STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ବନ୍ଦ ଝରକା

ବନ୍ଦ ଝରକା

7 mins
0

ଝରକା ଦେଇ ବାହାରକୁ ଚାହିଁଥିଲା ମିନୁ. ତାଙ୍କ ଝରକା ସେପଟେ ବଜାର. ତାରି ବୟସର ଓ ତା ଠାରୁ ବଡ଼ ଓ ସାନ ବୟସର ପୁଅ ଝିଅ ସବୁ ତାଙ୍କ ବାପା ବା ମାମୁଁ ହାତ ଧରି ବଜାର ଆସି ନିଜ ପସନ୍ଦର ଡ୍ରେସ, ଜୋତା, ଫୁଲ, ଓ ପ୍ରଥମାଷ୍ଟମୀ ପୂଜା ଉପକରଣ କିଣି ନେଉଛନ୍ତି ହେଲେ ତାର ମାମୁଁ ନାଁହାଁନ୍ତି ଆଉ ବାପା ଦାଦନ ଯାଇଛନ୍ତି. ମାଆ ତାକୁ ଯେତେ ବୁଝାଇ କହିଲେ ମଧ୍ୟ ସେ ଜାଣେ ସବୁଥର ପରି ବାପା ଆସିବେ କହି ମାଆ ତାକୁ ମିଛ କହୁଛି. ସ୍କୁଲରେ ସାର ପ୍ରଥମାଷ୍ଟମୀ ବିଷୟରେ କହୁଥିଲେ କି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି କୁ ପ୍ରଥମାଷ୍ଟମୀ କୁହାଯାଏ. ସାରା ଓଡିଶାରେ ଏହି ଦିନ ଘର ପରିବାରର ବଡ଼ ପୁଅ ବା ବଡ଼ ଝିଅର ବିଶେଷ ଆଦର କରାଯାଏ. ପ୍ରଥମ ସନ୍ତାନକୁ ସ୍ନାନ କରାଇ, ନବବସ୍ତ୍ର ପରିଧାନ କରାଇ ଓ ଚନ୍ଦନ ସିନ୍ଦୁର ଲଗାଇ ବନ୍ଦାପନା କରାଯାଏ. ମାଆମାନେ ରାତି ନପାହୁଣୁ ଏଣ୍ଡୁରି ପିଠା ପ୍ରସ୍ତୁତ କରନ୍ତି. ଗୃହର ବଡ଼ ପୁଅ ବା ଝିଅ ପୋଢୁନ୍ହା ବା ଦ୍ୱିତୀୟ ପୁଅ କିମ୍ବା ଝିଅ ଦୋନ୍ହା ଙ୍କ ଆୟୁ ବୃଦ୍ଧି ତଥା ଆଶିଷ ଲାଭ ଓ ସୁସ୍ଥ ନିରାମୟ ଜୀବନ ପାଇଁ ଷଷ୍ଠୀ ଦେବୀ ଓ ଇଷ୍ଟ ଦେବୀ ତଥା ସ୍ଥଳ ବିଶେଷ ରେ ମାଆ ମହାଲକ୍ଷ୍ମୀ ଙ୍କୁ ପୂଜା କରାଯାଏ. ଏହି ଦିନ ଘରର ଜ୍ୟେଷ୍ଠ ପୁତ୍ର ଓ କନ୍ୟାଙ୍କୁ ଏଭଳି ମାନ୍ୟତା ଦେବା ପୃଥିବୀର ଅନ୍ୟ କୌଣସି ସଂସ୍କୃତିରେ ଦେଖାଯାଏ ନାହିଁ. ନୂତନ କରି ନୂଆ ଚାଉଳରେ ଏଣ୍ଡୁରି, କାକେରା, କ୍ଷୀରି, ଖେଚେଡ଼ି ଆଦି କରାଯାଇ ମାଆ ଲଷ୍ମୀଙ୍କୁ ଭୋଗ ଲଗାଯାଏ. ମାଆ ମହାଲକ୍ଷ୍ମୀ ଏହି ଦିନ ବାପ ଘରକୁ ପୋଢୁହାଁ ହେବାକୁ ଯାଇଥାନ୍ତିର ବିଶ୍ୱାସ ରହିଛି. ଜାତି ଧର୍ମ ନିର୍ବିଶେଷ ରେ ଏହି ପର୍ବ ଓଡିଶାର ଘରେ ଘରେ ଆଦୃତି ଲାଭ କରିଆସିଛି. ଜ୍ୟେଷ୍ଠ ସନ୍ତାନମାନଙ୍କର ଆୟୁ ବୃଦ୍ଧି, ସମୃଦ୍ଧି ଓ ଉର୍ନ୍ନତି ତଥା ଯଶ କ୍ଷାତି ପାଇଁ ଏଭଳି ପର୍ବ ପ୍ରଥମାଷ୍ଟମୀ ପାଳନ ଆମ ସଂସ୍କୃତିରେ ବିରଳ ଯେତିକି ଗୁରୁଦାଇତ୍ୱ ବହନ କରେ ସେତିକି.ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାଙ୍କୁ ନବବସ୍ତ୍ର ପିନ୍ଧେଇ ପୂଜାର୍ଚ୍ଚନା କରାଯାଏ.ଏହାର ଅନ୍ୟନାମ ପୋଢହାଁ ଅଷ୍ଟମୀ ତଥା ସୌଭାଗିନୀ ଅଷ୍ଟମୀ ବୋଲି କୁହାଯାଏ. ଆମ ରାଜ୍ୟ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକଭାଇମାନେ ଭଲ ଫସଲ ଉତ୍ପାଦନ ପାଇଁ ଦେବୀ ସୌଭାଗିନୀ ଙ୍କୁ ଜୁହାର ହୋଇ ଧନ୍ୟବାଦ ସହିତ ପ୍ରଣାମ କରିଥାନ୍ତି. ଏହି ଅଷ୍ଟମୀକୁ କାଳଭୈରବ ଅଷ୍ଟମୀ ଓ ପାପନାଶିନୀ ଅଷ୍ଟମୀ ମଧ୍ୟ କହିଥାଆନ୍ତି. ମାମୁଁ ଘରୁ ଜ୍ୟେଷ୍ଠ ସନ୍ତାନ ପାଇଁ ନବବସ୍ତ୍ର ଓ ପୂଜା ଉପକରଣମାନ ପ୍ରଥା ତଥା ଵିଧି ଅନୁଯାଇ ଆସିଥାଏ. ଏଥିପାଇଁ ମାମୁଁମାନଙ୍କୁ ଅଷ୍ଟମୀ ବନ୍ଧୁ ବା ଅଷ୍ଟମୀ କୁଣିଆ କୁହାଯାଏ. ଜ୍ୟେଷ୍ଠ ପୁଅ ବା ଝିଅ ବାହା ହୋଇ ସନ୍ତାନ ହେବା ପ୍ରଯ୍ୟନ୍ତ ମାମୁଁଘରୁ ପ୍ରଥମାଷ୍ଟମୀ ଭାର ଯାଇଥାଏ.  ମଣିଷର ବ୍ୟସ୍ତ ବହୁଳ ଜୀବନରେ ଏହି ପ୍ରଥମାଷ୍ଟମୀ ପାଳନ ଯେତିକି ସୁଖ ଦେଇଥାଏ, ଏହା ପରେ ପରେ ମାର୍ଗଶୀର ମାସର ଯେତକ ଗୁରୁବାର ପଡେ ମହା ନୈତିକତାର ସହ ଲଷ୍ମୀ ମାଙ୍କୁ ପୂଜା କରି ଘରର ସୁଖ ସମୃଦ୍ଧି ବୃଦ୍ଧି ର ବିଶ୍ୱାସ ମନକୁ ସେତିକି ଶାନ୍ତି ପ୍ରଦାନ କରିଥାଏ.     ସାର ଏତେ ସବୁ କଥା କହୁଥିଲା ବେଳେ ମିନୁ ଆଖିରୁ ଧାର ଧାର ଲୁହ ବହି ଯାଉଥିବା ଦେଖି ସାର ତା ପିଠି ଆଉଁସି କାରଣ ପଚାରିବାରୁ ସେ ସବୁ ସତ କହିଥିଲା ଯେ ତାର ମାମୁଁ ନାଁହାଁନ୍ତି ଆଉ ବାପା ଦାଦନକୁ ଯାଇ ଫେରିନାଁହାନ୍ତି. ସାର କାନ୍ଦିପକେଇ କହିଥିଲେ ତୁ ମନ ଦୁଃଖ କରନା ମିନୁ. ଆଜିଠୁ ମୁଁ ତୋର ମାମୁଁ ଏତେ ଦୁଃଖ ଭିତରେ ହସି ଦେଇଥିଲା ମିନୁ.ରଙ୍ଗହୀନ ଦେହରେ ତାର ପ୍ରଜାପତିର ଡେଣା ଲାଗିଯାଇଥିଲା.ସତରେ କଣ ସାର ତାର ମାମୁଁ ହୋଇପାରିବେ. ଭାବୁ ଭାବୁ ଝରକା ପଟେ ମିନୁ ଦେଖିଲା ସାର ତାଙ୍କ ଘରକୁ ଆସୁଛନ୍ତି. କେତେ ସୁନ୍ଦର ଡ୍ରେସ, ଜୋତା, ଛତା, ପାଣିବୋତଲ ଆଣି ଆସି ତା ମାଆଙ୍କୁ ପିଠା ଦିଅନ୍ତୁ ବୋଲି ମାଗୁଛନ୍ତି ଏବଂ କାନ୍ଦି କାନ୍ଦି ମୋର ମାଆ ନାଁହାଁନ୍ତି ମତେ ବନ୍ଦେଇବା ପାଇଁ କହିବାରୁ ମାଆ ଖୁବ ଆଗ୍ରହରେ ସାର ଙ୍କ ସହ ମିନୁ ମୁଣ୍ଡରେ ଦୁବ, ଅରୁଆ ଚାଉଳ, ଫୁଲ ପକେଇ ହଳଦୀ ପତ୍ର ରେ ତିଆରି ଏଣ୍ଡୁରି ଭୋଗ କରି ଖାଇବାକୁ ଦେଇଥିଲା. ସାର ଆସିଥିବାରୁ ଓ ତା ପାଇଁ ଏତେକଥା ଆଣିଥିବାରୁ ମିନୁ ଆଉ ବନ୍ଦେଇ ହେବାକୁ ମନା କରିନଥିଲା. ସାର କହିଥିଲେ ସମସ୍ତଙ୍କ ଭାଗ୍ୟରେ ସବୁ ସୁଖ ନଥାଏ ମିନୁ. କିନ୍ତୁ ତୁମର ମାଆ ଅଛନ୍ତି ମୋର ସେତିକି ସୁଖ ନାହିଁ. ତେଣୁ ମନଦୁଃଖ ନକରି, ଶରୀରକୁ ସତେଜ ଓ ସୁନ୍ଦର ରଖିବାକୁ ହେଲେ ମନ ଭଲ ରଖିବାକୁ ପଡିବ ମିନୁ କହି ସାର ପୁଣି କହୁଥିଲେ ଭଗବାନ ଯେତିକି ଦେଇଛନ୍ତି ସେତିକିରେ ଖୁସି ହୁଅ. ଏହା କହି ସାର ତାକୁ ତାଙ୍କ ବାଡି ପଟେ ଥିବା ଗଛ ସବୁକୁ ଦେଖାଇ କହିଥିଲେ. ଗଛ ତୁମକୁ ଫୁଲ, ଫଳ, ଛାଇ, କାଠ ଇତ୍ୟାଦି ଅନେକ କଥା ଦେଇଛି ମିନୁ. ତେଣୁ ସେହି ତୁମ ମାମୁଁ. ଆଜିଠୁ ମାମୁଁ ନାଁହାଁନ୍ତି ବୋଲି ମନ ଦୁଃଖ କରିବନି ବରଂ ଭଲ ପାଠ ପଢିଲେ ଓ ବାପା ଫେରିଲେ ଖୁବ ଖୁସି ହେବେ. ସତକୁ ସତ ମିନୁ ସେଇଦିନଠୁ ମନ ଲଗାଇ ପାଠ ପଢି ସ୍କୁଲର ନାମ ରଖିଲା ବେଳେ ବାପା ଫେରି ଆସିଥିଲେ. ଏବେ ଗଛ ଲଗାଇ ନିଜ ଗାଁରେ ରହି ଫୁଲ ବିକ୍ରୀ କରି ଭଲରେ ଚଳୁଥିଲେ. ମିନୁ ଖୁବ ଖୁସି. ଗଛମାମୁଁଙ୍କୁ ପ୍ରତିଦିନ ସକାଳେ ମୁଣ୍ଡିଆ ମାରୁ ମାରୁ ମିନୁ ଉଚ୍ଚ ଶିକ୍ଷା ପାଇଁ କଲେଜ ଗଲାଣି ଏବେ.   ଯୋଉ ଗାଁରେ ବାହାହେଲା ମିନୁ ସେଇ ଗାଁଟିରେ ଏବେ ସହର ପରି କଂକ୍ରିଟ ଘର.ଘରେ ତ ଅନେକ ଝରକା. ନହେଲେ ଆଲୋକ ଯିବା ଆସିବା, ବାୟୁ ଚଳାଚଳ ହେବ କେମିତି କିନ୍ତୁ ଆଜିକାଲିକା କମ୍ପାକ୍ଟ ଘରର ଝରକା କୋଉ ଖୋଲି ହୁଏ!ସେପଟେ ପରା ଇଞ୍ଚେ ବି ଜାଗା ନାହିଁ ଝରକା ଖୋଲିବାକୁ ଆଉ ଏପଟକୁ ମାନେ ଘର ଭିତରକୁ ଝରକା ଖୋଲିଲେ ତାଙ୍କର ମାନେ ଡାହାଣ ଓ ବାମ ପଟର ପଡୋଶୀ ଯଦି ସେଇ ସିଧା ବା ଟିକେ ତୀର୍ଯ୍ୟକ ଝରକା ଖୋଲି ତା ଘର ପଟକୁ କବାଟ ଆଉଜେଇ ବା ଖୋଲା ରଖିଥାଏ ତ କଥା ସଇଲା.ଏପଟର ସୋରିଷ ଫୁଟଣ ସେପଟକୁ ବାସିବ ଓ ପ୍ରସରି ଯିବ ସାରା ଗାଁକୁ.ପୁଣି ଗାଁରୁ ସହରକୁ.ଖାଲି କଣ ସେତିକି ଦି ପଟର ପଡୋଶୀଙ୍କର ଯଦି ବଢିଲା ପୁଅ ଝିଅ ଅଛନ୍ତି ତ କଥା ସରିଲା ଜାଣ.ପୁଅ ପଟ ଘରେ ନିଶ୍ଚୟ ନବଗ୍ରହକୂଟ କପଟ ଗୋଟି ଚାଳନା କରିବେ ଏମିତି ତ ସେପଟ ପଡୋଶୀର ଝିଅ ଏପଟକୁ ବୋହୁ ହୋଇ ଆସିବ ନହେଲେ ତ କୋର୍ଟ କଚେରୀ ମାମଲା ଲାଗିରହି ଜୀଵନ ବରବାଦ ହେଲା ଜାଣ. ଏତିକି କଣ! ଆହୁରି କେତେ କଥାର ପୁଣି କେତେ ନଥା ଅଛି. ତେଣୁ ଝରକା ଆଜି ଘରେ ଗୋଟେ ଦିଟା ବା କାଁ ଭାଁ ଦେଖିବାକୁ ମିଳୁଥିବା ବେଳେ ମନଝରକା କିନ୍ତୁ ଖୋଲା. ଖାଲି କବି କି ଲେଖକଙ୍କ ପାଇଁ ନୁହେଁ ସାଧାରଣ ମଣିଷ ସଭିଏଁ ଏ ଝରକା ଦେଇ ଦେଖନ୍ତି. କଣ!ଏଇ ସ୍ମୃତି, ପ୍ରେମ,ପ୍ରଣୟ, ବିରହ, ପ୍ରତାରଣା ସବୁକିଛି.ମିନୁ କିନ୍ତୁ ଦେଖେ ତା ପିଲାଦିନ.ସତରେ ସେ ଯାହା ଶୁଣିଛି ତା ବୋଉ ବି କାଳେ ଏଇ ପ୍ରେମର ଶୀକାର ହୋଇ ବାପାଙ୍କ ଘରଣୀ ସାଜିବା ପରେ ତା ନିଜ ଘର ତାର ପଡୋଶୀ ତ ପଡୋଶୀ ଏକଦମ ବାସନ୍ଦ ହୋଇଗଲା. ଜାତିର ବ୍ୟତିକ୍ରମ ଯୋଗୁଁ ସେମାନେ ଝିଅକୁ ଶୁଦ୍ଧି ହୋଇପଡିଲେ ଆଉ ବୋଉ!ଜୀଵନ ଯୁଦ୍ଧରେ କୋଉପଟର ହୋଇନପାରି ବିଚାରୀ ବାପାଙ୍କ ଅଭାବୀ ସଂସାରରେ ସ୍ୱାର୍ଥ ଓ ସର୍ତ୍ତ ତ୍ୟାଗ କରି ରୋଗୀଣା ହୋଇଗଲା ବେଳେ କହେ କେବଳ ଗୋଟିଏ କଥା ଯେ ମୋ ପାଇଁ ମୋ ବୋଉ ନାଲି ପାଟ କିଣି ରଖିଥିଲା କିନ୍ତୁ ତାକୁ ପିନ୍ଧିବା ମୋ ଭାଗ୍ୟରେ ନାହିଁ. ସେପଟ ପଡୋଶୀ ହୋଇ ରହିଥିବା ଅଜା ଆଈ ଡାକି ପାରୁନଥିବା ବୁଢା ବୁଢ଼ୀ ଦିଟା ବାହୁଡ଼ି ଗଲା ଦିନ ବୋଉ ଢେର କାନ୍ଦିଥିଲା ଓ ତା ଚେହେରାର ରଙ୍ଗ ଉଡିଯାଇଥିଲା.ଏପଟେ ବୋଉକୁ ତା ଶାଶୁ ଶଶୁର ଉଲୁଗୁଣା ଦେଲେ ବି ସେ ସହିଯାଉଥିଲା ସବୁ କିଛି. ଗାଁରେ ବର୍ଷକୁ ଥରେ ଯୋଉ ଦୋଳ ମେଳଣ ବସେ ବାପା ବୋଉକୁ ନେଇ ବୁଲିବାକୁ ଗଲାବେଳେ ବୋଉ ସମ୍ବଲପୁରୀ ଷ୍ଟଲରେ ପଡ଼ିଥିବା ନାଲି ପାଟ ଆଡକୁ ଚାହିଁ ରହେ କିନ୍ତୁ କିଣି ଆଣେ ନିଜ ଶାଶୁ ଶଶୁରଙ୍କ ମନ ପସନ୍ଦର ଶାଢ଼ୀ ଓ ସମ୍ବଲପୁରୀ ଧୋତି. ସରକାରୀ ଚାକିରୀ କରିନଥିଲେ ବରଂ ଥରକୁ ଥର ଦାଦନ ଯିବା ପରେ ଘର ପାଖ ବାଡ଼ିରେ ଫୁଲ ଚାଷ ଓ କଦଳୀ ଚାଷ କରି ଯେତିକି ରୋଜଗାର ହେଉଥିଲା ସେତିକିରେ ବାପାଙ୍କୁ ସଂସାର ଚଲେଇବା କଷ୍ଟ ହେଉଥିଲା. ରୋଗୀଣା ବାପା ମାଆଙ୍କ ପାଇଁ ଭାବୁ ଭାବୁ ମିନୁର ପାଠ ପଢ଼ା ଖର୍ଚ୍ଚ ବଢିଚାଲିଥିଲା କିନ୍ତୁ ବୋଉର ଦେହ ମଧ୍ୟ ଭିତରେ ଭିତରେ କେତେ ଖରାପ ହେଉଛି ବୋଲି ସମସ୍ତେ ବୁଝିଲେ ବି ବୋଉ କହୁଥିଲା ମୋର ତ ଯନ୍ତ୍ରଣା କିଛି ନାହିଁ କାହିଁକି ଡାକ୍ତରଙ୍କ ପାଖକୁ ଯାଇ ଟଙ୍କା ଗଣିବା. ବୋଉ କିନ୍ତୁ ମିନୁର ପ୍ରଥମ ମାସର ଦରମା ଦେଖିବା ପୂର୍ବରୁ ଆରପାରିକୁ ବାଟ କାଟିଥିଲା. ବୋଉ ବଞ୍ଚିଥିଲା ପର୍ଯ୍ୟନ୍ତ ବନ୍ଦ ଥିବା ଝରକା କିନ୍ତୁ ଦରଆଉଜାରୁ ଏବେ ସମ୍ପୂର୍ଣ୍ଣ ଖୋଲାଥିଲା ମାମୁଁଘର ପଟକୁ . ଖାଲି ଖୋଲା ନୁହେଁ ସମ୍ପର୍କ ଯୋଡି ହୋଇଯାଇଥିଲା. ମାମୁଁ ନଥିଲେ ମଧ୍ୟ ମାଉସୀଙ୍କ ସ୍ନେହ ଭିତରେ ମିନୁ ତା ବୋଉ ମୁହଁ ଖୋଜୁଥିଲା ବିକଳରେ ଓ ରଙ୍ଗହୀନ ଚେହେରାରେ. 
         ଆଜି ମାମୁଁ ଘର ଲୋକ ଠିକ କରିଥିବା ପ୍ରସ୍ତାବରେ ବ୍ୟାଙ୍କ ଅଫିସର ପୁଅ ସଙ୍ଗେ ମିନୁର ର ବାହାଘର ହେଉଛି. ମିନୁ ମଧ୍ୟ ବ୍ୟାଙ୍କରେ ଚାକିରୀ ପାଇ ବାପାଙ୍କୁ କାନ୍ଧ ଦେଇପାରୁଛି କିନ୍ତୁ ମିନୁର ବୋଉ ନଥିବା ଘରେ , ମାଉସୀଙ୍କ ଉପସ୍ଥିତି ମିନୁକୁ ଅଣନିଶ୍ଵାସୀ କରିପକାଉଛି କାହିଁକି!ମିନୁ ବାହାଘର ପାଇଁ , ସବୁ ମାଉସୀ ସମସ୍ତେ ଭଲ ଟ୍ରଲି ବ୍ୟାଗରେ ଭଲ ଭଲ ଜିନିଷ ଉପହାର ଦେଇଛନ୍ତି ହେଲେ ସେସବୁ ମିନୁର ଆଜି କିଛି ଆବଶ୍ୟକତା ନାହିଁ. ସେଦିନ ପ୍ରଥମାଷ୍ଟମୀରେ କାନ୍ଦୁଥିବା ମିନୁ ର ଯାହା ଆବଶ୍ୟକ ତାହା ତା ବୋଉ, ତାର ଭଲପାଇବା ଓ ତା ନିଆରା ଆଶୀର୍ବାଦ ମିନୁ ଖୋଜି ପାଉନଥିବା ବେଳେ ମାଉସୀ କହିଲେ ମନ ଦୁଃଖ କରନା ମିନୁ, ଦେଖିଲୁ ତୋ ପାଇଁ ଯୋଉ ନାଲି ପାଟ ଆଣିଛି କେମିତି ଲାଗୁଛି ତତେ. ମତେ ଖୁବ ଭଲ ଲାଗୁଛି ମାଉସୀ କିନ୍ତୁ ମୋର ଅଲଗା କିଛି ମାଗୁଣୀ ଥିଲା ବୋଲି କହିଥିଲା ମିନୁ . କହ ମିନୁ କହ. ତୁ ଆମ ନାନୀର ଏକମାତ୍ର ଅଲିଅଳି ଝିଅ. ତୁ ଯାହା ମାଗିବୁ ମୁଁ ବା ଆମେ ମାମୁଁ ମାଉସୀମାନେ ସବୁ ଦେବୁ. ମୁଁ ସେହି ନାଲି ପାଟ ଶାଢ଼ୀଟା ଚାହେଁ ମାଉସୀ ଯୋଉଟା ଆଈ ମୋ ବୋଉ ପାଇଁ କିଣି ରଖିଥିଲେ ବି ବୋଉ ଭାଗ୍ୟରେ ନଥିଲା. ମାଉସୀ ହତ ଚକିତ ହେଲେ ଓ କହିଲେ ସେଇ ଶାଢୀରେ ମୁଁ ବିଦା ହେଇଥିଲି. ଆଉ ସେଇଟା ପୁରୁଣା ହେଲାଣି ମିନୁ. ହଉ ପୁରୁଣା. ମତେ ସେଇଟା ଦେଇପାରିବ ମାଉସୀ?ମାଉସୀ ମିନୁ ଆଖିରୁ ବର୍ଷା ବାରି ପରି ଖସିପଡୁଥିବା ବରକୋଳିଆ ଟୋପା ସବୁକୁ ଆଞ୍ଜୁଳିରେ ଧରି କହୁଥିଲେ ନିଶ୍ଚୟ. ମିନୁ କହୁଥିଲା ସେଥିରେ ମୋ ବୋଉ ର ଆଶା ଥିଲା ତେଣୁ ସେ ଶାଢ଼ୀ ଭିତରେ ମୋ ବୋଉ ଅଛି ମାଉସୀ. ସେ ଶାଢ଼ୀ ଖଣ୍ଡକ ମୋ ପାଇଁ  ସବୁଠୁ ମୂଲ୍ୟବାନ. ତାକୁହିଁ ପିନ୍ଧି ମିନୁ ଯେବେ ବିଦା ହେଲା ମାଉସୀ କଣ ସମସ୍ତେ ଅନୁଭବ କରିଥିଲେ ଏ ଦୁଇ ଘରକୁ ଲାଗିଥିବା ସଂଯୋଗୀ ଝରକା ଆଉ ବନ୍ଦ ହେବନି.ସେଇଦିନୁ ସେଇ ଝରକା ଖୋଲା ରଖିଥିଲେ କ୍ଷତି କଣ ହୋଇଥାନ୍ତା ବୋଲି ଭାବୁ ଭାବୁ ମିନୁ ବିଦା ହେଲେ ଶାଶୁଘରକୁ.ଶାଶୁଘରେ ମିନୁ ସେହି ନାଲି ପାଟ ପିନ୍ଧି ମାଣବସା ପାଇଁ  ଝୋଟି ଦେଉ ଦେଉ ଅରୁଆ ଚାଉଳ ପିଠଉରେ ଲୁହ ଟପ ଟପ ପଡି ବୋଉ କଥା ମନେପଡୁଥିଲା ଖୁବ କାରଣ ବୋଉ କହେ ଝିଅ ଯେତେ ସୁନ୍ଦରୀ, ଶିକ୍ଷିତା ଓ ରୋଜଗାରକ୍ଷମ ହେଉନା କାହିଁକି ସଂସ୍କୃତି ଓ ପରମ୍ପରାର ରକ୍ଷକ ହିଁ ଝିଅ, ବୋହୁ ଓ ନାରୀ.ଦିନେ ବୋଉ ଥିଲା ବାପା ନଥିଲେ. ଆଜି ଘରେ ଆଜି ବାପା ଅଛନ୍ତି ବୋଉ ନାହିଁ ସତ ହେଲେ ଘରକୁ ଆସିଲେ ମିନୁ ଝରକା ଦେଇ ଚାହେଁ ବୋଉ ହାତ ଲଗା ଫୁଲ ଫଳ ଘେରା ଅଜା ଘରେ ଥିବା ଗଛ ସବୁଙ୍କୁ. ପିଲାଦିନେ ଗଛ ମାନେ ମାମୁଁ ପରି ଲାଗୁଥିଲା ବେଳେ ଏବେ ମାଆ ପରି ଲାଗନ୍ତି ଗଛ ସବୁ.ସ୍ୱାମୀ ବୁଝେଇ ଦିଅନ୍ତି ଜୀବନର ଚଲା ପଥରେ କେହି ନଥିବେ. ସମୟ ଓ ବୟସ ହେଲେ ଜଣଙ୍କ ପରେ ଜଣେ ଯିବେ କିନ୍ତୁ ଝରକା ଦେଇ ବାହାରର ଦୃଶ୍ୟ ସହ ଦୂର ତାଳବଣ ଓ ଝାଉଁବଣ ଦେଖାଯାଉଥିବ ନିଶ୍ଚୟ ଖୁବ ସତେଜ . ତେଣୁ ରଙ୍ଗହୀନ ଚେହେରାକୁ ବଦଳେଇ ଦେହ ମନ କୁ ସତେଜ ରଖ ମିନୁ. ସେଇଦିନୁ ମିନୁ ଚେଷ୍ଟା କରୁଥିଲେ ସତେଜ ରହିବାକୁ ଓ ରଜ ପର୍ବ ତାଙ୍କୁ ଖୁବ ଖୁସି ଦେଉଥିଲା. ବୋଉର ନାଲି ପାଟ ପିନ୍ଧି ସେ ରଙ୍ଗହୀନ ନୁଁହଁ ବରଂ ରଙ୍ଗଭରା ଜୀବନ ବିତେଇ ଦୋଳି ଖେଳି ରଜ ଗୀତ ଗାଉଥିଲେ.  ମିନୁଙ୍କ ରଙ୍ଗହୀନ ଦେହ ମନ ଉଲ୍ଲସିତ ହୋଇଉଠିଥିଲା ସତେଜତା ଭରା ଭରା ଚେହେରାରେ.



Rate this content
Log in

Similar oriya story from Tragedy