ଟଙ୍କାଗଛ
ଟଙ୍କାଗଛ
ପିଲାଦିନର କଥାଟି ଆଜି ବି ମନ ତଳେ ଲୁଚି ରହି କେତେ କଥା କହେ. ଏବେ ରିଙ୍କୁଙ୍କର ବାହାଘର ସରିସାରିଛି. ପ୍ରଥମ ସନ୍ତାନ ପୁଅଟିଏ ବି ହୋଇ ସାରିଛି. ଦ୍ୱିତୀୟ ସନ୍ତାନର ଆଗମନକୁ ସମସ୍ତେ ଅପେକ୍ଷା କରିବା ଭିତରେ ରିଙ୍କୁ ତାଙ୍କ ନିଜ ବୋଉ ଓ ଆଈ ଉଭୟଙ୍କ ପାଟିରୁ ଝିଅଟିଏ ହୋଇଗଲେ ମୋ ଝିଅ ବା ନାତୁଣୀ ରିଙ୍କୁ ସ୍ୱୟଂ ସମ୍ପୂର୍ଣ୍ଣ ହୋଇଯାଆନ୍ତା ବୋଲି କଥା ପଦେ ରିଙ୍କୁଙ୍କୁ ଭାବପ୍ରବଣ କରିବା ସହିତ ମନେପଡୁଥିଲା ତାଙ୍କ ଭଉଣୀ ମାମିନା ଓରଫ ମଧୁଛନ୍ଦା ଜନ୍ମ ବେଳର କଥାଟିଏ.ରିଙ୍କୁ ଥିଲେ ଘରର ବଡ଼ ଝିଅ. ତାଙ୍କ ତଳକୁ ମଧ୍ୟ ଆଉ ଗୋଟିଏ ଝିଅ, ତୃତୀୟ ସନ୍ତାନ ଓ ଚତୁର୍ଥ ସନ୍ତାନ ବାପାଙ୍କର ଦୁଇ ପୁଅ ପରେ ମଧ୍ୟ ବାପାଙ୍କ ଭିତରେ ପୁଅ ହେବାର ନିଶା ଛାଡ଼ିନଥାଏ କି କଣ କେଜାଣି କାଳିକିଙ୍କର ଓ ଶ୍ୟାମାକିଙ୍କର ପରେ ସତ୍ୟକିଙ୍କର ଆସିବାର ଅପେକ୍ଷାରେ ବାପା ଚକ ଖଡ଼ି ସାହାଯ୍ୟରେ କ୍ଵାଟର ଝରକାରେ ପୁଅ ହେଲେ ସତ୍ୟକିଙ୍କର ଓ ଝିଅ ହେଲେ ମଧୁଛନ୍ଦା ବୋଲି ଲେଖି ରଖିଥିବା ବେଳେ ବୋଉ ହସୁଥିଲା ଓ ତାର ହେପାଜତ ତଥା ରିଙ୍କୁଙ୍କ ସହ ତାଙ୍କ ଛୋଟ ଭାଇଭଉଣୀମାନଙ୍କ ସୁବିଧା ତଥା ଦେଖାଶୁଣା ପାଇଁ ରିଙ୍କୁଙ୍କ ଘରେ ଥିବା ଆଈ କହୁଥାନ୍ତି ମୁଁ ମନିପ୍ଲାଣ୍ଟ ମାନେ ଟଙ୍କାଗଛ ଲଗେଇଛି ପୁଅ (ଜୋଇଁ ଙ୍କୁ ରିଙ୍କୁ ଙ୍କ ଆଈ ପୁଅ ଭାବି ପୁଅ ବୋଲି ଡାକନ୍ତି )ଦେଖିବ ତୁମ ସତ୍ୟକିଙ୍କର ହିଁ ଆସିବ. ଠିକ ସେତିକି ବେଳକୁ ଅଘଟଣଟିଏ ଘଟିଗଲା ସେହି ବ୍ଲକରେ. ସେଦିନ ସକାଳୁ ଦେଖାଗଲା କାଗେଜି ନାମ୍ନୀ ଝିଅଟିଏ ଦଉଡି ଦେଇ ଆତ୍ମହତ୍ୟା କରିଛି. କଥାଟା ସ୍ତବ୍ଧ କରିଦେଇଥିଲା ସମସ୍ତଙ୍କୁ କାରଣ ଲୋନ ପାଇଁ ସେ ରିଙ୍କୁ ଙ୍କ ବାପାଙ୍କ ଅଫିସକୁ ଯିବା ଆସିବା ଭିତରେ କେଵେ କେଵେ ରିଙ୍କୁଙ୍କ ଘରକୁ ଯିବା ଆସିବା କରନ୍ତି. ରିଙ୍କୁଙ୍କର ତାଙ୍କ ପ୍ରତିଛବି ଯେତିକି ମନେଅଛି ସେ ଦେଖିବାକୁ ଖୁବ ଗୋରା ହୋଇ ସତେ ଯେମିତି କାଗଜ ପରି ସୁନ୍ଦର ଝିଅଟିଏ ଥିଲେ . ଯାହାଙ୍କୁ ରିଙ୍କୁ କାଗେଜି ଅପା ଡାକୁଥିଲେ. ତାଙ୍କ ଅପମୃତ୍ୟୁରେ କଲୋନୀର ସମସ୍ତେ କଷ୍ଟ ପାଉଥିଲା ବେଳେ ବୋଉର ମଧ୍ୟ ପ୍ରସବ କଷ୍ଟ ଆରମ୍ଭ ହୋଇଥିଲା. ଆଈ ବୋଉ ସହ ହସ୍ପିଟାଲ ଗଲା ପରେ ରିଙ୍କୁ ଓ ତାଙ୍କ ସାନ ଭାଇଭଉଣୀମାନେ ବାପାଙ୍କ ହେପାଜତରେ ଥିଲା ବେଳେ ଖବର ଆସିଲା ଝିଅଟିଏ ହେଇଛି. ବାପାଙ୍କ ସଙ୍ଗେ ରିଙ୍କୁ ଓ ସବୁ ଭାଇଭଉଣୀ ହସ୍ପିଟାଲ ଯାଇ ଦେଖିଥିଲେ ତାଙ୍କ ସାନଭଉଣୀ ମଧୁଛନ୍ଦାକୁ. କିଏ ଖୁସି ହୁଅନ୍ତୁ କି କଣ ଭାବନ୍ତୁ କିନ୍ତୁ ରିଙ୍କୁ ଓ ତାଙ୍କ ସାନ ଭାଇ ଭଉଣୀ ସବୁ ଖୁବ ଖୁସି ଥିଲା ବେଳେ ଆଈଙ୍କୁ ଦେଖିବାର କଥା ଥିଲା . ଝିଅ ନୁହେଁ ବରଂ ବୋଉ ର ପୁଅ ହେଉ ବୋଲି ଚାଁହୁଥିବା ଆଈ ଘୋଡେଇ ପୋଡ଼େଇ କାନିରେ ନୂଆ ନାତୁଣୀକୁ ରଖି ଦେଖେଇ ଦେଉନଥିଲେ କାହାକୁ. ବୋଉକୁ ଅର୍ଥାତ ତାଙ୍କ ଝିଅକୁ କହୁଥିଲେ ଘୋଡ଼େଇକି ଧର ପିଲାକୁ ଛାତିରେ.ଦୃଷ୍ଟି ପଡିବ. ଝିଅ କଣ ପୁଅ କଣ, ବଢିଯାଉ କେମିତି ଭଗବାଙ୍କ କରୁଣାରୁ. ରିଙ୍କୁ ସେତେବେଳେ ଭାବୁଥିଲେ କି ସୁନ୍ଦର ଲାଲ ଟୁକୁ ଟୁକୁ କାଗଜ ପରି ଗୋରା ଝିଅଟି ତାଙ୍କ ଭଉଣୀ ହୋଇ ଆସିଛି! କଲୋନୀର କେହି ଜଣେ ମାଉସୀ ଝିଅ ଦେଖି କହୁଥିଲେ ଠିକ କାଗେଜି ପରି ହେବ ବଡ଼ ହେଲେ ତ କେହି ଜଣେ କହୁଥିଲେ କାଗେଜିର ଆତ୍ମା ତ. ଠିକ ତାରି ପରି. ସମସ୍ତେ ଏକଥା ହଜମ କରିଥିଲେ ମଧ୍ୟ ଆଈ କରିନଥିଲେ.ସମସ୍ତଙ୍କୁ ପାଟି କରି କହିଥିଲେ ମୋ ନାତୁଣୀ ଟଙ୍କାଗଛ. ଆଉ କୌଣସି ଅପଶବ୍ଦ ତା ନାମରେ କେହି ନକୁହ ଯେମିତି. ସତକୁ ସତ ଆଜି ସେହି ଭଉଣୀ ଶିକ୍ଷୟିତ୍ରୀ ହୋଇ ଖୁବ ଟଙ୍କା କମାଉଛି ଓ ଆଈଙ୍କ ଦ୍ୱାରା ଆଗତ ପ୍ରସ୍ତାବରେ ବିବାହ କରି ଖୁବ ଭଲରେ ଅଛି. ଜୀବନ ଗାଡି ସହିତ ପଇସାର ଖେଳ ଖେଳି ଚାଲିଛି ସେ ଭଗବାନ ଙ୍କ କୃପା କରୁଣାରୁ ତଥା ଆଈ ଙ୍କ ଆଶୀର୍ବାଦରୁ.
ପିଲାଦିନର ସେସବୁ କଥା ଭାବୁ ଭାବୁ ଠିକ ଅଗ୍ନି ପୂର୍ଣ୍ଣମୀ ଦିନ ରିଙ୍କୁଙ୍କର ପ୍ରସବ ବେଦନା ଆରମ୍ଭ ହୋଇ ହସ୍ପିଟାଲରେ ଦିନବେଳା ଝିଅ ଜନ୍ମ ହେଲା. ସେଇ ଆଈ ଥିଲେ ରିଙ୍କୁଙ୍କ ପାଖରେ.ଝିଅକୁ ଦେଖି ଖୁବ ମନ ଊଣା ହେଲା ରିଙ୍କୁଙ୍କର କାରଣ ପ୍ରଥମ ସନ୍ତାନ ପୁଅ ପରି ଜନ୍ମରୁ କାଗଜ ପରି ଧଳା ଦେଖାନଯାଇ ଟିକେ ନାଲି ଦେଖାଯାଉଥିଲା ତ ଝିଅ କାଳୀ ହେବାର ଆଶଙ୍କାରେ ମୁହଁ ମୋଡି ନେଉଥିଲେ ରିଙ୍କୁ କିନ୍ତୁ ନର୍ସ ଦିଦି ଯେତେବେଳେ ରିଙ୍କୁଙ୍କୁ ଟିକେ ସମ୍ୟକ ଚେତେଇ ଦେଇ କହିଥିଲେ ପିଲାକୁ ଛାତିରେ ଜାକି କୋଳରେ ରଖିବାକୁ ସେତେବେଳକୁ ରିଙ୍କୁଙ୍କ ଆଈ କହୁଥିଲେ ଏ ୱାର୍ଡରେ ଏତେ ପିଲା ଜନ୍ମ ହୋଇଛନ୍ତି ହେଲେ ଏମିତି ପିଲା କାହାର ଅଛି!ଦେଖିବୁ କେମିତି ଗୋରୀ, ସୁନ୍ଦରୀ ଓ ଟଙ୍କାଗଛ ପାଲଟି ଯିବ ତୋ ଝିଅ. ସତରେ ଟିକେ ବଡ଼ ହେଲା ପରେ ଝିଅକୁ ବାଇକରେ ନୁହେଁ ବରଂ ରିକ୍ସାରେ ପରଦା ଟାଣି ସ୍କୁଲ ଛାଡ଼ିବି ଓ କଲେଜ ଗଲାବେଳକୁ ତା ପାଇଁ କାର କିଣିବି କହୁଥିବା ବାପା ଅର୍ଥାତ ରିଙ୍କୁଙ୍କ ସ୍ୱାମୀ ଝିଅ ପାଇଁ ଆଜି ଖୁବ ଗର୍ବିତ.ଝିଅ ତାଙ୍କର ଟଙ୍କା କମେଇ ଜୀବନ ଗାଡି ଚଳେଇଲା ବେଳେ ମା ଓ ବାପା ଭଗବାନ ଙ୍କୁ ଡାକୁଥାଆନ୍ତି ଆମ ଝିଅ କୁ ଆୟୁଷ, ଆଶିଷ ଓ ନିରୋଗ ରଖ ପ୍ରଭୁ ବୀରହନୁମାନ. ସେ ଆଜି କେବଳ ସୁନ୍ଦର ଶିକ୍ଷିତ ତଥା ରୋଜଗାରକ୍ଷମ ନୁହେଁ ବରଂ ଶାଶୁ ଘରେ ଭଲ ବୋହୁଟିଏ ହୋଇପାରିଛି ରିଙ୍କୁଙ୍କ ଝିଅ ରିଟୁ ହେଲେ ତାକୁ ଟଙ୍କାଗଛ କହୁଥିବା ରିଙ୍କୁଙ୍କ ଆଈ ଆଉ ଏ ଦୁନିଆଁରେ ନାହାଁନ୍ତି ଏତେ ଖୁସି ଦେଖିବାକୁ. ରିଙ୍କୁଙ୍କୁ ତାଙ୍କ ବୋଉ ଦେଇଥିବା ମନିପ୍ଳାଣ୍ଟ ବା ଟଙ୍କା ଗଛଟା ଆଡକୁ ଚାହିଁ ରିଙ୍କୁ ଆଖି ପୋଛୁଥିଲେ କାରଣ ବୋଉ ମଧ୍ୟ ତାଙ୍କର ଅସୁସ୍ଥ ରହୁଛନ୍ତି ଏଣିକି ଖୁବ. ଟଙ୍କାଗଛ ବା ମନିପ୍ଳାଣ୍ଟ ଗଛଟି ପାଖେ ଠିଆ ହୋଇ ରିଟୁ କାନ୍ଦୁଥିଲା କାରଣ ରିଙ୍କୁଙ୍କ ବୋଉ ଅର୍ଥାତ ରିଟୁର ଆଈ ଏ ଦୁନିଆଁ ଛାଡି ଚାଲିଗଲେ ଏବେ ଏବେ . ରିଙ୍କୁ ଦିନେ ନିଜ ଆଈଙ୍କର ସ୍ବର୍ଗାରୋହଣରେ ଦୁଃଖ କରି କାନ୍ଦୁଥିଲା ପରି ରିଟୁ ଆଜି କାନ୍ଦୁଛି ତା ନିଜ ଆଈ ଙ୍କ ପାଇଁ.ଭାଇ ଜିଟୁ ଓ ମାଆ ରିଙ୍କୁ ତଥା ଅନ୍ୟମାନଙ୍କ ସହ ତା ଆଈ ପାଇଁ କାନ୍ଦୁଥିଲେ ସମସ୍ତେ କଇଁ କଇଁ .
ମାଆ ରିଙ୍କୁ ଭାବୁଥିଲେ ପିଲାଦିନ କଥା.ତାଙ୍କର ପ୍ରାୟେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ହେବା ପର୍ଯ୍ୟନ୍ତ ତାଙ୍କ ଜେଜେଙ୍କ ସହ ତାଙ୍କର କଥପୋକଥନର ସାରମର୍ମ ଥାଏ ଏହି କି ଯେ ରିଟୁ ପଚାରନ୍ତି ଜେଜେଙ୍କୁ, ଆଛା ଜେଜେ ଆମ ପୈତୃକ ସାତପୁରୁଷି ପୁରୀର ସାହି ଘରଟାକୁ ବିକିଲ କାହିଁକି ?ତ ଜେଜେ ଉତ୍ତର ଦିଅନ୍ତି ଘରେ କବାଟ ପଟେ ସାପ, ବେଙ୍ଗ, କୁକୁର ଓ ଗାଈ ପଶିଲେ ତ ଚାଳ ଛପର ନହୋଇ ଉପରୁ ତେଲଗୁଣି ପୋକ, କାଚେରା ପୋକ ଖସିଲେ ତ ତୋ ବାପା ଘରଟାର ଦେଖାଶୁଣା କଲାନି ତ ବିକିନଥାନ୍ତି ଆଉ କଣ କରିଥାନ୍ତି!ତ ସେତେବେଳେ ତେଲଗୁଣି ଓ କାଚେରା ପୋକ କଥା ଶୁଣି ରିଙ୍କୁ କହେ ହଁ ହଁ ଭଲକଲ କହିଥାଆନ୍ତି କିନ୍ତୁ ଟିକେ ବଡ଼ ହୋଇ କଲେଜ ଗଲାପରେ ଓ ବିଜ୍ଞାନର ଛାତ୍ରୀ ହେଲାପରେ ରିଙ୍କୁଙ୍କର ଜେଜେଙ୍କୁ ସ୍ପେସିଜ ବୋଲି କହିବାକୁ ଇଛା ହୁଏ. କହିଦିଅନ୍ତି ମଧ୍ୟ କେଵେ କେଵେ ତ ବାପା ବୋଉଙ୍କଠାରୁ କାହିଁକି ଗାଳି ଖାଏ ଜାଣୁ ନଜାଣୁ ବାହାହୋଇ ଶାଶୁ ଘରକୁ ଆସି ସାରିଥାନ୍ତି ରିଙ୍କୁ. ପୁଣି ରିଙ୍କୁ ଭାବିଚାଲିଥିଲେ ଶାଶୁଙ୍କ ଚାରିପଟେ ତାଙ୍କ ନାତି ନାତୁଣୀ ମାନେ ଘେରିରହିଥାଆନ୍ତି. ଶୁଣୁଥାଆନ୍ତି ତାଙ୍କର ଶଶୁରଙ୍କ ପ୍ରତି ଥିବା ପ୍ରେମ କାହାଣୀ. ସେ କେମିତି ବେଣୀ ଭିତରେ ଖିଲି ପାନ ଖୋସି ତାଙ୍କ ଗାଁରେ ଶିକ୍ଷକ ଥିବା ତାଙ୍କ ଭାବୀ ସ୍ୱାମୀ ଅର୍ଥାତ ଶଶୁରଙ୍କୁ ଖିଲିପାନ ଦିଅନ୍ତି. ସେକଥା ଶୁଣି ସମସ୍ତେ ଖିଲିଖିଲି ହସୁଥିଲା ବେଳେ ରିଙ୍କୁଙ୍କ ପୁଅ ଜିଟୁ ଓ ଝିଅ ରିଟୁ ମଧ୍ୟ ହସୁଥାଆନ୍ତି ଖିଲଖିଲ. ପୁଣି ଶାଶୁଙ୍କୁ କେହି ନାତି ନାତୁଣୀ ପଚାରୁଥାଆନ୍ତି ମାଆ ତୋ ବାହାଘରକୁ କଣ ହୋଇଥିଲା? ମଟନ ନା ଚିକେନ ନା ମାଛ? ପୁଣି କିଏ କହୁଥାଏ ଚୁଙ୍ଗୁଡ଼ି ଓ କଙ୍କଡା ହୋଇଥିଲା କି ନାହିଁ? ଶାଶୁ କହନ୍ତି କେଜାଣି ମୋର କଣ ଆଉ ମନେ ଅଛି? ଶାଶୁ କିନ୍ତୁ କହୁଥାନ୍ତି ମନେରଖି ଆମ ବେଳେ ଯୋଉ ବାଜା ବାଜେ ତାହାର ଶବ୍ଦ ରାମ୍ପୁ ରାମ୍ପୁ, ରାମ୍ପୁ ରାମ୍ପୁ. ନୂଆ ନୂଆ କଲେଜ ଯାଇ ପ୍ଲସ ଟୁ ରେ ସାଇନ୍ସ ନେଇ ପଢ଼ୁଥିବା ରିଙ୍କୁ ଙ୍କ ପୁଅ ଜିଟୁ ସେତେବେଳେ କହୁଥାଏ ମୋ ଜେଜେମାଆ ଗୋଟେ ସ୍ପେସିଜ. ଝିଅ ରିଟୁ କିନ୍ତୁ ମାଆ ରିଙ୍କୁଙ୍କୁ ପଚାରୁଥାଏ ଭାଇ ସ୍ପେସିଜ କଣ କହୁଛି ମାଆ ଜେଜେମାଆଙ୍କୁ ? ତ ରିଙ୍କୁ ପୁଅକୁ ଚିଡି ଜେଜେମାଙ୍କୁ କଣ ସେମିତି କୁହନ୍ତି ବୋଲି କହନ୍ତି. ଝିଅ ରିଟୁ ପୁଣି କହୁଥାଏ ହନୁମାନଙ୍କ ପାଟି ସେମିତି ହେଲେ ମଧ୍ୟ ସେ ପ୍ରଭୁ. ଗଣେଶଙ୍କର ହାତୀ ପରି ଶୁଣ୍ଢ ଥିଲେ ମଧ୍ୟ ସେ ଆମକୁ ବୁଦ୍ଧି ଦେଉଥିବା ପ୍ରଭୁ. ତାଙ୍କୁ ଯେମିତି ମାନୁଛେ ଜେଜେମା ଭଳି ଆଈ ଅଜା ଇତ୍ୟାଦି ଗୁରୁଜମାନଙ୍କ ମରହଟ୍ଟୀ କଥା ଶୁଣି ମଧ୍ୟ ତାଙ୍କୁ ଯଥାମାନ୍ୟ ଦେବା ଉଚିତ.ତ ରିଙ୍କୁଙ୍କ ପୁଅ ଜିଟୁ ଭଉଣୀ ରିଟୁ କୁ କହୁଥାଏ ଆସିଲା ହନୁମାନ ଓ ଗଣେଷଙ୍କୁ ସ୍ପେସିଜ କରିଦେବାକୁ! ଝିଅ ରିଟୁ କିନ୍ତୁ କହୁଥାଏ ପ୍ରଭୁଙ୍କୁ ସେମିତି କହିବୁନି ଭାଇ. ରିଙ୍କୁଙ୍କ ମନେଅଛି ତାଙ୍କ ବାପା ଚାଲିଗଲେଣି ସତ କିନ୍ତୁ ସିଏ ତାଙ୍କ ବାପା ଓ ବୋଉଙ୍କର ଅର୍ଥାତ ରିଙ୍କୁଙ୍କ ଜେଜେ ଓ ଜେଜେମାଆଙ୍କର ମୃତ୍ର୍ୟୁ ବାର୍ଷିକୀ ବା ଶ୍ରଦ୍ଧାରୁ ତିଥି ଅନୁଯାୟୀ ଶ୍ରାଦ୍ଧ ପଡୁଥିବା ଦିନମାନଙ୍କରେ ସକାଳେ ଉଠିବସି ଖୁବ କାନ୍ଦନ୍ତି ତ ସେସବୁ ଦେଖି ଓ ଶୁଣି ତାଙ୍କ ପୁଅ ପୁଅ ଜିଟୁ ତାଙ୍କୁ ମାନେ ରିଙ୍କୁ ଙ୍କ ବାପାଙ୍କୁ ଅଜା ବି କମ ସ୍ପେସିଜ ନୁହଁନ୍ତି କହି ହସେ.ରିଙ୍କୁ ପୁଅକୁ ଗୋଡ଼ାନ୍ତି ବାଡେଇବାକୁ ତ ଦୌଡ଼ି ପଳାଏ ସେ. ଏ ଭିତରେ ବାପା ଅର୍ଥାତ ଜିଟୁ ଓ ରିଟୁ ଙ୍କ ଅଜା ଚାଲିଗଲେଣି. ସେ ଚାଲିଯିବାର ଦୁଇ ଚାରିବର୍ଷ ପରେ ସେଇ ଦିନ, ବାର ଓ ଏକା ତିଥିରେ ରିଙ୍କୁ ଙ୍କ ବୋଉ ବା ପିଲାଙ୍କ ଆଈ ବି ଚାଲିଗଲେ ତ ଏଣିକି ଭାଇଠୁ ଶିଖି ରିଙ୍କୁ ଙ୍କ ଝିଅ ରିଟୁ କହୁଥିଲା ପରିବାରଯାକ ତ ସ୍ପେସିଜ ପରିବାର.ତ ଲୁହ ଓ କୋହକୁ ଏକାକାର କରି ଦୁଇ ଆଖିରୁ ଲୁହ ଦୁଇଧାର ଗଡି ଆସୁଥିଲା ରିଙ୍କୁଙ୍କ ଆଖିରୁ.ହେଲେ ସେଇ ଝିଅ ରିଟୁ ଆଜି ମନିପ୍ଳାଣ୍ଟ ତଳେ ଠିଆ ହୋଇ ନିଜ ଆଈଙ୍କ ମୃତ୍ୟୁରେ କାନ୍ଦୁଛି ଦେଖି ଆଜି ଭାଇ ତାକୁ ସ୍ପେସିଜ କହି ଚିଡାଉ ନଥିଲା ବରଂ ମାଆ ଓ ଭଉଣୀଙ୍କୁ ସାନ୍ତ୍ୱନା ଦେଉଥିଲା.
ଏବେ ସେହି ଦୁଇ ଆଖିରେ ରିଙ୍କୁଙ୍କର ଲୁହ ବଦଳରେ ସ୍ବପ୍ନ ଆସିଥିଲା ଏମିତିକି ଜଗନ୍ନାଥ ଠାକୁରଙ୍କୁ ସ୍ପେସିଜ ଭାବେ ବର୍ଣ୍ଣନା କରି ଜେ. ଏନ. ୟୁରୁ ଆସିଥିବା ଜୈନିକ ଛାତ୍ର ଯେବେ ତାଙ୍କ ଇଣ୍ଟରଭ୍ୟୁ ନେଇ ପଚାରୁଥିଲେ ଅନେକ ପ୍ରଶ୍ନ. କେତେଟା ପ୍ରଶ୍ନ ଭିତରୁ ତୁମ ଜାତି କଣ?ତୁମେ ବିଶ୍ୱାବସୁଙ୍କ ପାଖରୁ ଆସିଲ କାହିଁକି? ବିଦ୍ୟାପତିଙ୍କୁ ସନ୍ଦେହ ନକରି ଲଳିତା ସହ ବିବାହ ଦେଲାବେଳେ ବିଶ୍ୱାବସୁଙ୍କୁ ରୋକିଲନି କାହିଁକି?ତୁମେ ଦାସିଆ ବାଉରୀଠାରୁ ନଡ଼ିଆ ହାତ ବଢ଼େଇ ନେଲ କେମିତି ? ବନ୍ଧୁ ମହାନ୍ତିଙ୍କୁ ଅନ୍ନଥାଳି ଟେକି ଦେଲ କେମିତି? ଏମିତି ଅନେକ ପ୍ରଶ୍ନ ଭିତରେ ଜଣକୁ ସୁଖ ଜଣକୁ ଦୁଃଖ, ଜଣକୁ ଶାନ୍ତି, ପ୍ରୀତି,ମୈତ୍ରୀ ଦେଲାବେଳେ ଜଣଙ୍କୁ ଦାମ୍ପତ୍ୟ ଜୀବନ ଦେଉନ ତ ଜଣେ ଦାମ୍ପତ୍ୟ ଜୀଵନ ଛାଡିବାକୁ କୋର୍ଟ ପରିସର ଯାଏଁ ଯାଉଛି ଡିଭୋର୍ସ ପେପେର ନେଇ .ଏ ଅବିଚାର କାହିଁକି କରୁଛ?ତୁମେ କଣ ଆତଙ୍କବାଦୀ ନା ସନ୍ତ୍ରାସବାଦୀ!ନହେଲେ କୋଉଠି ଅଧିକା ବର୍ଷା କୋଉଠି ପାଣି ଟୋପେ ମିଳୁନି କାହିଁକି? କୋଉଠି ପୁଣି ଛାଡ଼ପତ୍ର, ପ୍ରତାରଣା ହେଲାବେଳେ କୋଉଠି ସ୍ୱାମୀ ସ୍ତ୍ରୀଙ୍କୁ ଏକା ଦିନ ମାସ ବାର ତଥା ତିଥିରେ ଫେରାଇ ନେଇ କଣ ପ୍ରମାଣ କରିବାକୁ ଚାଁହୁଛ ତୁମେ ଭଗବାନ ହୋଇ ? ପଚାରୁଥିବା ଏଇ ଶେଷ ପ୍ରଶ୍ନରେ ରିଙ୍କୁ ଚିହିଁକି କହିଉଠିଲି କାରଣ ସେ ଓଡିଶାର ଆରାଧ୍ୟ୍ୟ,କାରଣ ସେ ପୁରୀ ସରକାର, କୃପାସିନ୍ଧୁ, ଜଗବନ୍ଧୁ,ତ୍ରାଣକର୍ତ୍ତା, ସୃଷ୍ଟିକର୍ତ୍ତା, ସର୍ବଶକ୍ତିମାନ ବିଶ୍ୱନିୟନ୍ତା.ରିଙ୍କୁଙ୍କ ବଡ଼ପାଟି ଶୁଣି ଧାଇଁ ଆସିଲେ ପୁଅ ବୋହୁ, ଝିଅ ଜୋଇଁ ଓ ଛୋଟ ଛୋଟ ନାତି ନାତୁଣୀ ଦୁହେଁ. ରିଙ୍କୁ ଉଠି ବସି ତାଙ୍କ ସ୍ବପ୍ନ ବୃତ୍ତାନ୍ତ ବଖାଣୁଥିଲେ ତ ପୁଅ କହୁଥିଲା ମାଆ ଶେଷକୁ ତୁ ମଧ୍ୟ ଗୋଟେ ସ୍ପେସିଜ ହୋଇ ବାହାରିଲୁ !ରିଙ୍କୁ ରାଗିପାଚି ପୁଅ ମୁହଁକୁ ଚାହିଁଲା ବେଳକୁ ଛୋଟ ନାତି ନାତୁଣୀ ସ୍ପେସିଜ ସ୍ପେସିଜ କହି ତାଳି ମାରୁଥିଲେ. ରିଙ୍କୁ ଆଖି ମଳିମଳି ଉଠିଲେ.ଆସନ୍ତା କାଲି ତାଙ୍କ ପିତା ମାତାଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ବ୍ରାହ୍ମଣ ଭୋଜନ କରାଇବାକୁ ହେବ ବୋଲି କହୁଥିଲା ବେଳେ ପୁରୁଣା ଗ୍ରୁପ ଫଟଟିକୁ ନୂଆ କରି ବନ୍ଧେଇ କରି ଆଣି ଦେଇଥିଲେ ଜୋଇଁ, ଯୋଉଥିରେ ଜିଟୁ ରିଟୁଙ୍କ ସହ ଅଜା ଆଈ, ମାଆ, ବାପା, ବୋହୁ, ଜୋଇଁ, ନାତି ଓ ନାତୁଣୀ ସହିତ ମାଉସୀ ଓ ମାମୁଁମାନଙ୍କ ଭିତରେ ମଧୁଛନ୍ଦା ମାଉସୀଙ୍କ ହସହସ ମୁଁହଁ ସହ ପରିବାର ସମସ୍ତେ ଥିଲେ ଓ ଥିଲା ଟଙ୍କାଗଛ ବା ମନିପ୍ଳାଣ୍ଟ ଗଛଟା ଲଟେଇ ରହିଥିଲା ଫଟୋଟିର ପଛପଟେ.ରିଟୁ କହୁଥିଲା ମୋ ଆଈ ଙ୍କୁ ମନିପ୍ଲାଣ୍ଟ ବା ଟଙ୍କାଗଛ ଖୁବ ପସନ୍ଦ ଥିଲା ତ ରିଙ୍କୁ ଙ୍କ ପୁଅ ଜିଟୁ କହୁଥିଲା ସମସ୍ତଙ୍କ ଜୀବନ ରେ ଟଙ୍କା ପଇସାର ଅଭାବ ନରହୁ ଭାବି ମୋ ଆଈ ସମସ୍ତଙ୍କୁ ମନିପ୍ଲାଣ୍ଟ ଡ଼ାଳ ବାଣ୍ଟି ଚାଲୁଥିଲେ.ରିଙ୍କୁ କିଛି କହିବାକୁ ଯାଉଥିଲା ବେଳେ ମନେପକାଉଥିଲେ ଶାଶୁ ଅର୍ଥାତ ପିଲାଙ୍କ ଜେଜେମାଆ ଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ପାଖେଇ ଆସୁଛି ଯିଏ ତାଙ୍କ ପିଲାଙ୍କ ଜେଜେଆଇ (ରିଙ୍କୁ ଙ୍କ ଆଈ )ଓ ଆଈ (ରିଙ୍କୁ ଙ୍କ ବୋଉ )ଙ୍କ ପରି ମନିପ୍ଲାଣ୍ଟ ଗଛକୁ ଖୁବ ଭଲପାଆନ୍ତି.
