STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଛୋଟ ପକ୍ଷୀବସା

ଛୋଟ ପକ୍ଷୀବସା

2 mins
0

ମେଘ ଆସୁ କି ଆସୁ କି ଝଡ଼ ତୋଫାନ ଅବା କାଳ ବୈଶାଖି, ବାଇ ଚଢେଇର କି ଯାଏ... ବାଆ କଲେ ବସା ଦୋହଲୁଥାଏ. ସେଦିନ କିନ୍ତୁ କୋରାପୁଟର ସୁନାବେଡା ହାଲ ଟାଉନସିପ ର ଏକ ନିର୍ଦ୍ଦିଷ୍ଟ କ୍ଵାଟରରୁ ଆଜକୁ ଠିକ ମାସକ ତଳେ, ସାବିତ୍ରୀ ଅମାବାସ୍ୟା ଦିନ ଟିକି ନାତୁଣୀ ଡୁଗୁ ଫୋନରେ ଗୁଲୁଗୁଲୁ କରି ଆଈଙ୍କୁ କହୁଥାଏ ବର୍ଷାର ବେହାଲ ହେବା କଥା. କୁଆପଥର ଟପ ଟପ ଖସୁଛି ତା ସାଥିରେ ଆମ୍ବ ଗୁଡିକ ଝଡି ଗଦା ହୋଇ ପଡୁଛି ଆଉ କ୍ଵାଟରଟିର ସମ୍ପ୍ରସାରଣ କରାଯାଇଥିବା ଆଜବେସଟସ ଛାତ କଣା ହୋଇଯାଉଛି. ଏପଟୁ ସେଦିନ ଆଈ କହୁଥିଲେ ମୁଁ ଅଖଣ୍ଡ ଦୀପ ଜାଳୁଛି ଡୁଗୁ.. କିଛି ହେବନି... ତୁ ଡର ନାହିଁ... ତୋ ମାମା ସଙ୍ଗେ ସାବିତ୍ରୀ ଭୋଗ ଖାଇବୁ ଯାଆ. ଏତିକି କହି ଆଈ ପୁଣି କହିଥିଲେ ବାଇଆ ବସା... ରକ୍ଷା କରିବାକୁ ଠାକୁର ଭରସା. ଟିକି ଝିଅ ଡୁଗୁ ସିନା ତୁନି ପଡ଼ିଥିଲା ହେଲେ ଆଈ ଅଜାଙ୍କୁ ବସେଇ ଉଠେଇ ଦେଇନଥିଲେ ସୁନାବେଡା ଯିବାପାଇଁ.ଝିଅ ତାଙ୍କର ଦ୍ୱିତୀୟ ସନ୍ତାନର ମାଆ ହେବାକୁ ଯାଉଛି ପୁଣି ଶାଶୁ ଶଶୁର ତା'ର ତାଙ୍କ ଗାଁକୁ ଯାଇଛନ୍ତି ତ ଏତିକି ବେଳେ ଗଲେ କିଛି ନହେଲେ ମାନସିକ ଶାନ୍ତି ଓ ବଳ ତ ଲୋଟେଇ ପାରିବେ ଯାହାକୁ ଝିଅ ଗୋଟେଇ ନେଉ କି ନନେଉ ନାତୁଣୀ ଡୁଗୁ ନିଶ୍ଚୟ ଗୋଟେଇ ନେବ.
     ନାତୁଣୀ ଖୁବ ଖୁସି ହୋଇଥିଲା ଅଜା ଆଈଙ୍କ ଆଗମନରେ. ନେଇଥିବା ଖେଳନା ରେ ନଖେଳି ଡୁଗୁ ଖେଳୁଥିଲା ଶାଢ଼ୀ ଘରେ. ପ୍ଲାଷ୍ଟିକ ଚେୟାର କୁ ଚେୟାର ଯୋଡି ତା ଉପରେ ଶାଢ଼ୀ ଘୋଡେଇ ଓ ଆଧୁନିକ ଡିଜାଇନ ପୂର୍ଣ୍ଣ ଛୋଟ ବଡ଼ ତକିଆ ସାଙ୍ଗକୁ କାଗଜ କାର୍ଟୁନ ସବୁ ସଜାଡି, ବେଡ଼ସିଟ ଘୋଡେଇ ତା ଭିତରେ ଶୋଇଯାଉଥିଲା ନାତୁଣୀ ଡୁଗୁ ଓ ଡାକୁଥିଲା ଅଜା ଆସ ଏଠି ଶୋଇବ ତଥା ଆଈ ଆସ ଏଠି ବସିବ. ତା ଖେଳ ଦେଖି ପିଲାଦିନ ମନେପଡୁଥିଲା. ସେଇ କଙ୍କି ଓ ପ୍ରଜାପତି ଧରା ଦିନ ଓ ସୁନାଝରା ସ୍ବପ୍ନ ଦେଖିବା ଦିନର କଥା ସବୁ. ଡୁଗୁର ଖେଳ ଭିତରେ ମଧ୍ୟ ଅନେକ ନିର୍ଜୀଵ ପଦାର୍ଥ ସଙ୍ଗେ ସଜୀଵ ସାଧବବୋହୁ ସାମିଲ ଥିଲା. ଯାହା ଦର୍ଶାଇ ଦେଉଥିଲା ପୁଣି ସେଇ ପିଲାଦିନର ପୁନରାବୃତ୍ତି. ଦିଆସିଲି ଖୋଳ ଭିତରେ ସିନ୍ଦୁର ଭରି ସାଧବବୋହୁ ଟିଏ ଚାଲୁଥିଲା ଡଗଡ଼ଗ. ଆଜିକାଲି ଆମ ଉପକୂଳବର୍ତ୍ତୀ ପୂର୍ବ ଓଡିଶା ପଟେ ବର୍ଷା ଋତୁ ଆସି ଚାଲିଯାଏ ପଛେ ସାଧବ ବୋହୁଟିଏ ଦେଖିବା ସ୍ବପ୍ନ ହୋଇପଡୁଥିଲା ବେଳେ ନାତୁଣୀର ଦିଆସିଲି ଖୋଳରେ ସିନ୍ଦୁର ଭରି ନାଲିଗୁଲୁଗୁଲୁ ସାଧବ ବୋହୁ ରଖିବା ଆଈଙ୍କ ସହ ଅଜାଙ୍କୁ ମଧ୍ୟ ଖୁବ ଆନନ୍ଦ ଦେଉଥିଲା. ସମସ୍ତେ ପିଲାଦିନକୁ ଫେରିପଡୁଥିଲା ବେଳେ ଡୁଗୁ ହାତରୁ ଖସିପଡ଼ିଥିଲା ଟିକି ଚଢ଼େଇ ବସାଟିଏ.ସେଇଟିକୁ ଉଠେଇନେଇ ଆଈ, ଅଜାଙ୍କୁ କହୁଥିଲେ ଦେଖିଲ ଦେଖିଲ ବାୟା ବସା, ଛୋଟ ସଂସାର ଗଢ଼ିଥିବା ଚଢ଼େଇର କାରିଗରି କେଡେ ସୁନ୍ଦର!ଡୁଗୁର ମାମା ତଥା ଆଈ ଅଜାଙ୍କ ଝିଅ ରିଟୁର ଠିକ ସେତିକି ବେଳକୁ ପ୍ରସବ କଷ୍ଟ ଆସି ହସ୍ପିଟାଲ ଯାଉଥିଲା ଓ ଦୁଇଘଣ୍ଟା ଭିତରେ ଖବର ପହଞ୍ଚିଥିଲା ପୁଅଟିଏ ହୋଇଛି ତ ପୁଅ କଢେଇ ଝିଅ ଡୁଗୁକୁ ଆଈ କେତେ ଗେଲ କରିପକାଉଥିଲେ ତ ଡୁଗୁ କହୁଥିଲା ଆରେ ଆଈ ଛାଡନା ମତେ ମୁଁ ଟିକି ବେବି ଦେଖିବାକୁ ଯିବି. ଆଈ ଫେରିବା ଦିନ ଝିଅକୁ ସାନ୍ତ୍ୱନା ଦେଇ କହୁଥିଲେ ବାଇଆ ବସା, ଛୋଟ ସଂସାରରେ ସିନ୍ଦୁର ନାଇ, ଆୟୁଷ, ଆଶିଷ, ନିରୋଗ ରହି ତୋ ଛୋଟ ସଂସାର ଗଢେ ଝିଅ. ଘରେ ପହଁଞ୍ଚି ଦେଖିଥିଲେ ନାତୁଣୀ ଡୁଗୁ କେତେବେଳେ ସେଇ ଛୋଟ ଚଢ଼େଇ ବସାଟି ତାଙ୍କ ବ୍ୟାଗ ଭିତରେ ରଖିଦେଇଛି.ଡୁଗୁକୁ ଫୋନ୍ କଲେ ହିନ୍ଦି ଓଡ଼ିଆ ମିଶା ଗୁଲୁଗୁଲୁ କରି କହୁଥିଲା ମୋର ୟାଦ ଆସିଲେ ସେଇ ପକ୍ଷୀବସା ଦେଖିନେବ ଆଈ, ଅଜାଙ୍କୁ ମଧ୍ୟ ଦେଖେଇଦେବ. ଆଈ କହୁଥିଲେ ହଁ ହଁ ବାଇଆ ବସା ପରି ଛୋଟ ସଂସାରରେ ଭଲରେ ଥାଅ ସମସ୍ତେ. ସେପଟୁ ନାତୁଣୀ ଡୁଗୁ ହସୁଥିଲା ଖିଲିଖିଲି.ଏପଟେ ମୌସୁମୀ ମେଘ ଡାକୁଥିଲା ରହି ରହି.



Rate this content
Log in