ତୁମ ଚେହେରା
ତୁମ ଚେହେରା
ସବୁଠୁ ନିଜର ତଥା ଜୀବନ୍ତ ଭଗବାନ ନିଜ ପିତା ଓ ମାତା ଙ୍କ ଆବର୍ତ୍ତନ ପରେ ତାଙ୍କ ଚେହେରା ଆଉ ଖୋଜିଲେ ବି ମିଳେ ନାହିଁ. ମିଳେ କେବଳ ନିର୍ଜୀଵ ଫୋଟୋ ରେ ଓ ମନେ ପକେଇଲେ ମିଳେ ମନ ଓ ହୃଦୟ ଭିତରେ ଛାୟା ରୂପେ .ଜାତୀୟ ବରପୁତ୍ର ମାନଙ୍କ ଷ୍ଟାଚ୍ୟୁ ଦେଖି ପର ପିଢ଼ି ପରେ ପର ପିଢ଼ି ଚିହ୍ନିଥାଆନ୍ତି ସେମାନଙ୍କୁ . ଭାରତ ଦେଶାନାଂ ଶ୍ରେଷ୍ଠ ଏଥିପାଇଁ ଯେ ଏହି ଦେଶ ସାଧୁ,ସନ୍ଥ, ମୁନି, ଋଷିମାନଙ୍କ ଦେଶ. ଏଠି ସେମାନଙ୍କ କଥା, ସମାଜକୁ ଦେଇଥିବା ବାର୍ତ୍ତା, ଲେଖିଥିବା ପୁସ୍ତକ ଓ ତା ମଧ୍ୟରେ ଥିବା ଦର୍ଶନ ପଢିଲା ବେଳେ ତାଙ୍କ ଚେହେରା ଫୋଟୋ ମାଧ୍ୟମରେ ଚିତ୍ର ହୋଇ ଆଖିରେ ନାଚେ ଓ ଦେଖିଥିବା ତାଙ୍କ ଷ୍ଟାଚ୍ୟୁ ରେ ତାଙ୍କ ଚେହେରା ଆଖି ଆଗରେ ଝଲସୁଥାଏ.ସେହି ଦୃଷ୍ଟିରୁ କଲିକତା ରେ ସୁଭଦ୍ରାଙ୍କୁ ଲାଗୁଥିଲା ଏଠି ସାଧୁ, ସନ୍ଥ ସନ୍ୟାସୀମାନଙ୍କର ଖୁବ ଆଦର. ପ୍ରତିଟି ଛକ ରେ ସୁବାଷ ବୋଷ, ସ୍ୱାମୀ ବିବେକାନନ୍ଦ, ବେଲୁର ମଠରେ ଶ୍ରୀ ରାମକୃଷ୍ଣ ପରମହଂସ ଙ୍କ ସହ ମାଆ ଶାରଦା ଦେବୀ ଙ୍କ ଧ୍ୟାନ ମନ୍ଦିର ଖୁବ ଆକର୍ଷଣୀୟ ଅଟେ. ସେଥିରେ ପୁଣି ପ୍ରତିଟି ମନ୍ଦିର ରେ ରାଧାକୃଷ୍ଣ, ଶିବ ଠାକୁର ଙ୍କ ସହ କିଛି ଜାତୀୟ ବରପୁତ୍ର ତଥା ସାଧୁ, ସନ୍ଥ ଓ ସନ୍ୟାସୀମାନଙ୍କର ଫୋଟୋ ଚିତ୍ର ରେ ଚନ୍ଦନ ର ଛିଟା ସହିତ ଫୁଲମାଳ ଓ ଧୂପ ତଥା ଦୀପ.ସୁଭଦ୍ରାଙ୍କ ପୁଅ ସରୋଜ ରହୁଥିବା ଯାତ୍ରାଗୋଛି ଏରିଆ ର ସେହି ତ୍ରିତଳ ଆପାର୍ଟମେଣ୍ଟ ର ତିନି ନମ୍ବର ରୁମ ପାଖକୁ ଅଳ୍ପ ଦୂରତା ଭିତରେ ଲାଗି ରହିଥିବା ଶନି ମନ୍ଦିରର ପୂଜକ କିନ୍ତୁ ସୁଭଦ୍ରାଙ୍କ ତଥା ତାଙ୍କ ସ୍ୱାମୀଙ୍କ ନାମ ଓ ଗୋତ୍ର ରୁ ଚିହ୍ନି ପାରିଲେ ସୁଭଦ୍ରାଙ୍କ ଘର ତଥା ଆଦିକନ୍ଦ ବାବୁଙ୍କ ଘର ଓଡିଶାରେ ବୋଲି .ପୁଣି ଚିହ୍ନୁ ଚିହ୍ନୁ ଚିହ୍ନି ପାରିଲେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ କୁ ତ ଆତ୍ମୀୟତା ବଢିଗଲା ତାଙ୍କ ସହିତ. ଫୋନ ନମ୍ବର ଆଦାନ ପ୍ରଦାନ ହୋଇଗଲା ଆଦିକନ୍ଦବାବୁ ଙ୍କ ସହିତ ଓ ବଢୁ ବଢୁ ଅଧା ବେଙ୍ଗଲି ଓ ଅଧା ହିନ୍ଦିରେ ଭାବର ଆଦାନ ପ୍ରଦାନ ବଢୁଥିଲା ଆସ୍ତେ ଆସ୍ତେ ଶନିବାର କୁ ଶନିବାର. ତାଙ୍କ ସହ ସମ୍ବନ୍ଧ ର ମୁଖ୍ୟ ଆକର୍ଷଣ ଥିଲା ସେହି ପଣ୍ଡିତଙ୍କର କିଛି ଓଡିଶାର ବ୍ୟକ୍ତିତ୍ୱ ଙ୍କ ସଙ୍ଗେ ପରିଚିତି ଓ ତାଙ୍କ ବିଷୟରେ କିଛି କିଛି ତଥ୍ୟ ପ୍ରଦାନ ମଧ୍ୟ ଆଦିକନ୍ଦ ବାବୁଙ୍କୁ ଅଭିଭୂତ କରିପକାଉଥିଲା. ସୁଭଦ୍ରା ପ୍ରମାଣ ପାଉଥିଲେ ପ୍ରକୃତରେ ଦେଶ ବାହାରେ ହେଉ ଅବା ରାଜ୍ୟ ବାହାରେ ନିଜ ଦେଶ ଅବା ନିଜ ରାଜ୍ୟ କୁ ଜାଣିଥିବା ବ୍ୟକ୍ତିର ସନ୍ଧାନ ମିଳିଗଲେ ଏତେ ଖୁସି ମିଳେ ତାହା ପଣ୍ଡିତ ଙ୍କ ସଙ୍ଗେ ପରିଚିତ ହେବା ପରେ ତାହା ବେଶୀ ବେଶୀ ହୃଦୟଙ୍ଗମ ହେଉଥିଲା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମନ ଓ ହୃଦୟରେ.ଭାଷା ଓ ସାହିତ୍ୟର ପୃଷ୍ଠପୋଷକତା ମଧ୍ୟ ମିଳି ଯାଉଥିଲା ସୁଭଦ୍ରାଙ୍କୁ କିଛି ଲେଖିବାକୁ ଓ କହିବାକୁ ନିଜ ରାଜ୍ୟର ବିଭିର୍ନ୍ନ ଜିଲ୍ଲା ସ୍ତରୀୟ ସାହିତ୍ୟ ଆଲୋଚନା ରେ ପ୍ରମାଣ ସହ ଯେ ଆମେ ଓଡ଼ିଆ, ଆମ ମାତୃଭାଷା ବଢିଆ.
ଆଦିକନ୍ଦ ବାବୁ ସବୁ ଭିତରେ ନିଜ ଆବଶ୍ୟକ ତଥା ଦରକାରୀ କଥା ମଧ୍ୟ ଭାବିଥାଆନ୍ତି ତ ପଣ୍ଡିତଙ୍କ ସହ ପରିଚୟ ହେଲାପରେ ନିଜ ମନ କଥା ବାଢି ବସିଲେ ପଣ୍ଡିତ ଙ୍କ ଆଗରେ ଆଦିକନ୍ଦ. ଏହି କି ଯେ ଆସୁଥିବା ଏକାଦଶୀ ଦିନ ମୋ ପିତାଙ୍କର ଶ୍ରାଦ୍ଧ ବାର୍ଷିକୀ ରେ ଆପଣଙ୍କ ଅନୁଗ୍ରହ ହେଲେ ମୁଠେ ବ୍ରାହ୍ମଣ ଭୋଜନ ପାଇଁ ବ୍ୟବସ୍ଥା ହୋଇପାରାନ୍ତା. ପଣ୍ଡିତ ରାଜି ହେଲେ. ବୋହୁ ରୋଜା ଓ ପୁଅ ସରୋଜ ଵିଧି ମତେ ଓଡିଶାର ପରମ୍ପରା ପରି ଜେଜେ ତଥା ଜେଜେ ଶଶୁରଙ୍କ ଦିନ ପାଳନ କରିବାକୁ ଚାଁହୁଁଥିବା ବେଳେ ଶଶୁରଙ୍କର ଏ ଭିତରେ ଆତ୍ମୀୟତା ଜମିଥିବା ଓ ପରିଚିତ ପଣ୍ଡିତ ଙ୍କ ମାଧ୍ୟମ ରେ ବ୍ରାହ୍ମଣ ଭୋଜନ ରେ ରାଜି ହୋଇଯାଇଥିଲେ ପୁଅ ସରୋଜ ଓ ବୋହୁ ରୋଜା . କାରଣ ପ୍ରଥମତଃ ଟିକି ନାତି ବାବା ର ଦେହ ଭଲ ନଥିଲା. ଥଣ୍ଡା ଓ ଦୁଇ ଆଖିର ଇନଫେକ୍ସନ ବିଚଳିତ କରୁଥିଲା ସମସ୍ତଙ୍କ ମନ ଓ ହୃଦୟ. ଛୁଆଟା ଗାଧୋଉଥିଲା ଖୁବ. ନିଜ ସହ ଟବ ଭିତରେ ତାର ସବୁ କଣ୍ଢେଇ ଗାଡି ଓ ଅନ୍ୟାନ୍ୟ କଣ୍ଢେଇ ଗାଧେଇସାରିବା ପରେ ଯାଇଁ ଟିକି ନାତିର ଗାଧୁଆ ଶେଷ ହେଉଥିଲା. ପୁଣି ନୂଆ ନୂଆ ପ୍ଲେ ସ୍କୁଲ ଯାଉଥିଲା ତ ଶୀଘ୍ର ଗାଧୋଉଥିଲା ସେହି ପୂର୍ବ ଅଭ୍ୟାସ ସହ. ସ୍କୁଲରୁ ଫେରିଲା ପରେ ଟିଭି ରୁ କାର୍ଟୁନ ଦେଖି ଓ ମୋବାଇଲ ରୁ ଭିଡ଼ିଓ ଦେଖି ଖାଉଥିଲା ତଥା ସମୟ କାଟୁଥିଲା ତ ତା ଆଖି ଦେଖେଇବାକୁ ଏ ନୂଆ ସ୍ଥାନ ରେ ଭଲ ଆଇ ହସ୍ପିଟାଲ ଖୋଜାଚାଲିଥିଲା. ଦ୍ୱିତୀୟତଃ ନିଜ ରାଇଜରେ ଶ୍ରାଦ୍ଧ ପରମ୍ପରା ଅନୁଯାୟୀ ଯେତେ ଯାହା ଯୋଗାଡ଼ କଲେ ମଧ୍ୟ ଏ କଲିକତିଆ ପଣ୍ଡିତ ଙ୍କ ବରାଦ ଓ ଫେରାଦ ନିଶ୍ଚୟ କିଛି ଅଲଗା ଥିବ ଭାବି ଭୟ ବି ଥିଲା ମନରେ.କେବଳ ବ୍ରାହ୍ମଣ ବା ପଣ୍ଡିତ ଙ୍କ ଭୋଜନ ବ୍ୟବସ୍ଥା କରିବାକୁ ଏକାଦଶୀକୁ ଚାହିଁ ରହିଥିବା ବେଳେ ସୁଭଦ୍ରା ଅନ୍ୟ କିଛି ପ୍ରସ୍ତାବ ଦେଇଥିଲେ. ପ୍ରସ୍ତାବ ଥିଲା ଏହି କି ଯେ ଆସନ୍ତା ଶନିବାର ଦିନ ପଣ୍ଡିତଙ୍କୁ ଶନି ମନ୍ଦିରରେ ଭେଟ ହେଲେ ତାଙ୍କୁ ଯଜମାନ ଓ ପୂର୍ବଜ ପିତୃପୁରୁଷଙ୍କ ନାମ,ଗୋତ୍ର ଇତ୍ୟାଦି ସହ କିଛି ଟଙ୍କା ଦେଇଦେଲେ ସେ ତାଙ୍କ ପସନ୍ଦ ଅନୁଯାୟୀ ନିଜ ଭୋଜନ କରିନେବେ.ଏକଥା ସମସ୍ତଙ୍କ ମନ କୁ ପାଇଥିଲା ଯଦିଓ ଆଦିକନ୍ଦ ବାବୁଙ୍କ କଥା ପଦେ ଯେ ସବୁ ମନ ବୁଝିବାକୁ ଚାଲିଛି ଶୁଣି ସୁଭଦ୍ରା ଙ୍କୁ କେମିତି କେମିତି ଲାଗୁଥିଲା.
ଶନିବାର ଆସୁଥିଲା ଆଉ ଯାଉଥିଲା କିନ୍ତୁ ଆଉ ପଣ୍ଡିତଙ୍କର ଆଉ ଦେଖା ମିଳୁନଥିଲା. ଦୋଷୀ ଦୋଷୀ ଲାଗୁଥିଲା ଉଭୟ ସ୍ୱାମୀ ଆଦିକନ୍ଦ ଓ ସ୍ତ୍ରୀ ସୁଭଦ୍ରାଙ୍କୁ.ବ୍ରାହ୍ମଣ ଭୋଜନ ପରେ କୁଆଡେ ହଜିଗଲେ ଯେ ପଣ୍ଡିତ ମହାଶୟ!ଆଉ ମିଳିନଥିଲେ ଆସିବା ପର୍ଯ୍ୟନ୍ତ. କାହାକୁ ପଚାରି ବୁଝିବା ମଧ୍ୟ ସମ୍ଭବ ହେଉନଥିଲା ବେଳେ ସୁଭଦ୍ରାଙ୍କ ହୃଦବୋଧ ହେଉଥିଲା ପ୍ରକୃତରେ ମାତୃଭାଷାରେ ଭାବ, ସମ୍ପର୍କ, ଚିହ୍ନା ପରିଚୟ ଯେତେ ବଢିପାରେ ଅନ୍ୟ ଭାଷାରେ ଭାବ ବିନିମୟ ବଡ଼ କଷ୍ଟ. ରୁଷ୍ଟ ମନ ଓ ହୃଦୟ ନେଇ ଦୁହେଁ ଓଡିଶା ଫେରିଲା ବେଳେ ସୁଭଦ୍ରାଙ୍କ ର ସେହି ଆପଣାର ଲାଗୁଥିବା ପଣ୍ଡିତଙ୍କ କଥା ମନେ ପଡି କାନ୍ଦ ଆସିଯାଉଥିଲା ତ ପୁଅ କହୁଥିଲା ଆଉ କିଛି ବର୍ଷ ଯଦି ମୁଁ କଲିକତାରେ ରହେ ଆଉ ତୋର ବାପାଙ୍କର ଏମିତି ଆସୁଥିବ ଓ ଯାଉଥିବ ତେବେ ପୁଣି ଦେଖିପାରିବ ପଣ୍ଡିତଙ୍କୁ ବା ସେହି ଶନି ମନ୍ଦିରରେ ତାଙ୍କ ଫଟୋକୁ. ସୁଭଦ୍ରା କହୁଥିଲେ ଫଟୋ ଆଉ ଚେହେରାରେ ବହୁତ ତଫାତ ରେ ପୁଅ, ମୁଁ ମଲାପରେ ବୁଝିଯିବୁ ଯେ ଆପେ. ଟିକି ପୁଅ ବାବା ଟ୍ରେନ ଛାଡିଲା ପରେ ରାହା ଧରି କାନ୍ଦୁଥିଲା କାରଣ ମନେ ମନେ ହୁଏତ ପିଲାଲୋକ ଭାବୁଥିଲା କି ଜେଜେ ଓ ଜେଜେମାଆ ତୁମ ଚେହେରା ପୁଣି କେବେ ଦେଖିବା ଯାଏଁ ଖୋଜୁଥିବି ସେଇ ନିକୋ ପାର୍କ ରେ ବା ଭାଇ ଓ ଭଉଣୀମାନେ ସମୂହ ସ୍କେଟିଙ୍ଗ କରୁଥିବା ସେଇ ଖେଳ ପଡିଆ ଭିତରେ ତ ପୁଣି କେବେ ଶନି ମନ୍ଦିର ରେ ବା କୁରକୁରେ କିଣୁଥିବା ସେଇ ଛୋଟ ଦୋକାନ ରେ. ସୁଭଦ୍ରା ଲୁହ ପୋଛିଲା ବେଳେ ଆଦିକନ୍ଦ ବାବୁ କହୁଥିଲେ ସ୍କୁଲକୁ ଅଟୋରେ ଗଲାବେଳେ ମତେ ଓ ସ୍କୁଲରୁ ବାବା ତା ମାମା ସହ ଫେରିଲା ବେଳେ ତୁମ ଚେହେରା ମନେପକେଇବା ନିଶ୍ଚିନ୍ତ ଅଟେ . ସୁଭଦ୍ରା କେବଳ ସୁଁ ସୁଁ ହେଉଥିଲେ ମାୟା ଓ ମମତାର କାୟା ବିସ୍ତାର ଭିତରେ.
