ଛୁଇଁବାକୁ ଚାହେଁ
ଛୁଇଁବାକୁ ଚାହେଁ
ଅନେକ ଇଛା ଭିତରୁ ଏ ଛୁଇଁବାର ଇଛା ଭାରି ନିଆରା ଓ ସମ୍ବେଦନଶୀଳ ଅଟେ . ଛୁଇଁବାକୁ ଇଛା ହୁଏ ପ୍ରକୃତିର ଅନେକ ସଜୀଵ ଓ ନିର୍ଜୀଵଙ୍କୁ ସ୍ନେହ ର ପରଶ ରେ, ଭଉଣୀ ଟିଏ ଭଳି, ମମତ୍ୱବୋଧ ରେ ମାଆ ଟିଏ ପରି.ଆଉ ଚୁମାଟିଏ ଦେଇ ଟିକି ଝିଅ ଟିଏ ସରି ପୁଣି କେବେ ଟିକେ ଗଛଟିକୁ ଆଲିଙ୍ଗନ କରି ଠିକ ଜାୟା ସରି. ଲୁହ କିନ୍ତୁ ଆସିଯାଏ ଛୁଇଁବାର ନିଶା ଓ ଆକର୍ଷଣରେ ଅର୍ପିତାଙ୍କର . ସେଦିନ ଯେମିତି ଆମ୍ବଗଛଟିକୁ ଛୁଇଁବାର ନିଶାରେ କୁଣ୍ଢେଇ ଧରି ଭୋ ଭୋ କାନ୍ଦୁଥିଲେ ଅର୍ପିତା. ଗଛଟିକୁ ତାଙ୍କ ବାପା ଲଗେଇ ଥିଲେ. ପୁରୀରୁ ଅଭଡ଼ା ଧରି ଛୁଟିଆସନ୍ତି କେବେ କେବେ ଝିଅ ଅର୍ପିତା ଘରକୁ ତଥା ନିଶ୍ଚିନ୍ତ ସାବିତ୍ରୀ ଅମାବାସ୍ୟା କୁ . ନାତୁଣୀକୁ ପଢ଼ାଇ ବସନ୍ତି.ଅକ୍ଷର ଶିଖିବାର ସରଳ ଉପାୟ ଠାରୁ ସଂଖ୍ୟା ଗଣନ ର ସରଳ ପଦ୍ଧତି ଯାଏଁ ଶିଖାଉଥାଆନ୍ତି .ଅର୍ପିତାଙ୍କ ଝିଅ ରିଟୁ ଆଳ ଖୋଜୁଥାଏ ଖସିଯିବାକୁ ତ କହେ ଚକ ଖଡ଼ି ନାହିଁ. ଅର୍ପିତାଙ୍କ ବାପା ପୂର୍ଣ୍ଣବାବୁ ଚିଡି ଉଠନ୍ତି ନିଜ ଝିଅ ଅର୍ପିତାଙ୍କ ଉପରେ. ଟିଚର ହୋଇଛୁ ଘରେ ଚକ ଖଡ଼ି ଡବାଟିଏ ରଖିନୁ!ପୁଣି ନାତୁଣୀ ମାନେ ଅର୍ପିତାଙ୍କ ଝିଅ ରିଟୁ କୁ ଗାଳି ଦେଇ କୁହନ୍ତି ବାପାକୁ ଆମ୍ବ ଆଣିବାକୁ କହିପାରୁଛୁ, ଚକଖଡି କି ଦୁଦୁଖଡ଼ି ଆଣିବାକୁ କହିପାରୁନୁ!ଶୁଣିପାରନ୍ତି ଜୋଇଁ ତ ନେଇ ଆସନ୍ତି ପାଚିଲା ଆଖୁରସ ଆମ୍ବ ସହିତ ଦୁଦୁଖଡ଼ି ଓ ଚକଖଡ଼ି ଡବା. ଅର୍ପିତାଙ୍କ ବାପା ପୂର୍ଣ୍ଣବାବୁ ନାତୁଣୀ ରିଟୁ କୁ ପାଠ ପଢେଇବା ସହ ବାଡ଼ିରେ ଲଗାଉଥାଆନ୍ତି ଆଖୁରସ ଓ ବାଇଗଣପଲେଇ ଆମ୍ବ ଟାକୁଆ ସବୁକୁ . ପୁଣି ଆରଥର ସାବିତ୍ରୀକୁ ଅଭଡ଼ା ଇତ୍ୟାଦି ଧରି ଆସିଲା ବେଳକୁ ଉଠିଥିବା ଆମ୍ବଗଛ ମୂଳରୁ ସଫା କରୁଥାନ୍ତି ଘାସ ଓ ଚାରିପଟେ ମଳା କରି ଢାଳ ଧରି ବାଲ୍ଟିରୁ ଢ଼ାଲୁଥାଆନ୍ତି ଜଳ.ସେ ମଧ୍ୟରୁ ସବୁ ମରି ମରି ଗୋଟାଏ ବଢୁଥାଏ ଆକାଶ ଛୁଇଁ ଯେମିତି. ଗଛଟା ଶାଖା ପ୍ରଶାଖା ମେଲାଇ ବଢୁଥିବା ଦେଖି ଅଜା ଯେତିକି ଖୁସି ନାତୁଣୀ ରିଟୁ ବି ସେତିକି ଖୁସି . ଯୋଉବର୍ଷ ଫଗୁଣ ରେ ବଉଳ ଆସିଲା ଓ ଗଛରେ କୋଇଲି କୁହୁ କୁହୁ ଡାକିଲା ପତ୍ର ଗହଳ ରେ ଠିକ ସେହି ବର୍ଷ ବାପା ଯେମିତି ଅବିଗୁଣ ହୋଇ ଛାଡ଼ି ଚାଲିଗଲେ ସେପୁରକୁ, ଯୋଉଠିକି ଗଲେ ଆଉ ସେ ଚେହେରା ଦେଖିବା ସାତସ୍ବପ୍ନ ହୋଇଯାଏ. ଅର୍ପିତା କିନ୍ତୁ ଜଣାତ କି ଅଜଣାତ ଭିତରେ ଆମ୍ବ ଗଛଟାକୁ ଛୁଇଁବା ସହ କୁଣ୍ଢେଇ ଧରନ୍ତି, ଦୂରରୁ ଦେଖୁଥାନ୍ତି ଗଛଟାକୁ . ଆମ୍ବ ଗଛ ଡ଼ାଳରେ, ପତ୍ର ଗହଳ ଭିତରେ ବସା କରିଥିବା ଭଦଭଦଳିଆ ପକ୍ଷୀର ଦୁଇ ଶାବକଙ୍କୁ ହାତ ରେ ଛୁଇଁ ନପାରିଲେ ମଧ୍ୟ ହୃଦୟରୁ ଛୁଅନ୍ତି. ବାପା କହନ୍ତି ଅର୍ପିତାଙ୍କ ବାପଘର ଗୋତ୍ର କାଳେ ଭାରଦ୍ୱାଜ ତେଣୁ ଭଦଭଦଳିଆ ପକ୍ଷୀ ଦେଖିଲେ ଅର୍ପିତାଙ୍କ ବାପା ଓଠରେ ଦୁଇଆଙ୍ଗୁଠି ରଖି ଶୁଭ ସୂଚକ ଚୁ ଚୁ ଚୁ ବୋଲି ତିନି ଥର କହିବା ସହ ମୁଣ୍ଡିଆ ମାରୁଥାନ୍ତି ତ ସେଇ ପିଲାଦିନୁ ଅର୍ପିତାଙ୍କର ଏପରି ଭଦଭଦଳିଆ ପକ୍ଷୀ ଦେଖିବାରେ ଭାରି ସନ୍ତୁଷ୍ଟି. ଏବେ ବାପା ଯିବା ପରେ ପରେ ବୋଉ ମଧ୍ୟ ଗଲାଣି. ଝିଅ ବାହାହୋଇ ତାର ଝିଅଟିଏ ହେଲାଣି.ତ ଆମ୍ବ ଗଛକୁ ଦେଖିଦେଇ ଛୁଇଁ ହୋଇଯାଏ ବାପାଙ୍କୁ ଓ ବୋଉକୁ . ଛୁଇଁ ହୋଇଯାଏ ଦୂରରେ ଶାଶୁଘରେ ଥିବା ଝିଅ ରିଟୁ ସହ କଲିକତାରେ ରହୁଥିବା ପୁଅ ଜିଟୁ କୁ. ଅଜା କହିଯାଇଥିବା ଆମ୍ବ ଗଛର ଯତ୍ନ ନେଉ ନେଉ ଭାଇ ଅର୍ଥାତ ଅର୍ପିତାଙ୍କ ଜ୍ୟେଷ୍ଠ ସନ୍ତାନ ପୁଅ ଜିଟୁ କଣ କମ ହଇରାଣ କରେ ରିଟୁ କୁ!ଝିଅ ଭାଇ ଜିଟୁ ର କାମ ଓ କଥା ନମାନିଲେ ଧମକ ଦିଏ ଭାଇ ଯେ ଆମ୍ବ ଗଛ ତୋର ଓପାଡି ଦେବି ଯେ ଅଜା ଆସି ତତେ ଗାଳିଦେବେ କିନ୍ତୁ ସାନ ଭଉଣୀ ରିଟୁ ମାନିଯାଏ ଭାଇ କଥା କରିଦିଏ ଭାଇ ଆଦେଶ ର କାମ . ଏମିତି ଅନେକ ସ୍ମୃତିର ଗନ୍ତାଘର ଏ ଆମ୍ବଗଛ କୁ ଛୁଇଁ ହୋଇଯାଏ ମନରେ, ହୃଦୟରେ ତଥା ପଲକ ଓ ପୁଲକରେ ଅର୍ପିତାଙ୍କର . ଥରକୁ ଥର ଅନେକ ଥର ଅର୍ପିତାଙ୍କର. ପୁଣି ଭଦଭଦଳିଆ ପକ୍ଷୀଶାବକ ଦୁହିଁଙ୍କୁ ଦେଖି ବାପା ଓ ବୋଉଙ୍କୁ ଦେଖିଲା ପରି ଛୁଇଁଯାଏ ମନ ଓ ହୃଦୟ ତାଙ୍କର ମାନେ ଅର୍ପିତାଙ୍କର.
ସେଇ ଆମ୍ବଗଛ ଏବେ ହଣା ହେବ.ସ୍ୱାମୀଙ୍କ ପାଇଁ ଗଛଟି ହଣା ହେବାର କାରଣ ଅନେକ. ଆମ୍ବଗଛର ଚେର ମାଡି ଭିତରେ ଭିତରେ ତଳ ଘର, ଶିଡ଼ି ଓ ଟାଙ୍କି ଫଟେଇବାର ଆଶଙ୍କା ସାଙ୍ଗକୁ ଦ୍ୱିତୀୟତଃ ଜାଗା ବାହାରିଲେ ଆଉ ଦୁଇ ବଖରା ବାହାରି ପଡିଲେ କେହି ଜଣେ ଭଡାଟିଆ ରହି ଯାଇପାରିବ ତ!ତୃତୀୟରେ ଡ଼ାଳ ଚେର ମୂଳ ବଢ଼ୁଥିବାରୁ ପଡୋଶୀ ଘର ଛାତରେ ପତ୍ର ପଡେ ଓ ବଉଳ ଫୁଲ ଝଡ଼େ ତ ସେମାନଙ୍କୁ ପରିଷ୍କାର କରିବାକୁ ପଡେ ତ ମନ ବିଷାକ୍ତ ହୋଇ ଗଛ ଉପରେ ଚିଡ଼ା ସମ୍ଭାଷଣ ପଡେ ସ୍ୱାମୀଙ୍କର . ପୁଣି ଆମ୍ବ କଷି ରୁ କଣ ବଉଳ ହେବା ଠାରୁ ମାଙ୍କଡ଼ ପଲ ଦୋଳି ଖେଳୁ ଖେଳୁ ବଉଳ ଫୁଲ ଝାଡନ୍ତି, କଷିରୁ ଚିଡେଇ ତଳକୁ ଫିଙ୍ଗନ୍ତି, ମାଙ୍କଡ଼ ବାଡ଼େଇବାକୁ କହିଲେ କହନ୍ତି ସେମାନେ ବଞ୍ଚିବେ କେମିତି! ବାପା ମାନେ ଅର୍ପିତାଙ୍କ ସ୍ୱାମୀ ଓ ପୁଅ ଜିଟୁ ଦୁହେଁ ସମାନ କଥା କହିଥାଆନ୍ତି ତ ଗୋଟେ ବି କଞ୍ଚା କି ପାଚିଲା ଆମ୍ବ ମିଳେନି ଗଛରୁ . ଏମିତିକି ବିଷୁବ ସଂକ୍ରାନ୍ତିରେ ଛାତ ଉପରକୁ ହାତ ପାଉଥିବା ଡ଼ାଳ ଧରି କଞ୍ଚା ଆମ୍ବ ଫଳ ଟେ ମଧ୍ୟ ମିଳେନା ପଣାରେ ପକେଇବାକୁ ତ ସ୍ୱାମୀଙ୍କର ଏକା ଜିଦ ଗଛ ହଣା ହେବ. ଏଥର ଝିଅ ନାତୁଣୀ ସହ ଆସି ଦେଖେଇ ଦେଇଥିଲା ଅର୍ପିତାଙ୍କୁ ଦେଖ ମାଆ ନୀଳକଣ୍ଠି ଚଢ଼େଇ ବସା. ନୀଳକଣ୍ଠି ପୁଣି କୋଉ ଚଢ଼େଇ ଝିଅ!ସେଇ ଅଜା ଆଈଙ୍କ ଗୋତ୍ର ଚଢ଼େଇ ଭଦଭଦଳିଆ ମ!ନଈ କେ ବାଙ୍କ ଦେଶକେ ଫାଙ୍କ ପରି ଅଞ୍ଚଳ ରୁ ଅଞ୍ଚଳ ଭାଷାରେ ସମ୍ୟକ ପାର୍ଥକ୍ୟ ଭିତରେ ଆମେ ଓଡ଼ିଆ.. ଆମ ଭାଷା ବଢିଆ. ହସନ୍ତି ଅର୍ପିତା. ଏଣିକି ପୁଅକୁ ଫୁସୁଲାନ୍ତି. ତୋ ପୁଅ ତଥା ମୋ ନାତି ବାବା ବଡ଼ ହେଲେ ଆଉ ଭଦଭଦଳିଆ ବା ନୀଳକଣ୍ଠି ଚଢ଼େଇ ଏତେ ପାଖରୁ ଦେଖିପାରିବନି.ତ ଛୁଟିରେ ଅଳ୍ପ ଦିନ ପାଇଁ ପରିବାର ଧରି ଆସିଥିବା ପୁଅର କଥା ଗଛ ହଣା ହେଲେ ମୋ ପୁଅ ଝିଅ ପକ୍ଷୀଟିଏ ଦେଖିବେ କେମିତି ବୋଲି କଥାଟିକୁ ସେ ତା ଚାକିରୀ ଜାଗାକୁ ଯିବା ପରେ କାହିଁ ମନେରଖନ୍ତେ ସ୍ୱାମୀ!ସେଇ ନିଶା. ଗଛ ହଣା ହେବ.ମନସ୍ତାପ ଭିତରେ ଅର୍ପିତା ପଡିଯାଇ ବାମ ହାତ ଭାଙ୍ଗି ବସିଲେ ତ ଶନିମହାଦଶା ଘାଣ୍ଟୁଛି ର ଲୋକମତ କୁ ଗୁରୁତ୍ୱ ଦେଲାବେଳକୁ ଝିଅର ଦ୍ୱିତୀୟ ସନ୍ତାନ ଆସୁଥିବାର ଖୁସି ଖବର ରେ ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଭୁଲି ଅର୍ପିତା ଡାକୁଥିଲେ ପ୍ରଭୁ ହେ ଜୟ ବଜରଙ୍ଗବାଲୀ, ତୁମେ ହିଁ ସାହା. ତୁମେ ଆସ ପ୍ରଭୁ ମୋ ଝିଅ କୋଳକୁ ପୁଅଟିଏ ହୋଇ. ଥରେ ଛୁଇଁ ଦେବି ତୁମକୁ ମୋ ବାପା ବୋଲି କହି. ସ୍ୱାମୀଙ୍କ ଦବି ଯାଇଥିବା ନିଶା ସକ୍ରିୟ ହୋଇଛି. ଗଛ ହଣା ହେଲେ ଜାଗା ସଫା ହୋଇ ଝିଅ ରିଟୁ ର ଦ୍ୱିତୀୟ ସନ୍ତାନ ପ୍ରଭୁଙ୍କ ଦୟାରୁ ପୁଅଟିଏ ହେଲେ ରୋଷେଇ ହେବ. ଜାଗା ଦରକାର. ବହିନା ଦିଆ ସରିଛି. ଗଛକଟାଳି ଆଉ କେହି ପେଶା ରୂପେ ଗଛ ହାଣୁନଥିବାରୁ ବଡ଼ କଷ୍ଟରେ ଯୋଗାଡିଛନ୍ତି ସ୍ୱାମୀ. ସେମାନେ ଆସି ପହଞ୍ଚିଗଲେଣି. ଉପମା ଡ଼ାଲମା କରିବାକୁ ଅର୍ପିତା ସଫା ସଫା ମନା କରିଦେଲେ ହାତ ଭଲନାହିଁ କହି ତ ରୋଷେୟା ଆସି ଛାତ ଉପରେ ଡାଲମା ବସେଇଲାଣି. ଯେମିତି କଟୁରୀ ଚୋଟ ବସିଛି ଏତେବଡ ଡ଼ାଳ ତଳେ ଲୋଟୁଛି. ଡ଼ାଳ ଦେହରେ କିନ୍ତୁ ବସା କରିଥିବା ନୀଳକଣ୍ଠି ଚଢ଼େଇ ମାଆ ସିନା ଉଡ଼ିଗଲା ହେଲେ ଶାବକ ଦୁଇଟି ଚେଁ ଚେଁ କରୁଛନ୍ତି ତଳେ ପଡି. ପିମ୍ପୁଡି ଜନ୍ଦା ସବୁ ଆସୁଛନ୍ତି ମାଡି. ସ୍ୱାମୀ ଚାହିଁଲେ ଘଡିଏ. ଦ୍ୱିତୀୟ ଚୋଟ ପକାଇବା ପୂର୍ବରୁ କହିଲେ ରୁହ. ଓଲ୍ହେଇ ଆସ ସବୁ. ଏ ପକ୍ଷୀବସାକୁ ଯତ୍ନରେ ରଖିନିଅ ଅନ୍ୟ ଏକ ଭରସା ଯୋଗ୍ୟ ଡ଼ାଳରେ . ଉପମା ଡ଼ାଲମା ଖାଇ ଓ ପଇସା ଗଣି ନେଇ ଫେରିଯାଅ ଏବେ.ମୁଁ ପରେ ଡକେଇବି. ଦଉଡିଗଲେ ଲୁହ ପୋଛି ଅର୍ପିତା. ଡାକପକେଇଲେ ସ୍ୱାମୀଙ୍କୁ. ଶୁଣୁଛ ପୁଅ ହୋଇଛି ଝିଅର. ମାଆ ଓ ଶିଶୁ ଭଲ ଅଛନ୍ତି. ଆମକୁ ଯିବାକୁ ହେବ.ଝିଅ ପାଖକୁ ଯିବା ପୂର୍ବରୁ ଗଛଟିକୁ ଛୁଇଁ ଏମିତି କାନ୍ଦୁଥିଲେ ଅର୍ପିତା ଯେମିତି ଶାଶୁଘରକୁ ଗଲାବେଳେ ଝିଅ କାନ୍ଦେ. ବିରକ୍ତ ହେଉଥିବା ସ୍ୱାମୀଙ୍କୁ ଅର୍ପିତା କହୁଥିଲେ ନାତି ଦେଇଛି ଏଇ ଗଛ. ବାବା ସାଙ୍ଗକୁ ନାତୁଣୀ ଡୁଗୁ ର ଭାଇ ଗୁଡ଼ୁ ରୂପେ ମୋ ବାପା ଆସିଯାଇଛନ୍ତି ପ୍ରଭୁ ହନୁମାନ ଙ୍କ ଦୟାରୁ .ସେଇ ଖୁସିରେ ଲୁହ ବୋଲ ମାନୁନି ଛୁଇଁବାର ନିଶାରେ ମୋର.ତ ସ୍ୱାମୀ କହୁଥିଲେ ହଉ ହଉ ଆସ.
