ଝଡ଼ ପରି ଘର ଛାଡି ଆସିବା ବେଳେ ମାଆ ହୋଇ ମଧ୍ୟ ଆନ୍ନା ଝିଅ ସ୍ନେହା ଆଡକୁ ମୁହଁ ଟେକି ଚାହିଁନଥିଲା ବରଂ ଭାବିଥିଲା ସେ ତ ତାକୁ ବାପଘରୁ ଆଣିନଥିଲା ସାଙ୍ଗରେ ତେବେ ନେଇଯିବ କାହିଁକି ତାକୁ ସାଙ୍ଗରେ! ସ୍ୱାମୀଙ୍କୁ ଯଦି ତା ଠାରୁ ଛଡାଇ ପାରିଲା ଲିଜା ତେବେ କରୁ ଝିଅର ସବୁକିଛି. ସହୁ ଅଳି ଅର୍ଦ୍ଦଳି ଅଝଟପଣ ସବୁ ଭାବି ମାଆ ମାଆ ଡାକ ଛାଡୁଥିବା ଅଢେଇ ବର୍ଷର ଝିଅ ପ୍ରତି ନିଷ୍ଠୁର ହୋଇ ଆସିବା ପରେ ଆନ୍ନାର ପିଲାଦିନ ହିଁ ମନେ ପଡୁଥିଲା. ସେ ପାଠ ଶାଠ ସବୁଥିରେ ଆଗୁଆ ଥିଲେ ମଧ୍ୟ ହସିବା ତାକୁ ମନା. ସାନଭାଇ ସ୍କୁଲରେ ଓ ତା ସାଙ୍ଗମାନଙ୍କ ତୁଳନାରେ ପଛୁଆ ଥିଲେ ମଧ୍ୟ ଭାରି ଗେଲବସର. ସେ ଝିଅ ପିଲା ବୋଲି ତା ପାଇଁ ସାଇକେଲ କିଣା ହେଲା ନବମ ଶ୍ରେଣୀ ପରେ କିନ୍ତୁ ସାନଭାଇ ତୃତୀୟ ଶ୍ରେଣୀ ପଢିଲା ବେଳକୁ ଛୋଟ ସାଇକେଲ କିଣା ସରିଥିଲା ତା ପାଇଁ.ଆଉ ଯୋଉଦିନ ସେ ସାଇକେଲରୁ ପଡିଗଲା ତାଳମାରି ହସିଥିଲା ବୋଲି ଜେଜେମା କହିଥିଲା ଉପରମୁହିଁ ଓ ମାଆ ଭିତରକୁ ଡାକି ନେଇ କହିଥିଲେ କାହା କଷ୍ଟ ଦେଖିଲେ ତତେ ହସ କେମିତି ମାଡ଼େ ଝିଅ? ବାବୁଲା ପୁଣି ତୋ ନିଜ ଭାଇ. ଝିଅ ପିଲାଙ୍କଠି ସ୍ନେହ ଶ୍ରଦ୍ଧା ଓ ତ୍ୟାଗ ଭାବ ନରହିଲେ ପରିବାର ତ ପରିବାର ଦୁଇ ଦୁଇଟା ପରିବାରର ହିତା ହେବୁ କେମିତି ଝିଅ!ଆଉ ବାପା ଦୀନବନ୍ଧୁ, ତାଙ୍କ କଥା ନକହିଲେ ଭଲ.ହଠାତ ଟ୍ରେନ ଛାଡ଼ିବା ଶବ୍ଦରେ ଛାତିଟା ଧଡ଼ପଡ଼ ହେଲା ଆନ୍ନାର ଓ କାହିଁକି କେଜାଣି ଝିଅ ସ୍ନେହା କଥା ଖୁବ ମନେପଡ଼ିଲା. ଘରେ ଏବେ ଏକୁଟିଆ ବାପା.ଦେଖୁ ଦେଖୁ କହିବେ ଯଦି କି ଝିଅ ହେଇଥିଲୁ କେଜାଣି, ସ୍ୱାମୀଟାକୁ ପଣତରେ ବାନ୍ଧି ପାରିଲୁନି ଯେ ସେ ଆଉ କାହାର ହୋଇଗଲା!କେମିତିକା ଝିଅ କେଜାଣି ତୁ!କୋଉ ବେଳା ନକ୍ଷତ୍ରରେ ତୋର ଜନ୍ମ?
ଗାଡିରୁ ଓଲ୍ହେଇ ଷ୍ଟେସନ ଭିଡ଼ ଭିତରେ ଚାଲୁ ଚାଲୁ ଛୋଟ ଝିଅଟିଏ ତା ହାତ ମୁଠେଇ ଚାଲିବାର ଦେଖି ସେ ଚମକି ପଡିଲା. ଠିକ ତା ନିଜ ଝିଅ ସ୍ନେହା ବୟସର ହେବ. ସେ ଯୁଆଡେ ଯୁଆଡେ ଯାଉଥିଲା ଭିଡ଼ ଭିତରେ ତା ହାତ ମୁଠା ଜାବୁଡି ଧରି ଛୋଟ ଶିଶୁକନ୍ୟାଟି ଚାଲିବା ଦେଖି ତା ଭାବନାର ସୂତାଖିଅ ସବୁ ଓଲଟ ପାଲଟ ହୋଇଯାଉଥିଲା. ଜୀଵନର ପ୍ରତ୍ୟେକ ଘଡି ସନ୍ଧିରେ କାହାରି ନା କାହାରି ହାତର ସାହାରା ଯେ ନିଶ୍ଚୟ ଦରକାର ଭାବୁ ଭାବୁ ଛୋଟ ପିଲାଟିର ଉଷ୍ମ ହାତ କେତେବେଳେ ଖସିଯାଇଥିଲା ତା ହାତମୁଠାରୁ ଭିଡ଼ ଭିତରେ ତ ଏଣିକି ତେଣିକି ଚାହିଁ ଦେଖିଲା ହଜିଯାଇଥିବା ଟିକି ଝିଅ ତା ମାଆ ପାଖରେ ପହଁଞ୍ଚି ଯାଇଛି. ମାଆଟି ତା ହାତ ମୁଠାରେ ପୁଣି ତା ଟିକି ଝିଅର ସ୍ପର୍ଶ ପାଇ ମାଆ ତାର ବିଭୋର ହୋଇ ଗେଲ କରି ଚାଲିଛି ତା ଶିଶୁ କନ୍ୟାକୁ. ଗହଳି ଭିତରେ ବସି ପଡିଲା ଆନ୍ନା. ସେ ନିଜେ ସମର୍ଥ. ତାର ରୋଜଗାର ଅଛି.ତେବେ କାହିଁକି କାହା ହାତ ମୁଠାରେ ହାତ ଥାପି ବାଟ ଚାଲିବାକୁ ସେ ଏଡ଼େ ବକଟେ ଝିଅ ସ୍ନେହାକୁ କୁ ଛାଡି ଆସିଛି କାହା ଭରସାରେ!
ଭିଡ଼ କମି ଯାଇଥିଲା. ଫେରନ୍ତା ଟ୍ରେନରେ ରାତି ସାରା ବସି ସେ ଫେରିଆସିଥିଲା. ତାକୁ ଫେରିଆସିବା ଦେଖି ନା ସ୍ୱାମୀ କି ସୋନା କେହି ଖୁସି ହୋଇନଥିଲେ କିନ୍ତୁ ରାତି ସାରା କାନ୍ଦି କାନ୍ଦି ବିକଳରେ ଆଖିରୁ ଲୁହଧାର ଶୁଖିନଥିବା ସ୍ନେହା ଉଠିପଡ଼ି ଜାବୁଡି ଧରିଥିଲା ମାଆ ଆନ୍ନାକୁ ଗଛର ବକଳ ଗଛରେ ଲାଖିଗଲା ପରି . ଝିଅକୁ ଗେଲ କରି ଛାତିରେ ତୋଳି ଧରି ପୁଣି ଫେରିଥିଲା ଆନ୍ନା ହେଲେ ବାପା ମାଆଙ୍କ ପାଖକୁ ନୁହେଁ ବରଂ ଝିଅ ସହ କର୍ମକ୍ଷେତ୍ରକୁ.ଝିଅ ଯେବେ ତା ହାତ ମୁଠାରେ ହାତ ରଖି ପଚାରୁଥିଲା ମତେ ଛାଡି ଆଉ କୁଆଡେ ଯିବୁନି ତ ମାଆ? ଆନ୍ନା କହିଥିଲା, କାନ ମୋଡି ହେଉଛି ଧନ, ଆଉ କେଵେ ବି ନୁହେଁ.ଆନ୍ନା ର ମନେପଡୁଥିଲା ପିଛିଲା କଥା.ବାପା ଦୀନବନ୍ଧୁବାବୁ ତାଙ୍କ ସଂସାରରେ ଏକୁଟିଆ. ପୁଅ ଝିଅ ଦୁହେଁ ବିବାହ କରି ନିଜ ନିଜ ସଂସାରରେ. ସ୍ତ୍ରୀ ମରିବାର ଦଶ ବର୍ଷ ହୋଇଗଲାଣି ଏଭିତରେ କିନ୍ତୁ ଦୀନବନ୍ଧୁ କେଵେ ପୁଅ ଝିଅଙ୍କ ଘରକୁ ଯାଇ ମାସେ ଦୁଇମାସ ଦୂରର କଥା ଦିନେ ଓଳିଏ ରହିବାର କେହି ଦେଖିନି. ବେଳେ ବେଳେ ଏକମାତ୍ର ଗାଈଟି ସହ କଥା ବାର୍ତ୍ତା ହେବାର ଶୁଣିବାକୁ ମିଳେ. କଥା ହେଉଥାଆନ୍ତି ଏମିତି ଯେମିତି ବାପା ଝିଅଟି ସହ ସୁଖ ଦୁଃଖ ହୋଇ ଭବିଷ୍ୟତ ପାଇଁ ସତର୍କ କରୁଛନ୍ତି. କହିଚାଲିଥାନ୍ତି ଦୀନବନ୍ଧୁବାବୁ ବୁଝିଲୁ ଚାନ୍ଦ ଘରେ ଥିବା ତୋରାଣୀ, ପେଜଖାଇ ପଛେ ସନ୍ତୁଷ୍ଟ ରହିବୁ କିନ୍ତୁ କେଵେ କାହା ବାଡ଼ିରେ ପଶି ଶାଗ, ମାଡିଥିବା ଲଟା ଆଦି ଖାଇବୁ ନାହିଁ. ଖାଉ ଖାଉ ଲଙ୍କା ଗଛ ଖାଇଦେବୁ ଯଦି ରାଗରେ ତଣ୍ଟି ଜଳିଯିବ. ଏବଂ ଘରେ କଳି ଝଗଡା ପଶିବ. ପୁଣି ଯଦି କାହା ବିଲ ବାଡ଼ିରେ ପଶି ଧାନ, ମୁଗ, ବିରି କୋଳଥ ଫସଲ ଉଜୁଡ଼େଇବୁ ତେବେ କଳି ସହ କାଞ୍ଜିଆପାଣିରେ ପଶିବୁ. ତତେ ମୁକୁଳେଇ ଆଣିବାକୁ ଯିବାକୁ ଏ ବୟସରେ କଷ୍ଟ ସହ ଲାଜ ମାଡିବ ମତେ.ମୋର ତ ଆଗକୁ ନାହିଁ କି ପଛକୁ ନାହିଁ. ଯାହା ପଇସା ପତ୍ର ସବୁ ତୋର ଓ ମୋର. ତୋ ପାଇଁ ଯେତିକି ଚୁନି, ଚୋକଡ ଇତ୍ୟାଦି ଆଣୁଛି, ନଡା, କୁଟା, ପାଳ ଯୋଗାଉଛି ସେତିକିରେ ସନ୍ତୁଷ୍ଟ ରହିବୁ. ଏସବୁ କଥା ଶୁଣି ଏପଟେ ନିହାର ବାବୁ ହସି ହସି ଗଡ଼ନ୍ତି.କେଵେ ମୁହଁକୁ ମୁହଁ ପଡିଗଲେ, ହସି ଦେଇ ଦୀନବନ୍ଧୁ କହନ୍ତି ସେଇତ ଗୋଟେ ବୋଲି ପ୍ରାଣୀ ମୋର. ଏପଟୁ ନିହାର ହସି ହସି କହନ୍ତି ହଁ ହଁ ଝିଅକୁ ଭଲ ସଂଠଣା ଶିଖାଉଛନ୍ତି ଆପଣ. ସମାଜ ପାଇଁ ଏକ ବିରଳ ଦୃଷ୍ଟାନ୍ତ ଆପଣଙ୍କ ଏହି ଶୋଭାନୀୟ କଥା ବାର୍ତ୍ତା. ମଣିଷ ଓ ପଶୁ ଭିତରେ ଏପରି ବନ୍ଧୁତାର ସମ୍ପର୍କ କେତେ ଜଣଙ୍କ ପାଖରେ ଦେଖିବାକୁ ମିଳେ!
ଦେଖୁ ଦେଖୁ ସେ ଶାଶ୍ୱତ ନିର୍ମଳ ସମ୍ପର୍କ ଛିଡି ଗଲା. ଗାଈଟି ଯେବେ ମରିଗଲା. ଦୀନବନ୍ଧୁ ବାବୁ ସେପଟେ ଯେତିକି କାନ୍ଦୁଥିଲେ ଏପଟେ ନିହାର ବାବୁ ହୁଏତ ତାଙ୍କ ଠାରୁ ଅଧିକ କାନ୍ଦୁଥିଲେ. ଆଜି କିନ୍ତୁ କାହା ସହ କଥା ହେଉଛନ୍ତି ଦୀନବନ୍ଧୁ ଠିକ ଗାଈଟି ସହ କଥା ହେଲା ଭଳି. ଶୁଣିବାକୁ ଚେଷ୍ଟା କଲେ ନିହାର ବାବୁ. ଦୀନବନ୍ଧୁ ତାଙ୍କ ଫୁଲ ବଗିଚାରେ ଥିବା ପ୍ରତ୍ୟେକ ଫୁଲ ଗଛକୁ ତୁମେ ମାନେ ପ୍ରକୃତିର କନ୍ୟା କହି କେତେ ଦୁଃଖ ସୁଖ ହୋଇ ତୁଳସୀ ଗଛକୁ ପୂଜା କରୁଥିଲେ ଓ ମାଆ ତୁମେ ମୋ ଝିଅ ବୋଲି କହି କହୁଥିଲେ ତୁମେ ପ୍ରକୃତିର ସୁକନ୍ୟା ମାତା. ତୁମ ବିଷୟରେ କହିଲେ ସରିବ ନାହିଁ କିନ୍ତୁ ତୁମେ କନ୍ୟା ରୂପେ ମାତା ବୃନ୍ଦାବତୀ. ସେପଟେ ଦୀନବନ୍ଧୁ ଆଉ କଣ କଣ ସବୁ କହୁଥିଲେ ଫୁଲ ଗଛଗୁଡିକୁ ଆଉ ଏପଟେ ନିହାର ବାବୁ ଦୀର୍ଘାନିଶ୍ୱାସ ଛାଡି ଭାବୁଥିଲେ ଯା ହେଉ ବଞ୍ଚିବାର ସାହାରା ମିଳିଗଲା ଦୀନବନ୍ଧୁବାବୁଙ୍କୁ.
ନିହାର ବାବୁଙ୍କ ଝିଅ ସେତିକି ବେଳକୁ କିଛି କହିବ କହିବ ହୋଇ କହି ପାରୁନଥିଲା ତ ନିହାରବାବୁ ଅଭୟ ଦେଲେ ଆଉ ପଚାରିଲେ କଣ କହିବୁ କହ ମାଆ?ଝିଅ କହିଲା ମୋ ପେଟ କଣ ହେଉଛି ବାପା, ଆଜି ସ୍କୁଲ ଯିବାକୁ ମୋର ମନ ଓ ଦେହ ମତେ ବାରଣ କରୁଛି. ବ୍ୟସ୍ତ ହୋଇପଡିଲେ ନିହାରବାବୁ. ତରତର ହୋଇ ହସ୍ପିଟାଲ ବାହାରିଲେ କିନ୍ତୁ ସ୍ନେହା ରାଜି ନୁହଁ ଯିବାକୁ.ବହୁ କଷ୍ଟରେ ଲାଜ ମିଶା କଣ୍ଠରେ ଝିଅ ସ୍ନେହା କହିଥିଲା ମତେ ତେର ବର୍ଷ ହୋଇଗଲାଣି ବାପା ଏ ପେଟ କଣ ହେବା ମୋର ପ୍ରକୃତିଗତ. ଉଠି ଛିଡା ହେଲେ ନିହାର ବାବୁ. ମନେ ମନେ କହିଲେ ଓଃ ମୋ ଝିଅ ଏଯାଏଁ ପ୍ରକୃତି କନ୍ୟା ଥିଲା ଆଜିଠୁ ମଣିଷ ସମାଜରେ ଜଣେ ହୋଇଗଲା ବୋଲି ମାଆ ନଥିବା ମୋ ଝିଅ କଥା ବୁଝିବାକୁ ମୁଁ ବାପା ଅଛି କହି ଦଉଡିଯାଇଥିଲେ ବାଜାରକୁ. ରସଗୋଲା କିଣି ଆଗ ଦୀନବନ୍ଧୁଙ୍କୁ ଦେଇ କହୁଥିଲେ ଆପଣଙ୍କ ପ୍ରକୃତି କନ୍ୟା ତୁଳସୀ ମାତାଙ୍କୁ ପୂଜିବାକୁ ମୋ ଝିଅ ଏବେ ସକ୍ଷମ ହୋଇଯାଇଛି ଦୀନବନ୍ଧୁବାବୁ.ସେପଟେ ସୋନା ଲାଜ ଓ ଭୟ ତଥା ସଦାଚାରରେ ଜଡ଼ସଡ଼ ହୋଇପଡ଼ିଥିଲା.ସୋନା ଏବେ ନିଜର ଭୁଲ ବୁଝିପାରି ବଡ଼ଭଉଣୀ ତୁଲ୍ୟ ଆନ୍ନା ଙ୍କ ଜୀବନ ପରିଧିରୁ ଦୂରେଇ ଯାଇଥିଲା. ବାପା ନିହାର ବାବୁ ଓ ମଉସା ଦୀନବନ୍ଧୁ କଣ ବୋଲି କହିବେ ତାକୁ ଭାବି ସୋନା ଚାଲିଯିବା ପରେ ଆନ୍ନା ର ସଂସାର ସ୍ୱାମୀ ଓ ଝିଅ ସ୍ନେହାକୁ ନେଇ ଖୁବ ସୁଖ ରେ କଟିଥିଲା.
,,,,,,,,,,,,,,,,,,,,