କ୍ଷମା କଲେ ଝିଅ କ୍ଷମତା ମିଳଇ
କ୍ଷମା କଲେ ଝିଅ କ୍ଷମତା ମିଳଇ
ପାହାନ୍ତି ସକାଳୁ ନିଦ ଭାଙ୍ଗି ଯାଇଥିଲା ସେଦିନ ସକାଳ ପାହିବା ପୂର୍ବରୁ ଲିପିର.ଧୂଆଁ ଧୂଆଁଳିଆ ଶୀତ ସକାଳୁ ସକାଳୁ ଲିପି ଗାଧୁଆ ପାଧୁଆ ସାରି, ଠାକୁର ପୂଜା କରି ଶାଶୁ ଶଶୁରଙ୍କ ଅନୁମତି ପାଇଁ ଅପେକ୍ଷା କରି ରହିଥିଲା. ମାସ ସାରା ତା ଆଖିକୁ ନିଦ ନଥିଲା.ଆକାଶରୁ ମହାକାଶ ଯାଏଁ ତାକୁ ଶୁନ୍ୟ ଦେଖାଯାଉଥିଲା.ତା ସ୍ୱାମୀ ତାକୁ ପରକରି ତାଙ୍କ ସହକର୍ମୀ ନେହା ସହ ସବୁଦିନ ପାଇଁ ରହିବା ପ୍ରସ୍ତାବକୁ ଅନୁମୋଦନ କରିବାକୁ ଲିପି ପାଖକୁ ଯେବେ ଡିଭୋର୍ସ ନୋଟିସ ପଠାଇଲେ ତ ଶଶୁର ଗର୍ଜ୍ଜନ କରିଥିଲେ ଓ କହିଥିଲେ କୁଳାଙ୍ଗାର ପୁଅ ମୋର ଆଜିଠୁ ମରିଗଲା ଜାଣ. ଶାଶୁମାଆ ମଧ୍ୟ କହିଥିଲେ ଏତେ ଶିବ ପୂଜା କରି ତତେ ପୁଅ ବୋଲି ପାଇଥିଲି ଓ ସର୍ବଗୁଣସମ୍ପନ୍ନ ବୋହୁ କରି ଆଣିଥିଲି ଲିପିକୁ କଣ ମୋ ସୁନାବୋହୁ ସଙ୍ଗେ ଏମିତି କରିବୁ ବୋଲି?ଆଜିଠୁ ତୁ ମୋର ପୁଅ ନୁହଁ ଜାଣ. ପିତା ମାତା ହୋଇ ପୁଅକୁ ଗାଳି କରି ତାକୁ ତେଜ୍ୟ କରିବା ଗୋଟେ ଅବିକଳ୍ପ ସମୟର ସମାଧାନ ଛଡା ଆଉ କଣ ହୋଇପାରେ ଭାବି ଲିପି ସଢ଼ି ଯାଉଥିଲା ମନେ ମନେ . ଛୋଟ ଦିଅର ନଣନ୍ଦଙ୍କ ଆଗରେ ସେ ଛୋଟ ହୋଇଯାଉଥିଲା. କର୍ମକ୍ଷେତ୍ରରେ ଅନେକ ପ୍ରଶ୍ନର ଉତ୍ତର ନଦେଇ ସେ ସତେ ନୀଳକଣ୍ଠ ପାଲଟି ଯାଉ ଯାଉ ଆକାଶରୁ ମହାକାଶ ଯାଏଁ ଶୁନ୍ୟକୁ ଚାହିଁ ରହୁଥିଲା ନୀରବରେ . ତା ମନ କଥା ଜାଣିପାରି ଶାଶୁ ତା ହାତରେ ଘରର ସମୁଦାୟ ଚାବିକାଠି ଧରାଇ ଦେଇ କହିଥିଲେ ତୁ ଖାଲି ଏ ଘରର ବୋହୁ ନୁହେଁ ଆଜିଠୁ ଏ ଘରର ଝିଅ. ତା ସହିତ ତୋର ଏ ଘର ଦ୍ୱାର ସବୁକିଛି. ତୁ ଯେମିତି ଚଳେଇବୁ ଆମେ ସେମିତି ଚଳିବୁ.ଶଶୁର କହୁଥିଲେ ତୋର ଯଦି ଆମ ଗାଁ ସ୍କୁଲରେ ରହି ଆଉ କାମ କରିବାକୁ ଇଛା ହେଉନି ତ ମୋର ସାଙ୍ଗ ଓ ଚିହ୍ନା ପରିଚୟ ଅଛନ୍ତି ତାଙ୍କୁ କହି ଅନ୍ୟ ସହର କି ଆଉ କୋଉ ଗାଁକୁ ବଦଳି କରିଦେବା.ଲିପି ନିର୍ବିକାର ପରି ସବୁ ଶୁଣୁଥିଲା ହେଲେ ପୂଜା ଛୁଟି ପରେ ପରେ ସେ ଅନ୍ୟ କିଛି ନିଷ୍ପତ୍ତି ନେଇସାରିଥିଲା.
ଶାଶୁ ଏତେ ସକାଳୁ ଲିପି ର କୁଆଡେ ଯିବାର ପ୍ରସ୍ତାବକୁ ଅନୁମୋଦନ କରିବା ପରିବର୍ତ୍ତେ ଚମକି ପଡ଼ିଥିଲେ. ରାତି ପାହିଲେ ସ୍କୁଲ ଖୋଲିବ. ଆଜି ତୁ କୁଆଡେ ଯିବୁ ମାଆ କହି ଲିପି କୁ ଚାହିଁ ରହିଲେ ତ ଲିପି କହୁଥିଲା ପୁରୀ ଯିବି ମାଆ. କାର୍ତ୍ତିକ ପରି ପୁଣ୍ୟ ମାସରେ ହବିଷ ପାଳନ କରିବି. ବାକି ଜୀଵନ ଜଗନ୍ନାଥଙ୍କ ପାଦ ତଳେ ନିଜକୁ ସମର୍ପଣ କରିଦେବି.ଆଶ୍ଚର୍ଯ୍ୟ ଆଖିରେ ଶାଶୁ କହିଲେ ଏଇଟା ତୋର ଧର୍ମ କର୍ମ କରିବାର ବେଳ ନୁହେଁ ମାଆ. ତୋ ଶଶୁର ବାପା କହୁଥିଲେ ଆଜି ତତେ ତାଙ୍କ ସାଙ୍ଗ ଓ ତାଙ୍କ ବିଲାତ ଫେରନ୍ତା ପୁଅ ଦେଖିବାକୁ ଆସିବେ. ସେହିକଥା ତତେ କହିବାକୁ ସୁଯୋଗ ଆଧାର ଖୋଜିଲା ବେଳକୁ ତୁ ଆମକୁ ନିରାଧାର କରି ପଛକୁ ମୁହଁ ବୁଲେଇ ଦେନା ମାଆ. ଲିପି ଆଖିରେ ଅଦିନିଆଁ ଧାରା ଶ୍ରାଵଣ ଝରଝର ହୋଇ ବନ୍ଧ ବାଡ଼ ନମାନି ନିମ୍ନମୁଖି ହେଉଥିଲା ତ ବାସ୍ପାରୁଦ୍ଧ କଣ୍ଠରେ ସେ କହିଥିଲା କୁକୁର ମଣିଷକୁ କାମୁଡିଦେଲେ ମଣିଷ କଣ କୁକୁରକୁ କାମୁଡ଼େ ମାଆ? ମୋର କିଛି ସଂସ୍କାର ଅଛି ନା ନାହିଁ ମାଆ?କାଉ ପକ୍ଷୀଟିଏ ହେଲେ ମଧ୍ୟ ତା ଠାରୁ ଏକତା ଶିଖିଛି, ପିମ୍ପୁଡି କ୍ଷୁଦ୍ର ଜୀବ ହେଲେ ମଧ୍ୟ ତାଠୁ ଶୃଙ୍ଖଳା, କୁକୁର ପରି ପଶୁଠୁ ବିଶ୍ଵସ୍ତତା, ଘୋଡାମାନଙ୍କ ଠାରୁ ପରିଶ୍ରମ, ମହୁମାଛିମାନଙ୍କଠାରୁ ସାମ୍ୟତା ଇତ୍ୟାଦି ଶିଖିଥିବା ଝିଅ ମୁଁ ଏବେ ମଣିଷମାନଙ୍କ ମଧ୍ୟରେ ହିଂସା, କ୍ରୋଧ, ଲୋଭ, ଆସକ୍ତି, ସ୍ୱାର୍ଥପରତା, ନିଷ୍ଠୁରତା, ଅଂହକାର ଇତ୍ୟାଦି ଦେଖି ମୋର ଆଉ ଚାକିରୀ ପ୍ରତି ଲୋଭ ନାହିଁ ମାଆ. ମୁଁ ବରଂ କାର୍ତ୍ତିକ ମାସଠୁ ଜଗନ୍ନାଥଙ୍କ ପାଖେ ଶରଣ ନେଇ ଜୀଵନ କାଟିବାକୁ ଚାହୁଁଛି. ମତେ ଆପଣ ଦୁହେଁ ଅନୁମତି ଓ ଆଶୀର୍ବାଦ ଦିଅନ୍ତୁ.ତା ଛଡା ଆପଣ କେମିତି ଭାବିପାରୁଛନ୍ତି ମୁଁ ଆଉଥରେ ଆଉ କାହାକୁ ବିବାହ କରିପାରେ? ଶାଶୁ କହୁଥିଲେ କାହିଁକି ନୁହଁ ଲିପି! ତୋର ମଧ୍ୟ ଅଧିକାର ଅଛି ଜୀବନକୁ ଜୀଵନପରି ଜିଇଁବା ପାଇଁ. ଲିପି କେବଳ ଆକାଶର ଶୂନ୍ୟତାରୁ ମହାକାଶର ଶୁନ୍ୟତା ଅନୁଭବ କରି କାନ୍ଦି ଚାଲିଥିଲା. ଏଯାଏଁ କିଛି କହୁନଥିବା ସାନ ଦିଅର ତାଙ୍କ ରୁମରୁ ଉଠି ଆସି କହୁଥିଲେ ତେବେ ତୁମେ କାଉ, ପିମ୍ପୁଡି, କୁକୁର, ଘୋଡା, ମହୁମାଛି ଇତ୍ୟାଦିଙ୍କଠୁ କିଛି ବି ଶିଖିନ. ତୁମ ଭିତରେ ସେହି ମଣିଷର ସ୍ୱାର୍ଥପରତା ନିହିତ. ନଣନ୍ଦ ମଧ୍ୟ ତାଙ୍କ ରୁମରୁ ଉଠିଆସି କହୁଥିଲେ ହଁ ତୁମେ ପରିବାର ପ୍ରତି ନିଷ୍ଠୁର ହୋଇଯାଉଛ. ଶଶୁର ମଧ୍ୟ ଉଠିଆସି କହୁଥିଲେ ଚୁପ କର ସମସ୍ତେ.ମୋ ଝିଅ କୁଆଡେ ଯିବନି କି ବିବାହ କରିବ ନାହିଁ. ଲିପି କେବଳ ଦୀର୍ଘନିଶ୍ଵାସ ପକାଉଥିଲା ଯାହା ଶୁନ୍ୟ ଆକାଶରୁ ମହାଶୁନ୍ୟ ଯାଏଁ ପରିବ୍ୟାପ୍ତ ଥିଲା.
ତା ବାପା ଘରେ ଦୁଇ ମାଆ ଓ ମାଉସୀ ତଥା ଅଜା ଏସବୁ ଜାଣିବା ପୂର୍ବରୁ ଧୋକା ର ଧକ୍କା ଖାଇ ନେହା ପାଖରୁ ସ୍ୱାମୀ ଫେରିଥିଲେ ଓ ସଂସ୍କାରୀ ଝିଅ ଲିପି ନିଜ ଘରେ ବହି ଲାଇବ୍ରେରୀଟିଏ କରି ନିଜକୁ ପୁସ୍ତକ ଭିତରେ ବୁଡେଇ ରଖିଥିଲା ବେଳେ ବହିଟିଏ ଲେଖିଥିଲା. ଯାହାର ନାମ ଥିଲା ମୋ ପ୍ରିୟ ସାଙ୍ଗ, କିନ୍ତୁ କିଏ ଲିପିର ପ୍ରିୟ ସାଙ୍ଗ ଭାବୁ ଭାବୁ ଅଜା ହିଁ ଆସୁଥିଲେ ଆଖି ଆଗକୁ.ପିଲାଦିନେ ଅଜାଙ୍କ କୋଳରେ ଓ ମାଆ ମାଉସୀ ଦୁହିଁଙ୍କ ସ୍ନେହ ଆଦରରେ ବଢିଥିବା ଲିପି ଶିଖିଥିଲା ଧର୍ଯ୍ୟ, ସାହାସ ଓ ରଖିଥିଲା ଈଶ୍ୱର ବିଶ୍ୱାସ. ଆଜି ସେଇଥିପାଇଁ ହୁଏତ ନିଜ ଭୁଲ ବୁଝି ଘର ପୁଅ ଘରକୁ ଫେରିଆସି ଲିପିକୁ କ୍ଷମା କରିଦେବାକୁ ନେହୁରା ହୋଇଥିଲେ.ପିଲାଦିନେ ଅଜା କହୁଥିଲେ କ୍ଷମା କଲେ ଝିଅ କ୍ଷମତା ମିଳଇ.. ଆଉ ଆଗକୁ ଭାବିପାରୁନଥିଲା ଲିପି ତ ସେପଟେ ପୋଷା କୁକୁର ଟମି ଓ ପୋଷା ବିଲେଇ ରିମି ସେମାନଙ୍କ ଖାଦ୍ୟ ପାଇଁ ତାଙ୍କ ଥାଳିଆ ଓ ଗିନା ଖଡ଼ଖଡ଼ କରୁଥିଲେ. ମିଠୁ ପାଇଁ ବି ଫଳ କାଟିବାକୁ ହେବ ଲିପିକୁ ତ ସେ ଯିବ କୁଆଡେ. ଶୁଆ ମିଠୁ ଡାକୁଥିଲା ରାମ ରାମ ତ ସେଇ ଡାକରେ ବିଭୋର ଲିପି କରିଚାଲିଥିଲା ଗୋଟିକ ପରେ ଗୋଟେ କାମ. ସର୍ବପ୍ରଥମ ମଣିଷ ଦେବତା ଶଶୁରଙ୍କ ହାତକୁ ସକାଳ ଚା ବଢା଼ଉ ବଢା଼ଉ ସ୍ୱାମୀ କହୁଥିଲେ ମତେ କପେ ମିଳିବ କି!
