ଅନେକ ସମ୍ଭାବନା ଭିତରୁ ବାରିପଟେ ବାକି ଅଧାକ ଜାଗାରେ ଅଧାତୋଳା ଥିବା ଘରକୁ ପୁରା କରିବା ସମ୍ଭାବନାକୁ ସମ୍ଭବ କରିବାକୁ ଜନବଳ, ଧନବଳ, ମନୋବଳ ସାଙ୍ଗକୁ ଆମ୍ବ ଗଛଟା ହଣା ହେବା ଯେ ସୁନିଶ୍ଚିନ୍ତ ଏହା ଜାଣିବା ପରେ ସମ୍ଭାବନାର ସମ୍ଭବ ସ୍ବପ୍ନଟା ଠପ ହୋଇଯାଇଥିଲା ବୃନ୍ଦାବନବାବୁଙ୍କର କାରଣ ପୁଅ କହୁଥିଲା ମୋ ପିଲା ହେଲେ ଆଉ ହଳଦିବସନ୍ତଟିଏ ଉଡିବାର ଦେଖିବାକୁ ପାଇବନି କି ଏଣ୍ଡୁଅ, ଝିଟିପିଟି, ଚମ୍ପେଇନେଉଳି, ଗୁଣ୍ଡୁଚିମୂଷା ସହିତ ପ୍ରଜାପତି, କଙ୍କି ଜାତୀୟ କୀଟ ପତଙ୍ଗ ଚିହ୍ନିବାକୁ ପାଇବନି!ଯାହାସବୁ ଚିତ୍ରରେ ବହିଭିତରେ ଦେଖିବ.ମାଆ ହସନ୍ତି କୁରୁଳେଇ. ମନ ଭାଙ୍ଗିଯାଏ ବୃନ୍ଦାବନବାବୁଙ୍କର ଯେ ଆଧାତୋଳା ଘରଟାକୁ ତାଙ୍କ ଜୀଵନକାଳରେ ବୋଧେ ଉଠେଇ ଛାତ ପକେଇ ଠିଆ କରି ହେବ ନାହିଁ. ପୁଅ ତାର ପିଲାଳିଆମିରେ କଣ କହୁଛି ତ ମାଆର ମୁଚୁକୁନ୍ଦିଆ ହସ ବାହାରୁଛି.ସେଇ ଆମ୍ବଗଛ ଦେଇ ମୂଷା, ମାଙ୍କଡ଼ ଓ ଶେଷକୁ ସାପ ପଶିଲା ତ ପୁଅ କହୁଥିଲା ବାପା ଠିକ କହୁଥିଲେ. ଗଛ କାଟିବା ଉଚିତ ନୁହେଁ ସତ କିନ୍ତୁ ଗଛ ଲଗାଇବାର ସ୍ଥିତି ଓ ସ୍ଥାନ ନିରୂପଣ ଠିକ ରହିବା ଦରକାର. ଏମିତିରେ ଗୋଟେ ଆମ୍ବ କଷି ମଧ୍ୟ ମିଳେନା. ବଉଳ ହେବାଠୁ କଷି ହୋଇ ପାଚିଲା ପର୍ଯ୍ୟନ୍ତ ମାଙ୍କଡ଼ ଦାଉ ସାଧୁଥାଆନ୍ତି ଗଛ ଉପରେ. ବୃନ୍ଦାବନବାବୁ ଓ ପୁଅ ଆକାଶ ବୁଝିଗଲେଣି ଗଛଟିକୁ କାଟିବା ନିହାତି ଆବଶ୍ୟକ. ନକାଟିଲେ ଏକରେ ଘର ହୋଇପାରିବ ନାହିଁ ଦୁଇରେ ପଡୋଶୀ କଳିକୁ ଏଡାଇ ହେବନାହିଁ. ପଡୋଶୀଙ୍କ ଛାତ ଉପରେ ଆମ୍ବ ଗଛର ପତ୍ର ପଡିଲେ, ଡ଼ାଳ ବଢ଼ି ଲମ୍ବିଗଲେ ପ୍ରତିବାଦ. ମାଙ୍କଡ଼ ଓ ସାପ ପଶୁଛନ୍ତିର ଅଭିଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ. ଏସବୁ ସ୍ଥିତି ଓ ପରିସ୍ଥିତି କବଳିତ ବୃନ୍ଦାବନବାବୁଙ୍କ ବହୁଦିନର ସ୍ବପ୍ନ ବାଡିପଟ ଆଧାତୋଳା ଘରଟିକୁ ପୁରା କରିବା ସମ୍ଭାବନା ପାଖେଇ ଆସୁଥାଏ ତ ସେଦିନ ଗଛ କଟାଳି ପହଞ୍ଚିଗଲେ. ଚୂଡ଼ା କଦଳୀ ନଡ଼ିଆ ଗୋଳେଇ ଖାଇ ଗଛ ଉପରକୁ ଚଢିଗଲେ ଖପ ଖାପ .
ଘରଣୀ ଅନସୂୟାଙ୍କ ଛାତିର ହୃତସ୍ପନ୍ଦନ ବହୁଥାଏ. ଏ ଗଛଟା ତାଙ୍କ ବାପାଙ୍କ ସ୍ମୃତି.ପୁରୀରୁ ସାବିତ୍ରୀ ଅମାବାସ୍ୟାରେ ତାଙ୍କ ଝିଅ ଅନସୂୟାଙ୍କ ପାଇଁ ଅଭଡ଼ା ସହିତ ଆମ୍ବ, ପଣସ ଇତ୍ୟାଦି ଫଳମୂଳ ଆଣି ଆସନ୍ତି. ସେସବୁ ଫଳ ଭିତରୁ ସେବର୍ଷ ଆଣିଥିବା ଦେଶୀ ଆମ୍ବ ଏତେ ମିଠା ଥିଲା ଯେ ଝିଅ ଅନସୂୟାଙ୍କ କଥାରେ ବାପା ଆମ୍ବ ଖାଇବା ପରେ ଟାକୁଆ ପୋତି ଦେଇଯାଇଥିଲେ ଯେ ତାହା ଆଜି ଦ୍ରୁମ.ପୁଣି ସେଥିରେ ପ୍ରତିବର୍ଷ ସେହି ଅଧାତୋଳା ଘର କାନ୍ଥିରେ ଭଦଭଦଳିଆ ଚଢେଇ ଦମ୍ପତ୍ତି ଛୁଆ ଫୁଟେଇ ଏଇ ଆମ୍ବ ଗଛ ଡ଼ାଳରେ ଛୁଆକୁ ଉଡ଼ା ଶିଖାନ୍ତି. ବାପା ତ ଆଉ ନାହାଁନ୍ତି କିନ୍ତୁ ବାପଘର ଗୋତ୍ର ଭାରଦ୍ୱାଜ ହୋଇଥିବାରୁ ଏଇ ଭଦଭଦଳିଆ ଚଢେଇଙ୍କୁ ଅନସୂୟାଙ୍କ ବାପା ନିଜ ଗୋତ୍ର ଚିହ୍ନ ରୂପେ ଭାରି ମାନିଥାଆନ୍ତି ତ ପିଲାବେଳୁ ସେ ପକ୍ଷୀ ପ୍ରତି ଅହେତୁକ ଆକର୍ଷଣ ଅନସୂୟାଙ୍କର. ବାପାଙ୍କ ପଛେ ପଛେ ତାଙ୍କ ବୋଉ ଚାଲିଯିବାର ଏ ଭିତରେ ବର୍ଷେ ଊପରେ ହେଲାଣି ତ ସେହି ପକ୍ଷୀ ଦୁହିଁଙ୍କୁ ଦେଖିଲେ ଅନସୂୟାଙ୍କୁ ଲାଗେ ସତେ ଯେମିତି ତାଙ୍କ ପିତା ମାତା ପକ୍ଷୀ ଭଦଭଦଳିଆ ରୂପରେ ଉଡି ଆସିଛନ୍ତି. ପ୍ରତିଦିନ ଲୁଚେଇ ଲୁଚେଇ ସେ ଦେଖିଯାଆନ୍ତି ପକ୍ଷୀ ଦୁହିଁଙ୍କୁ. ଅନୁସନ୍ଧାନ କରି ଆମ୍ବଗଛରେ ଠାଵ କରୁଥାନ୍ତି ପକ୍ଷୀ ଦୁହିଁଙ୍କୁ ତ ଏବେ ଆମ୍ବଗଛ ହଣା ହୋଇଗଲା ପରେ ଏସବୁ ଏକାନ୍ତ ବ୍ୟକ୍ତିଗତ କଥା ମଧ୍ୟ ସବୁଦିନ ତାଙ୍କ ଭିତରେ ଲୁପ୍ତ ହୋଇଯିବ. ଏମିତି ଭାବୁ ଭାବୁ ଖଣ୍ଡ ଖଣ୍ଡ ଆମ୍ବଡ଼ାଳ ତଳେ ପଡୁଥାଏ ହଣା ହୋଇ ତ ହଠାତ ପାଟି କରିଉଠିଲେ ବୃନ୍ଦାବନବାବୁ. ରୁହ ରୁହ ତ ହଣାଳୀଙ୍କ କାତି ସ୍ଥିର ହୋଇଗଲା. ଦଉଡିଗଲେ ମାଆ ଅନସୂୟା ଓ ପୁଅ ଆକାଶ. ଦେଖିଲେ ପକ୍ଷୀବସାଟିଏ ଖସିପଡ଼ିଛି ଆମ୍ବଡ଼ାଳ ଭିତରୁ ଓ ତା ଭିତରେ ଏକମାତ୍ର ଅଣ୍ଡାଟିଏ. ରଙ୍ଗଟି ଖୁବ ସୁନ୍ଦର.ଆକାଶ ପରି ଗାଢ଼ ଆକାଶିଆ. ଠିକ ଭଦଭଦଳିଆ ପକ୍ଷୀର ପର ରଙ୍ଗ ପରି. କେତେ ସମ୍ଭାବନାର ସେ ପକ୍ଷୀବସା ମଣିଷ ଘରପରି.ଦିନରାତି ଏକାକାର କରି ପକ୍ଷୀବସା କରିବା ଭଳି କଷ୍ଟ କାମ ଭିତରେ ଅଣ୍ଡା ଫୁଟି ପକ୍ଷୀ ଶାବକର ସମ୍ଭାବନା ସ୍ବପ୍ନ ଉଜାଡି ଦେଇ ଗଛକାଟିବାରୁ ବିରତି ନେଇ ଫେରିଗଲେ କଟାଳିମାନେ . ଯିବାପୂର୍ବରୁ ପକ୍ଷୀବସାଟିକୁ ଠିକ ଠାକରେ ଗଛ ଉପରେ ରଖିଦେଇ ଯାଅ ବୋଲି କହିଥିଲେ ବୃନ୍ଦାବନ ବାବୁ . ପକ୍ଷୀଙ୍କ ଛୁଆ ଫୁଟି ବାହାରିସାରୁ ଗଛହାଣିବା କହିଥିଲେ ବୃନ୍ଦାବନବାବୁ. ସନ୍ଧ୍ୟାରେ ଗଛ ଉପରେ ଉଡି ଉଡି ଦୁଇ ଭଦଭଦଳିଆ ପକ୍ଷୀ ସନ୍ଧାନ କରୁଥିଲେ ତାଙ୍କ ସମ୍ଭାବନା ସ୍ବପ୍ନ କୁ ତ ଅନସୂୟା ଡାକି ଦେଖାଉଥିଲେ ସ୍ୱାମୀ ବୃନ୍ଦାବନ ଓ ପୁଅ ଆକାଶକୁ.କହୁଥିଲେ ଦେଖ ଦେଖ ପୁଅ ତୋ ପୁଅ ଝିଅ ହେଲେ ଭଦଭଦଳିଆ ପକ୍ଷୀ ଦେଖିବେ. ବୃନ୍ଦାବନବାବୁ ତାଙ୍କ ଘରତୋଳା ସମ୍ଭାବନାକୁ ଆମ୍ବଗଛ ପରି ଅନେକ ପକ୍ଷୀ ସମ୍ଭାବନାର ସ୍ଥଳୀକୁ ଆଉ କାଟିବେନି ବୋଲି ସ୍ଥିର କରିସାରିଥିଲେ ମନେ ମନେ ଏଭିତରେ .
ପକ୍ଷୀମାନଙ୍କ ଉପରେ ଥେସିସଟି ଖୁବ ଭଲ ହୋଇଥିବ ବୋଲି ବାପା ମାଆ ଯେତେ ନିର୍ଭର ପ୍ରତିଶ୍ରୁତି ଦେଲେ ମଧ୍ୟ ପୁଅ ଆକାଶ ର ମନ ମାନୁନଥିଲା. ଜେଜେମା ନାଁହାଁନ୍ତି ଆଉ ତା ସଫଳତା ପାଇଁ ଠାକୁରଙ୍କୁ ମାନସିକ କରିବେ. ଜେଜେ ମଧ୍ୟ ଥାଇ ନଥିଲା ପରି ଅବସ୍ଥା ନଚେତ ଆକାଶର ର ଭାବନା ସହିତ କେତେ କଥା ଯୋଡି ନୂଆ ପିଢ଼ି ପାଇଁ ଉତ୍ସାହ ଭରିଦେଉଥାଆନ୍ତେ. ସତରେ ବୁଢା ବୁଢ଼ୀ ଲୋକଙ୍କୁ ବୟସ୍କ ନଭାବି ବରିଷ୍ଠ ଭାବି ତାଙ୍କ ଅନୁଭୂତି ନେଇ ଓ ଆଶୀର୍ବାଦ ପାଇ ଆଗେଇ ଗଲେ ଜୀବନରେ ନିଶ୍ଚୟ ସଫଳତା ମିଳିଥାଏ. ସେଇଥି ପାଇଁ ତ ଜେଜେମା ଠାରୁ ଶୁଣିଥିବା ସେଇ ଗଳ୍ପଟି କଥା ଆଜି ଖୁବ ମନେ ପଡେ ଆକାଶ ର. ସେହି ଗଳ୍ପଟିରେ ଗୋଟିଏ ଦେଶର ଜଣେ ରାଜା ରାଜ୍ୟର ସବୁ ବୟସ୍କ ବୁଢା ବୁଢ଼ୀଙ୍କୁ ରାଜ୍ୟ ବାହାରକୁ ବିତାଡିତ କାରିବାକୁ ଆଦେଶ ଦେଇଥିଲେ.ରାଜ୍ୟର ଜଣେ ଚାଷୀ କିନ୍ତୁ ତା ବୃଦ୍ଧ ବୃଦ୍ଧା ବାପା ମାଆଙ୍କୁ ଲୁଚାଇ ରଖିଥିଲା. ରାଜ୍ୟରେ ଯେତେବେଳେ ଦୈବ ଦୁର୍ବିପାକ ଜନିତ ଦୁଃଖ କଷ୍ଟ ହେଉ ବା ଆଭ୍ୟନ୍ତରୀଣ ବ୍ୟାପାରର ସମାଧାନର ସୂତ୍ର ପାଇଁ ହେଉ ବାଟ ମିଳୁନଥିଲା କି ବିଜ୍ଞ ଲୋକ କି ଜ୍ଞାନୀ ଲୋକ କିଛି କହିପାରୁନଥିଲେ ସେତେବେଳେ ରାଜା ହୃଦୟଙ୍ଗମ କାରିଥିଲେ ଅନୁଭବି ଲୋକ ହିଁ ଏହି ପ୍ରକାର ଦୁର୍ଦ୍ଦିନର ସହାୟକ ହୋଇ ପାରିଥାଆନ୍ତେ.ମାତ୍ର ନେଡି ଗୁଡ଼ କହୁଣୀକୁ ବୋହିଗଲେ ଯେମିତି ଚାଟି ହୁଏନା ରାଜା ସେହିପରି ସବୁ ଅଭିଜ୍ଞ ବୁଢା ବୁଢୀଙ୍କୁ ରାଜ୍ୟରୁ ବିତାଡିତ କରି ପସ୍ତେଉଥିଲେ. ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ନ୍ୟାୟ ରେ ଚାଷୀ ଏବେ ନିଜ ବାପାଙ୍କୁ ପଚାରି ତାଙ୍କ ଵୁଦ୍ଧି, ବଳ, କୌଶଳ ଦ୍ୱାରା ରାଜ୍ୟରେ ଓ ରାଜ୍ୟକୁ ପଡ଼ିଥିବା ବିପତ୍ତିର ଆଶୁ ପ୍ରତିକାର କହିଦେବା ଦ୍ୱାରା ରାଜା ଓ ରାଜ୍ୟର ସମସ୍ୟା ଚାଲିଯାଇଥିଲା. ରାଜାଙ୍କର ସେହି ଚାଷୀଙ୍କ ଉପରେ ସନ୍ଦେହ ହୋଇଥିଲା. ଏହା ତୁମ ନିଜ ଵୁଦ୍ଧି ନୁହେଁ କହିବାରୁ ଚାଷୀ ସବୁ ସତ କଥା ମାନି ନିଜ ବାପାଙ୍କ ଠାରୁ ବୁଝି ଏସବୁ କରିବାକୁ ଓ କହିବାକୁ ସମର୍ଥ ହୋଇଛନ୍ତି ବୋଲି ସତ ମାନିଯାଇଥିଲେ.ରାଜାଙ୍କ ଦ୍ୱାରା ଏଥର ତାଙ୍କ ମୁଣ୍ଡକାଟ ସୁନିଶ୍ଚିତ ଭାବୁଥିଲେ ସମସ୍ତେ କିନ୍ତୁ ତାଙ୍କ ମୁଣ୍ଡରେ ଶିରପା ଶାଢ଼ୀ ବାନ୍ଧି ତାଙ୍କୁ ସମ୍ବର୍ଦ୍ଦିତ କରିଥିଲେ ଖୋଦ ରାଜା . ସବୁ ପୁଅ ମାନେ ନିଜ ବୃଦ୍ଧ ପିତା ମାତାଙ୍କୁ ଏହିଭଳି ସୁରକ୍ଷା ଦେଇପାରିଲେ ଦେଶ, ଜାତି ଓ ରାଜ୍ୟର ଗୌରବ ଫେରିପାରିବ ବୁଝି ନିଜର ଭୁଲକୁ ସୁଧାରିବାକୁ ଯାଇ ନିର୍ବାସିତ ବୃଦ୍ଧ ବୃଦ୍ଧାଙ୍କୁ ଫେରେଇ ଆଣିଥିଲେ ରାଜ୍ୟକୁ. କିନ୍ତୁ ରୋଗ ଓ ନିଶ୍ଚଳତାକୁ ହାତ କାହାର ଅଛି ଭାବି ନାତି ଆକାଶ କୌଣସି ସାଧୁବାବାଙ୍କ ପାଖକୁ ଯାଇ ନିଜ ଭବିଷ୍ୟତ ବିଷୟରେ ପରାମର୍ଶ ଲୋଡ଼ିବାକୁ ବାହାରିଲା ବେଳେ ଜେଜେ ତାର ନିଶ୍ଚଳ ଅବସ୍ଥାରୁ କେଇ ମୁହୂର୍ତ୍ତ ଉଠିବସିଲେ ଓ କହିଲେ ତୋ ଜେଜେମା ବଞ୍ଚିଥିଲେ କହିଥାଆନ୍ତା ଯେ ଭଣ୍ଡ ବାବା ଯଦି କହନ୍ତେ ସତ... ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତେ ନାହିଁ ଭିକ. ଏଥର ନିଜ ଭୁଲ ବୁଝି ନାତି ଶାନ୍ତିରେ ଓ ସଫଳତା ପାଇବାକୁ ନିଶ୍ଚଳ ନରହି ନିଜ ଉଦ୍ୟମକୁ ଓ ନିଜ କର୍ମକୁ ବୁଝି ଆଗେଇ ଯିବା ଉଚିତ ବୋଲି ବୁଝିଥିଲା. ସତକୁ ସତ ନାତି ଆକାଶ ର ପକ୍ଷୀ ଉପରେ ଗବେଷଣାତ୍ମକ ଥେସିସଟି ପୁରସ୍କୃତ ହେଲାବେଳକୁ ଜେଜେ କିନ୍ତୁ ବାଦୁଡ଼ି ପରି ଉଡି ଯାଇଥିଲେ ଜେଜେମା ପାଖକୁ. ନିଜର କୃତିତ୍ୱ ଭିତରେ ମଧ୍ୟ ଏହି ଦୁଃଖରେ ନାତି ଆକାଶ ଏକଦମ ନିଶ୍ଚଳ ଥିଲା.
ଯେଉଁଦିନ ସମସ୍ତ ଛାତ୍ରମାନଙ୍କୁ ସେମାନଙ୍କ ଭିର୍ନ୍ନ ଭିର୍ନ୍ନ କ୍ଷେତ୍ରରେ ପ୍ରତିଭା ଓ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଉଥିଲା ସେଦିନ ପ୍ରିନସିପାଲ ଏକ ଅଭିନଵ ଯୋଜନା କରିଥିଲେ. ସେମାନେ ଏଥର ସମସ୍ତ ଛାତ୍ର ଛାତ୍ରୀଙ୍କ ପିତାମାତାଙ୍କ ସହିତ ଗ୍ରାଣ୍ଡ ପିତା ମାତା ବା ଜେଜେ ଓ ଜେଜେମାଆମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ କରିଥିଲେ. ଏଥର ଅଭିଭାଷଣରେ ପ୍ରିନ୍ସିପାଲ କହିଥିଲେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଗ୍ରାଣ୍ଡ ଫାଦର ଓ ମଦରଙ୍କ ଜିନରୁ ପରବର୍ତ୍ତୀ ପିଲାମାନଙ୍କ ପାଖକୁ ସୃଜନୀଶୀଳତା ଆସିଥାଏ ତେଣୁ ସେହି ବରିଷ୍ଠ ଓ ବୟସ୍କ ତଥା ଅନୁଭୂତିସମ୍ପର୍ଣ୍ଣ ଗୁରୁଜନମାନଙ୍କୁ ମିଳିତ ପ୍ରଣାମୀ ଜଣେଇବାକୁ ଆଜିର ଦିବସରେ ଶପଥ ନେବାକୁ ସେମାନଙ୍କୁ ଏହି ମଞ୍ଚକୁ ଡକାଯାଇଛି. ଆସ ସମସ୍ତେ ସମ୍ମିଳିତ ଭାବେ ତାଙ୍କୁ ପ୍ରଣାମ ଜଣେଇ ତା ପରେ ବିଭିର୍ନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାକୁ ତାଙ୍କ ପିତାମହ ଓ ପିତାମହୀଙ୍କୁ ନିମନ୍ତ୍ରଣ କରିଯିବ ଷ୍ଟେଜ ଉପରକୁ. ସେମାନେ ଆସି ତାଙ୍କ ଉତ୍ତରୋତ୍ତର ଦାୟାଦମାନଙ୍କୁ ନିଜ ହାତରେ ସମ୍ବର୍ଦ୍ଧନା କରିବା ହେବେ. ଆକାଶ ବେଳକୁ ତାର ପିତା ମାତା ଷ୍ଟେଜ ଉପରକୁ ଆସିଥିଲେ ଓ ତାଙ୍କ ହାତରୁ ଟ୍ରଫି ଇତ୍ୟାଦି ଗ୍ରହଣ କରୁ କରୁ ଆଖି ଛଳ ଛଳ ଓ ହୃଦୟ ଭିତରୁ କୋହ ଉଠୁଥିଲା ସ୍ବର୍ଗୀୟ ଜେଜେ ଓ ଜେଜେମାଙ୍କ ପାଇଁ.ଆକାଶର ଜେଜେ ଓ ଜେଜେମାଆ ବାଦୁଡ଼ି ହେଉ ହେଉ ଉଡି ସାରିଥିଲେ ତାଙ୍କ ବାହୁଡା଼ ନୀଡ଼କୁ, ଆକାଶରେ ତାରା ହେବାକୁ.
ବାଡ଼ିପଟ ଆମ୍ବଗଛ କଟା ହୋଇନଥିଲା. ପକ୍ଷୀ ବସାକରୁଥିଲେ ସବୁ ବର୍ଷ ଆମ୍ବଗଛ ଡ଼ାଳରେ . ପୁଅ ଆକାଶ ବାହା ହୋଇ ତାର ପୁଅଟିଏ ହେଲା ବେଳକୁ ବାପା ମାଆ ଆଗପଛ ହୋଇ ଚାଲିଗଲେ. ଆମ୍ବଗଛ ପାଇଁ ପ୍ରତିବେଶୀଙ୍କର ଯେପରି କିଛି ଅସୁବିଧା ନହୁଏ ଅର୍ଥାତ ତାଙ୍କ ଛାତରେ ପତ୍ର ଜମା ହେବା,ଗଛଦେଇ ମାଙ୍କଡ଼ ବା ସାପ ସେପଟକୁ ନଯିବା ଇତ୍ୟାଦି କଥା ସବୁକୁ ନଜରରେ ରଖି ଡ଼ାଳ ହାଣୁ ହାଣୁ ଗଛ କୋରଡ଼ରେ ଗୁଣ୍ଡୁଚିମୂଷା ଦେଖି ଆକାଶର ପୁଅ ବାବା ବହୁତ ଖୁସି ହେଉଥିଲା ତ ଆକାଶ ଗୁଣ୍ଡୁଚିମୂଷା ବିଷୟରେ ସୁନ୍ଦର କାହାଣୀଟିଏ କହିଥିଲା ପୁଅ ବାବାକୁ. ତ୍ରେତୟା ଯୁଗରେ ରାମଙ୍କ ବନବାସ ସମୟରେ ମାତା ସୀତାଙ୍କୁ ରାବଣ ନେଇ ଅଶୋକ ବଣରେ ରଖିଥାଏ. ରାମଙ୍କ ଭକ୍ତ ହନୁମାନ ଉଡି ଉଡି ଯାଇ ସୀତାଙ୍କୁ ଠାଵ କରି ଆସିଥାଏ. ସୀତାଙ୍କୁ ଅସୁର ରାବଣ କବଳରୁ ରକ୍ଷା କରିବାକୁ ହେଲେ ଲଙ୍କାକୁ ଯିବାକୁ ସମୁଦ୍ର ପଥରେ ରାସ୍ତା ନିର୍ମାଣ ଜରୁରୀ ଓ ଅତ୍ୟାବଶ୍ୟକ ଥିବାରୁ ହନୁମାନ, ସୁଗ୍ରୀବ ଓ ବାନର ସେନା ମିଶି ଲଙ୍କାରେ ପହଞ୍ଚିବା ପାଇଁ ସମୁଦ୍ରରେ ସେତୁବନ୍ଧ ବାନ୍ଧୁଥାଆନ୍ତି. ଏହି ସମୟରେ ଛୋଟ ଗୁଣ୍ଡୁଚି ମୂଷାଟିଏ ସମୁଦ୍ରରେ ଦେହ ଧୋଇ ବାଲିରେ ଗଡି, ଯାଇ ନିଜ ଦେହର ଧୂଳିକୁ ରାସ୍ତା ହେଉଥିବା ସେତୁବନ୍ଧରେ ଦେଉଥାଏ ଝାଡ଼ି. ଏ ଦୃଶ୍ୟ ଦେଖି ପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ନେହରେ ଗୁଣ୍ଡୁଚି ମୂଷା ପିଠିକୁ ତାଙ୍କ ହାତରେ ସାଉଁଳି ଦେବାରୁ ଗୁଣ୍ଡୁଚିମୂଷା ପିଠିରେ ପ୍ରଭୁଙ୍କ ସେହି ତିନି ଆଙ୍ଗୁଳିର ଚି଼ହ୍ନ ରହିଯାଇଛି ତିନିଗାର ହୋଇ. ଗପଟି ଶୁଣିବା ପରଠୁ ପୁଅ ବାବା ଭିତରେ ଅନେକ ଭାବନା.ସେ ପଚାରୁଥିଲା ଜେଜେ ଓ ଜେଜେମାଙ୍କ ଫଟୋ ଦେଖୁଛି ହେଲେ ସେ କଣ କଣ ଆଉ ସବୁ ଚିହ୍ନ ରଖିଛନ୍ତି କୁହ ବାପା? ଆମ୍ବଗଛଟିକୁ ଜାବୁଡି ବାପା ଆକାଶ କହୁଥିଲେ ଏଇ ଆମ୍ବଗଛକୁ ବଞ୍ଚାଇ ରଖିବାର ଚି଼ହ୍ନ ପୁଅ. ସେଇଦିନଠାରୁ ପୁଅ ବାବା ଗାନ୍ଧୀଜୟନ୍ତୀରେ ବଉଳ ଗଛ, ଗୋପବନ୍ଧୁଙ୍କ ଜନ୍ମ ଦିନରେ ଶାଳ ଗଛ, ପୁଣି ସମସ୍ତ ବରପୁତ୍ର ଓ ଠାକୁର କୃଷ୍ଣଜନ୍ମ ରାମଜନ୍ମ, ସାଇବାବାଙ୍କ ଜନ୍ମ ଦିନରେ ମଧ୍ୟ ବର, ଓସ୍ତ, ଲିମ୍ବ, ଜାମୁ, ପିଆଶାଳ, ଅଁଳା ଆଦି ଗଛ ଚାରାସବୁକୁ ନିଜ ପକେଟ ଖର୍ଚ୍ଚରୁ କିଣି ପୋତି ଚାଲିଥିଲା.ବାପା ଆକାଶ ପଚାରିଲେ କହୁଥିଲା ଏସବୁ ଗଛର ଆୟୁଷ ଶହ ଶହ ବର୍ଷ ବାପା. ପ୍ରତିବର୍ଷ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧରେ ଯେମିତି ଆମେ ସେମାନଙ୍କୁ ମନେପକାଉ ସେମିତି ସ୍କୁଲ କଲେଜରେ ଜାତୀୟ ସ୍ତରର ବଡ଼ମଣିଷ ମାନଙ୍କ ଜନ୍ମଦିନ ପାଳନ କରାଯାଇ ଆମେ ତାଙ୍କୁ ମନେପକାଅଇ ପାରୁଛୁ. ସେମିତି ଏ ଗଛ ତଳେ ବସି ପ୍ରତ୍ୟେକ ବାଟୋଇ ଗଛ ଦେଖି ଓ ଗଛରେ ବଡ଼ ମନୀଷୀମାନଙ୍କର ନାମ ଫଳକ ଦେଖି ସେମାନଙ୍କ କାମର ସ୍ମୃତି ଚାରଣ କରିବେ. ଯେମିତି ଆଜି ଗୁଣ୍ଡୁଚିମୂଷା କାହାଣୀ ଶୁଣି ମନ ଭିତରେ ସେବା ପାଇଁ କିଛି ଦେବାକୁ ହୁଏ ବୋଲି ମନରେ ଆସୁଛି.ବାପା ଆକାଶ ଚୁପ ହୋଇଯାଇଥିଲେ ପୁଅ ବାବା କଥାରେ.
ଏ ଭିତରେ ବାବା ତାଙ୍କ ଘର ଆଗରେ ଲଗାଇଥିବା ବରଗଛଟି ଖୁବ ବଡ଼ ହୋଇଯାଇଥାଏ. ତା ମାଆ ପ୍ରତିଦିନ ସେହି ବରଗଛକୁ ପୂଜା କରନ୍ତି. ବାପା ମଧ୍ୟ ଛାତ ଉପରେ ବସି ଅନେକ ପକ୍ଷୀ ଦେଖୁ ଦେଖୁ ବାର୍ଡ ଚଢେଇ କଥା କହୁଥାନ୍ତି ବାବାକୁ.ବାବା ମନରେ ମଧ୍ୟ ଅନେକ ପ୍ରଶ୍ନ. ପକ୍ଷୀ ବା ଚଢେଇକୁ ଇଂରାଜିରେ ବାର୍ଡ କୁହାଯାଏ. ତେବେ ବାର୍ଡ ଚଢେଇ ବୋଲି କହୁଥିବା ବାପା ଅକାଶ ପୁଅ ବାବାକୁ ତାଙ୍କ ପିଲାଦିନ କଥା କହୁଥିଲେ. ପିଲାଦିନେ ଖାଇବା ପିଇବାକୁ ଅଝଟ ହେଲେ ତୋ ଜେଜେମା ମତେ ଏଇ ଚଢେଇକୁ ଦେଖେଇ କହେ ବାର୍ଡ ତୁ ଖାଇବୁ? ଆସ ଆସ ଖାଇବୁ କହିଲେ ମୁଁ କାଳେ ଖାଇନିଏ. ତା ପରଠୁ ସେହି ପକ୍ଷୀର ଏପରି ନାମକାରଣ ରହିଯାଇଛି ପୁଅ. ବାବା କହୁଥିଲା ମଣିଷ ଜନ୍ମ ହେଲେ ଦିନେ ମରିବ. ପ୍ରଭୁ ରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ମଧ୍ୟ ମାନବ ଦେହ ଧରି ଦିନେ ଜନ୍ମ ହୋଇ ଦିନେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ତାଙ୍କ ବିଷୟରେ ବହି ରାମାୟଣ ଓ ମହାଭାରତ ପଢି, ପିଢ଼ି ପରେ ପିଢ଼ି ଯେମିତି ସବୁକଥା ଜାଣୁଛନ୍ତି ଘରେ ଘରେ ମଧ୍ୟ ଅନେକ କଥା କାହାଣୀ. ସେସବୁକୁ ଶବ୍ଦ ରୂପ ଦେଇ ଗଳ୍ପ କବିତା, କାହାଣୀ ଲେଖିବାର କେତେ ଆବଶ୍ୟକତା ରହିଛି ନା ବାପା. ଡିଜିଟାଲ ଯୁଗରେ ଆଉ ବହି କେହି କିଏ ପଢ଼ୁନାହାଁନ୍ତି କହିବା ଭାରି ସହଜ କିନ୍ତୁ ବହି ଲେଖି, ଛାପି, ଲାଇବ୍ରେରୀ କରି ରଖିଲେ ସମସ୍ତେ ପଢିବେ. ପୁଅର କଥା ଶୁଣି ବାପା ଆକାଶ ଭାବୁଥିଲେ ପୁଅ ତାଙ୍କର ଖୁବ ବଡ଼ ହୋଇଯାଇଛି. ଆକାଶ ଏବେ ଅବସର ପରେ ନିଜ ପିଲାଦିନ,ନିଜ ଚତୁଃପାଶ୍ୱରେ ଥିବା ପରିବେଶ ଓ ଅନୁଭୂତିକୁ ସବୁ ନେଇ ଶିଶୁଗଳ୍ପ, କବିତା ଲେଖୁଥିଲା ବେଳେ ବରଗଛଟିରେ ଥିବା ପକ୍ଷୀବସା ତାଙ୍କୁ ଲେଖିବା ପାଇଁ ନୂଆ ସମ୍ଭାବନା ଦେଇଚାଲିଥିଲା ନିଜ ପୁଅ ବାବାର କଥା ଭଳି. ଆଉ ସେ ଲେଖିଚାଲିଥିଲେ ଦୃଷ୍ଟାନ୍ତ ସହ ଅନେକ ବାର୍ତ୍ତକୁ ନେଇ କାହାଣୀ ରୁପାନ୍ତର.