ସାବି ମାଉସୀ
ସାବି ମାଉସୀ
ଡେଙ୍ଗା ପତଳା ସ୍ତ୍ରୀ ଲୋକଟା ମୁଣ୍ଡରେ ପାଚିଲା ଆମ୍ବ ବୋଝ.ନହନହ କାଠି ପରି ପତଳା ଦେହ ସାଙ୍ଗକୁ ମୁଣ୍ଡରେ ଏ ବୋଝ ଭିତରେ ବି ହସୁଥିଲା ସାବି. ତିନି ତିନିଟା ଝିଅଙ୍କୁ ବିନା ବାପାର ସହାୟତା ରେ ମଣିଷ ପରି ମଣିଷ କରିବାକୁ ଦେଖିଥିବା ସ୍ବପ୍ନ ସତେ ଯେମିତି ଆଜି ପୁରଣ ହେବାକୁ ଯାଉଛି ସାବି ମାଉସୀ ର . ବଡ ଝିଅ ମାନି ଆଜି ଗାଁ ସ୍କୁଲ ର ନୁଁହଁ ସତେ ଯେମିତି ତା ମାଆ ସାବିର ମାନ ମହତ ରଖିଛି. ମାଟ୍ରିକ ପରୀକ୍ଷାରେ ଦଶ ଜଣଙ୍କ ଭିତରେ ଜଣେ ହୋଇ ପାସ କରିଥିବାରୁ ସ୍କୁଲ ସହିତ ତା ଗରୀବ କୁଡ଼ିଆ ଆଜି ଝଲସି ଉଠିଛି.ସାବି ମାଉସୀ ର ଗୋବର ଲିପା ସହ ତା ହାତର ଝୋଟି ଚିତା ସାଙ୍ଗକୁ ଝିଅ ମାନି ହାତ ଅଙ୍କା ରଙ୍ଗୋଲି ଆଜି କେଡେ କେଡେ ଅଟ୍ଟାଳିକା କୁ ପଛରେ ପକେଇ ହସି ଉଠିଛି କେବଳ ମାନି ପାଇଁ. ଗୋଡ଼ ଦୋଅଡି ହୋଇପଡୁଥିବା ମାଆ ସାବି ମଧ୍ୟ ଆଜି ବେଗି ବେଗି ଚାଲୁଛି. ଏତେଦିନେ ତା ସ୍ବପ୍ନ ପୁରଣ ହୋଇଛି. ଆଜି ଘରକୁ ଫେରିଲା ବେଳେ ସବୁଠୁ ମିଠା ଆମ୍ବ କେଇଟା ନେଇଯିବ ଝିଅ ପାଇଁ ତାର. ଝିଅ ମାନି ଚୁଲି ଜାଳି ଭାତ ରା଼ନ୍ଧିବା ସଙ୍ଗେ ସଙ୍ଗେ ଦୁଇ ସାନ ଭଉଣୀଙ୍କ ଜଞ୍ଜାଳ କରିଛି ବୋଲି ତ ମାଆ ସାବି ବିଜୟ ବାବୁ ଘର ଆମ୍ବ,ପଣସ, ପିଜୁଳି, ସେପେଟା, ସପୁରୀ ଆଦି ବିକି ମୂଳ ପଇସା ବିଜୟ ବାବୁଙ୍କୁ ପୈଠ କରି ଲାଭ ପଇସାରେ ମାନିକୁ ପଢ଼େଇଛି. ପାଠର ମୂଲ୍ୟ ବୁଝିନଥିବା ମାଆ ସାବି ଝିଅ ମାନିକୁ ବସେଇକି ପଢ଼େଇ ଦେଇନି କେବେ. ତା ମୁଣ୍ଡରେ ପରିବାର ବୋଝ. ରା଼ନ୍ଧିବ, ବାଢ଼ିବୁଢ଼ି ଦୁଇଭଉଣୀଙ୍କ ଜଞ୍ଜାଳ କରି ପୁଣି ସାଙ୍ଗରେ ସ୍କୁଲ ନେଇ ଯିବ. ଯେଉଁଦିନ ସ୍କୁଲ ନଯିବ ବା ଛୁଟି ଦିନ କି ରବିବାର ଥିବ ତ ସେଦିନ ଘରେ ରହି ଦୁଇ ସାନ ଭଉଣୀଙ୍କ ଜଞ୍ଜାଳ କରୁଥିବ ନଚେତ ମାଆ ସଙ୍ଗେ ବୋଝ ନେଇ ଆସିଥିବ ଯେ ସେମିତି ଉପାସ ଭୋକରେ ପାଠ ପଢ଼ୁଥିବ ପଛେ ପାଚିଲା ଆମ୍ବ କି ପିଜୁଳି କି ଲିଚୁ କି ଜାମୁ୍ରୋଳଟିଏ ପାଟିରେ ଦେଇ ଦେବନି. ସେଇ ଝିଅର ମାଆ ହୋଇ ସାବି ଯେତିକି ଗର୍ବ କରେ ସେତିକି ଦୁଃଖ କରେ ସାବି ପାଇଁ.ପୁଣି ଧନ୍ୟବାଦ ଦିଏ ଠାକୁରଙ୍କୁ. ତାଙ୍କ କୃପା କରୁଣା ରୁ ତ ପଡୋଶୀ ବିଜୟ ବାବୁ ଭଉଣୀ ପରି ଦେଖନ୍ତି ମାନି ଓ ତା ଦୁଇ ସାନ ଭଉଣୀଙ୍କୁ ପୁଣି ସାବି ମାଉସୀ ବୋଲି ଡାକିଦେଲେ ପେଟ ପୁରିଯାଏ ମାଉସୀଙ୍କର. ତାଙ୍କରି ଦୟାରୁ ଓ ତାଙ୍କ ବଗିଚାରୁ ଉତ୍ପନ୍ନ ଫଳ ସବୁ ମାଉସୀଙ୍କ ଜିମା ଦେଇ ବିଜୟ ବାବୁ ନିଶ୍ଚିନ୍ତ ଯେମିତି ସାବି ମାଉସୀ ମଧ୍ୟ ଝିଅ ପାଠ ପଢ଼ା କୁ ନେଇ ଆଶ୍ୱସ୍ତ ରହନ୍ତି କରଣ ସବୁ କଥା ବୁଝନ୍ତି ବିଜୟ ବାବୁ.ନିଜ ଝିଅ ପରି ଯଦିଓ ମାନି କିନ୍ତୁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀ ହୋଇସାରିଛି. ବିଜୟ ବାବୁଙ୍କ ସ୍ତ୍ରୀ ଅନୀତା ଦେବୀ ମଧ୍ୟ ମଆ ଲଷ୍ମୀ ଠାକୁରାଣୀ ଙ୍କ ପରି.ଯାହା ରାନ୍ଧନ୍ତି ସାବି ମାଉସୀଙ୍କ ଘରକୁ ପଠାନ୍ତି. ପୁଣି ମାଆ ଗଙ୍ଗାଙ୍କ ଭଳି ପବିତ୍ର ମନ ତାଙ୍କର ବୋଲି ଝିଅ ପରି ମାନିକୁ ନଣନ୍ଦ ପରି ଦେଖିବାକୁ କୁଣ୍ଠାବୋଧ କରନ୍ତି ନାହିଁ.
ସେହି ବିଜୟ ବାବୁଙ୍କ ଏକମାତ୍ର ଝିଅ ଅଳି କଲେଜ ଗଲାପରେ ବଦଳି ଯାଇଛି. ପାଠ ପଢ଼ା ଛାଡ଼ି ପ୍ରେମ ପଥରେ ପାଦ ଦେଇ ଅଜାତି ପୁଅ ବିନୋଦକୁ ବିବାହ କରିବାକୁ ଜିଦ ଧରି ବସିଛି. ଏକଥା ଦେଖି ସାବି ମାଉସୀ ର ନିଜ ଝିଅ ମାନି କୁ ଆଉ ପଢେଇବାକୁ ମନ ନଥିଲେ ମଧ୍ୟ ବିଜୟ ବାବୁ ଆଶା ଆଶ୍ଵାସନା ଭରିଦେଇଛନ୍ତି. ଉଚ୍ଚ ଶିକ୍ଷା ପାଇ ମାନି ଚାକିରୀ କଲେ ତୁମ ଦୁଃଖ ଦୂର ହେବ. ଦାଦନ ରୁ ବାପାଙ୍କୁ ତାର ଫେରେଇଆଣିବା ସ୍ବପ୍ନ ସତ କରିବ. ସାନ ଦୁଇ ଭଉଣୀ ଙ୍କୁ ପାଠ ଶାଠ ପଢ଼େଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବ ତୁମ ଝିଅ ମାନି ମାଉସୀ . ବିଜୟ ବାବୁଙ୍କ ଠାରୁ ଏ ସମସ୍ତ ଶୁଣି ମାନି ବୋଉ ସାବି ମୁଣ୍ଡର ବୋଝ ହାଲୁକା ଲାଗୁଛି. କାଲିକି କାଲି ତା ଝିଅ ମାନି ସାବି ଓ ସାବିଙ୍କ ପରିବାର ର ସମସ୍ତ ଦୁଃଖର ବୋଝ ମୁଣ୍ଡରୁ ଓଲ୍ହେଇ ଦେବାର ଆଶା ନେଇ ସାବି ଗୋଡ଼ ଆଜି ପାଞ୍ଚ ହାତ ରେ ପଡି ଅଳ୍ପ ହସି ଦେଲା ବେଳେ ସେଦିନ କଲେଜ ରୁ ଫେରିନଥିଲା ମାନି. ସାବିଙ୍କ କାନ୍ଦଣା ଶୁଣି ବିଜୟ ବାବୁ ନିଜେ ଓ ନିଜର ଲୋକ ଲଗେଇ କଲେଜ ରୁ ଧରି କେତେ କୁଆଡେ ଖୋଜ ଖବର ନେଲାପରେ ମଧ୍ୟ ମାନିର ପତ୍ତା ନଥିଲା ତ ବାଧ୍ୟ ହୋଇ ଥାନାରେ ରିପୋର୍ଟ ଲେଖି ଘରକୁ ଫେରି ନିଜ ଝିଅ କଥା ଭାବୁଥିଲେ. ବିନୋଦ ସଙ୍ଗେ ବାହା ହେବାକୁ ମନା କଲେ ସେ ଯଦି ଝିଅକୁ ତାଙ୍କର ଉଠାଇ ନିଏ ବା ଅପହରଣ କରେ କି ଉତ୍ତର ଦେଵେ ସେ ସମାଜକୁ! ବିଜୟ ବାବୁ ପୁଣି ଭାବୁଥିଲେ କି ଉତ୍ତର ଦେଵେ ଲଷ୍ମୀ ପରି ସ୍ତ୍ରୀ ଅନୀତାଙ୍କୁ!ଭାବୁ ଭାବୁ ମାନି ପାଇଁ ତାଙ୍କୁ ଆଜି ନିଦ ନଥିଲା. ସେପଟୁ ସାବି ମାଉସୀ ଙ୍କ ଗୁମୁରି ଗୁମୁରି ବହୁନା ତାଙ୍କୁ ରାତି ଶୁଆଇ ଦେଉ ନଥିଲା.
ସକାଳୁ ସକାଳୁ ପୋଲିସ ଗାଡି ବିଜୟ ବାବୁଙ୍କ ଦୁଆରେ ଲାଗିଥିଲା. ଭିତରେ ଥିଲା ମାନିର ଖଣ୍ଡ ବିଖଣ୍ଡିତ ମୃତ ଶରୀର. କୋଉ ଆତତାୟୀ ମାନଙ୍କର ଦାନ୍ତ ଓ ନଖ ମାନିର ସୁକୋମଳ ହାଡ଼ ମାଂସ କୁ ପୁଳା ପୁଳା କରି ଅଇଁଠା କରିବା ପରେ ହତ୍ୟା କରି କେହି ଯାଉନଥିବା ପରିତ୍ୟକ୍ତ ନଈ ପଠାରେ ଫିଙ୍ଗି ଦେଇ ଯାଇଥିଲା. ପୋଲିସ କହୁଥିଲା ଶୀଘ୍ର ଶୀଘ୍ର ଦାହ କରିଦିଅନ୍ତୁ ଆଜ୍ଞା କଥା ଆଗକୁ ବଢିଲେ ବିଚରା ଗରୀବ ମାଉସୀ ଟା କେତେ ହଟହଟା ହେବ ବୁଝିପାରୁଥିବେ. ଭାଷା ନଥିଲା ପାଟିରେ ବିଜୟଙ୍କର. କିପରି ସାବି ମାଉସୀ ଙ୍କୁ ବୋଧ ଦେଵେ ବୁଝିପାରୁନଥିବା ବେଳେ ସାବି ମାଉସୀ ନିଜେ କାନ୍ଦି କାନ୍ଦି କହୁଥିଲେ ଝିଅ ଅଳି କୁ ତୁମର ବିନୋଦ ସଙ୍ଗେ ବାହା କରିବାକୁ ରାଜି ହୋଇଯାଅ ପୁଅ. ବିଜୟଙ୍କ ପାଟିରୁ ସିନା ବଚନ ସ୍ପୁରୁ ନଥିଲା କିନ୍ତୁ ମୁଣ୍ଡର ବୋଝ ହାଲୁକା ଲାଗି ଏତେ ଦୁଃଖରେ ବି ଅଜଣା ହସ ଟୋପେ କୋଉଠି ନା କୋଉଠି ଉକୁଟି ଆସୁଥିଲା ବେଳେ ଆଖି ଦୁଇଟା ବୋଲ ନମାନି ଲୁହ ର ଶ୍ରାବଣ ଧାରା ଗଡେଇ ଚାଲିଥିଲେ. ତା ପରଠୁ ରାକ୍ଷୀ ପୂର୍ଣ୍ଣମୀରେ ବିଜୟ ବାବୁଙ୍କ ଶୁନ୍ୟ ହାତ ତାଙ୍କୁ ମାନିର ସ୍ମୃତି ଆଣି କନ୍ଦାଇ ଦେଲାବେଳେ ଝିଅ ଅଳି ଓ ଜୋଇଁ ବିନୋଦ ପ୍ରଥମେ ସାବି ମାଉସୀଙ୍କୁ ଘରେ ତାଙ୍କୁ ପ୍ରଣାମ କରି ଓ ପ୍ରଣାମୀ ଦେଇ ରାକ୍ଷୀ ପୂର୍ଣ୍ଣମୀରେ ପ୍ରତିବର୍ଷ ଗାଁ ଘରକୁ ଆସୁଥିଲେ ବାପା ବିଜୟ ଓ ମାଆ ଅନୀତାଙ୍କୁ ଦେଖିବାକୁ.
