ପୋଷା କୁକୁର ଓ ବିଲେଇ କଥା
ପୋଷା କୁକୁର ଓ ବିଲେଇ କଥା
5 mins
0
ହୁଣ୍ଡାକୁ କେବେ ବି ପୁଅ ଝିଅଙ୍କଠୁ ମୁଁ ଅଲଗା ଭାବେ ନାହିଁ.ପୁଅ ଝିଅଙ୍କ ପାଇଁ ଖାଦ୍ୟ ପରସିଲେ ହୁଣ୍ଡା ପାଇଁ ବି ପରସି ଦିଏ ଖାଦ୍ୟ, ହେଲେ ଭାରି ମନମାନୀ ତାର.ଖାଇବ କେବେ ତ ଖାଇବନି କେବେ.ରୂଷିବ.ପୁଅ ଝିଅଙ୍କ ସଙ୍ଗେ ସାଙ୍ଗ ହୋଇ ଘରକୁ ଲାଗି ପଛ ପଟ ବାରିରେ ବୁଲୁଥିବ ମନ ଇଚ୍ଛା, ଖେଳୁଥିବ ମନ ପୁରିବା ଯାଏଁ, ଦେଖିଯାଉଥିବ ଥରକୁ ଥର ଖାଦ୍ୟ ପରସା ସ୍ଥାନକୁ.ଗାଳିଦେଲେ ଘଡ଼ିଏ ବୁଲିକି ଚାହିଁବ ପୁଣି ଦୌଡିଯିବ ବାରିପଟକୁ, ଖେଳି ବୁଲି ଫେରିବା ପରେ ବି ମନମାନୀ ଛାଡି ନଥିବ, ତ ରାଗରେ ଶୋଇଯାଏ ମୁଁ.ଥରକୁ ଥର ଦେଖିନେବ ପ୍ରକୃତରେ ମୁଁ ଶୋଇଛି ନା ଛଳନା.ଯଦି ହୃଦୟଙ୍ଗମ ହେବ ମୁଁ ଶୋଇଛି ତ ଖାଇବ ତା ଥାଳି ଭିଡି.ଖାଉ ଖାଉ ଯଦି ପୁଅ ଝିଅ ଆସିଗଲେ ତ ପୁଣି ଲୁଚିଯିବ କବାଟ କଣରେ ତ ପୁଅ ଝିଅ ଚୁପ ଚାପ ଶୋଇଯାନ୍ତି ମୋ ପାଖେ ତ ଖାଇନିଏ ସବୁ ଆଉ ଆସି ଶୋଇଯାଏ. ଯୋଉଦିନ ଚିକେନ ଥାଏ ତ ସହଜରେ ଖାଇନିଏ ନହେଲେ ଏମିତି ଢଙ୍ଗ ରଙ୍ଗ କାଢୁଥାଏ. ହେଲେ କକୀ ଯେବେ ଲୁଚି ଲୁଚି ଆସି ତା ଥାଳିଆରେ ମୁଁହ ମାରେ ତ କଥା ସରିଲା.ମାଡ କାମୁଡ଼ା ଖାଏ ବିଚରା କକୀ. ଆଉ ଗୋଟେ ବି ଦାନା ନଥାଏ ହୁଣ୍ଡା ଥାଳିରେ ବଳକା. ହୁଣ୍ଡା ଆସିବା ପରଠୁ କକୀ ହିଁ ବେଶୀ ନିର୍ଯ୍ୟାତିତ ହୁଏ.ରୋଷେଇ ଘରକୁ ଏକରେ ପଶିବାକୁ ଦିଏନି ତାକୁ ହୁଣ୍ଡା. ଦୁଇରେ ନିଜ ଥାଳିରୁ ଖାଇ ତା ଥାଳିଆ କ୍ଷୀର ରୁଟି ବା ମାଛ ଭାତ ବି ଖାଇ ନିଏ ହୁଣ୍ଡା ତ ଏଣିକି ଅଧିକାଂଶ ସମୟ କକୀ ର "ଦେବରାଜକଲ୍ୟାଣୀମଣ୍ଡପ "ରେ ବିତେ. ଡରି ଡରି ଘରକୁ ଆସେ. ଖାଦ୍ୟ ଖାଇ ପୁଣି ଚାଲିଯାଏ,କୋଉ ଛଟକରେ.ଆଉ ଛକି ଥାଏ ହୁଣ୍ଡା. କେବେ ଦିଏ ପାନେ ତ କେବେ ସେ ନିଜେ ବି ଯିବାକୁ ଚାହିଁ କକୀ ପଛରେ ଯାଇ ପାରେନି ଆକଟରେ, ହେଲେ ବଢୁଥାଏ ଚନ୍ଦ୍ରକଳା ପରି.ଏଵେ ସମ୍ପୂର୍ଣ୍ଣ ବଡ ହେଇଗଲାଣି ହୁଣ୍ଡା ଆଉ ତାକୁ ରୋକି ହେଉନି.ବାହାରକୁ ଯିବାକୁ ଉଚ୍ଛନ୍ନ ସିଏ. ତା ଛଡ଼ା କକୀ ପଛରେ ଲାଗିଥାଏ ସବୁବେଳେ.ଏମିତିକି ସେ ଛୁଆ କରିଥିଲା ବେଳେ ଢାବଲ ପାଖକୁ ଯାଇ ଛୋଟ ଛୁଆ ଉଠାଇ ଆଣେ.ହେ ହେ କହି ଦଉଡିଗଲା ବେଳକୁ ସେ ବି ପାଟିରେ ବିଲେଇ ଛୁଆ ଧରି ଏଣେ ତେଣେ ଧାଏଁ ତ ବିଲେଇ ଛୁଆ ଅବସ୍ଥା ଘାଇଲା.କେବେ ବଞ୍ଚିଥାଏ ତ କେବେ ମୃତ, କେବେ ଗୋଟେ ତ କେବେ ସବୁତକ ଛୁଆ କଚାଡି ମାରେ କକୀର ହୁଣ୍ଡା କୁକୁର ରୂପୀ କଂସ ମାମୁଁ l
ଦେବରାଜ କଲ୍ୟାଣୀ ମଣ୍ଡପରୁ ଭାସିଆସୁଥିବା ବାହାଘର, ଜନ୍ମଦିନ, ବ୍ରତଘରର ଆମିଷ ଖାଦ୍ୟ କକୀକୁ ତ ନିରୁଦିଷ୍ଟ କରେ ଏଵେ ହୁଣ୍ଡାକୁ ତ ବାନ୍ଧି ରଖି ହୁଏନି. ଆଧାତୋଳା ଘରର ସାଢେ ଛ ଫୁଟ କବାଟ ଡେଇଁ ଚାଲିଯାଏ ପଡୋଶୀ କଲ୍ୟାଣୀ ମଣ୍ଡପକୁ. ସେଠି ବାଘ ବନିଯାଏ ତ ଅସହିଷ୍ଣୁଙ୍କ ଶରବ୍ୟ ଓ ଶୀକାର ହୁଏ ତ ବାଘ ପରି ଗୋଡେଇ ଗୋଡେଇ କାମୁଡ଼ିଦେଇ ହୁଣ୍ଡା ସିନା ବଦଲା ନେଇଯାଏ ହେଲେ ପରିବାରର ମୁଖିଆ ହେଲେ ଶରବ୍ୟ. କେହି ବୁଝିଲେନି ଯେ ହୁଣ୍ଡା ଦାମୀ ଇଞ୍ଜେକ୍ସନ ନେଉଥିବା ଜାତୀୟ କୁକୁର. ହେଲେ ଛାର କୁକୁରଟେର ଏତେ ପାରିଲା ପଣିଆ ଆଖିକୁ ଗଲାନି କାହାର ତ ଅଜଣାତରେ ଯିଏ ବି ତାକୁ ଆଘାତ କଲା ତାକୁ ଗୋଡେଇ କାମୁଡିବା ନିଶ୍ଚିନ୍ତ.ଆଉ ଯିଏ ଖତେଇ ବିଗୁଲଇ ବା ବିକୃତ ଢଙ୍ଗଢାଂଗ କରି ଚିଡେଇଲା ତାକୁ ଦେଖି ଭୁକିଲା ଏବଂ ଚଲେଇ ଦେଲାନି ଆମ ଦୁଆର ବାଟେ ତ କୁକୁର କାମୁଡ଼ା ପାଇଁ ଲୋକେ ଇଞ୍ଜେକ୍ସନ ପଇସା ଦାବି କରିବାରେ ସଫଳ ହେଲେ ବି ବକାବନା ସମ୍ଭାଳି ହେଲାନି ପରିବାର ସଦସ୍ୟମାନଙ୍କୁ.ଦାନ୍ତ ଭାଙ୍ଗି ବା ହୁଣ୍ଡାକୁ ବାନ୍ଧି ରଖିବା ବି ହେଲା ଅସମ୍ଭବ ତ ଏକମାତ୍ର ଉପାୟ ଛାଡ଼ିଦେବା.ପାଖରେ ଛାଡିଲେ ଚାଲିଆସିବ. ଦୂରରେ ଛାଡିଲେ ବି ଚାଲିଆସିବ ତ ସ୍ଥିର ହେଲା ଟ୍ରେନ ରେ ନେଇ ପରବର୍ତ୍ତୀ ଷ୍ଟେସନରେ ଛଡ଼ା ଯିବ. ସେୟା ବି ହେଲା.
ସେଦିନର ସେ ପରିବେଶ, ଘଟଣା, ପରିସ୍ଥିତି ବର୍ଣ୍ଣନା କରିବା ଆଜି ଅସମ୍ଭବ, ସମେସ୍ତେ ମ୍ରିୟମାଣ, ଘରର ମୁରବୀ ମଧ୍ୟ ଛାଡି ଆସିବା ପରେ କାନ୍ଦି ପକେଇଥିଲେ.ଷ୍ଟେସନରେ ପହଂଚିବା ପର୍ଯ୍ୟନ୍ତ ବିଶ୍ୱାସରେ ସାଙ୍ଗରେ ଚାଲିଥିବା ହୁଣ୍ଡାର ଅନ୍ୟମନସ୍କତାର ସୁଯୋଗ ନେଇ ଖସି ଆସି ପଛକୁ ଫେରି ଚାହିଁଥିଲେ ପରିବାରର ମୁରବୀ ଆଉ ଦେଖିଥିଲେ କି ବିକଳରେ ହୁଣ୍ଡା ଖୋଜୁଥିଲା ତା ମାଲିକଙ୍କୁ. ସେହିକଥା ବର୍ଣ୍ଣନା କଲାବେଳେ ସମସ୍ତଙ୍କ ଛାତି ଫାଟି ଗଲାବେଳେ ଯିଏ ସବୁଠୁ ଖୁସି ଥିଲା ସେ ଥିଲା କକୀ.ହେଲେ ଦିନ ପନ୍ଦରଟା ଯାଇନି କିଛି ବିଷ ଜାତୀୟ ବା ବିଷ ଖାଇ ମରିଥିବା ମଲାମୂଷା ଖାଇଦେଇ ଛଟପଟ ହୋଇ କକୀ ମରିଯିବା ଦୃଶ୍ୟ ଥିଲା ହୃଦୟବିଦାରକ.
ପୁଅ ଭାବୁଥିଲା ସେଦିନର କଥା. ହୁଣ୍ଡା ବାରିପଟେ ଚୁପ ଚାପ ମାଛ ଗୋଳା ଭାତ ଖାଇଦେଇ କକୀ କୁ ଜଗିବେସେ ଠିକ ଜେଜେମାଆ ଙ୍କ ଭଳି. କକୀ ର ନାମ ତ ଅନେକ କିନ୍ତୁ କାମ ହେଲା ମୂଷା ନମାରି ତାଙ୍କ ସଙ୍ଗେ ଖେଳିବ, ଆଉ ପଡିଶା ଘର କଲ୍ୟାଣୀ ମଣ୍ଡପରୁ ବିବାହ ବ୍ରତ ଆଦି ଭୋଜିରୁ ମାଛ ଚୋରୀ କରି ଆଣି ତା ଛୁଆଙ୍କୁ ଦେବ. ବେଳେ ବେଳେ ହୁଣ୍ଡା କୁକୁର ହାବୁଡ଼ରେ ପଡି ମାଛ ସିନା ହରାଏ କିନ୍ତୁ ଏମିତି ଆମ୍ପୁଡା ଦିଏ ହୁଣ୍ଡା କୁକୁରକୁ, ଆଉ ଦିନେ ସେ ସାହସ କରିବନି ତା ଗତିପଥ ରୋକିବାକୁ. ଏଣିକି ପ୍ରାୟ କୁକୁର ଡରୁଥିଲେ ତାକୁ ମାନେ ବିଲେଇ କକୀ କୁ. କୁକୁରମାନେ ସିନା ଭୟ ପାଇ ବିଲେଇଠୁ ମାଛ ଖଣ୍ଡ ଛଡେଇ ରଖି ପାରନ୍ତିନି କିନ୍ତୁ ଜେଜେମା ଉଠିଲା ବେଳକୁ କୋଉଦିନ କୋଉଠି ମାଛ ଖଣ୍ଡ ସବୁ ପଡ଼ିଥିବ ତ ଘର ଧୁଆ ପୋଛା, ଗଙ୍ଗା ପାଣି ପକାରେ ଅସ୍ତବ୍ୟସ୍ତ ଜେଜେମା ଗାଳି ଦେଇ ଚାଲିଥିବ କକୀ କୁ, ହେଲେ ଜେଜେମାକୁ ଆମ୍ପୁଡେ ନାହିଁ କକୀ ବରଂ ଦେଖେଇ ଦେଖଇ ପଞ୍ଝା ଚାଟି ସଫା କରି କହୁଥିବ ଯେମିତି ଦେଖ ଜେଜେମା, ମୋ ପାଦ ମଧ୍ୟ ମୁଁ ସଫା କରିଦେଲି.
ସେଦିନ ପାଟିରେ ମାଛମୁଣ୍ଡ ଗୋଟେ ଧରି ଆସୁ ଆସୁ, ପଡିଗଲା ଜେଜେମାଙ୍କ ହାବୁଡ଼ରେ ତ ଡାକପକେଇଲେ ଜେଜେମା. ଦୌଡି ଆସିଥିଲା ମୁନା କହିଲା ଜେଜେମା ବ୍ୟସ୍ତ ହୁଅନି, କକୀ କୁ ମଙ୍ଗଳ ଗ୍ରହକୁ ଛାଡ଼ିଦେବା. ଯେମିତି ଚନ୍ଦ୍ର ପୃଷ୍ଠକୁ ପ୍ରଥମ ସଜୀଵ ବା ଜୀବନ୍ତ ପ୍ରାଣୀ, କୁକୁର ଲାଇକା ଯାଇଥିଲା. ସେମିତି ମଙ୍ଗଳ ଗ୍ରହରେ ଆମ କକୀ ର ପ୍ରଥମ ଦିନ ବିଶ୍ୱବାସୀ ଦେଖିବେ. ଜେଜେମା କିଛି କହିଲେନି.ଗୁମସୁମ ହୋଇଯାଇଥିଲେ. ଧୁଆ ପୋଛା କରୁ କରୁ ବିଲେଇଟା ଗଁ ଗଁ ହେଉଥିଲା.ସେ ଆଣିଥିବା ମାଛମୁଣ୍ଡ, କୁକୁର ହୁଣ୍ଡା ଥାଳିରେ ଦେଖି. ହୁଣ୍ଡା ମଧ୍ୟ ଖାଇପାରୁନଥିଲା,ଥରେ ଜେଜେମା ଓ ଥରେ କକୀ ଆଡ଼େ ଚାହିଁ ଶୋଇରହି ଚାହିଁଥିଲା ମାଛମୁଣ୍ଡ ଆଡକୁ. ମୁନା ଏସବୁ ଲକ୍ଷ କରି, ମାଛମୁଣ୍ଡଟିକୁ ବାରିପଟେ ବରଡ଼ା ଜାଳି ଆମିଷ ଚୁଲିରେ ଭାଜି ବାଡ଼ିପଟେ କିଛି ହୁଣ୍ଡା ଥାଲିଆରେ ଓ କିଛି କକି ପେଟିରେ ଦେଇଥିଲା.
ଏବେ କକୀ ର ଛୁଆ ହେବ. ଏତେ ଉପରକୁ ଡେଇଁ ପଡୋଶୀ ଘରକୁ ଯାଇ ପାରୁନି. ଆମିଷ ବିନା କ୍ଷୀର ଭାତ ତାକୁ ରୁଚୁନି. କିନ୍ତୁ ସେପଟେ ବାଜା ରୋଷଣୀ, ଲାଇଟ ଭିତରେ ଆମିଷ ବାସ୍ନା ତାକୁ ଅସ୍ଥିର କରୁଛି. ମୁନା ରହି ରହି କହୁଥାଏ କକୀ କୁ,ରହ ମଙ୍ଗଳ ଗ୍ରହକୁ ଗଲେ ସେଠି କୋଉଠି ମାଛ ଖାଇବୁ ଓ ଛୁଆଙ୍କୁ ମାଛ ଆଣି ଦେବୁ. ଏକଥା କକୀ ବୁଝେକି ନବୁଝେ, ଜେଜେମା କିନ୍ତୁ ଗୁମସୁମ ଦିଶନ୍ତି. ମୁନା ବୁଝିପାରେନା କକୀ ପାଇଁ ଜେଜେମାଙ୍କ ମନରେ କଣ ଅଛି.
ସେଦିନ ପଡୋଶୀ କଲ୍ୟାଣୀ ମଣ୍ଡପରେ ଭୋଜିରେ ମୁନା ଘର ସଦସ୍ୟମାନଙ୍କୁ ଡକରା ଥାଏ. ଯିଏ ଯାହା ବାଟରେ ଯାଇ ଖାଇକି ଆସିଲେ. ଜେଜେମା ସବା ପଛରେ ଗଲେ. ସକାଳୁ ଦେଖିଲା ବେଳକୁ, ମାଛ ମୁଣ୍ଡ ଧରି କକୀ ଖାଉଛି ତା ଛୁଆଙ୍କ ସହ. କକୀ ତ ଏବେ ବନ୍ଧା ହୋଇ ରହୁଛି. ଘରଦ୍ୱାର ଆମିଷ କରି ଜେଜେମାଆଙ୍କୁ ହଇରାଣ କରୁଛି ବୋଲି ତାକୁ ମଙ୍ଗଳ ଗ୍ରହର ପ୍ରଥମ ଦିନର ଅନୁଭୂତି ଦେଖାଇବାକୁ ଅର୍ଥାତ ଛାଡ଼ି ଦେବାର ଯୋଜନା ଚାଲିଥିବା ଭିତରେ, ମାଛମୁଣ୍ଡ କୋଉଠୁ ଆସିଲା ଭାବୁଥିଲା ମୁନା. ସାଙ୍ଗ କୁନା କହୁଥିଲା, ତୁମ ଜେଜେମା କାଲି ତାଙ୍କ ପତରରେ କେବଳ ମାଛମୁଣ୍ଡ ମାଗୁଥିଲେ, ମୁନା ମୁଣ୍ଡ ଗୋଳମାଳ ହୋଇଯାଉଥିଲା.ଏବେ ଜେଜେମାଆ କେବେ ଗୁମସୁମ ତ କେବେ ପ୍ରଗ୍ଳଭ ହୋଇ କହୁଥିଲେ ହୁଣ୍ଡା ତ ଗଲା ଚନ୍ଦ୍ର ପୃଷ୍ଠକୁ ଲାଇକା କୁ ଭେଟିବାକୁ କିନ୍ତୁ କକୀ କଣ ସତରେ ମଙ୍ଗଳ ଗ୍ରହକୁ ଯାଇଥିବ କହି ବହୁନା ପକାଉଥିଲେ. ମୁନା ବାରିପଟେ ସୁଁ ସୁଁ ହେଉଥିଲା କେବଳ ତ ମୁଁ କଣ କହି ମୁନା କୁ ବୁଝେଇବି ଜାଣି ପାରୁନଥିଲି.
,,,,,,,,,,,,,,,,,,
