ଆକାଶ ଖୁବ ଧୂଆଁ ଧୂଆଁ. ନିଶ୍ଚୟ ବରଷିବ ଏଇ ଟିକେ ସମୟ ପରେ ବୋଲି ଭାବି ଛତାଟା ଆଣି ଦେବାକୁ ମିନତିଙ୍କୁ ଡାକ ପକେଇଲା ଶୁରେଶ ତ ଝିଅ ଆସି କହିଲା ତୁମେ ଛତା ନେଇ ଗଲେ ମୁଁ ସ୍କୁଲ କେମିତି ଯିବି ବାପା ତ ଶୁରେଶ କହିଲା ହଁ ହଁ ସତକଥା କହିଛୁ ଝିଅ ଛତା ଟାଣି ମୁଁ ମଧ୍ୟ ସ୍କୁଟି ଚଲେଇ ପାରିବିନି. ଏ ଯେଉଁ ବର୍ଷା ତୋଫାନ ମାଡି ଆସିଲାଣି ଏଥିରେ କୋଉ ଛତା ଟାଣି ସ୍କୁଟି ଚଲେଇ ହେବ!ଦେଲ ଦେଲ ମିନତି ମୋ ରେନ କୋର୍ଟଟି ଦେଲ, ପୁରୁଣା ହେଉ ଅବା ଠାଏ ଠାଏ ଫାଟୁ ଚଳି ଯିବ. ମିନତି କହିଲେ ସକାଳୁ ବାଇକି ଡ଼ିକିରେ ରେନକୋର୍ଟ ରଖି ପୁଅ ଯାଇଛି କଲେଜ. ହଉ ହଉ ମୁଁ ଚାଲିଯାଉଛି. ମୋ ପୁଅ କେଡେ ହୁସିଆର ଯେ କାଳେ ବର୍ଷା ହେବ ଭାବି ଆଗୁଆ ସତର୍କ ରହିଛି. ସେହି ଖୁସିରେ ମୋ ସ୍କୁଟି ଗଡ଼ିଯିବ ଆପଣା ଛାଏଁ ଅଫିସ ଯାଏଁ. ଆଶଙ୍କା ଓ ଦ୍ଵିଧାଗ୍ରସ୍ତ ମନ ମିନତିଙ୍କର ସ୍ୱାମୀଙ୍କ ପାଇଁ. ଧୂଆଁ ଧୂଆଁ ଆକାଶକୁ ଦେଖି ମିନତି ମୁଣ୍ଡିଆ ମାରି ଚାଲିଥିଲେ. ଆଉ ବାଟ ସାରା ଶୁରେଶ ପିଲାଦିନ କଥା ଭାବୁଥିଲେ. ବାପା ଆଣିଦେଇଥିବା ଦୁଇଟି ଛତାର ରଙ୍ଗକୁ ନେଇ ସେ ତାଙ୍କ ବଡଭାଇଙ୍କ ଉପରେ କେତେ ରାଗିଥିଲେ ସେତେବେଳେ!କାରଣ ରଙ୍ଗ ବେରଙ୍ଗ ଛତା ଟା ପରେଶ ଆଗ ନେଇ ଯିବା ପରେ ବୋଉ ଯେତେ ବୁଝାଉଥିଲା କି ତୋର ରଙ୍ଗୀନ ଛତା ନହେଲେ କଣ ହେଲା ଫୋଲଡିଂ ଛତା ଖୁବ ପୋର୍ଟେବୁଲ ଯୋଉଭଳି ସ୍କୁଲ ବ୍ୟାଗ ହେଉ ତହିଁ ରେ ରଖିପାରିବୁ ଛତା.ଭାଇ ର ତ ବେଣ୍ଟ ଲଗା ତାକୁ ସମ୍ଭାଳିବାକୁ ପଡିବ ନିଜ ଛତା. ଶୁରେଶ ବୋଉ କଥାରେ ଧ୍ୟାନ ନଦେଇ କହୁଥିଲା ବର୍ଷାରେ ଓଦା ହେଲା ପରେ ଛତାକୁ ସମ୍ଭାଳିବାକୁ ପଡିବ ନିଶ୍ଚୟ . ପୋର୍ଟେବୁଲ ହେଉ କି ନହେଉ. ବାପା କିନ୍ତୁ ସେଇ ସନ୍ଧ୍ୟାରେ ଆଉ ଗୋଟେ ରଙ୍ଗୀନ ଛତା ଆଣିଦେଇଥିଲେ ଶୁରେଶ ପାଇଁ ଆଉ ନିଜେ ଶୁରେଶ କଚାଡି ଭାଙ୍ଗିଥିବା ପୋର୍ଟେବୁଲ ଫୋଲଡିଂ ଛତା ନେଇ ସାଇକେଲ ଠେଲି ଠେଲି ଅଫିସ ଯାଉଥିଲେ ଅଧା ଓଦା ହୋଇ. ଶୁରେଶ ଛତା ଭାଙ୍ଗି ଦେଇଥିବାରୁ ବାପା ଓଦା ହୋଇ ଯାଉଛନ୍ତି ନଭାବି କହୁଥାଏ ଦେଖିଲୁ ବୋଉ ସେ ଛତା ର କରାମତି!ମୁଁ ଏମିତି ଓଦା ହୋଇଥାନ୍ତି. ବୋଉ କହେ ହଉ ବାପା ହେଲେ ବୁଝିବୁ. ସତକୁ ସତ ଏବେ ବାପା ହେଲା ପରେ ସେ ବୁଝିଯାଇଛି. ଛତା ହେଉ ଅବା ବର୍ଷାତି, ଆଗ ପିଲାଙ୍କ କାମରେ ଲାଗୁ. ପରେ ତା ନିଜ ସୁବିଧା ଅସୁବିଧା. ଖାଲି କଣ ଏତିକି!ମାମୁଁ ଏକା ଭଳି କିନ୍ତୁ ଭିନ୍ନ ରଙ୍ଗର ଆଣିଦେଇଥିବା ବର୍ଷାତିକୁ ନେଇ କଣ କମ କଳି ଲଗାଇଥିଲା ସେ କହିକି ଯେ ଦ୍ୱିତୀୟ ପୁଅ ହୋଇ ମୁଁ କଣ ପାପ କରିଛି ଯେ ମୋର ପସନ୍ଦ ଅପସନ୍ଦ ର ମାନେ ନାହିଁ. ପ୍ରଥମାଷ୍ଟମୀ ବୋଲି ଭାଇ ତା ମନ ପସନ୍ଦ ରଙ୍ଗର ବର୍ଷାତି ନେଇଯିବ. ରାତି ରାତି ବାପା ତା ଲାଗି ବଡ଼ ଭାଇ ପରେଶ ପରି ବର୍ଷାତିର ରଙ୍ଗ ପରି ବର୍ଷାତିଟିଏ ନେଇ ଓଦା ହୋଇ ଘରକୁ ଫେରିଥିଲେ. ଆଜି ସେଇସବୁ କଥା ମନେପଡ଼ିଗଲା ତ ଧୂଆଁ ଧୂଆଁ ଆକାଶରୁ ଖସି ପଡୁଥିବା ବରକୋଳିଆ ଟୋପା ତାକୁ ଫୁଲ ପରି ଲାଗୁଥିଲା.
ବାପା ସେଇ ପଡିଲେ ଯେ ଆଉ ଉଠିଲେନି. ଚାଲିଗଲେ କିଛି ମାସ ପରେ ଆଉ ସେତେବେଳକୁ ଦୁଇଭାଇ ବାହା ଚୋରା ହୋଇସାରିଥିଲେ ବି ଭାଗବଣ୍ଟା ବେଳେ ସମାନ ସମାନ ବଣ୍ଟନ ପରେ ଭାଇ ଯେବେ ବୋଉକୁ ସାଙ୍ଗରେ ନେଇ ଯିବାକୁ ଯିଦ ଧରିଥିଲା ସେତେବେଳେ ଶୁରେଶ କାହିଁକି କହିନଥିଲା କି ନା ନା ଭାଇ ବୋଉକୁ ମୁଁ ନେଇଯିବି ମୋ ସଙ୍ଗେ କାରଣ ବାପା କହିଥିଲେ ପରେଶ ର ତ ପିଅନ ଚାକିରୀ ଓ ଅଳ୍ପ ଦରମା . ମୋ ଅନ୍ତେ ବୋଉକୁ ତୁ ନେଇଯିବୁ ଶୁରେଶ. ବରଂ ଭାଇ ଉପରେ ବୋଉର ସବୁ ଦାଇତ୍ୱ ନ୍ୟସ୍ତ କରି ଶୁରେଶ ସେଇ ସହରକୁ ଆସିଥିଲା ଯେ ଏଯାଏଁ ଦିନେ ମଧ୍ୟ ବୋଉକୁ ଦେଖିବାକୁ ଯାଇନି ଗାଁ କୁ,ତ ଆଜି ବାପା ଭୂମିକାରେ ଜଡ଼ସଡ଼ ହୋଇ ଓଦା ହେଲାବେଳେ ବୋଉ କାହିଁକି ଏତେ ମନେପଡୁଥିଲା କେଜାଣି ତ କିଏ ସବୁ ହାଁ ହାଁ କହୁ କହୁ ଶୁରେଶ ନିଜକୁ ହସ୍ପିଟାଲରେ ଆବିଷ୍କାର କଲା. ସ୍ତ୍ରୀ ମିନତି, ପୁଅ ଝିଅ ଓ ଅଫିସ ଷ୍ଟାଫ୍ ସମସ୍ତେ ତା ବେଡ଼ ଚାରିପଟେ ଠିଆ ହୋଇ କାନ୍ଦୁଥିଲା ବେଳେ ବଡ଼ଭାଇ ପରେଶ ଠିଆ ହୋଇ କହୁଥିଲେ ବ୍ୟସ୍ତ ହୁଅନା ଶୁରେଶ!ବୋଉ ତତେ ଗୋଟେ କିଡ଼ନୀ ଦେଇ ବଞ୍ଚେଇ ଦେଇଛି. ଶୁରେଶ ଧାଇଁଯାଇ ବୋଉକୁ ଦେଖିବାକୁ ଉଠି ପାରୁନଥିଲା ବେଳେ ଭାଇ ପଛରୁ ଭିଡି ଧରି କହୁଥିଲା ବାପା ହେଲୁଣି ଏଯାଏଁ ବାୟା ଵୁଦ୍ଧି ଗଲାନି. ଆରେ ବୋଉ ସିନା ମୋ ପାଖେ ଥାଏ ହେଲେ ସବୁବେଳେ ପରା ତୋରି କଥା କହେ ଯେ ବାପା କାଳେ ତାକୁ କହିଯାଇଥିଲେ ସାନପୁଅ ଶୁରେଶ ଆମର ଭାରି ଅବୁଝା, ତାକୁ ଟିକେ ଭଲରେ ବୁଝେଇଦେବ. ଭଲ ହେଲାପରେ ଶୁରେଶ ବୋଉକୁ ଦେଖିବାକୁ ଗଲା ସତ ହେଲେ ଡକ୍ଟର କହିଥିଲେ ସରି, ଶତ ଚେଷ୍ଟା ସତ୍ୱେ ଆମେ କେହି ଆପଣଙ୍କ ମାଆ ଙ୍କୁ ବଞ୍ଚେଇ ରଖି ପାରିଲୁନି. ମରିବା ପୂର୍ବରୁ ମାଉସୀ ଖାଲି ସାନ ପୁଅ କଥା କହୁଥିଲେ ଯେ ଶୁରେଶ ମୋର ଲାଗିଲା ଡାକ୍ତର ବାବୁ ତାକୁ ବୁଝେଇଦେବ. ଶୁରେଶ କାନ୍ଦି କାନ୍ଦି ଲୋଟି ପଡିଲା ବେଳେ ବଡ଼ଭାଇ ପରେଶ ତାକୁ ବୁଝେଇ ସାନ୍ତ୍ୱନା ଦେଇ କହୁଥିଲେ ଆରେ ମୁଁ ପରା ବାପା ସମାନ ତୋ ବଡ଼ଭାଇ ଅଛି, ବ୍ୟସ୍ତ କାହିଁକି, ସବୁ ଠିକ ହୋଇଯିବ.ଧୂଆଁ ଧୂଆଁ ଆକାଶ ଏବେ ଖୁବ ପରିଷ୍କାର ଦେଖାଯାଉଥିଲା ସମସ୍ତଙ୍କୁ କିନ୍ତୁ ଶୁରେଶକୁ ତଥାପି ଆକାଶଟା ଖୁବ ଧୂଆଁ ଧୂଆଁ ମନେ ହେଉଥିଲା.
ଶୁରେଶର ଆଜି ବି ମନେ ପଡେ ହଷ୍ଟେଲର ସେ ଶୀତ ରାତି ଓ ମିନତି ସଙ୍ଗେ ଦେଖା ହେବା କଥା.ହଷ୍ଟେଲ ରେ ସେ ଶୀତ ରାତି ମନେପଡିଲେ ଆଜି ବି ଦେହ ମୁଣ୍ଡ ଝାଇଁ ଝାଇଁ ହୋଇଯାଏ ଦିବେନର . ତଣ୍ଟି ଶୁଖି ଅଠା ହୋଇଯାଏ. ସେଦିନ ଚଞ୍ଚଳ ଖାଇ ପିଇ ରେଜେଇ ଘୋଡେଇ ହଷ୍ଟେଲ ରେ ଶୋଇଥିଲା ବେଳେ ତାର ମନେ ହେଉ ଥିଲା ତା ଉପରେ ଏବେ ଆଉ ରଜନୀଗନ୍ଧା ଫୁଲର ବର୍ଷା ହେବନି ତ! ଏବେ ଏବେ ସେ ଶୁଣିଥିଲା ପିଙ୍କୁ କହୁଥିଲା ଜାଣିଛୁ ଶୁରେଶ , ତୁ ଯେଉଁ ରୁମ ରେ ଅଛୁ, ସେଇ ରୁମ ରେ ତୋ ଆଗରୁ ଥିବା ପୁଅଟି ମରିଯାଇଛି. କେମିତି କଣ ଇଲେକ୍ଟ୍ରି କରେଣ୍ଟ ଲାଗିଗଲା କି ପଚାରିଥିଲା ଶୁରେଶ ତ ପିଙ୍କୁ କହୁଥିଲା ଆରେ ନା ମ ବରଂ ଭୁତୁଣୀର ଶୀକାର ହୋଇଗଲା ବିଚରା. ସେଇ ଦିନୁ ସେ ରୁମ ଚାବି କାହାକୁ ଦିଆଯାଉନଥିଲା ହେଲେ ତୋର ଏତେ ଅସୁବିଧା ଶୁଣି ଓ ତୁ ସବୁ ପରିସ୍ଥିତିକୁ ଆଡ଼ଜଷ୍ଟ କରିପାରିବୁ ଜାଣି ସୁପରିଟେଣ୍ଡେଣ୍ଟ କେମିତି କେଜାଣି ରାଜି ହୋଇଗଲେ. ଶୁରେଶ ଏଥର ନଡରି ପଚାରିଥିଲା କୋଉ ଭୁତୁଣୀ? ଆରେ ସେଇ ରଜନୀଗନ୍ଧା ଫୁଲ ପକାଉଥିବା ଭୁତୁଣୀ. ବଳେ ଜାଣିବୁନି କି. ସେଇ ସମୟ ଉପସ୍ଥିତ. ରାତି ବାର ବାଜି ତିରିଶ ମିନିଟ. ସତକୁ ସତ ତା ଉପରେ ପଡିଲା ମୁଠେ ରଜନୀଗନ୍ଧା. ପ୍ରଥମେ ଖୁବ ଡରି ଯାଇଥିବା ଶୁରେଶ ପଚାରିଲା କିଏ.?ମୁଁ ରଜନୀଗନ୍ଧା ଭୁତୁଣୀ କହି ଖିଲିଖିଲି ହସୁଥିଲା କେହି ତ ଶୁରେଶ ଯେତେ ମାତ୍ରାରେ ଡରିଯାଇଥିଲା ଏବେ ଭାବୁଥିଲା ଭୁତୁଣୀ କଣ ମଣିଷ ପରି କଥା କୁହେ ଓ ହସେ!ସେଇ ଶୀତ ରାତିରେ ସେ ଦଉଡି ଯାଇ ବାଥ ରୁମରେ ଠିଆ ହୋଇଥିବା ଝିଅଟିକୁ ଧରିଥିଲା ଓ ତୁ ଏମିତି ଡରେଇବାର କାରଣ କଣ ଓ ତୁ କିଏ ତଥା ତୋର କି ଉଦେଶ୍ୟ ପଚାରିବାରୁ ଝିଅଟି ସତ ମାନିଥିଲା କି ଏ ରୁମ ରେ ଆମ ପରିବାର ଶୋଉ. ମୋ ବାପା ଏ କଲେଜ ର ପିଅନ. ଭାଇ ବାହାଘର ପରେ କ୍ୱାଟର ରେ ଜାଗା ହୁଏନି ତେଣୁ କୌଣସି ମତେ ଡରାଇ ଛାତ୍ର ବା ଛାତ୍ରୀକୁ ଭଗାଇବାକୁ ଏ ଉଦ୍ୟମ ଆମର,ମାନେ ଭୁତୁଣୀ ସାଜି କାହାକୁ ମାରିଦେବାକୁ ବି ପଛଗୁଞ୍ଛା ଦେଉନଥିବା ସାଙ୍ଘାତିକ ଝିଅ ତୁମେ ଦେଖୁଛି. ମୋର ଭୁଲ ହୋଇଯାଇଛି ବାବୁ, ଆଉ ଏମିତି କେବେ କରିବିନି କହି ମିନତି ଚାଲିଗଲା ପରେ ପିଙ୍କୁ ପ୍ରଶ୍ନର ଉତ୍ତର ଦେଇ ଶୁରେଶ ଯେବେ କହିଥିଲା ନାହିଁତ କୋଉଠି କୋଉ ଭୁତୁଣୀ ମୁଁ ଜାଣେନା.
ତା ପରଠୁ ଶୁରେଶ ମନ ଦେଇ ପଢି ଉପର ଶିଡ଼ି ଉଠୁଥିଲା ଯେମିତି. ଚାକିରୀ ମଧ୍ୟ ଲାଗି ଗଲା ତ ଘରେ ବାପା ବୋଉ ଅଥୟ କଲେ ବାହାଘର ପାଇଁ. ଶେଷକୁ ଶୁରେଶ କହିଥିଲା ବୋଉ ତୋର ଯୋଉଠି ରାଜି ବାପାଙ୍କୁ ନେଇ ଦେଖା ଓ କଥା ପକ୍କା କରି ମତେ କହ, ମୁଁ ରାଜି. ମଳୁ ଖୋଜୁଥିଲା କାକର ପାଣି.. ବଇଦ କହିଲା ଦେ ତୋରାଣୀ ପରି ବାହାଘର ପକ୍କା କଲେ ବୋଉ ସହ ମିଶି ବାପା.ଚତୁର୍ଥୀ ରାତିରେ ଯେବେ ଭୁତୁଣୀ ଭୁତୁଣୀ କହି ଡିଆଁ ମାରି ପଦା କୁ ବାହାରିଆସିଲା ଶୁରେଶ ଘରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ .କଥା ଟି ଥିଲା ଝିଅଟି ଥିଲା ସେହି ହଷ୍ଟେଲ ଶୀତ ରାତିରେ ବାଥ ରୁମ ଭିତରୁ ରଜନୀଗନ୍ଧା ଫୁଲ ପକାଉଥିବା ମିନତି . ଶୁରେଶ ବୋଉଙ୍କ ବଉଳର ଝିଅ ସେ . ବେଶ ପାଠ ପଢି ଚାକିରୀ କରିଛି କିନ୍ତୁ ମିନତି ର ସେ ବାମ ଗାଲର କଳାଜାଇ ଓ ସେଦିନର ଶୀତରାତି କୁ ଭୁଲିନଥିଲା ଶୁରେଶ . ମିନତି ନେହୁରା ହେଉଥିଲା ପଛ କଥା ଭୁଲି ତାକୁ କ୍ଷମା କରିଦେବାକୁ. ବୋଉ ବାପା ସବୁ ଶୁଣି ଦୁଃଖ କରୁଥିଲେ ସେହି ନିରୀହ ଯୁବକର ଭୟରେ ମୃତ୍ୟୁର ପରୋକ୍ଷ କାରଣ ତାଙ୍କ ବୋହୁ ମିନତି ହିଁ ଅଟେ. ବୋଉ କହିଥିଲା ଯାହା ହେବାର କଥା ହେଲାଣି. ଜାଣିଶୁଣି ଏମିତି କେହି କାହାକୁ କେବେ ଡରେଇବା ଉଚିତ ନୁହେଁ. ଶୁରେଶ ଓଢଣା ଟେକି ମଞ୍ଜୁ ମୁଁହଁଟିକୁ ନିଜ ପାପୁଲିରେ ତୋଳି କହୁଥିଲା ତୁମପରି ସୁନ୍ଦରୀ ଝିଅକୁ କ୍ଷମା ନଦେବାର ସତସାହାସ ମୋର ନାହିଁ. ମିନତି କହୁଥିଲା ଯାହା କହିବ ମୁଁ ପ୍ରାୟଶ୍ଚିତ ପାଇଁ ସେୟା ହିଁ କରିବି. ଶୁରେଶ କହିଥିଲା ଶୀତ ରାତିରେ ମୋ ସହ ତୁମକୁ ଦାର୍ଜିଲିଙ୍ଗ ଯିବାକୁ ପଡିବ ଗୋଟେ ହଷ୍ଟେଲର କୋଠରୀକୁ. ପ୍ରତ୍ୟେକ୍ଷରେ କିନ୍ତୁ ତାହା ଶୁରେଶ ଓ ମିନତିଙ୍କର ହନିମୁନ ଥିଲା. ପରୋକ୍ଷରେ ତାହା ନଜାଣି ମଞ୍ଜୁ କେବଳ କହୁଥିଲା ମତେ କ୍ଷମା କ୍ଷରିଦିଅ. ଏତେ ସବୁ କଥା ଭିତରେ ରଜନୀଗନ୍ଧା ଫୁଲକୁ ମିନତି ନା କରି ବାଦ ଦେଇଥିଲା ତା ଜୀବନ ପରିଧିରୁ ସବୁଦିନ ପାଇଁ.ବାହାରୁ ଶୁଭୁଥିଲା ଗୀତଟିଏ, ରଜନୀଗନ୍ଧାର ରାତି.. ସରିଯାଉଛି. ବାପା ଚାଲିଯିବା ପରେ କିନ୍ତୁ ବହୁତ ଥର ଶୁରେଶକୁ କହିଥିଲା ବୋଉଙ୍କୁ ଆମ ପାଖକୁ ସହରକୁ ନେଇଆସ ହେଲେ ଶୁଣିନଥିଲା ଶୁରେଶ. ଆଜି ମିନତି କହୁଥିଲା ସେତେବେଳେ ଯଦି ମୋ କଥାରେ ରାଜି ହୋଇଥାଆନ୍ତ ତେବେ ବାପାଙ୍କ କଥା ରକ୍ଷା କରିପାରିଥାନ୍ତ. ଶୁରେଶ ଅନୁତପ୍ତ ଲୁହକୁ ପୋଛି ଦେଇ କହୁଥିଲା ବୋଉ ପରା ମୋ ଭିତରେ ଅଛି. ଆଉ ବୋଉ ମୋ ଭିତରେ ଅଛି ମାନେ ବାପା ନିଶ୍ଚୟ ସ୍ୱର୍ଗରେ ଖୁସିରେ ଥିବେ.ମିନତି ଓ ଶୁରେଶ, ଉଭୟଙ୍କୁ ଧୂଆଁ ଧୂଆଁ ଆକାଶ ଭିତରେ ବାପା ହିଁ ଦେଖା ଯାଉଥିଲେ.