ଘାସ
ଘାସ
ମାଆ ଧରଣୀ ରାଣୀ ମୁଣ୍ଡରେ ଓଢଣା ହୋଇ, ଦେହରେ ଶାଢ଼ୀ ଘୋଡେଇ ହୋଇ ଘାସ ରହିଥାଏ ସବୁଦିନ ପାଇଁ. ଯୋଉଠି ଗଛ ଥାଉ ବା ନଥାଉ କିନ୍ତୁ ପ୍ରକୃତିର ଏଇ କ୍ଷୁଦ୍ରାଦି କ୍ଷୁଦ୍ର ଘାସ ଗଛ କିନ୍ତୁ ତାର ସବୁଜିମା ବିସ୍ତାରି ମାଆ ଧରଣୀ ରାଣୀଙ୍କୁ କରିଥାଏ ଆଚ୍ଛାଦିତ. ସତରେ ପ୍ରକୃତିର ଏଇ ଛୋଟ ଗଛ ଘାସ କେଡେ ସୁନ୍ଦର, କମନୀୟ ତଥା ନମନୀୟ ଏଇ ଚରାଭୂଇଁ ଘାସ. ଯାହାକୁ ତୃଣଭୋଜି ପ୍ରାଣୀମାନେ ଭୋଜନ କରି ସୁସ୍ଥ ଓ ନିରାମୟ ଜୀବନ ଜିଅନ୍ତି.ସେଦିନ ସ୍କୁଲରେ ପରିଦର୍ଶକ ଯେବେ ପିଲାଙ୍କୁ ଜାତୀୟ ପତାକାରେ କେତୋଟି ରଙ୍ଗ ଅଛି ପଚାରୁଥିଲେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ତ ପିଲାଏ ଯଦିଓ ଜାତୀୟ ପତାକାର ତିନୋଟି ରଙ୍ଗ ଠିକ ଠିକ କହୁଥିଲେ କିନ୍ତୁ ତଳ,ଉପର ଓ ମଝି ର ରଙ୍ଗ ଏପଟ ସେପଟ କରି କହିଲାବେଳେ, ଶିକ୍ଷକ ହରି ସାରଙ୍କୁ ଖୁବ ଲାଜ ମାଡିଥିଲା. ସେ ସେଦିନର ସେଇ ଗାନ୍ଧିଜୀଙ୍କ ପିଲାଦିନର ଶିକ୍ଷକଙ୍କ ଭଳି କାହାଠୁ କପି କରି କେଟିଲର ବନାନ ଶୁଦ୍ଧି କରିବାକୁ କହି ପାରୁନଥିଲେ ମଧ୍ୟ ଭୂଇଁରେ ନଖ ମୁନରେ ଗାର କାଟିଲା ବେଳେ ଘାସ ଉପରେ ନଜର ପଡିବାରୁ ଶ୍ରେଣୀର ବୁଦ୍ଧିଆ ଛାତ୍ରକୁ ଆଖିଠାର ମାରି କହିବାକୁ ଚାଁହୁଥିଲେ ଯେ ଜାତୀୟ ପତାକାର ତିନି ରଙ୍ଗ ଭିତରୁ ସବା ତଳ ରଙ୍ଗ ସବୁଜ ଅଟେ, ଠିକ ଘାସ ପରି. ହେଲେ ଶିକ୍ଷକଙ୍କ ଠାର ତାଙ୍କ ପାଖେ ଥାଏ, ପରିଦର୍ଶକ ପିଲାଙ୍କୁ ଠିକ ସେହି କଥା ବୁଝାଇ କହୁଥିଲେ ଯେ ତୁମେ ପଡିଆରେ ଠିଆ ହେଲେ କାହା ଉପରେ ଠିଆ ହୁଅ ତ ଦି ଚାରିଟା ପିଲା ମାଟି ମାଟି ବୋଲି ଉଚ୍ଚାରଣ କରିଥିଲେ ମଧ୍ୟ ପ୍ରାୟ ଅଧିକାଂଶ ପିଲା ଘାସ ଘାସ ବୋଲି ଚିତ୍କାର କରୁଥିଲେ ତ ପରିଦର୍ଶକ ପୁଣି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ପିଲାଙ୍କଠୁଁ ଉତ୍ତର ଆଦାୟ କରିସାରିଥିଲେ କି ପଡିଆରେ ଠିଆ ହୋଇଥିଲେ ଆମ ଗୋଡ଼ ଯେପରି ମାଟି ମାଆ ଉପରେ ଉଠିଥିବା ସୁଵିସ୍ତିର୍ଣ୍ଣ ଘାସର ରଙ୍ଗ ପରି ସବୁଜ ରଙ୍ଗ ଉପରେ ଥାଏ, ଆମ ଜାତୀୟ ପତାକାର ଗୋଡ଼ ଅର୍ଥାତ ସବା ତଳ ମଧ୍ୟ ସେଇ ସବୁଜ ରଙ୍ଗ. ଏହା ପରେ ଅନ୍ୟ ଦୁଇ ଧଳା ଓ କମଳା ରଙ୍ଗ କୋଉଠି,କେମିତି ଓ ଅଶୋକ ଚକ୍ର ଇତ୍ୟାଦି କଥା ସୁନ୍ଦର ଭାବେ ମନେରହିଗଲା ଭଳି ବୁଝାଇ ଚାଲିଥିଲା ବେଳେ ପରିଦର୍ଶକ ମହାଶୟ,ହରି ସାର କ୍ଲାସ ବାହାରେ ପଡିଆରେ ଥିବା ଘାସ ଉପରେ ନଖ ବିଦାରଣ କରି ଚାଲିବା ସହିତ ଭାବୁଥିଲେ ପ୍ରକୃତରେ ଭାବିବା ଶକ୍ତି ଯାର ଥାଇ... ସୁନ୍ଦର ଭାବେ ବୁଝାଇ କହିବା ସମର୍ଥ ସେ ହୋଇ... ଯାହା ସବୁଦିନ ପାଇଁ ମନେ ରହିଯାଇ. ଏଥର ସେ ନିଶ୍ଚୟ ପିଲାଙ୍କୁ ଏମିତି ପଢ଼େଇବେ ଯେମିତି ଉଦାହରଣ ସବୁ ଏତେ ଯୁଗପଯୋଗୀ ସହ ଆମ ପରିବେଶ ତଥା ପରିବେଷ୍ଟିନ ସହ ଜଡିତ ଥିବ ଯେ ପିଲାଙ୍କର ଠିକ ମନେରହିଯିବ ଖାଲି ଆସୁଥିବା ପରୀକ୍ଷା ପାଇଁ ନୁହେଁ ବରଂ ନିଜେ ବାପା ଓ ଜେଜେ ହେବା ଯାଏଁ. ଛାତ୍ର ଛାତ୍ରୀ ଙ୍କ ଭଳି ଘରେ ପରା ପ୍ରଶ୍ନ ପଚାରି ପଚାରି ଘରର ପୁଅ, ଝିଅ, ନାତି, ନାତୁଣୀ ଅଣାୟତ୍ତ କରନ୍ତି ମାଆ, ବାପା, ଜେଜେ, ଅଜା, ଆଈ ତଥା ଜେଜେମାଆ ଓ ଅନ୍ୟାନ୍ୟ ଗୁରୁଜନ ଶ୍ରେଣୀର ଲୋକଙ୍କୁ. ତ ପିଲାଙ୍କ ପ୍ରଶ୍ନର ଠିକ ଠିକ ଉତ୍ତର ଖାଲି କଥାରେ ନୁହେଁ ବରଂ ଉଦାହରଣ ସହ ମନେରହିବା ଭଳି ଦିଆଯିବା ଉଚିତ.
ଏମିତି କେତେ କଣ ଭାବୁ ଭାବୁ ହରି ସାରଙ୍କ ସାଇକେଲ ଗଡୁଥିଲା ଗାଁ ଆଡ଼େ ନିଜ ଘରକୁ, ସ୍କୁଲ ଛୁଟି ପରେ ପରେ.ମନେପଡ଼ିଗଲା ଘରଟି ତାଙ୍କର ଛାତ ପଡି ଦୁଇମହଲା ବିଶିଷ୍ଟ ହେବା ପରେ ତଳଘର ଭଡା ପାଇଁ ଛାଡି ସେ ଦୁହେଁ ଶିକ୍ଷକ ଦମ୍ପତ୍ତି ଉପରେ ରହିବା ପରେ ତଳ ଘରଟି ଦୁଇ ଜଣଙ୍କୁ ଭାଗ କରି ଅର୍ଥାତ ବାଡ଼ ପକେଇ ଭଡା ଦିଆଯାଇଥିଲେ ବି ଏଇ ଘାସକୁ ନେଇ ଦୁଇ ପଟ ଭଡାଟିଆଙ୍କ ଭିତରେ ଝଗଡା. ଜଣଙ୍କ ପଟେ ବାଇକ ଓ ସାଇକେଲ ଇତ୍ୟାଦି ରହି ଘାସ ମରିଯାଉଥିବା ବେଳେ ଆର ପଟ ଅଧାରେ ଛନଛନ ଘାସ ଉଠିଛି . ଘାସ ଭିତରେ କିନ୍ତୁ ବିଷାକ୍ତ କୀଟ ପତଙ୍ଗ ରହିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ. ସେପଟର ପଡୋଶୀ କିନ୍ତୁ ଘାସ ନିଜେ ଓପାଡ଼ିବାକୁ ପ୍ରସ୍ତୁତ ନୁଁହଁନ୍ତି ତ ଆଜି ଯେମିତି ହେଲେ ନିଜେ ହରିସାର ସେପଟ ଘାସତକ ଓପାଡିବାମନସ୍କ ନେଇ ଶନିବାରିଆ ସ୍କୁଲ ଫେରିଲା ବେଳକୁ ଯୋଗକୁ ପରିଦର୍ଶକ ଆଜି ଶନିବାରଟାରେ ଆସି ଘାସକୁ ନେଇ ଜାତୀୟ ପତାକାର ତଳ ରଙ୍ଗ କିପରି ଭେଙ୍କଟ ପିଙ୍ଗଳଙ୍କ ଦୃରଦୃଷ୍ଟିରେ ତଥା ଗାନ୍ଧିଜୀଙ୍କ ଅନୁରୋଧ ଓ ପରାମର୍ଶରେ ରଖାଯାଇଥିଲା ସେସବୁ କଥା ଶୁଣି ଘାସ ଉପରେ ଗୋଟେ ଅହେତୁକ ମାୟା ଆସିଯାଇଥିଲା ହରିସାରଙ୍କର ତ ଆଜି ଘାସ ଓପାଡିବା ଅଭିଯାନ ଆରମ୍ଭ କରିବେ କି ନା ଭାବୁ ଭାବୁ ଘର ଆସିଯାଇଥିଲା କିନ୍ତୁ ଛନଛନ ଘାସ ପୂର୍ଣ୍ଣ ଅଧକ ସ୍ଥାନରେ ଘାସ ନଥିଲା. ଶିଡ଼ି ଦେଇ ଘରକୁ ପ୍ରବେଶ କରୁ କରୁ ସ୍ତ୍ରୀ ଶାନ୍ତି ଦେବୀ କହିଲେ ବୁଝିଲ ସେ ଘାସ ସମସ୍ୟା ଆଉ ନାହିଁ!କୁଆଡେ ଗଲା ଘାସ!କୋଉଠୁ ପାଇବି ଆଉ ସେ ସବୁଜ ରଙ୍ଗର ଖିଲି ଖିଲି ହସି ପବନରେ ଦୋଳାୟିତ ହେଉଥିବା ସେ ମୁଠାକ ଘାସ, ଯାହା ପ୍ରକୃତିର ଦାନ ତଥା ଜାତୀୟ ପତାକାର ସବା ତଳ ରଙ୍ଗ. ହେ କଥାଟା ନଶୁଣି କଣ ଏଣୁ ତେଣୁ ଗପୁଛ କହି ଶାନ୍ତି ଦେବୀ କହୁଥିଲେ ଆମ ବସ୍ତିର ଶେଷମୁଣ୍ଡେ ଘର କରିଥିବା ରହିମ ଚାଚା ଦୁଇଟି ଘୋଡା ଆଣିଛନ୍ତି, ଜାଣିଥିବ. ତାଙ୍କ ଖାଇବା ପାଇଁ, ରହିମ କାକାଙ୍କୁ ଅନୁରୋଧ କରି ଆସୁଥିଲି ଘାସ ଖୁଆଇଦେବା ପାଇଁ ଘୋଡା ଛାଡି ହେଲେ କାକା ଭୁଲିଯାଉଥିଲେ. ଏଣେ ତୁମେ ନିଜେ ଓପାଡିବ, ଲୋକ ମିଳୁନାଂହାନ୍ତି ପୁଣି ତଳେ ଥିବା ଦୁଇ ପଡୋଶୀଙ୍କ ଭିତରେ ଏଇ ଘାସ ପରି କ୍ଷୁଦ୍ର ଦ୍ରୁମକୁ ନେଇ କଳି ଏଡାଇବାକୁ ଯାଇ ଆଜି ରହିମ କାକାଙ୍କୁ ଅନୁନୟ ବିନୟ କରି କହିବାରୁ ସେ ତାଙ୍କ ଘୋଡା ଦୁଇଟିଙ୍କୁ ଘାସ ଚରେଇ ସଫା କରିଦେଇଛନ୍ତି ଆମ ଘରର ଅଧାପଟ . ପୁଣି ଘାସ ଉଠିଲେ ଘୋଡା ଛାଡିବେ ବୋଲି ଆଶ୍ଵାସନା ମଧ୍ୟ ଦେଇ ସାରିଛନ୍ତି. ଆଁ କରି ସବୁ ଶୁଣୁଥିବା ହରିସାର କହିଲେ ଗଲା!ଆସୁଥିବା ଅଗଷ୍ଟ ପନ୍ଦର ଦିନ ଜାତୀୟ ପତାକାର ରଙ୍ଗକୁ ନେଇ ଆମ ଘର ଆଗରେ ଉଠିଥିବା କଅଁଳ ଛନଛନ ଘାସକୁ ନେଇ ଜାତୀୟ ପତାକାର ରଙ୍ଗ ଉପରେ ସୁନ୍ଦର ଉଦାହରଣ ସାଜିଥିବା ମୁଠେ ଘାସକୁ ଘୋଡା ଖାଇଗଲା!କିଛି ବୁଝିନପାରି ଶାନ୍ତି ଦେବୀ, ସ୍ୱାମୀଙ୍କ ହାତକୁ ହାତକୁ ଲେମ୍ବୁ ମିଶ୍ରି ପାଣି ବଢ଼େଇ ଦେଇ ମୁଣ୍ଡ ଥଣ୍ଡା କର କହୁଥିଲେ ତ ହରିସାର କହୁଥିଲେ ମୌସୁମୀ ଆସିଗଲାଣି ଆଉ ଏ ପାନୀୟର ଆବଶ୍ୟକତା ନାହିଁ. ହଉ ହେଲା.ବର୍ଷା ପଡି ତୁମ ଘାସ ପୁଣି କଅଁଳି ଯିବନି, ବ୍ୟସ୍ତ କାହିଁକି ହେଉଛ ଶୁଣେ କହୁଥିଲେ ଶାନ୍ତି ତ ହରିସାରଙ୍କ ତୁଣ୍ଡରୁ ବଚନ ସ୍ଫୁରୁ ନଥିଲା ଆଉ ଏଥର.
