STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ମୋହିନୀ

ମୋହିନୀ

7 mins
0

ଶ୍ରୀମଦ୍ଭାଗବତ ମହାପୁରାଣର କଥା, ଅମୃତ ପ୍ରାପ୍ତି ପାଇଁ ଥରେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିବା ସ୍ଥିରକଲେ l ମନ୍ଦର ପର୍ବତକୁ ଆଣି ଖୁଆଦଣ୍ଡ ଭାବେ ସାଗରରେ ସ୍ଥାପନ କରାହେଲା l ବାସୁକୀନାଗକୁ ରଜ୍ଜୁକରି ମନ୍ଦରପର୍ବତ ସହ ବାନ୍ଧି ଦିଆଗଲା l ଅସୁରମାନେ ସବୁ ବାସୁକୀଙ୍କ ଲାଙ୍ଗୁଡ଼ ଏବଂ ଦେବତା ମାନେ ତା' ମୁଣ୍ଡ ପଟକୁ ଧରି ଖୁବ ଜୋରରେ ବୁଲାଇବାକୁ ଲାଗିଲେ l କିନ୍ତୁ ପର୍ବତର କୌଣସି ଆଧାର ନଥିବାରୁ ତାହା ସମୁଦ୍ର ମଧ୍ୟରେ ବୁଡ଼ିବାକୁ ଲାଗିଲା l ଭଗବାନ ବିଷ୍ଣୁ ଏହା ଦେଖି ଗୋଟିଏ ବିଚିତ୍ର କଇଁଛ ବେଶ ଧରି ସାଗର ମଧ୍ୟରେ ପ୍ରବେଶ କରି ମନ୍ଦରକୁ ପୃଷ୍ଠରେ ତୋଳି ଧରିଲେ l ସେ ପୁଣି ମନ୍ଦର ଉପରେ ଆଉ ଏକ ପର୍ବତ ସମ ଅବସ୍ଥାନ କରି, ଏହାକୁ ନିଜ ଶହସ୍ର ଭୁଜ ଦ୍ୱାରା ଧରି ରଖିଲେ l ଦେବତା ଓ ଅସୁର ମାନଙ୍କ ମଧ୍ୟରେ ପୂର୍ବ ଉଲ୍ଲାସ ଫେରି ଆସିଲା l ଦ୍ରୁତ ଗତିରେ ପୁଣି ମନ୍ଥନ ଆରମ୍ଭ ହେଲା l
ଅତି କଷ୍ଟରେ ବାସୁକୀଙ୍କ ଚକ୍ଷୁ ଓ ନିଶ୍ୱାସରୁ ଅଗ୍ନି ଓ ଖର ବାୟୁ ନିର୍ଗତ ହେବାରୁ ଦେବ ଓ ଦାନଵମାନେ ଅଣ ନିଶ୍ୱାସୀ ହୋଇ ପଡ଼ିଲେ l ପ୍ରବଳ ବୃଷ୍ଟିପାତ ଓ ଜଳକଣା ସୃଷ୍ଟିକରି ଭଗବାନ ଏହାକୁ ଶାନ୍ତ କରାଇ ଦେବାରୁ ପୁନର୍ବାର ମନ୍ଥନ ଆରମ୍ଭହେଲା l ସମୁଦ୍ରରୁ ଆଉ ଅମୃତବାହାରିବ କ'ଣ ସର୍ବ ପ୍ରଥମେ ହଳାହଳ ନାମକ ଏକ ଉତ୍କଟ ବିଷ ବାହାରି ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଗଲା l ଏଥିରୁ ରକ୍ଷାପାଇବା ନିମନ୍ତେ ସମସ୍ତେ ଭଗବାନ ଶିବଙ୍କ ଶରଣାପନ୍ନ ହେଲେ l ଆଶୁତୋଷ, ଦେବଦାନଵ ମାନଙ୍କ ପ୍ରାର୍ଥନା ସ୍ୱୀକାର ପୂର୍ବକ ଆସି ସେଠାରେ ପହଞ୍ଚି କାଳକୁଟ ବିଷକୁ ପାପୁଲିରେ ଧରି ପିଇଦେଲେ l ସମସ୍ତେ ଆଶ୍ୱସ୍ତ ହେଲେ l
ସଂସାର ରକ୍ଷାହୋଇଗଲା କିନ୍ତୁ ଏହି କାକକୁଟ ବିଷ ଶିବଙ୍କ କଣ୍ଠରେ ଯାଇ ରହିଗଲା l ଭଗବାନ୍ ଶଙ୍କର ହେଲେ, ନୀଳକଣ୍ଠ l ପ୍ରଭୁ ଶିବ ଵିଷପାନ କରୁଥିଲା ବେଳେ ତାଙ୍କ ହାତରୁ କେତେ ବୁନ୍ଦା ଵିଷ ଝରି ପଡ଼ି ଥିଲା l ସେହି ବିଷକୁ ସାପ, ବିଛା ଓ କିଛି ବୃକ୍ଷଲତା ଗ୍ରହଣ କରି, ଵିଷଯୁକ୍ତ ହେଲେ l ପୁଣି କ୍ଷିପ୍ର ଗତିରେ ସାଗର ମନ୍ଥନ ଆରମ୍ଭ ହେଲା l
ମନ୍ଥନରୁ ବାହାରିଲେ କାମଧେନୁ,ଉଚ୍ଚେଇଶ୍ରବା ଅଶ୍ଵ ହସ୍ତୀ ଐରାବତ, ପଦ୍ମରାଗ କୌସ୍ତୁଭମଣି, କଳ୍ପବୃକ୍ଷ ପାରିଜାତ ଓ ଅପସରା ମାନେ l ଏହା ପରେ ଉତ୍ଥିତା ହେଲେ ମାଆ ମହାଲକ୍ଷ୍ମୀ l ଲକ୍ଷ୍ମୀଙ୍କ ହସ୍ତରେ ଶୋଭା ପାଉଥାଏ ପଦ୍ମପୁଷ୍ପ l ମାଆ ଯାଇ ଶ୍ରୀହରିଙ୍କ କୋଳ ମଣ୍ଡନ କଲେ l ଏ ଯାଏ ମନ୍ଥନରୁ ପ୍ରାପ୍ତ ସମସ୍ତ ବସ୍ତୁ ଦେବତା ମାନଙ୍କୁ ପ୍ରାପ୍ତ ହେଲା l ଏହା ପରେ ଉତ୍ଥିତା ହେଲେ ବାରୁଣୀଦେବୀ l ତାଙ୍କୁ ଅସୁରମାନେ ଗ୍ରହଣ କଲେ l ପୁଣି ମନ୍ଥନ ଆରମ୍ଭ ହେଲା l ସମୁଦ୍ର ମଧ୍ୟରୁ ଏକ ଅମୃତ ପୁରୁଷ ଉଠିଆସିଲେ l ସେ ଶ୍ୟାମ ତନୁ, ସୁନ୍ଦର ପୀତବସ୍ତ୍ର,ମଣିମୟ କୁଣ୍ଡଳ ଓ ମାଳା ଧାରଣ କରିଥାନ୍ତି l ହସ୍ତରେ ଧରି ଥାନ୍ତି, ଅମୃତପୂର୍ଣ୍ଣ କଳସ l ସେ ଥିଲେ ସ୍ୱୟଂ ଭଗବାନଙ୍କ ଅବତାର ଧନ୍ଵନ୍ତରୀ l ତାଙ୍କ ହାତରେ ଅମୃତ କଳସ ଦେଖି ରାକ୍ଷସ ମାନେ ତତ୍କ୍ଷଣାତ ତାକୁ ଛଡ଼ାଇ ନେଲେ l ଦେବତା ମାନଙ୍କ ଭିତରେ ଭାଳେଣି ପଡ଼ିଗଲା l ଆରେ ଅସୁର ମାନେ ଏବେ ତ ଅମୃତ ପିଇ ଅମର ହୋଇ ଯିବେ !! ଆମ ଦୁର୍ଗତିର ତ ଆଉ ସୀମା ରହିବ ନାହିଁ !
ସେମାନେ ଯାଇ ବିଷ୍ଣୁଙ୍କ ଶରଣାପନ୍ନ ହେଲେ l ବିଷ୍ଣୁ ଟିକିଏ ହସିଦେଇ କହିଲେ ତୁମେମାନେ ଚିନ୍ତା କର ନାହିଁ, ମୁଁ ମୋ ମାୟାଦ୍ୱାରା ଏହା ସମାଧାନ କରିବି l
ବିଷ୍ଣୁ ଏହାପରେ ଏକ ମ୍ୟାଜିକ ବୋତଲ ରୂପୀ ଅପୂର୍ଵ ସୁନ୍ଦରୀ ରମଣୀ ବେଶ ଧାରଣ କଲେ l ନିଜର ସଲ୍ଲଜ ମୃଦୁ ହାସ ଓ କୁଟିଳ ଭ୍ରୂଭଙ୍ଗୀରେ ସେ ଅସୁର ମାନଙ୍କ ମନରେ କାମଭାବ ଜାତ କରିବାକୁ ଲାଗିଲେ l କାମ ବିମୋହିତ ଅସୁର ମାନେ, ସେହି ରମଣୀଙ୍କ ନିକଟରେ ଆସି କହିଲେ, ହେ ସୁନ୍ଦରୀ ! ତୁମେ କିଏ, କେଉଁଠୁ ଆସିଲ? ତୁମେ କାହାର କନ୍ୟା l ବୋଧହୁଏ ଆମମାନଙ୍କ ତୃପ୍ତିପାଇଁ ବିଧାତା ସଦୟ ହୋଇ, ତୁମକୁ ପଠାଇଛନ୍ତି l
ଅମୃତବାଣ୍ଟ ନେଇ ସେତେବେଳେ ଅସୁରଙ୍କ ମଧ୍ୟରେ ପ୍ରବଳ ଗୋଳ ଲାଗି ଯାଇଥାଏ l ଅସୁରମାନେ ପୁଣି କହିଲେ, ସୁନ୍ଦରୀ ! ଆମେ ସମସ୍ତେ ଋଷି କଶ୍ୟପଙ୍କ  ସନ୍ତାନ l ସହୋଦର ଭାଈ ଓ ସମସ୍ତେ ଜ୍ଞାତିକୁଟୁମ୍ବ l ଆମେ ପୌରୁଷ ଦେଖାଇ ଏହି ଅମୃତ ଲାଭକରିଛୁ l ତୁମେ ନ୍ୟାୟଅନୁସାରେ ଏହାକୁ ଆମଭିତରେ ବାଣ୍ଟି ଦିଅ ଯେପରି କଳି ଝଗଡ଼ା ହେବ ନାହିଁ l
ମୋହିନୀ ରୂପୀ ଭଗବାନ କହିଲେ, ଜଣେ କୁଳଟା ନାରୀଟିଏ ମୁଁ l ଆପଣସବୁ ମହର୍ଷିକଶ୍ୟପଙ୍କ ସୂତ l ମୋ ଉପରେ ଆପଣ ମାନେ କିପରି ଏପରି ଭରସା ରଖୁଛନ୍ତି l ଅସୁର ମାନେ କିନ୍ତୁ କିଛି ଶୁଣିଲେ ନାହିଁ l ସେମାନେ ମୋହିନୀଙ୍କ ହାତକୁ ସେ ଅମୃତକଳସଟି ଟେକି ଦେଲେ l ମୋହିନୀ କହିଲେ, ତମେ ସମସ୍ତେ ମୋ ଉପରେ ଭରସା ରଖିଛ l ମୁଁ ଯାହା ଭଲ ମନ୍ଦ କରିବି, ତୁମେ ମାନେ ଯଦି ମାନି ନେବ ତା ହେଲେ ସୁରୁଖୁରୁରେ ମୁଁ ଅମୃତ ବାଣ୍ଟି ଦେବି l ଅସୁର ମାନେ ମୋହିନୀଙ୍କ ମିଠା କଥାରେ ଭୁଲିଯାଇ ଏକସ୍ୱରରେ କହି ଉଠିଲେ, "ହଁ ତାହାହିଁ ହେବ "l
ଭଗବାନ ଏହାପରେ ପୂର୍ବାଭିମୁଖୀ କରି ଦେବତା ଓ ଅସୁରଙ୍କୁ ଦୁଇ ଧାଡ଼ିରେ ବସାଇ ଦେଲେ l ସେ ଚିନ୍ତା କଲେ ଏହି ଅସୁର ଗୁଡ଼ାଙ୍କୁ ଅମୃତ ପିଆଇବାର ଅର୍ଥ ସର୍ପକୁ କ୍ଷୀର ପାନ କରାଇବା l ନିତମ୍ବ ଦୋହଲାଇ ରୁଣୁଝୁଣୁ ଗତିରେ ସେ ଯାଇ ଦେବତାମାନଙ୍କୁ ଅମୃତ ପରସି ଦେଲେ l ଅସୁରମାନେ ମୁଗ୍ଧ ହୋଇ କେବଳ ମୋହିନୀଙ୍କୁ ହିଁ ଚାହିଁରହିଥାନ୍ତି l ମୋହିନୀ ଦେବୀଙ୍କ ଏହି ଛଳନାକୁ ରାହୁବୋଲି ଜଣେ ଅସୁର ଜାଣିପାରି ଯାଇ କପଟ ବେଶ ଧରି, ଦେବତା ମାନଙ୍କ ମଧ୍ୟରେ ବସି ଅମୃତ ପିଇ ଦେଲା l ଏହାକୁ ଚନ୍ଦ୍ର ସୂର୍ଯ୍ୟ ଜାଣି ପାରି ବିଷ୍ଣୁଙ୍କୁ କହିଦେଲେ l ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ରାହୁର ଗଣ୍ଡି ମୁଣ୍ଡକୁ ଅଲଗା କରି ଦେଲେ l କିନ୍ତୁ ମୁଣ୍ଡଟି ଅମୃତ ପିଇସାରି ଥିବାରୁ ଅମର ହୋଇ ଗଲା ଏବଂ ବ୍ରହ୍ମା ତାକୁ ଗୋଟିଏ ଗ୍ରହ କରିଦେଲେ l ରାହୁ ସେହିଦିନଠାରୁ ପୂର୍ଣ୍ଣିମା ଏବଂ ଅମାବାସ୍ୟାରେ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କୁ ଶତ୍ରୁ ବୋଲି ଆକ୍ରମଣ କରୁଛି l ଏହିପରି ମୋହିନୀ ରୂପରେ ମୋହିତ ହୋଇ ଅସୁର ମାନେ ଅମୃତ ପାନରୁ ବଞ୍ଚିତ ହେଲେ l
ଅମୃତ ପାନରୁ ବଞ୍ଚିତ ହୋଇ ଥିବାରୁ, ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗି ଗଲା l ଦେବତା ମାନେ ଅସୁର ସଂହାର କରି ଚାଲି ଥାଆନ୍ତି l ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ସଞ୍ଜିବନୀ ମନ୍ତ୍ର ଦ୍ୱାରା ଅସୁରଙ୍କୁ ପୁନର୍ଜୀବିତ କରି ଦେଉଥାନ୍ତି l ବହୁ କାଳ ଧରି ଏହି ସଂଗ୍ରାମ ଲାଗି ରହିଲା l ଜଣା ଯାଉଥାଏ ଏହାର ଯେମିତି ଅନ୍ତଃ ନାହିଁ l ଶେଷରେ ବ୍ରହ୍ମା ଦେବର୍ଷି ନାରଦଙ୍କୁ ପଠାଇଲେ l ସେ ଦେବତା ମାନଙ୍କୁ ଅସୁରସଂହାରରୁ ନିବର୍ତ୍ତାଇବାରୁ ଏ ଯୁଦ୍ଧର ପରି ସମାପ୍ତି ଘଟିଲା l
ଭଗବାନ ମୋହିନୀ ରୂପ ଧରି, ଅସୁରଙ୍କୁ ମୋହିତ କରି ଦେବତା ମାନଙ୍କୁ ଅମୃତ ପିଆଇଛନ୍ତି l ଏକଥା ଶୁଣି ମହାଦେବ ପାର୍ବତୀଙ୍କସହ ବୃଷଭ ଆରୋହଣ କରି ସମସ୍ତ ପିଶାଚ ଗଣଙ୍କ ସହିତ ଆସି ଶ୍ରୀହରିଙ୍କ ନିକଟରେ ପହଞ୍ଚି ପଚାରିଲେ,ପ୍ରଭୁ ! ମୁଁ ଆପଣଙ୍କର ବହୁ ଅବତାର ଓ ବହୁ ରୂପ, ଦେଖିଛି l ମାତ୍ର ଏବେ ଆପଣ ଯେଉଁ ମୋହିନୀ ସ୍ତ୍ରୀ ରୂପ ଧରିଥିଲେ ତାହା ତ ମୁଁ କେବେ ଦେଖିନାହିଁ l ତାହା ମୁଁ ଦେଖିବା ପାଇଁ ଚାହୁଁଛି l ସେଥି ପାଇଁ ଆମର ଖୁବ୍ କୌତୁହଳ ସୃଷ୍ଟି ହୋଇଛି l ତାହା ଦେଖିବା ନିମନ୍ତେ ଆମେ ଏଠାକୁ ଆସିଛୁ l ଭଗବାନ କହିଲେ, ଦେବ କାର୍ଯ୍ୟ କରିବା ପାଇଁ ମୁଁ ଏହି ବେଶ ଧାରଣ କରିଥିଲି l କିନ୍ତୁ ମୋର ଏ ବେଶ କାମୀମାନଙ୍କ କାମ ଭାବ ଉଦ୍ରେକକାରୀ l ଏ ବେଶ ଧରି, ମୁଁ କାମ ଲୋଲୁପୀ ରାକ୍ଷସ ମାନଙ୍କୁ  ମୋହିତ କରି ତାଙ୍କ ଠାରୁ ଦେବ ଭୋଗ୍ୟ ଅମୃତକୁ ଉଦ୍ଧାର କଲି l ଆପଣ ଏହା ଦେଖିବାକୁ ଚାହୁଁଛନ୍ତି l ଆପଣ ପରା ପରମ ଯୋଗୀ !! ତଥାପି ! ଯେହେତୁ ଆପଣଙ୍କ ଏହା ଦେଖିବାକୁ ଶ୍ରଦ୍ଧା ହୋଇଛି, ନିଶ୍ଚୟ ଏହା ଦେଖାଇବି l ଆପଣ ଦେଖିପାରିଲେ ହେଲା l
        ସେ ରୂପ ଦେଖାଇବି ମୁହିଁ l
        ଯେବେ ସମ୍ଭାଳି ପାରୁ ତୁହି ll
        କାମୀ ମାନଙ୍କ ମହାମୋହ l
        ପୁରୁଷ କେ ଧରିବ ଦେହ ll
ଏମିତିକହି ଭଗବାନ କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇ ଗଲେ l ଶଙ୍କର ପାର୍ବତୀ ଚାରି ଆଡ଼କୁ ଚାହୁଁ ଥାନ୍ତି l କିଛିସମୟ ପରେ ସେମାନେ ଦେଖିଲେ, ବୃକ୍ଷ ଲତା ପରିଶୋଭିତ ଏକ ରମଣୀୟ ଉପବନ ମଧ୍ୟରେ ଏକ ଅତି ସୁନ୍ଦରୀ ରମଣୀ କନ୍ଦୁକଟିଏ ଧରି କ୍ରୀଡ଼ାକରୁଛି l  
ଖେଳୁଖେଳୁ ସେ ଅପୂର୍ଵ ରମଣୀଟି ସ୍ମିତ ହାସ୍ୟ କରି ଶଙ୍କରଙ୍କ ଆଡ଼କୁ କଟାକ୍ଷ ନୟନରେ ଚାହିଁ ଦେଲା l ତାକୁ ଦେଖିବାକ୍ଷଣୀ ଦେବଦେବ ମହାଦେବଙ୍କ ଚିତ୍ତ ଆଉ ନିଜ ବଶରେ ରହିଲା ନାହିଁ l ଶଙ୍କର ବିଚଳିତ ହୋଇ ଉଠିଲେ l ତାଙ୍କ ପାଖରେ ପତ୍ନୀ ଓ ଅନୁଚର ମାନେ ଯେ ଉପସ୍ଥିତ ଅଛନ୍ତି ଏହା ସେ ଭୁଲିଗଲେ l କାମବିହ୍ଵଳ ଭୋଳାନାଥଙ୍କ ସବୁ ବିବେକ ବୁଦ୍ଧି ହଜି ଗଲା, ସେ ଲଜ୍ଜାହୀନଭାବେ ତା' ପଛରେ ଧାଇଁଲେ   ଯେମିତି ଗୋଟେ କାମାତୁର ହସ୍ତୀ ହସ୍ତୀନି ପଛରେ ଧାବମାନ ଥିଲାଭଳି l
        କରିଣୀ ଦେଖି ଯେହ୍ନେ ଗଜ l
        ଧାମଇଁ ଉଚ୍ଚେ ତୋଳି ଭୁଜ ll
ଶଙ୍କର ତା ଆଡ଼କୁ ଆସୁଥିବା ଦେଖି, କନ୍ୟାଟି ବୃକ୍ଷ ଉହାଡ଼ରେ ଲୁଚି ଯାଇ, ହସିବାକୁ ଲାଗିଲା l ଦଉଡ଼ି ଯାଇ ଶଙ୍କର ତା ଜୁଡ଼ାକୁ ଧରି ନେଲେ ଏବଂ ତା'ର ଅନିଚ୍ଛାସତ୍ତ୍ବେ ତାକୁ ନିଜ ଦୁଇବାହୁରେ ଜଡ଼ାଇ ଧରି ନେଲେ l କନ୍ୟାଟି ଶିବଙ୍କ ବାହୁ ବନ୍ଧନରୁ ଖସିଯିବା ପାଇଁ ଚେଷ୍ଟାକରି କୌଣସିମତେ ଖସିପଳାଇ ଗଲା l ମହାଦେବ ମଧ୍ୟ ତା ପଛରେ ଦୌଡ଼ିବାକୁ ଲାଗିଲେ l କାମ ମୋହିତ ଶିବ ସେହି ମୋହିନୀର ପଶ୍ଚାତ୍ଧାବନ କଲାବେଳେ ତାଙ୍କର ବୀର୍ଯ୍ୟ ସ୍ଖଳିତହେଲା l ତହିଁରୁ ସୁନା ଓ ରୁପା ଖଣିର ସୃଷ୍ଟିହେଲା l ଶଙ୍କରଙ୍କ ଏବେ ଜ୍ଞାନୋଦୟ ହେଲା l ସେ ବୁଝି ପାରିଲେ, ବିଷ୍ଣୁ ନିଜ ମାୟାରେ ତାଙ୍କୁ ମୋହିତ କରିଛନ୍ତି l
ଭଗବାନ ବିଷ୍ଣୁ ଦେଖିଲେ, ବର୍ତ୍ତମାନ ଶିବ ପ୍ରକୃତିସ୍ଥ ହୋଇଛନ୍ତି l ନିଜ ସ୍ୱରୂପରେ ପ୍ରକଟ ହୋଇ ଶିବଙ୍କ ପାଖକୁ ଆସି ବିଷ୍ଣୁ କହିଲେ, ମୋର ଏହି ମୋହିନୀ ମାୟାରେ ମୋହିତ ହୋଇ ଆପଣ ନିଜର ନିଷ୍ଠାରେ ଅଟଳ ରହିଛନ୍ତି l ମୋର ମାୟା ଦୁସ୍ତର l ଆପଣଙ୍କ ବ୍ୟତୀତ ମୋର ଏ ମାୟାରେ ପଡ଼ି ଆଉକେହି ଖସି ପାରି ନାହାଁନ୍ତି l ମୁଁ କାଳ ରୂପେ ସୃଷ୍ଟି କରିବା ପାଇଁ ମୋର ଏହି ଗୁଣମୟୀ ମାୟା ରଚନା କରିଥାଏ l  ଶିବ ବୁଝିଗଲେ ହରିମାୟାର ପ୍ରଭାବ l ଭଗବାନଙ୍କୁ ଯଥାମାନ୍ୟ ଓ ପରିକ୍ରମା କରି ଭଗବାନ୍ ଶିବ ଉମା ଓ ଅନୁଚର ମାନଙ୍କ ସହ ସ୍ଵଧାମକୁ ପ୍ରସ୍ଥାନକଲେ l ବିଷ୍ଣୁ ମଧ୍ୟ ଶିବଙ୍କୁ ପରିକ୍ରମା ପୂର୍ବକ ପ୍ରସ୍ଥାନ କଲେ l
ଭୋଳାନାଥ ଯିବାବେଳେ ପଥରେ ଦେବୀ ଉମାଙ୍କୁ କହିଲେ, "ଦେବୀ ! ତୁମେ ପରମ ପୁରୁଷଙ୍କ ମାୟା ଦେଖିଲ ତ ! ମୁଁ ସବୁ କଳା, ବିଦ୍ୟାର ସ୍ରଷ୍ଟା ହୋଇ ଥିଲେ ସୁଦ୍ଧା, ହରିଙ୍କ ମାୟାରୁ ବର୍ତ୍ତୀ ପାରିଲି ନାହିଁ l ତୁମକୁ ଇନ୍ଦ୍ରିୟକୁ ଜୟ ନ କରିଥିବା ପୁରୁଷ ମାନଙ୍କ କଥା କଅଣ ବା ମୁଁ କହିବି l ତୁମର ମନେ ଅଛି ତ ! ଯେତେବେଳେ ଏକ ହଜାର ବର୍ଷ ଧରି ମୁଁ ସମାଧିସ୍ଥ ଥିଲି, ତୁମେ ଆସି ପଚାରିଥିଲ, ହେ ପ୍ରଭୁ !! ଆପଣ କାହାକୁ ଧ୍ୟାନ କରୁଛନ୍ତି? ଏବେ ବୁଝିଲ ତ,ମୁଁ ସେହି ସନାତନ ପରମ ପୁରୁଷଙ୍କୁ ହିଁ ଧ୍ୟାନକରୁଥିଲି l ବେଦ ସମସ୍ତ ଜ୍ଞାନର ଆଧାରହେଲେ ମଧ୍ୟ ସେହି ସନାତନ ପୁରୁଷଙ୍କୁ ଜାଣିପାରି ନାହିଁ l ଦେବୀ ଉମାଙ୍କୁ ବୁଝାଇ ଶିବ ପୁଣି କହିଲେ :-
        ତା ମାୟା ବଳେ ମୋହେ ଶିବ l
          ଆନ କେ ସେ ମାୟା ତରିବ ll
            ବିଷ୍ଣୁର ମାୟା ଅଗୋଚର l
             ଯହିଁ ଭ୍ରମନ୍ତି ଦେବାସୁର ll
ଆଜି ବୈଶାଖ ଶୁକ୍ଳଏକାଦଶୀ l ଏହିଦିନ ଭଗଵାନ ବିଷ୍ଣୁ, ମୋହିନୀ ଅବତାର ଧାରଣକରି ଭୋଳାନାଥ ଶିବଙ୍କୁ ମୋହିତ କରି ଥିଲେ l ଏଣୁ ଏହା ମୋହିନୀ ଏକାଦଶୀ ନାମରେ ଖ୍ୟାତ ହୋଇଛି ମୋହିନୀ ବେଶଧାରୀ ବିଷ୍ଣୁ ଏକ ମ୍ୟାଜିକ ବୋତଲ ନୁଁହଁନ୍ତି କି ପଚାରୁଥିବା ପ୍ରଶ୍ନରେ ଉମା ଏଥର ହସିଥିଲେ।
                     


Rate this content
Log in

Similar oriya story from Classics