ମ୍ୟାଜିକ ବୋତଲ
ମ୍ୟାଜିକ ବୋତଲ
ଜଣେ ନାଉରିଆ ଡ଼ଙ୍ଗା ନେଇ ମାଛ ମାରି ପେଟ ପୋଷୁ ଥିଲେ. ଦିନେ ସେ ଡ଼ଙ୍ଗା ନେଇ ଯାଉଥିଲା ବେଳେ ଡ଼ଙ୍ଗା ଟି ଠିକଣା ବାଟରେ ଯାଉନଥିଲା. ପବନ ଓ ସ୍ରୋତ ଅନୁକୂଳ ଦିଗରେ ବହୁନଥିବାରୁ ଡ଼ଙ୍ଗା ଆଗକୁ ଯାଇପାରୁନଥିଲା. ତଲେଇ ଟାଣି ହେଉନଥିଲା କି କାତ ମାରିବା ସହଜ ନଥିଲା ତ ନାଉରିଆ ଭାଇ ସୁରେଶ ନିଜ ଭାଗ୍ୟକୁ ଦୋଷ ଦେଇ ନିଜ ଭାଗ୍ୟରେ ନଥିବାରୁ ସେ ଆଜିଯାଏଁ ଡ଼ଙ୍ଗାରେ ମେସିନ ଖଞ୍ଜି ଲଗେଇ ପାରିନାଂହାନ୍ତି ବୋଲି ହତାଶା ଅନୁଭବ କରିବା ସମୟରେ ଜଣେ ଅନୁଭବୀ ନାଉରିଆ ତାଙ୍କୁ ପବନର ପ୍ରତିକୂଳ ଦିଗରେ ନଯାଇ ଅନୁକୂଳ ଦିଗରେ ଯିବାକୁ ପରାମର୍ଶ ଦେଇଥିଲେ ଓ ସୁରେଶ ସେହି ଅନୁଯାୟୀ ଡ଼ଙ୍ଗାକୁ ବିପରୀତ ଦିଗରୁ ବାଟ କଢେଇ ତଥା ପବନ ର ଅନୁକୂଳ ଦିଗରେ ବାହିବାରୁ ଡ଼ଙ୍ଗାଟିରେ ତଲେଇ ଟାଣି ହେଲା ଓ କାତ ମାରିବା ଦରକାର ହେଲା ନାହିଁ. ନାଉରିଆ ଭାଇ ସୁରେଶ ବୁଝିଗଲେ ଯେ ଭାଗ୍ୟର ନୁଁହଁ ବରଂ କର୍ମ ଦୋଷ ରୁ ସେ ବେକାର ହତାଶ ହେଉଥିଲେ. ଏଥର ଜାଲ ପକାଇ ପ୍ରଚୁର ମାଛ ଧରୁଥିଲେ ସୁରେଶ ସତ କିନ୍ତୁ ଏତେ ପରିମାଣ ର ମାଛ ନେଇଯିବାରୁ ମାଛମାନେ ଏକତ୍ରିତ ହୋଇ ଦିନେ ନଦୀର ଦେବୀଙ୍କୁ ଗୁହାରି କରିଥିଲେ ଓ କହିଥିଲେ ଏହିପରି ସୁରେଶ ନାଉରିଆ ଯଦି ପବନ ଓ ସ୍ରୋତ ର ଅନୁକୂଳ ଦିଗରେ ଡ଼ଙ୍ଗା ବାହି ମାଛ ଧରନ୍ତି ତ ଆମ ବଂଶ ଲୋପ ପାଇଯିବ. ମାଛ ରାଜାଙ୍କୁ ଗୁହାରି କରିବାରୁ ସେ ନିଜେ ଏହି ଭୟରେ ଅଛନ୍ତି କହି ଗୁହାରି ଶୁଣି ନଥିଲେ ତେଣୁ ହେ ନଦୀର ଦେବୀ ଆମକୁ ଏ ମହା ବିପଦ ରୁ ରକ୍ଷା କରନ୍ତୁ.ମାଛ ଣ
ମାନଙ୍କ କଥା ଶୁଣି ନଦୀର ଦେବୀ ଏଥର ଟିକେ ଚିନ୍ତା କରି କହିଲେ ହଉ ତୁମେ ସବୁ ଘରକୁ ଯାଅ. ମନ ଖୁସିରେ ନଈ ପାଣିରେ ବିହାର ଓ ଆହାର କରୁଥାଅ ମୁଁ ଦେଖୁଛି ଏହାର ପ୍ରତିକାର କଣ କରାଯାଇ ପାରେ.
ନଦୀର ଦେବୀଙ୍କ ଚିନ୍ତାର କାରଣ ଥିଲା ମାଛ ମାନେ ଯେମିତି ତାଙ୍କୁ ଦେବୀ ବୋଲି ମାନି ଗୁହାରି କରନ୍ତି ସେହିପରି ନାଉରିଆ ଭାଇ ସୁରେଶ ମଧ୍ୟ ତାଙ୍କୁ ବହୁତ ଗୁହାରି କରି ମୋ ଜାଲ ରେ ଆଜି ବହୁତ ମାଛ ପଡିଯାଉ ମାଆ ବୋଲି ଗୁହାରି ଜଣେଇଥାଆନ୍ତି. ଭକ୍ତ ଯେ କେହି ହେଉନା କାହିଁକି ନଈର ଦେବୀଙ୍କ ପାଇଁ ସମସ୍ତେ ସମାନ. ଏବେ ମାଛ ଓ ନାଉରିଆ ଦୁହେଁ ବିପକ୍ଷ ହେଲେ ମଧ୍ୟ ଦୁହିଁଙ୍କ ସମସ୍ୟା ସମାଧାନ କରିବାକୁ ହେବ ଭାବି ସେଦିନ ଗୋଟେ ମ୍ୟାଜିକ ବୋତଲ ନେଇଯା ତତେ ଆଉ ନଈକୁ ମାଛ ମାରିବାକୁ ଆସିବାକୁ ପଡିବନି ବୋଲି ସ୍ବପ୍ନ ରେ ନଦୀ ଦେବୀ ସୁରେଶକୁ କହିଥିଲେ. ସୁରେଶ ନଈ ଦେବୀଙ୍କୁ ଭକ୍ତି କରୁଥିବାରୁ ନଦୀ ଦେବୀ ଙ୍କ କହିବା ଅନୁଯାୟୀ ଯାଇ ବୋତଲ ସଂଗ୍ରହ କରି ଯେମିତି ଠିପି ଖୋଲି "ହଙ୍ଗ କଙ୍ଗ "ବୋଲି କହିଛନ୍ତି ଗଦା ଗଦା ମାଛ ମ୍ୟାଜିକ ବୋତଲ ରୁ ବାହାରି ଆସିଲେ ତ ତାକୁ ସବୁ ବିକି ଘରକୁ ସବୁ ପରିବା ଓ ସଉଦା ନେବା ସଙ୍ଗେ ସଙ୍ଗେ ଟିକି ପୁଅ ସନ୍ତୋଷ ପାଇଁ ବହି, ଖେଳନା ଓ ଆବଶ୍ୟକୀୟ ଜିନିଷ ପତ୍ର ନେଇ ଖୁବ ଖୁସିରେ ରହିଲେ. ସନ୍ତୋଷ ଆସ୍ତେ ଆସ୍ତେ ବଡ଼ ହେଉଥାଏ ତେଣେ ମାଛମାନେ ମଧ୍ୟ ଖୁବ ଖୁସିରେ ନଦୀ ର ସେହି ସ୍ଥିର ପାଣି ଦିଗ ରେ ବିଚରଣ କରୁଥାନ୍ତି. ସାପ ମରିବନି କି ବାଡି ଭାଙ୍ଗିବନି ନ୍ୟାୟରେ ନଈ ଦେବୀ ମଧ୍ୟ ଆଶ୍ୱସ୍ତ ଥାଆନ୍ତି.
ସେପଟେ ସୁରେଶ ଙ୍କ ପୁଅ ସନ୍ତୋଷ ଆସ୍ତେ ଆସ୍ତେ ପାଠ ପଢି ହାଇସ୍କୁଲରେ ମ୍ୟାଟ୍ରିକ ପରୀକ୍ଷାରେ ତାଙ୍କ ସ୍କୁଲର ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥାଏ.ସମସ୍ତେ ତାର ସଫଳତା କଥା ପଚାରୁଥାନ୍ତି ଓ ଭବିଷ୍ୟତରେ କଣ ହେବ ବୋଲି ପ୍ରଶ୍ନରେ ସନ୍ତୋଷ କହିଥିଲା କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ଓ ବଡ଼ ହେଲେ କଠିନ ପରିଶ୍ରମ କରି ଯାହା ପଢ଼ିବି ତାହା ମନେରଖି ସଫଳ ହେବାକୁ ଚେଷ୍ଟା କରିବି.ସନ୍ତୋଷ କଥା ଶୁଣି ତା ବାପା ସୁରେଶ କାହିଁକି କେଜାଣି ସେଦିନ ନଈ ଦେବୀଙ୍କ ଦାନ ମ୍ୟାଜିକ ବୋତଲଟିକୁ ନଈ କୁ ଫିଙ୍ଗି ଦେଇ ପୁଣି ନଈରେ ଜାଲ ପକେଇ ମାଛ ଧରୁଥିଲା. ଏବେ ମାଛ ଙ୍କ ସଂଖ୍ୟା ଖୁବ ଅଧିକ ହୋଇଯାଇଥିବାରୁ ସେମାନେ ଆଉ ନଈ ଦେବୀ ଙ୍କୁ ଗୁହାରି କରିନଥିଲେ. ସୁରେଶ ମଧ୍ୟ ପଢୁଆ ପୁଅର କଥାରୁ ବୁଝିଯାଇଥିଲେ ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି.ଏଣିକି ସେ କେବଳ ମାଛ ମାରିବା ଉପରେ ନିର୍ଭର ନକରି ଚାଷ, ଫୁଲ ବଗିଚା କରିବାରେ ମନ ପ୍ରାଣ ଢ଼ାଳି ପରିଶ୍ରମ କରୁଥିବା ବେଳେ ପୁଅ ସନ୍ତୋଷ ମଧ୍ୟ ପାଠ ପଢ଼ା ଭଳି ଶାରୀରିକ ଓ ମାନସିକ ପରିଶ୍ରମ କରି ଚାଲିଥିଲା. ଆଜି ସନ୍ତୋଷ ଜଣେ ଡାକ୍ତର ହୋଇ ଦେଖେଇ ଦେଇଥିଲା ଯେ ନାଉରିଆ ଭାଇଙ୍କ ପୁଅ ମଧ୍ୟ ମ୍ୟାଜିକ ବୋତଲ ଉପରେ ନିର୍ଭର କରିବା ଅପେକ୍ଷା ପରିଶ୍ରମ କରି ସଫଳତା ପାଇପାରେ.
,,,,,,,,,,,
