ଟିକି ଫୁଲ ଫୁଟି ଝରିଗଲା
ଟିକି ଫୁଲ ଫୁଟି ଝରିଗଲା
ତିନି ତିନିଟା ଗାଡି ଲାଗିଗଲା ଘର ଆଗରେ. ତିନିଭଉଣୀ ଓ ତାଙ୍କ ତିନି ସ୍ୱାମୀଙ୍କ ସହ ପିଲାମାନଙ୍କୁ ଦେଖି ଆନନ୍ଦରେ ଅଧୀର ହୋଇ ଉଠିଲେ ପଦ୍ମା. ସମସ୍ତେ କିଛି ପାନୀୟ ଓ ଅଳ୍ପ ଟିଫିନ ଖାଇ ବାହାରି ପଡିଲେ ପୁରୀ. ସତରେ ଭାରି ଆକର୍ଷଣୀୟ ଏଇ ସହରଟି. ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାଙ୍କ ଦର୍ଶନ ସହ ସମୁଦ୍ରକୂଳ ପରିଭ୍ରମଣର ଖୁସି ଭାରି ନିଆରା. ସମସ୍ତେ ତରତର. ଶାଢ଼ୀ ଚୁଡ଼ି ଟିକିଲି ପିନ୍ଧିବାକୁ ସାବିତ୍ରୀଟାରେ ସମୟ ଦେଉନଥାନ୍ତି ପଦ୍ମାଙ୍କୁ. ଦର୍ଶନ ସାରି ଜହ୍ନ ଉଇଁବା ପୂର୍ବରୁ ସମୁଦ୍ର କୂଳରେ ପହଞ୍ଚିବାକୁ ପଡିବ. ଟିକି ଟିକି ଫୁଲ ସବୁ ଟିକି ଆଶା ନେଇ ଆସିଛନ୍ତି ଜହ୍ନ ସହ ସମୁଦ୍ର କୂଳରେ ଫଟୋ ସୁଟ କରିବେ. ଚଞ୍ଚଳ ବାହାରିଲେ ଭଲ ନହେଲେ ଜହ୍ନକୁ ହାତମୁଠାରେ ରଖି ଫୋଟୋ ଉଠାଇବା ସମ୍ଭବ ନୁହେଁ. ସମସ୍ତଙ୍କ ଖୁସିରେ ସାମିଲ ହୋଇ ପଦ୍ମା ଭାବୁଥିଲେ ସେଇ ଝିଅଟି,ଜହ୍ନର କଥା. ଯିଏ ପ୍ରତିଦିନ ତାଙ୍କ ଘର ଆଗପଟେ ଥିବା ଘରର ବାଲକୋନିରେ ବସିରହେ ଓ ଦେଖିଲେ ଫିକ କରି ହସିଦିଏ. ପଦ୍ମା ଙ୍କ ପିଲାମାନେ କିଏ କୁଆଡେ. ଝିଅ ଏଇ ଓଡିଶାରେ ଥିଲେ ବି ସୁଦୂର କୋରାପୁଟରେ ତ ତା ଟିକି ଝିଅ ଡୁଗୁକୁ ଦେଖିବା ଯେତିକି ମୁସ୍କିଲ,ପୁଅ ବୋହୁ ଦିଲ୍ଲୀରେ ରହିଲେ ଛୋଟ ନାତି ବାବାକୁ ନେଇ ଯେ ତାକୁ ମଧ୍ୟ ଦେଖିବା ଅସମ୍ଭବ ତ ବାଲକୋନିରେ ବସିଥିବା ଝିଅଟିକୁ ଦେଖି ମାୟା ଜାଗେ, ମମତା ଆସେ ତ ସେଦିନ ଝିଅଟି କହିଥିଲା ମୋ ଜନ୍ମଦିନକୁ ଆସିବନା ଆମ ଘରକୁ ଆଣ୍ଟି?ହଁ ନିଶ୍ଚୟ. ଅଙ୍କଲଙ୍କୁ ମଧ୍ୟ ଆଣିବ. ଝିଅଟି କହିଥିବା ଦିନରେ ପହଞ୍ଚିଥିଲେ ପଦ୍ମା ସ୍ୱାମୀଙ୍କୁ ନେଇ ସେଇ ଛୋଟ ଝିଅଟିର ଘରେ . ଗହଳି ଚହଳି ନାହିଁ କି ସେମିତି କେହି ବନ୍ଧୁବାନ୍ଧବ ଦିଶୁନାହାଁନ୍ତି ଦେଖି ଝିଅଟି କଥାରେ ବିଶ୍ୱାସ ରଖି ଆସିବା ବୋଧେ ଉଚିତ ହୋଇନି ଭାବି ଡରି ଡରି ଫେରିଆସିବାକୁ ବସିଛନ୍ତି ପଦ୍ମା,ଜହ୍ନ ଚମକେଇ ଦେଲା ଆଉ ଆମ ପାଟିରୁ ବାହାରି ପଡିଲା ହାପି ବାର୍ଥ ଡେ ଡ଼ିଅର ବେବି ଜହ୍ନ. ଝିଅଟିର ନାଆଁ ଜହ୍ନ ହିଁ ଥିଲା ନା.
ମାଆ ତାର ଆସିଲେ. ବ୍ୟସ୍ତ ବିବ୍ରତ ଲାଗୁଥିଲେ. ତାଙ୍କ ବିଷୟରେ ବେଶି କିଛି ନଜାଣି ନଶୁଣି ଜହ୍ନ କଥାରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ସେଠାରେ ଏମିତି ତାଙ୍କ ଝିଅ ଜହ୍ନ କଥାରେ ଓ ତା ଜନ୍ମଦିନରେ ପହଞ୍ଚିଯିବାର ଦୋଷରେ ଦୋଷୀ ଭାବି ଫେରିପଡ଼ୁ ପଡ଼ୁ ଜହ୍ନର ମାଆ କହିଲେ ଚାଲିଯିବେ ଆପଣ!ଜହ୍ନ କଣ ଆରବର୍ଷ ଆଉ ଥିବ ନା ଆପଣ ଆସିବେ! ମାନେ, ଆପଣ ଏମିତି କଣ କହୁଛନ୍ତି!ଝିଅକୁ ହଷ୍ଟେଲ ପଠେଇ ଦେବେ ନା କଣ? ତା ଭବିଷ୍ୟତ ପାଇଁ ଆପଣ ଜହ୍ନକୁ ପଠେଇଦେବେ ସିନା ହେଲେ ମତେ ଭାରି ଖାଲି ଖାଲି ଲାଗିବ ବୋଲି କହିଥିଲେ ପଦ୍ମା . ବାଲକୋନୀକୁ ଆସିହେବନି ଆଉ ଜହ୍ନ ବିନା . ମାଆ ତାର ଲୁହ ପୋଛୁଥିଲେ ପଣତ କାନିରେ ଆଉ ଜହ୍ନ କହୁଥିଲା ହଷ୍ଟେଲ ନୁହେଁ ଆଣ୍ଟି, ଏଥର ମୁଁ ଜହ୍ନ ଦେଶକୁ ଚାଲିଯିବି. ସେଠି ଆମର ଘର ତୋଳା ଚାଲିଛି. ପାଖ ସ୍କୁଲରେ ପଢୁ ପଢୁ ଘର ତୋଳା କାମ ସରିଯିବ ଓ ମୋ ବାପା ମାଆ ମୋ ପାଖକୁ ଚାଲିଯିବେ. ଏଇ ଦେଖୁନାହାଁନ୍ତି ଜହ୍ନରେ ଯୋଉ କଳାଚିହ୍ନ, ସେଇଠି ଆମ ଘର ଓ ସ୍କୁଲ, ଆହୁରି ଅନେକ ଲୋକଙ୍କ ଘର ଓ ହସ୍ପିଟାଲ, ବଗିଚା, ପ୍ରପାତ, ଝରଣା, ନଦୀ ଅଛି. ସବୁ ମିଶି ଏମିତି ଦୁରକୁ କଳାଚି଼ହ୍ନ ଭଳି ଦେଖାଯାଉଛି. କିଛି ବୁଝା ପଡୁନଥିଲା ଜହ୍ନ ଓ ତା ମାଆଙ୍କ କଥା ତ ଏ ଭିତରେ ଜହ୍ନ ପଦ୍ମା ନେଇଥିବା ପୋଷାକ ପିନ୍ଧି ଖୁବ ସୁନ୍ଦର ଦେଖାଯାଉଥିଲା. ତା ବାପା ଜହ୍ନ ଅନୁପସ୍ଥିତିର ସୁଯୋଗ ନେଇ କହିଥିଲେ ଜହ୍ନର ଏଇଟା କ୍ୟାନ୍ସରର ଚତୁର୍ଥ ଷ୍ଟେଜ. ଆମ ମୁଁହଁରୁ ଶବ୍ଦ ତ ଶବ୍ଦ, ଆଖିରୁ ଲୁହ ବି ବାହାରୁ ନଥିଲା. ଏବେ ସମୁଦ୍ରକୂଳରେ ଉଇଁ ଆସୁଥିବା କଅଁଳ ଜହ୍ନକୁ ହାତମୁଠାରେ ଧରି ଫୋଟୋ ଉଠାଉଥିବା ଭାଇ ଭଉଣୀ ଓ ତାଙ୍କ ପିଲାମାନଙ୍କ ଖୁସି ଦେଖି ଏତେ ଲୁହ ବାହାରୁଥିଲା ପଦ୍ମାଙ୍କର ଯେ ସତେ ଯେମିତି ଜହ୍ନ ଖିଲିଖିଲି ହସି କହୁଥିଲା କେଵେ ଆସିବ ଆଣ୍ଟି, ଆମ ଜହ୍ନ ଦେଶରେ ଥିବା ଘରକୁ?ଯିବି ମାଆ.ଖୁବ ଶୀଘ୍ର ଯିବି. ସମସ୍ତେ ବୁଲି ଚାହିଁ ପଦ୍ମାକୁ କହୁଥିଲେ କୁଆଡେ ଯିବୁ?କାହାକୁ କଣ କହୁଛୁ!ନାଇଁ ସେଇ ଜହ୍ନରେ ଥିବା କଳାଚି଼ହ୍ନ ଭିତରେ ଥିବା ସାବିତ୍ରୀ ଦେବୀଙ୍କ କଥା ଭାବୁଥିଲି କହୁଥିଲେ ପଦ୍ମା ତ ସମସ୍ତେ ଖିଲଖିଲ ହସୁଥିଲେ ହାତମୁଠାରେ ନିଜ ନିଜ ଫଟୋରେ ଜହ୍ନକୁ ରଖି ଓ ଦେଖି.
ସାନ ଭଉଣୀ ପାଖକୁ ଲାଗି ଆସିଲା କହିଲା ତୁ ଯାହା କଥା ଭାବି ଜହ୍ନକୁ ହାତମୁଠାରେ ଧରି ଫୋଟୋ ସୁଟରେ ଭାଗ ନରିପାରୁନୁ ମୁଁ ବି ସେଇ ଜହ୍ନ କଥା ଭାବୁଛି ପଦ୍ମା ଅପା. ଚମକି ପଡିଲେ ପଦ୍ମା. ପଚାରିବସିଲେ କାହା କଥା କହୁଛୁ ତୁ ଟିନା. ତୁ ଯାହା କଥା ଭାବୁଛୁ. ଯିଏ ଏଇ ସାବିତ୍ରୀ ଅମାବାସ୍ୟା ଦିନ ତା ମାଆ ବାପାଙ୍କୁ ଛାଡି ଚାଲିଯାଇଥିଲା ଜହ୍ନଦେଶକୁ ବୋଲି ତାକୁ ବୁଝାଇ ଦିଆଯାଇଥିଲା. ତୁ ତାକୁ କେମିତି ଜାଣିଲୁ ଟିନା!ତା ମାଆ ମୋ କଲିକ ନା. ସେଇ ଦିନଠୁ ସେ ସାବିତ୍ରୀ ପୂଜା କରୁନି. କେତେ କଷ୍ଟରେ ବିବାହର ବାର ବର୍ଷ ପରେ ତାର ସେଇ ଏକମାତ୍ର କନ୍ୟା ଜହ୍ନ ଜନ୍ମ ହୋଇଥିଲା ସାବିତ୍ରୀ ଅମାବାସ୍ୟାରେ ଓ ଫେରିଗଲା ମଧ୍ୟ ଠିକ ସେଇଦିନରେ. ତାକୁ ବୁଝେଇ ଦିଆଯାଇଥିଲା ତୁ ଆଗେ ଆଗେ ଯାଇ ଜହ୍ନ ଦେଶରେ ଥାଆ ଆମେ ତୋ ପଛେ ପଛେ ଯାଉଛୁ. ହେଲେ ଏ ଦୁନିଆଁରେ କିଏ କଣ କାହା ପଛରେ ଗଲାଣି!ସେମାନେ ଏବେ କୋଉଠି କହିପାରିବୁ ଟିନା? ନା ସେ ବଦଳି ହୋଇ ଆମ ଅଫିସରୁ ଚାଲିଯିବା ପରେ ଏଇ ସାବିତ୍ରୀ ଦିନ ଜହ୍ନ ଓ ଜହ୍ନର ମାଆ ଓ ବାପାଙ୍କ କଥା ଖୁବ ମନେପଡେ ମୋର. ଏଇ ସମୟରେ ପଦ୍ମା ଦେଖିଲେ ଟିକେ ଦୂରରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଜହ୍ନକୁ ହାତମୁଠାରେ ରଖି ଫଟୋ ଉଠାଉଛନ୍ତି. ତାଙ୍କୁ ଦେଖି ସାନଭଉଣୀ ଏକରକମ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲା ଭଳି ଠେକୁଆ ପରି ଖେପା ମାରି ତାଙ୍କ ପାଖରେ ପହଁଞ୍ଚି ଗଲା ଓ ପଛେ ପଛେ କଇଁଚ ପରି ପଦ୍ମା. ସେ ଦୁହେଁ ଜହ୍ନର ପିତା ମାତା ଥିଲେ ଓ କହୁଥିଲେ ଏଇ ଗୋଟିଏ ଦିନ ଆମେ ପୁରୀ ସମୁଦ୍ର କୂଳ ଆସି ଜହ୍ନକୁ ହାତମୁଠାରେ ଧରି ରଖିବାର ସୌଭାଗ୍ୟ ଟିକକ ହାତଛଡା ନକରି ବଞ୍ଚିଯାଇଛୁ.ପଦ୍ମାଙ୍କର ପିଛିଲା ବର୍ଷ ସାବିତ୍ରୀ ଦିନ ସକାଳୁ ସକାଳୁ ହକରର ଡାକିବା ମନେପଡୁଥିଲା. ସେଦିନ ହକର ଭାଇ ପେପର ବିକୁ ବିକୁ ଡାକୁଥିଲେ ବଡ଼ ପାଟିରେ ଖବରଟିର ଶିରୋନାମା ପଢିକି ଏମିତି ଯେ ବଞ୍ଚିବାର ସାହାରା ଜହ୍ନ ଗଲା ଜହ୍ନଦେଶକୁ.ସେତେବେଳକୁ ସମସ୍ତଙ୍କ ଭିତରେ ଟିକି ଫୁଲ ଜହ୍ନ ଖସିପଡୁଥିଲା ଟିକି ଆଶାଟିଏ ହୋଇ ତ ପଦ୍ମା ମଧ୍ୟ ରାଜି ହୋଇଯାଇଥିଲେ ଜହ୍ନକୁ ହାତମୁଠାରେ ରଖି ଫୋଟୋଟିଏ ଉଠାଇବାକୁ ହେଲେ ପଛରୁ ଆଣ୍ଟି ଡାକି କିଏ ଖିଲଖିଲ ହସି ଚାଲିଥିଲା ବୁଲି ଚାହିଁବାକୁ ସାହସ ନଥିଲା ପଦ୍ମାଙ୍କର.
,,,,,,,,,,,,,,,,,,,,,
