ଭୂତ
ଭୂତ
ଭୂତ ହେଲେ କଣ କରିବି ବୋଲି ଭାବନାର ର ମନଟିଏ ସମସ୍ତଙ୍କ ଭିତରେ ଥାଏ.ସେମିତି ଭୟ ବି ଥାଏ ଭୂତ ହେବାକୁ. ପୁଣି ଭୂତ ହୋଇ କିଏ ଡରାଏ କାହାକୁ ଠିକ ଯେମିତି ଜମି ଧାରରେ ଠିଆ ହୋଇ ପାଳଭୂତ କୁ ଡରୁଥାଆନ୍ତି ଅନେକ ଧାନ ଶସ୍ୟ ଖାଇ ନଷ୍ଟ କରୁଥିବା ପଶୁ, ପକ୍ଷୀ ଓ ସରୀସୃପ ଗଣ .ସେଦିନ ପଢିଥିବା ସେଇ ଯୁବକ ଚାରିଜଣଙ୍କ କଥା ମନେ ପକାଉଥିଲେ ତୃଷ୍ନା. ଡାକ୍ତରଖାନାରେ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯିବା ପରେ ସେ ଚାରିଜଣ ଯୁବକ ଜଗିରହିଥିଲେ କ୍ୟାବିନ ଭିତରେ ଶବଟିକୁ. ସକାଳ ପାହିଲେ ଗାଁରୁ ଅନ୍ୟମାନେ ଆସିବେ. ଶବବାହାକ ଗାଡି ଡକା ହେଲା ପରେ ଶବକୁ ପ୍ରଥମେ ଗାଁକୁ ନିଆଯିବ ତା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ନିଆଯିବ. ଶବ ଶହ ରାତି କଟେଇବାକୁ ଚାରି ଯୁବକ ତାସ ଖେଳି ବସିଲେ. ଜଣଙ୍କର ଆଖି ଶବ ଉପରେ ପଡ଼ନ୍ତେ ସେ ଦେଖିଲେ ଶବ ତକିଆ ଉପରୁ ହାତେ ଉଚ୍ଚ ରେ ଶୂନ୍ୟରେ ମୁଣ୍ଡ ରଖି ଯେମିତି ଶୁନ୍ୟ ଦୃଷ୍ଟି ମେଲି ଚାହିଁଛନ୍ତି ଉପରକୁ. ଧଳା ଚାଦର ଖସିପଡ଼ିଛି ମୁଁହଁ ରୁ ତ ଯୁବକ ଜଣକ କାହାକୁ କିଛି ନକହି ଉଠିଗଲେ ବାହାରକୁ. ବହୁସମୟ ଯାଏଁ ନଫେରିବାରୁ ଅନ୍ୟ ତିନି ଯୁବକ ଯାହା ଯେମିତି କରି ସମୟ କଟାଉ କଟାଉ ଆଉ ଜଣେ ଅର୍ଥାତ ଦ୍ୱିତୀୟ ଯୁବକ ଦେଖିଥିଲେ ଶବର ସ୍ଥିତି. ସେ ହାତେ କଣ ଅଣ୍ଟା ଯାଏଁ ଉଠି ବସିଥିଲେ ତ ଭୟ ପାଇ ସେ ମଧ୍ୟ ବାହାରୁ ଆସୁଛି କହି ଚାଲିଯିବା ପରେ ଆଉ ବଳକା ଦୁଇଜଣ ଯୁବକ ପରସ୍ପର ମଧ୍ୟରେ କଥା ବାର୍ତ୍ତା କରୁ କରୁ ତୃତୀୟ ଯୁବକଙ୍କ ଦୃଷ୍ଟି ଶବ ଉପରେ ପଡିବାରୁ ସେ ମଧ୍ୟ ସେହି ଦୃଶ୍ୟ ଦେଖି ସାରିବା ପରେ ବାହାନା କରି ବାହାରକୁ ଚାଲିଆସିବା ପରେ ଚତୁର୍ଥ ଯୁବକ ଦେଖିଲେ ଶବ ହୋଇଥିବା ଲୋକଟି ବସିଛି ଖଟ ଉପରେ ତ ଭୟ ରେ ସେ ସେଇଠି ହାର୍ଟ ଫେଲ କରି ମରିଯାଇଥିଲେ. କଥାଟା ଗଭୀର ରେଖାପାତ କରିଥିଲା ତୃଷ୍ନାଙ୍କ ମନରେ. ବିସ୍ଲେସଣ କରି ସେ ଭାବନ୍ତି ପ୍ରଥମ ଯୁବକ ହୁଅନ୍ତୁ ବା ଦ୍ୱିତୀୟ କି ତୃତୀୟ ତାଙ୍କର ଭୂତମନ ଯୋଗୁଁ ସେମାନେ ଡାକ୍ତର ନଡାକି, ଅନ୍ୟମାନଙ୍କୁ ନକହି ଚାଲିଗଲେ ସିନା ସେମିତି ଯିବାର ନଥିଲା. ଚତୁର୍ଥ ଯୁବକ ହଠାତ ସେହି ଦୃଶ୍ୟର ସାମ୍ନା କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ସତ କିନ୍ତୁ ଯଦି ଭୂତ ମନ ପରିବର୍ତ୍ତେ ଧର୍ଯ୍ୟ, ସାହାସ, ଶକ୍ତି ସଞ୍ଚୟ କରି ଡାକ୍ତର ବା ଡାକ୍ତରୀ ଷ୍ଟାଫଙ୍କ ସହାୟତା ନେଇଥାନ୍ତେ ଜାଣିପାରିଥାନ୍ତେ ନିଶ୍ଚୟ ପ୍ରକୃତ ଭୂତ ଅବା ସମ୍ପର୍କୀୟ ଵ୍ୟକ୍ତି ବଞ୍ଚିଛନ୍ତି ନା ଅନ୍ୟ କିଛି ବୈଜ୍ଞାନିକ କାରଣ ନିହିତ!ପଛରେ ଡାକ୍ତର କହିଥିଲେ କଉ ମାଛ ଓ ଚୁଙ୍ଗୁଡ଼ି ମାଛ ତଥା ରତା ମାଗୁର ଭଳି ଅନେକ ପାଣି ମାଛ ଓ ଚୁଙ୍ଗୁଡ଼ି ସବୁ କେଳା ସରି ଧୁଆ ସରିବା ପରେ ଲୁଣ ଓ ହଳଦୀ ଗୋଳା ସହ ଗରମ କଡେଇରେ ଗରମ ତେଲ ରେ ପଡି ମଧ୍ୟ ବଙ୍କେଇ ଯାଆନ୍ତି. ସେହିଭଳି ଘଟଣାଟିଏ ମାତ୍ର ଏହା କିନ୍ତୁ ନିଜର ଭୂତମନ ଯୋଗୁଁ ଆଜି ଚତୁର୍ଥ ଯୁବକର ମୃତ୍ୟୁ ହୋଇଥିଲା. ତା ସାଙ୍ଗମାନଙ୍କର ଓ ଖୋଦ ନିଜର ଭୂତ ଭୟ ଡର ମନ ଯୋଗୁଁ.ଏସବୁ ତର୍ଜ୍ଜମା ପତ୍ନୀ ତୃଷ୍ଣାଙ୍କ ମୁଁହଁରୁ ଶୁଣି ସ୍ୱାମୀ ଅଖିଳେଶ କହୁଥିଲେ ସେହି ଭୂତମନ ଯୋଗୁଁ ତ ମୁଁ ଆଉ ସନ୍ଧ୍ୟା ପରେ ବାଇକ ନେଇ କୁଆଡେ ଯାଉନି. ଆଗରୁ ଓ ପଛରୁ ଆସୁଥିବା ଗାଡି ଲାଇଟ ପଡି ବାଟ ଦେଖାଆଯିବନି.ତ ଆଖିକୁ ଦେଖାଯାଉନି ବୋଲି ମନ ଭୂତ ପାଲଟିବ ଓ ଆକ୍ସିଡେଣ୍ଟ ହୋଇ ଭୂତ ହେବାକୁ ପଡିବ. ସେଇଥିପାଇଁ ତ ଆଜିକାଲି ଶନି କି ରବିବାରରେ ତୁମେ ଯେତେ କହିଲେ ମଧ୍ୟ ମୁଁ ପୁରୀ ଯାଉନି. ତାର କାରଣ କିଣା କିଣି ଓ ଶଶୁର ଘର ବୁଲାବୁଲି ସାରି ଫେରୁ ଫେରୁ ସନ୍ଧ୍ୟା ହୋଇଯିବ ତ ଭୂତ ଭୟ ମନ ବାଇକ ଚଳେଇବାକୁ ଅସମର୍ଥ ହେବ. କଣ ଯେ ତୁମେ କୁହ ବୋଲି ସ୍ୱାମୀ ଅଖିଳେଶଙ୍କୁ କହି ସ୍ତ୍ରୀ ତୃଷ୍ନା ଚାଲିଲେ ଛାତ ଉପରକୁ.
ସକାଳେ ଓ ସନ୍ଧ୍ୟାରେ ଛାତ ଉପରକୁ ତୃଷ୍ନାଙ୍କର ଆସିବାର କାରଣ ତ ଅନେକ. ସେଗୁଡିକ ସବୁ ଭିତରୁ ଘର ଆଗରେ ଥିବା ଝଙ୍କାଳିଆ ବରଗଛ ସହିତ ତୁଳସୀ ଚଉରା ପୂଜନ, ଫୁଲ ଗଛ କୁଣ୍ଡ ସଫା ସହିତ ସେମାନଙ୍କୁ ଜଳ ପ୍ରଦାନ, ପକ୍ଷୀମାନଙ୍କ ପାଇଁ ରଖିଥିବା ପାଣି ପାତ୍ର ବଦଳେଇ ନୂଆ ପାଣି ପରିବର୍ତ୍ତନ ଭିତରୁ ପକ୍ଷୀଙ୍କ ଗତି ଵିଧି ଲକ୍ଷ କରି ହଳଦୀ ବସନ୍ତ, ନୀଳକଣ୍ଠି, ଶୁଆଙ୍କ ଉପସ୍ଥାପନ ସହ ସେମାନଙ୍କୁ ଦର୍ଶନ ର ଶାନ୍ତି ରେ ମଣିଷ ଭିତରେ ଥିବା ଭୂତ ମନ ଦୂରେଇ ଯାଇ ଆନନ୍ଦ ପ୍ରାପ୍ତି ହୁଏ ତୃଷ୍ଣାଙ୍କର. ସହଜେ ଏଇ କେଇଦିନ ହେଲାଣି କାଳବୈଶାଖି ପ୍ରଭାବରେ ଅଳ୍ପ ଖରା ଓ ଅଳ୍ପ ଛାଇ ସହ ପାଗ ମେଘୁଆ ରହୁଥିବାରୁ ଆକ୍ଳେଶରେ ଠାଵ କରି ହୁଏ ହଳଦୀ ବସନ୍ତମାନଙ୍କର ଉଡାଣ ସାଙ୍ଗକୁ ନୀଳକଣ୍ଠି ଓ ଶୁଆଙ୍କର ଗମନା ଗମନ ଆକାଶରେ . ସେମାନଙ୍କୁ କଣ ଶୋଷ ଲାଗେନି!ଉଡି ଆସି ତୃଷ୍ଣା ରଖିଥିବା ସ୍ୱଚ୍ଛ ଓ ଥଣ୍ଡା ଜଳରୁ ମୁନ୍ଦେ ଲେଖାଏଁ ଥଣ୍ଟ ବୁଡେଇ ପିଅନ୍ତେନି!ତାଙ୍କୁ ପାଖରେ ଦେଖିବା ଲୋଭ ପୁରଣ ହୋଇପାରନ୍ତା ତୃଷ୍ଣାଙ୍କର. କାଉଟିଏ କିନ୍ତୁ ପିଉଥାଏ ଜଳ. କାହାକୁ ଡରୁନଥାଏ ମାନେ ଅନ୍ୟାନ୍ୟ ବଣି, ପାରା, ଚଟିଆ ପକ୍ଷୀ ମାନେ ତୃଷ୍ଣାଙ୍କ ଉପସ୍ଥିତି ଅନୁଭବ କରି ପାଣି ପିଇବାକୁ ଆସୁନଥିବା ବେଳେ କାଉ ଆସୁଥାଏ. ତୃଷ୍ଣା ସେତେବେଳେ ଠାଵ କରୁଥାନ୍ତି ହଳଦବସନ୍ତ, ଶୁଆ, ନୀଳକଣ୍ଠି ପରି ପକ୍ଷୀ ସମୂହଙ୍କୁ. ସୂର୍ଯ୍ୟଙ୍କ ଅଳ୍ପ ତେଜ ତଥା ଅଳ୍ପ ଖରା ଓ ଛାଇରେ ପକ୍ଷୀମାନଙ୍କ ସ୍ୱର, ଉଡାଣ ଓ ଗତି ଲକ୍ଷ କରି ମନ ପସନ୍ଦର ପକ୍ଷୀ ଦେଖି ପାରୁଥିବା ବେଳେ ତୃଷ୍ଣା ବୁଝିଯାଆନ୍ତି ସୃର୍ଯ୍ୟଙ୍କ ତେଜ ରେ ଆଖି ଝଲସି ଯାଇ ପକ୍ଷୀ ଅର୍ଥାତ ହଳଦୀ ବସନ୍ତ ପରି ଓ ଶୁଆ ଇତ୍ୟାଦି ପକ୍ଷୀ ଦେଖାଯାଉନଥିବା ପରି ରାସ୍ତା ଦେଖାଯାଏନା ସ୍ୱାମୀଙ୍କୁ ସନ୍ଧ୍ୟା ପରେ. ଯେହେତୁ ଆଗ ଓ ପଛରୁ ଲାଇଟ ବା ଆଲୋକ ପଡୁଥାଏ . ଭୂତମନ ବୋଲି କିନ୍ତୁ କାହିଁକି କହୁଥିଲେ ଅଖିଳେଶ ଭାବି ହେଉ ହେଉ ହଠାତ ଜଳ ପାନ କରି ଉଡିଯାଉଥିବା କାଉଟି ଘର ଆଗରେ ଶାଖା ପ୍ରଶାଖା ମେଲାଇ ବରଗଛଟିର ଉପର ଡ଼ାଳରେ ବସି ପଡ଼ୁ ପଡ଼ୁ ଢ଼ୋ କରି ଶବ୍ଦ ହୋଇ ଖସିପଡ଼ିଥିଲା ତଳକୁ ଶବ ହୋଇ. ଏବେ ଛାତକୁ ଆସିଲେ ପକ୍ଷୀ ଦେଖିବା ବଦଳରେ ତୃଷ୍ନାଙ୍କୁ ଦେଖାଯାଏ ସତେ ଯେମିତି କାଉଟି ଭୂତ ମନ ନେଇ ପାଣି ପିଇ ଚାଲିଛି. ନହେଲେ ସେ ଜଳଭରା ପାତ୍ରରେ ଆଉ କୋଉ ପକ୍ଷୀ ପାଣି ନପିଇବାର କାରଣ କଣ ହୋଇପାରେ!ସ୍ୱାମୀ ଅଖିଳେଶ ଯେତେ କହୁଥିଲେ ଯେ ତାହା ଅନ୍ୟ ପକ୍ଷୀମାନଙ୍କର ଡର. ସେଦିନ କାଉ ସବୁ ଘେରିଯିବା ଓ କା କା କା ରାବ ଦେଇ ଚକର କାଟିବା ଦୃଶ୍ୟରେ ତୃଷ୍ଣାଙ୍କ ଭୂତମନ ଛାନିଆଁ ହେଉଥିଲା ତ ଅଖିଳେଶ ଚିଠି କରି ଇଲେକ୍ଟ୍ରି ଅଫିସକୁ ବାରମ୍ଭାର ଦୌଡ଼ି ଦୌଡ଼ି ଇଲେକ୍ଟ୍ରି ତାର ଅନ୍ୟତ୍ର ଟାଣିବାର ବ୍ୟବସ୍ଥା କରିଥିଲେ. ପାଣି ପଛେ ନପିଅନ୍ତୁ କିନ୍ତୁ କରେଣ୍ଟରେ ମରି କେହି ପକ୍ଷୀ ଯେମିତି ଭୂତ ନହୁଅନ୍ତୁ ବୋଲି ଭାବୁଥିବା ଅଖିଳେଶ ଦେଖୁଥିଲେ ଅତି ଶ୍ରଦ୍ଧାରେ ଢାଳ ସବୁକୁ ଜଳ ପୂର୍ଣ୍ଣ କରି ତୃଷ୍ଣା ଉଡିଯାଉଥିବା କାଉମାନଙ୍କୁ ନମସ୍କାର କରି ଚାଲିଛନ୍ତି. ଏହା ସ୍ତ୍ରୀଙ୍କର ଭୂତମନ ବୋଲି ଅନୁଭବ କଲେ ମଧ୍ୟ ସ୍ଥାନ କାଳ ପାତ୍ର ଜଗି ପାଟି ଖୋଲି କହୁନଥିଲେ କିଛି .
