୍ନ ଲୁଚିଗଲେ. କୁମାରପୂର୍ଣ୍ଣମୀଟାରେ ଜହ୍ନ କୁଆଡେ ଲୁଚିଗଲେ ବୋଲି ଭାବି ଭାବି ପଦ୍ମା ଓ ତାଙ୍କ ଭାଇ, ଭଉଣୀ, ଭାଉଜଙ୍କ ସହ ଭଉଣୀ ଜୋଇଁ ଓ ପିଲାମାନେ ସିନା ଜହ୍ନକୁ ନଦେଖି ଫେରିଆସିଥିଲେ ରାତିରେ କିନ୍ତୁ ଘରେ ଘରେ କି ସହର କି ଗ୍ରାମରେ କୁମାରୀମାନେ ଭାବୁଥିଲେ କିଛି ଅଲଗା. ପ୍ରକୃତରେ କଥାଟା ଥିଲା ଖୁବରୋଚକପୂର୍ଣ୍ଣ.ବାହାଘର କି ବ୍ରତଘର ଉତ୍ସବ ଅବା ରାଜା ରାଣୀଙ୍କ ଶୀକାର ପାଇଁ ସଵାରୀ ଯେମିତି ରାତିରେ ବାହାରେ,ଶବ୍ଦରେ ତ କେବେ ନିଶବ୍ଦରେ. ଜହ୍ନ କିନ୍ତୁ ରାତି ସଵାରୀ ଚଢି, ରୁପା ଜୋତା ଓ ଛତା ମାଡି ଚାଲୁଥାଏ ରାଜା ପରି ତ କେବେ ରାଣୀ ପରି. ସେ ନିଜେ ରାତି ସବାରୀରେ ରାଜା. ଓଲ୍ହେଇ ଆସେ ଧରାକୁ. ବୋଧେ ନୀଳକଇଁ ପାଖକୁ. ଲାଜରେ ନୀଳକଇଁ ଆଖି ମୁଜେ. ଜହ୍ନ କିନ୍ତୁ ଘୁରିବୁଲି ଚାରିପାଖେ କହେ ଥରେ ଯଦି ଆସନ୍ତୁ ସ୍ବର୍ଗକୁ ତୋ ରୂପ ଲାବଣ୍ୟ ଦେଖି ପାରିଜାତ ଫିକା ପଡିଯାଆନ୍ତା. ସତ କହୁଛି, ଦେହ ଛୁଉଁଛି, ତୋ ରାଣ ଖାଉଛି. ନୀଳକଇଁ ଅଭିମାନ କରେ ଓ କହେ ଆଉ ପନ୍ଦର ଦିନ କୁଆଡେ ଯାଅ? ଜହ୍ନ ବୁଝିପାରେ ଏହା ହିଁ ପ୍ରକୃତ ପ୍ରେମ ନୀଳକଇଁର. ପ୍ରେମ ଥିଲେ ସିନା ଜଣେ ଚାହିଁବ କି ଦିନ କି ରାତି ତା ମନମିତ ତା ଚାରିପାଖେ ଉଡି ବୁଲୁଥାଆନ୍ତା ପ୍ରଜାପତି ପରି . ଜହ୍ନ ସେଇଥିପାଇଁ ତ ପାକ୍ଷିକ ପନ୍ଦର ଦିନ ରୁପା ଚାଦର ଘୋଡ଼ି ହୋଇ ଓଲ୍ହେଇ ଆସେ ଧରାକୁ. ଏକଦମ ନୀଳକଇଁ ପାଖକୁ. ନୀଳକଇଁ ମାନ କରିଛି. ଅଭିମାନ ବାଢିଦେଇଛି. କୁଆଡେ ଯାଅ ମାସର ଆଉ ପନ୍ଦର ଦିନ?ସତ କୁହ. ନହେଲେ ତୁମର ମୁଁ କେହି ନୁଁହଁ. ତୁମେ ଯାଅ. କି ସୁନ୍ଦର ସତରେ ଏଇ ପ୍ରେମ ଭାବ. କି ଉତ୍ତର ଦେବ ଜହ୍ନ!ସତରେ କଣ ସେ ନୀଳକଇଁକୁ ଧୋକା ଦେଇ ଆଉ କାହା ପାଖକୁ ଯାଏ!ନା ଜମା ନୁଁହଁ ବରଂ ପ୍ରଭୁଙ୍କ ଆଦେଶରେ କଳାଚାଦର ଘୋଡେଇ ହୋଇ ଶୋଇପଡ଼େ. ନୀଳକଇଁ ମନ ମାନେନା. ମିଛୁଆ ହୁଏ ଜହ୍ନ. ନୀଳକଇଁ କୁହେ ଜହ୍ନ ହିଁ ଭଗବାନ. ଠିକ ଦିନର ସୂର୍ଯ୍ୟଙ୍କ ଭଳି. ଦିନ ସାରା ସମସ୍ତଙ୍କୁ ଆଲୋକର କିରଣ ଦେଇ ଦେଇ ରାତିରେ ମାଆ କୋଳକୁ ଫେରିଯାଆନ୍ତି ସୂର୍ଯ୍ୟ କିନ୍ତୁ କୁଆଡେ ଯାଅ ଜହ୍ନ ତୁମେ!କେତେ ବୁଝେଇଲେ ମଧ୍ୟ ବୁଝୁନି କଇଁ. ତାର ସେଇ ଗୋଟିଏ ପ୍ରଶ୍ନର ଉତ୍ତର ଦେଇନପାରି ଜହ୍ନ ଆଜି ପ୍ରତାରିତ. ଫେରିଯାଏ ସଵାରୀ ନେଇ ପୁଣି ସ୍ୱର୍ଗକୁ ନିଜ ସଵାରୀରେ,ମାନେ ଆକାଶକୁ. ଆକାଶରେ ବସି କାନ୍ଦେ. ସେଗୁଡା ବର୍ଷା ହୋଇ ଝରିପଡ଼େ. ଆକାଶ ଫାଟିପଡ଼େ ଜହ୍ନ ଦୁଃଖରେ. ନା ଧରଣୀରାଣୀଙ୍କ ମନ କିଣି ପାରିଛି ଆକାଶ ନା ଜହ୍ନ ସାଥି କରି ପାଇଛି ନୀଳକଇଁକୁ. ନୀଳକଇଁ ତ ଧରାରେ ରହି ବିଜ୍ଞାନ , ସାହିତ୍ୟ, ସଭ୍ୟତା, ସଂସ୍କୃତି, ସଂହତିର ଦ୍ୱାହି ଦେଇ କେତେ କଥା ବଖାଣୁଛି. ଚନ୍ଦ୍ର ଗ୍ରହଣରେ ତମେ ଜହ୍ନ ଲୁଚିଯିବାର କାରଣ ମତେ ଜଣା କହୁଛି ଓ ଶ୍ରାବଣରେ ମୁଁହଁ ଢାଙ୍କି ଲୁଚି ରହିବା ସକାରଣ ଅଟେ ବଖାଣୁଛି କିନ୍ତୁ ପ୍ରତି ମାସର ପନ୍ଦର ଦିନ ଅନ୍ଧାରରେ ସଢୁ ଥାଉ ଧରା ପଛେ ତୁମେ ଯାଇଥାଅ ସଵାରୀ ଚଢି କାହା ପଛେ!ଜହ୍ନର ଏତେ ଭିର୍ନ୍ନ ଭିର୍ନ୍ନ ଉତ୍ତର ମନ କିଣି ପାରେନା ନୀଳକଇଁର ତ ଉଭୟ ହତାଶ ପ୍ରେମିକ ପ୍ରେମିକା ପରି କିଏ କେତେ ଦୂରେ ଜଳୁଥାଆନ୍ତି ବିରହ ବେଦନାରେ ତଥା ଦାରୁଣ ପରିବେଶରେ. ରାଗିଯାଏ ଜହ୍ନ. ଦେଖେଇ ହୁଏ ତାରାମାନଙ୍କ ମେଳରେ ସେ କୃଷ୍ଣ. ତାରାମାନେ ତାର ସହସ୍ର ଗୋପୀ ହେଲେ ରାଧାତ ଧରାରେ ନୀଳକଇଁ ରୂପରେ.
ଏଥର ଜହ୍ନ ସ୍ଥିର କରିସାରିଛି. ଇନ୍ଦ୍ର ସଭାରେ ପଚାରିବ ଜହ୍ନ ସେହି ପ୍ରଶ୍ନ. ଅର୍ଥାତ ତାକୁ କାହିଁକି ପନ୍ଦର ଦିନ ଅନ୍ଧାରରେ ରଖା ଯାଉଛି. ସନ୍ଦେହୀ ତାର ପ୍ରିୟାତ୍ତମା ନୀଳକଇଁ ଆଖିରେ ଅଶ୍ରୁ. ମିଳନରୁ ସେ ବଞ୍ଚିତ. କାହିଁକିର ଉତ୍ତର ସେ ଦେଇପାରୁନି. ପ୍ରକୃତିର ନିୟମ କହିଲେ ନୀଳକଇଁ ମନ ବୁଝୁନି. ଇନ୍ଦ୍ରସଭା ଚାଲିଥାଏ.ଆସନ୍ତା ରଥଯାତ୍ରାରେ ଧରାପରେ କେମିତି ଚତୁର୍ଦ୍ଧାଙ୍କ ତିନି ରଥ ଠିକ ଠାକ ଗଡିବ, ସେଇ ଯୋଜନା ଚାଲିଥାଏ.ସଵାରୀ ଲାଗିଲା ଜହ୍ନଙ୍କର. ପଚାରିଲେ ପ୍ରଶ୍ନ ପରେ ପ୍ରଶ୍ନ. ସମସ୍ତେ ଚକିତ. ପରେ ସବୁ ଦେବଦେବୀ ପ୍ରକୃସ୍ଥିତ ହୋଇ ଯେତେ କହିଲେ ପ୍ରକୃତିର ନିୟମ ଏହା. ତୁମେ ସବୁଦିନ ଚକମକ ଝଟକିଲେ ଆକାଶରେ ତୁମ ସୌନ୍ଦର୍ଯ୍ୟର ଶୋଭା କମିଯିବ. ବିରହ ନଥିଲେ ମିଳନର ସ୍ୱାଦ ନଥିବା ପରି ଅନ୍ଧାର ନଥିଲେ ଆଲୋକର ମର୍ଯ୍ୟାଦା କିଏ ଦେବ!ଏହାହିଁ ତ ପ୍ରକୃତିର ନିୟମ. ଗଛରେ ଯଦି ବାରମାସ ସାରା ଫଳ ଫଳୁଥାଆନ୍ତା କେହି କହୁନଥାନ୍ତେ ଶୁଣିବ ରାମ ରସ ଖାଇବ ଆମ୍ବ ରସ. ଅନେଇ ରହୁନଥାନ୍ତେ ପଣସ ପାଚିବାକୁ କି ତାଳ ଖଜୁରୀ ପାଚି ଖାଇବା ଓ ଖୁଆଇବା ଉପଯୁକ୍ତ ହେଲେ ସାବିତ୍ରୀ ଦେଵୀଙ୍କୁ ଆରାଧନା କରିବାକୁ. ଚାହିଁ ରହୁନଥାନ୍ତେ ମାଆ ଲଷ୍ମୀଙ୍କୁ ଗେଣ୍ଡୁ ବା ମଣ୍ଡା ଫୁଲ ପିନ୍ଧେଇ ଆରାଧନା କରିବାକୁ.ଐଶ୍ବର୍ଗୀକ ଭାବନା ଆପଣେଇବାକୁ ମଣିଷକୁ ସତ ପଥରେ ରଖି ମଣିଷପଣିଆ ଜାଗ୍ରତ କରିବାକୁ ତ ପ୍ରକୃତି ଯେମିତି ନିୟମ କରିଛି ମଣିଷ ମଧ୍ୟ ନିଜକୁ ଓ ପରବର୍ତ୍ତୀ ପିଢ଼ିକୁ ସଜାଗ କରି ପର୍ବ ପର୍ବାଣୀ ଖଞ୍ଜିଛି. ଗେଣ୍ଡୁ ଫୁଲ ଫୁଟେ ମାର୍ଗଶୀର ମାସରେ. ସବୁ ବେଳେ ସେ ଫୁଟେ କି!ତାକୁ କେହି ପଚାରେ କି କୁଆଡେ ଥିଲୁ ବର୍ଷକର ଆଉ ବାକି ଏଗାର ମାସ!ପ୍ରକୃତି ଯଦିଓ ବେଳେ ବେଳେ ସାଥ ଦେଉନି ଅର୍ଥାତ କଥା ମାନୁନି ଓ ଦାଉ ସାଧୁଛି ସେସବୁ ମଧ୍ୟ ଏଇ ମଣିଷ ପାଇଁ. ପ୍ରକୃତିର ସମସ୍ତ ଅସନ୍ତୁଳନ ଭିତରେ କାଶତଣ୍ଡୀ କେବେ ଧୋକା ଦେଇନି. ଦୁର୍ଗା ପୂଜା ପୂର୍ବରୁ ଆସିଥାଏ ମାଆ ଦୁର୍ଗାଙ୍କୁ ସ୍ୱାଗତ କରିବାକୁ ଆଉ ଫେରିଯାଏ ମାଆ ଯିବା ପରେ ପରେ. ନୀଳକଇଁକୁ ପଚାରୁନ ଭାଦ୍ରବରେ ଫୁଟି ମାଆ ମଙ୍ଗଳାଙ୍କ ବେକରେ ଲୋଟୁଥାଏ.ଅନ୍ୟ ଦିନେ ସବୁ କୋଉଠି ଥାଏ?ଜହ୍ନ କିଛି ବୁଝିଲା ତ କିଛି ଅବୁଝା ରଖି ପୁଣି ସଵାରୀ ଧରି ସିଧା ଜହ୍ନ ଓଲ୍ହେଇଲା କଇଁ ଗାଡିଆରେ. କେହି ନଥିଲେ ସେଠାରେ.ନୀଳକଇଁ ରୂପେ କିଏ କହ୍ନେଇ ଗଳାର ମାଳି ହୋଇ ଝୁଲୁଥିଲା ତ କିଏ ମାଆ ଖୁଦୁରୁକୁଣୀଙ୍କ ଗଳାରେ. ପୁଣି କିଏ ବେଣୀ ହୋଇ ଗୁନ୍ଥା ଯାଉଥିଲା ଗଣେଷ ପ୍ରଭୁଙ୍କ ପୂଜା ପାଇଁ. ଏସବୁ ଦେଖି ରୁପା ସଵାରୀ ଫେରେଇ ଆଣୁ ଆଣୁ ଆକାଶକୁ, ଜହ୍ନ ମନରେ ଅନେକ ପ୍ରଶ୍ନ ତିଆରି ହୋଇ ସାରିଥିଲା. ଏଥର ନୀଳକଇଁର ପ୍ରଶ୍ନ ପାଇଁ ଜହ୍ନ ପାଖରେ ବି ଉତ୍ତର ଆକାରରେ ଅନେକ ପ୍ରଶ୍ନ. ଚତୁର୍ଥୀଟାରେ ଗଣେଷଙ୍କ ଗଳାର ମାଳା ହୋଇ ଝୁଲୁଛି ନୀଳକଇଁ, ପୁଣି ଭାଦ୍ରବ ଜହ୍ନ ରାତି ରବିବାରରେ ମଙ୍ଗଳାମାଆ ସୁମରଣା କରୁଛି ବେକରେ ଝୁଲି ଝୁଲି କାହା ପାଇଁ କେଜାଣି ଫୁଲେଇ ହୁଏ ନୀଳକଇଁ!ଜହ୍ନର ସଵାରୀ ଉପରକୁ ଉଠି ଅଦୃଶ୍ୟ ହେଲା ବେଳେ ନୀଳକଇଁ ଭାବୁଥିଲା ହଉ ହଉ ଯାଅ. କୁମାର ପୂର୍ଣ୍ଣମୀରେ ଦିନଟାରେ କୁଆଁରୀମାନଙ୍କ ଚାନ୍ଦ ଚକଟା ଖାଇବାକୁ ଆସିବନି କେମିତି,କୁଆଡେ ଯିବ ଦେଖିବିନି!ସତକୁ ସତ ଜହ୍ନ ଉଇଁ ଆସିଥିଲେ ସବୁ ଅଭିମାନ ଛାଡି. ଯିଏ ଜଗତର ନାଥ ଜଗନ୍ନାଥ ତାଙ୍କ ପାଇଁ କେତେ କଥା ହୁଏ ଏ ଧରାରେ ତଥାପି ମାଆ ଲଷ୍ମୀ ବୁଝନ୍ତିନି ପ୍ରିୟା ହୋଇ ଆଉ ନୀଳକଇଁ ତ ପ୍ରେମିକା ନା ଜହ୍ନର. ଜହ୍ନ କିନ୍ତୁ ନିଜ ଜନ୍ମ ଦିନରେ ସବୁ ପିଛିଲା କଥା ଭୁଲି ମେଞ୍ଚାଏ ଜୋଛନା ନେସି ଦେଇଥିଲେ ନୀଳକଇଁ ଉପରେ.ସେଦିନଠୁ କିନ୍ତୁ ରଥ ଉପରେ ଜହ୍ନଙ୍କ ଚିହ୍ନ.
,,,,,,,,,,,,,,,,,,
