ବୋଉ
ବୋଉ
ଛୋଟ ଝିଅ ସିଲୁ,ଆକାଶର ତାରା ମଧ୍ୟରେ ଥିବା ଏକ ନିର୍ଦ୍ଦିଷ୍ଟ ଦିଗର ନିର୍ଦ୍ଦିଷ୍ଟ ତାରାକୁ ଲକ୍ଷ କରି ଆଜି ଖୁବ କାନ୍ଦୁଥିଲା. ବାପା ତାକୁ ଆଉ ଆଗପରି ଭଲ ପାଉନାଁହାଁନ୍ତି ବୋଲି ଅଭିଯୋଗ କରି କହୁଥିଲା ତୁ ଫେରିଆ ବୋଉ. ତୋ ଛଡା ମତେ ଏଠି ଏତେ ଭଲ ପାଇବା ଲୋକ କେହି ନାଁହାଁନ୍ତି. ବାପା ଆଗରୁ ଯେତିକି ଭଲ ପାଉଥିଲେ ଓ ମୋ କଥା ସବୁ ଠିକ ଠାକ ବୁଝୁଥିଲେ ତଥା ନୂଆ ମାଆ କୁ ମୋର ଯେପରି ଟିକେ ବି ଅସୁବିଧା ହେବନି ବୋଲି କହି ତାଗିଦା କରୁଥିଲେ ଏବେ ଆଉ ସେପରି କରନାହାଁନ୍ତି. ଯାହା ପାଇଁ କରୁନାହାଁନ୍ତି ସେ ମୋର ଛୋଟ ଭାଇ.ଭାରି ଗୁଲୁଗୁଲିଆ ଓ ମତେ ଖୁବ ଭଲ ପାଏ ହେଲେ ସେ ମୋ ଦୁଃଖ ବୁଝି ପାରେନି.ନୂଆ ମାଆ କୁ ବାପା କହିଦେଇ ଯାଆନ୍ତି ଯେ ସିଲୁ କଥା ବୁଝିବ ହେଲେ ନୂଆ ମାଆ ଛୋଟ ଭାଇ ସଙ୍ଗେ ପରଠା ଓ ଆଳୁଭଜା ସବୁ ଖାଇଲା ବେଳେ ବୁଝିପାରେନା ସିଲୁ ଅପା କାହିଁକି ପଛରେ ଖାଇବ!ନୂଆ ମାଆ କିନ୍ତୁ ବଳକା ପରଠା ହେଉ ଅବା ସେମିଆ କି ମ୍ୟାଗି ଅବା ପାଉଁରୁଟି ସବୁକୁ ଘରେ କାମ କରୁଥିବା ଫୁଲ ମାଉସୀ କୁ ଦେଇଦେଇ ମତେ କେବେ ମୁଢି ଦିଏ ତ କେବେ କୁହେ ସାତ ବର୍ଷର ଏତେ ବଡ଼ ଝିଅ ହେଲୁଣି ଜଳଖିଆ ନଖାଇଲେ କଣ ତୋ ପେଟ ପୋଡ଼ିଯାଉଛି!ଏଇ ଏଇ ତ ଲଞ୍ଚ ଖାଇବୁ, ଟୁକୁନାକୁ ଧରିଥା. ଟୁକୁନା କୁ ଏ ଭିତରେ ଚାରି ବର୍ଷ ହେଲାଣି. ସ୍କୁଲ ମଧ୍ୟ ଗଲାଣି. ମତେ ମଧ୍ୟ ସ୍କୁଲ ଯିବାକୁ ଖୁବ ଇଛା ହେଲେ ମୁଁ ସ୍କୁଲ ଗଲେ ଟୁକୁନା ର ସ୍କୁଲ ଡ୍ରେସ, ମୋଜା, ଜୋତା, ଟିଫିନ କିଏ ଧୋଇବ ବୋଲି ଓଲଟା ପ୍ରଶ୍ନ କରନ୍ତି ନୂଆ ମାଆ. ପୁଣି ତା ଖେଳଣା ସବୁକୁ ଥୁଆ ରଖା କରିବାରେ ମୋର ଦିନ ସରୁନଥିଲେ ମଧ୍ୟ କିଛି ଖେଳଣା ଟୁକୁନା ନିଜେ ଭାଙ୍ଗିଲେ ମୋର କାହିଁକି ଦୋଷ ହୁଏ ମୁଁ ବୁଝିପାରେନା!ତୁ ମତେ ଏମିତି ଏକୁଟିଆ ଛାଡ଼ି ଦେଇ ଚାଲିଯିବା ପୁଣି ନଫେରିବା କଣ ତୋର ଉଚିତ ବୋଉ!ଯଦି ବା ଗଲୁ ମତେ ନେଇନଗଲୁ କଣ ପାଇଁ!ମାମୁଁ ଘରୁ ଫେରିଆସିବୁ ବୋଲି ଚାହିଁ ଚାହିଁ କାନ୍ଦିଲା ବେଳେ ବାପା ତୁ ଆକାଶରେ ତାରାଫୁଲ ହୋଇଯାଇଛୁ କହି ତତେ ଦେଖାଇ ଦେଇ କହିଥିଲେ ନୂଆ ମାଆ ଆସିଲେ ତୋର ଆଉ ଅସୁବିଧା କିଛି ରହିବନି କିନ୍ତୁ ବୋଉଲୋ ନୂଆ ମାଆ ମତେ ଜମା ଭଲ ପାଏନି କାହିଁକି ଓ ମୋର କି ଦୋଷ ମୁଁ ବୁଝିପାରୁନି!
ସେଦିନ ପେଟ ଖୁବ କାଟୁଥିଲା. ଘରକୁ କୁଣିଆ ଆସିଥିଲେ ବୋଲି ଲଞ୍ଚ ବେଳ ଗଡିଯାଇଥିଲା ଓ ସକାଳୁ ଜଳଖିଆ ପାଟିରେ ଦେଇନଥିବାରୁ ମତେ ଭାରି ଭୋକ ହେଉଥିବାରୁ ମୁଢି ଟିଣ ଖୋଲି ମୁଠେ ଦୁଇମୁଠା ଖାଉ ଖାଉ, ନୂଆମାଆ ଖୁବ ଗାଳି କରିଥିଲା ଓ ଛାତ ଉପରକୁ ଆଣି ତଳକୁ ଡେଇଁ ପଡିଲେ ତୋ ପାଖେ ପହଁଞ୍ଚି ପାରିବି କହିଥିଲା ତଥାପି ବାପା ଓ ସେହି ଛୋଟ ଭାଇ ଟୁକୁନାର ଦରୋଟି ଭାଷା ଭିତରେ ଓ ତା କଣ୍ଠର ଅପା ଡାକରେ କି ଯାଦୁ ଥିଲା କେଜାଣି ମତେ ତଳକୁ ଡେଇଁ ପଡ଼ିବାକୁ ଡର ଲାଗୁଥିଲା ଖୁବ.ଏବେ କିନ୍ତୁ ଆଉ ନୁଁହଁ. କାରଣ ଫୁଲ ମାଉସୀ ଙ୍କୁ ଆସିବାକୁ ମନା କରି ଦେଇ ନୂଆ ମାଆ ମତେ ଫୁଲମାଉସୀ ର ସବୁ କାମ କରିବାକୁ କହୁଛନ୍ତି . ମୁଁ ଆଉ ପାରୁନି ବୋଉ. ଆଜି ନିଶ୍ଚୟ ଏ ଛାତରୁ ତଳକୁ କୁଦି ପଡିବି. ଯେତେ ଯାହା ଡର ମାଡ଼ୁ ପଛକେ ତୋ ପାଖେ ପହଁଞ୍ଚି ଗଲେ ତ ତୋ କୋଳରେ ମୁଣ୍ଡ ରଖି ସବୁ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଭୁଲିଯାଇପାରିବି. ଏତିକି କହି ସିଲୁ ତଳକୁ କୁଦି ପଡ଼ିବାକୁ ଯାଉଛି ପଛରୁ ଟୁକୁନା ଡାକୁଥିଲା ଅପା ଅପା ଆଉ ବାପା ତାକୁ କୋଳକୁ ନେଇ କହୁଥିଲେ ମୋ ସୁନା ଝିଅ. ତୋର ଆଜି ଜନ୍ମଦିନ. କେକ କାଟିବା. ଏଇ ଦେଖ ତୋ ପାଇଁ ସବୁ ସ୍କୁଲ ବହି, ଡ୍ରେସ, ଜୋତା, ମୋଜା ଓ ପାଣିବୋତଲ ସହ ସ୍କୁଲ ବ୍ୟାଗ ନେଇଆସିଛି. ଆ କେକ କାଟିବା. ଟୁକୁନା କେକ କାଟି ହାପି ବାର୍ଥ ଡେ ଅପା କହୁଥିଲା ବେଳେ ଏସବୁ ସିଲୁକୁ ମ୍ୟାଜିକ ବୋତଲ ର କରାମତି ପରି ଲାଗୁଥିଲା ବେଳେ ନୂଆମାଆ କହୁଥିଲେ ହାପି ମଦର ଡେ କହ ଝିଅ. ଏଇ ଦିବସ ରେ ତୋର ଜନ୍ମଦିନ ପରା. ସବୁକିଛି ସିଲୁକୁ ମ୍ୟାଜିକ ବୋତଲ ପରି ଲାଗୁଥିଲେ ମଧ୍ୟ ସେ ସେଦିନ ପେଟେ ଖାଇପିଇ ସାରି ଛାତ ଉପରକୁ ଯାଇ ତାରା ଘେରି ଭିତରେ ଥିବା ବୋଉକୁ ତାର ଧନ୍ୟବାଦ ଜଣେଇବା ସହ ପ୍ରଣାମ କରିବାକୁ ଭୁଲିନଥିଲା. ରାତିରେ ତାକୁ ନିଦ ଆସୁନଥିଲା କାରଣ ସେ କାଲି ସ୍କୁଲ ଯିବ ଠିକ ଟୁକୁନା ପରି. ଘରକାମ କିଏ କରିବ ମାଆ ବୋଲି ନୂଆମାଆ କୁ ଡରି ଡରି ପଚାରିଲା ବେଳେ ନୂଆମାଆ କହିଥିଲେ ଫୁଲମାଉସୀଙ୍କ ଦେହ ଭଲ ହୋଇଯିବାରୁ ତୋ ବାପା ତାଙ୍କୁ ପୁଣି ଘରକୁ ଫେରାଇ ଆଣିଛନ୍ତି ଝିଅ!ତୁ ମତେ ଖାଲି ବୋଉ ବୋଲି ଥରେ ଡାକିଦେ. ଏ ସବୁ ଫୁଲ ମାଉସୀଙ୍କ ଯାଦୁ ଥିଲା ବୋଲି ବୁଝିଯିବାକୁ ସିଲୁର ବାକି ନଥିଲା. ସେଦିନ ବୋଉ ତାରା ଟି ମିଟିମିଟି ଆଖିରେ ଖୁବ ହସୁଥିଲା ଆକାଶରେ. ସିଲୁ ମଧ୍ୟ ହସି ହସି ହାପି ମଦର ଡେ ବୋଲି କହିବାକୁ ଭୁଲିନଥିଲା ବୋଉ ତାରାକୁ ସେଇ ରାତିରେ.
